KUMAR SIPUN

Tragedy Thriller

3  

KUMAR SIPUN

Tragedy Thriller

ରହସ୍ୟମୟୀ

ରହସ୍ୟମୟୀ

3 mins
95


ମୁଁ ଲେଖିଥିବା ପ୍ରତିଟି ଦୁର୍ବୋଧ୍ୟ ଓ ଅଣପାକଳ କବିତାର ପ୍ରଥମ ମୁଗ୍ଧ ପାଠିକା ତୁ। ମୁଁ ଜାଣେ। ଯେଉଁ ଦିନ କବିତା ଲେଖା ହୁଏନି, ତୋର ପ୍ରଶ୍ନ ମୋତେ ଉଦବିଗ୍ନ କରେ।


“କଣ କବିବର, ଆଜି କବିତା ଲେଖାହୋଇନି କି?”

ଲାଇବ୍ରେରୀ ପାଖରେ ହଠାତ୍ ମୁହାମୁହିଁ ହୋଇଗଲେ ତୁ ପଚାରିଦେଉ: କଣ ଏତେ ଖୋଜୁଛ? ଟି.ଏସ୍. ଇଲିଅଟ୍ ନା ଟି.ତିଳୋତ୍ତମା?


: ତିଳୋତ୍ତମା? ସେଟା ପୁଣି କିଏ? ପ୍ରଥମ ବର୍ଷର ନୂଆ ମୁହଁ?

ତୋ ଆଖିରେ ମୁଁ ଦେଖିପାରେ ଦୁଷ୍ଟାମୀ। କିନ୍ତୁ ତାହା ଇନଫାଚୁଏସନ୍ ବୋଲି ଜାଣିବି କେମିତି?


: ସକାଳୁ ଭିଟାମିନ-ଡି ଦରକାର। ତେଣୁ ଆସିଥିଲି ସୂର୍ଯ୍ୟାଲୋକ ପାଇଁ ଲାଇବ୍ରେରୀର ପୂର୍ବପଟ।


: ଭିଟାମିନ ମିଳିଲା?


ସ୍ବୟଂ ସୂର୍ଯ୍ୟ ମିଳିଗଲା ଏଠି, କହିଥିଲି ତୋତେ ଦେଖି।


କବିତା ଦ୍ବାରା କଣ ସବୁ କଥା କହିହୁଏ? ଓଠର ଭାଷା ଛଡେଇ ନିଏ କବିତା, ଲେଖିଦିଏ କାଗଜରେ। କବିତାର ପ୍ରତୀକ, ରୂପକଳ୍ପ ଦୁର୍ବୋଧ୍ୟ କରିଦିଏ ମନର ଭାଷା, ପ୍ରେମିକର ସରାଗ।


ସେମେଷ୍ଟାର ପରୀକ୍ଷା ସରିଲେ କ୍ୟାମ୍ପସ୍ ପ୍ରେମ ସରିଯାଏ। ହୃଦୟର ଆବେଗ କବିତା ହୋଇ ଡାଏରୀ ଭିତରେ ରହିଯାଏ। କିଛି କହି ହୁଏନି ପ୍ରଥମ ପୁଲକର, ଆଦ୍ୟ ଶ୍ରାବଣର ଶୀତୁଆ ସକାଳ ବା ହଷ୍ଟେଲ ହତାରେ ସଦ୍ୟ ମୁକୁଳିତ କୃଷ୍ଣଚୂଡାର ହସ।


ମଇ ତିନି , ସୋମବାର।


ଆଜି ସେମେଷ୍ଟାର ପରୀକ୍ଷା ଆରମ୍ଭ ହେଲା। ଯଦିଓ ପରୀକ୍ଷା ଆଶାତୀତ ନଥିଲା, ଯାହା ମୋତେ ବ୍ୟଥିତ କରିଥିଲା, ତାହାହେଲା ତୋର ରହସ୍ୟମୟ ଅନୁପସ୍ଥିତି।


ପରୀକ୍ଷା ହଲରେ କେଉଁଠି ହେଲେ ତୋତେ ଦେଖିପାରିଲି ନାହିଁ। ତୋର ସାଥି ମାନଙ୍କୁ ପଚାରିଲି ଈଶାରାରେ। ସମସ୍ତେ ତଳ ଓଠକୁ ଲମ୍ବେଇ ଦେଲେ । କହିଲେ: ଆମେ ଜାଣିନୁ।


ସନ୍ଧ୍ୟାରେ ତୋ ହଷ୍ଟେଲ ଓ୍ବାଡେନ କହିଲେ ତୋର ଦେହ ଠିକ୍ ନାହିଁ। ତୋତେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।


କାହିଁକି? କଣ ହୋଇଛି? ମୁଁ ପଚାରିଲି।


ସେ କହିଲେ କାରଣ ଜଣାପଡିନାହିଁ। ରିପୋର୍ଟକୁ ଅପେକ୍ଷା କରାଯାଇଛି। ତୋ ସହ ପୁଣି କେବେ ଦେଖାହେବ? କେଜାଣେ।


ତୋ ସଂପର୍କରେ ସବୁକିଛି ସନ୍ଦେହ ଘେରରେ ଥିଲା। କୌଣସି ସାଙ୍କେତିକ ଈଶାରା ଯଥେଷ୍ଟ ନଥିଲା...। ଲାଗୁଥିଲା ସବୁକିଛି ରହସ୍ୟାବୃତ। 


ତୁ କଣ ସତରେ ମାୟାବିନୀ ଥିଲୁ?

କ୍ୟାମ୍ପସ୍ ଛାଡିବାର ଏତେଦିନ ପରେ ବି ମୋର ବିଶ୍ୱାସ ହେଉନାହିଁ।

ଘନକେଶ ଛାଇ ଆଲୁଅରେ ଓଠ,

ସ୍ପର୍ଶ ତୁମ ଏମିତି ତରଳ ଥିଲା 

ଉତ୍ତାପ ଥିଲା ହୃଦୟରେ?

ମିଛିମିଛିକା ଉପହାର 

ମୁଦ୍ରିକା ପିନ୍ଧିଥିଲ କନିଷ୍ଠାରେ...ଏହା ବି ଥିଲା ଖେଳ?


ଏମିତି କେଇ ଧାଡି ପଢୁଥିଲି ମୁରିଏଲ୍ ଷ୍ଟୁଆଟଙ୍କ କବିତା 'ତୁମ ବଗିଚାରେ... । କବିତାର ପ୍ରତିଟି ଶବ୍ଦ ହୃଦୟରେ ଲାଖି ଯାଉଥିଲା। ରାତି ଅନେକ ବଢି ଯାଇଥିଲା ଅଥଚ ମୁଁ ଅଟକି ଯାଇଥିଲି କବିତା ଭିତରେ।


ମାର୍ଚ୍ଚ ସତେଇଶି ଶନିବାର।


ଆସନ୍ତା କାଲି ରବିବାର। ରାତି ପାହିଲେ ଦୋଳ ପୂର୍ଣ୍ଣିମା ଓ ହୋଲି । ଯଦିଓ ସରକାର କଲେଜ ଓ ଅନ୍ୟାନ୍ୟ ଅଫିସ ଛୁଟି ଘୋଷଣା କରିଛନ୍ତି, ଜନସାଧାରଣଙ୍କୁ ହୋଲି ନ ଖେଳିବାକୁ ଅନୁରୋଧ କରିଛନ୍ତି।


କରୋନା-କବଳିତ ଚୀନଠାରୁ ରସାୟନିକ ଫଗୁ ରଂଗ ଓ ପିଚକାରୀ ଆମଦାନୀ ଉପରେ ଆମ ଦେଶ କଟକଣା ଲଗାଇ ଦେଇଛି ଏଥର। ବିଶେଷ କରି କ୍ୟାମ୍ପସ୍ ପରିସର ଭିତରେ ଫଗୁ ଖେଳିବାକୁ ସ୍ପଷ୍ଟଭାବେ ବାରଣ କରାଯାଇଛି।


ଗତବର୍ଷ ପରି ତୁ କଣ ଏଥର ରଙ୍ଗବେରଙ୍ଗୀ ଶାଢୀ ପିନ୍ଧି ହଷ୍ଟେଲରେ ଫଗୁ ଖେଳି ନାଚିବୁ, ସହପାଠୀ ମାନଙ୍କ ସହ? ବାଣ୍ଟିବୁ ତୁ ନିଜେ ତିଆରି କରିଥିବା କାକରା ପିଠା?


ସ୍ବାଭାବିକ ପୃଥ୍ବୀ କଣ ଏମିତି ହୋଇଗଲା ଏବେ? ସବୁ ଓଲଟପାଲଟ ହୋଇଗଲା। ପରୀକ୍ଷା ଆଗଦିନ ହୋଲି ପଡିଲା! ତା' ପୁଣି ମହାମାରୀ କରୋନା ସଂକ୍ରମିତ କରିଦେଇଛି ବାୟୁ ଓ ଆକାଶ ।


ଯେମିତିକି ପ୍ରକୃତି ପ୍ରତିଶୋଧ ନେଇଗଲା ସଭ୍ୟ ସମାଜ ଉପରେ। ଶିଳ୍ପ ଓ ପ୍ରଦୂଷଣ ଦ୍ବାରା ପ୍ରକୃତିକୁ ଉଲଗ୍ନ କରି ଦେଇଥିବା ସଭ୍ୟ ରାଷ୍ଟ୍ରମାନଙ୍କ ଉପରେ କରୋନା ଦାଉ ସାଧିଲା। ବୈଜ୍ଞାନିକ ମାନଙ୍କୁ ଭୂତାଣୁର ବହୁରୂପୀ ଗତିବିଧି ଅଲୌକିକ ଲାଗିଲାଣି। ନିର୍ଦ୍ଦିଷ୍ଟ ନିରାକରଣ ଜଣା ପଡୁ ନାହିଁ। ପ୍ରତିଷେଧକ ଟୀକା ନେଲାପରେ ବି ଫେରିଆସୁଛି ସଂକ୍ରମଣ। ନୂଆ ଔଷଧ ଉଦ୍ଭାବନ ହେବାରେ ଲାଗିଛି ତଥାପି ପାଥୋଜେନ୍ ନୂଆନୂଆ ରୂପରେ ଅବତରଣ କରୁଛି। ଏମିତି କ୍ରମବର୍ଦ୍ଧିଷ୍ଣୁ ସଂକ୍ରମଣ ଆଗରୁ ଦେଖାଯାଇ ନଥିଲା। ଏ ଭୂତାଣୁ କଣ ମଣିଷ ପରି ମାୟାବୀ?


ଏବେ ସବୁଠି ଜୀବଜନ୍ତୁ ସୁସ୍ଥ, ଜଙ୍ଗଲ ଅଛି ରୋଗମୁକ୍ତ। କିନ୍ତୁ ରୁଗ୍ଣ ହୋଇଯାଇଛି ଶିଳ୍ପ-ସମୃଦ୍ଧ ମଣିଷ । ବନ୍ଦ ହୋଇଛି କାରଖାନା: ମଣିଷର ଚଳପ୍ରଚଳ ଓ ସ୍ବାଭାବିକ ଜୀବନଯାତ୍ରା। ଚାଲିଛି କେବଳ ହସ୍ପିଟାଲ।


ମାର୍ଚ୍ଚ ଅଠେଇଶି , ରବିବାର


କବିତା ଲେଖିବା ପାଇଁ ରବିବାର ଦିନ ଭଲ, ବୋଧହୁଏ। ପ୍ରେମ କବିତା?


ବୟସ ସହ ପ୍ରେମ ହାତ ଧରାଧରି ହୋଇ, ଦେହ ରଗଡି ଯାଇଥାନ୍ତି। ଦେହକୁ ଛାଡି ମନର ସ୍ଥିତି କିଛି ଥାଏ? କେଜାଣେ। ବାସ୍ତବରେ ତୋତେ ନିଜର କରିବାର ଉଲ୍ଲାସ ଓଲଟ ପାଲଟ ହୋଇଯାଏ। ଦେହଜ ଆକର୍ଷଣ ପାଇଁ ମୁଁ କଣ ତୋତେ ଭଲ ପାଉଛି? ଇନଫାଚୁଏସନ୍? ମୁଁ ଜାଣି ପାରୁନାହିଁ।


Rate this content
Log in

Similar oriya story from Tragedy