STORYMIRROR

Arjuni charan Behera

Inspirational Others

4  

Arjuni charan Behera

Inspirational Others

ଶ୍ରୀରାଧାଙ୍କ ଗୁଲାବ ସଖୀ

ଶ୍ରୀରାଧାଙ୍କ ଗୁଲାବ ସଖୀ

3 mins
29



ଅନେକ ଦିନ ତଳର କଥା l ବର୍ସାନାରେ ରାଧାରାଣୀଙ୍କ ମନ୍ଦିର ନିକଟ ଏକ ବସ୍ତିରେ ରାଧା ରାଣୀଙ୍କ ଜଣେ ମୁସଲମାନ ଭକ୍ତ ରହୁଥିଲେ l ତାଙ୍କ ନାମ ଗୁଲାବ l ସେ ପ୍ରତ୍ୟହ ଶ୍ରୀରାଧାଙ୍କ ମନ୍ଦିରରେ ଯାଇ ସାରଙ୍ଗୀ ବାଦନ କରୁଥିଲେ l ଗୁଲାବଙ୍କ ଚମତ୍କାର ସାରଙ୍ଗୀ ବାଦନକୁ ଲୋକେ ମନ୍ତ୍ର ମୁଗ୍ଧ ହୋଇ ଶୁଣନ୍ତି l କୁହା ଯାଉଥିଲା ଶ୍ରୀରାଧାରାଣୀ ମଧ୍ୟ ଗୁଲାବଙ୍କ ସାରଙ୍ଗୀ ରାଗିଣୀକୁ କାନଡେରି ଶୁଣୁଥିଲେ l ତାଙ୍କ ସଂଗୀତ ଶୁଣି ଭକ୍ତ ମାନେ ଖୁସିରେ ଯାହା ଦିଅନ୍ତି ସେଥିରେ ଗରିବ ଗୁଲାବଙ୍କ ଗୁଜରାମ ଚଳି ଯାଉଥିଲା l

ଗୁଲାବଙ୍କର ଛୋଟ ଝିଅଟିଏ ଥିଲା l ରାଧାଙ୍କ ଭକ୍ତ ଗୁଲାବ ଶ୍ରଦ୍ଧାରେ ଝିଅର ନାମ ରଖି ଥିଲେ ରାଧା l ଗୁଲାବ ସାରଙ୍ଗୀ ବଜାଇବା ପାଇଁ ଯେତେ ବେଳେ ମନ୍ଦିର ଯାଆନ୍ତି ସାଙ୍ଗରେ ଝିଅକୁ ନେଇଯାନ୍ତି l ସେ ସାରଙ୍ଗୀ ବଜାଇଲା ବେଳେ ଝିଅଟି ଭାବ ବିଭୋର ହୋଇ ସାରଙ୍ଗୀ ସୁରେ ସୁରେ ଶ୍ରୀରାଧାଙ୍କ ଆଗରେ ନୃତ୍ୟ କରେ l ଏହି ପରି ବାପ ଝିଅ ଦୁହେଁ ରାଧାଙ୍କୁ ନିଜ ଭକ୍ତି ଡୋରିରେ ବାନ୍ଧି ରଖିଥାନ୍ତି l

ଦିନ ଗଡ଼ିଚାଲିଲା l କ୍ରମେ ଝିଅଟିର ବିବାହ ବୟସ ଆସି ପହଁଚିଲା l ଗୁଲାବଙ୍କୁ ଲୋକେ କହିଲେ, ତୋ ଝିଅ ଏବେ ବଡ଼ ହୋଇଗଲାଣି ଗୋଟିଏ ଭଲପିଲା ଦେଖି ତା ବିବାହ କରି ଦେ l ଗରିବ ଗୁଲାବ ଲୋକ ମାନଙ୍କୁ କହେ, ମୋର ଝିଅ ବାହାଘର ପାଇଁ ସମ୍ବଳ କାହିଁ l ଦେଖାଯାଉ ରାଧାରାଣୀ କେବେ ତାକୁ ଦୟା କରୁଛନ୍ତି l ଗୁଲାବଙ୍କୁ ତ ବହୁତ ଭକ୍ତ ଜାଣି ଥିଲେ l ସେମାନେ କହିଲେ, ଆଗ ପିଲାଟିଏ ଦେଖ l ଖର୍ଚ୍ଚ ପାଇଁ ଆମେ ଅଛୁ l ଏପରି ବଦାନ୍ୟ ଲୋକମାନଙ୍କ ସାହାଯ୍ୟରେ ଗୁଲାବ ଝିଅର ବିବାହ କରି ଦେଲେ l ଝିଅ ଶାଶୁଘର ଚାଲିଗଲା l

ଝିଅ ଚାଲିଗଲା ପରେ, ଗୁଲାବଙ୍କୁ ଆଉ କିଛି ଭଲ ଲାଗିଲା ନାହିଁ l ଝିଅକୁ ଝୁରି ଝୁରି ଖିଆ ପିଆ ଛାଡ଼ି ସେ କତରା ଲଗା ହୋଇଗଲେ l ସାରଙ୍ଗୀ ବାଦନ ନଶୁଣି ଲୋକେ ଗୁଲାବ କୁଆଡ଼େ ଗଲେ, କୁଆଡ଼େ ଗଲେ ବୋଲି ଖୋଜି ହେଲେ l ତିନିଦିନ ବିତିଗଲା ଗୁଲାବ ଆଉ ସମ୍ଭାଳି ନ ପାରି ରାତିରେ ଶ୍ରୀରାଧାଙ୍କ ମନ୍ଦିର ସାମ୍ନାରେ ଯାଇ ବସି ରହିଲେ, ମନେ ମନେ ଭାବୁଥାନ୍ତି, ମୁଁ ତ ଆଉ ମାତାଙ୍କ ସେବା କରିପାରିବା ସ୍ଥିତିରେ ରହିଲି ନାହିଁ l ଆଉ ଏ ଜୀବନ ରଖି ଲାଭ କଅଣ l ଗୁଲାବ ଏପରି ଭାବୁଥାନ୍ତି ଠିକ୍ ଅର୍ଦ୍ଧରାତ୍ରି ବେଳକୁ କାହା ପାଦ ପାଉଁଜିର ରୁଣୁଝୁଣୁ ଶବ୍ଦ ଶୁଣି ଚମକି ପଡ଼ିଲେ

l କିଛିସମୟ ପରେ ସେ ଦେଖିଲେ ଛୋଟିଆ ଝିଅଟିଏ ଆସି ତାଙ୍କ ପାଖରେ ପହଁଚିଲା ଓ ତାଙ୍କୁ କହିଲା, ବାବା, ଟିକିଏ ସାରଙ୍ଗୀ ବଜାଅ l ମୁଁ ନାଚ କରିବି l ଝିଅ କଥା ଶୁଣି ଗୁଲାବ ପାଖରେ ରଖିଥିବା ସାରଙ୍ଗିରେ ଧୂନ୍ ତୋଳିଦେଲେ l ଝିଅଟି ଧୁନର ତାଳେ ତାଳେ ନାଚିବାକୁ ଲାଗିଲା l ଏପରି ନୃତ୍ୟ କରୁକରୁ ଝିଅଟି ଧିରେ ଧିରେ ମନ୍ଦିର ସିଢ଼ୀ ଚଢ଼ି କୁଆଡ଼େ ଅଦୃଶ୍ୟ ହୋଇ ଗଲା l ଗୁଲାବ ମଧ୍ୟ ତା ପଛରେ ରାଧା ରାଧା ଡାକି ଦୌଡ଼ି ଦୌଡ଼ି ଆଉ କାହାକୁ ନପାଇ ପଡ଼ିଗଲେ l

ସେହିଦିନ ଠାରୁ ଗୁଲାବଙ୍କ ଆଉ କୌଣସି ଖବର ମିଳିଲା ନାହିଁ l ଲୋକେ ଭାବିଲେ, ବୋଧହୁଏ ସେ ଝିଅକୁ ଝୁରି ଝୁରି କୁଆଡ଼େ ପାଗଳ ହୋଇ ପଳାଇ ଯାଇଛି l କେହି କେହି କହିଲେ,ଗୁଲାବ ଆଉ ଇହ ଜଗତରେ ନାହିଁ l

ଧିରେଧିରେ ଲୋକେ ଗୁଲାବକୁ ଭୁଲିଗଲେ l ଦିନେ ଏକ ଚମତ୍କାର ଘଟଣା ଘଟିଲା l ସେଦିନ ରାତିରେ ମନ୍ଦିର ପୂଜକ ରାତ୍ରୀପୂଜା ଶେଷକରି, ଶ୍ରୀରାଧାଙ୍କୁ ଶୋଇଦେଇ ମନ୍ଦିର ମୁଦକଲେ l ଘରକୁ ଫେରିବା ପୂର୍ବରୁ ସେ ମନ୍ଦିର ପରିକ୍ରମା କରୁଥାନ୍ତି ପାଖ ଫୁଲ ବଗିଚାରୁ ଗୋଟିଏ ଛାୟାମୂର୍ତ୍ତି ବାହାରି ଆସି ତାଙ୍କ ଆଗରେ ଠିଆହେଲା l ପୂଜାରୀ ତାକୁ କିଏ ବୋଲି ପଚାରିବାରୁ ଛାୟାମୂର୍ତ୍ତି କହିଲା ମୁଁ ହେଉଛି ସେହି ଗୁଲାବ l ପୂଜାରୀ କହିଲେ ଗୁଲାବ ! ତୁ ଗୁଲାବ ! ଗୁଲାବ ତ କେବେ ଠାରୁ ମରିସାରିଛି l ସେ କହିଲା, ନାଆଁ ବାବା ମୁଁ ମରି ନାହିଁ, ମୁଁ ଏଇଠି ଅଛି l ଏବେ ମୁଁ ଶ୍ରୀରାଧାଙ୍କୁ ସାରଙ୍ଗୀ ଶୁଣାଇ ଆସିଲି l ଦେଖୁ ନ ମୋ ହାତରେ ଏହି ପ୍ରସାଦ l ଏହାକହି ସେ ପୁଜାରୀଙ୍କ ହାତରେ ବିଡ଼ିଆପାନ ଖଣ୍ଡିଏ ଗୁଞ୍ଜି ଦେଇ କୁଆଡ଼େ ଅଦୃଶ୍ୟ ହୋଇଗଲା l ପୂଜାରୀ ଦେଖନ୍ତି ତ ସେହି ବିଡ଼ିଆ ପାନ ଖଣ୍ଡିକ ଥିଲା, ସେ ଶ୍ରୀରାଧାଙ୍କୁ ଏବେ ଏବେ ରାତ୍ରିପହୁଡ଼ରେ ଦେଇ ଆସିଥିବା ମୁଖବାସ l ତାଙ୍କ ଆଶ୍ଚର୍ଯ୍ୟର ସୀମା ରହିଲା ନାହିଁ l

ସକାଳୁ ସକାଳୁ ଏକଥା ଚାରି ଆଡ଼େ ପ୍ରଘଟ ହେଲା l ଲୋକେ ପ୍ରେମିଭକ୍ତ ଗୁଲାବକୁ ଧନ୍ୟ ଧନ୍ୟ କଲେ l ପ୍ରକୃତରେ ସେ ଦିନ ଗୁଲାବ ଶ୍ରୀରାଧାଙ୍କ ଦେହରେ ଲୀନ ହୋଇଯାଇ ଥିଲେ l ଭକ୍ତ ଗୁଲାବଙ୍କ ସ୍ମୃତି ବହନ କରି ଆଜି ବର୍ସାନା ରାଧାରାଣୀଙ୍କ ଜନ୍ମ ସ୍ଥାନରେ ଶୋଭାପାଉଛି ତାଙ୍କ ସମାଧି ମନ୍ଦିର l ପ୍ରେମ ସରୋବର ମାର୍ଗରେ ଏହା ଗୁଲାବସଖୀ କେ ଚବୁତ୍ରା ନାମରେ ଲୋକ ମୁଖରେ ପ୍ରସିଦ୍ଧ l

      


Rate this content
Log in

Similar oriya story from Inspirational