Padmalaya Padhy

Inspirational

4  

Padmalaya Padhy

Inspirational

ସମ୍ପର୍କ

ସମ୍ପର୍କ

5 mins
232



--ଅଲିଭା ! ଓ ଅଲିଭା ରାଣୀ କୁଆଡେ ଗଲ ହୋ l କଲମ କାଗଜ ଧରି ବସି ଯାଇଥିବ ପରା ମୁଁ ଜାଣେ l ଲେଖିକା ହେବାର ଭୁତ ଚଢ଼ିଛି ଯେ ୟାକୁ l ଏଆଡ଼େ ସ୍ୱାମୀ ପଛେ ଯାଉ ଭାଡ଼ ମେ l ହଉ ତୁମ ଦୟା l


ଅମ୍ଲାନ ସ୍ତ୍ରୀ କୁ ଖୋଜି ଖୋଜି ଘର ଭିତରେ ଦଶ ଥର ଚକ୍କର କାଟି ସାରିଲାଣି l କୁଆଡେ ଉଭେଇ ଗଲା ଅଲିଭା ? ଦେଖା ନାହିଁ ତାର ? ସବୁ ରୁମ ଦେଖି ସାରି ଖଟ ତଳ ବି ସରିଲାଣି l କାଳେ ଖଟ ତଳେ ହୁଏତ ମଜା କରିବାକୁ…! କେହି କୋଉଠି ନାହାନ୍ତି l ଶୂନଶାନ ଘରଟି ଛୁଞ୍ଚି ପଡିଲେ ଶୁଭିବ l


 ଆଖି ପଡିଗଲା ହଠାତ ତକିଆ ଉପରେ କାଗଜ ଫାଳେ ସାପ ଫଣା ଭଳି ମୁଣ୍ଡ ଉଠାଇ ରହିଛି ଯେ ଦେଖିଲେ ଲାଗୁଛି ଯେପରିକି ହୃତସ୍ପନ୍ଦନ ବନ୍ଦ ହେଇଯିବ l ସତେ ଅବା ସେଇ ଫାଳେ କାଗଜ ଅମ୍ଲାନ ବିରୁଦ୍ଧରେ ନୀରବ ରେ ଯୁଦ୍ଧ ଘୋଷଣା କରୁଛି l ଧୀରେ ଧୀରେ ବାହାର କଲା କାଗଜ ଖଣ୍ଡକ l ଗୋଡ଼ ହାତ ଥରି ଉଠୁଥାଏ l ଏହା ପୂର୍ବରୁ ଅମ୍ଲାନ ନିଜକୁ କେବେବି ଏତେ ଦୁର୍ବଳ ଓ ଅସହାୟ ପାଇ ନଥିଲା l


 ଅଲିଭା ଲେଖିଛି ୟା କୁ ? ଗୋଟିଏ ଘରେ ରହି ପୁଣି ଚିଠି ପତ୍ର ଦିଆନିଆ ? କଣ ଥିବ ୟା ଭିତରେ ? ତେବେ କଣ ଛାଡି ଦେଇ ଚାଲି ଯାଇଥିବ ସେ ? ହେ ଭଗବାନ ! ସେମିତି କିଛି ନ ହୋଇଥାଉ l କୋଉଠି ଯାଇ ଖୋଜିବ ଏବେ l କାହାକୁ କଣ ବୋଲି କହିବ l କହିବ ଯେ ତା ସ୍ତ୍ରୀ ତାକୁ ଛାଡି ଦେଇ ପଳାଇଛି ? କାହିଁକି ? କାହା ସାଙ୍ଗରେ ? ଯେତେ ମୁହଁ ସେତେ ପ୍ରଶ୍ନ ର କି ଉତ୍ତର ଦେବ ସିଏ ?


ଯଦି ଆତ୍ମହତ୍ୟା କରି ଦେଇଥିବ ? ତାହେଲେ ତ ସେଥିପାଇଁ ସେ ନିଜେ ହିଁ ଦାୟୀ l ଦିନେ ବି ଅଲିଭା କୁ ସେ ସାହାରା ର ହାତ ବଢ଼ାଇନାହିଁ କିମ୍ବା ତାରିଫ କରିନାହିଁ ବରଂ ହୀନ ଦେଖିଛି l ତାକୁ ଖୁସି ହେବା ଦେଖିଲେ ଅମ୍ଲାନ ର ରାତିର ନିଦ ଉଡ଼ିଯାଏ l ଲାଗିପଡେ ଦୁଃଖ ଓ ଅଶାନ୍ତି ଦେବା ପାଇଁ l ସେଇ ରାଗ ରେ କିଛି କରି ଦେବନି ତ ସେ l ଚିଠିଟିକୁ ଖୋଲିଲା ବେଳକୁ ଅକ୍ଷର ଗୁଡିକ ଝାପ୍ସା ଝାପ୍ସା ଦିଶିଲାଣି l 


ପ୍ରିୟ କଥାକାର ,

ତୁମ ଭଳି ଜଣେ ଖ୍ୟାତି ସମ୍ପର୍ଣ୍ଣ ଲେଖକ ର ପତ୍ନୀ ହେବାର ଗୌରବ ରୁ ମୁଁ ବଞ୍ଚିତ ହେବାକୁ ଚାହୁଁ ନଥିଲି l ଈଶ୍ୱର କରନ୍ତୁ ତୁମର ଲେଖନୀ ସବୁବେଳେ ସମାଜ ର କଲ୍ୟାଣ କରୁଥାଉ ଓ ତୁମର ସୃଷ୍ଟି କେବେ ବି ମ୍ଳାନ ନ ହେଉ l ଦିବା ରାତ୍ର ତୁମ ପ୍ରସିଦ୍ଧି ଓ ଲୋକପ୍ରିୟତା ର ଆଢୁଆଳରେ ଶୁଭ ମନାସୁ ଥିବା ତୁମ ପତ୍ନୀ କେତେବେଳେ ଯେ ତୁମର ପ୍ରତିଦ୍ବନ୍ଦୀ ହୋଇଗଲା ତାହା ସେ ଜାଣି ପାରିଲା ନାହିଁ l କଣ ଭୁଲ ଥିଲା ତାର ? କେତେ ଥର ଜାଣିବାକୁ ଚାହିଁଛି l କିନ୍ତୁ ତୁମେ ସବୁ ଥର ଏଡାଇ ଯାଇଛ l ଏବେ ଭାବୁଛି ନଜାଣିଥିଲେ ବୋଧେ ଭଲ ହୋଇଥାନ୍ତା l ଜାଣିବା ପରେ ଆଉ ବଞ୍ଚି ରହିବାକୁ ଇଚ୍ଛା ହେଉନାହିଁ l


ତୁମେ ଅଫିସ କାମ ସଭା ସମିତି ଲେଖା ଲେଖି ରେ ବ୍ୟସ୍ତ ରୁହ ଦିନ ସାରା l ରାତ୍ରି ଭୋଜନ ର ବି ଠିକ ଠିକଣା ନଥାଏ ତୁମର l ଗୋଟିଏ ଲୋକ ମୁଁ ସାରା ଦିନ ଘର ଟି ଭିତରେ ଏକୁଟିଆ କେମିତି କାଟେ ସେ କଥା କେବଳ ମୁଁ ହିଁ ଜାଣେ l ତୁମ ଲେଖାରେ ବାଧା ସୃଷ୍ଟି ହେବ ବୋଲି ପିଲା ଛୁଆ ବି ତୁମେ ଏତେ ଶୀଘ୍ର ଚାହିଁଲ ନାହିଁ l କରିଥାନ୍ତି ତ କଣ ଆଉ କରିଥାନ୍ତି ମୁଁ l ତେଣୁ ଗୋଟିଏ ଛୋଟିଆ ଭୁଲ କରି ବସିଲି l ତୁମେ ଓଲଟା ବୁଝିବ ବୋଲି ଜାଣି ନଥିଲି l ଭାବୁଥିଲି ବରଂ ଖୁସି ହେବ l କିନ୍ତୁ ବୋଧେ ଏତେ ଦିନ ର ବୁଝାମଣା ରେ ଫାଟ ଆସିବାକୁ ନିୟତି ର ବରାଦ ଥିଲା l ସବୁ କିଛି ବଦଳି ଗଲା ସାମାନ୍ୟ ଗୋଟିଏ ଭୁଲ ପାଇଁ l ଭୁଲ ତ ମୁଁ କରି ନଥିଲି ବରଂ ତୁମେ ହିଁ ଭୁଲ ବୁଝିଥିଲ ମୋତେ l


 କେତେ ଥର ତୁମେ ପଡୋଶୀ ମିଶ୍ର ବାବୁଙ୍କ ସ୍ତ୍ରୀ ଙ୍କୁ ଲେଖାଲେଖି କରିବା ପାଇଁ ଉତ୍ସାହିତ କରିଛ ଏବଂ ସେ ତୁମ ଦ୍ୱାରା ଅନୁପ୍ରାଣିତ ହୋଇ ଇତି ମଧ୍ୟରେ ଲେଖିବା ଆରମ୍ଭ କରି ଦେଇଛନ୍ତି l ତୁମର ପତ୍ନୀ ହିସାବରେ ମୋର ବି ବହୁତ ମନ ଥିଲା ମୁଁ ବି କିଛି କରି ଦେଖାଇବି l ତୁମେ ତ ଅଛ ଦିଗଦର୍ଶନ ଦେବା ପାଇଁ ଚିନ୍ତା କଣ l ସେଥିପାଇଁ ଏଣୁତେଣୁ ଦିଟା ଲେଖି ତୁମକୁ ଦେଖାଇଥିଲି l ତୁମେ ମୋର ପଥ ପ୍ରଦର୍ଶକ ହେବ ବୋଲି ଭାବିଥିଲି ମଧ୍ୟ l କିନ୍ତୁ ତୁମେ ତ ଏକାଥରକେ ନିଆଁ ହୋଇ ଯାଇଥିଲ ଏବଂ ମୋର ମନୋବଳ କୁ ଗୋଟିଏ ମୁହୂର୍ତ୍ତ ରେ ଯେଉଁଭଳି ଚୁରମାର କରି ଦେଇଥିଲ ନା….ଏବେ ବି ତାହା ଭାବିଲେ ଆଖିରୁ ଅମାନିଆ ଲୁହ ଗୁଡାକ ବାହାରି ଆସେ l


 ତୁମର ସେଇ କଥା ପଦକ…..ଏଇଟା ପୁଣି ଗୋଟିଏ ଲେଖା ? ଲେଖା ନା ଚୋପା ? କଣ ଅଛି ଯେ ଏଥିରେ ? ନା ଭାଷା ନା ଗତିଶୀଳତା ନା ବିଷୟବସ୍ତୁ ? ଆଉ ବେଶି ମୋ ମୁହଁ ଖୋଲାଅନା ବୁଝିଲ ? ଏମିତି ଲେଖା କୁ ନେଇ ଛାପିବ ଓ ଲେଖିକା ହେବ ? କଣ ଅଛି ଏଥିରେ ପୁଳାଏ ରଦି କାଗଜ ?


ତୁମେ ସେଦିନ ହାତ ଉଠାଇଥିଲେ ବି ମୋତେ ଏତିକି ବାଧି ନଥାନ୍ତା ଯେତିକି ତୁମ କଥା ମୋତେ ଆଘାତ ଦେଇଥିଲା l ମୋର ପ୍ରଥମ କୃତି ମୋର ମାନସ ସନ୍ତାନ କୁ ତୁମର ଏତେ ଘୃଣା ଭରା ଆକ୍ଷେପ ? ତୁମେ ଜଣେ ସୁନାମଧନ୍ୟ ଲେଖକ ହୋଇ ମଧ୍ୟ ଖା, ଭୁଞ୍ଜ, ଗିଳ ଭିତରେ ପାର୍ଥକ୍ୟ ଜାଣି ପାରିଲ ନାହିଁ l ଶେଷରେ ସେଇ ଲେଖାକୁ ନେଇ ମୁଁ କାମବାଲୀ ଟୁନି କୁ ଦେଖାଇ ଥିଲି l ସେ ହିଁ ଆମୂଳଚୁଳ ଲେଖାଟି ପଢିଥିଲା ଏବଂ ସେ ହିଁ ମୋର ପ୍ରଥମ ପାଠିକା ଥିଲା l


ଏହା ପରେ ଆଉ ମୁଁ ପଛକୁ ଫେରି ନାହିଁ l ତୁମେ ଯେତେ ମୋର ମନୋବଳ ପାଦ ତଳେ ମାଡି ଦେଇଗଲ ମୁଁ ଦ୍ବିଗୁଣ ଉତ୍ସାହ ରେ ସେତିକି ଆଗେଇ ଯାଉଥିଲି l ପ୍ରଥମ ଥର ପାଇଁ ମାସିକ "ପ୍ରବାସୀ" ରେ ମୋ ଲେଖାଟି ବାହାରିଲା ପରେ ଛୁଟିଥିଲା ଶୁଭେଛୁ ମାନଙ୍କ ସୁଅ l ଅନଲାଇନ ଓ ଅଫଲାଇନ ରେ ଲେଖା ଜାରି ରଖିବାକୁ ଅହରହ ନିବେଦନ କରୁଥିଲେ ମୋର ଶୁଭେଛୁ ମାନେ ଯାହା କୁ ଦେଖି ତୁମ ଭଳି ବଳିଷ୍ଠ ଲେଖନୀ ର ଅଧିକାରୀ ବି ନିଜକୁ ଅସୁରକ୍ଷିତ ମନେ କରୁଥିଲେ l ସେଇଠୁ ଆରମ୍ଭ ହେଲା ତୁମର ଯୁଦ୍ଧ ଘୋଷଣା l


ଧୀରେ ଧୀରେ ମୋର ପ୍ରତିଟି କଥା ତୁମକୁ ଖରାପ ଲାଗିବାକୁ ଆରମ୍ଭ କଲା l ଯେଉଁ ହାତରନ୍ଧା ଥରେ ଖାଇ ଶହେ ଥର ଝୁରୁଥିଲ ସେଥିରେ ହଜାରେ ଭୁଲ ଭଟକା ବାହାର କଲ l କିନ୍ତୁ ମୋ ଲେଖାଲେଖି ଲାଗି ତୁମ ସେବାରେ କେବେ ବି ମୁଁ ଅବହେଳା କରିନାହିଁ l ସେଇ ମା ଭଗବତୀ ହିଁ ସାକ୍ଷୀ ଅଛି ମୋର l ଖରାବେଳେ ଏକୁଟିଆ ବସି ଯାହା କିଛି ଦୁଇ ଚାରିଧାଡି ଗାରେଇ ଦିଏ ସେତିକି l ତୁମ ସହ ପ୍ରତିଦ୍ବନ୍ଦିତା କରିବା ପାଇଁ ମୋର ଉଦ୍ଦେଶ୍ୟ ନଥିଲା l


ମୋ ଖୁସି ଲାଗି ମୁଁ ଲେଖୁଥିଲି l ତୁମ ର ଯଶ ପ୍ରଶସ୍ତି ଦେଖିଲେ ମୋ ମନ କୁଣ୍ଢେ ମୋଟ ହୋଇଯାଏ ହେଲେ ମୋର ଛୋଟିଆ ଗୋଟିଏ ଉପଲବ୍ଧି ତୁମ ପାଇଁ ରାଗ ର କାରଣ ହେଲା l ମୋ ପ୍ରଶଂସା ଦେଖି ତୁମର ପୌରୁଷତ୍ୱ ଓ ତୁମର ଅହଂ କୁ ବାଧିଲା l ଲେଖିକା ହେବା ପାଇଁ ମୋର କୌଣସି ସ୍ପୃହା ନଥିଲା l ପାଠକ ପାଠିକା ଙ୍କ ସ୍ନେହ ଶ୍ରଦ୍ଧା ଭିତରେ ମୁଁ ବଞ୍ଚି ରହିବାକୁ ଚାହିଁଥିଲି କାହିଁକି ନା ସାହିତ୍ୟ ଦୁନିଆରେ ହିଁ ମୋର ଏକାକୀତ୍ୱ କିଛି ସମୟ ପାଇଁ ଦୂର ହୋଇ ଯାଉଥିଲା l ମୋତେ ଲାଗୁଥିଲା ମୁଁ ଏକୁଟିଆ ନାହିଁ ମୋ ଚାରିପାଖେ ସମସ୍ତେ ଅଛନ୍ତି l


ଏତେ ଦିନର ରହଣି ଭିତରେ ନା ତୁମକୁ ମୁଁ ସମୟ ମାଗି ପାରିଲି ନା ସନ୍ତାନ ! କଥା ଟିକିଏ ଶୁଣିବା ପାଇଁ ବି ତୁମ ପାଖରେ ଅନିଚ୍ଛା ଭାବ ଥିଲା ତାହା ମୁଁ ଜାଣି ପାରୁଥିଲି l ତୁମକୁ ଛାଡି ଚାଲିଯିବି ବୋଲି ଅନେକ ଥର ଭାବିଛି l ହେଲେ ପୁଣି ଭାବେ ଛାଡି ଚାଲି ଯିବା ପାଇଁ କଣ ମୁଁ ଆସିଥିଲି କି ? ବେଦି ଉପରେ ଦଶ ଦିଗପାଳ ଙ୍କୁ ସାକ୍ଷୀ ରଖି ଆମେ ସଂସାର ଆରମ୍ଭ କରିଥିଲେ l ମୁଁ ଛାଡ଼ିଗଲେ ତୁମେ ମୋ ବିନା ଚଳିବ କିପରି ? ତୁମେ ତ ସେଇ ଛୋଟିଆ ଛୁଆ ହୋଇ ରହିଛ ଆଜି ଯାଏଁ l ସବୁ କଥାରେ ମୋ ସହିତ ବାଦ l


ହଉ ଶୁଣ ! ଆର ସପ୍ତାହ ରେ ଲେଖକ ସମାବେଶ ଅଛି କହୁଥିଲ ନା l ତୁମର ଗୋଟିଏ ବି ଭଲ ଡ୍ରେସ ନାହିଁ l ମନେ ଅଛି ଦୁଇ ବର୍ଷ ହେଲା ତୁମେ ଡ୍ରେସ ହଳେ ବି କିଣି ପାରିନାହଁ ? ସବୁବେଳେ ଲେଖା ଆଉ ଲେଖା l ତୁମ ପାଇଁ ଗୋଟିଏ ନୂଆ ସାର୍ଟ କିଣିବା ପାଇଁ ଯାଉଛି l ତୁମେ ତ କୁହ ମୋ ପସନ୍ଦ ପରି ପସନ୍ଦ ଆଉ କାହାର ହେବ ନାହିଁ l ତୁମେ ବି ତ ମୋର ହିଁ ପସନ୍ଦ ନା !! ଫ୍ରିଜ ରେ ଖାଇବା ଅଛି ଗରମ କରି ଖାଇନେବ l ମୁଁ ଫେରିବାକୁ ଘଣ୍ଟାଏ ଦୁଇ ଘଣ୍ଟା ଲାଗି ଯାଇପାରେ l


                      ରଖୁଛି ଏଥର

                         ---ଅଲିଭା


ଏଥର ମନଭରି କାନ୍ଦି ଥିଲା ଅମ୍ଲାନ l ଅଲିଭା କୁ ଅପେକ୍ଷା କରି ନଖାଇ ନପିଇ ଶୋଇବାକୁ ଚାଲି ଯାଇଥିଲା ସେ l ସତେ ଯେମିତି ଶହେ ବର୍ଷ ହେଲା ଶାନ୍ତି ରେ ଶୋଇନାହିଁ l


Rate this content
Log in

Similar oriya story from Inspirational