ରଜ ଓ ଗଜ
ରଜ ଓ ଗଜ
ଆଜି ପହିଲି ରଜ।
ପୋଖରୀ ବାଡିରୁ ଭାସି ଆସୁଛି ମନଛୁଆଁ ରଜ ଗୀତ।
ବନସ୍ତେ ଡାକିଲା ଗଜ
ବରଷକେ ଥରେ ଆସିଛି ରଜ
ଆସିଛି ରଜ ଲୋ ଘେନି ନୂଆ ସଜବାଜ
ବଉଳ ଲୋ
ଆହା ମକର ଲୋ
ଘେନି ନୂଆ ସଜବାଜ।
ତେନ୍ତୁଳି ଡାଳରେ ବାଉଁଶ ଦୋଳି ବନ୍ଧା ହୋଇଛି।ଆକାଶକୁ ଛୁଇଁ ପିଲା ମାନେ ଫିଙ୍ଗା ମାରି ବୋଲୁଛନ୍ତି ଏପରି ଗୀତ । ବିଟୁ ଭାରି ଖୁସି ଗାଉଁଲି ପରିବେଶ ହେଖି। କୌତୁହଳ ମନରେ ପଚାରୁଛନ୍ତି ଜେଜେ ରଜ ସହ ଗଜର କି ସମ୍ପର୍କ। ପିଲା ମାନେ ବନସ୍ତେ ଡାକିଲା ଗଜ ବରଷକେ ଥରେ ଆସିଛି ରଜ କାହିଁକି ବୋଳୁଛନ୍ତି ?
ଚନ୍ଦନ ଟିପିଟିପିରେ ନୂଆ ପୋଷାକ ପିନ୍ଧି ବିଟୁ ଖୁବ୍ ସୁନ୍ଦର ଦିଶୁଛି। ପୋଖରୀ ବାଡିରୁ ଦଉଡି ଦଉଡି ଆସି ପଚାରିଲା ରଜ ସହ ଗଜର କି ସମ୍ପର୍କ ଜେଜେ ? ବଣ ରେ କେତେ ଜୀଵ ଥାଆନ୍ତି। ରଜ ଗୀତରେ କେବଳ ଗଜ ନାଁ ରହିଲା କାହିଁକି ?
ଆରେ ବାଃ ମୋ ବିଟୁ ତ ସୁନ୍ଦର ପ୍ରଶ୍ନ ପଚାରୁଛି !
ବିଟୁ ମୋ ପୁଅ ବିଶ୍ୱ କଲ୍ୟାଣର ପୁଅ। ବିଶୁ ଗାଁ କୁ ଆସିଛ ବୋହୁ ଟିଆ ଓ ନାତି ବିଟୁକୁ ଆଣି ରଜ ପାଳିବା ପାଇଁ। ପାଞ୍ଚ ବର୍ଷ ହେଲା ଆସି ନ ଥିଲା। ମ୍ୟାରେଜ ପରେ ତା କମ୍ପାନୀ ତାକୁ ପାଞ୍ଚ ବର୍ଷ ବିଦେଶ ପଠାଇଥିଲା । ବୋହୁ ବି ଯାଇଥିଲା ତା ସହିତ।ବିଟୁ ସେଇ ବିଦେଶ ମାଟିରେ ଜନ୍ମିବା ନାତି ମୋର। କିନ୍ତୁ ଆଶ୍ଚର୍ଯ୍ୟ ସମସ୍ତେ ଯାହା କୁହନ୍ତି ବିଦେଶ ପାଣି ପବନ ଆମକୁ ତା ଢାଞ୍ଚାରେ ପକାଇ ବଦଳାଇ ଦିଏ ସେମିତି କିଛି ହୋଇନି ତ ! ଓଡ଼ିଆ ସଂସ୍କୃତି ଓ ଭାଷାକୁ କାଳେ ପର କରି ବିଦେଶୀ ଖୋଳପା ପିନ୍ଧନ୍ତି ସେମାନେ ! ସବୁ ମିଛ ପ୍ରମାଣିତ କରି ଦେଇଛି ମୋ ପୁଅ। ବିଟୁ ପ୍ରାଞ୍ଜଳ ଓଡ଼ିଆ କହି ,ପଢି ଓ ଲେଖି ପାରୁଛି ! ହଁ ଏତିକି ଫରକ ବିଟୁର ହାଵ ଭାବ ଆମ ଏଠିକାର ପାଞ୍ଚ ବର୍ଷ ପିଲାଙ୍କ ପରି ହୋଇନି। ତା ସ୍ଵଭାବ ବହୁତ କିଛି ଜାଣିବା ବଡ଼ ପିଲାଙ୍କ ପରି ହୋଇଛି। ସେ କାହା ଉପରେ କୌଣସି କାମରେ ନିର୍ଭର କରୁନି ।ଖୁବ୍ ସ୍ମାର୍ଟ ଓ ବୁଦ୍ଧିଆ ହୋଇଛି ବିଟୁ।
ମଣିଷ ବଦଳିବାକୁ ନ ଚାହିଁଲା ଯାଏ ତାକୁ କଣ କେହି ବଦଳେଇ ପାରିବେ !! ଏତକ ମୋ ପୁଅ ଓ ନାତିକୁ ଦେଖି ବୁଝିବାରେ କିଛି ଅସୁବିଧା ହେଲା ନାହିଁ।
ବିଟୁର ସବୁ କଥାରେ ଜାଣିବା ଆଗ୍ରହ। ତାକୁ କୋଳେଇ ନେଇ କହିଲି ବଢିଆ ପ୍ରଶ୍ନଟିଏ ପଚାରିଛୁରେ ଧନ। ଆମ ଓଡ଼ିଶା ସଂସ୍କୃତି , ଇତିହାସ ଓ ଧର୍ମ ଓ ଜନ ଜୀବନ ଓ ସହିତ ଗଜ ଅର୍ଥ ହାତୀଙ୍କର ନିବିଡ ସମ୍ପୃକ୍ତି ଅଛି।ଏମାନେ ଶୁଭ,ସୁଖ, ମଙ୍ଗଳ ଓ ସୌଭାଗ୍ୟ ପ୍ରାପ୍ତିର ପ୍ରତୀକ ବୋଲି ବିଶ୍ବାସ କରାଯାଏ। ଧନର ଦେବୀ ମାଆଙ୍କ ଦୁଇ ପାର୍ଶ୍ଵରେ ଏ ହାତୀ ପୂଜା ପାଆନ୍ତି।ଗଣେଶ ଠାକୁରଙ୍କ ଦେହରେ ଏଇ ହାତୀ ମୁଣ୍ଡ ଲାଗିଛି।ସେ ସବୁ ଠାକୁରଙ୍କଠାରୁ ବୁଦ୍ଧିଆ ଓ ଆଗରେ ପୂଜା ପାଆନ୍ତି।ଯେ କୌଣସି ପୂଜାଟିଏ ହେଉନା କାହିଁକି ଆଗ ଗଣେଶ ଠାକୁରଙ୍କୁ ଆବାହନ କରି ପୂଜା କରାଯାଏ।
ଆଗେ ରାଜା ରାଜୁଡାମାନେ ହାତୀ ଉପରେ ବସି ଯାଆ ଆସ କରୁଥିଲେ। ଯୁଦ୍ଧ କରୁଥିଲେ। ଯୁଦ୍ଧରେ ହସ୍ତାରୋହି ନାମ ରେ ଏକ ସୈନ୍ୟ ଦଳ ଥିଲେ ।
ବଢିଆ ତ ଜେଜେ।
ଆମ ଓଡ଼ିଆ ବଣ ଜଙ୍ଗଲ ଘେରା ଏକ ଶାନ୍ତ ସୁନ୍ଦର ରାଇଜ। ବଣରେ ଅଧିକ ହାତୀ ଥାଆନ୍ତି। ରଜ ସମୟରେ ମୌସୁମୀ ଆସେ। ଗ୍ରୀଷ୍ମ ପ୍ରକୋପରେ ହାତୀ ମାନେ ଅତିଷ୍ଠ ହୋଇ ଥାଆନ୍ତି। ମୌସୁମୀର ଆଗମନରେ ଖୁସି ହୋଇ ଖୁବ୍ ଜୋରେ ରଡି ଛାଡ଼ନ୍ତି। ଏଣୁ ଏଇ ପାରିପାର୍ଶ୍ବିକ ଦୃଶ୍ୟକୁ ଆଖି ଆଗରେ ରଖି ଲୋକ ମୁଖରେ ରଜ ଗୀତ କେଉଁ ଆବାହନ କାଳରୁ ଗଡି ଆସିଛି।
ଖୁବ୍ ରୋଚକ ତ ଆମ ଓଡ଼ିଶା ସଂସ୍କୃତି,ଐତିହ୍ୟ ଓ ପରମ୍ପରା ଜେଜେ।
ହଁ ବିଟୁ ଆମ ଐତିହ୍ୟ ,ସଂସ୍କୃତି ପରମ୍ପରା ବିଶ୍ୱ ବିଦିତ। ସେଇଥିପାଇଁ କୁହନ୍ତି ଆମେ ଓଡ଼ିଆ ଭାରି ବଢ଼ିଆ।