ଶାଗ
ଶାଗ
ବୋହୂ ଏ ବୋହୂ ତୋ ଶ୍ଵଶୁରଙ୍କ ପାଇଁ ପଖାଳ କଂସାଟା ସଜାଡି ଦେ, ମୁଁ ନେଇ ଦେଇ ଆସିବି। ବଡି ଭୋରରୁ ହଳ ନେଇ ଗଲେଣି ଭୋକ ଲାଗିବଣି। ହେଇଟି ନିଅ। ଶୀଘ୍ର ଫେରି ଆସିବ। ଛୁଆକୁ ରଖିଲେ ମୁଁ ରୋଷେଇ କରିବି। ହଁ ମୁଁ ଯାଉଛି।
ବିଲରୁ ଆସିବାକୁ କେତେ ସମୟ ଲାଗୁଛି କେଜାଣି। ସିଆଡେ ରୋଷେଇ ଡେରି ହେଇଗଲେ ବୁଢ଼ାର ରୁଷା। ବୁଢୀ ଅଣ୍ଟିରେ ମଦରଙ୍ଗା ଶାଗ ଅଣ୍ଟିଏ ନେଇ ଆସି ପହଞ୍ଚିଲା। ଏତେ ଡେରି କଲ କାହିଁକି ? ଦେଖୁଛ ତ ଛୋଟ ଛୁଆଟା ଛାଡି ଦଉନି। ମୁଁ ରାନ୍ଧିବି କେତେବେଳେ ? ଏଇ ଶାଗ ଦିଟା ତୋଳୁଥିଲି ତ। ନୂଆ ବର୍ଷାରେ ଛନଛନିଆ କଅଁଳିଆ ହେଇଥିଲା ଦେଖିକି ଲୋଭ ଲାଗିଲା। ହଉ ପୁଅକୁ ନିଅ ମୁଁ ଚୁଲି ଲଗେଇବି। ମୁଁ ଶାଗ ବାଛିକି ଆଣିଛି ଆଉ ବାଛିବାକୁ ପଡିବନି, ସୋରିଷ ଦେଇ ରାନ୍ଧିଲେ ଭାରି ସୁଆଦିଆ ଲାଗିବ। ତୋ ଶ୍ଵଶୁର ଭାରି ଭଲ ପାଆନ୍ତି।
କି ଲୋକ କେଜାଣି ? ଦିନେ ଶାଗ ନ ହେଲେ ହବନି। ସେ ଝୁନିଆ ସାଂଗେ ଶାଗ ତୋଳିବାକୁ ବୋଧେ ପଳେଇଛନ୍ତି। ନିଜେ ତ ଗଲେ ଗଲେ ଛୋଟ ଛୁଆଟାକୁ ବି ନେଇ ଯାଇଛନ୍ତି। ଖରା ହେଲାଣି। ଛୁଆକୁ ଭୋକ ହବଣି। ଆଜି ଆସନ୍ତୁ ସିଏ। ଆଉ ଦିନେ ତମେ ମୋ ପୁଅକୁ ନେଇ ବିଲକୁ ଯିବନି।ଝୁନିଆ ଡାକିଲା ତ ବଢ଼ିଆ କଳମ ଶାଗ ହେଇଛି। ହେଇ ଦେଖୁନୁ।ପିଆଜ ଦେଇ ଭାଜିଲେ ଗରମ ଗରମ ଭାରି ଭଲ ଲାଗିବ।
ଏଇଠି ତ ଥିଲେ କୁଆଡେ ଗଲେ କେଜାଣି। ଯାଇ ବାରିଆଡ଼ ଦେଖି ଆସେ। ବୋଉ ତମେ ଏଇଠି। ବଡ ମାମୁଁ ଆସିଛନ୍ତି ଆସ। ହଁ ଚାଲେ ଯାଉଛି। ଭାଇ! କେତେବେଳେ ଆସିଲୁ? ଏଇନେ ପହଞ୍ଚିଲି। ହଉ ଆସେ। ସରବତ ପିଇଛୁ? ହଁ ବୋହୂ ଦେଇଥିଲା ।ମୁଁ ଏଇ ପିତା ଶାଗ ଦିଟା ତୋଳୁଥିଲି। ତୋର ସେଇ ଅଭ୍ୟାସ ଗଲାନି। ଦିନେ ଶାଗ ନ ହେଲେ ହବନି। ହଁ ଗୋଟେ ଅଭ୍ୟାସ। ଶାଗ ବିନା ଭାତ ଉଠେନିରେ।
ବୋଉ ଶାଗ ବାଛୁଛ। ପୁଅ ଏଇଠି ଅଛି ଦେଖିବ। ହଁ ମୁଁ ଦେଖୁଛି। ସେ ଲୁଗା ଶୁଖେଇ ଆସି ଦେଖେ ତ ପୁଅ ଚାଲି ଚାଲି ଚୁଲି ପାଖରେ। ଦୌଡ଼ି ଯାଇ ଧରି ପକେଇଲା। ହେ ଭଗବାନ କଣ ହେଇଥାନ୍ତା ମୋ ପୁଅର। ମୁଁ ନ ଆସିଥିଲେ ତ ସେ ଚୁଲି ଉପରେ ପଡି ଯାଇଥାନ୍ତା। ତମକୁ ଏତେକରି କହିକି ଗଲି। ଶାଗ ବଛାରେ ଏମିତି ଭୋଳ।
ଆଜିଠୁ ଆଉ ସେ ଶାଗଫାଗ କିଛି ହବନି। ଯେତେ ପ୍ରକାର ଲଗେଇ ଖିଆ କଲେ ବି ରୁଚୁନି। ଖାଲି ଶାଗ ହେଲେ ଭାତ ଗଳିବ ନ ହେଲେ ନାହିଁ। ନେଇ ଯାଅ ସେ ଶାଗ ଫୋପାଡି ଦବ। ମୁଁ କରି ପାରିବିନି ।
ସତରେ ଶାଗ ବିନା ବୁଢୀର ଖାଇବା ପୁରା କମିଗଲା। ବୋହୂକୁ ଡରି ଶାଗ ଆଉ ଆଣେନି। ସାହି ପଡିଶାରେ ରାନ୍ଧିକି କିଏ ଟିକେ ଦେଲେ ସେଦିନ ପେଟପୁରା ଖାଏ। ବୁଢୀ ବାଧିକିକି ପଡିଲା। ଫଳମୂଳ କିଏ କେତେ ପ୍ରକାରର ଆଣିଲେ। କିଛି ପାଟିକି ନିଏନି। ଦିନେ ବୁଢାକୁ କହିଲା, ଟିକେ କୋଳଥ ଚୂନା ପକେଇ ଘାଣ୍ଟ ଶାଗ କରନ୍ତନି। ଭାରି ଇଚ୍ଛା ହେଉଛି ଖାଇବାକୁ। ବୁଢ଼ା ସବୁ ପ୍ରକାର ଶାଗ ଆଣି ବୋହୂକୁ ଦେଲା। ବୋହୂ ରାନ୍ଧି ସାରି ଡାକିଲା ବେଳକୁ ବୁଢୀ ଆଉ ଶୁଣିଲାନି। ଲୋକେ କୁହାକୁହି ହେଉଥିଲେ ଆହାଃ ବିଚାରି କେତେ ଆଶା କରିଥିଲା ଶାଗ ଟିକେ ଖାଇ ପାରିଲାନି।