Sambit Srikumar

Abstract Classics Inspirational

4.1  

Sambit Srikumar

Abstract Classics Inspirational

ଶ୍ରଦ୍ଧା

ଶ୍ରଦ୍ଧା

2 mins
248



ସେଦିନ ଥିଲା ଗଣେଶ ଚତୁର୍ଥୀ। ବିଦ୍ଯା ବୁଦ୍ଧି ଜ୍ଞାନ ଧନ ଦାତା ଶ୍ରୀଗଣେଶଙ୍କ ଆରାଧନା ପାଇଁ ସ୍ବତନ୍ତ୍ର ଦିନଟିଏ। ମାତ୍ର ସ୍ବାଧୀନ ଜରୁରୀ ଅଫିସ୍ କାର୍ଯ୍ୟ ପାଇଁ ହାଇଦ୍ରାବାଦ୍ ସହରରେ ଫସିଯାଇଥିଲା। ପୂର୍ବ ଦିନ ଜୋନାଲ୍ ରିଭ୍ୟୁ ମିଟିଂ ସରୁ ସରୁ ବିଳମ୍ବିତ ସଂଧ୍ୟା। ସ୍ଵଳ୍ପ ସମୟ ମଧ୍ୟରେ କନଫର୍ମ୍ ଟିକଟ ଯୋଗାଡ଼ କରି ଘରକୁ ଫେରିବା ସମ୍ଭବ ନଥିଲା। ଅଗତ୍ୟା କମ୍ପାନୀ ପରିଚାଳିତ ଅତିଥି ଭବନରେ ରହିବାକୁ  ସେ ବାଧ୍ଯ ହେଲା।


ଗଣେଶ ଚତୁର୍ଥୀ ଦିନ ସକାଳୁ ସକାଳୁ ଚିନ୍ତାରେ ପଡିଗଲା ସ୍ବାଧୀନ। କେଉଁଠି ପୁଷ୍ପାଞ୍ଜଳି ଦେବ ସେ ଠାକୁରଙ୍କୁ? ଏଠି ତ କେହି ଚିହ୍ନାଜଣା ନାହାଁନ୍ତି ଯେ, ଗଣେଶ ମନ୍ଦିରର ଠିକଣା ତାକୁ କହିବେ। ଯଦିଓ ଏହି ସହରରେ ପ୍ରତି ଗଳିରେ ଗଣପତିଙ୍କ ମେଢ଼ କିନ୍ତୁ ପୂଜା ହେବା ବେଳକୁ ଯାଇ ସଂଧ୍ୟା ହେବ। ପିଲାଟିଦିନରୁ ଆଜି ଯାଏଁ ଗଣେଶ ପୂଜା ଦିନ ବିନା ପୁଷ୍ପାଞ୍ଜଳିରେ ଅନ୍ନ ଜଳ ସ୍ପର୍ଶ କରି ନାହିଁ ସିଏ। ସ୍କୁଲରେ ପୂଜା ସରୁ ସରୁ ଦ୍ବିପ୍ରହର ହୋଇଯାଏ। ଆଖିରୁ ଜୁଳୁଜୁଳିଆ ପୋକ ବାହାରି ଆସେ ଭୋକର ଦାଉରେ। 


ଏବେ ତ ବୟସ ବଢ଼ିବା ସହିତ ଦେହରେ ନାନା ପ୍ରକାରର ରୋଗ ବଇରାଗ। ଏତେ ସମୟ ଧରି ଉପାସ ରହିବା ସମ୍ଭବ ନୁହେଁ। ଏଣୁ ଶୀଘ୍ରାତିଶୀଘ୍ର ମନ୍ଦିର ଯାଇ ଠାକୁରଙ୍କ ପାଖରେ ପୁଷ୍ପାଞ୍ଜଳି ଅର୍ପଣ କରି ପେଟ ପୂଜା କରିବାକୁ ହୁଏ। ଅନ୍ୟଥା ସବୁ କିଛି ଗଡବଡ ହୋଇଯାଏ। ଶରୀରରେ ବିଭିନ୍ନ ପ୍ରତିକ୍ରିୟା ଦେଖାଯାଏ। ଦିନ ଦିନ ଧରି ଲାଗି ରହେ ଅସୁସ୍ଥତା।


ଯାହା ବି ହେଉ ନିତ୍ୟକର୍ମ ସାରିବାକୁ ତ ପଡିବ। ତାପରେ ଦେଖିବା କଣ କରାଯାଇପାରିବ। ସଅଳ ସଅଳ ସ୍ନାନାଦି କାର୍ଯ୍ୟ ସମାପନ କରି ନିଜ ରୁମରୁ ବାହାରି ଆସିଲା ସ୍ବାଧୀନ ଅତିଥି ଭବନ ଅଭ୍ୟର୍ଥନା କକ୍ଷକୁ। କପାଳରେ ତା'ର ଚିନ୍ତାର ରେଖା ସ୍ପଷ୍ଟ ଭାବେ ବାରି ହୋଇ ପଡୁଥିଲା। ତାକୁ ଦେଖିବା ମାତ୍ରେ ଅତିଥି ଭବନର ପୁରୁଖା ତତ୍ତ୍ବାବଧାରକ ମସ୍ତାନ୍ ଅଲ୍ଲୀ କହି ଉଠିଲା, "କ୍ଯା ବାତ୍ ହୈ ସାବ୍? କାଇକୋ ପରେସାନ୍ ଲଗ୍ ରହା ହୈ ତୁମ୍?"


: କୁଛ୍ ଭି ଖାସ୍  ନୈହିଁ...


: କୁଛ୍ ତୋ ହୈ ତୁହ୍ମାରା ମନ୍ ମେଁ... ବୋଲୋ ସାବ୍... ବୋଲ୍ ଦେନେ ସେ ମନ୍ ହାଲକା ହୋ ଜାତା ହୈ ଔର୍ କାମ୍ ଭି ବନ୍ ଜାତା ହୈ।


: ଆଜ୍ ଗନେଶ୍ ଚତୁର୍ଥୀ ହୈ। ପୂଜା କରବାନା ଥା ଅଲ୍ଲୀ ଭାଇ... 


: ଅରେ ସାବ୍... ଇତ୍ନାସା ବାତ୍ ଔର୍ ତୁମ୍ ପରେସାନ୍ ହୋ? ଜରା ଦଶ୍ ମିନିଟ୍ ଇଧର୍ ରୁକୋ ତୁମ୍... 


କିଛି ସମୟ ପରେ ଘଣ୍ଟି ଶବ୍ଦ ସହିତ ଶଙ୍ଖ ଧ୍ବନି ଶୁଭିଲା। ମସ୍ତାନ୍ ଅଲ୍ଲୀ ଡାକ ପକାଇଲା ସ୍ବାଧୀନକୁ, "ସାବ୍ ଅନ୍ଦର୍ ଆଜାଓ..." 


ଅତିଥି ଭବନର ପୂଜା ଘର ଭିତରକୁ ଯାଇ ସ୍ବାଧୀନ ଯାହା ଦେଖିଲା ନିଜ ଆଖିକୁ ବିଶ୍ବାସ କରି ପାରିଲା ନାହିଁ। ଯଥା ବିଧି ସିଂହାସନ ଉପରେ ବିଘ୍ନରାଜ ଗଣପତି ମହାରାଜଙ୍କ ମୃଣ୍ମୟ ମୂର୍ତ୍ତି ପୂଜା ପାଉଛନ୍ତି ବଡ଼ ଆଡମ୍ବର ସହକାରେ। ଦୁର୍ବାଦଳ, ବିଭିନ୍ନ ପତ୍ର, ନାନାଦି ପୁଷ୍ପ ଓ ସ୍ବାଦିଷ୍ଟ ଫଳରେ ସଜାଯାଇଛି ପୂଜା ଘର। ରକମରକମର ମିଷ୍ଟାନ୍ନ ଭୋଗ ବଢା ଯାଇଛି। ଧୂପ, ଦୀପ, କର୍ପୂର, ଚନ୍ଦନର ମହମହ ବାସ୍ନାରେ ବାସ୍ନାୟିତ ହୋଇ ଉଠୁଥିଲା ସମଗ୍ର ପରିବେଶ। 


ନୈଷ୍ଠିକ ପୂଜକ ସାଜି ପୂଜାର୍ଚ୍ଚନା କରୁଥିଲେ ମସ୍ତାନ୍ ଅଲ୍ଲୀ! ଗଣେଶ ମହାପ୍ରଭୁଙ୍କୁ ପୁଷ୍ପାଞ୍ଜଳି ଅର୍ପଣ କରି ସ୍ବାଧୀନ ମନେ ମନେ ଚିନ୍ତା କରୁଥିଲା, ସତରେ ଶ୍ରଦ୍ଧାର କୌଣସି ସୀମା ନାହିଁ। ଭଗବାନ ସର୍ବଦା ଶ୍ରଦ୍ଧାରେ ବନ୍ଧା। ସିଏ ତ ନିଜେ ବାଧ୍ୟବାଧକତାରେ ପୁଷ୍ପାଞ୍ଜଳି କଥା ଚିନ୍ତା କରୁଥିଲା ପେଟର ଭୋକ ମେଣ୍ଟାଇବାକୁ କିନ୍ତୁ ଏଇ ମସ୍ତାନ୍ ଅଲ୍ଲୀ ତ ଭିନ୍ନ ସମ୍ପ୍ରଦାୟର ବ୍ୟକ୍ତି ହୋଇ ମଧ୍ୟ ଶୁଦ୍ଧାନ୍ତକରଣରେ ଗଣପତିଙ୍କ ଭକ୍ତ! ଯେତେ ଶ୍ରଦ୍ଧା, ଭକ୍ତି, ନିଷ୍ଠା ଓ ସଦିଚ୍ଛା ସହିତ ମସ୍ତାନ୍ ଅଲ୍ଲୀ ଗଣେଶଙ୍କ ପୂଜା କରୁଛନ୍ତି ସେମିତି ହୁଏତଃ ସିଏ ବି ଦିନେ କରିନଥିବ... 



Rate this content
Log in

Similar oriya story from Abstract