Sambit Srikumar

Tragedy Classics Inspirational

4.4  

Sambit Srikumar

Tragedy Classics Inspirational

ସମାଜସେବୀ

ସମାଜସେବୀ

2 mins
279


ଡ଼ଃ ନୟନତାରା ଦେବୀ! ଦେଶର ବିଶିଷ୍ଟ ଯୁବ ସମାଜସେବୀ। କେବଳ ସମାଜସେବୀ କହିଲେ ପରିଚୟଟା ଅଧୁରା ରହିଯିବ। ସିଏ ତ ଏକାଧାରରେ ସୂଚନା ଅଧିକାର କର୍ମୀ, ନାରୀନେତ୍ରୀ, କବୟିତ୍ରୀ, ବାଗ୍ମୀ ଏବଂ ଚିତ୍ର ଶିଳ୍ପୀ। ଏତେ ଗୁଡ଼ିଏ ପ୍ରତିଭାକୁ ନିଜର ଆକର୍ଷଣୀୟ ବ୍ଯକ୍ତିତ୍ବ ମଧ୍ୟରେ ସମାହିତ କରି ପାରିଛନ୍ତି କଠୋର ଅଧ୍ୟବସାୟ, କର୍ମନିଷ୍ଠା ଏବଂ ଏକାଗ୍ରତା ବଳରେ। 


ଶିଶୁ ସୁରକ୍ଷା ଏବଂ ନାରୀ ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଦୀର୍ଘଦିନର ଅଭିଜ୍ଞତା ରହିଛି। ଗାଁରୁ ସହର ଯେଉଁଠି ବି ଶିଶୁ ଓ ନାରୀ ଅଧିକାରର ହନନ ହୁଏ ସେଠି ପ୍ରଥମେ ପହଞ୍ଚି ସେ ନିଜର ଶାଣିତ ସ୍ବର ଉତ୍ତୋଳନ କରନ୍ତି। ନିର୍ଯ୍ୟାତିତାଙ୍କୁ ତ୍ବରିତ ନ୍ୟାୟ ପ୍ରଦାନ କରିବା ପାଇଁ ଦାବୀ ଉପସ୍ଥାପନ କରନ୍ତି। ମହିଳାଙ୍କୁ ସଂଗଠିତ କରି ଆନ୍ଦୋଳନ ପାଇଁ ରାଜରାସ୍ତାକୁ ଓହ୍ଲାଇ ଆସନ୍ତି। ଜନଜୀବନ ଅସ୍ତବ୍ୟସ୍ତ କରିଦେଇ ପ୍ରଶାସନ ଉପରେ ଚାପ ପ୍ରୟୋଗ କରନ୍ତି ଅପରାଧୀକୁ କଠୋରରୁ କଠୋରତମ ଦଣ୍ଡ ବିଧାନ କରିବା ପାଇଁ। 


ସମସ୍ତ ପ୍ରାଦେଶିକ ଏବଂ ରାଷ୍ଟ୍ରୀୟ ରାଜନୈତିକ ଦଳର ପ୍ରମୁଖ ନେତାଙ୍କ ସହିତ ତାଙ୍କର ଅତ୍ୟନ୍ତ ମଧୁର ସମ୍ପର୍କ ସଦାସର୍ବଦା ରହିଥାଏ। ଦିନ ତମାମ କେଉଁଠି ନା କେଉଁଠି ସଭାସମିତିରେ ସେ ଭାଷଣ ପ୍ରଦାନ କରୁଥାନ୍ତି। ଟିଭି ଚ୍ୟାନେଲ ବିତର୍କରେ ଅନେକ ସମୟରେ ନିୟମିତ ଭାବେ ତାଙ୍କୁ ଦେଖିବାକୁ ମିଳିଥାଏ। ତାଙ୍କର ଅକାଟ୍ଯ ଯୁକ୍ତି ଏବଂ ତର୍କ ସଂଗତ ଉପସ୍ଥାପନା ଆଗରେ ପ୍ରତିପକ୍ଷ ମଥାନତ କରନ୍ତି। 


ସାମାଜିକ ଗଣମାଧ୍ୟମରେ ସେ ବିଶେଷ ଭାବରେ ସକ୍ରିୟ। ନିଜର ଓ ନିଜ ଦ୍ୱାରା ସଞ୍ଚାଳିତ ସ୍ବେଚ୍ଛାସେବୀ ଅନୁଷ୍ଠାନର ଟିକିନିଖି କାର୍ଯ୍ୟ ଯଥା ରୋଗୀଙ୍କୁ ଫଳ ବଣ୍ଟନ, ଦୁସ୍ଥ ଲୋକଙ୍କୁ କମ୍ବଳ ଓ ଚଦର ବଣ୍ଟନକୁ ଜନସାଧାରଣଙ୍କ ଗୋଚରାର୍ଥେ ପ୍ରଚାର ଓ ପ୍ରସାର ଦିଗରେ ସେ ଖୁବ୍ ଯତ୍ନବାନ। ଅନେକ ଏହାକୁ ନାପସନ୍ଦ କରୁଥିଲେ ମଧ୍ୟ ସେଥିପ୍ରତି ତାଙ୍କର କେବେ ବି ଭୃକ୍ଷେପ ନଥାଏ। ମୁହଁତୋଡ ଜବାବ ଦିଅନ୍ତି ନିନ୍ଦୁକମାନଙ୍କୁ। 


ହେଲେ ଆଜିକାଲି କେଜାଣି କାହିଁକି ନୀରବି ଯାଇଛି ଡ଼ଃ ନୟନତାରାଙ୍କ ଶାଣିତ ସ୍ବର। ଟିଭି ଚ୍ୟାନେଲ ପରଦାରେ ଆଉ ଦେଖିବାକୁ ମିଳୁନାହିଁ ତାଙ୍କୁ। କଥା କଣ କି ତାଙ୍କର ଅଧ୍ୟାପକ ସ୍ବାମୀ, ବାସଭବନରେ କାମ କରୁଥିବା ନାବାଳିକାକୁ ଯୌନ ନିର୍ଯାତନା ଦେଇ ଗର୍ଭବତୀ କରାଇଥିବାର ଅଭିଯୋଗରେ ଗିରଫ ହୋଇ ପୋଲିସ ହେପାଜତରେ ଅଛନ୍ତି। ଏଥି ନିମନ୍ତେ ତାଙ୍କର ପ୍ରତ୍ୟକ୍ଷ ପ୍ରୋତ୍ସାହନ ଥିବା କଥା ବାଟଘାଟରେ ଚର୍ଚ୍ଚାର ବିଷୟ ପାଲଟିଛି। 


Rate this content
Log in

Similar oriya story from Tragedy