ରୁଟିଦେହେ ଜଗନ୍ନାଥ
ରୁଟିଦେହେ ଜଗନ୍ନାଥ
ଚାହୁଁ ଚାହୁଁ ତିନି ବର୍ଷ ବିତିଗଲା l ଏଯାଏଁ ମିଲି ବାପାଙ୍କର ଖୋଜ ଖବର କିଛି ନାହିଁ l ବହୁତ୍ ଦୁଃଖ କଷ୍ଟରେ ଚଳିଯାଉଛି ତୁଳସୀଙ୍କର ଏଇ ତେଲଲୁଣ ସଂସାର l ନାକ କାନରେ ଯାହା କିଛି ସୁନା ଅଳଙ୍କାର ଥିଲା ସବୁ ବିକିଭାଙ୍ଗି ପେଟକୁ ମୁଠେ ଦାନା ଦେଉଛନ୍ତି l ଇଛା ହେଉଛି ପରଘରେ ଯାଇ ବାସନକୁସନ ସଫା କରିବାପାଇଁ l ଆଠବର୍ଷର ଝିଅମୁଁହରେ କିଛିଆହାର ଦେବାକୁ l ସକାଳୁସକାଳୁ କିଛି ନ ଖାଇ ଝିଅଟି ଭୋକରେ ଡହଳବିକଳ ହେଇଥାଏ l କେଉଁଠୁ ଆସିବ ? ଯାହା ସାଇ ପଡ଼ିଶାରୁ ମାଗି ଆଣିଥିଲେ ସବୁ ଶେଷ l କେହି ଆଉ ଉଧାର ଦେଉନାହାନ୍ତି l ସରମାର ଚାରିମାଣ ,ସୁଲ ନାନୀର ଛଅମାଣ ଆଉ ହଗୁରିମାଇଁର ଦଶମାଣ ଚାଉଳ ଇମିତି ମିଶି ଖଣ୍ଡିଏ ଚାଉଳ ମାଗିଆଣି କିଛିଦିନ ଚଳିଗଲେ ତୁଳସୀ l ସେମାନେ ଆଉ ଖୁଦ କଣିକାଟେ ଦେଉନାହାନ୍ତି l କେମିତି ବା ଦିଅନ୍ତେ ଯେ?
ସେମାନଙ୍କର ବି ପିଲାଛୁଆ ସଂସାର l ଗାଆଁରେ ସୁରମାଙ୍କ ପରି ଖୋଲା ହୃଦୟ ଆଉ କାହାରି ନାହିଁ l
ସେ ଅନ୍ୟର ମୁହଁଦେଖି ଦୁଃଖ ବୁଝିପାରନ୍ତି l ପାଖରେ ଥିଲେ ମନା କରନ୍ତିନି, କିଛି ଉପାୟ ବତେଇ ଦିଅନ୍ତି l ସେଇ ଆଶାରେ ପୁଣି ଥରେ ସରମାକୁ ଚାଉଳ ମାଣେ ମାଗିବାରୁ ସେ କହିଲେ "ଆଲୋ ଏ ହୁଣ୍ଡି ଗୋଟେ କାମ କରୁନୁ l ତୁ ଟିକେ କଣ୍ଟ୍ରୋଲ ଦୋକାନୀ ବଙ୍କାକୁ ଉଧାରେ ମାଗେ l ହଁ ହଁ ଶୁଣୁ ହେଲା ନ ହେଲା ମୋତେ ଆସି କହିବୁ l"
ମାନି ରାସନ କାର୍ଡଟେ ଧରି ପହଞ୍ଚିଗଲେ ଗାଆଁ କଣ୍ଟ୍ରୋଲଦୋକାନୀ ବଙ୍କା ବାବୁପାଖରେ l
କାକୁତି ମିନତି ହୋଇ ମାଗିଲେ l କିନ୍ତୁ ସେ ଦେବା ପାଇଁ ମନାକଲେ l ସରକାର ତ ଛମାସ ହେଲା କିଛି ଚାଉଳ ଗହମ ଦେଇନାହାନ୍ତି l କେଉଁଠୁ ବା ଆଣିବେ l ଯାହା ଥିଲା ସବୁ ଖାଉଟି ନେଇଗଲେ l ହଁ ହଁ କିଛି ପୋକଲଗା ଗହମ ଅଛି l ୟାକୁ ନେଇଯାଅ l ଧୋଇ ଦେଇ ଖରାରେ ଶୁଖେଇ ଦେବ lକିଛି ନ ମିଳିବା ସ୍ଥଳେ ଏଇ ପୋକରା ଗହମକୁ ଭାଜି ଦିନେ କି ଓଳିଏ ତ ଚଳିଯିବ l ଏଇଆ ଭାବି ସେଠୁ ପୋକଲଗା ଗହମ ନେଇ ଚାଲିଆସିଲେ l ବାଟରେ ଆସୁ ଆସୁ ମହାପାତ୍ରଘର ଅଟାକଳରେ ପହଞ୍ଚି ତାଙ୍କ ପୁଅକୁ ସବୁ ଅଭାବ ଅସୁବିଧା କଥାକହିଲେ l ତାଙ୍କ ଦେହ ସହିଲା ନାହିଁ l ଅଟାକଳରୁ ବାହାରି ତଳେ ପଡ଼ି ଯାଇଥିବା କିଛି ଅଟାକୁ ନେବାପାଇଁ କହିଲେ lଖୁସିହୋଇ ତାକୁ ଏକାଠି କରି କାନିରେ ଗଣ୍ଠିଲି ବାନ୍ଧି ମୁଣ୍ଡରେ ମୁଣ୍ଡେଇ ଚାଲିଆସିଲେ ଘରକୁ l କୁଲାରେ ପାଛୁରାପାଛୁରି କରି ଚଟାପଟ୍ ଅଟାଚକଟି ଚୁଲିଲଗାଇଲେ l
ସହଜେ ସେଦିନ ହୋଇଥାଏ ବାହୁଡା଼ ଯାତ୍ରା l ଭଲମନ୍ଦ ଦିନରେ ଗାଆଁ ଭୁଇଁରେ ସବୁ ଘର ପିଠା ପଣାରେ ମହକି ଉଠୁଥାଏ l ସେ ଈଶାଣ
ଘର କାହିଁକି ଖାଲି ରଖିବ?
ସାତ ପୁରୁଷ ତାଙ୍କ ଉପରେ ରାଗିବେ l ବୋହୁ ହିସାବରେ ତାଙ୍କ କର୍ତ୍ତବ୍ୟ ପିତ୍ରୁପୁରୁଷଙ୍କୁ ଆଜିପରି ଦିନରେ ଅର୍ପଣ କରିବେ lଗୋଟିଗୋଟି କରି ବେଲଣା ପିଢ଼ାରେ ଭଲ ଭାବରେ ଗୋଲେଇକରି ରୁଟି ତିଆରି କଲେ l ଛଅ ଗୋଟି ରୁଟି ହୋଇଗଲା ପରେ ସାତଟି ରୁଟି କଲାବେଳେ ପିଠା ଖଡ଼ିକାରେ ଲେଉଟାଇଲେ ରୁଟିକୁ l
କିନ୍ତୁ ଏ କଣ?
ଚମକି ପଡିଲେ ତୁଳସୀ l
ଦେଖିଲେ ରୁଟିରେ ଆଙ୍କି ହୋଇଛି ଜଗନ୍ନାଥଙ୍କ ଛବି ,ଦୁଇଟି ଗୋଲଗୋଲ ଚକାଆଖି l ରକ୍ତିମ ଅଧର ସହ ମୁଖମଣ୍ଡଳ ପୁରା ସ୍ପଷ୍ଟ ଭାବେ ଫୁଟି ଉଠିଛି l
ବିଶ୍ବାସ କରିପାରିଲେନି ତୁଳସୀ l
ବାରମ୍ବାର ଦେଖିଲେ ସେଇ ଛବିକୁ l
ଖୁସିରେ ଆତ୍ମହରା ହୋଇଗଲେ l
ମନେମନେ ଡାକିଲେ" ହେ କାଳିଆ ସାଆନ୍ତେ l
ଜଗାରେ....
ଜଗାରେ....
ମୋ ଜଗାରେ...."
ଅଭାବ ଅନାଟନରେ ଏତେ ବ୍ୟସ୍ତ ଯେ ତୋ ଏଇ ଗାଆଁ ମୁଣ୍ଡରେ ରଥ ଯାତରା ହେଉଥିଲେ ବି ଯାଇ ପାରି ନ ଥିଲି l
ଶେଷ ରେ ତୁ ନିଜେ ଆସି ମୋ ଘରେ ପହଞ୍ଚି ଗଲୁ l" ଏହା କହି ଭୋଭୋ କାନ୍ଦିଉଠିଲେ l
କାନ୍ଦଶୁଣି ଗାଆଁଲୋକ, ମାଇପି ,ବୁଢ଼ା ବୁଢ଼ୀ ,ଛୋଟପିଲା ସବୁ ଆସି ଘର ଅଗଣାରେ ପହଞ୍ଚିଗଲେ l ସତେ ଯେମିତି ଭାବଭକ୍ତିର ବଡ଼ଦାଣ୍ଡ l ସେମାନେ ଘଟଣା ସମ୍ପର୍କରେ ସବୁ ବୁଝିଲେ l ତୁଳସୀକୁ ଶତ ଧନ୍ୟ କହି ଯେଝା କାମରେ ଯେଝେ ଚାଲିଗଲେ l ଦଇବଯୋଗକୁ ଗାଆଁ ଅବଧାନେ ପହଂଚି କହିଲେ " ତୁଳସୀ,ତୁ ବଡ଼ ଭାଗ୍ୟବତୀ l ସେଦିନ ଭକ୍ତର ଭକ୍ତିରେ ବାନ୍ଧି ହୋଇ ପଖାଳରେ ଦେଖା ଦେଇଥିଲେ l ଆଉ ଆଜି ତୋ ରୁଟିରେ ପ୍ରଭୂ ବିରାଜମାନ କରିଛନ୍ତି l
ଏଇ ଭାଗ୍ୟ କୋଟିଜନ୍ମ ତପର ଫଳ ବ୍ୟତୀତ ଆଉ କିଛି ନୁହଁ l ସେତିକି ବେଳେ ଭୋକରେ ଝିଅର ପେଟ ପିଠି ନଇଁ ଯାଉଥାଏ l ଝିଅକୁ ଖଣ୍ଡେ ରୁଟି ଦେବାକୁ ଇଛାକଲେ, ହେଲେ କେମିତି ବା ଦେବେ ? ସେ ଏଯାଏଁ ଦେଇ ନାହାନ୍ତି ଇଶାଣ ପିଣ୍ଡିରେ l ଟିକେ ରହିବାକୁ ବୁଝାଇଲେ ତାକୁ l କିନ୍ତୁ ଵୁଝୁ ନ ଥାଏ ଛୋଟ ଝିଅଟି l ଠାକୁର ବିରାଜ ମାନ କରିଥିବା ରୁଟିକୁ କେମିତି ନିଜେ ଖାଇବେ l ଅପରାଧ ହେବ ପାପ ଲାଗିବ l ସେ ସକଳ ଜୀବଜନ୍ତୁଙ୍କ ହ୍ରୁଦୟରେ ଅଛନ୍ତି l ସେଇ ଦୃଷ୍ଟିରୁ ସେଇ ରୁଟିରେ ସଭିଙ୍କ ଅଧିକାର l ଏଇଆ ଭାବି "ଜୟ ଜୟ ଜଗନ୍ନାଥ
କାଳିଆ ସାଆନ୍ତେ "କହି ଟିକିଟିକି କରି ଫିଙ୍ଗିଦେଲେ l ଟୁକୁଡାରୁଟି ଦେଖି କାଉ, ପାରା, ଚଢ଼େଇ, ପୁମ୍ପୁଡ଼ି, ଗାଈ ଗୋରୁ ସବୁ ମଜ୍ଜିଗଲେ ଟୁକୁରା ଅଂଶରେ,ସେଇ ସମୟରେ l
ତାଙ୍କ ଆଗରେ ନାଚି ଯାଉଥିଲା ସେଇ ହସ ହସ କଳା ମୁହଁ,ଗୋଲଗୋଲ ଆଖି ଚକାଆଖି l ସେତେବେଳକୁ ଗାଆଁ ମଝିଦାଣ୍ଡରୁ ଭାସି ଉଠୁଥିଲା ଘଣ୍ଟ,ଶଙ୍ଖ, ଖୋଳକୀର୍ତ୍ତନ ସାଙ୍ଗକୁ ହରିବୋଲ ହୁଳହୁଳିର ମଧୁରଧ୍ୱନି l