Satyabati Swain

Tragedy

4  

Satyabati Swain

Tragedy

ସବୁଜ ଚୁଡ଼ି

ସବୁଜ ଚୁଡ଼ି

4 mins
335


ଆଜି ମୋର ଚତୁର୍ଥୀ। ଗୁନ୍ ଗୁନ୍ ମୋ ମିସେସ୍ ସଜେଇ ହୋଇ ଦେବୀଟିଏ ପରି ଦିଶୁଥିଲା। ଆମେ ପରସ୍ପରକୁ ଭଲ ପାଇଁ ବାହା ହୋଇଛୁ ମୋ ମାଆର ସ୍ବୀକୃତି କ୍ରମେ। ଘରେ ବନ୍ଧୁ ବାନ୍ଧବ ବୋଝେଇ। ଗୁନ୍ ଗୁନ୍ ସବୁ ଦିନେ ଦେଖେ ଆଜି କିନ୍ତୁ ଦିବ୍ୟ ସୁନ୍ଦର ଦେବୀଟିଏ ପରି ଲାଗୁଛି। ବିଶ୍ବାସ ହେଉ ନାହିଁ ଏଇ କଣ ସେଇ ଝିଅ ଯାହା ସହ ନିତି ସାଙ୍ଗ ହେଉଥିଲି। ଭାରି ଲୋଭେଇ ଗଲି ତାକୁ ଦେଖି। ହଠାତ୍ ଗୁନ୍ ଗୁନ୍ ହାତରେ ରୁଣୁଝୁଣୁ ହେଉଥିବା ସବୁଜ ଚୁଡ଼ି ଉପରେ ମୋ ଆଖି ପଡିଲା ଏବଂ ତାକୁ ଦେଖି ମୁଁ ଚିତ୍କାର କଲି ତୁମେ ଚୁଡ଼ି ପିନ୍ଧନାହିଁ । ତୁମ ହାତ ଆଗରୁ ଯେପରି ଥିଲା ସେପରି ରହୁ। ଗୁନ୍ ଗୁନ୍ ହାତ ଦୁଇଟି ଯେମିତି ମୋର ମାଆର ହାତ ହୋଇ ଯାଉଥିଲା।ମୁଁ ଆଖି ବୁଜି କାନରେ ହାତ ଦେଇ ନା ନା ପିନ୍ଧନା ଚିତ୍କାର କରି ବେହୋସ୍ ହୋଇଗଲି।  ସମସ୍ତେ ମୋର ଏପରି ବ୍ୟବହାର ଦେଖି ବିସ୍ମିତ ଓ ବ୍ୟସ୍ତ ହେଲେ। ହୋସ୍ ଆସିଲା ପରେ ନିଜକୁ ଜଣେ ମାନସିକ ଡାକ୍ତରଙ୍କ କ୍ଲିନିକରେ ଆବିଷ୍କାର କରି ଆଶ୍ଚର୍ଯ୍ୟ ହେଲି। ଡାକ୍ତର ମୋତେ ଏମିତି ଚିତ୍କାର ଛାଡି ବେହୋସ୍ ହେବାର କାରଣ ପଚାରୁଥିଲେ। ସବିଶେଷ ନ ଜାଣିଲେ ମୋ ଚିକିତ୍ସା କରିବେ କେମିତି ?

ଆଗରୁ ତୁମର ଏମିତି କେବେ ହୋଇଥିଲା ଜନ୍ମେଜୟ ?

ନା ସାର୍ ।

ହଠାତ୍ ଏମିତି ହେବା ପଛର କାରଣ ?

କାରଣ ... କାରଣ

ଆଖି ବୁଜି ମୁଁ ଚାରି ବର୍ଷ ବୟସକୁ ଫେରିଗଲି।

ନା ନା ମୋ ମାଆ ହାତରୁ ଚୁଡ଼ି ଭାଙ୍ଗନା। ବାପା କେତେ ଖୁସିରେ ଏଇ ଅଳ୍ପ ଦିନ ହେବ ମାଆକୁ ଏ ଚୁଡ଼ି ଆଣି ଦେଇଥିଲେ। ଭାଙ୍ଗନା କକା ,ଭାଙ୍ଗନା କକା ଭାଙ୍ଗନା।

ଏତେବେଳ ଯାଏ ସମସ୍ତେ କାନ୍ଦୁଥିଲେ ବୋଲି ମୁଁ କାନ୍ଦୁଥିଲି। କିନ୍ତୁ ତପନ କକା ଯେତେବେଳେ ମୋ ମାଆ ହାତରୁ ଚୁଡ଼ି ଭାଙ୍ଗିଲେ ଓ ବିଦୁ ନାନୀ ଲିଭେଇ ଦେଲେ ସିନ୍ଦୁର ମୁଁ କି ଆଉ ସମ୍ଭାଳା ପଡେ ? ଜେଜେଙ୍କ ବଙ୍କୁଲି ବାଡ଼ି ନେଇ ପିଟି ଦେଇ ଗଲି ତପନ କକାକୁ। ବଡ଼ ପାଟିରେ ଚିଲାଉଥିଲି ଛାଡ଼ ଛାଡ଼ ମୋ ମାଆକୁ । ଏଇ ଅଳ୍ପ ଦିନ ହେବ ବାପା ଶାଗୁଆ ଚୁଡ଼ି ଡବାଏ ଆଣି ଦେଇଥିଲେ। ପୁରୁଣା ହୋଇ ନାହିଁ କି ଫାଟି ନାହିଁ ତ ତୁମେ କାହିଁକି ମୋ ମାଆ ହାତରୁ ଚୁଡ଼ି କାଢୁଛ ପୁଣି ଭାଙ୍ଗୁଛ ? ଆଉ ବିଦୁ ନାନୀ ତୁମେ କିଏ ମୋ ମାଆ ମଥା ସିନ୍ଦୁର ଲିଭେଇବ ? ଦେଖ ଏ ବାଡ଼ି ମୋ ମାଆକୁ ଛାଡ଼ ନଲେ ତୁମକୁ ବି ପିଟିବି । ମାଆ ହେ ମାଆ ତୁ କିଛି ନ କହି କାନ୍ଦୁଛୁ କାହିଁକି ? ନେ ଏ ବାଡ଼ି ପିଟିଦେ କକାଙ୍କୁ। ମୋର ଏ କଥା ଶୁଣି ଆମ ଘରେ ରୁଣ୍ଡ ହୋଇଥିବା ଲୋକେ ଆହା ପିଲା ଲୋକ କିଛି ଜାଣି ପାରୁ ନାହିଁ ସିନା ବୋଲି କହୁ କାନ୍ଦ କାନ୍ଦ ହେଉଥିଲେ। ତପନ କକା ମୋ ମାଡ଼ ଖାଇ ମୋତେ ନାଲି ଆଖି ଦେଖେଇଲେ ନାହିଁ କି ମୋତେ ମାରିଲେ ନାହିଁ। ବରଂ ମୋତେ ଟେକି ନେଇ ତାଙ୍କ ଛାତିରେ ଜାକି ଦେଇ ଦେଇ ମୁଣ୍ଡ ସାଉଁଳି କାନ୍ଦିବାକୁ ଲାଗିଲେ।

ମୋ ବାପା ନୂଆ ଧଳା ଲୁଗା ଘୋଡ଼ି ହୋଇ ଶୋଇ ଥିଲେ।ଖଟରେ ନୁହେଁ ବାଉଁଶ ଓ ପାଳ ଦଉଡ଼ି ବନ୍ଧା ଶେଯରେ।ତାଙ୍କ ଉପରେ ସମସ୍ତେ ଫୁଲ ମାଳ ଦେଉଥିଲେ। ମୁଣ୍ଡରେ ଲଗାଇ ଥିଲେ ଅବିର। ତପନ କକା ଆମ ଅଗଣାରୁ ମୁଠେ ମାଟି ମୋ ହାତରେ ନେଇ , ବାପାଙ୍କ ଉପରକୁ ଫୋପାଡ଼ି ଦେଲେ।

ମୁଁ କକାଙ୍କ କୋଳରୁ ଜୋର୍ ଜବରଦସ୍ତ ଓହ୍ଲେଇ ପଡି ବାପାଙ୍କ ଉପରୁ ମାଟି ତକ ସଫା କରି ଦେଲି। ତାଙ୍କ ଛାତିରେ ଲୋଟି ଯାଇ କହିଲି, ବାପା ଦେଖିଲ ଏ କକା କେମିତି ତୁମକୁ ଅସନା କରୁଛନ୍ତି ମାଟି ପକେଇ। ତୁମେ ଶୋଇଛ କାହିଁକି ବାପା ? ଉଠି ପଡ଼। ଆଜି ଅଫିସ୍ ଯିବନି କି ? ଦେଖିଲ ଏ ଦୁଷ୍ଟ କକା ଓ ବିଦୁ ନାନୀକୁ ? ସେ ମାଆ ଚୁଡ଼ି ଭାଙ୍ଗି ସିନ୍ଦୁର ପୋଛି ଦେଉଛନ୍ତି। 

ବାପା ବାପା କହି ଯେତେ ହଲେଇଲି, ବାପା ଶୁଣିଲେ ନାହିଁ। ଭେମା ରଡି ଛାଡି କାନ୍ଦିଲି। ମୋତେ ବାପାଙ୍କ ଦେହରୁ ଛଡାଇ ଶିବୁ ବଡବାପା କାଖେଇ ବାରି ଆଡ଼କୁ ନେଇଗଲେ। ଶିବୁ ବଡ଼ବାପାଙ୍କ କାଖରେ ଛାଡି ପିଟି ହୋଇ କହୁଥିଲି ଛାଡ଼ ମୁଁ ବାପାଙ୍କ ପାଖକୁ ଯିବି। ସେ ମୋତେ ତାଙ୍କ ସମସ୍ତ ଜୋର୍ ଲଗେଇ ଛାତିରେ ଜାକି ଥିଲେ । ମୋତେ ଶୁଭୁଥିଲା ଝାଞ୍ଜ ମୃଦଙ୍ଗ ଶବ୍ଦ ସହ ରାମ୍ ନାମ୍ ସତ୍ୟ ହେ।ହରି ନାମ୍ ସତ୍ୟ ହେ। ତା ସହିତ ମୋ ମାଆ ସମେତ ଆମ ଘରର ସବୁ ଲୋକଙ୍କ ବିକଳ କାନ୍ଦଣା। ବଡ଼ ବାପା ମୋତେ ଭୁଲେଇ କହୁଥିଲେ ରହ ଆଉ ଟିକେ ଯାଉ ତୁ ଘରକୁ ଯିବୁ ଓ ଗାଧୋଇବୁ ।

ମୁଁ ବା ସକାଳୁ ଗାଧୋଇଛି ? ଏବେ କାହିଁକି ଗାଧୋଇବି ?

ସମସ୍ତେ ଗାଧୋଇବେ ତ।

ସମସ୍ତେ କଣ ଏଯାଏ ଗାଧୋଇ ନାହାଁନ୍ତି ?

ବଡ଼ ବାପା କିଛି ନ କହି କେବଳ କାନ୍ଦିଲେ।ଗୋବର ପାଣି ପକେଇ ଦାଣ୍ଡ ଓଳା ହେଲା। ବାପା ଶୋଇଥିବା ଜାଗା ଲିପା ହେଲା।ଆମ ଘର ଲୋକେ ସମସ୍ତେ ଗାଧୋଇଲେ। ଆଳୁ କକା ନଡ଼ିଆ ଭାଙ୍ଗି କୋରି ରାଇ କଲେ। ଆମ ସାହି ଭାଇ ଗାଧୋଇ ଆସି ଆମରି ଦାଣ୍ଡରେ ଓଦା ଲୁଗା ପକେଇ ଚୁଡା,ଦହି ,କଦଳୀ, ମିଠା ଓ ରାଇ ବସି ଖାଇଲେ । ତାପରେ ଆମ ଘର ଲୋକେ ଖାଇଲେ। ସମସ୍ତେ ଖାଇଲେ କିନ୍ତୁ ମୋ ବାପା ନଥିଲେ ସେମାନଙ୍କ ସହ। ମାଆ ଗୋଟେ ଘରେ ଚୁପ୍ ଚାପ୍ ବସିଥିଲା ଅନ୍ଧାର କରି। ତାପରେ ଆମ ଘରଦ୍ୱାର ଲିପାପୋଛା ହେଲା। ଘରର ଯାବତୀୟ ଜିନିଷ ସଫା ହେଲା। କିଛି ଦିନ ପରେ ଆମ ଘରେ କେତେ କୁଣିଆଁ ଭର୍ତ୍ତି ହୋଇଗଲେ। ଦିନେ ମୋ ଦାଦା ଓ ମୁଁ ଲଣ୍ଡା ହେଲୁ।ଧଳା କପଡ଼ାରେ ଆମ ଦାଣ୍ଡ ବାଡ଼ି ସଫାସଫି ହୋଇ ସଜା ହେଲା। ତାପର ଦିନ ଆମର କେତେ ପ୍ରକାର ଖାଇବା ପିଇବା ହୋଇ ଭୋଜିଭାତ ହେଲା।। ସମସ୍ତଙ୍କୁ ଦେଖି ପୁଣି ଭୋଜି ହେଉଥିବାରୁ ମୋତେ ଯେତିକି ଖୁସି ଲାଗିବା କଥା ଲାଗୁ ନ ଥିଲା। କାରଣ ସମସ୍ତଙ୍କ ଭିତରେ ମୋ ବାପା ନ ଥିଲେ ନା। ସବୁ ଘୋ ଘୋ ଭିତରେ ମୋତେ କିନ୍ତୁ ଦିଶୁଥିଲା ମୋ ମାଆ ହାତର ଚୁଡ଼ି ଭଙ୍ଗା ଦୃଶ୍ୟ।

ସେବେଠାରୁ ମୋ ମାଆ ଆଉ ଚୁଡ଼ି ପିନ୍ଧି ନାହିଁ କି ହସି ନାହିଁ।

ମୋର ବୟସ ସାତ।

ଏଥରକ ସେଇ ଏକା ଦୃଶ୍ୟ ପୁଣି ଥରେ ମୋ ଜୀବନରେ ଘଟିଲା ଯେତେବେଳେ ମୋ ଜେଜେ ମରିଗଲେ ଓ ଜେଜେମାଆ ହାତର ଚୁଡ଼ି ଭଙ୍ଗା ଗଲା। ସେହିଦିନୁ ରୁଣୁଝୁଣୁ ଚୁଡ଼ି ଶବ୍ଦ ଶୁଣିଲେ ଆଉ କାହା ହାତରୁ ଚୁଡ଼ି ଭଙ୍ଗା ଯିବ ଭାବି କାନ ବୁଜି ଚୁପ୍ ଚାପ୍ ବସି ପଡୁଥିଲି। ଆଜି ସେଇ ଶବ୍ଦ ଗୁନ୍ ଗୁନ ଚୁଡ଼ି କରୁଥିବାରୁ  ମୁଁ ଅତ୍ୟଧିକ ଭୟଭୀତ ହୋଇଗଲି। ମୋ ମାଆ ବି ଗୁନ୍ ଗୁନ୍ ପରି ହାତରେ ହାତେ ସବୁଜ ଚୁଡ଼ି ପିନ୍ଧିଥିଲା ଯେଉଁ ଦିନ ତପନ କକା ସେଗୁଡିକ ନିର୍ଦ୍ଦୟ ଭାବେ ଭାଙ୍ଗୁଥିଲେ।ମୋତେ ଲାଗିଲା ଗୁନ୍ ଗୁନ୍ ହାତ ନୁହେଁ ମାଆ ହାତ ମୁଁ ଦେଖୁଛି। ଏବେ ତପନ କକା ଆସିବେ ଓ ସେଗୁଡିକ ଭାଙ୍ଗି ପକେଇବେ।

ବାସ୍ ! ତାପରେ ତ ...

ଡାକ୍ତର ମୋ ପିଠି ଥାପୁଡ଼େଇ କହିଲେ,ଜନ୍ମେଜୟ ! ବ୍ୟସ୍ତ ହୁଅ ନାହିଁ।ସବୁ ଠିକ୍ ହୋଇଯିବ ।



Rate this content
Log in

Similar oriya story from Tragedy