MANAS KUMAR KAR

Classics Inspirational Others

4.0  

MANAS KUMAR KAR

Classics Inspirational Others

ଶ୍ରୀ ଜଗନ୍ନାଥଙ୍କ ଇତିହାସ

ଶ୍ରୀ ଜଗନ୍ନାଥଙ୍କ ଇତିହାସ

6 mins
202


ଶ୍ରୀ ଜଗନ୍ନାଥ ପୃଥିବୀର ପ୍ରାଚୀନତମ ପୂଜିତ ଦାରୁଦେବତା

ସେ ହିନ୍ଦୁଧର୍ମରେ ପୂଜିତ ଦେବ-ଦେବୀମାନଙ୍କ ଠାରୁ ପୃଥକ । କୌଣସି ଦେବ ବା ଦେବୀ ନିର୍ଦ୍ଦିଷ୍ଟ ଗୋଷ୍ଠୀ ବା ଜାତିଦ୍ୱାରା ପୂଜିତ ହେଉଥିବା ବେଳେ, ସେ କୌଣସି ସ୍ୱତନ୍ତ୍ର ଗୋଷ୍ଠୀର ନୁହଁନ୍ତି । ସେ ସଂପୂର୍ଣ୍ଣଭାବେ ସର୍ବଧର୍ମ ସମନ୍ୱୟକାରୀ ଠାକୁର ଜଗତର ନାଥ ଶ୍ରୀ ଜଗନ୍ନାଥ । ସେ ଅନାର୍ଯ୍ୟର ସେ ପୁଣି ଆର୍ଯ୍ୟର । ସେ ପ୍ରାଚୀନ, ସେ ପୁଣି ବର୍ତ୍ତମାନ ।

ଜଗନ୍ନାଥ ଓ କୃଷ୍ଣଙ୍କୁ ନେଇ ବେଳେବେଳେ ମନରେ ଦ୍ୱନ୍ଦ ସୃଷ୍ଟିହୁଏ । କିଏ ବଡ଼ କିଏ କାହାଠୁ ସୃଷ୍ଟି? କିଏ ଅବତାର? କିଏ ଅବତାରୀ? କାହାମତରେ ଜଗନ୍ନାଥ ଯେ ଷୋଳକଳା, ତହୁଁ କାଳାଏ ନନ୍ଦବଳୀ । କଳାକୁ ଷୋଳକଳାକରି, ଗୋପେ ବିହରେ ନରହରି ।

ଏହି ପଦଟିରେ ଜଗନ୍ନାଥଙ୍କର ଶ୍ରେଷ୍ଠତ୍ୱ ପ୍ରତିପାଦନ କରାଯାଇଛି ଏବଂ ସେ ଅବତାରୀ ବୋଲି ଜଣାପଡ଼ୁଛନ୍ତି । ଖାଲି ସେତିକି ନୁହେଁ, କାଳ ନିର୍ଣ୍ଣୟ ଦୃଷ୍ଟିରୁ ‘କୃଷ୍ଣ’ ବା ‘ଜଗନ୍ନାଥ‘ ଚିହ୍ନଟକାରୀ ନାମଦ୍ୱୟ ମଧ୍ୟରେ ଜଗନ୍ନାଥ ନାମଟି ପୁରାତନ ବୋଲି ଜଣାଯାଏ । କାରଣ ତାଙ୍କ ଷୋଳକଳାର କଳାଏ ନେଇ କୃଷ୍ଣ ଜନ୍ମ ନେଇଛନ୍ତି । ଆମ ମତରେ ଏହା କବିତୁଣ୍ଡରେ କିଛି ବ୍ୟତିକ୍ରମ ହୋଇପାରେ । କାରଣ କୃଷ୍ଣଙ୍କ ପୂର୍ବରୁ ‘ଜଗନ୍ନାଥ‘ ନାମ ଥିବାର କୌଣସି ପ୍ରାମାଣିକ ସତ୍ୟ ଆମ ପାଖରେ ନାହିଁ । ପରବର୍ତ୍ତୀ ସମୟରେ ଟିକ୍‌କାରମାନେ ଶ୍ରୀକୃଷ୍ଣଙ୍କ ନାମ ସହିତ ଶ୍ରୀ ଜଗନ୍ନାଥଙ୍କ ନାମ ଆରୋପ କରିପାରିଥା’ନ୍ତି କିମ୍ବା ସେ ଯେ ଏକମାତ୍ର ବିଶ୍ୱ ଠାକୁର ତାହା ଦର୍ଶାଇବାକୁ ଯାଇ ଏ ନାମ ଉଲ୍ଲେଖ କରିପାରିଥା’ନ୍ତି । ଯେମିତି ଭାଗବତରେ ଉଲ୍ଲେଖ କରାଯାଇଛି

ତିନ୍ତିବା ଦେଖି ଜଗନ୍ନାଥ ।

ଫଣାରେ ଢ଼ାଙ୍କିଲେ ଅନନ୍ତ ।ା

ପୁନଶ୍ଚ ପୁରାଣମାନଙ୍କରେ କୁହାଯାଇଛି ଯେ ‘କୃଷ୍ଣୁସ୍ତୁ ଭଗବାନ ସ୍ୱୟଂ’ ଅର୍ଥାତ୍ କୃଷ୍ଣହିଁ ଜଗନ୍ନାଥ । ଯଦି ଏହା ସତ୍ୟ ବୋଲି ଧରାଯାଏ, ‘ଜଗନ୍ନାଥ‘ ନାମଟି ପରବର୍ତ୍ତୀ କଥା ବୋଲି ପ୍ରମାଣିତ ହୁଏ । ବର୍ତ୍ତମାନ କୃଷ୍ଣାବ୍ଦ ୫୨୩୭ ଚାଲିଛି । କୃଷ୍ଣଙ୍କର ମହା ପ୍ରୟାଣ ପରେ ତାଙ୍କ ଅର୍ଦ୍ଧଦଗଧ୍ ଶରୀରକୁ ସାଗରରେ ଭସାଇ ଦିଆଗଲା । ତାହା କାଠ ହୋଇ ଭାସିଭାସି କୂଳରେ ଲାଗିଲା । ତା’ପରେ ଆରମ୍ଭ ହୁଏ ବିଶ୍ୱାବସୁ ଇନ୍ଦ୍ରଦ୍ୟୁମ୍ନ କାହାଣୀ ଏବଂ ଜଗନ୍ନାଥ ପୂଜା ହୁଅନ୍ତି ‘ଦାରୁଦେବତା’ ଭାବରେ ଶବରମାନଙ୍କ ଦ୍ୱାରା; କିନ୍ତୁ ଜଗନ୍ନାଥ ନାମରେ ନୁହେଁ ।

ଇନ୍ଦ୍ରଦ୍ୟୁମ୍ନ ଏବଂ ଦାରୁବ୍ରହ୍ମ ଉପାଖ୍ୟାନରୁ ଜଣାଯାଏ ଯେ ଶବରମାନେ କାଠ ମୂର୍ତ୍ତି ପୂଜା କରୁଥିଲେ ଏବଂ ସେ ଏକମାତ୍ର ଦେବତା ଥିଲେ । ଏ ଦେବତା ନୀଳାଚଳ ଉପରେ ପ୍ରତିଷ୍ଠିତ ହୋଇ ପୂଜା ପାଉଥିଲେ ଏବଂ ଏହାଙ୍କ ନାମ ପରବର୍ତ୍ତୀ କାଳରେ ନୀଳ ମାଧବ ହେଲା । ‘ମାଧବ, ମାଧବ ବିଷ୍ଣୁ’ ଅର୍ଥରେ ସେ କୃଷ୍ଣ, ସେ ବିଷ୍ଣୁ । ଏହିଠାରେ କାଠ ଦିଅଁଙ୍କଠିି ମାନବତ୍ୱ ଅରୋପିତ କରାଗଲା ।

ଏ ଶବର ଦେବତା ସମୟାନୁ କ୍ରମେ ଆର୍ଯ୍ୟ ଦେବତା ହେଲେ । ତେବେ କେବେ ହେଲେ, ତାହାର ସଠିକ୍ ପ୍ରମାଣ ଦେଇ ହେବ ନାହିଁ । ଏହି ରୂପାନ୍ତିକରଣ ପ୍ରକ୍ରିୟାରେ ସେ ଯଥାକ୍ରମେ ବୌଦ୍ଧଦେବତା, ବୈଷ୍ଣବ ଦେବତା ଏବଂ ଶୈବ ଦେବତାରେ ପରିଣତ ହେଲେ ।

ବୌଦ୍ଧ ଦେବତାରେ ସେ ବୁଦ୍ଧ ରୂପେ ପୂଜିତ ହେଲେ ଏବଂ ଏହି ଧର୍ମର ତିରତ୍ନ: ସୂତ୍ର ପିଟିକ, ବିନୟ ପିଟକ ଏବଂ ଅଭିଧର୍ମ ପିଟକକୁ ତ୍ରିମୂର୍ତ୍ତି ରୂପେ ପୂଜା କରାଗଲା ବୋଲି ବିଶ୍ୱାସ କରାଯାଏ । ବୁଦ୍ଧଙ୍କୁ ଜଗନ୍ନାଥଙ୍କ ନବମ ଅବତାର ରୂପେ ଗ୍ରହଣ କରାଯାଏ । ଏହିଠାରୁ ହିଁ ସେ ମାନବଧର୍ମୀ ହେଲେ କେବଳ ଜଗନ୍ନାଥଙ୍କର ଦଶାବତାର କାହାଣୀକୁ ଯଦି ବିଚାର କରାଯାଏ । ଏଠାରେ ସୂଚିତ କରାଇ ଦେବାକୁ ଚାହୁଁଯେ, ଏହି ସମୟରେ ଭାରତରେ ଅନ୍ୟତ୍ର କେଉଁଠି କାଠମୂର୍ତ୍ତିକୁ ବୁଦ୍ଧମୂର୍ତ୍ତି ରୂପେ ପୂଜା କରାଯାଉଥିବାର ପ୍ରମାଣ ନାହିଁ ।

‘ମାଧବ’ ନାମଟି ଆଦୌ ପ୍ରାଚୀନ ନୁହେଁ । ବିଶେଷକରି ବୌଦ୍ଧ ଦେବତାଙ୍କୁ ଧରି ଯଦି ବିଚାର କରାଯାଏ, ଅବତାର ବାଦରେ ବୁଦ୍ଧଙ୍କ ପୂର୍ବରୁ ‘ମାନବବାଦ’ର ପ୍ରଶ୍ନ ବି ନାର୍ହି । ‘ମାଧବ’ ନାମଟି ବୈଷ୍ଣବ ଧର୍ମ ସହିତ ସଂପର୍କିତ ଏବଂ ଲକ୍ଷ୍ମୀ-ନାରାୟଣ କଳ୍ପନା ଯୁଗରୁ ଏ ନାମଟି ପ୍ରଚଳିତ ହୋଇପାରିଥାଏ ବୋଲି ମତ ପ୍ରକାଶ ପାଏ । ବିଷ୍ଣୁ ଭକ୍ତ ହିସାବରେ ଯଦିଓ ଆମେ ମଧ୍ୟଯୁଗୀୟ ମାଠର ବଂଶର ପ୍ରଭଞ୍ଜନ କିମ୍ବା ଶୈଳୋଦଭବ ବଂଶୀୟ ତୃତୀୟ ମଧ୍ୟମ ରାଜ, ଏବଂ କର ବଂଶୀୟ ତ୍ରିଭୁବନ – ମହାଦେବଙ୍କୁ ବିଚାରକୁ ନେଉ, ଏମାନେ ବି ଶିବ ଭକ୍ତ ଥିଲେ । ତା’ ବି ସୂଚାଇ ଦେବାକୁ ଚାହୁଁ ଯେ ଦଶମ ଶତାବ୍ଦୀ ପୂର୍ବରୁ ଓଡ଼ିଶାରେ ବୈଷ୍ଣବ ମତର ବିଶେଷ ପ୍ରାଧାନ୍ୟ ନଥିଲା ।

ଶ୍ରୀ ଶଙ୍କରାଚାର୍ଯ୍ୟ ନବମ ଶତାବ୍ଦୀରେ ପୁରୀ ଆସିଥିଲେ ଏବଂ ଏଠାରେ ସେ ଗୋବର୍ଦ୍ଧନ ମଠ ସ୍ଥାପନ କରିଥିଲେ । ସେ ଶ୍ରୀ ଜଗନ୍ନାଥଙ୍କର ପୂଜା ବିଧିରେ ଶୈବ ପୂଜାବିଧି ପ୍ରବର୍ତ୍ତନ କରିଥିଲେ ।

ଅଷ୍ଟମ ଶତାବ୍ଦୀଠାରୁ ଓଡ଼ିଶାରେ ଶୈବମତ, ତାନ୍ତ୍ରିକମତ ଓ ଶକ୍ତି ପୂଜା ଇତ୍ୟାଦି ମିଶ୍ରିତ ହୋଇ ଏକ ନୂତନ ସମ୍ମିଶ୍ରଣ ଘଟିଲା । ଏହାର ପ୍ରଭାବରେ ବୌଦ୍ଧ ଓ ଶୈବ ଧର୍ମର ପ୍ରାଧାନ୍ୟ କ୍ରମଶଃ ହ୍ରାସ ଘଟିଲା । ଏହି ସମୟରେ ଜଗନ୍ନାଥ ଯେଉଁ ରୂପରେ ପୂଜା ପାଉଥିଲେ, ତାଙ୍କୁ ଭୈରବ କୁହାଯାଉଥିଲା ।

ଏହି ଅଷ୍ଟମ ଶତାବ୍ଦୀ ବେଳକୁ ଦକ୍ଷିଣ ଓଡ୍ର଼ ଦେଶରେ ତାନ୍ତ୍ରିକ ମତ ଲୋକପ୍ରିୟ ଥିଲା । ଏହି ତାନ୍ତ୍ରିକମାନେ କାପାଳିକ ଶ୍ରେଣୀର ଅଟନ୍ତି । ଭୁବନେଶ୍ୱରର ବୈତାଳମନ୍ଦିର ଏହି ସମୟର ପରିକଳ୍ପନା । ଏହି କାପାଳିକମାନେ ଜୀବବଳି ଦେଉଥିଲେ । ଯେହେତୁ ଏହି ସମୟରେ ନୀଳାଚଳ ଧାମରେ ଭୈରବ ପୂଜା ପାଇଥିଲେ, ଏବଂ ଏହି ତାନ୍ତ୍ରିକମାନଙ୍କର ପ୍ରଭାବଥିଲା, ମନ୍ଦିରରେ ଜୀବବଳିର ବ୍ୟବସ୍ଥା ଥିଲା ।

ପରବର୍ତ୍ତୀ ସମୟରେ ଏହି ଭୈରବ ଦେବତା ବିଷ୍ଣୁପ୍ରତିମା ରୂପେ ପୂଜା ପାଇଲେ ହେଁ, ଏ ବଳି ପ୍ରଥାକୁ ସଂପୂର୍ଣ୍ଣ ବିଲୋପ କରାଯାଇ ପାରିଲା ନାହିଁ ଏବଂ ଏବେ ଏହା ପରମ୍ପରା ଦୃଷ୍ଟିରୁ ବିମଳାଙ୍କ ପାଖରେ ଆମିଷ ଭୋଗରେ ସୀମୀତ ହୋଇ ଆସିଅଛି । ୧୮୮୬ମସିହାରେ ଏକ ଚିଠିରେ ଉଲ୍ଲେଖ ଅଛି ଯେ :

ଜଗନ୍ନାଥଙ୍କ ବେଦୀ ଉପରେ ଗୋଟିଏ ଶିବ ଲୀଳା ମୂର୍ତ୍ତି ଭୈରବ ରକ୍ଷିତ ଥିଲେ । ପ୍ରାୟ ୭୦ବର୍ଷ ତଳେ ବୈରାଗୀ ବୈଷ୍ଣବମାନେ ସେହି ମୂର୍ତ୍ତି ଭାଙ୍ଗିଦେବାରୁ ଦଣ୍ଡାସ ସନ୍ନ୍ୟାସୀମାନେ ମନ୍ଦିର ଛାଡ଼ି ଚାଲିଗଲେ । ୧୮୯୬ରେ ଭୈରବ ମୂର୍ତ୍ତି ପୁନର୍ବାର ପ୍ରତିଷ୍ଠା ଲାଗି ଚେଷ୍ଟା ହୋଇଥିଲା ଓ ସେହି ଉଦ୍ଦେଶ୍ୟରେ ଭୈରବ ଚକ୍ରର ମନ୍ତ୍ର ଜାଣିବା ପାଇଁ ଜଣେ ସ୍ମାର୍ତ୍ତ ପଣ୍ଡିତଙ୍କୁ ଚିଠା ଲେଖା ହୋଇଥିଲା ।

ଦଶମ ଶତାବ୍ଦୀ ବେଳକୁ ଏହି ଭୈରବ ଦେବତା ବିଷ୍ଣୁ ଦେବତାରେ ରୂପାନ୍ତରିତ ହେଲେ । ଶେଷରେ ଗୀତାର ଶ୍ରୀ ପୁରୁଷୋତ୍ତମ ପାଲଟିଗଲେ ବୋଲି କୁହନ୍ତି । ଦ୍ୱାଦଶ ଶତାବ୍ଦୀର ପ୍ରଥମ ଭାଗରେ ଶ୍ରୀ ସଂପ୍ରଦାୟର ରାମାନୁଜ ନୀଳାଚଳକୁ ଯାଇ ଶୈବ ଦେବତାଙ୍କୁ ବିଷ୍ଣୁ ପ୍ରତିମା କଲେ । ଏହା ବିଶ୍ୱାସ ଯୋଗ୍ୟ ନୁହେଁ । କାରଣ ଦଶମ ଶତାବ୍ଦୀ ବେଳକୁ ବିଷ୍ଣୁ ପ୍ରତିମା ଶ୍ରୀ ପୁରୁଷୋତ୍ତମରେ ପରିବର୍ତ୍ତିତ ହୋଇ ସାରିଥିଲେ । ଏହାର ପ୍ରମାଣ ମଧ୍ୟ ୧୧୦୪ର ନାଗପୁର ଶିଳାଲିପି ଏବଂ ତୃତୀୟ ଅନଙ୍ଗଭୀମ ଦେବଙ୍କ ତାମ୍ରଲିପି ଶିଳାଲିପିରୁ ‘ଶ୍ରୀ ପୁରୁଷୋତ୍ତମ’ଙ୍କ ଉଲ୍ଳେଖ ରହିଅଛି । ରାମାନୁଜ ନୀଳାଚଳରେ ସ୍ମାର୍ତ୍ତ ପୂଜା ବନ୍ଦ କରି ପଞ୍ଚରାତ୍ର ପୂଜା ପଦ୍ଧତି ପ୍ରବର୍ତ୍ତନ କରିଥିଲେ । ଚୋଳଗଙ୍ଗ ଦେବ ତାଙ୍କର ଅନୁରକ୍ତ ଥିଲେ ଏବଂ ସେ ନୀଳାଚଳର ଛୋଟ ମନ୍ଦରଟି ଭାଙ୍ଗି ଏକ ବିରାଟ ମନ୍ଦିର ନିର୍ମାଣ କରିଥିଲେ । ସେତେବେଳକୁ ଏଥିରେ ବଳଭଦ୍ର ଏବଂ ସୁଭଦ୍ରା ନୀଳାଚଳକୁ ଆସି ନାହାଁନ୍ତି । ସେଇ ପୁରୁଷୋତ୍ତମ ଯାହା ମୁରାରୀ ମିଶ୍ରଙ୍କ ଅନର୍ଘ ରାଘବ ନାଟକ ଓ କୃଷ୍ଣ ମିଶ୍ରଙ୍କ ପ୍ରବୋଧ ଚନ୍ଦ୍ରୋଦୟ ନାଟକରେ ଉଲ୍ଲେଖ ଅଛି । କୋଉ ଶିଳାଲିପି, ତାମ୍ରଲିପି ବି ଇତିହାସର ଉପାଦାନରେ ନାହିଁ । ଏହି ପୁରୁଷୋତ୍ତମ ଶ୍ରୀ ସଂପ୍ରଦାୟ ପ୍ରଭାବରେ ଲକ୍ଷ୍ମୀ-ନାରାୟଣ ମୂର୍ତ୍ତି ରୂପେ କଳ୍ପିତ ହେଲେ । ଏହି କାରଣରୁ ଜଗନ୍ନାଥଙ୍କ ମୂର୍ତ୍ତି ପାଖରେ ଏବେ ମଧ୍ୟ ଲକ୍ଷ୍ମୀ ମୂର୍ତ୍ତିଟିଏ ରଖାଯାଇଛି ।

ଶ୍ରୀଷ୍ଟୀୟ ତ୍ରୟୋଦଶ ଶତାବ୍ଦୀରେ ବଙ୍ଗ ଦେଶର ଦକ୍ଷିଣ ଅଞ୍ଚଳରେ ରାମାଇ ପଣ୍ଡିତ ବୌଦ୍ଧମାନଙ୍କୁ ହିନ୍ଦୁ ସମାଜ ଭୁକ୍ତ କଲେ ଏବଂ ବୁଦ୍ଧ ନବମ ଅବତାରରେ ‘ମାନବ ସ୍ୱରୂପ ହେତୁ’ ତାଙ୍କଠି ମଧ୍ୟ ହିନ୍ଦୁତ୍ୱ ଆରୋପ କରାଗଲା । ତାଙ୍କ ମତରେ ସେ ବୁଦ୍ଧ ରୂପୀ ଭଗବାନ । ଶାରଳାଦାସ ତାଙ୍କ ମହାଭାରତରେ ସଭା ଓ ବନପର୍ବରେ ତାହାହିଁ କହିଛନ୍ତି – ବୌଦ୍ଧରୂପୀ ନାରାୟଣ ।

ରାଜା ଇନ୍ଦ୍ରଭୂତି / ଇନ୍ଦ୍ରଦ୍ୟୁମ୍ନଙ୍କ କାଳ ନିର୍ଣ୍ଣୟ କରିବା ବଡ଼ କଠିନ । ଇନ୍ଦ୍ରଭୂତି ତାଙ୍କ ଜ୍ଞାନସିଦ୍ଧି ପୁସ୍ତକରେ ଲେଖିଛନ୍ତି ଯେ ଆଦିବୁଦ୍ଧହିଁ ଜଗନ୍ନାଥ । ନେପାଳରେ ଆଦି ବୁଦ୍ଧଙ୍କୁ ଜଗନ୍ନାଥ ବୋଲି କୁହାଯାଏ । ସେ ଅଷ୍ଟମ ଶତାବ୍ଦୀରୁ ଏହି ପରି ପୂଜିତ ବୋଲି କେହି ମତବ୍ୟକ୍ତ କରନ୍ତି । ମୋଟ ଉପରେ ସେ ଯଥାକ୍ରମେ ଶବର ଦେବତାରୁ ଭୈରବ, ପୁରୁଷୋତ୍ତମ, ଆଦିବୁଦ୍ଧ ହୋଇ ଶେଷରେ, ଜଗନ୍ନାଥରେ ପରିଚିତ ହେଲେ । ତେବେ କେବେଠୁ ସେ ଶ୍ରୀ ଜଗନ୍ନାଥ ହେଲେ ନିର୍ଦ୍ଦିଷ୍ଟ ପ୍ରମାଣ ଦେବା ଭୋଦୟା କାରଣ କଥାକାର ବା ଲେଖମାନେ ପରବର୍ତ୍ତୀ ସମୟରେ ତ୍ରୁଟି, ଚ୍ୟୁତି, ବିଚ୍ୟୁତି ବା କିଛି ସାମିଲ କରିପାରିଥା’ନ୍ତି ଯାହା ଉପରେ କି କୌଣସି ସିଦ୍ଧାନ୍ତ ନେଇ ହେବ ନାହିଁ ।

ଆଗରୁ କହିଛେ ଶବରମାନଙ୍କର ଏକମାତ୍ର ଦେବତା ଦାରୁଦେବତା । ଏହି ଦାରୁଙ୍କର ରୂପାନ୍ତୀକରଣରେ ଭୈରବ, ପୁରୁଷୋତ୍ତମ, ଆଦିବୁଦ୍ଧ ଓ ପରେ ଜଗନ୍ନାଥ ହେଲେ । ଜଗନ୍ନାଥଙ୍କ ପୂର୍ବରୁ ତ୍ରିମୂର୍ତ୍ତି ବା ସୁଦର୍ଶନଙ୍କୁ ମିଶାଇ ଚତୁର୍ଦ୍ଧା ବିଭକ୍ତ କଥା କେଉଁଠି ଉଲ୍ଲେଖ ନାହିଁ । ତେବେ ଅବତାରବାଦ ମାନବ ରୂପରେ ବୁଦ୍ଧଙ୍କର ତ୍ରିରତ୍ନକୁ ନେଇ ତ୍ରିମୂର୍ତ୍ତି ଆଭାଷ ଦିଆଯାଇଛି ।

ଓଡ଼ିଶାରେ ଏହି ତ୍ରିୟୀମୂର୍ତ୍ତିରେ କଳ୍ପନା ବୈଷ୍ଣବ ମତରେ ଗ୍ରହଣ କରାଯାଇଛି : ବାସୁଦେବ – ସଙ୍କର୍ଷଣ – ଏକନଂସା କଳ୍ପନାରୁ ଜଗନ୍ନାଥ – ବଳଭଦ୍ର – ସୁଭଦ୍ରା ଚିତ୍ରିତ ହେଲେ । ତୃତୀୟ ଅନଙ୍ଗ ଭୀମଙ୍କ ପୁରୀ ତାମ୍ରଲିପି (୧୭୭୫) ମତେ, କଳୀନ-ଚତ୍ରୀନ – ସୁଭଦ୍ରା । ଉଲ୍ଲେଖ ବେଳେ ଅନନ୍ତ ବାସୁଦେବ ମନ୍ଦିର ଶିଳାଲିପି ୧୨୭୬ ଖ୍ରୀଷ୍ଟାବ୍ଦ ମତେ ଏହା ବଳ-କୃଷ୍ଣ-ସୁଭଦ୍ରା । ଏଥିରୁ ଅନୁମିତ ହୁଏ ଯେ ତ୍ରୟୋଦଶ ଶତାବ୍ଦୀରେ ମଧ୍ୟ ଜଗନ୍ନାଥ – ବଳଭଦ୍ର – ସୁଭଦ୍ରା ନାମ ଚୂଡ଼ାନ୍ତ ହୋଇନଥିଲା । ଏହା ଦ୍ୱାପର ଯୁଗର ବଳରାମ, ଶ୍ରୀ କୃଷ୍ଣ ଓ ସୁଭଦ୍ରାଙ୍କୁ ଅଙ୍ଗୁଳି ନିର୍ଦ୍ଦେଶ କରୁଛି ।

ଜଗନ୍ନାଥ ନିଜେ ବଳରାମ ଓ ସୁଭଦ୍ରାଙ୍କର ଭାଇ ହିସାବରେ ଖ୍ୟାତ । କିନ୍ତୁ ଜଗନ୍ନାଥ କୃଷ୍ଣ ନୁହଁନ୍ତି କାରଣ ମୂର୍ତ୍ତି ଶାସ୍ତ୍ର ଅନୁସାରେ ଜଗନ୍ନାଥଙ୍କ ଗଠନ କୃଷ୍ଣଙ୍କ ଗଠନ ସହିତ ସାଦୃଶ୍ୟ ନାହି । ପୁନଶ୍ଚ ଅନନ୍ତ ବାସୁଦେବ ମନ୍ଦିରରେ ଶିଳାଲିପିରେ ଖୋଦିତ ବଳରାମ, ସୁଭଦ୍ରା ଏବଂ କୃଷ୍ଣ ଥିଲେ ହେଁ, ସେଠି ଜଗନ୍ନାଥଙ୍କ ନାମ ପ୍ରଚଳିତ ହେଲା । ଏପଟେ ଜଗନ୍ନାଥ ମନ୍ଦିରରେ, ବଳରାମ ମୂର୍ତ୍ତି ଶାସ୍ତ୍ରବର୍ଣ୍ଣିତ ବଳରାମ ମୂର୍ତ୍ତି ନୁହଁନ୍ତି । ଏଠାରେ ମଥୁରା ମିଉଜିୟମରେ ଥିବା ହଳଧର ବଳରାମ ଏବଂ କୋଣାର୍କ ଅନନ୍ତ ସର୍ପର ଫଣା ଯୁକ୍ତ ବଳରାମଙ୍କ କଥା ସ୍ମରଣ କରାଇ ଏତିକି କହିବୁ ଯେ ଏ ବଳଭଦ୍ରଙ୍କର ଏମାନଙ୍କ ସହିତ ସଂପର୍କ ନାହିଁ । ଅର୍ଥାତ୍ ବଳଭଦ୍ର, ବଳରାମ ନୁହଁନ୍ତି । ସେମିତି ସୁଭଦ୍ରାଙ୍କ କଥା । ମୂର୍ତ୍ତିଶାସ୍ତ୍ରରେ ସୁଭଦ୍ରାଙ୍କର ଉଲ୍ଲେଖ ନାହିଁ । ଅନେକ ଏକାନଂସାଙ୍କୁ ସୁଭଦ୍ରା ରୂପେ ପୂଜିତା ବୋଲି କୁହନ୍ତି । ବ୍ରିଟିଶ ମିଉଜିୟମରେ ଥିବା ଏକାନାରୀ ମୂର୍ତ୍ତିଙ୍କୁ ମଧ୍ୟ ସୁଭଦ୍ରା ଦେବୀ ବୋଲି କୁହାଯାଏ; କିନ୍ତୁ ଏ ଦେବୀମାନେ ଦୁଇ ହସ୍ତ ବିିଶିଷ୍ଟ ଏବଂ ଦର୍ପଣ ଧାରିଣୀ । ଏମାନେ ବର୍ତ୍ତମାନର ସୁଭଦ୍ରା ସହିତ ସାଦୃଶ୍ୟ ରଖି ନାହାଁନ୍ତି । ଏଣୁ ସୁଭଦ୍ର ମଧ୍ୟ ବିଚିତ୍ର ।

ସବୁର ପାର୍ଥକ୍ୟ ସତ୍ତ୍ୱେ ଜଗନ୍ନାଥ ତାଙ୍କ ଜାଗାରେ ଠିକ୍ । କେଉଁଠି ସେ ଏକା ଦାରୁଦେବତା । କେଉଁଠି ସେ ଏକା ପୁରୁଷୋତ୍ତମ, କେଉଁଠି ନିଜେ ଲକ୍ଷ୍ମୀ-ନାରାୟଣ, କୋଣାର୍କରେ ଶିବ ଦୁର୍ଗାଙ୍କ ସହିତ ଜଗନ୍ନାଥ, ପାଣିଗୁଡ଼ା, ଶୁଲ୍ଲେରିର (ମାହାଙ୍ଗ)ରେ ସେ ଏକା ଜଗନ୍ନାଥ ଏବଂ କପିଳାସର ପାଦଦେଶ ଦେଓଗାଁରେ ସେ ବଳରାମ ସହିତ ଜଗନ୍ନାଥ ।

ଶ୍ରୀକ୍ଷେତ୍ରରେ ଜଗନ୍ନାଥ କେବେଠାରୁ ଏହି ନାମ ଧାରଣ କରି ଅଛନ୍ତି, ତାହା ଚୂଡ଼ାନ୍ତ ଭାବେ କହି ହେବ ନାହିଁ । ତାହା ନିର୍ବିବାଦୀ ନୁହେଁ, ବିବାଦମୟ । ଯେହେତୁ ସେ ନିଜେ ରହସ୍ୟମୟ, ତାଙ୍କର ସବୁକିଛି ବୁଢ଼ୀଆଣୀ ଜାଲ ପରି ଅଡ଼ୁଆ ତଡ଼ୁଆ ଓ ଆଦି ଅନ୍ତ ବିହୀନ ।


ସର୍ବଂ ରହସ୍ୟଂ ପୁରୁଷୋତ୍ତମସ୍ୟ

ଦେବୋ ନଜାନନ୍ତି କୁତୋ ମନୁଷ୍ୟଃ


Rate this content
Log in

Similar oriya story from Classics