Lopamudra Parida

Action Inspirational

3  

Lopamudra Parida

Action Inspirational

ସମ୍ମାନ

ସମ୍ମାନ

4 mins
135


ଶିଳାଲିପି ତାର କାର୍ ରୁ ଆଜି ଓହ୍ଲାଉଥିଲା ଏକ ଉତ୍ସବକୁ ତନୁରେ ମାଖି । 


ସଜ ହବା ଉପରେ ସୌନ୍ଦର୍ଯ୍ୟ ନିର୍ଭର କରେନି, କରେ ନିଜର ମନର ସୌନ୍ଦର୍ଯ୍ୟ ଉପରେ ।


ସିଏ ଆଜି ଖୁବ୍ ଖୁସି ଥିଲା ।ପିଲାଦିନୁ ଛବି ଅଙ୍କା ତାର ଜୀବନ ।ସେ ଆଙ୍କେ ।କିଛି କାରଣ କେବେ ଖୋଜେନି କାହିଁକି, କେବେଠୁ, ପ୍ରେରଣା କିଏ ଆଦି ଆଦିରେ ଆଙ୍କୁଡିଲଖା ହେଇ ।ସିଏ ଖାଲି ଆଙ୍କେ ନିଜକୁ ରଙ୍ଗ ମାନଙ୍କ ହାତରେ ସମର୍ପି ଦେଇ ।ତାକୁ ଲାଗେ ସେଇ ତାର ନିଶ୍ବାସ ।ସେଇ ଚିତ୍ର ମାନେ ହି ତାକୁ ହସିବା, ନିଜକୁ କହିବା ଶିଖାନ୍ତି । ସେଇ ଛବି ମାନେ ଆଜି ତାକୁ ଦେଇଛନ୍ତି .... ଛୋଟ ହେଲେ ବି ଗୋଟେ ସ୍ବତନ୍ତ୍ର ପରିଚୟ । ସିଏ ନିଜକୁ ଚିତ୍ରକାରା ନ ଭାବିଲେ ବି ଫୁଲର ମହକ ଦେବତା ଯାଏ ପହଞ୍ଚିଲା ପରି ତାର ଛବିର ଚର୍ଚ୍ଚା ମହକିତ । ଏ ନେଇ ସିଏ ଖୁସି ।ନା ...ସିଏ କେବେ ସ୍ବପ୍ନ ସାଇତିନି ଯେ ତାକୁ ମିଳିବ ହାତୀଶୁଣ୍ଡର ସୁନାକଳସୀ ପାଣିର ଭାଗ୍ଯ ।ସିଏ ସେ ସବୁ ନେଇ ଭାବେ ହି ନା ।ସିଏ ଆଙ୍କୁଥାଏ ।ଆଙ୍କି ଚାଲୁଥାଏ ।ରଙ୍ଗୀନ କାନଭାସ ମାନେ ତାକୁ ବାଟ କଢାନ୍ତି ।


ଆଜି ସେଇ ଅଙ୍କା ସବୁ ଜୀବନ ପାଇ ତାକୁ ନେଇ ଆସିଛନ୍ତି ଜୟଦେବ ଭବନ ।ଭୁବନେଶ୍ବରର ଏକ ବିରାଟ ମଞ୍ଚ ଯୋଉଠି ଗଢି ହେଇଛନ୍ତି ଅନେକ କୃତିତ୍ବ ।ସିଏ ଆଜି ନିମନ୍ତ୍ରିତ ଅତିଥି ।ତାର ନାଁ ରହିଛି ନବକଳାଚାତୁର୍ଯ୍ଯର କଳାଶ୍ରୀ ପୁରସ୍କାରର ପ୍ରଥମରେ ।କିଏ ଖୁସି ନ ହବ ଯେ ଅଜାଚିତ ଈଶ୍ବରଙ୍କ କୃପା ରେଣୁରେ ।

ତାରି ପରି ଆଉ ଚାରିଜଣ ମଧ୍ୟ କଳାଶ୍ରୀରେ ସମ୍ମାନର ପ୍ରାପ୍ତିଧାଡିରେ ।


ସିଏ ପ୍ରେକ୍ଷାଳୟର ପ୍ରଥମ ଧାଡିରେ ତାର ଅନ୍ଯ ସହ ସମ୍ମାନିତ ଅତିଥିଙ୍କ ଗ୍ରହଣରେ ବସିଥାଏ । ମଞ୍ଚ ଉପରେ ଚାଲିଥାଏ ଗୋଟିଏ ପରେ ଗୋଟିଏ ବିମୁଗ୍ଧ କଲାପରି ମନଲାଖି ସାଂସ୍କୃତିକ କାର୍ଯ୍ୟକ୍ରମ ।ଲାଗୁଥାଏ ପରିବେଶରୁ ଯେମିତି ଏ ପୃଥିବୀରେ ଦୁଃଖ ବୋଲି କେବେ କିଛି ନଥାଏ ।ଏଇ ତ ଅମର ମଣ୍ଡଳର ଆଡମ୍ବର ।ସମସ୍ତେ ସୁନ୍ଦର, ସମସ୍ତେ ଭବ୍ଯ ।


ତାର ନାଁ ସହ ଆଉ ସମସ୍ତ କଳାକାର ମାନଙ୍କୁ ଡାକୁଥାନ୍ତି ଉପସ୍ଥାପନା ଓ ପରିଚାଳନାରେ ଥିବା ସଖୀ କଣ୍ଢେଇ ପରି ହଳଟି ।ନିଜ ନାଁ ମାଇକରେ ଏତେ ଜୋର ଶୁଣି ତାକୁ ଆଶ୍ଚର୍ଯ୍ୟ ଲାଗୁଥିଲା । ସେଇ ଛବି ଅଙ୍କାକୁ ସିଏ ଶ୍ରେୟ ଦେଲା ।ମାଆ ବାଗଦେବୀଙ୍କୁ ହାତ ଯୋଡି ମଞ୍ଚକୁ ଉଠିଲା ଶିଳାଲିପି ।


ତାକୁ ବହୁତ ଖୁସି ଲାଗୁଥାଏ । ତଳେ ତାର କୁନି ପରିବାରଟି ଆନନ୍ଦିତ ଦିଶୁଥାନ୍ତି । କରତାଳିରେ ମଞ୍ଚ ଥରୁଥାଏ ।ତାକୁ ନେଇ ତାର ସ୍ବାମୀ ଅରୁଣାଭଙ୍କ ଆଖିର ଉଜ୍ବଳତା ତାକୁ ଆହୁରି ସୁନ୍ଦର କରି ତୋଳୁଥାଏ ।


ତାର ମନକୁ ଆସୁଥାଏ କିଛି କଥା , ଏ ଛବି ଅଙ୍କାର ସମ୍ମାନ ଖାଲି ତ ତାର ନୁହେଁ ।ଏହାର ପ୍ରକୃତ ଅଧିକାରୀ ତ ତାର ପରିବାର ,ତାର ପିଲେ ,ତାର ସ୍ବାମୀ ଯୋଉମାନେ ତାଙ୍କ ପାଇଁ ଥିବା ସମୟକୁ ଛବି ପାଇଁ ଶିଳାଲିପିର ଇଛ୍ଛା ପାଇଁ ଆଦରିନେଇଥିଲେ ଖୁସି ଖୁସି । ଏଇ ମିଠା ଭାବନାରେ ହଜିଥିବା ବେଳେ ତା କାନ୍ଧରେ ଫୋପାଡିଦେଲା ପରି ପଡିଲା ଚଦରଟିଏ ।ସେ ଚମକି ପଡି ଦେଖେ ଦେଇଥିବା ମହାମହିମ ଜଣକ ଲେଉଟି ଗଲେଣି କ୍ଯାମେରା ଓ ଗୋଲାକାର ଘୁରୁରିବା ଆଲୋକ ସାମ୍ନାକୁ ବେଖାତିରି ଭାବେ କାମଚଳା ସାରିଦେଇ। ସମସ୍ତ ଚିତ୍ରକାରଙ୍କ କାନ୍ଧରେ ଗାମୁଛାରୁ ଖଣ୍ଡେ ଖଣ୍ଡେ ଆଉ ମୁହଁରେ ଦୀପ୍ତିମାନ ହେବା ସହ କୃତଜ୍ଞତାର ହସ ।ମଞ୍ଚ ତଳେ ତାଳି ଯେ ତାଳି । ପରେ ପରେ ତୁରନ୍ତ ଆଉ ଜଣେ ମୁଖ୍ୟ ଅତିଥି ଆଗେଇ ଆସି ବଢେଇ ଦେଉଥାନ୍ତି ତାମ୍ର ଫଳକେ ଖୋଦିତ ନାମାକ୍ଷର ଥିବା ପୁରସ୍କାର ଯୋଉଥିରେ ଜଗନ୍ନାଥେ ଚାହିଁଥାନ୍ତି ଅପଲକେ ବି ଅଙ୍କା । ଶିଳାଲିପି ସେଇ ଗାମୁଛା ଠି ଅଟକି ଯାଇଥାଏ ।ତାକୁ ଲାଗୁଥାଏ ହୋଇପାରେ ସେଇ ମଣିଷ ଜଣକ ହଜାରେ ଯାଗାରେ ଏମିତି ମଞ୍ଚାସିନ ହୋଇ ସହସ୍ର ଥର ଉତ୍ତରିୟ ଦେଇ ଦେଇ ତାଙ୍କ ହାତ ଥକି ଯାଇଛି, କିନ୍ତୁ ତାର ତ ଏହା ପ୍ରଥମ ହି ଥିଲା ।

ତାର ଖୁସି ସବୁ ହଠାତ୍ ପାଣିଚିଆ ଲାଗୁଥାଏ ତାକୁ।ସିଏ ସେଠି ଠିଆ ହେଇଥାଏ ସତ ହେଲେ ତାର ମନ କହୁଥାଏ ତଳେ ଠିଆହେଇଥିବା ତାର ପରିବାର ପାଖକୁ ସିଏ ଦଉଡିକି ଫେରିଯାନ୍ତା ,ଆଉ କୁହନ୍ତା ," ଦରକାର ନାହିଁ ମୋର ଏ ଗାମୁଛା ।ଦେଖିଲ ନା ସିଏ କେମିତି ମୋ ଉପରକୁ ଫୋପାଡିଦେଇ ଚାଲିଗଲେ ।ସମ୍ମାନଟି ମନରେ ଥାଏ ,କୌଣସି ଧାତୁର ପୁରସ୍କାର ବା ରେଶମୀସୂତାର ଗାମୁଛାରେ ନୁହେଁ ।" 


ନାରୀଟିଏ ସବୁ କ୍ଷମା କରିପାରେ ହେଲେ ଅସସମ୍ମାନ କରିଥିବା ଅଚିହ୍ନା ଲୋକଟିଏକୁ ନୁହେଁ ।


ହେଲେ ସିଏ ପାରେନି ।ତଳକୁ ଓହ୍ଲାଇ ଆସେ ଥିରେ କି ଅନ୍ଯ ସମସ୍ତଙ୍କ ସହ ମଞ୍ଚ ସମ୍ମାନିତା ହୋଇ । ଚୁପଚାପ୍ ।ତାକୁ ଏ ସବୁ ଫମ୍ପା ପ୍ରହସନ ପରି ଲାଗୁଥାଏ ଏବେ । ତା ଭିତରର କୋଳାହଳ ତାକୁ ଅସ୍ଥିର କରୁଥାଏ ।ଇଏ କି ବ୍ଯବହାର, ଏତେ ଅହଂ କଣ ପାଇଁ ।ବିଦ୍ରୋହରେ ଫୁଟୁଥାଏ ରକ୍ତ ।ଏଇ ସବୁ ମନରେ ଧରି ସିଏ ପାଖାପାଖି କାନ୍ଦ କାନ୍ଦ ।ଖାଲି ଅରୁଣାଭ ପଚାରି ଦିଅନ୍ତେ ଥରେ ," କଣ ହେଇଛି " ଆଉ ସିଏ ଝରଣା ପାଲଟି ଯାନ୍ତା ଲୁହ ବନ୍ଯାରେ ।


କିନ୍ତୁ ଅରୁଣାଭ ପିଲାଙ୍କୁ ନେଇ ପାଖକୁ ଆସିଲେ ଆଉ କହିଲେ ," ଯିବା ଘରକୁ? " 


ଗାଡି ସାରା ଚଢେଇ ଭଳିଆ କିଚିରିମିଚିରି କରୁଥିବା ଶିଳାଲିପି ବସିଥିଲା ପିତଳ ମୂର୍ତ୍ତିଟେ ପରି ।କାକୁସ୍ଥ ଆଉ ଥକା ।ଏକଦମ ଚୁପ୍ ।ପିଲେ ପଚାରୁଥିଲେ ," ମାମା, ମାମା " ସିଏ କିଛି ଜବାବ ଦେଉନଥିଲା ।କୋଉପଟେ ଯାଉଛି ଗାଡି ତାର ନଜର ନଥିଲା ।


ଗାଡି ଅଟକେଇଲେ ଅରୁଣାଭ ।କହିଲେ ," ଆସୁଛି ଟିକେ ।ବସିଥାଅ ହମ୍ " ।


ଏବେ ଗାମୁଛା ଫିଙ୍ଗାର ରାଗ ସହ ଅରୁଣାଭ ଏ ଯାଏ ତାକୁ ନ ପଚାରିବାର ଅଭିମାନ ମିଶି ଶିଳାଲିପି ପୁରା ଟିପ ମାରିଲେ ବହିଯିବା ଅବସ୍ଥାରେ ।


କାର୍ କାଚରେ ଦିଶିଲା ।ଅରୁଣାଭ ଫେରୁଛନ୍ତି ହାତରେ କିଛି ଧରି । ଗାଡି ଝରକା କାଚ ବାଟେ ପିଲାଙ୍କୁ ବଢେଇଦେଇ ଶିଳାଲିପି ଓଠରେ ଛୁଏଁଇଦେଲେ ଥଣ୍ଡା ଥଣ୍ଡା ଆଇସକ୍ରୀମ ଆଉ କହିଲେ ," ହେଲା ସେତିକି ରାଗ ହେଉ ନାକକାନ୍ଦୁରୀ ।ସେ ଲୋକ ଜଣଙ୍କର ନାଁ ବି ତୁମେ ଜାଣ କି ଆଗେ ? ନା ହି ପରିଚୟ ମନେ ରଖିଛ ତାଙ୍କର ? ସିଏ ଯାଇ ତାଙ୍କ ଘରେ ଆରାମରେ ଖାଇପିଇ ଶୋଇବେଣି ।ଆମେ କାଇଁ ଆମ ସଂଧ୍ୟା ଖରାପ କରିବା କିଓ ।ସିଏ ପୁଣି କୋଉ ଅଚିହ୍ନା ମଣିଷ ପାଇଁ ଯିଏ ସମ୍ମାନ ଦେଇ ଜାଣନ୍ତିନି ।ମଣିଷକୁ ମଣିଷ ପରି ଦେଖିବା ହି ସବୁଠୁ ବଡ ଉପଲବ୍ଧି ।ନା କଣ ?ଆମର ଏଇ କୁନି କୁନି ଖୁସିରେ ଜୀବନର ମୂହୁର୍ତ୍ତ ସବୁକୁ ସତ କରି ହସେଇପାରିବାଠୁ ଆଉ କଣ କିଛି ଥାଏ ଶିଳା ! 

ଭୁଲିଯାଅ ହେ !କ୍ଷମା ଦିଅ ଲୋକଟିକୁ ।

ଦେଖି ଆଁ କଲ ।ବହିଗଲା ସବୁ କ୍ରିମ ତମ ଶାଢୀରେ ଦେଖ ଏପଟେ ।" 


ସତେ ତ ! 


ଝରୁଥିବା ଲୁହ ମାନେ ଆଇସକ୍ରୀମର ମିଠାପଣ ସହ ମିଶି ମିଠା ହେଇ ସାରିଥିଲେ ।ହସୁଥିଲା ଶିଳାଲିପି ହୃଦୟରୁ ହାଲୁକା ହୋଇ ।


ମନେ ପଡୁଥିଲା ଭଗବାନ କହିଥିଲେ ଗୀତାରେ 

ମାନ,ଅପମାନ ସବୁ ମନର ଭ୍ରମ ।ଯେମିତି ଆଦରିବ ସେମିତି ଭୋଗ ।


ସେଥିପାଇଁ ତ ପରମବ୍ରହ୍ମ ଏସବୁରୁ ଅନେକ ଉର୍ଦ୍ଧ୍ଵରେ ।।


Rate this content
Log in

Similar oriya story from Action