Kanan Bala Nayak

Inspirational

4.3  

Kanan Bala Nayak

Inspirational

ସ୍ବପ୍ନ ସତ ହେଲା

ସ୍ବପ୍ନ ସତ ହେଲା

3 mins
289


ମୁଁ ଯେତେବେଳେ ନବମ ଶ୍ରେଣୀରେ ପଢ଼ୁଥିଲି ସେତେବେଳେ ଆମ ଶ୍ରେଣୀ ଶିକ୍ଷୟିତ୍ରୀ ଥିଲେ‌ ଶ୍ରୀମତୀ ବାସନ୍ତୀ କର।ଆମ ଘରଟା ସ୍କୁଲ ଠାରୁ ପ୍ରାୟ ତିନି କି ଚାରି କିଲୋମିଟର ଦୂର ହେବ। ସେ ସମୟରେ ଝିଅ ପିଲା ସ୍କୁଟି ଚଲାଇବା ତ ଦୂରର କଥା ଜଣେ ଅଧେ ଯଦି ସାଇକେଲ ଚଲାଇ‌ ଆସୁଥିଲେ ତାକୁ ସମସ୍ତେ ଅଣ୍ଡିରା ଚଣ୍ଡୀ ଉପାଧି ଦେଉଥିଲେ।ତା ଛଡା ସେ ସମୟରେ ଆମ ଘରର ଆର୍ଥିକ ସ୍ଥିତି ଭଲ ନଥିଲା।ମୋ ବାପା ମୁଁ ମାତ୍ର ନଅ ବର୍ଷ ବୟସର‌ ହୋଇଥିବା ସମୟରେ ଫୁସଫୁସ କର୍କଟ ରେ ଆକ୍ରାନ୍ତ ହୋଇ ଇହଧାମ ତ୍ୟାଗ କରିଥିଲେ।ମୋ ମାଆ ଜଣେ ଗୃହିଣୀ ଅଟେ।ସେ ମାତ୍ର ଚତୁର୍ଥ ଶ୍ରେଣୀ ଯାଏଁ ପାଠ ପଢ଼ିଛି।

   ଆମେ ଗୋଟେ ଯୁଗ୍ମ ପରିବାର ରେ ରହୁ।ମୋ କକା ପ୍ରାଥମିକ ବିଦ୍ୟାଳୟର ଜଣେ ଶିକ୍ଷକ ଥିଲେ। ମୋତେ ମିଶି ଆମ ପରିବାର ର ସଦସ୍ୟ ଙ୍କ ସଂଖ୍ୟା ଥିଲା ଏଗାର। ତେଣୁ କକା ଙ୍କ ସ୍ବଳ୍ପ ଦରମା ରେ ଆମ ପରିବାର ଅନେକ କଷ୍ଟ ରେ ଚଳୁଥିଲା। ସେଥିପାଇଁ ଆମ ପକ୍ଷେ ସାଇକେଲ କିଣିବା ସମ୍ଭବ ନଥିଲା। ମୁଁ ଓ ଆମ ଗାଁ ର ଅନ୍ୟ ଦୁଇ ଜଣ ଝିଅ ସାଙ୍ଗ ହୋଇ ଚାଲି ଚାଲି ସ୍କୁଲ ଯାଉଥିଲୁ‌। ଏତେ ଦୂର ରାସ୍ତା ଚାଲି ଚାଲି ଯାଉଥିବା ରୁ ମୁଁ ବେଳେ ବେଳେ ବିଳମ୍ବ ରେ ସ୍କୁଲ ପହଞ୍ଚେ। ଯେହେତୁ ବାସନ୍ତୀ ଦିଦି ଆମର ଶ୍ରେଣୀ ଶିକ୍ଷୟିତ୍ରୀ ଥିଲେ, ପ୍ରତ୍ୟେକ ଦିନ ପ୍ରଥମ ପିରିୟଡ଼ ଟା ତାଙ୍କର ଥାଏ। ମୁଁ ଯେଉଁ ଦିନ ବିଳମ୍ବରେ ପହଞ୍ଚେ ବାସନ୍ତୀ ଦିଦି ଖାଲି ଯେ ମୋତେ ଗାଳି ଦେଉଥିଲେ ତାହା ନୁହଁ, ବେଳେ ବେଳେ ଆଣ୍ଠେଇ ମଧ୍ୟ ଦେଉଥିଲେ।ସେ ଆମକୁ ସାହିତ୍ୟ ପଢ଼ାଉଥିଲେ। ସାହିତ୍ୟ ବହିର ଗୋଟେ ବିଷୟ ଥିଲା "ହିମାଳୟର ହିମ ଛାୟା ତଳେ ମସୋରୀ"। ସେଠାରେ ଲାଲ୍ ବାହାଦୂର ଶାସ୍ତ୍ରୀ ଏକାଡେମୀ ଅଫ୍ ଆଡମିନିଷ୍ଟ୍ରେସନ ଅବସ୍ଥିତ।ଯେଉଁଠି ଭାରତୀୟ ପ୍ରଶାସନିକ ସେବା ର ଅଧିକାରୀ ମାନଙ୍କୁ ଦକ୍ଷତା ବିକାଶ ପାଇଁ ପ୍ରଶିକ୍ଷଣ ଦିଆଯାଏ।

   ଯେଉଁ ଦିନ ସେଇ ବିଷୟ ଟି ଆମ ମାନଙ୍କୁ ପଢା ଗଲା ଦିଦି ଶ୍ରେଣୀ ରେ ଉପସ୍ଥିତ ସବୁ ପିଲା ମାନଙ୍କୁ ପଚାରି ଥିଲେ ତୁମ ଭିତରୁ କିଏ ମସୋରୀ ଯିବ ? ସବୁ ଛାତ୍ରୀ ମାନେ ଚୁପ୍ ରହିଲେ। ମୁଁ କିନ୍ତୁ ଛିଡ଼ା ହୋଇ ସଙ୍ଗେ ସଙ୍ଗେ ଉତ୍ତର ଦେଇଥିଲି ମୁଁ ମସୋରୀ ଯିବି‌। ଦିଦି ସେଦିନ ମୋତେ ତାଚ୍ଛଲ୍ଯ କରି କହିଥିଲେ ତୁ ପୁଣି ମସୋରୀ ଯିବୁ?ଆଉ ଏକ ତାଚ୍ଛଲ୍ଯ ଭରା ହସ ହସିଥିଲେ।ସେଇ ଦିନ ର କଥା ମୋତେ ବହୁତ ଆଘାତ ଦେଇଥିଲା।

  ଆର୍ଥିକ ଅନାଟନ ଓ ମାର୍ଗ ଦର୍ଶନ ର‌ ଅଭାବ ଯୋଗୁଁ ମୁଁ ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ପାରିଲି ନାହିଁ। କିନ୍ତୁ ଈଶ୍ୱର ଙ୍କ କୃପାରୁ ମୁଁ ଓଡ଼ିଶା ପ୍ରଶାସନିକ ସେବା ରେ କୃତକାର୍ଯ୍ୟ ହେଲି ଏବଂ ଓଡ଼ିଶା ଅର୍ଥ ସେବା ରେ ଯୋଗ ଦେଲି। ବିଭିନ୍ନ ଯାଗାରେ କାର୍ଯ୍ୟ କରି ସାରିବା ପରେ ଏବେ ମୁଁ ଗୋପବନ୍ଧୁ ପ୍ରଶାସନିକ ଏକାଡେମୀ ର ଯୁଗ୍ମ ନିର୍ଦ୍ଦେଶକ ଭାବରେ ନିଯୁକ୍ତ ହୋଇଛି। ଯେଉଁଠି ଭାରତୀୟ ପ୍ରଶାସନିକ ସେବା ଅଧିକାରୀ ଓ ଓଡ଼ିଶା ପ୍ରଶାସନିକ ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦିଆଯାଏ।ଏଇ ଅଗଷ୍ଟ ୧୨ ତାରିଖ ଦିନ ମୋତେ କେନ୍ଦ୍ର ସଚିବାଳୟ ସେବା ର ୨୮ ଜଣ ଅଧିକାରୀଙ୍କୁ ନେତୃତ୍ୱ ନେବାର ସୁଯୋଗ ମିଳିଥିଲା। ଚାରି ଜଣ ଅଧିକାରୀଙ୍କୁ କୋରାପୁଟ ନେଇ ଯିବାର ସୁଯୋଗ ମଧ୍ୟ ମିଳିଥିଲା। ପୁଣି ଥରେ ଏଇ ଅଗଷ୍ଟ ୨୪ ତାରିଖ ଦିନ ମୋ ନେତୃତ୍ଵରେ ୫୩ ଜଣ ଓଡ଼ିଶା ପ୍ରଶାସନିକ ଅଧିକାରୀ ନିଜର ଜ୍ଞାନ ବୃଦ୍ଧି ପାଇଁ ତେଲେଙ୍ଗାନା ପ୍ରଶାସନିକ ଏକାଡେମୀ କୁ ଆସିଛନ୍ତି।ଆଉ ଆମ ଏକାଡେମୀ ତରଫରୁ ଭାରତୀୟ ପ୍ରଶାସନିକ ସେବା ର ଓଡ଼ିଶା କ୍ୟାଡ଼ର ‌ଅଫିସର୍ ମାନଙ୍କୁ ପ୍ରଶିକ୍ଷଣ ଦିଆ ଯାଉଛି।

ଦିଦିଙ୍କର ସେଦିନର ସେଇ ତାଚ୍ଛଲ୍ଯ ଭରା କଥା ମୋତେ ପ୍ରେରଣା ଦେଇ ଥିଲା କିଛି କରିବା ପାଇଁ। ମୁଁ ସିନା ଭାରତୀୟ ପ୍ରଶାସନିକ ସେବାରେ କୃତକାର୍ଯ୍ୟ ହୋଇ ପାରିଲି ନାହିଁ। କିନ୍ତୁ ଏବେ ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ମାନଙ୍କୁ ପ୍ରଶିକ୍ଷଣ ଦେବାକୁ ସୁଯୋଗ ପାଇଛି। ମୁଁ ମୋ ସ୍ବପ୍ନକୁ କିଛି ମାତ୍ରାରେ ସତ କରି ପାରିଛି। ମୋର ସଫଳତା ରେ ଯେଉଁ ମାନେ ସହଯୋଗ କରିଛନ୍ତି ଓ ବାସନ୍ତୀ ଦିଦି ଙ୍କୁ ମଧ୍ୟ ପ୍ରଣାମ ଜଣାଉଛି। ଦିଦି ଯଦି ମୋତେ ସେ ଦିନ ସେଭଳି ତାଚ୍ଛଲ୍ଯ ଭରା କଥା କହି ନ ଥାଆନ୍ତେ ମୁଁ ହୁଏତ ଆଜି ଏଠାରେ ନ ଥାଆନ୍ତି। ଏବେ ବି ମୁଁ ଆହୁରି ଆଗକୁ ଯିବା ପାଇଁ ସମସ୍ତ ଗୁରୁଜନ ମାନଙ୍କର‌ ଆର୍ଶୀବାଦ ଓ ଛୋଟ ମାନଙ୍କର ଶୁଭେଚ୍ଛା କାମନା କରୁଛି ।


Rate this content
Log in

Similar oriya story from Inspirational