Gargi Mishra

Horror Tragedy Fantasy

4.1  

Gargi Mishra

Horror Tragedy Fantasy

ଶେଷ ମେସେଜ

ଶେଷ ମେସେଜ

4 mins
326



            


ଆଖିରେ ଆଖି ପଡିଗଲା ହଠାତ ...ରଂକୁଣିଙ୍କ ପରି ଚାହିଁ ରହିଥାଏ ସେମିତି l ଯେବେ ପ୍ରଥମଦିନ ଦେଖା ହେଇଥିଲା, ଏମିତିକା ଆଖିରେ ଆଖି ମିଶି ଯାଇଥିଲା ଆଉ ଆଖିରେ ଆଖିରେ ପ୍ରେମ ହେଇ ଯାଇଥିଲା ମୃତ୍ୟୁଞ୍ଜୟଙ୍କର ସ୍ନେହାସହ l 


ବାଲେଶ୍ୱର ଫେରି ରାତିଟା ମା' ପୁଅ ଶୋଇ ନଥିଲେ ବୋଲି ଶାଶୁ କହିଥିଲେ ମୁରକି ହସି l କେବଳ ତାରି କଥା ପଡିଥିଲା l ମୁହଁଦେଖା ବାବଦରେ କିଛିପଇସା ଦେବା ପାଇଁ ମାଗିଲାଠୁଁ ଦୁଇ ଜାଗାରେ ପାଞ୍ଚହଜାର-ପାଁଶହ ବଢ଼ାଇ ଦେଇଥିଲେ ମୃତ୍ୟଞ୍ଜୟ ଚଟାପଟ ୱାଲେଟ ଖାଲିକରି l  ମୁହଁରେ ଲୁଗା ଜାକି ହସିଦେଇଥିଲେ ଶାଶୁ l ଜାଣି ପାରିଥିଲେକି ପୁଅର ଖୁବ ମନ ଆସିଯାଇଛି ସ୍ନେହା ଉପରେ l


ଏହା ଭିତରେ ପନ୍ଦର ବର୍ଷ ବିତି ଗଲାଣି l


କିଛିପୁରୁଣା କଥା ମନରେ ଜୋକପରି ଲାଖି ରହିଯାଏ l ରକ୍ତ ଚୁସି ଚୁସି ଛାଡେ ନାହିଁ l ଜବରଦସ୍ତି ଛଡେଇ ଦେବାକୁ ପଡେ,ହେଲେ ରକ୍ତ କ୍ଷରଣ ବନ୍ଦ ହେଲେ ସିନା!!


ସେପାରେସନର ଚାରିବର୍ଷପରେ ଏବେ ଦେଖାଚାହାଁ l


ଭୌତିକ ରୂପେ ଅଲଗା ହେଇ ମଧ୍ୟ ମାନସିକରୂପେ କାହିଁ ଉଭୟ ଅଲଗା କେବେ ହେଇନାହାନ୍ତି କେଜାଣି? କ୍ଷଣକ ପାଇଁ ନୁହେଁ କି ନିମିଷକ ପାଇଁ ବି ନୁହେଁ,


ନମ୍ବର ବ୍ଲକ କରିବି ସୁକ୍ଷ୍ମସ୍ତରରେ ଉଭୟ ଗଭୀର ଭାବେ ଜଡିତ ଆଉ ପ୍ରତିଦିନ କଥାବାର୍ତ୍ତା ଅନବିରତ l


ଯେବେ ଭାବିଲେ ସେବେ ମୃତ୍ୟୁଞ୍ଜୟ 'ଓ' କରନ୍ତି ଓ ସ୍ନିଗ୍ଧାବି କୌଣସି କଥା ସବୁବେଳେ ପ୍ରଥମେ ସ୍ୱାମୀ ମୃତ୍ୟୁଞ୍ଜୟଙ୍କୁ ହିଁ ଭିତରେ ଭିତରେ ଜଣାନ୍ତି l ଏସବୁ କ୍ରିୟା ପ୍ରତିକ୍ରିୟା କେବଳ ଅତିଭୌତିକ ସ୍ତରରେ ....ଏକଥା ଦୁହିଁଙ୍କ ଭିତରେ ଘଟିଯାଏ l ଏହାର କୌଣସି ବୈଜ୍ଞାନିକ କାରଣ କି ପ୍ରଣାମ ନଥାଏ l


ତାଳୁକୁ ଉଠିଲେ ବୋଉ ଆଗରୁ କହେ କିଏ ମନେ ପକଉଛି ବୋଲି l ଏମିତି ଅଦ୍ଭୁତ କଥାଯେ ବୋଉର... ଆଗରୁ ତାକୁ କେଡେ ଅବାସ୍ତବ ଲାଗୁଥିଲା.. ନୂଆ ନୂଆ ବିଜ୍ଞାନ ପଢି କେତେ ଯୁକ୍ତି କରୁଥିଲା ସେ??


କିନ୍ତୁ ଯେବେ ବୋଉ ତାକୁ କହିଲା, ଅଜା ଚାଲିଗଲେ ଆଉ ପନ୍ଦର ମିନିଟ ପରେ ଫୋନଆସିଲା ଅଜା ପ୍ରକୃତରେ ଚାଲିଗଲେ ବୋଲି ସେଦିନ ତା'ର ବିଶ୍ୱାସ ହେଲା ଯେ ବିଜ୍ଞାନ ବାହାରବି ଗୋଟେ ଦୁନିଆ ଅଛି l


ସେବେଠୁ ନିଜ ଭିତରେ ହେଉଥିବା ସୁକ୍ଷ୍ମ ପ୍ରତିକ୍ରୀୟାକୁ ସେ ଗୁରୁତ୍ତ୍ୱ ଦେବା ଆରମ୍ଭ କଲା l 


ମୃତ୍ୟୁଞ୍ଜୟଙ୍କର ବଦରାଗୀ ସ୍ଵଭାଵ ଆଉ ମଝିରେ ମଝିରେ ଗର୍ଜନ ତର୍ଜନ ହାତ ଉଠାଇବା ଆଦି ଯଦି ବନ୍ଦ ହୋଇଯାଇଥାନ୍ତା ତେବେ ଅଲଗା ରହିବାର କୌଣସି ସେମିତି ଠୋସ କାରଣବି ନଥିଲା l ଭରସା , ଭଲପାଇବା ଆଉ ଭରଣପୋଷଣ - ବୈବାହିକ ଜୀବନରେ ଏ ତିନୋଟି ଛଡା ଆଉ ଗୋଟିଏ ଜିନିଷ ବହୁତ ଗୁରୁତ୍ତ୍ୱପୂର୍ଣ୍ଣ ତାକୁ କହନ୍ତି 'ସମ୍ମାନ' l


ସମ୍ମାନ ଦେଲେ ସମ୍ମାନ ମିଳେ l ଆଜି ଚାରିଆଡେ ନାରୀ- ସମ୍ମାନ, ନାରୀର ମର୍ଯ୍ୟାଦା ଆଉ ମୌଳିକଅଧିକାର କଥା ପଡିଛି l ଶିକ୍ଷିତ ହୋଇ ମୃତ୍ୟୁଞ୍ଜୟ ଏତିକି ଜାଣିଲେନି ଏସବୁର ଆକ୍ଷରୀକ ଅର୍ଥ l ଅନେକ ଚେତାବନୀ ଅନେକ କଥାବାର୍ତ୍ତା ପରେ ସ୍ନେହା ଜୀବନରେ ନିଜର ସ୍ୱାମୀର ଭୂମିକାଟି ହରାଇଲେ l


ହେଲେ ଆଗକୁ ମୁଭଅନ କରିବା କଥା ଭାବିନାହାନ୍ତି l କେଜାଣି କଣ ବାନ୍ଧିରଖିଛି ତାଙ୍କୁ? 


ମୃତ୍ୟୁଞ୍ଜୟ ଭାବୁଥାନ୍ତି, ତାଙ୍କଠୁଁ ଦୂରରେ ହେଲେ ବି ମାନସିକ ରୂପେ ସେ ନିର୍ଭରଶୀଳ ଆଜିବି କାହିଁକି ସ୍ନେହା ଉପରେ ସେ ନିଜେବି ଜାଣନ୍ତିନି l କେବଳ ସେ କାହିଁକି? ତାଙ୍କ ଘରଲୋକବି l


ଶ୍ୱଶୁରଙ୍କ ମେଡିସିନ ଠୁ ନେଇ ଶାଶୁଙ୍କ କହିବା ଅନୁଯାଇ ବନ୍ଧୁବାନ୍ଧବ ଚର୍ଚ୍ଚା, ନିତିନିୟମ, ପୂଜାପର୍ବ,ଦିଆ- ନିଆ ସବୁଥିରେ ତାକୁ ଖୋଜିବା ଏତେ ଲଗା ପଘା - ଏସବୁ ଯେମିତି ବିଶ୍ୱାସ ବାହାରେ l


ଦିନେ ନୀଲେଶ ମାମୁଁଙ୍କ ପୁଅ ବାପିର ବାହାଘର ଥାଏ l ବୋହୁର ବାପାଙ୍କୁ ଅସମ୍ମାନ ହେବାପରି ଲାଗିଲାବୋଲି ବାହାଘର ଭାଙ୍ଗିଯିବା ଉପରେଥିଲା l ସେ ସମୟରେ ସ୍ନେହାହିଁ ପରିସ୍ଥିତି ସମ୍ଭାଳି ବାହାଘରଟିକି ଭାଙ୍ଗିଯିବାରୁ ରୋକିଥାନ୍ତି l


ଏରୁଣ୍ଡିବନ୍ଧ ଡେଇଁସାରିଲା ପରେବି କାହିଁକି ଶାଶୂଘର ଲୋକଙ୍କ ଏତେ ବିଶ୍ୱାସ ଆଉ ସ୍ନେହ ତା'ଉପରେ? ହୁଏତ ନିଜ ଚାରିପାଖେ କୃତ୍ରିମ କାଚକାନ୍ଥଟିଏ କେବଳ ମୃତ୍ୟୁଞ୍ଜୟଙ୍କ ପାଇଁ ଥିଲା ସ୍ନେହା ମନରେ l ବାକି ଘରଲୋକଙ୍କ ପାଇଁ ସ୍ନେହର ରଜ୍ଜୁ ସେମିତି ଟାଣହୋଇ ରହିଥିଲା l ଚାହିଁଥିଲେ କାଟିପାରି ଉଡି ଯାଇପାରିଥାନ୍ତା l କେହି ରୋକି ନଥାନ୍ତେ l ନିଜ ପାଇଁ ଅଲଗା ନୀଡ଼ଟିଏ ବି ଗଢି ପାରିଥାନ୍ତା .... କାହିଁକି ଏତେ ଅନୁକମ୍ପା? 


ଆଜି ସେଇ ନୀଲେଶମାମୁଁଙ୍କ ଆକ୍ସିଡେଣ୍ଟ l ରାତିରୁ ସେ ବମ୍ବେରୁ ଫ୍ଲାଇଟ ନେଇ ଆସି ପହଂଚିବା ଆଗରୁ ବାଙ୍ଗାଲୋରରୁ ସ୍ନେହା କେମିତି ଆସି ପହଞ୍ଚି ଯାଇଛି l ବୋଧହୁଏ ଗାଡି ଭଡାକରି l ଅନ୍ୟ ଘରଲୋକମାନେ ଏଯାବତ ରାସ୍ତାରେ l


- ଏବେବି ରାଗିଛ ମୋ ଉପରେ ସ୍ନେହା? କିଛି କୁହ l କେମିତି ଅଛ? ତୁମେ କେମିତି ଏତେ ଜଲଦି ଖବର ପାଇଲ? 


ଗଳାଖଙ୍କାରୀ ଆରମ୍ଭକଲେ ପ୍ରଥମେ ମୃତ୍ୟୁଞ୍ଜୟ l 


ସ୍ନେହା ଏସବୁ ଅଚାନକ ମୃତ୍ୟୁଞ୍ଜୟଙ୍କଠୁଁ ଅପେକ୍ଷା କରୁନଥିଲା l ସେ ଜାଣେ, କେତେ ଅହଙ୍କାରୀ ତା'ସ୍ୱାମୀ l ସମୟ ତାଙ୍କୁ କାଫି ବଦଳେଇ ଦେଇଛି l ବୋଧେ ଦୂରତା ଆଉ ବ୍ୟବଧାନ ଜୀବନ ଅନୁଶୀଳନ ପାଇଁ ନିତାନ୍ତ ଦରକାର l ଯଥାସମ୍ଭବ ଅଳ୍ପକେ ଉତ୍ତରଦେବାକୁ ଚେଷ୍ଟା କଲା


-ମୁଁ ଠିକ ଅଛି ମୃତ୍ୟୁଞ୍ଜୟ l ଦୁର୍ଭାଗ୍ୟପୂର୍ଣ୍ଣ ବିଷୟ, ନୀଲେଶ ମାମୁଁ ମୋ ଘରକୁ ଆସିଥିଲେ l ଆମଘରେ ଦିନଟିଏ ରହି ଝିଅ ରିମିର ବାଙ୍ଗାଲୋର ରେ ଆଡ଼ମିସନକରି ଫେରୁଥିଲେ କୋଲକାତା l 


- ତାଙ୍କର କିଛି ଖବର ମିଳିଲାଣି? ମୃତ୍ୟୁଞ୍ଜୟ ପଚାରିଲେ l 


-ଫୋଟୋ ଫରୱାର୍ଡ଼ କରି ସବୁ ସାଙ୍ଗ ଆଉ ବନ୍ଧୁ ମାନଙ୍କୁ ଦେଇଛି l ମୋ ସହ ଭାଇ , ମାମୁଁ ଆଉ ଚାରୋଟି ସାଙ୍ଗ ଆସିଛନ୍ତି l ସେମାନେ ବାଲେଶ୍ୱର ବଡ଼ ଡାକ୍ତରଖାନା ବାହାରେ l ଆହତଙ୍କ ଲିଷ୍ଟରେତ ଏ ଯାଏ ମାମୁଁଙ୍କ ନାଁ ନାହିଁ l ଲୋକାଲ ଲୋକଙ୍କ ସାହାଯ୍ୟରେ ଯେତିକି ପୀଡିତମାନଙ୍କୁ କଢ଼ା ଯାଇଛି l ରେସକ୍ୟୁକର୍ମୀମାନେ ଆସିଲାପରେ ଟ୍ରେନତଳୁ ଆଉ କିଛି ଲୋକଙ୍କୁ ଉଦ୍ଧାର କରିଛନ୍ତି ବୋଲିଶୁଣା ଯାଉଛି l ନୂଆଲିଷ୍ଟ ଦେଖିବାକୁ ମୋ ମଝିଆ ମାମୁଁ ଯାଇଛନ୍ତି l ମୋ ମନ କହୁଛି ମାମୁଁ ନିଶ୍ଚୟ ଠିକ ଥିବେ l ଆଉଥରେ ଟ୍ରେନ ଧାରଣା ଉପରେ ଆଖିବୁଲାଇ ଆଣୁ ଆଣୁ କହିଲା ସ୍ନେହା l 


ଚାରିଆଡେ ଛିନଛତ୍ର ହୋଇ ଶବ ପଡିଥାଏ l କାହାର ଜୋତା ଖଣ୍ଡେ ଗୋଡ଼ ସହ ଛିଟିକି ପଡିଥାଏ ତ କାହାର ଶର୍ଟରେ ମୁଣ୍ଡ ବିହୀନ ଦେହଟି କେବଳ l ଅକ୍ଷୁର୍ଣ -ଯେମିତି କିଛି ହୋଇନି!


ହଠାତ କିଛି ଦେଖି ଚିତ୍କାର କରି ଉଠି ମୃତ୍ୟୁଞ୍ଜୟଙ୍କୁ ଜାବୁଡି ଧରିଲା ସ୍ନେହା, ମୃତ୍ୟୁଞ୍ଜୟ ପଚାରି ଉଠିଲେ..


- ସ୍ନେହା, ସ୍ନେହା....କଣ ହେଲା କଣ ?


ହାତଠାରି ପଛକୁ ଇଶାରା କଲା ସ୍ନେହା l ହାତଟିଏ ଛିଟିକି ପଡିଛି ଟ୍ରେନ ବାହାରକୁ.... ସେଥିରେ ରକ୍ତ ଜୁଡୁବୁଡୁ ଟିଫିନ l ନୀଲେଶ ମାମୁଁ ହଜାର ନାହିଁ କରିବା ସତ୍ତ୍ୱେ ଜୋର କରି ତାଙ୍କ ବାଟରେ ଖାଇବାକୁ ଦେଇଥିବା ପରଟା ଆଉ ଭଜା ଭର୍ତ୍ତିକରି ଦେଇଥିବା ନୀଳ ଟପରୱେରର ଟିଫିନ l 


ମୃତ୍ୟୁଞ୍ଜୟ ଥରି ଯାଇଥିଲେ l ଫୋନରେ ଶେଷ ମେସେଜଟିକୁ ବାରମ୍ବାର ଦେଖୁଥିଲେ, 


- ବାବୁରେ, ସ୍ନେହା ପରିକା ଭଲ ପାଉଥିବା ଝିଅଟିକୁ ଛାଡି ତୁ ଦୁରେଇ ରହି ପାରୁଛୁ କେମିତି ପାଗଳା ? ତୁମ ଦୁହିଁଙ୍କ କୋଳରେ ଆରଜନ୍ମରେ ମୁଁ ପୁଅଟିଏ ହୋଇ ଜନ୍ମ ହୁଅନ୍ତିନି?


ଅହଙ୍କାରର ବସବର୍ତ୍ତୀ ହୋଇ ସେ ମେସେଜକୁ ଏତେ ଗୁରୁତ୍ତ୍ୱ ଦେଇନଥିଲେ l କିଏ ଜାଣିଥିଲା ତାହା ଶେଷ ମେସେଜ ହୋଇଯିବ ତାଙ୍କର? କହନ୍ତି, ମଣିଷ ଯିବା ଆଗରୁ କିଛି ଆଭାସ ପାଏ l ହୁଏତ ମାମୁଁ ସେମିତି କିଛି ଆଭାସ ପାଇଥିବେ l ପୂର୍ଵଜନ୍ମ ପରଜନ୍ମକଥା କିଏ ଜାଣେ? ସବୁକିଛି ଏଇ ଜନ୍ମରେ ଆଉ ଏ ଜନ୍ମ ଖୁବ କ୍ଷଣସ୍ଥାୟୀ l ମୃତ୍ୟୁଞ୍ଜୟ ଆଉ ସ୍ନେହାଙ୍କୁ ଆଉ ଏକଥା ହେଜିବାକୁ ବାକି ନଥିଲା l


Rate this content
Log in

Similar oriya story from Horror