Anasuyamimi Rout

Inspirational

3  

Anasuyamimi Rout

Inspirational

ରସଗୋଲା

ରସଗୋଲା

6 mins
160


- କେତେଥର କହିଲୁଣି ବୋଉ ତୁମେ ସେ ଗାଈ ଫାଇ ବେପାର ଛାଡ।ସବୁଦିନ ଗୋଟାଏ ପାଲା ଲାଗିଛି ଘରେ।

- ଦିଦି ପୁଅକୁ ଚାଲ ଡାକ୍ତର ପାଖକୁ ନେଇଯିବା ।ନହେଲେ କଅଁଳ ଗୋଡ ତା'ର ଯଦି କିଛି ହେଇଯାଏ ।

- ବିରକ୍ତି ହୋଇ ସୁଶିଳା କହିଲେ ଦେଲୁ ପୁଅକୁ ।ନିଜେ ଲିଜା କୋଳରୁ ପୁଅକୁ ଛଡେଇ ନେଇ ଗାଈ ମୁହଁରେ ତା' ପାଦକୁ ଚଟେଇ ଆଣିଲେ।

- ମମି ମୁଁ ତ ଏଥର ପୂରା ଠିକରେ ଚାଲି ପାରୁଛି।ଗୁରୁବାରୀ କ'ଣ ଜାଣିଶୁଣି ମୋ ଗୋଡ ଉପରେ ଚଢିଥିଲା ।ମୁଁ ତା' ଲାଞ୍ଜ ଧରି ଟଣା ଟଣି କରୁଥିଲି ବୋଲି ସେ ତରକି ଗଲା।

- ହେଲା ହେଲା ଚାଲ ଘରକୁ ମୁଁ ଔଷଧ ଲଗେଇ ଦେବି। ସେ ଗାଈକି ବିକ୍ରି କଲା ପରେ ଯାଇଁ ମୋ ମନ ଶାନ୍ତି ହେବ।

-ଦିଦି ତୁମେ ଠିକ କହିଛ ଏ ଗାଈ ବାଛୁରୀ ଦିଟା ଏମିତି ଗନ୍ଧ କରୁଛନ୍ତି ଘରେ ପଶିହେଉନି।

- ସୁଶିଳା ବୋହୁର ଏମିତି ଟାଣ ପଦ ସହି ନପାରି ଶୋଇବା ଘରକୁ ପାଦ କଚାଡି ଗୁଣୁ ଗୁଣୁ ହୋଇ ପସି ଆସିଲେ।

-ନାରଣ ବାବୁ ଖଟ ଉପରେ ବସି ଭାଗବତ ଖଣ୍ଡେ ଧରି ପଢୁଥିଲେ ସ୍ତ୍ରୀର ଗୋଡ କଚଡାରୁ ସେ ବୁଝି ସାରିଥିଲେ କିଛି ଗୋଟେ ହେଇଛି।ଜାଣି ନ ଜାଣିବା ପରି ମନ ଦେଇ ଭାଗବତର ପରପଦକ ପଢିବା ଆରମ୍ଭ କଲେ।

- ତୁମକୁ କ'ଣ ଶୁଭୁଚି ନା ନାହିଁ।ଘରେ ଆଡେ ଗାଈ ପାଇଁ ମହାଭାରତ 

ହବାକୁ ବସିଲାଣି।ତୁମେ ଭାଗବତ ଧରି ବସିଥା।

- ଯିଏ ଯାହା ବୁଝିଲା ସେଥିରେ ମୋର କ'ଣ ଦୋଷ!

- ବୋହୁ କହୁଛି ଗାଈ ବିକ୍ରି କରିଦେବ।ସବୁ କଥାରେ ମନ ମାନି, ତା'ର ଯାହା ଇଚ୍ଛା ହେବ ଏ ଘରେ ସେଇ କଥା ଚାଲିବ।ସବୁକଥାରେ ତୁମେ କ'ଣ ଜାଣିଛ ତୁମେ ପୁରୁଣା କାଳିଆ ଲୋକ।

- ସୁମି ଏମିତି କହିଲା କାହିଁ ମୋ ଆଗରେ ତ କହିନି କହିଲେ ତା' କଥା ବୁଝିବା।

- ସୁମି ପୁଅ ରାଗରେ ଗର ଗର ହୋଇ ବଡପାଟିରେ କହୁଥାଏ। ସେ ବାଡିରେ ଭେଣ୍ଡି, ଟମାଟୋ, ବାଇଗଣ ଯାହା ପାଇବେ ଲଗେଇ ଦେବେ।ପିଲାଟାକୁ ସବୁବେଳେ ନେଇ ସେଇ ଗଛ ମୂଳେ ନେଇ ଖେଳେଇବେ।ସେଦିନ ସେମିତି ଝଟା ବାଜି ହାତ ଚିରି ହେଇଯାଇଥାଏ।

ନାରଣ ବାବୁ ଘଡିକୁ ଚାହିଁଲେ ଆଠଟା ବାଜିଲାଣି।ସୁଶିଳା ବୋହୁ ସ୍କୁଲ ଯିବ ଯାଅ ରୋଷେଇ ଘରେ କ'ଣ କାମ ପଡିଥିବ କରିଦେବ।ବୋହୁ ସୌଭାଗ୍ୟ ସହ ବ୍ୟସ୍ତ ଅଛି।

- ସୁଶିଳା କିଛି ଉତ୍ତର ନ ଦେଇ ରୋଷେଇ ଘରକୁ ଚାଲିଗଲେ।ସୁମି ରୋଷେଇ ଅଧାରୁ ପୁଅ କାନ୍ଦିବାରୁ ଗୁହାଳକୁ ଚାଲିଯାଇଥିଲା।ତା'ପରେ ଏସବୁ ପାଟିତୁଣ୍ଡ ଚାଲିଛି।

- ନଅଟା ବାଜିଲାଣି ମୁଁ ସ୍କୁଲ ଯିବି ।ଲିଜା ତୁ ପୁଅକୁ ନେ ଗାଧୋଇ ଦେ, ସେ ସ୍କୁଲ ଯିବ।

- ଲିଜା ପୁଅକୁ ଗାଧୋଇ ଖୁଆଇ ସ୍କୁଲ ପାଇଁ ରେଡି କରିଦେଲା।ସୁମି ତରତର ହୋଇ ନ ଖାଇ ପିଇ ସ୍କୁଟି ବାହାର କରି ବାହାରେ ପୁଅକୁ ଅପେକ୍ଷା କରିଥିଲା।

- ଲିଜା ଏ ବ୍ୟାଗଟା ନେ ତୋ ଦିଦିକୁ ଦେଇ ଦେବୁ।ଆଉ ଆସିଲା ବେଳେ ପରିବା ଆଣିବାକୁ କହିବୁ।ଆମ ବାଡି ପରିବାରେ ପୋକ ଲାଗିଛି ତୋ ଦିଦିକୁ ଖାଇବାକୁ ଭଲ ଲାଗୁନି।

- ଲିଜା ଦିଦିର ଶାଶୁ ଏମିତି ଟାଣ ଟାଣ କଥା କୁହନ୍ତି ବୋଲି ସେ ଜାଣେ।କିଛି ନ କହି ଦିଦି ହାତକୁ ବ୍ୟାଗଟା ବଢେଇ ଦେଲା।କହିଲା ଦିଦି ସ୍କୁଲରୁ ଫେରିବା ବେଳେ ହାଟରୁ ପରିବା ଆଣିବୁ।

- ସୁମି ମନେ ମନେ ଭାରି ଖୁସି ହେଉଥିଲା ଆଜି ତା' ମନ ପସନ୍ଦର ଜଳଖିଆ ବାହାରେ ଖାଇବ।ଆଉ ଆସିବା ବେଳେ ମାଛ ପରିବା କିଣି ଆଣିବ।

- ପୁଅ ବୋହୁ ଦିଜଣ ଯାକ ମାଷ୍ଟର ଚାକିରୀ କରିଛନ୍ତି ତୁମେ ପେନସନ ପାଉଛ।ସେଥିରେ ପୁଣି ଘରେ ଗାଈ ରଖିବା ବାଡିରେ ପରିବା ଲଗେଇବା, ପୋଖରୀରେ ମାଛ ଛାଡିବା ଏସବୁ କ'ଣ ଦରକାର।ବୁଢା ହେଲଣି ନିଜ କଥା ନିଜେ ବୁଝ ତୁମ ପାଇଁ ମୁଁ ଖାଲି ହନ୍ତସନ୍ତ ହେଉଛି ଖଟି ଖଟି।

- ଏ ସବୁ କରୁଛେ ବୋଲି ସିନା ଭଲରେ ଦିଗୁଣ୍ଡା ପେଟକୁ ଦାନା ଯାଉଛି।ଆମେ ଶାନ୍ତିରେ ଅଛେ।ନ ହେଲେ କହିଲ ଗାଈ ଯଦି ନଥାନ୍ତା ଆମ ସୌଭାଗ୍ୟ ଟିକେ ଭଲ କ୍ଷୀର କୋଉଠୁ ପିଇବାକୁ ପାଇଥାନ୍ତା।ବଜାର କ୍ଷୀରରେ କେତେ ରାସାୟନିକ ଦ୍ରବ୍ୟ ବ୍ୟବହାର ହେଉଛି ତୁମେ ଜାଣିଛ।ବାରି ପରିବା ଖାଉଛେ ବୋଲି ସୁସ୍ଥ ଅଛେ ।ପୋକ ଲାଗିଲେ କ'ଣ ହେଲା ବାଡିରୁ ପରିବା ତୋଳି ଆଣି ରାନ୍ଧି ଖାଇବା ଆଉ ବଜାର ପରିବା ଭିତରେ ଆକାଶ ପାତାଳ ଫରକ।ସେମାନେ ବିନା ଔଷଧ ସାରରେ ଚାଷ କରିପାରିବେନି କି କଲେ ଲାଭ ପାଇ ପାରିବେନି।ବରଫ ଦିଆ ମାଛର ସ୍ୱାଦ କ'ଣ ତୁମେ ଜାଣିନ।ଆଉ ବଜାରରେ ଯେଉଁ ସବୁ ବଡ ବଡ ମାଛ ଆସୁଛି ସେ ସବୁ ଦାନା ଖିଆ ମାଛ। ତା' ସ୍ୱାଦ କୋଉଠୁ ବାରି ପୋଖରୀ ଗାଁ ଗାଡିଆ, ମଧୁରୀ ନଈ ମାଛ ସାଙ୍ଗରେ ସମାନ ହେବ।

- ମୁଁ କ'ଣ ମନା କରୁଛି ସେ ସବୁ ଭଲ ନୁହେଁ।ହେଲେ ପିଲାମାନେ ଯଦି ସେ ସବୁ ଭଲପାଉ ନାହାଁନ୍ତି ତାଙ୍କୁ କାହିଁକି କଷ୍ଟ ଦେଉଛ। ତାଙ୍କ ପାଖରେ ପଇସା ଅଛି ସେ ତାଙ୍କ ମନଇଚ୍ଛା କିଣି ଖାଆନ୍ତୁ।ତୁମେ କାହିଁ ତାଙ୍କୁ ଆକଟରେ ରଖୁଛ ସେ ସବୁବେଳେ ଅଶାନ୍ତି ହେଉଛନ୍ତି।

- ତୁମେ କ'ଣ ଜାଣନା ଟଙ୍କା କେତେ କଷ୍ଟରେ ରୋଜଗାର ହୁଏ।ତା' ଛଡା ତାଙ୍କ ପଇସା ସେ ରଖୁ ନାହାଁନ୍ତି ସଞ୍ଚୟ କରୁ ନାହାଁନ୍ତି।ଦେଖି ଚାହିଁ ଖର୍ଚ୍ଚ ନ କଲେ ସେ ହିଁ ଆଗକୁ ହଇରାଣ ହେବେ।ଆମେ କେବେ ଆଜିଯାଏ ଅଭାବରେ ପଡିଛେ ନାଁ କାହାପାଖରେ ହାତପାତିଛେ।ମାଇନର ସ୍କୁଲ ମାଷ୍ଟରର କେତେ ଦରମା ସେତବେଳେ ସେଥିରେ ଆମେ ଆରାମରେ ଚଳିଲେ।ଆଜିଯାଏ ଘରଖର୍ଚ୍ଚ ପାଇଁ ତାଙ୍କୁ ଟଙ୍କାଟିଏ ମାଗିନେ।ସେ ଯଦି ନ ବୁଝିବେ ଆମେ ଆଉ କ'ଣ କରିପାରିବା।

- ହଁ ତୁମର ତ ଆଜିଯାଏ କୃପଣ ଗୁଣ ଗଲାନି।କାଳେ କ୍ଷୀର କିଣିଲେ ପଇସା ଖର୍ଚ୍ଚ ହେଇଯିବ।ପରିବା ପତ୍ର କିଣିଲେ ସବୁପଇସା ସରିଯିବ।ମୋତେ ଖଟେଇବାରେ ରହିଛ।

- ତୁମେ କ'ଣ ଗାଈ କ୍ଷୀର ପିଉନ ନା ଛେନା ଖାଉନ, ନା ବସାଦହି ଖାଉନ।ବୋହୁ ବିରିଆନୀ କଲାବେଳେ ତ ବସାଦହି, ଘିଅ ଭାରି ଖୋଜାପଡୁଛି।ସେ କ୍ଷୀର ଖାଉଛ ବୋଲି ସୁସ୍ଥ ଅଛ।ଆଉ ସେ ପରିବା କ'ଣ ଛାଁ ହେଉଛି ଗୋବର ଖତ ପଡିବାରୁ ସିନା ହେଉଛି।ପୂଜା ପର୍ବାଣି ହେଲେ ଦୋକାନକୁ ଯିବୁ ଘିଅ କିଣିବାକୁ।

ସୁଶିଳା ଦେବୀ ଆଉ କିଛି ନ କହି ତାଙ୍କ କାମରେ ଲାଗି ପଡିଲେ।

ନାରଣ ବାବୁ ଘଣ୍ଟା କଣ୍ଟାକୁ ଚାହିଁଛନ୍ତି କେତେବେଳେ ଦିଟା ବାଜିବ ସେ ସାଇକେଲ ନେଇ ସ୍କୁଲ ଯିବେ ନାତିକୁ ଆଣିବାକୁ।

- ସୁମି ଗଲାବେଳେ ଭୁଲରେ ଘରେ ଛୋଟ ପର୍ସ ଛାଡି ପଳେଇ ଆସିଛି।ବାହାରେ ଜଳଖିଆ ଖାଇବା ବେଳେ ଖୋଜି ପାଇନି।ଦିଟା ବେଳକୁ ଭୋକ କଲାବେଳକୁ ଆଉ ବାହାରକୁ ଖାଇବାକୁ ଯିବ କ'ଣ।ଯାହା ପଇସା ଅଛି ଗଲାବେଳେ ବଜାରରୁ ପରିବାନେଇକି ଯିବାକୁ ପଡିବ।ପରିବା କଥା ମନେ ପଡିବାରୁ ସ୍କୁଟିରୁ ବ୍ୟାଗଟା ଚେକ କରିବାକୁ ଯାଇଛି ରାଗ ମୁଡରେ ବ୍ୟାଗ କୋଉଠି ପଡିଯାଇନିତ।

ସ୍କୁଟି ଚାବି ଖୋଲି ଡିକିରୁ ବ୍ୟାଗ ବାହାର କଲାବେଳକୁ ଟିଫିନଟାଏ।ଟିଫିନ ଖୋଲି ହସିଦେଲା।ବୋଉ ଦେଇଛନ୍ତି ମୋ ପସନ୍ଦର ସବୁ।

ଆରାମରେ ବସି ଖାଇଲା।ସକାଳେ ପୁଅ ରାଗରେ ଶାଶୁଙ୍କୁ କେତେକ'ଣ ଶୁଣେଇ ଦେଲି।ସେ ସବୁ ଶୁଣି ସାରିବା ପରେ ବି ମୋତେ ଟିଫିନ ଦେଇ ପଠେଇଛନ୍ତି।

- ନାରଣ ବାବୁ ନାତିକୁ ସ୍କୁଲରୁ ଆଣିବା ପରେ ସୁଶିଳା ପୁଅକୁ ଖୁଆଇ ଦେଇ ଶୁଆଇ ଦେଇଛନ୍ତି।ନାରଣ ବାବୁ ବାଡିରେ କ'ଣ ଏକା କାମ କରୁଛନ୍ତି।ନିଜେ ଘର କାମ ସରେଇ ତାଙ୍କ ସହ ଘାସ ବାଛିବାରେ ଲାଗି ପଡିଲେ।

- ସୌଭାଗ୍ୟ ଉଠିଲାଣି ସୁଶିଳା ...କାନ୍ଦୁଛି ଯାଅ ନେଇ ଆସ।ସେ ଏଇଠି ବସି ଥଣ୍ଡା ପବନ ଖାଇବ।

- ସୁମି ସକାଳେ ପାଟି କରୁଥିଲା ଶୁଣିନ, ତାକୁ ବାଡିକି କାହିଁ ଆଣିବି?

- ସେ ସିନା ଗଛ ଲଗାଇବା ଦେଖିଲେ ତା'ର ଗଛ ପ୍ରତି ଆଦର ଆସିବ।ସେ ବଡ ହେଲେ ଗଛ ଲଗେଇବ।ନ ହେଲେ ଆଜିକାଲି ସହର ଏମିତି ମାଡୁଛି ଯେ ତାଙ୍କ ବେଳକୁ ଗଛଲତା ଦେଖିବା ବି ସ୍ୱପ୍ନ ହୋଇଯିବ।

- ସୁଶିଳା ନାରଣ ବାବୁଙ୍କ କଥାକୁ ଏପଟ କାନରେ ପୂରେଇ ସେପଟେ ଛାଡି଼ଦେଲେ।

- ଲିଜା କଲେଜରୁ ଆସିଲାଣି ତା'ପାଖରେ ପୁଅକୁ ଛାଡି ବ୍ୟାଗଟା ଆଣିଲ।

- ବ୍ୟାଗ କ'ଣ ହେବ ?

- ତୁମେ ପରା କହୁଥିଲ ବୋହୁର ଏ ପୋକା ମୋକା ପରିବା ପସନ୍ଦ ହେଉନି ।

- ବୋହୁ ବ୍ୟାଗ ନେଇ ଯାଇଛି ସ୍କୁଲରୁ ଫେରିବା ବେଳେ ପରିବା ଆଣି ଆସିବ।

- ହଉ ତୋତେ କହିଲି ପରା ବ୍ୟାଗ ଆଣିବାକୁ ମୋ ସାଇକେଲରେ ବ୍ୟାଗଟା ରଖ ମୁଁ ଆସୁଛି।

-ସୁମି କେବେ ବାହାହେବା ଦିନୁ ହାଟକୁ ଆସିନି।ପିଲାବେଳେ ବାପାଙ୍କ ସହ ସାଇକେଲରେ ବସି ଯାଏ ।ବାପା ପରିବା କିଣି ସାରିବା ପରେ ବରା ସିଙ୍ଗଡା କିଣି ଖାଇବାକୁ ଦିଅନ୍ତି।ସେଇ ଦିନକୁ ମନେ ପକେଇ ପକେଇ ବାପାଙ୍କ ପରି ପରିବା ଦର ପଚାରିବାକୁ ଲାଗିଲା।

- ଭାଇନା ଏ ଭେଣ୍ଡି କିଲୋ କେତେ ..?

-ଶହେଟଙ୍କା..।

- ଜହ୍ନି ..?

- ଷାଠିଏ..।

- ପରିବା ନା ମାଛ ରେଟ କହୁଛ...!

- ତୁମକୁ ମାଆ ପରିବା ରେଟ ବୋଧହୁଏ ଜଣା ନାହିଁ ।ବଜାର ଦର ଆକାଶ ଛୁଆଁ ହେଲାଣି ତୁମେ କଥା କହୁଛ।

- ଭେଣ୍ଡି କୋଡିଏ ଟଙ୍କାରେ ଦେବ..?

- ନା ଶହେରୁ ଗୋଟିଏ ଟଙ୍କା ଊଣା ହେଲେ ମୋର ଲସ୍ ହେବ।

ସୁମି ମାଛ ପାଖକୁ ଗଲା।ଏଇ ରାତିବେଳାଟା ମାଛଟା ରୋଷେଇ କରିହୁଏ।ସକାଳେ ମାଛ ତରକାରୀ କରି ପିଲାକଥା ବୁଝି, ସ୍କୁଲ ଯିବାକୁ ସମୟ ହୁଏନି।ପରିବା ତ ଆମ ବାଡିରେ ହଉଛି ନ ନେଲେ ଚଳିବ।ମାଛ ଦୋକାନରେ ବଡବଡ ଚିଙ୍ଗୁଡି ଦେଖି ସବୁ ଚିଙ୍ଗୁଡିର ଦର ଆଗ ବୁଝିଗଲା।ଭାନାମି ୮୦୦ ଟଙ୍କା ଟିକେ ଛୋଟ ସାଇଜ ୬୦୦ ବାଗଦା ଏକଦମ ୧୦୦୦ଟଙ୍କା।ଭାବିଲା ଭାନାମିରୁ ଅଧକେଜି ନେଇ ଯିବ।ବ୍ୟାଗରୁ ଆଗ ପଇସା ଗଣିଦେଖିଲା ପଛାଶ ଟଙ୍କା କମ ଅଛି।ମାଛ ମୂଲ କରିସାରିବା ପରେ ଫେରିଗଲେ ଭଲ ଲାଗିବନି।ଛୋଟ ଚିଙ୍ଗୁଡି କେଜି ତିନିଶହ ଟଙ୍କା ସେଇଥିରୁ ୫୦୦ଗ୍ରାମ ଧରି ସ୍କୁଟିରେ ରଖିଲା।ଘରେ ଭେଣ୍ଡି ଅଛି ଚିଙ୍ଗୁଡି ଦେଇ ରାନ୍ଧି ଦେବି।ଗାଡି ଷ୍ଟାର୍ଟ କରି ଆଗକୁ ଚାହିଁଲା ବାପା...ତମେ...!ହଁ ମୁଁ ପରିବା ପାଇଁ ଆସିଥିଲି।ସାଙ୍ଗେ ସାଙ୍ଗେ ସୁମି ମୁହଁରୁ ବାହାରି ପଡିଲା ପରିବା ଦର ଆକାଶ ଛୁଆଁ।ମାଛ ଦର ବି ସୁନା ଦର ସାଙ୍ଗେ ସମାନ।ହଉ ତୁମେ ଘରକୁ ଯାଅ ମୁଁ ଯାଉଛି ସୌଭାଗ୍ୟ ଖୋଜୁଥିବ।ସୁମି ବାଟ ସାରା ଭାବୁଥାଏ ମୁଁ ବି କାଲିଠୁ ବାପାବୋଉଙ୍କୁ ସମୟ ପାଇଲେ ପରିବା ଚାଷରେ ସାହାଯ୍ୟ କରିବି।କିଛି ନ ହେଲେ ଆମ ଘରେ କ୍ଷୀର ଅଛି ଆଉ କ'ଣ ଅଭାବ।ବୋଉଙ୍କୁ ଗାଈ ବିକ୍ରି କରିଦେବା କଥାଟା ବହୁତ ବାଧିଥିବ ।ଭୂଲ ମାଗିନେବି ଆମ ଭଲପାଇଁ ତ ସେମାନେ ପରିଶ୍ରମ କରୁଛନ୍ତି।

ସୁମି ଶାଶୁ ସାଙ୍ଗରେ ଚିଙ୍ଗୁଡି ମାଛ ବାଛୁ ବାଛୁ ଶ୍ୱଶୁର ଆସିଲେ।ନାରଣ ବାବୁ ଆସୁ ଆସୁ ସୌଭାଗ୍ୟ ପାଖକୁ ଦୌଡି ଆସିଲା।ଜେଜେ ମୋ ପାଇଁ ରସଗୋଲା ଆଣିଛ...!ନାରଣ ବାବୁ ହସିଦେଲେ ସୌଭାଗ୍ୟ ଦୌଡିଆସି ଜେଜେଙ୍କୁ କୁଣ୍ଢେଇ ପକେଇଲା।ଏଇ ନେ ତୋ ରସଗୋଲା..! ସୁଶିଳାକୁ ଡାକୁଥିଲେ ମାଛ ଅଛି ସାଇକେଲରେ ନେଇଯାଅ ମୁଁ ସୌଭାଗ୍ୟକୁ ରସଗୋଲା ଖୁଆଇଦେବି।ମାଛ...!ଶ୍ୱଶୁର ବୋହୁ ଏକା ସାଙ୍ଗେରେ କଥା ହେଇ ମାଛ ଆଣିଛ ନା କ'ଣ..!ବାଗଦା ଚିଙ୍ଗୁଡି...!ସୁମି ଆଶ୍ଚର୍ଯ୍ୟ ହେଉଥିଲା ପରିବା ବ୍ୟାଗରେ ଭେଣ୍ଡି ..!ବାପା ତାହେଲେ ମୋତେ ହାଟରେ ମାଛ, ପରିବା ଦର ପଚାରିବା ବେଳେ ଦେଖିଛନ୍ତି।ମନେ ମନେ ଚୁପ ରହିଲା।ବଡ ପାଟିରେ ସୌଭାଗ୍ୟକୁ କହୁଥିଲା ସେ ଦୋକାନ ରସଗୋଲା ଠାରୁ ଆଉ ଭଲ ରସଗୋଲା ମୁଁ କାଲି ତୋ ପାଇଁ ବନେଇଦେବି ସମସ୍ତେ ମିଶିକି ଖାଇବା।ବୋଉ... କାଲି ତୁମେ କ୍ଷୀର ବସାଦହି ପକେଇବନି ଆମ ଘରେ ରସଗୋଲା ତିଆରି ହେବ ଗୁରୁବାରୀ କ୍ଷୀରରୁ।



Rate this content
Log in

Similar oriya story from Inspirational