ସ୍ବାଗତ ନବବର୍ଷ
ସ୍ବାଗତ ନବବର୍ଷ
ରାତି ସାରା ପାଖ କୋଠାଘରୁ, ସହରର ବିଭିନ୍ନ ହୋଟେଲରୁ ବିଭିନ୍ନ ପ୍ରକାର ଗୀତର ଶବ୍ଦ ଶୁଣି ଶୁଣି ବହୁତ ଖୁସି ହୋଇ ଯାଇଥିଲା ମିତାଲି । ମନେ ମନେ ଭାବୁଥାଏ ରଥଯାତ୍ରା, ଦୋଳ ପୂର୍ଣ୍ଣିମା କି ରଜ ମହୋତ୍ସବ ଭଳି କିଛି ଗୋଟିଏ ପର୍ବ ବୋଧହୁଏ ଆସନ୍ତା କାଲି । ସେଥିପାଇଁ ଆମ ଘର, ସହରରେ ଏତେ ଆୟୋଜନ ।
ସାତ ଆଠ ବର୍ଷର କୁନି ଝିଅ ସେ । ଧାଇଁ ଯାଇ ପଚାରିଲା ଜେଜେମା, ଜେଜେମା
ଆସନ୍ତା କାଲି କ'ଣ କି ? ଚାରିଆଡ଼େ ଏତେ ଖୁସି ଆନନ୍ଦର ମାହୋଲ ସହ ଗୀତ ଶୁଭୁଛି ।
ଜେଜେମାଙ୍କୁ ହଲେଇ ହଲେଇ ପ୍ରଶ୍ନ କରୁଥାଏ ମିତାଲି । ଜେଜେମା ବି ନିଜ କାମରେ ବ୍ୟସ୍ତ ଥାଆନ୍ତି । ମେଞ୍ଚାଏ ଗୁଆ ଗଛରୁ ତୋଳି ଶୁଖେଇଥିଲେ । ଏବେ ବସି ଟୁକୁ ଟୁକୁ କରି କାଟି ଚାଲିଛନ୍ତି । ବାରମ୍ବାର ଜେଜେମାଙ୍କୁ ପ୍ରଶ୍ନ ପଚାରିବାରୁ ବିରକ୍ତ ସ୍ବରରେ କହିଲେ , ରହଲୋ ନାତୁଣୀ । କାହିଁକି ଯେ ଏତେ ହଇରାଣ କରୁଛୁ ତୁ । ମୁଁ ପରା କାଲି ପାଇଁ ଗୁଆ କାଟୁଛି । ଦିନସାରା ଅଠର ଅଧ୍ୟାୟ ଗୀତା ପଢିବି ।
ହେଲେ ଜେଜେମା କାଲି କ'ଣ କି ?
ସମସ୍ତେ ଏତେ ବ୍ୟସ୍ତ !
ଆଲୋ ଗେହ୍ଲି ନାତୁଣୀ, କାଲି ପରା ନୂତନ ବର୍ଷର ପହିଲି ସକାଳ । କାଲି ଯିଏ ଯାହା କରିବ, ବରଷ ସାରା ସେମିତି ରହିବ । ଭଲ କାମ କଲେ ଭଲରେ ରହିବ, ମନ୍ଦ କଲେ କାନ୍ଦିବ । ସେଥିପାଇଁ ମୁଁ କାଲି ସକାଳେ ଆମ ଘର ପାଖ କପିଳମୁନି ଆଶ୍ରମକୁ ଯାଇ ଯେତେ ଗୁରୁଜନ ମାଆ ବାପା ମାନେ ଅଛନ୍ତି ସମସ୍ତଙ୍କୁ ଜଳଖିଆ ଖୋଇବାକୁ ଦେଇ ପାନ ଖାଇବାକୁ ଦେଇ ଅଠର ଅଧ୍ୟାୟ ଗୀତା ଶୁଣେଇବି । ପ୍ରତ୍ୟେକ ବର୍ଷ ଦୁଇଥର ସେମାନଙ୍କୁ ଗୀତା ଶୁଣାଏ । ଗୀତା ପାରାୟଣ ପରେ ମନ୍ଦିରରୁ ପ୍ରସାଦ ଆସେ ,ଏକାଠି ପ୍ରସାଦ ଖାଇ ଘରକୁ ଫେରେ । ତୁ ଯିବୁ କାଲି ମୋ ସାଙ୍ଗରେ ସେହି ଆଶ୍ରମକୁ ।
ଆରେ ବାଃ, ଏତେ କଥା କି ଜେଜେମା । ସେଥିପାଇଁ ସଭିଏଁ ଚଳଚଞ୍ଚଳ । ହେଲେ ଜେଜେମା ପଣା ସଂକ୍ରାନ୍ତି, ହନୁମାନ ଜୟନ୍ତୀ ଦିନ ତ ନବବର୍ଷ ପାଳନ ହୁଏ । ଆଜି କାହିଁକି ହେଉଛି ଯେ । ଆରେ ମାଆ ଆଜିଠାରୁ ପରା କ୍ୟାଲେଣ୍ଡରରେ ଦୁଇହଜାର ବାଇଶି ଶେଷ ହେଉଛି । ଆସନ୍ତା କାଲି ଠାରୁ ଜାନୁଆରୀ ମାସ ୨୦୨୩ ହେବ । ଇଂରାଜୀ ବର୍ଷ ପରିବର୍ତ୍ତନ ହୁଏ । ସର୍ବଧର୍ମ ସମନ୍ବୟ ଏ ଦେଶରେ ଆମ ଭାରତୀୟ ମାନେ ବର୍ଷରେ ଦୁଇ ଦୁଇଥର ଭଲକାମ କରିବା ପାଇଁ ଦୃଢ଼ ସଂକଳ୍ପ ନିଅନ୍ତି । ଘଟି ଯାଇଥିବା ରାଗ,ଦ୍ବେଷ ଭୁଲି ଭଲ ମଣିଷ ହେବାପାଇଁ ଶପଥ ନିଅନ୍ତି । ଆମେ କୌଣସି ଲୋକ କି ଭାଷାକୁ ନୁହେଁ ବରଂ ଦୁଇ ଦୁଇ ଥର ନିଜକୁ ନିଜେ ଚେତେଇ ଦେଉଛନ୍ତି କି ଭଲ ମଣିଷ ହେବାର ବେଳ ଆସିଛି ,ଭୁଲି ଯାଅ ଅସତ୍ ପଥକୁ । ସତ୍ ପଥର ପଥିକ ହୋଇ ଅନ୍ୟ ପାଇଁ ମହତକର୍ମ କରି ଉଦାହରଣଟିଏ ହୁଅ ,କାହାକୁ ଉଦାହରଣ ନ ଦେଇ ନିଜେ ଉଦାହରଣଟିଏ ହୋଇଗଲେ ସଭିଏଁ ତୁମ ପଥକୁ ଅନୁସରଣ କରିବେ । ସେଥିପାଇଁ ପରା ବିଜ୍ଞଜନ ମାନେ କହିଛନ୍ତି -
ମଣିଷ ଦେହେ ଦିବ୍ୟଜ୍ଞାନ
ଦେଖି ସନ୍ତୋଷ ଭଗବାନ ।
ଭୀମଭୋଇଙ୍କ ସୃଷ୍ଟି କହେ -
ପ୍ରାଣୀଙ୍କ ଆରତ ଦୁଃଖ ଅପ୍ରମିତ
ଦେଖୁ ଦେଖୁ କେବା ସହୁ,
ମୋ ଜୀବନ ପଛେ ନର୍କେ ପଡିଥାଉ
ଜଗତ ଉଦ୍ଧାର ହେଉ ।।
ଯେତେ ଦିନ ପାଇଁ ଏ ଜଗତରେ ଅତିଥି ଭାବରେ ଆସିଛି ମଣିଷ ,ସେତେ ଦିନ ଅନ୍ତ ମୁଖରେ ହସ ବୁଣିଦେଲେ ସ୍ବୟଂ ଅନାଦି ଅନନ୍ତ ନାରାୟଣ ଖୁସି ହେବେ ।।
ମିତାଲି ସବୁ କଥା ବଡ଼ମଣିଷ ଭଳି ଆଁ କରି ଶୁଣୁଥାଏ । ଠିକ ଅଛି ଜେଜେମା, କାଲି ସକାଳେ ଆଶ୍ରମକୁ ଗଲାବେଳେ ମୋତେ ଡାକିବ ।
ବଡିଭୋରୁ ଉଠି ନିଜ ନିଜର ନିତ୍ୟକର୍ମ ସମାପନ ସହ ଜେଜେମା ଜେଜେମା ବୋଲି ଉଚ୍ଚ ସ୍ବରରେ ଡାକ ଛାଡିଲା ମିତାଲି।
ଉଭୟେ ନିଜ କାମ ସାରି ବାହାରିଲେ ଆଶ୍ରମକୁ । ହାତରେ ବଡ଼ବଡ଼ ବ୍ୟାଗ ଧରିଥାନ୍ତି । ଯେଉଁଥିରେ କିଛି ଖାଦ୍ୟପଦାର୍ଥ ଓ ପୁସ୍ତକ । ବାଟରେ ଯାଉ ଯାଉ ଟିକେ ଅଟକି ଗଲା ମିତାଲି । ଗୋଟିଏ ବଡ଼ କୋଠାଘର ବାହାର ଚଟାଣରେ ଦୁଇଟି ଛେଳି ଶୋଇଛନ୍ତି, ବଡ଼ ଛେଳିଟି ସାନ ଛେଳିକୁ ଚାଟିବାରେ ଲାଗିଛି । ବୋଧହୁଏ ନିଜ ଭାଷାରେ ତା ଛୁଆକୁ କହୁଛି ଏ ମାନବରୂପୀ ଦାନବ ମାନଙ୍କର ନୂତନ ସୂର୍ଯ୍ୟୋଦୟ ବେଳେ ଆମ ଜୀବନର ଆୟୁଷ ସବୁ ଧୀରେ ଧୀରେ ଅସ୍ତଗାମି ହୁଏ, ଛଟପଟ ,କଲବଲ ସେମାନଙ୍କ ହୃଦୟ ବିଦୀର୍ଣ୍ଣ କରେ ନାହିଁ । ୨୦୨୨ ସିନା କ୍ୟାଲେଣ୍ଡର ପୃଷ୍ଠାରୁ ବିଦାୟ ନେଇ ୨୦୨୩ ଆସିବ ହେଲେ କିଏ ଜାଣେ ସୃଷ୍ଟି କର୍ତ୍ତାଙ୍କର ପୋଥିରୁ କାହାର ଜୀବନ ନାଟିକାର ଅନ୍ତ ଘଟିବ ! କିଏ ବା କହିବ ତୋ ପାଖରୁ ମୁଁ ବିଦାୟ ନେବି କି ମୋ ପାଖରୁ ତୁ । ଜେଜେମା ନାତୁଣୀ ଛେଳି ଛୁଆ ଦୁଇଜଣଙ୍କୁ ଦେଖୁଥିବା ସମୟରେ ଜଣେ ଆସି ବଡ଼ ଛେଳିଟିକୁ ଘୋଷାଡି ଘୋଷାଡି ନେବାକୁ ଉଦ୍ୟତ ବେଳେ ମିତାଲି ପଚାରି ଦେଲା , ଏ ଛେଳିକୁ କାହିଁକି ଘୋଷାଡି ଘୋଷାଡି ନେଉଛନ୍ତି, ଆଉ କେଉଁଠିକୁ ନେଉଛନ୍ତି ଦାଦା । ଲୋକଟି ଗୋଟିଏ ଦାନବ ହସ ହସି କହିଲା ଆଲୋ ମାଆ କାଲି ପରା ଶନିବାର ଥିଲା ,ନୂଆବର୍ଷଟା ଭଲରେ ସ୍ବାଗତ କରି ପାରିନାହୁଁ ଆମେ । ଆଜି ରବିବାର ଅଛି ତ ,ସେଥିପାଇଁ ଆଜି ଦ୍ବିପହର ଓ ରାତିରେ ଭଲ ଭାବରେ ମଟନ ଝୋଳ ସହ ଡିଜେ ମଧ୍ୟରେ ସ୍ବାଗତ କରିବୁ ଆମେ ନବବର୍ଷକୁ । ଜୋରରେ ନାଚି ନାଚି କହିବୁ
*ସ୍ବାଗତ ନବବର୍ଷ* ।
ହତବାକ୍ ହୋଇ ଚାହିଁ ରହିଥିଲା କୁନି ଝିଅ ମିତାଲି ।
କେମିତି ହେଉଛି ସ୍ବାଗତ ଏ ନବବର୍ଷର ।
ଜେଜେମା ମିତାଲିକୁ ଧରି ଆଗକୁ ଆଗକୁ ଆଗେଇ ଚାଲିଲେ ଆଉ ଗୁଣୁଗୁଣୁ ହୋଇ କହିଲେ ବିନାଶ କାଳେ ବିପରୀତ ବୁଦ୍ଧି ।