Nityananda Nandi

Tragedy Classics

4  

Nityananda Nandi

Tragedy Classics

ଶେଷ ଉପହାର

ଶେଷ ଉପହାର

5 mins
368


ହଠାତ୍ ଦିନେ ପାଖ ଘରକୁ ଫୋନ ଆସିଲା। ଦଉଡି ଦଉଡି ଯାଇ ଫୋନ ଉଠେଇଲେ ସନ୍ଧ୍ୟା। ଫୋନ ଆସିଥିଲା ମୁନିଗୁଡା ଡାକ୍ତର ଖାନାରୁ । ଡାକ୍ତର କହିଲେ ବହୁ କଷ୍ଟରେ ଫୋନ ନମ୍ବର ପାଇ ଆମେ ଆପଣଙ୍କ ସହିତ ଯୋଗାଯୋଗ କରୁଛୁ। ସବୁ ଶେଷ, ଗୋଟାଏ ରାତିର ଜ୍ଵର, ଔଷଧରେ ନିୟନ୍ତ୍ରଣ ହେଲାନି। ବିଜୟ ଆଉ ଏଇ ଦୁନିଆରେ ନାହାନ୍ତି। ଫୋନ ଖସି ପଡିଲା ହାତରୁ। ପୃଥିବୀଟା ଚାହୁଁ ଚାହୁଁ ଧସିଗଲା ତଳକୁ। ହଠାତ୍ ସମୟ ଆସି ଛିଡା ହୋଇଯାଏ କୋଉ ଗୋଟାଏ ଅବହେଳିତ ମାଇଲ ଖୁଣ୍ଟ ପାଖରେ, ଫୁଲ ପରି ଝଡିଯାଏ ଗୋଟାଏ ଜୀବନ। ଶେଷ ମାଇଲ ଖୁଣ୍ଟ ନାମରେ ପରିଚିତ ହେବାକୁ ଆଉ ସମୟ ଲାଗେନି। ଚାହୁଁ ଚାହୁଁ ପୂର୍ଣ୍ଣଛେଦ ପଡିଗଲା ଗୋଟାଏ ଜୀବନ ପାଇଁ। ବିଜୟ ଆଉ କେବେ ଫେରି ନାହାନ୍ତି ନିଜ ଗାଆଁକୁ। ଏହା ଭିତରେ ଦଶଦିନ, କ୍ରିୟା କର୍ମ ସବୁ ସରିଲାଣି। ଶାଶୁ ଶ୍ଵଶୁର ଭାଙ୍ଗି ପଡିବେ ବୋଲି ସନ୍ଧ୍ୟା ନିଜକୁ ନିୟନ୍ତ୍ରଣ କରି ନେଲେ ଅନେକାଂଶରେ। ରାତିରେ ତକିଆରେ ମୁହଁ ମାଡି ଧଙ୍କି ଧଙ୍କି କାନ୍ଦନ୍ତି ସନ୍ଧ୍ୟା। ଭୁଲି ଯିବାର ଯେତେ ଅଭିନୟ କଲେ ବି ଜୀବନର କିଛି ମୁହୂର୍ତ୍ତ କୁ ଭୁଲି ହୁଏନି। କିଛି ରାସ୍ତା ହାତ ଧରି ଚାଲିଥିଲେ ପଛରେ ଛାଡି ଆସିଥିବା ପାଦ ଚିହ୍ନକୁ କଣ ଏତେ ଶୀଘ୍ର ଭୁଲି ହୁଏ !  ଜମାରୁ ନିଦ ହୁଏନି ସନ୍ଧ୍ୟାଙ୍କୁ। ବିଜୟଙ୍କ କଥା ଖାଲି ମନେ ପଡେ।

"କେତେ ସରଳ ସେ, ମାଛିକୁ ମର ବୋଲି କହନ୍ତି ନାହିଁ। ନା ଗର୍ବ ନା ଅହଙ୍କାର। ଦୁଇ ମାସ ଆଗରୁ ଧାନକଟା ଛୁଟିରେ ଆସିଥିଲେ ସେ ଘରକୁ। ବହୁତ ମଉଜ ମଜଲିସ୍ କରିଥିଲେ ସେ ଆମ ସମସ୍ତଙ୍କ ସହିତ। ମୁନିଗୁଡା ଫେରିଯିବାର ଗୋଟାଏ ଦିନ ଆଗରୁ ଆମେ ସମସ୍ତେ ବସି ଚା ପିଉଥିଲୁ। ମୋର ଦୁଇ ଜଣ ସାଙ୍ଗ ଆସି ଥାଆନ୍ତି ଆମ ଘରକୁ। ମଜା ଥଟ୍ଟା କରୁ କରୁ ସାଙ୍ଗ ମାନଙ୍କୁ କହିଲି ବିଜୟ ମେଟ୍ରିକ୍ ସିଟି, ମୁଁ ବି ଏ ପାସ କରିଛି। ମନଟା ତାଙ୍କ ଭାଙ୍ଗିଯିବାର ଦେଖିଲି ସର୍ବ ସମକ୍ଷରେ। ତଥାପି ସେମିତି କିଛି ପ୍ରତିକ୍ରିୟା ନ ଥିଲା। ସେ କିନ୍ତୁ ତାଙ୍କ ସାଙ୍ଗମାନଙ୍କ ଆଗରେ ସବୁବେଳେ କୁହନ୍ତି "ସନ୍ଧ୍ୟା ବି ଏ ପାସ କରିଛି। ମୁଁ ମେଟ୍ରିକ୍ ସି ଟି"। ସେଥିରେ ତାଙ୍କୁ ବୋଧେ ତୃପ୍ତି ମିଳେ। ମୁଁ ବି ଖୁସି ହୁଏ। ମୋ କହିବାର ଢଙ୍ଗ ହିଁ ଅଲଗା ଥିଲା ସେଦିନ। ସେ ଯେତେବେଳେ ସମସ୍ତଙ୍କ ଆଗରେ ମୋତେ ଉଚ୍ଚା କରି ଦିଅନ୍ତି ସେତେବେଳେ ତାଙ୍କୁ ଶିକ୍ଷାଗତ ଯୋଗ୍ୟତା ତରାଜୁରେ ନିଚା ଦେଖେଇବା ନ ଥିଲା। ରାତିରେ କହିଲି, ମୋର ଭୂଲ ହୋଇ ଯାଇଛି ବିଜୟ। ହସିଦେଇ ମୋ କାନ ଟାଣି ଦେଲେ। କିଛି ଭୂଲ ପାଇଁ ଏମିତି କ୍ଷମା ଥାଏ ବୋଲି ମୁଁ ଜାଣି ନ ଥିଲି। କିଛି ଭୂଲ ଜୀବନର ରାସ୍ତାକୁ ବଦଳେଇ ଦିଏ

ଆଉ କେବେ ଏମିତି ଭୂଲ କରିବି ନାହିଁ ବୋଲି ମନେ ମନେ ଶପଥ ନେଲି। ସେ କିନ୍ତୁ ଆଜି ଆଉ ପାଖରେ ନାହାନ୍ତି, ଚାହିଁଲେ ମଧ୍ୟ ନିଚା ଦେଖେଇ ହେବନି।"ତକିଆ ଟା ଆପେ ଆପେ ଭିଜି ଯାଉଥାଏ ଗଭୀର ନିଦରେ ଶୋଇଗଲେ ସନ୍ଧ୍ୟା। ଦୁଇ ବର୍ଷର ମୁନା ବି ପାଖରେ ଶୋଇଛି। ଏତେ ଘଟଣା ଘଟି ଯାଇଛି ଏହା ଭିତରେ, ମୁନାର ବୟସ ବା କେତେ ଯେ ସବୁ କଥା ବୁଝି ପାରିବ। କିଛି ବୁଝିଛି ଆଉ କିଛି ବଡ ହେଲେ ବୋଧେ ବୁଝିବ। ପନ୍ଦର ଦିନ ପନ୍ଦର ବର୍ଷ ପରି ଲାଗୁଛି। ସମୟ କାଟିବା ସମ୍ଭବ ହେଉନି ସନ୍ଧ୍ୟାଙ୍କ ପାଇଁ। ହାତ ପାଆନ୍ତାର ଅତି ଅନ୍ତରଙ୍ଗ କେହି ଜଣେ ହାତ ଛାଡ଼ିଦେଲେ ଅସହାୟ ହେବାକୁ ପଡେ। ସାପସିଡିର ଅନିଶ୍ଚିତ ଖେଳ ପରି ଲାଗେ ଜୀବନଟା। ହାରି ଯିବାର ଭୟ ଭିତରେ କ୍ଷୀଣ ହେଇଯାଏ ଜିତିବାର ସମ୍ଭାବନା। ଭାରି ଚୁପ୍ ଚାପ୍ ହେଇ ଯାଉଥିଲେ ସନ୍ଧ୍ୟା। ବିଜୟ ଯିବା ପରେ ଆଜି ସତର ଦିନ। ପୋଷ୍ଟ ପିଅନ ଆସି ଚିଠି ଟିଏ ବଢେଇ ଦେଲା। ଏଇଟା ତ ବିଜୟଙ୍କ ଚିଠି ! ତାରିଖ ଦେଖିଲେ ସନ୍ଧ୍ୟା, କୋଡିଏ ଦିନ ଆଗରୁ ସେ ଚିଠି ଲେଖିଥିଲେ। ପ୍ରଥମ ଥର ପାଇଁ ଆଖିରୁ ଲୁହ ବହି ଆସିଲା ସର୍ବ ସମକ୍ଷରେ। ସାହସ କରି ସନ୍ଧ୍ୟା ଖୋଲିଲେ ଚିଠି କୁ

ସନ୍ଧ୍ୟା

ଏଇ ଚିଠି ତମେ କେବେ ପାଇବ ମୁଁ ଜାଣେନି। ମୁନିଗୁଡାରୁ ଦଶ କିମି ଦୂର ଜଙ୍ଗଲ ଭିତରେ ଆମ ସ୍କୁଲ ଅବସ୍ଥିତ। ଡାକ ବାକ୍ସଟିଏ ଝୁଲୁଛି ସ୍କୁଲ ଗେଟ୍ ପାଖରେ। ଦୁଇ ଚାରି ଦିନରେ ଥରେ ଆସି ଡାକ ବାଲା ଚିଠି ନେଇଯାଏ। ନିଘଂଚ ଜଙ୍ଗଲ, କେହି ଆସିବାକୁ ସାହାସ କରନ୍ତି ନାହିଁ। ରବିବାର ଦିନ ସ୍କୁଲ ଛାତ ଉପରକୁ ଯାଇ ତମକୁ ଫୋନ୍ ଲଗେଇବାକୁ ଚେଷ୍ଟା କରିଥିଲି। ବହୁ କଷ୍ଟରେ ସିଗ୍ନାଲ ପାଇଲି, ତମେ ହେଲୋ କଲ। ତା ପରେ ଫୋନ କଟିଗଲା। ବହୁତ ବାଡା ବାଡି କଲି ଡବା ଫୋନଟାକୁ। କିଛି ଲାଭ ହେଲାନି। ଯା ହେଉ ତମ ସୁମଧୁର କଣ୍ଠ ସ୍ବର ଗୋଟେ ମୁହୂର୍ତ୍ତ ହେଉ ପଛେ ଶୁଣି ଧନ୍ୟ ହେଲି। ଆଉ କେବେ ଫୋନ ଲାଗିବ ନା ତମ ସାଥିରେ ପୁଣି ଥରେ କଥା ହେଇ ପାରିବି ! ମୁନା ମୋ କଥା ପଚାରେ କି ନାହିଁ ?

ହଁ, ଜାଣିଛ ଆଉ ଦୁଇ ମାସ ପରେ ପୂଜାକୁ ଘରକୁ ଯିବି। ମୁନିଗୁଡା ରେ ବାର ମାସ ସପୁରୀ ଚାଷ ହୁଏ। ଭାରି ମିଠା। ଭାବୁଛି ଯିବା ବେଳକୁ ଦଶ ପନ୍ଦରଟା ନେଇଯିବି। ପଡୋଶୀ ବନମାଳୀ ମଉସାଙ୍କ ସହିତ ଆଉ ଶତ୍ରୁତା ରଖିବାକୁ ମୁଁ ଚାହୁଁନି। ତାଙ୍କ ଘରକୁ ଗୋଟାଏ ସପୁରୀ ପଠେଇ ଚାଲ ଆଉ ଥରେ ସମ୍ପର୍କ ଗଢ଼ିବା। ଦରକାର ବେଳେ ପଡୋଶୀ ହିଁ କାମରେ ଆସନ୍ତି। ସମ୍ପର୍କ ବହୁତ କୋମଳ ସନ୍ଧ୍ୟା, ବାର ବାର ଆଘାତ ପାଇଲେ ଦାଗ ହେବାଟା ସ୍ଵାଭାବିକ। ସମୟ ଦେଖି ମରାମତି କରିବାକୁ ହୁଏ ସମ୍ପର୍କକୁ। ଦେଖିବାକୁ ଗଲେ ବନମାଳୀ ମଉସା ଭାରି ଭଦ୍ରଲୋକ। କୁନି ମାଉସୀର ପୁଅ ବାହା ଘରକୁ ଶାଢୀ ସହିତ ପାଞ୍ଚ ଶହ ଟଙ୍କା ପଠେଇ ଦେବ। ରାଗ ରଖିଲେ କିଛି ସମାଧାନ ହୁଏନି ସନ୍ଧ୍ୟା। ଆମ ବାହା ଘରକୁ ତାଙ୍କ ଘରୁ କିଛି ଆସି ନ ଥିଲା ବୋଲି ବୋଉର ଜିଦ୍ କିଛି ଦେବେନି ତାଙ୍କ ବାହାଘରକୁ। କଥା ମାଜିଲେ ମୋଟା। କିଏ ଆଉ ସଂସାରରେ ସବୁ ଦିନ ରହୁଛି କହିଲ। ବୋଉକୁ ବୁଝେଇବା ଦାୟିତ୍ଵ ତମ ଉପରେ ଛାଡିଲି। ବୋଉ କଥା ବେଶି ଧରିବନି। ମୁଁ କଣ ସବୁବେଳେ ତମ ପାଖରେ ରହିବି। ବୋଉ ହିଁ ସବୁ କଥା ବୁଝିବ, ଠିକ୍ ତମ ମା ପରି। ଭାରି ଦରଦୀ ମୋ ବୋଉ, ମୁହଁ ଉପରେ ଇଆଡୁ ସିଆଡୁ କହିଦିଏ ସିନା, ଭିତରଟା କିନ୍ତୁ ଭାରି କୋମଳ। ବାପା, ଭୋଳା ମହେଶ୍ୱର।  କାହାକୁ କିଛି କହନ୍ତି ନାହିଁ।  କାଲି ହେଡ ମାଷ୍ଟରଙ୍କୁ କହିଲି ମୋ ସ୍ତ୍ରୀ ସନ୍ଧ୍ୟା ବି ଏ ପାସ କରିଛି। ମୋ ଆଡକୁ ଘଡିଏ ଅନେଇଲେ, ମୁଁ ହସି ଦେଲି। ତମର ପ୍ରଶଂସା କଲେ କାହିଁକି କେଜାଣି ମୋତେ ଭଲ ଲାଗେ, ମୁଁ ଜାଣିନି। ନୂଆ ଘର ନକ୍ସା ମୁଁ ସାର୍ ମାନଙ୍କୁ ଦେଖଉଥିଲି। ଟିକିଏ ବଦଳେଇବାକୁ ହେବ। ବାସ୍ତୁ ହିସାବରେ କୁଆଡେ ଅମଙ୍ଗଳ ହେବ ବୋଲି ସେମାନେ କହୁଛନ୍ତି। ବାପାଙ୍କୁ ବୁଝେଇ ଟିକିଏ ବଦଳେଇ ଦେବା। ପାଞ୍ଚ ମାସର ଦରମା ଏକା ଥରେ ପୂଜା ସମୟରେ ମିଳିବ। ତମ ପାଇଁ କଣ ଆଣିବି କୁହ ?

ମୁନାକୁ ସବୁଦିନ ହର୍ଲିକ୍ସ ପିଇବାକୁ ଦେବ। ତାକୁ ବି ଷ୍ଟ୍ରଙ୍ଗ ହେବାକୁ ପଡିବ। ଯାହା ହେବ ଏଇ ପିଲାବେଳେ। ଆଗକୁ ଆମେ ତା ସହିତ ଥିବା କି ନ ଥିବା କିଏ ଜାଣିଛି। ଜୀବନଟା ଏତେ ସହଜ ନୁହେଁ, ତାକୁ ସଂଗ୍ରାମ କରିବାକୁ ହିଁ ପଡିବ।

ଖରା ଛୁଟିରେ କହୁଥିଲ ତମ ମଙ୍ଗଳସୂତ୍ରର ସୂତା ଛିଣ୍ଡି ଯାଇଛି। ଆନ୍ଧ୍ର ପ୍ରଦେଶରୁ ଗୋଟାଏ ବିଶେଷ ଧରଣର ସୂତା ଆସେ, ଖାସ୍ ମଙ୍ଗଳସୂତ୍ର ପାଇଁ। ତମ ପାଇଁ ମୁଁ କିଣିଛି। ଏଆର ବେଗ ସାଇଡ ପ୍ୟାକେଟରେ ରଖି ସାରିଛି। ଆଜି ଏତିକିରେ ଥାଉ, ବାକି ଯାହା ରହିଲା ପରେ ଲେଖିବି। ବିଜୟ...

ସନ୍ଧ୍ୟା ଧାଇଁ ଗଲେ ବିଜୟଙ୍କ ପାଖରୁ ଫେରି ଆସିଥିବା ଏଆର ବେଗ ପାଖକୁ। ସାଇଡ ପ୍ୟାକେଟରେ ହାତ ପୂରେଇ ଖୋଜିଲେ କଣ ଅଛି ତା ଭିତରେ। କାଗଜ ପୁଟୁଳା ଭିତରେ ମଙ୍ଗଳସୂତ୍ର ପାଇଁ ସୂତା। ଆଖିରୁ ପୁଣି ଥରେ ଲୁହ ବହି ଆସିଲା। ବାପା ପଚାରିଲେ କାନ୍ଦିଲ କାହିଁକି, କଣ ଲେଖିଥିଲା ବିଜୟ ସନ୍ଧ୍ୟା କହିଲେ, ବିଜୟ ଲେଖିଛନ୍ତି , ବାସ୍ତୁ ହିସାବରେ ଘରର ନକ୍ସା ଟିକିଏ ବଦଳେଇବାକୁ ହେବ। ଜୀବନରେ ପ୍ରଥମ ଥର ପାଇଁ ଶ୍ଵଶୁରଙ୍କ ଆଖିରେ ଲୁହ ଦେଖି ସନ୍ଧ୍ୟା ନିଜକୁ ନିୟନ୍ତ୍ରଣ କରି କହିଲେ ବାପା ! ତମେ ଦିନେ କହିଥିଲ ଜୀବନଟା ଗୋଟାଏ ସତରଞ୍ଜ ଖେଳ ପରି। କେତେବେଳେ କିଏ ଟଳି ପଡିବ କିଏ ଜାଣିଛି। ସମ୍ଭାବନା ଭିତରେ ହିଁ ଜୀବନକୁ ଖୋଜିବାକୁ ହେବ। ଶ୍ଵଶୁର କୋଳେଇ ନେଲେ ସନ୍ଧ୍ୟାଙ୍କୁ।  ବୋହୂ ! ମୁଁ ଅଛି, ତମେ ଅଛ, ତମ ଶାଶୁ ଅଛନ୍ତି ଆଉ ମୁନା ବି ଅଛି ଆମ ସାଥିରେ। ଏତେ ଶୀଘ୍ର ହାରିବାର ପ୍ରଶ୍ନ ଉଠୁନି। ହଁ, ବିଜୟ କହିଛି ଯେତେବେଳେ ଘର ନକ୍ସା ବଦଳେଇ ଦେବା।  ଶ୍ୱଶୁରଙ୍କ କଥା ଶୁଣି ସନ୍ଧ୍ୟା ଆଉ ଥରେ କାନ୍ଦି ପକେଇଲେ। ହାତ ମୁଠା ଭିତରେ ଥିବା ମଙ୍ଗଳସୂତ୍ର ସୂତାଟିକୁ ଲୁଚେଇକି ରଖିଲେ ଗୋଟାଏ ଡବା ଭିତରେ । ନ ପିନ୍ଧି ପାରିଲେ କଣ ହେଲା, ବଞ୍ଚିଥିବା ପର୍ଯ୍ୟନ୍ତ ବାର ବାର ବିଜୟଙ୍କୁ ମନେ ପକେଇ ପାରିବେ ଏଇ ଅମୂଲ୍ୟ ଆଉ ଶେଷ ଉପହାର ମାଧ୍ୟମରେ ।


Rate this content
Log in

Similar oriya story from Tragedy