Manorama Hati

Romance Others

1.0  

Manorama Hati

Romance Others

ଶ୍ରାବଣର ପହିଲି ବର୍ଷା

ଶ୍ରାବଣର ପହିଲି ବର୍ଷା

8 mins
579



ଶ୍ରାବଣର ମାସ ଆରମ୍ଭ ହୋଇ ସାରିଥାଏ। ଅନେକ ଥର ଟିକେ ବହୁତ ବି ବର୍ଷା ହୋଇ ସାରିଥାଏ। ହେଲେ ସେଦିନ ମୋର ଭିଜିବା ବର୍ଷାରେ ବୋଧେ ଶ୍ରାବଣର ପହିଲି ବର୍ଷା ଥାଏ। ଘରୁ ଆସିବା ବେଳେ ମାମା କହିଥିଲା ସାଙ୍ଗରେ ରେନିକୋଟ୍ ନେଇଯିବା ପାଇଁ। ହେଲେ ବର୍ଷା ହେବନି କହି ମାମା ର କଥାକୁ ଏଡେଇ ଚାଲି ଆସିଥିଲି। ଯାହାର ପ୍ରଭାବଟା ସେଦିନ ମୋ ଉପରେ ପଡିଥିଲା। ବର୍ଷାରେ ଟିକେ ଓଦା ହେଇଗଲେ ଦେହ ଖରାପ ହେଇଯାଏ। ସେଥିପାଇଁ ମାମାର ତାଗିଦ୍, ଯେମିତି ବର୍ଷାରେ ନ ଭିଜୁ। 


ସେଦିନ କଲେଜ ଛୁଟି ହୋଇ ଯାଇଥିଲା ।ଛୁଟି ହେବା ପରେ ପରେ ବର୍ଷାର ଛିଟା ପଡିବା ବି ଆରମ୍ଭ ହୋଇ ଯାଇଥିଲା ।କଲେଜ ଠାରୁ ବସ୍ ଷ୍ଟାଣ୍ଡ ପ୍ରାୟ ଗୋଟେ କି. ମି ହେବ। ବସ୍ ଷ୍ଟାଣ୍ଡକୁ ଯାଇ ବସ୍ ଧରିବା ମୋ ପକ୍ଷରେ ସମ୍ଭବପର ନ ଥିଲା। ବର୍ଷାର ଏତେ ଜୋରରେ ପଡିବା ଯେମିତି ମନେ ପକଉଥାଏ ପିଲାଦିନେ ପାଠ ନ କରିଥିଲେ କେମିତି ସ୍କୁଲ୍ ରେ ମାଡ ଖାଇବା କଥା। 


ମନେ ମନେ ଭାରି ଦୁଃଖ ଲାଗୁଥାଏ। ମାମାର କଥା ନ ମାନିବାର ଏ ସବୁ ଫଳ। ବାଧ୍ଯ ହୋଇ ଅଟୋ ଷ୍ଟାଣ୍ଡକୁ ଗଲି। ଯାହା ମୋ କଲେଜ ସାମନାରେ ଥିଲା। ପାଦର ଗତି ଟିକେ ଜୋରରେ ବଢାଇ ଗୋଟେ ଅଟୋରେ ବସି ପଡି କହିଲି -ରାଜନଗର ଯିବ? 


ଅଟୋବାଲାଟି ହଁ କହିଲେ। ଠିକ୍ କିଛି ସମୟ ପରେ ମୋର ଡାହାଣ ପାର୍ଶ୍ଵରେ ଗୋଟେ ଅଲଗା କଲେଜର ଝିଅ ଦୌଡି ଆସି ବସି ପଡିଲା। ପଚାରିଲା -ଆପଣ ରାଜନଗର ଯାଏଁ ଯିବେ ତ? 


ମନେ ମନେ ଭାବିଲି ଇଏ କଣ ରାଜନଗରରେ ରହନ୍ତି? କୋଉ ଗଳିରେ? ମୁଁ ତ ୟାକୁ କେବେ ଦେଖି ନାହିଁ। ତା'ପରେ ଅଟୋବାଲା ଗାଡି ଷ୍ଟାର୍ଟ କରିଥିଲା। ଝିଅଟି ରୁମାଲରେ ତା ମୁହଁରୁ ପାଣି ପୋଛିବାକୁ ଆରମ୍ଭ କରିଥିଲା।ସତରେ ! ଭିଜା ଭିଜା ମୁହିଁ ତାର ବର୍ଷା ଠୁ ବି ଆହୁରି ସତେଜ ଦେଖା ଯାଉଥିଲା। ଯେମିତି ସତେ ଆକାଶର ବର୍ଷାରାଣୀ ଏ ଧରା ପୃଷ୍ଠକୁ ଓହ୍ଲେଇ ଆସିଛି। ତା'ର ସେ ଗୋରା ଦେହରେ କଳାରଙ୍ଗର ୟୁନିଫର୍ମଟି ବେଶ୍ ମାନୁଥିଲା। ସାଦାସିଧା ଝିଅ ଥିଲା। ହାତରେ ଚୁଡି ବି ନ ଥିଲା। ଖାଲି କଳାରଙ୍ଗର ଘଣ୍ଟା ବ୍ୟାଣ୍ଡ୍ ଥିବା ଘଣ୍ଟାଟେ ପିନ୍ଧିଥିଲା। ପାଦର ଚପଲ ବି କଳାରଙ୍ଗର ଥିଲା। ବ୍ୟାଗ୍ ରଙ୍ଗ ବି କଳା ଥିଲା।ମଥାରେ ଲାଗିଥିବା ଛୋଟ ଟିପା ଟି ବି ଥିଲା କଳାରଙ୍ଗର। ସତେ ଯେମିତି ସାରା ଦେହରେ ତା'ର କଳା ବୋଳା ହୋଇଛି। ଯେମିତି କଳାରଙ୍ଗର ପରୀ ସେ। କିଛି ବାଟ ଯିବା ଭିତରେ ମୁଁ ଏସବୁ ମାର୍କ କରି ନେଇଥିଲି। 


ମୋତେ ବି କେମିତି କେମିତି ଲାଗୁଥାଏ। ମନେ ମନେ ଟିକେ ଖରାପ ଲାଗୁଥାଏ। ଗୋଟେ ଝିଅକୁ ଏତେ ନିରୀକ୍ଷଣ କରି ଚାହିଁବା ଭଲ କଥା ନୁହେଁ। ମାମା ବି କହିଛି ଝିଅଙ୍କୁ ନ ଅନାଇବା ପାଇଁ। ସବୁ ଝିଅ ଭଲ ନୁହଁନ୍ତି।ହେଲେ ଯେତେଦୂର ଲାଗୁଥିଲା ଝିଅଟା ଏତେ ଖରାପ ସ୍ୱଭାବର ନଥିଲା। ବର୍ଷାର ଛିଟା ଜୋରରେ ପଡିବାରୁ ଆଉ ଟିକେ ମୋ ପାଖକୁ ଘୁଞ୍ଚି ଆସିଥିଲା। ମୁଁ ଭଦ୍ରାମି ଦେଖେଇବାକୁ ଯାଇ ଲେଫଟ୍ ସାଇଡ୍ କୁ ଆଉ ଟିକେ ଘୁଞ୍ଚି ଆସିଥିଲି। ମୋ ପଟେ ବି ବର୍ଷାର ଛିଟା ସେମିତି ଜୋରରେ ହେଉଥାଏ। ତଥାପି ବସିଲି। 


କେବେ ପବନରେ ତା ଭିଜା ଭିଜା ଓଢଣୀ ଉଡିଯାଇ ମୋ ହାତରେ କାନ୍ଧ ସାଇଡ୍ ରେ ବାଜି ଯାଉଥାଏ। ଗୋଟେ ଅଜବ ପ୍ରକାର ମହକରେ ଭରିଥିଲା ତା ଭିଜା ଓଢଣୀ। ସେ ବର୍ଷାର ଭିଜା ଭିଜା ପାଗରେ ଯେମିତି ତା ଓଢଣୀର ମହକ ମିଶି ଯାଉଥିଲା। କିଛି ସମୟ ପରେ ଜୋରରେ ପବନ ହେଲା। ଏମିତି ଓଦା ପାଗରେ ପବନରେ ଯେମିତି ବର୍ଷାର ଛିଟା କୁଆପଥର ପରି ଲାଗିଲା । ମୋ ପକ୍ଷରେ ଆଉ ବସିବା ସମ୍ଭବ ହେଉ ନ ଥାଏ। 


ମୁଁ ଟିକେ ସେପଟ ସାଇଡ୍ କୁ ଘୁଞ୍ଚି ଗଲି। ଝିଅଟି କିନ୍ତୁ ପୂର୍ବ ପରି ତା'ର ସେଇ ଜାଗାରେ ବସି ରହିଥାଏ।ମୋତେ ଖରାପ ଲାଗୁଥିଲା ଗୋଟେ ଝିଅର ଏତେ ପାଖରେ ବସିବା। ହେଲେ ମୁଁ ବାଧ୍ୟ ହୋଇଥିଲି। ଭାବୁଥିଲି ଆଜି ଘରକୁ ଗଲା ପରେ କାଲି ବୋଧେ ଆଉ କଲେଜ ଆସି ପାରିବିନି। କେମିତି ଆସିବି? ବେଡ୍ ରୁ ଉଠି ପାରିଲେ ତ! ହଁ ଭାବିଲି କିଛି ସମୟ ପରେ ଝିଅଟି ଘୁଞ୍ଚି ଯିବ। ହେଲେ ସେମିତି କିଛି ହେଲାନି। ପ୍ରାୟ ଦୁଇ କିଲୋମିଟର ଯିବା ପରେ ଆଉ ଜଣେ କଲେଜ ବଏ ସିଟି କଲେଜର ପ୍ଲସ୍ ଥ୍ରୀ ଷ୍ଟୁଡେଣ୍ଟ ଥିଲା ଅଟୋରେ ବସିବା ପାଇଁ ହାତ ଦେଖେଇଥିଲା। ଅଟୋବାଲା ରହିଥିଲା। ସେ ପୁଅଟି ଝିଅର ସାଇଡ୍ ରେ ବସିଥିଲା। ଝିଅଟି ଆଉ ଟିକେ ମୋ ପାଖକୁ ଘୁଞ୍ଚି ଆସିଥିଲା।ତା କାନ୍ଧ ମୋ କାନ୍ଧରେ ବାଜୁଥିଲା। ଏ ପର୍ଯ୍ୟନ୍ତ ଲାଗୁଥିଲା ଝିଅଟି ଠିକ୍ ରେ ବସିଥିଲା। ହେଲେ ଯେତେବେଳେ ଠୁ ସେ ପୁଅଟି ତା ସାଇଡ୍ ରେ ବସିଛି ଯେମିତି ଲାଗୁଛି ସେ ନିଜକୁ ଅସହଜ ମନେ କରୁଛି। 


ପୁଅଟି ଚୁପଚାପ ତା ପାଖକୁ ଲାଗି ଆସୁଛି। ଯାହାକୁ ଝିଅଟି କହି ନ ପାରି ମୋ ଆଡକୁ ଘୁଞ୍ଚି ଆସୁଛି। ତାକୁ କଣେଇ କଣେଇ ଚାହୁଁଛି। ତଥାପି ସେ ପୁଅଟି କୋଉ ଗୋଟେ ହିନ୍ଦୀ ଫିଲ୍ମର ଗୀତ ଗୁଣୁ ଗୁଣୁ ହେବାରେ ବ୍ୟସ୍ତ। ନୀଲେ ନୀଲେ ଅମ୍ବର ପେ ଚାନ୍ଦ ଜବ୍ ଆଏ ପ୍ୟାର୍ ବରଷାଏ ହମକୋ ତରଷାଏ.....। ଟିକେ ଟିକେ ସେ ଝିଅକୁ ବି ଚାହୁଁଥାଏ ।ମୋତେ ଖୁବ୍ ରାଗ ଲାଗୁଥାଏ। କିଛି ସମୟ ପରେ କମେଣ୍ଟ ମାରିବାର ସବୁ ସୀମା ଟପିଗଲା। ତା ପାଦ ଆଣି ଝିଅର ପାଦ ଉପରେ ରଖିବା ପରେ ଏକ୍ସକ୍ୟୁଜ୍ ମି ସରି କହିଥିଲା। ଯେମିତି ଅଜାଣତରେ ହୋଇଥିଲା। 


ମୋତେ ତ ଇଚ୍ଛା ହଉଥିଲା ତା କଲର୍ ଭିଡିକି ସେଇଠି ପିଟିବା ପାଇଁ। ତା'ର ଉପସ୍ଥିତିରେ ଆଉ ଗୋଟେ ପୁଅ ଗୋଟେ ଝିଅ ସହିତ ଏମିତି ବ୍ୟବହାର କରିପାରୁଛି। ଯଦି ସେ ନ ଥାନ୍ତା? ସତରେ ଝିଅଟା ସହ ଆଉ କଣ କରିଥାନ୍ତା? ଝିଅଟି ଆଉ କିଛି କହିବା ପୂର୍ବରୁ ମୁଁ ଅଟୋବାଲାକୁ ରହିବା ପାଇଁ କହିଥିଲି। ରହିବା ପରେ ଝିଅଟି ମୋତେ କେମିତି କଣେଇ ଚାହିଁ ଥିଲା। ମୁଁ ତାକୁ ଚାହିଁ କହିଲି -ତଳକୁ ଆସ। ତମେ ଏପଟ ସାଇଡ୍ ରେ ବସିବ। ଝିଅଟି ବୁଝିପାରି ଓହ୍ଲେଇ ଆସିଥିଲା। 


ମୁଁ ବସିବା ପରେ ଏପଟ ସାଇଡ୍ ରେ ବସିଥିଲା। ଏଥର ପୁଅଟି ଗୀତ ଗୁଣୁ ଗୁଣୁ ହେବା ବନ୍ଦ କରି ଦେଇଥିଲା।ଏମିତି ବସି ରହିଥିଲା ଯେମିତି ପୂରା ଭଦ୍ର ଘରର ପିଲାଟା। ଝିଅଟି ଖୁସିରେ ସେପଟେ ବାହାରକୁ ହାତ ବଢେଇ ପାଣିର ଛିଟାରେ ଖେଳିବାକୁ ଲାଗିଲା। ମୋତେ ଦେଖିବାକୁ ଭଲ ଲାଗୁଥିଲା। ତା ଠୁ ମୁଁ ଟିକେ ଦୂରରେ ବସିଥିଲି। ହେଲେ ସେ ମୋ ପାଖକୁ ଘୁଞ୍ଚି ଘୁଞ୍ଚି ଆସିଥିଲା। ବ୍ୟାଗ୍ ଖୋଲି ପର୍କ ଚକୋଲେଟ୍ ଖାଇଥିଲା। 


ତାପରେ କେହି ଜଣେ ସ୍ତ୍ରୀ ଲୋକ ଉଠିଥିଲେ ଗାଡିକୁ। ଝିଅଟି ଏଥର ମୋ ପାଖରେ ଏମିତି ନିକଟତର ହୋଇ ବସିଥିଲା ଯେମିତି ସେ ମୋତେ ଆଗରୁ ଜାଣିଛି। ଯେମିତି ମୁଁ ତା କ୍ଲାସ୍ ମେଟ୍। ଯେମିତି ଆମେ କ୍ଲୋଜ୍ ଫ୍ରେଣ୍ଡ୍। ସ୍ତ୍ରୀ ଲୋକଟି ଟିକେ ମୋଟା ହୋଇଥିବାରୁ ତାକୁ ଅଳ୍ପ ଜାଗାରେ ବସିବାକୁ ପଡିଥିଲା। ତଥାପି ସେ ସେମିତି କିଛି ଅଶ୍ୱସ୍ତିକର ପରିବେଶରେ ରହିବା ପରି ଲାଗୁ ନ ଥିଲା। ବେଳେବେଳେ ଗାଡି ହମ୍ପସ ଅତିକ୍ରମ କଲା ବେଳେ ଝିଅଟି ମୋ ଆଡକୁ ଢଳି ଯାଉଥିଲା। ମୁଁ ତାକୁ ଚାହୁଁଥିଲି ହେଲେ ସେ ଆଉ କେଉଁ ଭାବନାରେ ରହିବା ପରି ଲାଗୁଥିଲା। 


ଭାବୁଥିଲି ଘରଟା ରାଜନଗର ଠାରୁ ଆଉ ଟିକେ ଦୂରରେ ହୋଇ ଥାନ୍ତା କି? ଆଉ କିଛି ସମୟ ତା ସହ ବସିବାର ସୁଯୋଗ ମିଳିଥାନ୍ତା। କିଛି ସମୟ ପରେ ଆମ ଉଭୟଙ୍କ ସାଇଡ୍ ରେ ବସିଥିବା ପାସେଞ୍ଜର ଚାଲି ଯାଇଥିଲେ। ଏଥର ମୁଁ ଟିକେ ଘୁଞ୍ଚି ଯାଇଥିଲି। ସାରା ଅଟୋଟା ଖାଲି ଖାଲି ଲାଗିଲା। ଝିଅ ଟିର କଲ୍ ଆସିଲା ଘରୁ। ତା ମାମା କରିଥିଲେ। ବୋଧେ ପଚାରିଥିଲେ-ରେନିକୋଟ ନେଇଛୁ? ଝିଅ ଟି ମନା କରି କହିଥିଲା-ମାମା ରେନିକୋଟ୍ ଆଣିବା ପାଇଁ ଭୁଲି ଯାଇଥିଲି। 


ଅଥଚ ମୋ ସାମନାରେ ସେ ରେନିକୋଟ୍ ଟି ବାହାର କରି ସଜାଡି ରଖୁଥିଲା। ବୋଧେ ଝିଅଟିକୁ ବର୍ଷାରେ ଭିଜିବାକୁ ଲାଗେ। ଯିଏ ବର୍ଷା ଠାରୁ ଆହୁରି ସୁନ୍ଦର ସେ ବର୍ଷା ରେ ଭିଜିବା କଣ ଦରକାର? ବର୍ଷାକୁ ଏତେ ଭଲ ପାଉଥିବା ସେ ଝିଅଟିକୁ ଦେଖି ପ୍ରଥମଥର ବର୍ଷାରେ ମୋତେ ଭିଜିବା ପାଇଁ ଭଲ ଲାଗୁଥିଲା। ରାଜନଗର ହେବା ପାଇଁ ଆହୁରି ହାଫ୍ କିଲୋମିଟର ଥାଏ। ପାଞ୍ଚମିନିଟ୍ ର ରାସ୍ତା।


ଝିଅଟି ଘଣ୍ଟାରେ ଟାଇମ୍ ଦେଖିଲା। ଅଟୋ ରଖିବା ପାଇଁ କହିଲା। ଅଟୋବାଲାକୁ ପଇସା ଦେଇ ଚାଲିଗଲା। ମୁଁ ତା ଯିବା ବାଟକୁ ଚାହିଁ ରହିଥିଲି। ବେଶୀ ସମୟ ଚାହିଁ ପାରି ନ ଥିଲି। କାହଁକି ନା ଅଟୋବାଲା ଆଗକୁ ଯିବା ପାଇଁ ଚାହିଁ ଥିଲେ। 


ରାଜନଗରରେ ଓହ୍ଲେଇ ଘରକୁ ଯିବା ପରେ ମାମା ବିଗିଡିଥିଲା ଖୁବ୍ ଜୋରରେ। କାହିଁକି ରେନିକୋଟ ନେଇ ନ ଥିଲୁ। ହେଲେ ମୋତେ ସେ ସବୁ କିଛି ଦେଖା ଯାଉ ନ ଥିଲା।ଦେଖା ଯାଉଥିଲା ଖାଲି ସେ ସରଳ ଝିଅଟିର ମୁହଁ। ସେ ଝିଅ ମୋ ଜୀବନ ଶ୍ରାବଣରେ କିଛି ସମୟ ପାଇଁ ବର୍ଷା ସାଜି ଚାଲି ଆସିଥିଲା।ଅନେକ ଦିନ ଯାଏଁ ଘଟଣାଟି ମୋତେ ସଦ୍ୟ ଘଟଣା ପରି ଅନୁଭବ ହୋଇଥିଲା।ପରେ ପରେ ପାଲଟି ଯାଇଥିଲା ମୋ ଅତୀତର ଏକ ବର୍ଷା ଭିଜା ମିଠା ସ୍ମୃତି। 


ଯେବେ ବି ସେଦିନ ଠାରୁ ଶ୍ରାବଣ ଆସିଛି ବରଷାର ଟୋପା ଆକାଶରୁ ଟିପା ଟିପା ହୋଇ ଝରିଛି ସେବେ ସେବେ ମୋ ଆଖି ଆଗରେ ମେଘମାଳା ପରି ସେ ଝିଅର ଚେହେରା ଭାସି ଆସିଛି। ଭାସି ଆସିଛି ତା ଓଢଣୀର ସେଇ ମିଠା ମହକ। ସେବେ ଠାରୁ ମୋତେ ବର୍ଷାରେ ଭିଜିବା ପାଇଁ ଭଲ ଲାଗୁଛି। ସେଇ ଷୋଳ ବର୍ଷ ବୟସରେ ଯୌବନର ପ୍ରଥମ ପାହାଚରୁ ଆଜି ଯାଏଁ ଅନେକଥର ବର୍ଷାର ପାହାଚରେ ପାଦ ଥାପି ସାରିଛି। ତା ଠାରୁ ସେଦିନ ରେନିକୋଟ୍ ଆଣି କେମିତି ମିଛ କହନ୍ତି ମାମାଙ୍କୁ ସେ କଥା ବି ଶିଖି ଯାଇଛି। 


କିଛି ସମୟ ଭିତରେ ଯିଏ ମୋତେ ଏତେ କଥା ଶିଖେଇ ଦେଇ ଯାଇଥିଲା ସେ ଝିଅ ଟି ସହ ଦୀର୍ଘ ଦଶ ବର୍ଷ ବିତିଯିବା ପରେ ଥରେ ବି ଦେଖା ହୋଇନି। ଅନେକଥର ବର୍ଷା ଭିଜା ପାଗରେ ବସ୍ ରେ ଅଟୋରେ ଯାଉଥିବା ବେଳେ ଭାବିଛି ସେଦିନ ପରି ସେ ଆସି ପଚାରିବ କି ରାଜନଗର ଯିବ? ହେଲେ କେବେ ଶୁଣିନି ସେ ଆକର୍ଷଣୀୟ ସ୍ୱରଟା। 

ସେଦିନର ବର୍ଷା ଭିଜା ସ୍ମୃତି ପରି ମୋ ଜୀବନରେ ଆଉ ସେମିତି ବର୍ଷା ଭିଜା ମିଠା ସ୍ମୃତି ସୃଷ୍ଟି ହୋଇ ପାରିନି। 


ଏବେ ମୁଁ ଗୋଟେ ସଫ୍ଟୱେୟାର ଇଞ୍ଜିନିୟର। କୋଉ ନାମଜାଦା କମ୍ପାନୀରେ କାର୍ଯ୍ୟରତ। ମାମା ମୋର ବାହାଘର ପାଇଁ ବ୍ୟସ୍ତ। ସକାଳୁ ଉଠି ଦିନେ ଅଫିସ ଯିବା ପାଇଁ ତରତର ରେ ବାହାରୁଥିବା ବେଳେ ମାମା ପସନ୍ଦ କରିଥିବା ଝିଅର ଫଟୋଟା ଦେଖିବା ପାଇଁ କହିଲା। 


ମୁଁ କହିଲି-ମାମା! ତୁ ତ ଦେଖିଛୁ ନା! ମୋର କଣ ଦେଖିବା ନିହାତି ଦରକାର? 


ମାମା ବ୍ୟସ୍ତ ହୋଇ କହିଲା-ବାହାଘର କାହାର ହଉଛି ତୋର ନା ମୋର? ଥରେ ତ ଦେଖେ। 


ଇଚ୍ଛା ନ ଥାଇ ବି ଦେଖିବାକୁ ଗଲି ଫଟୋ ପାଖକୁ। ଫଟୋଟି ଟେବଲ ଉପରେ ପଡି ରହିଥିଲା। ମୁଁ ଯିବାର ଦେଖି ମାମା କହିଲା- ଝିଅଟି ଦେଖିବାକୁ ବହୁତ ସୁନ୍ଦର। ତା'ର ଗୋଟେ ନିଜର କମ୍ପ୍ୟୁଟର ଇନଷ୍ଟିଚ୍ୟୁସନ ଖୋଲିଛି। ବହୁତ ସ୍ମାର୍ଟ। ମନେ ମନେ କହିଲି ଯେତେବେଳେ କମ୍ପ୍ୟୁଟର ଇନଷ୍ଟିଚ୍ୟୁସନ ଖୋଲିଛି ସେତେବେଳେ ନିହାତି ସ୍ମାର୍ଟ ତ ହେଇଥିବ। 


- ଶୁଣ୍ ତା ବାପା ମା ସମସ୍ତେ ଏ ବାହାଘରରେ ରାଜି ଅଛନ୍ତି। ଖାଲି ତୁ ହଁ କହିଲେ ହେଲା। 

ମୋର ଗୋଟେ ସାଙ୍ଗ ର କଲ୍ ଆସିଲା। ଫୋନ ରିସିଭ୍ କରିବା ପୂର୍ବରୁ କହିଲି -ମାମା ତା ହେଲେ ମୋର ବି ହଁ କହିଦେ। ମୁଁ ରାଜେଶ୍ ସାଙ୍ଗରେ କମ୍ପାନୀ ର କିଛି କାମ ବିଷୟରେ କଥା ହୋଇ ସାରିବା ପରେ ମାମା ପଚାରିଲା-ଫଟୋ ଦେଖିଲୁ? 

ମୁଁ ମନା କଲି। ନା ମାମା। ଆସିଲେ ଦେଖିବି। ଡେରି ହେଲାଣି।


କାହିଁକି କେଜାଣି ଫଟୋ ଦେଖିବାରେ ମୋର ଇଚ୍ଛା ଆଦୌ ନ ଥିଲା। ଆଜି ବି ବୋଧେ ସେଇ ବର୍ଷା ଭିଜା ଝିଅର ମୁହଁ ମୋ ଆଖି ସାମନାରେ ରହିଥିଲା। ମୁଁ କିଛି କମ୍ପାନୀ ଫାଇଲ ବାହାର କରିବା ବେଳେ ମାମା କହିଲା- ସେ ଝିଅ ଆମ ଘରକୁ ଆଜି ଆସିବ ବୋଲି କହୁଥିଲା। ଥରେ ତୋତେ ଦେଖା କରିବା ପାଇଁ। ମୋତେ ବି ଭଲ ଲାଗିବ ସେ ଆସିଲେ। କଣ କହୁଛୁ? ଆଜି କମ୍ପାନୀରୁ ଟିକେ ଜଲଦି ଫେରି ଆସିଲେ ହବନି? 


ମୁଁ ଦେଖିବା କହି ବାହାରି ଆସିଲି। କମ୍ପାନୀର କାମ ଭିତରେ ମୁଁ ଭୁଲିଗଲି ସେ ଝିଅ କଥା। ଠିକ୍ ଚାରିଟା ବେଳେ ମାମାର କଲ୍ ଆସିଲା। 

-ଆକାଶ୍! ବର୍ଷା ତତେ କଲେଜ ଛକରେ ଅପେକ୍ଷା କରିଛି। ଆସିବା ବେଳେ ନେଇ ଆସିବୁ। 

ମୁଁ କିଛି ନ ଜାଣିଲା ପରି ପଚାରିଲି-କୋଉ ବର୍ଷା? 

-ଘରୁ ବାହାରିବା ପରେ ଘର କଥା ଭୁଲି ଯାଉଛୁ ନା କଣ ? ଯିଏ ତୋର ଆଉ କିଛି ଦିନ ପରେ ସ୍ତ୍ରୀ ହୋଇ ଏ ଘରକୁ ଆସିବ ସେଇ ବର୍ଷା । 


ମୁଁ ଟିକେ ହସି ଦେଇ କହିଲି-ହଉ ମାମା ଯାଉଛି। ହେଲେ ସେ ବର୍ଷା କି ମେଘ ବୋଲି କେମିତି ଜାଣିବି? ମୁଁ ତ ତା ଫଟୋ ଦେଖିନି। 


ମାମା ଜୋରରେ ହସି କହିଲା - ତୁ ନ ଦେଖିଲେ କଣ ହେଲା? ସେ ତତେ ଦେଖିଛି ତୁ ଜଲଦି ଯାନା। ଅଧ ଘଣ୍ଟା ହେଲାଣି ସେ ଠିଆ ହୋଇଛି ବିଚାରା! 


ମାମା ଫୋନ କାଟିଦେଲା। ମୁଁ ସାଙ୍ଗେ ସାଙ୍ଗେ ବାହାରିଗଲି କଲେଜ ଛକ ଆଡେ। କେମିତି କେମିତି ଲାଗୁଥିଲା। ଯେମିତି ପ୍ରଥମଥର ସେଦିନ ବର୍ଷାରେ ଭିଜିବା କଥାଟା ପ୍ରଥମେ ପ୍ରଥମେ ଅଶ୍ୱସ୍ତିକର ଲାଗିଥିଲା। ମୋ ଜୀବନସାଥୀ ହେବାକୁ ଯାଉଥିବା ଝିଅ ର ନାଁ ବର୍ଷା। କଣ ସେ ବର୍ଷାକୁ ବେଶୀ ଭଲପାଏ ନା ବର୍ଷା ଭିଜା ମୁହଁ ପରି ସତରେ ସେ ବର୍ଷାରାଣୀ। ନା ମୋ ଜୀବନରେ ବର୍ଷା ସହ ଅଭୁଲା ସ୍ମୃତିଟେ ଯୋଡା ହେଇଥିବାରୁ ତାର ନାଁ ସେମିତି ହୋଇଛି। 


ସେଦିନ ହୁଏତ ମୁଁ ତାକୁ କିଛି କହି ପାରି ନଥିଲି। ହେଲେ ଆଜି ଯଦି ଦେଖା ହୁଏ ନିଶ୍ଚିତ ତାକୁ ତା ଫୋନ ନମ୍ବର ମାଗିଥାନ୍ତି ଆଉ ବୋଧେ ସିଧା ପ୍ରପୋଜ୍ କରିଥାନ୍ତି। ଆରେ ଏବେ ତ ସେ ସବୁ କଥା ଭାବିବା ପାପ। କାହିଁକି ନା କୋଉ ଗୋଟେ ଝିଅ ଆଖିରେ ମୁଁ ସ୍ୱପ୍ନ ହେଇ ରହିଗଲାଣି।ତା'ର ସବୁ ସ୍ୱପ୍ନକୁ ବାସ୍ତବତାର ରୂପ ଦେବା ପାଇଁ ସେ ମୋ ଉପରେ ଭରସା କରି ସାରିଥିବ।


ଏବେ ମୁଁ ତା'ରି ବିଷୟରେ ଭାବିବାକୁ ଲାଗିଲି। କେମିତି ସେ ହୋଇଥିବ ସାଦାସିଧା ନା ମଡେଲ ପରି। ଅତ୍ୟାଧୁନିକ ଝିଅଙ୍କ ପରି ତା'ର ପରିପାଟୀ ନୁହେଁ ତ? ମୋତେ ସେ ସବୁ ଭଲ ଲାଗେନା। ନା ସେମିତି ହୋଇଥିବ ଯେମିତି ମୋତେ ଭଲ ଲାଗେ। 

ଗାଡିର ସ୍ପିଡ୍ ସ୍ଲୋ କରି ଛକରେ ରହିବା ପୂର୍ବରୁ କେହି ଜଣେ ପଛରୁ ଆୱାଜ୍ ଦେଲା-ରାଜନଗର ଯିବେ? 


ମୋ ବାଇକ୍ ର ଷ୍ଟାର୍ଟ ହଠାତ୍ ବନ୍ଦ ହୋଇଗଲା। ଆକାଶର ରଙ୍ଗ ପୂରା ନୀଳ ଥିଲା। ହେଲେ ମୋତେ ଲାଗିଲା ଯେମିତି କଳା କଳା ମେଘ ଖଣ୍ଡମାନ ବର୍ଷାର ଛିଟା ଅଜାଡି ହେଉଥିଲେ। ଯେମିତି ସେ ଅଭୁଲା ବର୍ଷା ଭିଜା ସ୍ମୃତି ଦିନ ଅଜାଡି ହେଉଥିଲା। ବିନା ମେଘରେ ବି ମୋ ମନ ଓଦା ହୋଇ ଯାଇଥିଲା। କାହିଁକି ନା ସେଦିନରୁ ଖୋଜୁଥିବା ସେଇ ବର୍ଷା ଭିଜା ଚେହେରାଟି ମୋ ସାମନାରେ ଥିଲା। ପାଦତଳୁ ମାଟି ଖସିଗଲା ପରି ଲାଗିଲା। 


ବିଶ୍ୱାସ ହଉନଥିଲା ଭଗବାନଙ୍କର ଏ ଅପୂର୍ବ ସଂଯୋଗ ବିଷୟରେ। ବର୍ଷା ମୋ ଭାବନାରେ ପୂର୍ଣ୍ଣଚ୍ଛେଦ ପକେଇ କହିଲା-ଘରକୁ ଯିବା? 

ମୁଁ ତରତର ହେଇ ବାଇକ୍ ଷ୍ଟାର୍ଟ କଲି। ଆଉ ବର୍ଷା ମୋ ପଛରେ କାନ୍ଧରେ ହାତ ରଖି ବସିଲା। ହସି ହସି କହିଲା -ସେଦିନ ସିନା ଅଧା ବାଟରେ ରହି ଯାଇଥିଲି ଆଜି କିନ୍ତୁ ତମ ସାଙ୍ଗରେ ଯିବି। ବହୁତ ଖୁସି ଲାଗୁଛି। ସେ ପଦକ ଭାଷାରେ ତା ହୃଦୟର ଅନୁଭବକୁ ପ୍ରକାଶ କରିଥିଲା। ମୁଁ କିନ୍ତୁ ମୋ ଖୁସିକୁ ତା ଆଗରେ ବର୍ଣ୍ଣନା କରି ପାରିନଥିଲି। 



Rate this content
Log in

Similar oriya story from Romance