ଶ୍ରୀମଦ୍ ଭଗବଦ୍ ଗୀତା
ଶ୍ରୀମଦ୍ ଭଗବଦ୍ ଗୀତା
( ଧାରାବାହିକ )
ଅଷ୍ଟମ ଅଧ୍ୟାୟ , ଅକ୍ଷର ବ୍ରହ୍ମ ଯୋଗଃ
ଶ୍ଳୋକ - ୧୬
ଆବ୍ରହ୍ହଭୁବନାଲ୍ଲୋକାଃ
ପୁନରାବର୍ତ୍ତିନୋ{ର୍ଜୁନ ,
ମାମୁ ପେତ୍ୟ ତୁ କୌନ୍ତେୟ
ପୁନର୍ଜନ୍ମ ନ ବିଦ୍ୟତେ ।
ଅର୍ଥ : -
ହେ ଅର୍ଜୁନ! ବ୍ରହ୍ମଲୋକ ପର୍ଯ୍ୟନ୍ତ ସମସ୍ତେ ଯାଇ ପୁଣି ଫେରି ଆସନ୍ତି ;କିନ୍ତୁ ଯିଏ ମତେ ପାଇଯାଏ ତା'ର ଆଉ ପୁନର୍ଜନ୍ମ ହୁଏ ନାହିଁ କି ଆଉ ସେ ଫେରେ ନାହିଁ ।
ବ୍ୟାଖ୍ୟା : -
ଏ ବିଶ୍ବ ବ୍ରହ୍ମାଣ୍ଡକୁ ଈଶ୍ବର ଚଉଦ ଲୋକରେ ଗଢ଼ିଲେ । ଉପରେ ସାତ ଲୋକ ଯଥା: - ଭୂଲୋକ , ଭୂବଲୋକ , ସ୍ବର୍ଲୋକ , ମହୋଲୋକ , ଜନଲୋକ , ବ୍ରହ୍ମଲୋକ ଓ ସତ୍ୟ ଲୋକ ଯାହାକୁ ଗୋଲକ ବୋଲି କୁହାଯାଏ । ତଳକୁ ମଧ୍ୟ ସାତଲୋକ ଯଥା : - ଅତଳ , ବିତଳ ,ସୁତଳ , ତଳାତଳ , ମହାତଳ , ରସାତଳ ଓ ପାତାଳକୁ ଗଢ଼ିଲେ ।
ଯେଉଁମାନେ ସତ୍ କର୍ମ କରି ଜୀଵନ ବିତାଇଥାନ୍ତି ସେମାନେ କର୍ମ ଅନୁସାରେ ଉର୍ଦ୍ଧ୍ବ ଲୋକରେ ରହିଥାନ୍ତି । କିନ୍ତୁ ଯେଉଁମାନେ ଅପକର୍ମରେ ଲିପ୍ତ ରହି ପାପ ଅର୍ଜନ କରନ୍ତି ସେମାନଙ୍କର ନିମ୍ନ ଗତି ହୋଇ ତଳକୁ ତଳକୁ ଯାଆନ୍ତି ।
ଭଗବାନ ଅର୍ଜୁନଙ୍କୁ କହୁଛନ୍ତି , ହେ ଅର୍ଜୁନ ! ଯେଉଁମାନେ ଅନ୍ୟ ଦେବ ଦେବୀ ପୂଜା କରି ପୁଣ୍ୟ ଅର୍ଜନ କରିଥାନ୍ତି ସେମାନେ ବିଭିନ୍ନ ଲୋକରେ ବାସ କରନ୍ତି । ଏପରିକି ବ୍ରହ୍ମ ଲୋକ ପର୍ଯ୍ୟନ୍ତ ଯାଇ ପୁଣ୍ୟ ଶେଷ ହେଲେ ପୁଣି ମର୍ତ୍ତ୍ୟଲୋକକୁ ଫେରି ଆସନ୍ତି । କିନ୍ତୁ ଯେଉଁ ଜ୍ଞାନୀ ଭକ୍ତମାନେ କେବଳ ମୋର ( ଶ୍ରୀକୃଷ୍ଣଙ୍କର ) ଉପାସନା କରୁଥାନ୍ତି ସେମାନେ ସତ୍ୟଲୋକ ଅର୍ଥାତ୍ ଗୋଲକ ( ଯେଉଁ ସ୍ଥାନ ମୋର ନିତ୍ୟ ନିବାସ ) କୁ ଯାଇ ଆଉ ଫେରନ୍ତି ନାହିଁ । ଏହା ହିଁ ହେଉଛି ଅନ୍ୟ ଦେବତାଙ୍କୁ ପୂଜା କରିବା ଓ ମତେ ପୂଜା କରିଵା ମଧ୍ୟରେ ତଫାତ୍ ।