STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରୀରାଧାରାଣୀଙ୍କ ଅଷ୍ଟସଖୀ

ଶ୍ରୀରାଧାରାଣୀଙ୍କ ଅଷ୍ଟସଖୀ

4 mins
15



ବୈଷ୍ଣବ ଶାସ୍ତ୍ରମାନଙ୍କ ଅଧ୍ୟୟନରୁ ଜ୍ଞାତ ହୋଇ ଥାଏ ଯେ ଯେତେବେଳେ ଗୋଲକ ବିହାରୀ ଭଗବାନ ବିଷ୍ଣୁ କୃଷ୍ଣ ଅବତାର ଗ୍ରହଣ କଲେ ସେତେବେଳେ ତାଙ୍କ ସହ ଗୋଲକରୁ ସମସ୍ତ ଗୋପୀ ମାନେ ମଧ୍ୟ ତାଙ୍କର ଲୀଳା ସଙ୍ଗିନୀ ଭାବରେ ଧରାବତରଣ କରିଥିଲେ l ଗୋପ ପୁରୀରେ ଏହିମାନେ ହିଁ ହେଲେ ରାସରସିକ ଶ୍ରୀକୃଷ୍ଣଙ୍କ ରାସ ସଙ୍ଗିନୀ ରାସ ରସିକା ବ୍ରଜ ଗୋପୀ l ଏଣୁ ଶ୍ରୀମଦ୍ ଭାଗବତ କହିଲେ:-

     ଷୋଳ ସହସ୍ର ଗୋପ ନାରୀ l

     ମୋତେ ବରିଲେ ତପ କରି ll

ଶ୍ରୀକୃଷ୍ଣଙ୍କ ଲୀଳା ସଙ୍ଗିନୀ ଗୋପୀମାନଙ୍କ ମଧ୍ୟରେ ମୁଖ୍ୟ ଥିଲେ ଗୋଟିଏ ପାଖରେ ଶ୍ରୀରାଧା ଓ ଅନ୍ୟ ପଟେ ଚନ୍ଦ୍ରାବଳୀ l ଦୁହେଁ କୃଷ୍ଣଙ୍କୁ ମନ ପ୍ରାଣ ଦେଇ ଭଲ ପାଉଥିଲେ ମଧ୍ୟ ରସରାଜ ଶ୍ରୀକୃଷ୍ଣ ସେମାନଙ୍କୁ ପରସ୍ପର ବିରୋଧରେ ଲଗାଇ ଆନନ୍ଦ ପାଉଥିଲେ l ଅନ୍ୟ ସମସ୍ତ ଗୋପୀ ଥିଲେ ଶ୍ରୀରାଧାଙ୍କ ପ୍ରିୟ ସହଚରୀ ଓ ରାଧା କୃଷ୍ଣଙ୍କ ସହାୟିକା ସଖୀ l

ରାଧାରାଣୀଙ୍କ ସଖୀଗଣଙ୍କୁ ପାଞ୍ଚ ଶ୍ରେଣୀରେ ବିଭକ୍ତ କରାଯାଏ ଯଥା ନିତ୍ୟସଖି,ପ୍ରାଣସଖୀ, ପ୍ରିୟସଖୀ,ପରମ ଓ ପ୍ରେଷ୍ଠାସଖୀ l କୁସୁମିତା, ଧନିଷ୍ଠା, ବିନ୍ଧ୍ୟା କୁନ୍ଦଲତା, କସ୍ତୁରୀ, ମଣି ମଞ୍ଜରୀ ଆଦି ସଖୀ ଶ୍ରେଣୀ ହେଉଛନ୍ତି ଶ୍ରୀରାଧାଙ୍କ ନିତ୍ୟସଖୀ l ଷଷ୍ଠୀ ମଞ୍ଜରୀ, ବସନ୍ତ ଲତିକା, ଲାସିକା ଆଦି ସଖୀମାନେ ରାଧାଙ୍କ ପ୍ରାଣସଖୀ l ସୁମେଧା ମହାମେଧା ମଦନାଳଶା ଆଦି ସଖୀ ମାନେ ପ୍ରିୟସଖି ଶ୍ରେଣୀର l

ଏହିପରି ରାଧା ରାଣୀଙ୍କ ଅସଂଖ୍ୟ ସଖୀଙ୍କ ମଧ୍ୟରେ ଆଠଜଣ ଥିଲେ ମୁଖ୍ୟ ସଖୀ ଯେଉଁ ମାନଙ୍କୁ ପରମ ପ୍ରେଷ୍ଠା ସଖୀ ଶ୍ରେଣୀରେ ଅନ୍ତର୍ଭୂକ୍ତ କରାଯାଏ l ଏହି ପ୍ରିୟ ସଖୀମାନେ ହେଲେ ଲଳିତା, ବିଶାଖା, ଚିତ୍ରା, ଇନ୍ଦୁରେଖା, ଚମ୍ପକଲତା, ରଙ୍ଗଦେବୀ, ତୁଙ୍ଗବିଦ୍ୟା ଓ ସୁଦେବୀ l ଏହି ସଖୀମାନେ ଶ୍ରୀରାଧାଙ୍କ ଅଷ୍ଟ ସଖୀ ନାମରେ ପ୍ରସିଦ୍ଧା l ସେହି ଅଷ୍ଟ ସଖୀଙ୍କ ବିଷୟରେ କିଛି କଥା l

୧. ଲଳିତା: ଲଳିତାସଖୀ ଅନୁରାଧା ନାମରେ ମଧ୍ୟ ପରିଚିତ ହୁଅନ୍ତି l ଲଳିତାଙ୍କ ଶରୀରର ରଙ୍ଗ ଉଜ୍ଜ୍ୱଳ ଗୋରଚନା ସଦୃଶ ପୀତ ବର୍ଣ୍ଣ l ତାଙ୍କ ବସ୍ତ୍ରର ରଙ୍ଗ ମୟୂର ରଙ୍ଗର ଅତି ରମଣୀୟ l ତାଙ୍କ ପିତାଙ୍କ ନାମ ବିଶୋକ ଓ ମାଆଙ୍କ ନାମ ଶାରଦୀ l ରାଧାଙ୍କଠାରୁ ସେ ବୟସରେ ସପ୍ତବିଂଶ ଦିନ ବଡ଼ l ତାଙ୍କ ପତିଙ୍କ ନାମ ଭୈରବ l ଶ୍ରୀରାଧା କୃଷ୍ଣଙ୍କ ପାଇଁ ସେ ତାମ୍ବୁଳ ଓ କର୍ପୁର ସେବା ଯୋଗାଇ ଥାଆନ୍ତି l ବୃନ୍ଦାବନରେ ତାଙ୍କ କୁଞ୍ଜ ଲଳିତା ଆନନ୍ଦ କୁଞ୍ଜ ଭାବେ ପରିଚିତ l ଲଳିତାଙ୍କ ସହଯୋଗୀନି ଭାବେ ଅଛନ୍ତି, ରତ୍ନପ୍ରଭା, ରତିକେଳି, ସୁଭଦ୍ରା,ଭଦ୍ରରେଖିକା, ସୁମୁଖି, ଧନିଷ୍ଠା କଳହଂସୀ ଓ କଳାପିନି ପ୍ରଭୃତି ସଖିମାନେ l ତାଙ୍କ ଜନ୍ମ ଦିବସ ଲଳିତା ସପ୍ତମୀ ଭାବେ ପାଳିତ ହୋଇ ଥାଏ, ଯାହା, ରାଧାଷ୍ଟମୀର ଦିନକ ଆଗରୁ ପଡ଼ିଥାଏ l

୨.ବିଶାଖା : ସଖୀ ବିଶାଖାଙ୍କ ଦେହର ବର୍ଣ୍ଣ ପୀତ ଲୋହିତ ମିଶା ନବନୀତ ରଙ୍ଗ l ତାଙ୍କ ବସ୍ତ୍ର ତାରକା ଖଚିତ ଶାଢୀ ଓ ଘାଗରା l ସେ ରାଧାରାଣୀଙ୍କ ଶାଶୁ ଜଟିଳାଙ୍କ ଝିଆରି l ବିଶାଖାଙ୍କ ପିତାଙ୍କ ନାମ ପବନ ଓ ମାଆଙ୍କ ନାମ ସୁଦକ୍ଷିଣା l ବହିକଗୋପ ତାଙ୍କ ସ୍ବାମୀ l ସେ ରାଧାଙ୍କ ଜନ୍ମ ସମୟରେ ଜନ୍ମ ହୋଇ ଥିବାରୁ ଦୁହେଁ ଏକା ବୟସର l ଗହଣା ଓ ବସ୍ତ୍ରରେ ଶୃଙ୍ଗାର କରିବା ତାଙ୍କର ରାଧା କୃଷ୍ଣଙ୍କ ପାଇଁ ସେବା l ତାଙ୍କ କୁଞ୍ଜ ବୃନ୍ଦାବନରେ ବିଶାଖାନନ୍ଦକୁଞ୍ଜ ଭାବେ ଜଣା l ବିଶାଖା ସଖୀଙ୍କ ସହଚରୀ ମାନେ ହେଲେ ମାଧବୀ, ମାଳତୀ, ଚନ୍ଦ୍ରଲେଖା, ଶୁଭାନନା, ଚପଳା, କୁଞ୍ଜରୀ, ହରିଣୀ, ସୁରଭି ଆଦି ସଖୀ ସମୁଦାୟ l 

୩.ଚିତ୍ରା: ସଖୀ ଚିତ୍ରାଙ୍କ ଶରୀରବର୍ଣ୍ଣ ଗେରୁ l ତାଙ୍କ ପରିଧାନ ସ୍ବଚ୍ଛ ସ୍ଫଟିକ ବର୍ଣ୍ଣର ବସ୍ତ୍ର l ତାଙ୍କ ମାତାଙ୍କ ନାମ ଚର୍ବିକ l ପିତାଙ୍କ ନାମ

ଚତୁର l ସେ ରାଧାଙ୍କ ପିତା ବୃଷଭାନୁଙ୍କ ଭଣଜା l ଚିତ୍ରାଙ୍କ ସ୍ବାମୀଙ୍କ ନାମ ପିଥରା l ଶ୍ରୀରାଧାଙ୍କ ଠାରୁ ଚିତ୍ରା ବୟସରେ ଛବିଶ ଦିନ ସାନ l ରାଧା କୃଷ୍ଣଙ୍କୁ ସେ ଲବଙ୍ଗ ସେବା କରି ଥାନ୍ତି l ବୃନ୍ଦାବନରେ ଚିତ୍ରାଙ୍କ କୁଞ୍ଜ ଚିତ୍ରାନନ୍ଦ କୁଞ୍ଜ ନାମରେ ପରିଚିତ l ଚିତ୍ରାଙ୍କ ପାଖରେ ରସାଳିକା, ତିଳକିନି, ସୌରସେନି, ସୁଗନ୍ଧିକା, କାମ ନାଗରୀ, ନାଗରୀ, ନାଗ ବେଳିକା ଆଦି ସଖୀମାନେ ତାଙ୍କ ସହଚରୀ ଭାବେ ରହିଛନ୍ତି l 

୪. ଇନ୍ଦୁରେଖା : ତାଙ୍କ ଦେହର ରଙ୍ଗ ଡାଳିମ୍ବ ପୁଷ୍ପ ପରି ନୀଳାଭ ପୀତ ଓ ବସ୍ତ୍ରର ରଙ୍ଗ ମଧ୍ୟ ସେପରି l ତାଙ୍କ ପିତାମାତାଙ୍କ ନାମ ସାଗର ଓ ବେଳା l ତାଙ୍କ ସ୍ଵାମୀଙ୍କ ନାମ ଦୁର୍ବାଳ l ସେ ବୟସରେ ଶ୍ରୀରାଧାଙ୍କ ଠାରୁ ତିନିଦିନ ସାନ l ତାଙ୍କ ସେବା, ରାଧା କୃଷ୍ଣଙ୍କୁ ମଧୁ ପାନ କରାଇବା l ବୃନ୍ଦାବନରେ ଇନ୍ଦୁରେଖାଙ୍କ କୁଞ୍ଜ ପୂର୍ଣେନ୍ଦ୍ରକୁଞ୍ଜ ଭାବେ ଖ୍ୟାତ l ତାଙ୍କ ସହଚରୀ ମାନେ ହେଲେ, ତୁଙ୍ଗଭଦ୍ରା, ରସତୁଙ୍ଗା, ଚିତ୍ରଲେଖା, ସୁମଙ୍ଗଳା, ରଙ୍ଗବତୀ, ଵିଚିତ୍ରାଙ୍ଗୀ, ମଦନାଳସା ଓ ମଦାନି l 

୫. ଚମ୍ପକଲତା : ସେ ଚମ୍ପକ ବର୍ଣ୍ଣି l ତେଣୁ ତାଙ୍କ ନାମ ହୋଇଛି ଚମ୍ପକଲତା l ସାରସ ପକ୍ଷୀ ସଦୃଶ ତାଙ୍କ ବସ୍ତ୍ରର ରଙ୍ଗ l ତାଙ୍କ ସ୍ବାମୀଙ୍କ ନାମ ଚଣ୍ଡାକ୍ଷ l ସେ ରାଧାରାଣୀଙ୍କ ଠାରୁ ଦିନେମାତ୍ର ଛୋଟ l ତାଙ୍କ ପିତା ମାତା ହେଲେ ଅରାମ ଓ ବାତିକା l ଅଳଙ୍କାର ଶୃଙ୍ଗାର ତାଙ୍କର ସେବା l ବୃନ୍ଦାବନରେ ଚମ୍ପକଲତା କୁଞ୍ଜ କାମଲତାକୁଞ୍ଜ ଭାବେ ପରିଚିତ l ତାଙ୍କ ପ୍ରିୟ ସଖୀଗଣ ହେଲେ, କୁରଙ୍ଗାକ୍ଷୀ, ମଞ୍ଜଳି, ସୁଚରିତା, ମଣିକୁଣ୍ଡଳା, ଚନ୍ଦ୍ରିକା, ଚନ୍ଦ୍ର ଲତିକା, କନ୍ଦୁକାକ୍ଷୀ ଓ ସୁମନ୍ଦିରା l 

୬. ରଙ୍ଗଦେବୀ : ପଦ୍ମଫୁଲ ପରି ତାଙ୍କର ଦେହର ରଙ୍ଗ l ସେ ପଦ୍ମିନୀ, ପଦ୍ମଗନ୍ଧା l ତାଙ୍କ ବେଷ ଭୂଷା ଜବା କୁସୁମ ପରି l ତାଙ୍କ ମାଆଙ୍କ ନାମ କରୁଣା ଓ ପିତାଙ୍କ ନାମ ରଙ୍ଗାସର l ବୟସରେ ରାଧାରାଣୀଙ୍କ ଠାରୁ ସେ ସପ୍ତଦଶଦିନ କନିଷ୍ଠ l ସେ ରାଧା କୃଷ୍ଣଙ୍କୁ ଚନ୍ଦନ ଶୃଙ୍ଗାର କରି ଥାନ୍ତି l ବକ୍ରକ୍ଷଣ ତାଙ୍କ ପତିଙ୍କ ନାମ l ବୃନ୍ଦାବନରେ ତାଙ୍କ କୁଞ୍ଜ, ରଙ୍ଗଦେବୀ କୁଞ୍ଜ ନାମରେ ଖ୍ୟାତ l ରଙ୍ଗଦେବୀଙ୍କ ସଖୀଗଣ ହେଲେ କଳକଣ୍ଠି, ଶଶିକଳା, କନ୍ଦର୍ପା ସୁନ୍ଦରୀ, କାମଲତିକା, କମଳା, ମଧୁରା, ଇନ୍ଦିରା ଓ ପ୍ରେମମଞ୍ଜରୀ l 

୭. ତୁଙ୍ଗବିଦ୍ୟା: ସେ କୁଙ୍କୁମ ବର୍ଣି l ତାଙ୍କ ଦେହର ରଙ୍ଗ କୁଙ୍କୁମ, କର୍ପୁର ଓ ଚନ୍ଦନ ମିଶ୍ରିତ l ସେ ପୀତ ବସନା l ତାଙ୍କ ମାତାଙ୍କ ନାମ ମେଧା ଏବଂ ପିତାଙ୍କ ନାମ ପୌଷ୍କର l ସେ ଶ୍ରୀରାଧା ରାଣୀଙ୍କ ଠାରୁ ପାଞ୍ଚ ଦିନ କନିଷ୍ଠା l ବୃନ୍ଦାବନରେ ତାଙ୍କ କୁଞ୍ଜ ତୁଙ୍ଗବିଦ୍ୟା କୁଞ୍ଜ ବୋଲି ପ୍ରସିଦ୍ଧ l ତାଙ୍କ ପତିଙ୍କ ନାମ ବାଳୀଶ l ତାଙ୍କ ସଖୀ ମାନେ ହେଲେ, ମଞ୍ଜୁମେଧା, ସୁମଧୁରା, ସୁମେଧା, ମଧୁରେଖା,ତନୁମଧ୍ୟା,ମଧୁଛନ୍ଦା, ଗୁଣଚୂଡ଼ା ଓ ବରାଙ୍ଗଦା l  

୮. ସୁଦେବୀ : ସୁଦେବୀ ରଙ୍ଗ ଦେବୀଙ୍କ ଯାଆଁଳା ଭଉଣୀ l ତାଙ୍କର ବର୍ଣ୍ଣ ଓ ପରିଧାନ ରଙ୍ଗଦେବୀଙ୍କ ପରି l ତାଙ୍କ ପତି, ରଙ୍ଗ ଦେବୀଙ୍କ ପତି ବକ୍ରକ୍ଷଣଙ୍କ କନିଷ୍ଠ ଭାଇ l ତାଙ୍କ କୁଞ୍ଜର ନାମ ସୁଦେବୀ କୁଞ୍ଜ l ତାଙ୍କର ସଖୀମାନେ ହେଲେ, କାବେରୀ, ସୁକେଶୀ, ଚାରୁକେଶୀ, ହାରହୀରା, ମହାହୀରା, ମନୋହରା, ହାରକାନ୍ତି l 

ଏ ସମସ୍ତ ସଖୀ ମାନେ ଥିଲେ ଗୋଲୋକ ବାସିନୀ କୃଷ୍ଣପ୍ରେୟସୀ ଗୋପୀ l ଭଗଵାନଙ୍କ ଧରାବତରଣ ସହ ଏମାନେ ମଧ୍ୟ ଧରାକୁ ଅବତରଣ କରିଥିଲେ l ଏଣୁ ହରି ପ୍ରେମରେ ଉନ୍ମତ୍ତ ବୈଷ୍ଣବ ମାନେ ଗାଇଥାନ୍ତି:-

   ଜୟ ଜୟ ଅଷ୍ଟ ସଖି ଜୟ ରାଧା ହରି l

   ଜୟ ମାଧବ ମୁକୁନ୍ଦ ଗୋବର୍ଦ୍ଧନ ଧାରୀ ll

     


Rate this content
Log in

Similar oriya story from Inspirational