Padmalaya Padhy

Inspirational

4  

Padmalaya Padhy

Inspirational

ସେଇ ଶୁକ୍ରବାର

ସେଇ ଶୁକ୍ରବାର

5 mins
310


ଚାହୁଁଥିଲେ ତିନୋଟି ବୟଫ୍ରେଣ୍ଡଙ୍କ ଠାରୁ ତିନ ତିନ ଥର ବ୍ରେକ ଅପ ହୋଇ ସାରିଥିବା ତାଙ୍କର ଏକମାତ୍ର ଝିଅ ସିଲି ଦୁନିଆର ଗୂଢ଼ ତତ୍ତ୍ୱକୁ ବୁଝିସାରି ସଂସାର ଗଢ଼ିବାକୁ ଆଗେଇବା ଉଚିତ l ବାରମ୍ବାର ବ୍ରେକଅପ ହେଲା ପରେ ସିଲି ଅସମ୍ଭବ ରୂପେ ଗମ୍ଭୀର ହୋଇ ଯାଇଛି l ତେଣୁ ନିଜ ବିବାହର ଦାୟିତ୍ୱକୁ ମା ବାପାଙ୍କ ହସ୍ତରେ ନାମମାତ୍ର ନ୍ୟସ୍ତ କରିଛି ସିନା ତାର ମନ କିନ୍ତୁ ମାନୁନାହିଁ l ଯେତେହେଲେ ଭୟ ଓ ଆଶଙ୍କା ରହିବ l ଭାବି ଜୀବନସାଥିଟି କେମିତି ହୋଇଥିବ ବୋଲି ଭାବି ଆଶଙ୍କା ବିଜଡିତ ମନ ତାର କୋଉଠି ଲାଗୁନାହିଁ l ଏଣେ ମାଆଙ୍କ ଉପଦେଶ l ଆମ ସମୟରେ ଏମିତି ହେଉଥିଲା ଆମ ସମୟରେ ସେମିତି ହେଉଥିଲା ଆଦି ଶୁଣି ଶୁଣି ମୁଣ୍ଡ ଭାରାକ୍ରାନ୍ତ ହେଲାଣି l

—ମା ତୁମ ସମୟର ମଜବୁରି ଆଉ ଅସହାୟତାକୁ ତୁମେ ଆଦର୍ଶ ବିବାହର ନାମ ଦିଅନାହିଁ l

— ତୋ ସମୟର ପାରିବାର ପିଲାମାନେ କଣ କରୁଛନ୍ତି କି ଆଉ ? ଦଶ ମିନିଟରେ ବାହାଘର ଦୁଇ ଦିନରେ ଛାଡ଼ପତ୍ର ନହେଲେ ଦୁଇ ମାସ ପରେ ଆତ୍ମହତ୍ୟା l ତୁମେମାନେ ଆଜିକାଲିର ପିଲା ନିଜକୁ ଅତି ଚତୁର ଓ ବୁଦ୍ଧିମାନ ବୋଲି ଭାବୁଛ ନୁହେଁକି ?

ଝିଅ ଏସବୁ କଥା ମୁଣ୍ଡକୁ ନେଲା କି ନାହିଁ ଉଠି ଚାଲିଗଲା l ଯେବେଠାରୁ ସେ ମା ବାପାଙ୍କୁ ତା ବିବାହର ଦାୟିତ୍ୱ ଦେଇଛି ସେବେଠାରୁ କହି ରଖିଛି ଯେ ତୁମେମାନେ ଯାହାକୁ ମୋ ପାଇଁ ଠିକ କରିବ ମୁଁ ସେଇ ଲୋକଟିକୁ ସ୍ନେହ ପ୍ରେମ କିଛି ବି ଦେଇ ପାରିବି ନାହିଁ l କେତେଦିନ ଆମେ ଏକାଠି ରହିବୁ ସେଇଟା ବି ଜାଣେ ନାହିଁ l କିନ୍ତୁ ତିନି ଥର ବ୍ରେକ ଅପ ପରେ ଆଉ କାହାରିକୁ ମୁଁ ବିଶ୍ୱାସ କରିବା ଅବସ୍ଥାରେ ନାହିଁ l ଖାଲି ତୁମେ କହୁଛ ବୋଲି ସିନା ନଚେତ ସାରା ଜୀବନ ପାଇଁ ଗୋଟିଏ ଅଜଣା ଅଶୁଣା ଲୋକର ହାତ ଧରିବା ଯାହା ବଞ୍ଚି ଥାଇ ନିତିଦିନ ମରିବା

ସେଇଆ l

ନିହାରିକା ଓ ତାଙ୍କ ସ୍ୱାମୀ ଚାହୁଁ ନାହାନ୍ତି ମଣିଷ ମାନଙ୍କ ଉପରୁ ଝିଅର ବିଶ୍ୱାସ ଭରସା ତୁଟି ଯାଉ ବୋଲି l ସବୁ ମଣିଷ ଖରାପ ନୁହନ୍ତି l 

—ସିଲିମା ତୁମ ମାନଙ୍କ ପିଢ଼ି ବିବାହ ପୂର୍ବରୁ ପ୍ରେମରେ ବିଶ୍ୱାସ ରଖିଲା ବେଳେ ଆମ ସମୟରେ କିନ୍ତୁ ବିବାହ ପରେ ଏସବୁ ହେଉ ଥିଲା l ଜଣକ ସହିତ କେତେଦିନ ବିତାଇ ଦେଲା ପରେ ଧୀରେ ଧୀରେ ସେଇ ବ୍ୟକ୍ତିଟି ଆମର ମନ ଏବଂ ହୃଦୟକୁ ଧୀରେ ଧୀରେ ଆଚ୍ଛାଦିତ କରିଦିଏ l ଦିନେ ଏମିତି ସମୟ ଆସେ ଯେ ସେଇ ମଣିଷଟି ହିଁ ଦରକାର ହୁଏ ଆମକୁ l ତାର ଅନୁପସ୍ଥିତିରେ ବଞ୍ଚିବା ଦୁର୍ବିସହ ହୋଇଯାଏ l 

—ମା ତୁମେ ଅଜବ କଥା କହୁଛ ତ l ଯାହାକୁ ଚିନ୍ହିନ କି ଜାଣିନ ଖାଲି ତାର ଚାକିରୀ ଓ ପରିବାର ବିଷୟରେ ଅନୁସନ୍ଧାନ କରିଦେଲେ କାମ ସରିଗଲା ? ତା ସହିତ କେତେ ସମୟ ବେଦୀ ଉପରେ ବସି ଗଲେ ଆପେ ଆପେ ପ୍ରେମ ହୋଇଯିବ ? ଅଦ୍ଭୁତ ଯୁକ୍ତି ତୁମର l ଘର ଭିତରେ ମା ଝିଅଙ୍କ ଏପରି ଯୁକ୍ତି ତର୍କ କଥା କଟାକଟି ଚାଲିଥାଏ l

ପରିଶେଷରେ ଅନେକ ଖୋଜାଲୋଡ଼ା କରି ପରିବାର ବର୍ଗ ଅଭିଳାଷକୁ ଚୟନ କରି ତାଆରି ସହିତ ସିଲିକୁ ବିବାହ ବନ୍ଧନରେ ଛନ୍ଦିଥିଲେ l ପିଲାଟି ଭଲ ଏବଂ ତାର ପରିବାର ମଧ୍ୟ ବହୁତ ଭଲ l କିନ୍ତୁ ଅସୁବିଧାଟି ହେଉଛି ଉଭୟଙ୍କର ଅଲଗା ଅଲଗା ଜାଗାରେ ଚାକିରୀ l ଅଭିଳାଷ ମଇଶୁରରେ ଏବଂ ସିଲି ବାଙ୍ଗାଲୋରରେ ରହିଲା l ଅଭିଳାଷ ହିଁ ଛୁଟି ଦେଖି ସିଲି ସହ ଦେଖା କରିବାକୁ ବାରମ୍ବାର ଆସେ କିନ୍ତୁ ସିଲିର ଯୁକ୍ତି ସେ ବାଙ୍ଗାଲୋର ଛଡ଼ା ଆଉ କୋଉଠି ଯାଇ ଗୋଟିଏ ଦିନ ସୁଦ୍ଧା ଚଳି ପାରିବ ନାହିଁ l ତାର ଜନ୍ମସ୍ଥଳୀ ଭୁବନେଶ୍ୱରରେ ବି ନୁହେଁ ମଇଶୁର ତ ଦୂରର କଥା l ଯେଉଁ କେତୋଟି ଦିନ ଅଭି ଛୁଟି ନେଇ ସିଲିକୁ ଦେଖା କରିବା ପାଇଁ ଯାଏ ସେତିକି ଦିନ ସିଲିକୁ ଖୁସି ରଖିବାକୁ ଚେଷ୍ଟା କରେ କିନ୍ତୁ ସିଲି ଆଡୁ ସେତିକି ପ୍ରୟାସ ଥିଲା ଭଳି ଲାଗେନାହିଁ ତାକୁ l

ସିଲି ବି ଅନୁଭବ କରେ ଅଭିଳାଷ ଆସିଲେ ତାକୁ ଭଲ ଲାଗୁଛି lଏକୁଟିଆ ରହିବା ଠାରୁ ଦୁଇ ଜଣ ହେଲେ ନିଶ୍ଚୟ ଗହଳି ଲାଗିବ l ସେମାନଙ୍କ ଭିତରେ ଆଉ କିଛି ଭାବାତ୍ମକ ସମ୍ପର୍କ ଥିଲା ପରି ଲାଗେନାହିଁ l ସିଲି ଭାବେ ପିତା ମାତାଙ୍କ ଦ୍ୱାରା ମନୋନୀତ ବିବାହରେ ସ୍ୱାମୀ ସ୍ତ୍ରୀ ର ସମ୍ପର୍କ ଏମିତି ହୋଇଥାଏ ବୋଧେ ! ସବୁ ଖାଲି ଔପଚାରିକ କର୍ତ୍ତବ୍ୟ ସମ୍ପାଦନ l ପ୍ରେମ ବିବାହର କଥା ସିନା ନିଆରା l ସ୍ୱପ୍ନର ବୀଜ ବୁଣି ବୁଣି ଜୀବନ କଟିଯାଏ l ଅଭିଳାଷ ତାକୁ ଭଲ ପାଉଛି କି ନାହିଁ ସେ କଥା ଛାଡ଼ l ତାର କିନ୍ତୁ ଅଭିଳାଷ ପ୍ରତି ସ୍ନେହ କି ପ୍ରେମ କିଛି ଆସୁନାହିଁ l ମା ବାପା ଭଲ ଲୋକଟିଏ ତା ପାଇଁ ବାଛିଛନ୍ତି ସତ l ସବୁ ବାପା ମାଆ ତାଙ୍କ ପିଲାଙ୍କ ପାଇଁ ସେଇୟା ଚାହାଁନ୍ତି l କିନ୍ତୁ ଲୋକଟି ଭଲ ଥିଲେ ପ୍ରେମ ଆପେ ଆପେ ହୋଇଯିବ ନା କଣ l

ଶନିବାର ଓ ରବିବାର ଛୁଟି ଯୋଗୁଁ ଶୁକ୍ରବାର ସନ୍ଧ୍ୟାରେ ଆସି ପହଞ୍ଚି ଯାଉଥିବା ଅଭିଳାଷ କୌଣସି ଗୋଟିଏ ଜରୁରୀ ମିଟିଙ୍ଗ ଥିବାରୁ ସେଥର ଆସି ପାରିଲା ନାହିଁ କି ସିଲି ମଧ୍ୟ ଛୁଟି ନେଇ ସ୍ୱାମୀ ନିକଟକୁ ଗଲା ନାହିଁ l ସେଇ ଶୁକ୍ରବାର ଦିନ ଜଣେ ମଇଶୁରରେ ଏବଂ ଜଣେ ବାଙ୍ଗାଲୋରରେ ଉଭୟେ ନିଜ ନିଜ ଫ୍ଲାଟରେ ଏକୁଟିଆ ରହିଲେ l

ଘରଟି ନିଛାଟିଆ ଲାଗୁଥାଏ l ଶୁକ୍ରବାର ରାତି ହୋଇଗଲେ ଅଭିଳାଷ ଚାଲି ଆସୁଥିଲା ଏବଂ ରବିବାର ସନ୍ଧ୍ୟାରେ ଫେରି ଯାଉଥିଲା l ଅଭିଳାଷ ଆସିଲେ ଘରଟି କେମିତି ଗୋଟେ ଉତ୍ସବ ମୁଖର ଚଳ ଚଞ୍ଚଳ ହୋଇଯାଏ l ବାହା ହେଲାପରେ ପ୍ରଥମ ଥର ପାଇଁ ଆଜି ଗୋଟେ ଅଲଗା ପ୍ରକାର ଲାଗୁଛି l କୌଣସି କଥାରେ ଆଗ୍ରହ ଆସୁନାହିଁ l ବିଦା ହୋଇ ମା ବାପାଙ୍କୁ ଛାଡି ଆସିଲା ବେଳେ ବି ଏମିତି ଲାଗୁ ନଥିଲା l ଅବଶ୍ୟ ଅଭି ସବୁଦିନ ରାତିରେ ସିଲିକୁ ଫୋନ କରେ କିନ୍ତୁ ଏଥର କିଛି ଗୋଟେ ଅଭାବ ବୋଧ ଅନୁଭବ ହେଉଛି l ସିଲିକୁ ତା ଅଫିସର ଝିଅମାନେ ବାହାରକୁ ଡିନର କରି ଯିବା ପାଇଁ ଡାକିଥିଲେ l ଦେହ ଭଲ ନଥିବାର ବାହାନା କରି ମନା କରିଦେଲା l ରାତିରେ ଅଭିର କଣ୍ଠ ସ୍ୱର ଫୋନରେ ଶୁଣି ସିଲି କାନ୍ଦୁଣୁ ମାନ୍ଦୁଣୁ ହୋଇ ଯାଇଥିଲା l ଶନିବାର ସକାଳୁ ସକାଳୁ ଅଭି ନିକଟକୁ ଯିବା ପାଇଁ କରିଥିବା ଯୋଜନା ସମ୍ପର୍କରେ ବି ଅଭିକୁ ଜଣାଇ ଦେଲା l

ଯଥା ସମୟରେ ସେ ଯାଇ ଶନିବାର ଦିନ ପହଞ୍ଚି ଗଲା l ଶନିବାର ରବିବାର ଅଭିର ସାନ୍ନିଧ୍ୟ ପାଇଥିବା ମୁହୂର୍ତ୍ତ ଗୁଡିକ ଶୀଘ୍ର ଶୀଘ୍ର ସରି ଯାଉଥାଏ l ରବିବାର ସନ୍ଧ୍ୟାରେ ସିଲି ଫେରି ଆସିବ ବାଙ୍ଗାଲୋର l ମନ ମାନୁ ନଥାଏ l ଅଭି ନିକଟରେ ଗୋଟିଏ ଦିନ ହିଁ ରହି ପାରିଛି ସେ l ପାଦ ଦୁଇଟି ଫେରିବା ପାଇଁ ବୋଲ ମାନୁ ନଥାନ୍ତି l କେତେ ବା ସମ୍ଭାଳିବ ଆଉ l ପ୍ରେମ ବିବାହ ନୁହେଁ ଯେ ଛାଡି ଚାଲି ଆସିଲେ ହୃଦୟ ଫାଟିଯିବ l ସେମାନଙ୍କ ମଧ୍ୟରେ ତ ପ୍ରେମ କେବେ ନଥିଲା ତେବେ ଅସୁବିଧା କଣ ହେଉଛି ଜାଣି ପାରୁ ନଥାଏ l ଏଣେ ଆଖି ଦୁଇଟି ଭାରି ହୋଇ ଆସିଲାଣି l କହିଲା ମୁଁ ଅଫିସକୁ ମେଲ କରି ଛୁଟି ବଢ଼ାଇ ଦେଉଛି l ଅଭି କିଛି ବି ବୁଝି ପାରୁ ନଥାଏ l ବୋଧେ ସିଲିକୁ ମଇଶୁର ଭଲ ଲାଗୁଛି କି କଣ ନହେଲେ ଛୁଟି ବଢ଼ାଇବା କଥା କାହିଁକି କହିଥାନ୍ତା l

—ଆମେ ଦୁହେଁ ଏଣିକି ଗୋଟିଏ ସ୍ଥାନରେ ରହିବା ପାଇଁ ଚେଷ୍ଟା କରିବା l କାଲିକି ଆମର ସଂସାର ବଢ଼ିବ l ତୁମେ ଗୋଟେ ଜାଗାରେ ଏବଂ ମୁଁ ଗୋଟେ ଜାଗାରେ, ଏମିତି ଆଉ ବେଶିଦିନ ଚାଲିବ ନାହିଁ l ଦୁହେଁ ଗୋଟିଏ ଜାଗାରେ ଅବସ୍ଥାପିତ ହେବା ପାଇଁ କିଛି ଗୋଟେ ବ୍ୟବସ୍ଥା କରିବାକୁ ହେବ l

ସିଲିର କଥା ଶୁଣି ଅଭି କହିଲା l

—ଯୋଉ ସମୟରେ ଯାହା ହେବା କଥା ହେବ l ହେଲେ ଏବେ ତୁମେ ଶୀଘ୍ର ବାହାରି ଯାଅ ନହେଲେ ବେଳାବେଳି ଘରେ ପହଞ୍ଚି ପାରିବ ନାହିଁ ଓ ରାତି ହୋଇଯିବ l

ହେଲେ ବି ସିଲି ବାହାରି ପାରୁ ନଥାଏ l ଏମାନଙ୍କର ବାହାଘର ମାତ୍ର ଦୁଇ ତିନି ମାସ ହୋଇଛି l ସବୁଥର ଅଭି ତାକୁ ଛାଡି ଆସୁଥିଲା ଓ ଏଥର ସେ ପ୍ରଥମ ଥର ପାଇଁ ଅଭିକୁ ଛାଡି ଯାଉଛି l ନା ! ସେ ଆଜି ଅଫିସ କୁ ମେଲ କରି ଆଉ ସପ୍ତାହେ ଛୁଟି ବଢ଼ାଇ ଦେବ l

—ସିଲି ତୁମେ ଭାବିଚିନ୍ତି ଛୁଟି ନିଅ l ଅଫିସରେ ସେମିତି କିଛି ଜରୁରୀ କାମ ଥିବ ଯଦି ତୁମେ ଛୁଟି ନେଇଗଲେ ଅସୁବିଧା ହୋଇପାରେ l ତୁମେ ଯାଅ ମୁଁ ପୁଣି ସୁବିଧା ଦେଖି ଆର ଥରକୁ ଯିବି l ଛୁଟି ନେବାର ଆବଶ୍ୟକତା ନାହିଁ l

—ମୁଁ ଛୁଟି ବଢ଼ାଇ ଦେଇଛି l ତୁମକୁ ଛାଡି ଯାଇ ପାରିବି ନାହିଁ କହି ଅଭିଳାଷକୁ କୁଣ୍ଢାଇ ଧରି ଭେଁ ଭେଁ କାନ୍ଦି ଚାଲିଥିଲା ସିଲି l ବିବାହର ଏତେ ଦିନ ପରେ ପ୍ରଥମ ଥର ପାଇଁ ଅଭିଳାଷକୁ ଏଇ ଦୁନିଆଟି ଅତ୍ୟନ୍ତ ସରସ ସୁନ୍ଦର ମନେ ହେଉଥିଲା l

ପ୍ରେମର ସଂଜ୍ଞା ସିଲି ଭଲ ଭାବେ ବୁଝି ଯାଇଥିଲା l ବନ୍ଧୁକୁ ସ୍ୱାମୀ ରୂପରେ ପାଇବା ପାଇଁ ବିଫଳ ହେଲା ପରେ ଏବେ ସେ ସ୍ୱାମୀ ରୂପକ ବନ୍ଧୁଟିଏ ପାଇ ପ୍ରେମ କରି ବସିଥିଲା l


Rate this content
Log in

Similar oriya story from Inspirational