Bibhu Samanta

Inspirational

4  

Bibhu Samanta

Inspirational

ସବୁଜ ବନାନୀର ଦିଗବାରେଣି : ପରଶମଣି

ସବୁଜ ବନାନୀର ଦିଗବାରେଣି : ପରଶମଣି

6 mins
249



" ପିନୁ... ପିନୁ... ଆଲୋ ମା' ମୋର ଦାଆଟା ଦେଖିଛୁ କି? ଟିକେ ବୋଉକୁ ପଚାରିଲୁ... କାଲି ସଞ୍ଜରେ ଏଇ ଚାଳରେ ଖୋସିଥିଲି, ଆଜି ପାଉନି !!


ନାଇଁ ବାପା! ବୋଉ ଯାଇଛି ନଖି ଖୁଡି ଘରକୁ, ପୁନେଇଁ ଭାର ବାଣ୍ଟିବାକୁ। ତମେ ଦୀପାକୁ ପଚାର, ମୁଁ ଯାଉଛି ମୋ କଲେଜ ଡେ଼ରି ହେଲାଣି। 


ନା ମ ! ବାପା, ମୋର ସେଥିରେ କି କାମ ଯେ? ମୁଁ ଦେଖିନି। ଘର ଭିତରୁ ଦୀପା ଉତ୍ତର ଦେଲା। 


ଆସୁ ତୋ ବୋଉ! କୋଉ ଜିନିଷ କୋଉଠି ନେଇ ରଖୁଛି ଯେ। ବେଳ ଆସି ଉଛୁର ହେଲାଣି, କେତେବେଳେ ଆଉ ଯିବି ବିଲକୁ । ମୁଁ ନ ଗଲେ ତେଣେ, ସେ ମୂଲିଆ ଗୁଡା କାମ କରିବେନି। ମା ... ଲୋ... ମା... ତାରିଣୀ, ମୋ ଦାଆ ତା ମିଳିଯାଉ ଲୋ... ନଡ଼ିଆଟେ ଦେବି। 


ଏତିକି ବେଳେ ବୋହୂ ରୀନା, ଚା ଗିଲାସ ଆଉ ଦାଆ ଧରି ଆସିଲେ ଘର ଭିତରୁ।  


ଦାଆଟା ଧରି ନେଇ ବାପା କହିଲେ,

- ଆଲୋ ମା, ଏଇଟା ତୋ ପାଖେ ଥିଲା, ମୁଁ ଏତେ ମାନସିକ କରିସାରିଲିଣି। କଣ କରୁଥିଲୁ ଯେ?


- ନାଇଁ ବାପା, ଭାର ସାଙ୍ଗେ ଯୋଉ କଦଳୀ କାନ୍ଧି ଆସିଥିଲା, ମୁଁ ନେଇଥିଲି କାଟିବାକୁ। ତମେ ଏତିକିରେ ମାନସିକ କରିଦେଲ? ଏତେ ମାନସିକ କରୁଛ... ହେଲେ ମୁଁ ତ କେବେ ଦେଖିନି କେବେ ନଡ଼ିଆ ଶଙ୍ଖା ଦେବାର ? 


- ଆଲୋ ପାଗଳୀ, ମୁଁ ସେ ବୁଢ଼ୀ ପାଖେ ଯେତେ ମାନସିକ କରିଛି, ଏ ବରଜୁ ପଧାନର ଘର ବାଡ଼ି ବିକ୍ରି ହୋଇଗଲେ ବି ବାକି ରହିଯିବ। କିନ୍ତୁ ମୁଁ ଏମିତି ମାନସିକ କଲେ, ମୋ ଜିନିଷ ଖୋଜି ଦିଏ। ସେ ଭଲ କି ଜାଣେ ମୁଁ ଦେବିନି କେବେ କିଛି ତାକୁ। ତା' ପରେ ଆମର ଚାଷୀ ଘର, କେବେ ଦାଆ ମିଳେନି, କେବେ ଜୁଆଳି, କେବେ ବଳଦ ହଜେ, ପୋକ ଲାଗେ, ପିଲାଙ୍କ ଦିହ ପା ଖରାପ, ରାତିରେ ଜନ୍ତୁ ଭୟ। କହ କିଏ ଆଉ ଆମ ଶୁଣିବ ଆମ ଡାକ। ଗରିବ ଖଟିଖିଆର ଦୁଃଖ, ସବୁ ସେଇ ଶାଲୁଆ ବନ ଭିତରେ, ସିନ୍ଦୂର ଲଗା, ଅଣେଇ ପଡିଥିବା ପଥର ଆଗେ ଗୁହାରି କରୁ। ହେଲେ, ଆମେ ଜାଣୁ, ସେ ପଥର ନୁହେଁ, ପରଶମଣିଟିଏ। 


କଲେଜ ପଢିଥିବା ରୀନା ଶୁଣୁଥିଲା ଶଶୁରଙ୍କ କଥା। ସେ ଚା ପିଇ ଦେଇ ଗିଲାସ ଥୋଇ ଚାଲିଗଲେ ବିଲକୁ। ସୂର୍ଯ୍ୟ ମଥାନକୁ ଛୁଇଁଲେ, ବାପା ଫେରନ୍ତି ବିଲରୁ, କେବେ କେବେ ବୋଉ ନେଇ ଯାଆନ୍ତି ପଖାଳ, ମାଛ ଭଜା, ବଡ଼ିଚୁରା, ଆମ୍ବ ଆଚାର, ମରିଚ ପିଆଜ। ସେଦିନ ବୋଉ ଆଉ ଯାଇପାରିଲେନି ଖାଇବା ନେଇ, ଭାର ବାଣ୍ଟି ସାରି ସେ ଥକି ସୋଇ ପଡିଛନ୍ତି, ପିଣ୍ଡା ଖଟରେ, ପିନୁ ଓ ଦୀପା ଦୁହେଁ କଲେଜ ଯାଇଥାନ୍ତି। ବାପା ହାତ ମୁହଁ ଧୋଇ ହେଇ ବସିଲେ ଖାଇବା ପାଖେ। ମନ ଜାଣି ବାଢ଼ିଦେଲା ରୀନା। ଖୁବ ଖୁସିରେ ଖାଇଲେ ବାପା। ରୀନା କହିଲା, ଆଉ ଖଣ୍ଡେ ଭଜା ମାଛ ଦେବି? ମନା କଲେ । ଗାମୁଛାରେ ମୁହଁ ପୋଛି ବସି ପଡିଲେ। ଖୁଣ୍ଟକୁ ଆଉଜି। ରୀନା ଅଇଁଠା ବାସନ ଗୋଟାଉ ଗୋଟାଉ ପଚାରିଲା, ବାପା, ମୁଁ ଆମ ବାଡ଼ି ନଡ଼ିଆ ଗୋଟେ ରଖିଛି, ଟିକେ ମା ପାଖକୁ ପଠେଇବା ବ୍ୟବସ୍ଥା କରନ୍ତନି? 


ବାପା ହସିଲେ, 

- ଡରୁଛୁ କି ତୁ? ଆ... ବସ ଏଇଠି। ଶୁଣ... ସୁଧୀର ଛୋଟଟେ ହେଇଥିଲା, ପିନୁ କୋଳରେ ଥିଲା, ଦୀପା ହେଇ ନଥିଲା। ଆମ ପାଣି ମଟର ଖରାପ ହୋଇଗଲା। ଖରାଦିନ, କୂଅ ପୋଖରୀ ସବୁ ଶୁଖିଲା, ଏଣେ ଫସଲରେ ପାଣି ନ ଦେଲେ, ଖରାରେ ଝାଉଁଳି ଯିବ। ମୁଁ ମଣିଷଙ୍କ କଥା ଚିନ୍ତା କରିବା ଆଗରୁ ବୁଢ଼ୀ କଥା ଆଗେ ଚିନ୍ତା କରେ। ଜାଣି ପାରୁଛୁ ନା ! ତାରିଣୀ ମା କଥା। ମାନସିକ କଲି, ମା ଲୋ... କଣ ତୋ ଇଚ୍ଛା? ତୁ ଥାଉ ଥାଉ ମୁଁ ଏତେ କଷ୍ଟରେ ରହିବି? କହି ବାହାରିଲି, ମଟରଟି ଧରି ବଜାର କୁ। ଦୋକାନୀ କହିଲା, ପୋଡି ଯାଇଛି। ନୂଆ କିଣି ନେବା ଭଲ। ହେଲେ, ନୂଆ ପାଇଁ ଖୁବ ପଇସା ଲାଗିବ, କୁଆଡୁ ଆଣିବି। ଜଣେ ଦି ଜଣଙ୍କୁ ଧାର ମାଗିଲି ଦେଲେନି। ସେମିତି ବସିଥାଏ, ସେ ଦୋକାନରେ। ଏତିକି ବେଳେ ଆମ ପୋଷ୍ଟମାଷ୍ଟର ଆସି କହିଲେ, କଣ ବରଜୁ ମନ ଦୁଃଖରେ ବସିଛ? ଆଜି କଣ କିଛି ପଠେଇବନି, ମାଆ ପାଖକୁ। ତମ ଜିନିଷର ଭାରି ଆଦର ସେଠି। ସତେ ଯେମିତି ମା ଚାହିଁ ବସି ଥାଏ ତମ ହାତ ତୋଳା ସଜ ଶାଗ ମୁଠେ, ଝୁଡୁଙ୍ଗ ବିଡାଏ, ମାଟି ଆଳୁ ଖଣ୍ଡେ, ଅମୃତଭଣ୍ଡାକୁ ଭାରି ଶରଧା ରେ। ଆଜି କଣ ହେଲା, ଏମିତି ମନ ମାରି ବସିଛ? ମୁଁ କହିଲି, ନାଇଁ ସାରେ... ପାଣି ମଟରଟା ଖରାପ ହୋଇଯାଇଛି ତ! ସେ ପାଇଁ... ତମେ ସତ କୁହ, ମୋ ବୁଢ଼ୀ, ମୋ ମା... ଏମିତି ଚାହିଁ ବସେ, ମୋ ବାଡ଼ି ପନି ପରିବାକୁ। ମୋ ପଢ଼ୁଆଁ ଝିଅ ପରା ସେଇ। ତାକୁ ନ ଦେଇ ଆଉ କାହାକୁ ଦିଅନ୍ତି ଯେ? ପୋଷ୍ଟମାଷ୍ଟର କହିଲେ, ଆରେ ତମେ ବ୍ୟସ୍ତ ହୁଅନି। ତମ ପାଇଁ ଟଙ୍କା ଆସିଛି, ଗୋବିନ୍ଦପୁର ଗାଁର, ଶରତ ନାୟକ ପଠେଇଛନ୍ତି, 500 ଟଙ୍କା। ନିଅ। ଦସ୍ତଖତ କର। ମୁଁ ମନେ ମନେ ଭାବିଲି, ଗୋବିନ୍ଦପୁର ଶରତ ନାୟକ ତ ମୋ ଭିଣୋଇ, ସେ କାହିଁ ପଠେଇବେ ଯେ। କିଛି ତ କେବେ ଦେଇନି। ଏମିତି କେତେ କଣ ଭାବି, ଟଙ୍କା ରଖିଲି। ନୂଆ ପାଣି ମଟରଟେ କିଣି, ସାଇକେଲରେ ଲଦି ଘରକୁ ଫେରୁଛି। ଆମ ଠାକୁରାଣୀ ଶାଳର ଦେହୁରୀ ନନା ଭେଟିଲେ ମୋତେ। କହିଲେ, ଆରେ ବରଜୁ, ଏତେ ଖରାରେ କୁଆଡେ ଯାଉଛୁ? ଆଜି ଠାକୁରାଣୀ ପାଖେ ଅନେକ ଭିଡ଼ ହୋଇଥିଲା, ନଡ଼ିଆ ପାଣି ସବୁ ଅଛି। ଟିକେ ପି ଦେଇ ଯାଆ। ମୁଁ କଣ ଫିଙ୍ଗି ଦେବି ତାକୁ। ମୁଁ ଦେଖିଲି, ସେଇ ରାସ୍ତାରୁ ଦୂରରେ ମୋ ବୁଢ଼ୀ ହସୁଥିଲା, ସ୍ନେହ ଆଉ କରୁଣ ନେତ୍ରରେ ଚାହିଁ। ମୁଁ ଲୁହ ଦି ଟୋପା ସହ ଗାମୁଛାରେ ମୁହଁର ଝାଳ ପୋଛି ପି ଗଲି, ବେଲାଏ ପାଦୁକ ପାଣି। ସେ କହିଲେ ଆଉ ପି ବୁ? ମୁଁ ହଁ କହିଲି, ଏ ଖରାରେ ମୋ ହଂସା ଉଡି ଯାଉଥିବା ବେଳେ ମୋ ମନ ବୁଝିପାରି ନଡ଼ିଆ ପାଣି ପିଆଇ ପାରିବା ଲୋକଟି କିଏ ହୋଇପାରେ କହିଲୁ? ମୋର ମନେ ଅଛି... ସେ ପାଦୁକ ପାଣି ନୁହେଁ... ମୋ ପାଇଁ ସରଗର ଅମୃତ ବିନ୍ଦୁ। ଦେହୁରୀ ନନା ଚାଲିଗଲା ପରେ, ମୁଁ ଠିକ ଜାଣେ ଏ ପଇସା ପଠେଇବେ କାମ ତା ଛଡା ଆଉ କେହି ନୁହେଁ। ମୁଁ ଦେଖୁଥିଲି ମନ୍ଦାର ଫୁଲରେ ମଣ୍ଡେଇ ହେଇ, ସବୁଜ ବନାନୀ ଭିତରେ ବସି ଠିକ ଭୁଲର ବାଟ ବତେଇ ଦେଉଥିବା, ସେ ନାଲି ପଥର ଭିତରୁ ମୋ ଉପରେ ଆଶିଷ ଢ଼ାଳି ଦେଉଥିବା, ମୋ ବୁଢ଼ୀ ମାକୁ। ମୁଣ୍ଡିଆଟେ ମାରି ଚାଲି ଆସିଲି ଘରକୁ। 


ସେ ମାଗେନି କେବେ କିଛି, ସେ ଜାଣେ ମୁଁ ଏମିତି ପୁଅଟେ ତାର, ଯେ ସବୁ ମୁହୂର୍ତ୍ତରେ ଖୋଜେ ତାକୁ ଖୋଜେ। ଭଲରେ ମନ୍ଦରେ ଲୋଡ଼େ। ନିଜ ଲୋକକୁ ପାଖେ ଏତେ ଔପଚାରିକତା କଣ ଯେ? ମା ଉପକାରର ମୂଲ୍ୟ କଣ କୋଉ ପୁଅ ଦେଇପାରେ? ମୁଁ କେମିତି ଦେଇଥାନ୍ତି। ରୀନା ବୁଝୁଥିଲା ଏ ମାନସିକ କରିବାର ମାନେ ବିଶ୍ୱାସ ବାନ୍ଧିବା। ଆଉ ପୁରଣ ହେବାର ମାନେ କୃପା ମିଳିବା। ଆଉ ତା ପରେ, ଆନୁଗତ୍ୟ ରକ୍ଷା କରି, ନିଜ ଇଷ୍ଟଙ୍କୁ ସମର୍ପିବା। ଏଇତ ଆମ ଚଳଣି, ଆମ ପରମ୍ପରା। ଯେ ଆମକୁ ସାମାନ୍ୟ ସାହାଯ୍ୟ କରେ ଆମେ ତାକୁ ଛାତିରେ ବସାଉ। ବାହା ପୁଆଣିରେ ଖୋଜୁ। ଏମିତି ହିଁ ତ ସମ୍ପର୍କ ବନ୍ଧାହୁଏ। ହେଲେ ଆମ ଓଡ଼ିଆ, ଏତେ ଭାବ ପ୍ରବଣ ଯେ ସମ୍ପର୍କର ଭାବଡୋରୀଟା ଲମ୍ବିଯାଏ, ମଣିଷରୁ ଦେବାଦେବୀଙ୍କ ଯାଏ। ବାପା ବୋଉ କାନିରୁ ଫିଟେଇ ପାନ ଖଣ୍ଡେ ଖାଇ ଦେଇ ଚାଲିଗଲେ ପୁଣି ବିଲ ଆଡେ।


ସଞ୍ଜକୁ ବାପା ଫେରିଲେ, ଗଡ଼ିଆରେ ମୁହଁ ହାତ ଧୋଇ। ବୋଉ ପଢୁଥିଲେ, ଭାଗବତ। ବାପା ସେଇ ପୂଜା ଘର ପିଣ୍ଡାରେ କଛା ମାରି ମୁଣ୍ଡିଆ ମାରିଲେ, ହାତ ଯୋଡିଲେ। କଣ ସବୁ ଗୁଣୁଗୁଣୁ ହୋଇ କହିଲେ, ଆଣ୍ଠୁ ମାଡି ବସି, ହାତ ଟେକିଲେ, ଆଉ କହିଲେ, ମା... ଲୋ... ଯାହା ତୋ ଇଚ୍ଛା ଲୋ ମା। ମୋ ସଂସାର ତୋତେ ଲାଗିଲା ଲୋ ମା। ସେ ଆସୁ ଆସୁ ରୀନା ବଢ଼େଇଦେଲା, ଚା ଗିଲାସ ଟି, ଆଉ ଦୁଇଟି ଆରିସା ପିଠା। ବାପା ଖଟରେ ବସି ଚା ପିଇ ଲେ। ରୀନା ଖୁଣ୍ଟକୁ ଆଉଜି କହିଲା, ବାପା ! ଯାହା ହେଲେ ବି ସେ ଠାକୁରାଣୀ। ଏମିତି ମାନସିକ କରି ନ ଦେଲେ, କୋପ କରିବେନି? ନେତ ନାନୀ କହୁଥିଲା, ତାଙ୍କ ଫସଲ ଭଲ ହେବ ବୋଲି ମାନସିକ କରିଥିଲା, କିନ୍ତୁ ଦେଇ ପାରିଲାନି। ତାଙ୍କର କୁଆଡେ ଅମାରରେ ନିଆଁ ଲାଗିଗଲା। ଅନେକ କ୍ଷତି ହେଲା ତାଙ୍କର। ତମ ପୁଅ, ବାହାରେ ଚାକିରୀ କରନ୍ତି। ତାଙ୍କ ପାଇଁ ଡର ଲାଗୁଛି। ତମେ ଟିକେ ଯାଅ ବସରେ ନଡ଼ିଆ ପଠେଇ ଦିଅ। 


ବାପା କହିଲେ, 

ହଉ, କାଲିକି ଦେଖିବା। ଆଲୋ ହୁଣ୍ଡି ! ଠାକୁରାଣୀ କୋପ କରେ ଅନ୍ୟାୟ, ଅନୀତି, ଅତ୍ୟାଚାରରେ .. ଏସବୁ ପାଇଁ ନୁହେଁ। ସେଥିପାଇଁ ତ ମଣିଷ ଡରେ ପାପ କରିବାକୁ, ସେ ତା ପିଲାଙ୍କ ପାଇଁ ସବୁଠି। ଆମ ପୋଖରୀ ତୁଠରେ ଯେଉଁ ଓସ୍ତ ଗଛ ଅଛି, ସେ ଚାହିଁ ରହିଥାଏ ମୋତେ ସେଇଠୁ। ଥକା ମାରିବାକୁ ଗଛ ମୂଳକୁ ଗଲେ ସେ ବିଞ୍ଚି ଦିଏ ତା ପଣତ କାନିରେ। ନହେଲେ ସେ ଉଦୁଉଦିଆ ଖରାବେଳେ ଏତେ ଶୀତଳ ପବନ ଆସନ୍ତା କୁଆଡୁ? ମୁଁ ଜାଣେ ସେ ସମସ୍ତଙ୍କ ମଙ୍ଗଳ କାମନା କରି ପାଖରେ ଠିଆ ହୁଏ। ଦିନେ ଦିନେ ମୁଁ ତାକୁ ପଚାରେ, କହିଲୁ ମା ! ସେ ନଡ଼ିଆ ଭାଙ୍ଗିବାର ଶବ୍ଦ ଆଉ ସେ ନଡ଼ିଆ ପାଣିରେ ଗାଧେଇ ତୋତେ ଚିଡି ଲାଗେନି?, ତୋ ଦେହ ଅଠା ଅଠା ହେଇ ଯାଏନି? କେବେ ଆସୁନୁ ମୋ ସାଙ୍ଗେ ଆମେ ବୁଲି ଯାଆନ୍ତେ ଜଙ୍ଗଲ ରାସ୍ତା ରୁ ଗାଁ ଆଡେ। ଯେଉଁଠି ମନ୍ତ୍ର ଆଉ ନଡ଼ିଆ ଭାଙ୍ଗିବାର ଶବ୍ଦ ଠୁ ଦୂରରେ, ଥିବ ଝରଣାର କୁଳୁକୁଳୁ ନାଦ, ପକ୍ଷୀଙ୍କ ମନ ଲୋଭା କିଚିରି ମିଚିରି ସ୍ୱର। ତୁ ସତେ ଆସନ୍ତୁ, ମୋ ପଛେ ଯେମିତି ଆସିଥିଲୁ ସେଦିନ ଗୋବିନ୍ଦ ଭଞ୍ଜଙ୍କ ପଛେ, ସେ ଶାଳ ବଣରେ ପାଉଁଜି ବଜେଇ। ଝରଣାର ସଫା ପାଣିରେ ଧୋଇ ଦିଅନ୍ତି ତୋ ପାଦ। ତୋଳି ଆଣନ୍ତି, ଜାମୁକୋଳି, କେନ୍ଦୁ, ମିଠାଫଳ ରୁ କିଛି ତୋ ପାଇଁ। ତୁ ଖାଇ, ମୋତେ ଖୋଇଦିଅନ୍ତୁ। ମୁଁ ପିଲାଦିନୁ ମା କଣ ଜାଣିନି, ହେଲେ ତୋତେ ଯେବେ ଭାବେ ମୁଁ ପାଏ ମୋ ପାଖେ ସବୁବେଳେ। 


ମୋ କଥା ନ ସରୁଣୁ ମୁଁ ଦେଖେ, ତୋ ବୋଉ, ଭାତ ଧରି ହାଜ଼ର ହୁଏ ବିଲ ମୁଣ୍ଡରେ। ସେ ଠାକୁରାଣୀର ସବୁ ଛଟା ଦେଖେ ମୁଁ ତୋ ବୋଉ ଭିତରେ। ସେଇ ସିନ୍ଦୂର ଟୋପା, ସେଇ କଜଳ ଗାର, ସେଇ ନାଲି ଶଙ୍ଖା, ସେଇ ପାଉଁଜି । ଦେବୀ ମାନେ ସବୁ ଏମିତି !! ବୋଉ ପରି, ବୁଝି ଯାଆନ୍ତି ମନର କଥା, ପେଟର ଭୋକ ଆଉ ଦେହର ଦରଜ। 


ରୀନା ଶୁଣୁଥିଲା ଖୁଣ୍ଟକୁ ଆଉଜି ବଡ ବଡ ଆଖି କରି, ମନେ ମନେ ଗୁଣି ହେଉଥିଲା ଭକ୍ତି ଓ ସମର୍ପଣଟି କୋଉ ସ୍ତରକୁ ଗଲେ, ମଣିଷ ନିଜ ସ୍ତ୍ରୀ ଭିତରେ ତାରିଣୀ ମାଙ୍କୁ ଦେଖି ପାରେ। ଯଦି ସେମିତି ହୁଅନ୍ତା ତାହେଲେ କଣ ଆଜି ପରି ଛାଡପତ୍ର, ବ୍ୟଭିଚାର, ଓ ନିର୍ଯ୍ୟାତନା ସବୁ ହୁଅନ୍ତା?? କେବେ ଆଉ ଦେଖିବେ, ଏ ପୁରୁଷ ମାନେ ନିଜ ସ୍ତ୍ରୀ ଭିତରେ ନାରାୟଣୀମାନଙ୍କୁ?


ବାପା ନିଜର ବାଁ ଆଣ୍ଠୁ ଉପରେ ମୁହଁ ରଖି, କହି ଯାଉଥିଲେ ଗୋଟେ ଭାବରେ। ତାଙ୍କ ଦର ପାଚିଲା ନିଶ ତଳୁ ତାଙ୍କ ପାନ ଖିଆ ହସ ଖୁବ ମାନୁଥିଲା ତାଙ୍କୁ। ପରଶମଣିର ଅମୃତ ପରସରେ ସେ ଦିଶୁଥିଲେ ଗୀତାରେ ବର୍ଣ୍ଣିତ ବ୍ରହ୍ମଦର୍ଶୀଟିଏ ପରି।



Rate this content
Log in

Similar oriya story from Inspirational