Madhabi Patel

Inspirational

3  

Madhabi Patel

Inspirational

ଶେଷକଥା

ଶେଷକଥା

3 mins
965


ବାପା ମାଆ କେବେବି କାହାର ଶତ୍ରୁ ନୁହଁନ୍ତି ଏକଥା କିନ୍ନରୀ ଆଜି ବୁଝୁଥିଲା । ବାପାଙ୍କର ଶେଷଦର୍ଶନ ପାଇଁ ଖବର ପାଇ ଆସିଥିଲା ଗାଆଁକୁ । ଦୀର୍ଘ ଦଶବର୍ଷ ପରେ ଆଜି ପ୍ରଥମକରି ପାଦ ରଖିଥିଲା ଗାଆଁରେ । 

ଦୁଇଦିନ ହେଲାଣି ବାପା କିଛି ଖାଉ ନ ଥିଲେ । କେବଳ ତରଳ ଜିନିଷ କିଛି ଖାଉଥିଲେ । ଶେଷ ସମୟ ଆସିଗଲାଣି ବୋଲି ବୋଧହୁଏ ଜାଣି ସାରିଥିଲେ । ତା ମାଆକୁ ପାଖକୁ ଡାକି କହିଲେ କିନ୍ନରୀକୁ ଡାକ । ବାସ୍ ସେତିକିରେ ଉମା ଜାଣି ପାରିଲେ ଝିଅପ୍ରତି ତାଙ୍କର ଲୁକ୍କାୟିତ ଭଲପାଇବାକୁ । ଉପରେ ଉପରେ ରାଗ କରୁଥିବା ଗଗନ ବାବୁ ଦିନେ ଝିଅ କିନ୍ନରୀକୁ ନିଜ ପ୍ରାଣଠୁ ବଳି ଭଲ ପାଉଥିଲେ । ତାର ଜନ୍ମଦିନ ଗାଆଁ ସାରା ମିଠା ବାଣ୍ଟିଥିଲେ । ଝିଅର ସବୁ ଅଳି ସେ ପୂରା କରୁଥିଲେ । ପ୍ରଥମ କରି ସେ ତାଙ୍କ ଗାଆଁରୁ ଝିଅଙ୍କ ଭିତରେ କଲେଜ ପଢିଥିଲା । ହେଲେ ପଢିଲା ବେଳେ ଜଣେ ନିମ୍ନ ଜାତିର ପିଲାକୁ ଭଲ ପାଇଥିଲା । ଯାହା ତାଙ୍କ ମନ ଭାଙ୍ଗି ଦେଇ ଥିଲା । ସେ ଗାଆଁର ଗୌନ୍ତିଆ ଥିଲେ । ଗାଆଁର ପ୍ରଜାମାନେ କିଛି ଭୁଲ କଲେ ନ୍ୟାୟ କରୁଥିଲେ । ଅଜାତିରେ ବିବାହ ନିଷେଦ୍ଧ ଥିଲା ତାଙ୍କ ଗାଆଁରେ । 

ନିଜ ଝିଅ ଏ ଭୁଲ କରୁଥିଲା ସେ ମାନିଥାନ୍ତେ କିପରି?

ମନା କରିଦେଖିଲେ ହେଲେ କିନ୍ନରୀ ଗୋଡ ଆଗକୁ ବଢାଇ ସାରିଥିଲା । ସେ ମନୋଜ ସହ ଚାଲିଗଲା ତାଙ୍କ ଇଜ୍ଜତକୁ ପାଦରେ ଦଳି । ମନୋଜର ବାପା ଜଣେ କାଠ କାରିଗର କାମ କରୁଥିଲେ । ଅଭାବ ଭିତରେ ଚାଲୁଥିଲା ତାଙ୍କ ପରିବାର । ଏବେ ପୁଅର ଭୁଲ୍ ପାଇଁ ତାଙ୍କୁ ଆଉ କାମ ବି ମିଳିଲାନି । ମନୋଜ ଓ କିନ୍ନରୀ ସହରକୁ ଚାଲିଗଲେ । ସେଠି ଯାଇ ଏକ ଠେଲା କରି ଚଳୁଥିଲେ । ଅଳ୍ପ ଆୟରେ ସୁଖ ଖୋଜି ନେଇଥିଲେ । 


ହେଲେ ପିତୃହୃଦୟ ଝିଅର ଦୁଃଖ ଦେଖି ଫାଟି ପଡୁଥିଲା । କିନ୍ନରୀ ତାଙ୍କ ହୃଦୟର କଲିଜା ସମ ଥିଲା । ଜାତିଭାଇଙ୍କ ପାଖରେ ନିଜର ମନଭାବନା ପ୍ରକଟ କରୁନଥିଲେ ଅବଶ୍ୟ । ରାଗ କରୁଥିଲେ ଉପରେ ଉପରେ । ତା ନାଆଁରେ ହାଣ୍ଡି ପକେଇ ଦେଇଥିଲେ । ସେ ମରିଗଲା ବୋଲି ଭାବି ନେଇଥିଲେ । ନିଜ ପୁଅ ଦୁଇଜଣ ରମେଶ ଓ ମହେଶକୁ ସବୁ ସମ୍ପତ୍ତି ଭାଗ କରି ଦେଇଦେଲେ । ତଥାପି ଲୁଚାଇ କିନ୍ନରୀ ନାଆଁରେ ପ୍ରତି ମାସ କିଛି ଟଙ୍କା ଜମା କରି ଦେଉଥିଲେ । ନିଜର ନାତି ନାତୁଣୀ ହେଲେ ଏ ଧନ ଦେଇଦେବେ ବୋଲି ଭାବୁଥିଲେ । କିନ୍ନରୀର ଝିଅଟିଏ ହୋଇଥିଲା । ଯାହାକୁ ସେ ଆଜିଯାଏ ଦେଖିନଥିଲେ । 

କିନ୍ନରୀର ମାଆ ବି ସ୍ୱାମୀ ଓ ସମାଜର ଭୟରେ ଝିଅଠୁ ଦୂରେଇ ରହୁଥିଲେ । ହେଲେ ଅନ୍ତର ଭିତରେ ମାଆ ମନ ବିଳପି ଉଠୁଥିଲା । 

ମାଆଙ୍କ ଫୋନ ଖବର ପାଇ କିନ୍ନରୀ ନିଜ ପରିବାର ସହିତ ପହଞ୍ଚିଥିଲା । ବାପାଙ୍କ ପାଦଧରି ଅନେକ କାନ୍ଦିଥିଲା । ପିଲାଦିନର ବାପାଙ୍କ ସ୍ନେହ ସରାଗ ଗୋଟି ଗୋଟି ମନେ ପଡୁଥିଲା । ବାପା ନିଜ କାନ୍ଧରେ ବସାଇ ଗାଧୋଇ ନେଉଥିଲେ କାକୁ । ସାଇକେଲ ଚଲାଇବା ଶିଖାଉ ଥିଲେ କେରିଅରକୁ ପଛଆଡୁ ଧରି|

ସୁନ୍ଦର ସୁନ୍ଦର ଡ୍ରେସ କିଣି ଆଣି ଦେଉଥିଲେ ତାପାଇଁ । ଭାଇମାନଙ୍କଠୁ ବି ବେଶି ଭଲ ପାଉଥିଲେ ତାକୁ । ହେଲେ ଯୋଉଦିନ ସେ ମନୋଜ ସହ ଭାଗିଗଲା ସେଦିନ ତାକୁ ବହୁ କଟୁକଥା ଶୁଣାଇଥିଲେ । ମୋ ପାଇଁ ମରିଗଲୁ ବୋଲି କହିଦେଇଥିଲେ । 


ଆଉ ସେଦିନ ଝିଅ ଓ ନାତୁଣୀକୁ ଦେଖି ଆଖିରୁ ଲୁହ ଗଡାଉଥିଲେ । ତା ହାତରେ ଏକ ପାସବୁକ୍ ଥୋଇ କହିଥିଲେ ତୋ ଝିଅପାଇଁ ମୋ ତରଫରୁ ଏକ ଉପହାର । 

 ତାଙ୍କର ଆଖିର ଅଶ୍ରୁ କହୁଥିଲା ଅନେକ କଥା । ସେ ଏବେ ଭଲରେ କଥା କହି ପାରୁନଥିଲେ । ଅସ୍ପଷ୍ଟ ଭାବରେ କିଛି କହୁଥିଲେ । ତାଙ୍କର ଶେଷକଥା ଥିଲା କ୍ଷମା କରିଦେବୁ । ଭଲରେ ଥାଆ । 

ଏହାପରେ ତାଙ୍କର ଆଖି ମୁଦି ହୋଇ ଯାଇଥିଲା । ସମସ୍ତେ କାନ୍ଦି ଉଠିଥିଲେ । କିନ୍ନରୀ ଭାବୁଥିଲା ସେ କେତେବଡ ଭୁଲ କରିଦେଲା । ବାପାଙ୍କୁ ଶତ୍ରୁ ଭାବୁଥିଲା । ହେଲେ ସେ ତା ପାଇଁ କେତେ ଛଟକି ଥିବେ ସେ କଥା ଅନୁଭବ କରି ପାରିଲା ନାହିଁ । ବାପା ତ ଅଳ୍ପ କହନ୍ତି । 

ଅଳ୍ପ ଭିତରେ ବହୁତ କଥା ଥାଏ ତାଙ୍କର । ପ୍ରତିମାସ ତାପାଇଁ ଟଙ୍କା ସାଇତି ରଖୁଥିଲେ । ଆଉ ସେ ଭାବୁଥିଲା ବାପା ତାକୁ ଭୁଲିଗଲେ?ଜଣେ ବାପା କଣ ନିଜ ସନ୍ତାନକୁ ଭୁଲିପାରେ?ସନ୍ତାନ କିନ୍ତୁ ଭୁଲିଯାଏ ନିଜ ବାପା ମାଆଙ୍କୁ ପରିବାର ଗଢିଲା ପରେ । 

ପାସବୁକରେ ପ୍ରତିମାସ ପଚିଶି ହଜାର ଟଙ୍କା ରଖିଦେଉଥିଲେ ବାପା । ମାଆକୁ ଧରି ସେ ଅନେକ କାନ୍ଦିଥିଲା । ଭାଇ ମାନେ ବି ତାକୁ ଗ୍ରହଣ କରି ନେଇଥିଲେ ବାପାଙ୍କ ପରେ । ବାପାଙ୍କ ଶେଷକଥା ତାର କାନରେ ଗୁଞ୍ଜୁଥିଲା । 



Rate this content
Log in

Similar oriya story from Inspirational