pritiprajna swain

Tragedy


4.1  

pritiprajna swain

Tragedy


ଶେଷ ଅପେକ୍ଷା

ଶେଷ ଅପେକ୍ଷା

7 mins 27 7 mins 27

ଶେଷ ଅପେକ୍ଷା @@

ପ୍ରୀତିପ୍ରଜ୍ଞା ସ୍ୱାଇଁ

ଗାଁ ଛାତି ଉପରେ ନୁଆଁଣିଆ ଆକାଶ,ବିହଙ୍ଗଙ୍କ କଣ୍ଠରେ ନୀଡ଼ ବାହୁଡା କାକଳି, କ୍ଲାନ୍ତ ଡେଣାରେ ଦିନର ବିଦାୟଲିପି ।ବୈଶାଖର ତାତି ବୋଳା ମାଛି ଅନ୍ଧାର ଭିତରେ ସୂର୍ଯ୍ୟଦେଵ ଧୀରେ ଧୀରେ ଆଖି ବୁଝିଲେଣି । ଚାରି ଦିଗକୁ ଘେରି ରହିଛି ଅସୀମ ଅନ୍ଧକାରର ପ୍ରାଚୀର । ଚାରିଆଡେ ଖାଲି ନିଃଶବ୍ଦତା, ନିର୍ଜନତା, ଆଉ ନିଃସଙ୍ଗତା । ସୂର୍ଯ୍ୟାସ୍ତର ପୃଷ୍ଠଭୂମିରେ କ୍ରମେ ଚେଇଁ ଉଠୁଛି ସୁଲ ନାନୀ ଭିତରର ଆଶା ଆଶଙ୍କାର ଦ୍ଵନ୍ଦ । ଏମିତି ବହୁ ସୂର୍ଯ୍ୟାସ୍ତ ଗଲାଣି କିନ୍ତୁ ତା' ଅନ୍ଧର ଲଉଡି ବଳିଆର ଖବର ଅନ୍ତର ନାହିଁ । ସୁଦୂର ସୁରଟରୁ, ତା'ର ସୁଖ ଦୁଃଖଭରା ଖବର ଟିକେକ ପାଇବା ଆଶାରେ ସୁଲ ନାନୀ ଚିଲ ମଢା ଚାହିଁଲା ପରି ଅନେଇରହିଛି । କିନ୍ତୁ ପ୍ରତି ସନ୍ଧ୍ୟାର ଆରମ୍ଭ ହୁଏ ନିରାଶାରେ । ବଳିଆର କିଛି ଖବର ନାହିଁ । ତତଲା ଦୀର୍ଘଶ୍ଵାସରେ ମୁହଁଟା ଝାଉଁଳି ପଡ଼ିଛି । ତୃଷ୍ଣା ଆଉ କ୍ରାନ୍ତି !

ଘର ଭିତରୁ ଶୁଭୁଛି ଥରା ଥରା କମ୍ପିତ କଣ୍ଠରେ ଅଭିସମ୍ପାତ ଆଉ ଚିତ୍କାର ....ଆରେ ହେ ସତ୍ୟନାଶୀ ! ତୋରାଣି ମୁନ୍ଦାଏ ଆଣେ ,ତଣ୍ଟି ଶୁଖିଗଲାଣି । ଏହି ସମୟରେ ଘନ ଅନ୍ଧକାର ଭିତରୁ ଶୁଭିଲା ଗୋଟେ ଝିଅର ବେପୁରୁଆ କଣ୍ଠସ୍ୱର ..ରହ..ରହ..ନଉଚି ଗୋ ! କିଛି ସମୟ ଅନ୍ତରରେ ସୁଲନାନୀ ପାଖକୁ ଲାଗି ବର୍ଷା ଧୁଆ ଜରାଜୀର୍ଣ୍ଣ କାନ୍ଥକୁ ଆଉଜି ,ହାତରେ ତୋରାଣି କଂସାଟିଏ ଧରି ଠିଆ ହୋଇଥିଲା ଆଦ୍ୟ ଯୌବନରେ ନୂଆ ନୂଆ ପାଦ ଥାପିଥିବା କିଶୋରୀଟିଏ । ଗରିବୀର ଉପହାସରେ ସମାଧି ନେଇଥିଲା ତା'ର ସମସ୍ତ ଆଦ୍ୟ ଯୌବନର ଚପଳାମୀ । ଗାଁର ବହୁ ଟୋକା, ଜୈବିକ ଶରୀରର କାମନା ମେଣ୍ଟାଇବା ପାଇଁ ତାକୁ ଟଙ୍କା ଯାଚି ପ୍ରଲୋଭନ ଦେଖିନ୍ତି , କିନ୍ତୁ ତାର ସଂଯମତା ଅଧିକ ବୋଲି ଯୁବ ବୟସର ଉନ୍ମାଦନ ଗୁଡ଼ିକୁ ବୁଝେଇ ରଖିପାରେ । ସେ ଗରିବ ହୋଇପାରେ ! କିନ୍ତୁ ଚାରିତ୍ରହୀନା ନୁହେଁ । କପାଳରେ ଉଡୁଥିବା ନିଖୁରା ରୁକ୍ଷ କେଶ ରାଶୀ ଗୁଡିକୁ ଉପରୁକୁ ଟେକି ଦେଇ ତୋରାଣି କଂସାଟା ବୋଉ ପାଖରେ ଥୋଇଦେଲା । ତୋରାଣୀ ଟିକେକ ପେଟରେ ପଡୁ ପଡୁ ଆଖିରେ ଆଖିଏ ଭାତ ଖିଆ ନିଦ ଧରି ସୁଲ ନାନୀର କ୍ଲାନ୍ତ ଶରୀରଟା ନୀରବରେ ବିଛଣାରେ ପଡିରହିଥିଲା ।

ଦିନ ଦୁଇ ଘଡି ହେଲାଣି ଅଦିନିଆ ବାତ୍ୟାର ପ୍ରଭାବରେ ଆକାଶରେ କଳା ହାଣ୍ଡିଆ ମେଘ । ବେଳ ଜାଣିବାର ଉପାୟ ନାହିଁ । ବିଛଣାରୁ ଉଠିବସିଲା ସୁଲ ନାନୀ । ଗତ ରାତିର ବାସି ପଖାଳ ମୁଠାକ ମହୁଲି ପରି ନିଶା ଭରିଦେଇଥିଲା । ପାଖ ଘର ଗୁଡିକ ନିଃଶବ୍ଦ ।ଜନଜୀବନର ସଂକେତ ନାହିଁ । ଏକ ଅନିଶ୍ଚିତ  ଆଶଙ୍କା ଆତଙ୍କରେ ସମସ୍ତେ ଯେପରି ଆତ୍ମଗୋପନ କରିଛନ୍ତି ଘର ଭିତରେ ।  ଗାଁ ଭିତର ଦେଇ କାଁ ଭାଁ ଯାତାୟାତ କରୁଥିବା ଗାଡି ମଟର ର ସ୍ୱର ଶୁଭୁନି ।

ପେଟରେ ଭୋକର ଜ୍ୱାଳା ,ଖାଇବା ପାଇଁ ଖାଲି ଚାଉଳ ମୁଠାକ ଛାଡିଲେ ଭଣ୍ଡାର ଘର ପୁରା ଶୂନ୍ୟ । ଭଣ୍ଡାର ଘର ସିନା ଶୂନ୍ୟ, ହେଲେ ଗାଁ ପୋଖରୀ କୂଳ ,ବିଲ ହିଡ଼ ଏବେ ବି କଳମ ,ପିତା,ମଦରଙ୍ଗା ଭଳି ନାନା ରକମର ଶାଗର ସବୁଜିମା ଘେରରେ ହସୁଛି ।

ବହୁ ଦିନ ପରେ ଗାଁ ପୋଖରୀ ଆଡ଼କୁ ପାଦ ପଡିଥିଲା ସୁଲ ନାନୀର । କହିବା ବାହୁଲ୍ୟ ଯେ ବଳିଆ ସୁରଟ ଯିବା ପରଠୁ ଗାଁ ପୋଖରୀ ତୁଠ ,ନଈ ପଠା ଭଳି ଗାଁର ଅଧାର୍ଦ୍ଧିକ ଯାଗା ତା' ପାଇଁ ଅଚିହ୍ନା ଅଜଣା । ସ୍ମୃତିରେ ଭାସି ଉଠିଥିଲା ଦୁଇ ବର୍ଷ ପୂର୍ବ ଅତୀତର କିଛି ଛବି .....।

ଗାଁ ଆରମ୍ଭରୁ ଚାରି ପାଞ୍ଚଟି ଘର ଛାଡ଼ି ସଦ୍ୟ ଛପର ହୋଇଥିବା ସୁଲନାନୀର ଦୁଇଟା ଚାଳିଆ । ପୁନେଇଁ ରାତିର ସୁନେଲି ଜୋସ୍ନା ଆକାଶରୁ ବାହାରି ଚାଳିଆକୁ ଛୁଇଁବାକୁ ଉଦ୍ୟତ ହେବାପରି ପ୍ରତୀତ ହୁଏ ! ଘରକୁ ଲାଗି କଖାରୁ ମନ୍ଦା ,କଲରା, ବାଇଗଣ କେତେ କ'ଣ ସବୁ ! ଗେରସ୍ତ ଆରପାରିକୁ ଯିବା ଦିନଠୁ ବଳିଆ ହିଁ ଏକମାତ୍ର ସାହା ଭରସା । ଆଉ ଗୋଟେ ତ' ମାଇକିନିଆ ଝିଅ , ଦିଦିନ କୁଣିଆ ।କଥାରେ ନାହିଁ" ଝିଅ ଜନମ ପର ଘରକୁ! " କାଲି ସକାଳେ ହାତକୁ ଦିହାତ ହୋଇ ତା' ଶାଶୁଘରକୁ ଚାଲିଯିବା । ସୁଲ ନାନୀ ପର ଘରେ ମଜୁରୀ ଲାଗିଲେ ବି ସୁରୁଖୁରରେ ଛୋଟ ପରିବାରଟା ଚଳିଯାଏ ।ଏବେ ଆଉ ସୁଲ ନାନୀ କାମକୁ ପାରୁନି ,ଛାତି ରୋଗ ବାହାରିଛି ।ତିନି ପ୍ରାଣୀର କୁଟୁମ୍ବଟା ଚଳିବେ କେମିତି ??ଖାଇବେ କ'ଣ ??? ଗେରସ୍ତ ଗଲାବେଳକୁ ଯାହା ଦୁଇ ଗୁଣ୍ଠୁ ଜମି ଛାଡିଯାଇଥିଲା । ସୁଲ ନାନୀ ତ ମାଇପି ଲୋକ ,ବଳିଆ ବି ବାଳୁତ ଥିଲା ସେ ଦୁଇ ଗୁଣ୍ଠୁ ଜମି ପଡିଆ ପଡିଥିଲା କିନ୍ତୁ ଏବେ ତ ବଳିଆ ଯୁବକ ହେଲାଣି । ପାଠ ଶାଠ ତା' ଦେଇ ହେଲାନି। ଗାଁ ଅବଧାନଙ୍କ ସରୁ ବେତ ଭୟରେ ଚାହାଳୀ ମାଟି ମାଡ଼ିଲାନି । ପାଠରେ ଡୋରି ବନ୍ଧା ହେଲା ସବୁଦିନ ପାଇଁ । ଚାଷ କରି କ'ଣ ପେଟ ପୋଷି ହେବ ,କେବେ ମରୁଡି ତ କେବେ ଅଦିନିଆ ବାତ୍ୟା ! ଋତୁ ଗୁଡ଼ାକ ବି ଆଉ ସମୟରେ ଆସୁନାହାଁନ୍ତି । ପୌଷରେ ରୌଦ୍ରଦଗ୍ଧ ମଧ୍ୟାହ୍ନ ,ବୈଶାଖରେ ଅଦିନିଆ ଢୁ ଢୁ ବର୍ଷା ! ସରକାରଙ୍କ ତରଫରୁବି  କୃଷି ପାଇଁ କିଛି ପ୍ରୋତ୍ସାହନ ନାହିଁ ଏ ଅପନ୍ତରା ମଫସଲ ଗାଁ ରେ । ନା କେନାଲ,ନା ଆର୍ଥିକ ସାହାଯ୍ୟ,ନା ଉନ୍ନତମାନର କୃଷିବିହନ ସବୁ ସରକାରୀ ବାବୁମାନଙ୍କ ଦ୍ୱାରା ବାଟମାରଣା ।

ସୁଲ ନାନୀ ଆଶଙ୍କା ଜର୍ଜରିତ, ପୁଅର ଭବିଷ୍ୟତ ଓ ପରିବାର ନୌକା ଗଡ଼ିବାର ଚିନ୍ତାରେ ଦୁର୍ବଳ,ଅବସାଦ ଗ୍ରସ୍ତ ଏସବୁ ଭିତରେ ନଖି ନାନୀ ପରାମର୍ଶ ତା'ର ରକ୍ତାକ୍ତ ବେଦନା ପାଇଁ ମଲମ ସଦୃଶ୍ୟ । " ଆଲୋ ସୁଲ ! ବଳିଆକୁ ଆଉ କେତେ ଦିନ ତୋ ପଣତ ତଳେ ଘୋଡେଇ ରଖିବୁ ?? ଉପହାସ ଭରି ରହିଥିଲା ନଖି ନାନୀ କଣ୍ଠରେ । " ମୁଁ ସିନା ବାଞ୍ଝ ,ଏଇ ମୋ ଭଣଜାକୁ ଦେଖୁନୁ ! ସୁରାଟରେ ଅଛି,ଭଲ ଦି ପଇସା ବି କମଉଛି । " ନଖି ନାନୀର ଦୃଷ୍ଟାନ୍ତରେ ଥିବା ଲୁକାୟିତ୍ୱ ପରାମର୍ଶରେ ନିରାଶା ଭିତରେ ଆଶାର ଛୋଟ ଦୀପ ଶିଖା ଦୃଶ୍ୟମାନ ହେଲା ।"  "ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା ! "

ଭାବନା ରାଇଜରେ ବିତରଣ କରୁ କରୁ ସୁଲ ନାନୀର ପାଦ ଦି ଟା କେତେବେଳେ ପୋଖରୀ ହୁଡ଼ାରେ ପହଁଚି ସାରିଥିଲା ଆଦୌ ଜଣା ପଡିନଥିଲା ।ପୋଖରୀ ହୁଡ଼ାରୁ ପିତା ଶାଗ ତୋଳୁ ତୋଳୁ ପାଟିଟା ଲାଳାୟିତ ହୋଇଗଲା।ଶାଗକୁ ଯତ୍ନ ସହକାରେ କାନିରେ ପୁରୁଉ ପୁରୁଉ ପାଟିରୁ ସ୍ୱତଃ ବାହାରି ପଡ଼ିଲା ଆଜି କାଲିର ଛୁଆ ସିନା ବୁଝୁନାହାନ୍ତି ହେଲେ ପିତା ଟା ଦେହକୁ ହିତା ! ସେଇଥିପାଇଁ ପରା ଶାସ୍ତ୍ର କହିଛି " ବୁଝୁ ନବୁଝୁ ପଢ଼ ଗୀତ,ରୁଚୁ ନରୁଚୁ ଖାଅ ପିତା" ।

ମନରେ ଅପୂର୍ବ ପ୍ରଶାନ୍ତି ! ପିତା ଶାଗ ପୁଳାକ ଧରି ଗ୍ରାମ ପଥ ରେ ଗଲାବେଳେ ସେ ଦେଖିପାରୁଥିଲା ରାସ୍ତାର ଦୁଇ ପଟରେ ଥିବା ଜମି ଗୁଡାକ । ପ୍ରାୟଃ ଅଳ୍ପ କେତେକ ଜମିକୁ ଛାଡି ଦେଲେ ଆଉ ସବୁ ଚାରଣ ଭୂମି । ସ୍ଥାନେ ସ୍ଥାନେ ଥିବା ଫସଲ ସବୁ ଅଦିନିଆ ବାତ୍ୟାର ଶକ୍ତ ପ୍ରହରରେ ନଷ୍ଟଭ୍ରଷ୍ଟ । ବାତ୍ୟାର କରାଳ ରୂପକୁ ସେ ବି ତ' ପୋଛି ପାରୁନି ତା' ମନରୁ । ଘାଆ ଶୁଖିଯାଇଛି କିନ୍ତୁ ନିଭି ନାହିଁ ତାର ଚିହ୍ନ । ଖାଲି ଯାହା ! " ଅରକ୍ଷିତକୁ ଦଇବ ସାହା ପରି " ତା'ର ସେଇ ଛପର ହୋଇନଥିବା ଚାଳିଆ ପ୍ରତି ପବନ ଦୟା ବ୍ୟକ୍ତ କରିଥିଲ । ତା' ପରିବାର ଏବେ ଆସନ୍ନ ବିପଦରୁ ମୁକ୍ତ ।ବାତ୍ୟା ପ୍ରଭାବରେ ଫସଲହାନୀ ସହିତ ଋଣବୋଝ ,"ବୋଝ ଉପରେ ନଳିତା ବିଡା " ପରି !! ପ୍ରକୃତି ସହିତ ଋଣ ସଂସ୍ଥାର ଶକ୍ତ ପ୍ରହାରରୁ ସେ ଆଜୀବନ ମୁକ୍ତ । ତାର ତ ଦି ଗୁଣ୍ଠ ଜମି ବିକା ସରିଛି ।ଜମି ବିକା ଟଙ୍କା ଗଣ୍ଡାକ ଧରି ବଳିଆ ସୁରଟ ଚାଲିଗଲା । ସେବେ ଠାରୁ ତା' ଲୁଣ ତେଲର ସଂସାରଟା ସୁରୁଖୁରରେ ଚାଲିଛି । ନିଜର ଉଚିତ ନିଷ୍ପତ୍ତି ପାଇଁ ବିପୁଳ ଗର୍ବ ଓ ସାର୍ଥକତାରେ ଫାଟି ପଡୁଥିଲା ସୁଲ ନାନୀ । କିନ୍ତୁ ଗଦା ଗଦା ପ୍ରଶ୍ନ ଭିତରେ ଛନ୍ଦି ହେଇଯାଉଥିଲା ସୁଲ ନାନୀର ମନଟା ଗାଁର ଏଭଳି ମୌନ ରୂପ କାହିଁକି ?? ସେ ଭୁଆସୁଣି ହୋଇ ଗାଁକୁ ଆସିଲାଠୁ ଆଜି ଯାଏ ଏଭଳି ବିରଳ ରୂପ ଦେଖିନଥିଲା । ହଠାତ ତା'ର ନଜର ପଡିଲା ରେବୀ ନାନୀର ବଡ଼ ବୋହୁ ଉପରେ ଘର ଆଗରେ ଧୁଆ ଲୁଗା ଶୁଖାଉଥିଲା । ରେବୀ ନାନୀ ବଡ଼ ବୋହୁର ରଙ୍ଗଟା ସିନା କଳା କିନ୍ତୁ,ଶିକ୍ଷିତ ସିଏ । ହାଇ ସ୍କୁଲ ଡେଇଁ ଯାଇଛି ,ଗାଁରେ ପାଠ ପଢୁଆ ବୋହୁ ଭାବେ ଭାରି ଖାତିରି ତା'ର । ସମୟେ ସମୟେ ସୁଲ ନାନୀବି ତା' ପାଖକୁ ଆସେ । ସିଏ ବଳିଆ ପାଖକୁ ମା' ଓ ଭଉଣୀର ସୁଖ ଦୁଃଖ ଜଣେଇ ଚିଠି ଖଣ୍ଡିଏ ଲେଖିଦିଏ ନହେଲେ ,ସୁଦୂର ସୁରାଟରୁ ଆସିଥିବା ବଳିଆର ଚିଠିଟା ପଢି ସୁଲନାନୀ କି ଶୁଣାଏ । ସୁଲ ନାନୀକୁ ଦେଖୁ ଦେଖୁ କପାଳ ଉପରକୁ ଓଢଣାଟା ଟାଣି ପକେଇ ସୁଲନାନୀ ଉଦେଶ୍ୟରେ କହିଲା " ଏ ଲକ ଡାଉନ ସମୟରେ କୁଆଡେ ଯାଇଥିଲା କି ଖୁଡୀ ?? " ସୁଲନାନୀ ପ୍ରଶ୍ନିଳ ଚାହାଣୀ ରେ ରେବୀ ନାନୀ ବୋହୁ କୁ ଅନେଇ ଥରା ଥରା କଣ୍ଠରେ କହିଲା ଲକ...ଡ଼ାଉନ...! " ତମେ ଜାଣିନ କି ଅଜଣା ମହାମାରୀରୁ ବଂଚିବା ପାଇଁ ଏବେ ଚାରିଆଡେ ତାଲା ବନ୍ଦ । ସାରା ଭାରତ ବର୍ଷରେ କୋରନା ସଂକ୍ରମଣ ବଢି ବଢି ଚାଲିଛି ,ସେଥିପାଇଁ ସରକାରଙ୍କ ନିର୍ଦେଶରେ ସବୁପ୍ରକାର ସରକାରୀ ବେସରକାରୀ ଅନୁଷ୍ଠାନ ,ଦୋକାନ ବଜାର ଗାଡିମଟର ସବୁ ବନ୍ଦ । " ରେବୀ ନାନୀ ବୋହୂର କଥାଟା ଶୁଣି ସୁଲନାନୀର ହାଲୁକା ଶୁଖିଗଲା ,ତଣ୍ଟି ଅଠା ହେଇଗଲା । ନିଜର ଅସହାୟତାକୁ ନିଜ ଭିତରେ ଚାପି ରଖି ସୁଲ ନାନୀ କହିଲା" ମୋ ବଳିଆର କୁମ୍ପାନୀ ଟା ବି କ'ଣ ବନ୍ଦ??"  " ହଁ, ସୁରାଟରେ କୋରନ ସଂକ୍ରମଣ ଦ୍ରୁତ ଗତିରେ ବଢିଚାଲିଚି ।"ରେବୀ ନାନୀ ବୋହୁ ଉତ୍ତର ଦେଲା ।

ସୁଲନାନୀ ଚିତ୍କାର କଲା....."ହେ ! କାଳିଆ ସାଆନ୍ତ ,ମୋ ବଳିଆ ତତେ ଲାଗିଲା "। ରେବିନାନୀ ବୋହୁ ଆଶ୍ୱସ୍ତି ଭରା କଣ୍ଠରେ ପ୍ରତ୍ୟୁତ୍ତର ଦେଲା " ସେଇ କଳିଆ ସାଆନ୍ତ ହିଁ ଏକା ଭରସା " ।

ଦୁଇ ଦିନ ହେଲାଣି ସୁଲ ନାନୀ ପାଟିକୁ କିଛି ଦାନା ନେଇନି ।ବଳିଆ ଚିନ୍ତାରେ ମୁଣ୍ଡଟା କ'ଣ ହେଇଯାଉଛି ଛାତି ଭିତରଟା ଥରି ଉଠୁଛି , ପୁରୁଣା ଛାତି ରୋଗଟା ପୁଣି ବାହାରିଛି ।ସୁଲ ନାନୀର ଅବଚେତନରେ କିଏ ଯେମିତି ତାକୁ ଦଂଶନ କରି ଚେତେଇ ଦେଲା ତା ଜୀବନର ଏଇ ବିଷମ ପରିସ୍ଥିତି ପାଇଁ ସେ ନିଜେ ଦାୟୀ । ତା କାନ ପାଖରେ ବାରମ୍ବାର ପ୍ରତିଧ୍ବନିତ ହେଉଥିଲା " ମହାମାରୀ କୋରନା" ।ପିଲା ଦିନେ ବାପଙ୍କଠୁ ଶୁଣିଥିବା "ମହାମାରୀ ହଇଜାର" କରୁଣ ଛବି ନାଚିଯାଉଥିଲ ତା' ଆଖି ସାମ୍ନାରେ ,ବିଳାପୀ ଉଠୁଥିଲା ତା' ମାତୃ ହୃଦୟ । ବଳିଆର ଯଦି କିଛି ହେଇଯାଏ ?? ନା ..ନା !! ଦୁଇ ହାତ ଯୋଡି ଦେଲା ସୁଲ ନାନୀ ...ମୋ ବଳିଆ ତତେ ଲାଗିଲା ଇଛାମୟ ,ଏଣିକି ତୋ ଇଛା ପୂରଣ ହେଉ !

"ଜାଣିଛୁ ବୋଉ ଭାଇ ଗାଁକୁ ଫେରିବ, ସରକାର ଶ୍ରମିକ ସ୍ପେଶାଲ ଟ୍ରେନରେ ରାଜ୍ୟ ବାହାରେ କାମ କରୁଥିବା ସବୁ ଲୋକଙ୍କୁ ତାଙ୍କ ଘରକୁ ଫେରେଇ ଆଣିବେ ,ଏଇତ ଗାଁ ଦାଣ୍ଡରୁ ଶୁଣିକି ଆସିଲି ।" ଝିଅର ଏଇ କଥାରେ ସୁଲ ନାନୀ ମୁହଁଟା ଉଜ୍ଜ୍ୱଳ ଦିଶିଲା ଗୋଟେ ଘୋର ଦୁଶ୍ଚିନ୍ତାରୁ ମୁକ୍ତି ପାଇଲା ପରି !

ଆଉ ବିଛଣାରୁ ଉଠି ପାରୁନି ସୁଲ ନାନୀ ।ପୁରୁଣା ଛାତି ରୋଗଟା ବାର ହିନସ୍ତା କରୁଛି ! ଔଷଧ ପାଇଁ ଘରେ କାଣି କାଉଡ଼ିଟିଏ ନାହିଁ ।ବଳିଆ ଯାହା ଟଙ୍କା ପଠେଇଥିଲା ସବୁ ଶେଷ ।

ବେଳକୁ ବେଳ ଛାତି ରୋଗଟା ବଢୁଛି । ସୁଲନାନୀର ସ୍ୱାସ୍ଥ୍ୟ ଖରାପ ହେବାକୁ ଲାଗିଛି ।ଦୃଷ୍ଟି ଶକ୍ତି କ୍ଷୀଣ ହେବାକୁ ଲାଗିଛି ! କାହାକୁ ଚିହ୍ନୁନି ,ଡାକିଲେ ଶୁଣୁନି କି କିଛି ଉତ୍ତର ଦଉନି । ଖାଲି ଜୁଳୁ ଜୁଳୁ ହୋଇ ଉପରକୁ ଚାହୁଁଛି । ମନେ ମନେ ଯେମିତି କାହାକୁ ଖୋଜୁଛି ! ଝିଅ ପାଖରେ ବସି ପାଦ ଘଷି ପକାଉଛି ।

ବଳିଆ ଶ୍ରମିକ ଟ୍ରେନରେ ଆସି ଗାଁରେ ପହଞ୍ଚିଲା । ଏ କ'ଣ ! ତାକୁ ସ୍ୱାଗତ ପାଇଁ ଏତେ ଲୋକ ! ସ୍ୱୟଂ ଗାଁ ସରପଞ୍ଚ ବି ! ଛାତି ଟା ଦି ଇଁଚି ଫୁଲିଗଲା ବଳିଆର । ଗାଁ ରେ ପାଦ ରଖୁ ରଖୁ ଶୁଣିପାରିଲା ଏକ ବିଳାପ ଧ୍ଵନି ,ତା' ଛଡା ସବୁଆଡେ ମୌନ ,ସ୍ତବ୍ଧ । ଗୋଟେ ଉଜୁଡା ଘରୁ ବିଳପି ଉଠୁଥିଲା କୋଉ ଏକ କିଶୋରୀର କଣ୍ଠ ସ୍ୱର। ତା' ଚାରିପାଖର କେତେକ ହାତଗଣତି ଲୋକଙ୍କୁ ଛାଡି ,ଜୀବନର ଅନ୍ୟ ସଂକେତ ନାହିଁ । ବୈଶାଖର ଦାଲୁକାଏ ଗରମ ପବନ ଆସି ପିଟି ହେଇଗଲା ବଳିଆ ଦେହରେ । କାନ ପାରିଲା ବଳିଆ ,ବିଳାପ ସ୍ୱର ତାଙ୍କ ଚାଳିଆ ନିକଟରୁ ଶୁଭୁଛି । ମନରେ ଅସରନ୍ତି ଆଶଙ୍କା !

ପାଦ ଦିଟା ଧାଇଁବାକୁ ଆଗଭର ହେଲା ତାର ସେଇ ଘର ଢିଅ ନିକଟକୁ । କିନ୍ତୁ ଏ କ'ଣ ନିୟତିର ଉପହାସ ! ତାକୁ କିଏ ଜଣେ ଭିଡି ରଖଛି ! ଶତ ଚେଷ୍ଟା ପରେ ବି ପାଦ ଦୁଇଟା ଆଗକୁ ବଢ଼ିପାରୁନି ।

ଚରମ ତୃପ୍ତିରେ ସୁଲ ନାନୀ କୋକେଇରେ ଶୋଇ ଗାଁ ମଶାଣୀ ଆଡ଼କୁ ଯାଉଛି ,ଯେଉଁଠିକି ଦିନେ ତା' ଶଙ୍ଖା ସିନ୍ଦୁର ଛଡେଇ ନେଇ ବଳିଆ ବାପା ଚାଲିଯାଇଥିଲେ । ଗାଁ ସଙ୍ଗରୋଧ କେନ୍ଦ୍ରର ଛାତ ଉପରୁ ଲୁହ ଭିଜା ଆଖିରେ ମା' ର ଶେଷ ଦର୍ଶନ କରିଥିଲା ବଳିଆ । "ରାମ ନାମ ସତ୍ୟ ହେ ,ହରି ନାମ ସତ୍ୟ ହେ" ଧ୍ୱନିର ତାଳେ ତାଳେ ମା' ଚାଲି ଯାଉଥିଲା ଦୂରକୁ ..ଦୂରକୁ ...।



Rate this content
Log in

More oriya story from pritiprajna swain

Similar oriya story from Tragedy