Padmalaya Padhy

Romance

4.7  

Padmalaya Padhy

Romance

ରହସ୍ୟ

ରହସ୍ୟ

5 mins
255


ଅନିକେତ ଶେଷ କଥା କହି ଦେଇଥିଲା ଯେ ମୁଁ ତୁମ ନିକଟରେ ଆଉ ବନ୍ଧା ପଡି ରହି ପାରିବି ନାହିଁ l ଏଥର ମୁଁ ମୁକ୍ତି ଚାହେଁ l ଯେବେଠାରୁ ସଙ୍ଗିନୀ ସହିତ ଭେଟ ହୋଇଛି ସେଇ ଦିନଠୁ ମୋତେ ତୁମ ପାଖରେ ଅଣ ନିଶ୍ୱାସୀ ଲାଗୁଛି l କିଛି ଭାବିବ ନାହିଁ ତୁମର ଏଥିରେ କୌଣସି ଭୂଲ ନାହିଁ l ତୁମେ ଯେମିତି ଥିଲ ସେମିତି ଅଛ ଏବେ କିନ୍ତୁ ସଙ୍ଗିନୀ ମୋତେ ଭଲ ଲାଗୁଛି ତେଣୁ ମୁଁ ଚାଲିଯିବି l ସେ ବୁଲେଇ ବଙ୍କେଇ ନକହି ସିଧା କଥା କହେ ବୋଲି ମୁଁ ତାକୁ ପସନ୍ଦ କରେ l ସେଦିନ ତାର ସେଇ ସିଧା ସଳଖ କଥା ହିଁ ମୋର ମେରୁଦଣ୍ଡ ଭାଙ୍ଗି ଦେଇଥିଲା l

ସେ ଚାଲି ଯିବାର ଦୁଇ ବର୍ଷ ପରେ ଗୋଟିଏ ଶୁଭ ଅବସର ରେ ମୁଁ ଅଙ୍କନଙ୍କର ପତ୍ନୀ ହେବାକୁ ଯାଉଥିଲି l ସେଦିନ ମିଳନ ର ପ୍ରଥମ ରାତ୍ରି l ପରସ୍ପର ର ପସନ୍ଦ ନାପସନ୍ଦ କୁ ଜାଣି ଭବିଷ୍ୟତ ପାଇଁ ଏକ ସୁଖ ସଂସାର ର ପରିକଳ୍ପନା କରିବାର ମହାର୍ଘ୍ୟ ଅବସର l ମୋର ଦେହ ଭୋକ ନାହିଁ ମୁଁ ଚାହେଁ ମନ ସହିତ ମନର ମିଳନ ହେଉ ଏବଂ ଅନିକେତ ପରି ଅଙ୍କନ ମୋତେ କେବେ ବି ଛାଡି ଚାଲି ନଯାଆନ୍ତୁ ବୋଲି ମୁଁ ଠାକୁରଙ୍କ ନିକଟରେ ଅନେକ ପ୍ରାର୍ଥନା କରିଥିଲି l ବାହାଘର ଦିନ ସାରା ଉପାସ ରହି ସାରି ହାଲିଆ ହୋଇ ସଜବାଜ ବଦଳାଇ ଶୋଇ ଯାଇଥିଲି l ହଠାତ କଣ ଗୋଟେ ଝଣ ଝାଣ ରେ ମୋ ନିଦ ଭାଙ୍ଗିଗଲା l ଏ କଣ ଦେଖୁଛି ମୁଁ ?

ମୋ ଶାଢ଼ୀ ଗହଣା ଧାରଣ କରି ଅଙ୍କନ ଦର୍ପଣ ଆଗରେ ବିଦ୍ୟମାନ ? ମୋର ବଉଳ ପାଟଟିକୁ ମୁଣ୍ଡ ରେ ଦେଇ ଓଢଣା କରି ଦର୍ପଣ ସାମ୍ନା ରେ ଦେଖୁଛନ୍ତି ? ମୋର ଚୁଡ଼ି ହଳେ ବି ହାତରେ ଗଳାଇ ନେଇଛନ୍ତି l ପାଟଟି ମୁଣ୍ଡରୁ ଖସି ଯିବାରୁ ବାରମ୍ବାର ସଜାଡୁଛନ୍ତି ତେଣୁ ଚୁଡ଼ିର ଶବ୍ଦ ରେ ମୋ ନିଦ ଭାଙ୍ଗି ଯାଇଛି l ଗୋଟିଏ ମୁହୂର୍ତ୍ତ ପାଇଁ ଲାଗିଲା ଯାହାକୁ ମୁଁ ପତି ରୂପରେ ବରଣ କରୁଛି ସେ ଜଣେ ସମର୍ଥ ପୁରୁଷ ତ ? ସତରେ କଣ ଅଙ୍କନ ମୋତେ ସ୍ୱାମୀ ସୁଖ ଓ ସନ୍ତାନଟିଏ ଦେବାରେ ସକ୍ଷମ ହେବେ ? ଯଦି ନୁହଁ ତେବେ ମୁଁ ଅଙ୍କନଙ୍କୁ ଛାଡି ଚାଲି ଯିବାକୁ ହେବ l କିନ୍ତୁ ମୁଁ ପରା ଶାରୀରିକ ସୁଖ ଠାରୁ ଅନେକ ଉର୍ଦ୍ଧ୍ୱ ରେ ଅଛି ତେବେ ଅଙ୍କନଙ୍କୁ ନେଇ ମୋ ମନ ଏତେ ବିଚଳିତ କାହିଁକି ? ଆମ ଭଲ ପାଇବା ଯଦି ସ୍ବର୍ଗୀୟ ତେବେ ଅଙ୍କନଙ୍କ ସହିତ ସାରା ଜୀବନ ମୋତେ ଏମିତି କଟାଇବାକୁ ହେବ l ଏଥି ପାଇଁ ମୁଁ ପ୍ରସ୍ତୁତ ଅଛି ତ ? ମୋତେ ହିଁ ଏଇ ସବୁ ପ୍ରଶ୍ନ ର ଉତ୍ତର ଦେବାକୁ ହେବ l କିଛି କହିବା ପୂର୍ବରୁ ଅଙ୍କନ ରୁମ ବାହାରକୁ ଚାଲି ଯାଇଥିଲେ l କେତେବେଳେ ନା ସେ ଆସି ବିଛଣା ରେ ଶୋଇ ସାରିଛନ୍ତି ମୁଁ ଜାଣିନାହିଁ l ସକାଳ ହେଲା ଅଙ୍କନଙ୍କ ଘରେ ମୋର ପ୍ରଥମ ସକାଳ l ଅଙ୍କନଙ୍କ ସହିତ ମୋ ଘର ସଂସାରର ପ୍ରଥମ ଦିନ l

ଯେପରି ସେଇ ସବୁ ମୋର ମନର ଭ୍ରାନ୍ତି ଥିଲା l ଦ୍ଵିତୀୟ ଥର ପାଇଁ ସେମିତି ଦୃଶ୍ୟ ଆଉ ମୁଁ ଦେଖିବାକୁ ପାଇ ନଥିଲି l ସବୁ ପୁରୁଷଙ୍କ ପରି ଅଙ୍କନ ମଧ୍ୟ ନିଜ ର ନବ ବିବାହିତା ପତ୍ନୀ କୁ ସବୁ ପ୍ରକାର ଖୁସି ଦେବା ପାଇଁ ଚେଷ୍ଟା କରୁଥିଲେ l କିନ୍ତୁ ମୋ ମନ ଭିତରେ ପ୍ରଥମ ରାତ୍ରି ର ସେଇ ସବୁ ଦୃଶ୍ୟ ତଥାପି ଆନ୍ଦୋଳିତ କରୁଥାଏ l ଅଙ୍କନ କାହିଁକି ମୋର ବଉଳ ପାଟ କୁ ମୁଣ୍ଡ ରେ ଥୋଇ ଓଢଣା କରୁଥିଲେ ମୋ ଚୁଡ଼ି ସେ କାହିଁକି…. ଇତ୍ୟାଦି ଇତ୍ୟାଦି l ଯେହେତୁ ମୁଁ ନୂଆ ବାହା ହୋଇଛି ଏସବୁ କଥା ସିଧା ସଳଖ ପଚରା ଯାଏନାହିଁ l ଏ ପର୍ଯ୍ୟନ୍ତ ପରା ଚେର ସୁଦୃଢ଼ ହୋଇନାହିଁ ! ଚେର ସୁଦୃଢ଼ ହୋଇ ସାରିବା ପରେ ସମୟ କାହାରିକୁ ଆଉ ଅପେକ୍ଷା କରି ନଥିଲା l ଉର୍ମି ଏବଂ ସାନ୍ତ୍ୱନା ପରି ଦୁଇ ଦୁଇଟି କନ୍ୟା ରତ୍ନ କୋଳ କୁ ଆସିଲା ପରେ ବି ବେଳେ ବେଳେ ପୁରୁଣା କଥାଟି ଉହୁଁକି ଆସେ l

ସେଦିନ ଅଙ୍କିତ ମୋ ପାଟ ଶାଢ଼ୀ ମୋ ଚୁଡ଼ି ରେ ଦୃଶ୍ୟମାନ ହେବାର କଣ କାରଣ ରହିଥିବ l କିନ୍ତୁ କିଛି ପଚାରି ହୁଏନାହିଁ l ଏବେ କଣ ତାଙ୍କର ପୁରୁଣା କଥା ମନେ ଥିବ କି ? ମୋତେ ଓଲଟି ପଚାରିବେ କୋଉ ଦିନ କି ଶାଢ଼ୀ କଣ ହେଲା ଇତ୍ୟାଦି ଇତ୍ୟାଦି l ଛାଡ଼ l କିନ୍ତୁ ଛାଡି ପାରେନାହିଁ l ପୁଣି ମନ ଭିତରେ ଧସେଇ ପଶିଯାଏ ସେଇ ପୁରୁଣା କଥାଟି ଏବଂ ମୋ ପାଟ କୁ ମୁଣ୍ଡ ରେ ଓଢଣା ପରି ଦେଇ ମୋ ଚୁଡ଼ି ପିନ୍ଧି ସେଦିନ ରାତିରେ ଦର୍ପଣ ସାମ୍ନାରେ ଅଙ୍କନଙ୍କର ସେଇ ରୂପ l ପଚାରିବି ପଚାରିବି ହୋଇ ଅନେକ ବର୍ଷ ବିତି ଗଲାଣି ଏ ଭିତରେ l

ଆସନ୍ତା ମାସରେ ମୋ ବଡ଼ ଝିଅ ଉର୍ମିର ବାହାଘର l ଲୁଗାପଟା ଗହଣା ସବୁ ତାଆରି ପସନ୍ଦ ରେ କିଣା ଯାଇଛି l ସନ୍ଧ୍ୟା ରେ ସାନ ଭଉଣୀ କୁ ନେଇ ଉର୍ମି ପାର୍ଲର କୁ ଚାଲି ଗଲା ପରେ ଏବେ ଘରେ ଅଙ୍କନ ଏବଂ ମୁଁ l ଉର୍ମିର ରୁମକୁ ଯାଇ ଦେଖିଲି ଉର୍ମି ପାଇଁ କିଣା ଯାଇଥିବା ପାଟ ଶାଢ଼ୀଟି ଧରି ଅଙ୍କନ ଭେଁ ଭେଁ ହୋଇ କାନ୍ଦୁଛନ୍ତି l ତାଙ୍କୁ ଦେଖି ମୋର ବି ଆଖିରୁ ଲୁହ ଧାର ବୋହିଗଲା l ଭଲ ଘର ଦେଖି ବନ୍ଧୁ ବାନ୍ଧିଛୁ ସତ ହେଲେ ମା ବାପା ମନ କୋଉଠୁ ବୁଝିବ ଅବା ? ଝିଅ ତ ସବୁଦିନ ପାଇଁ ଆମ ଠାରୁ ଦୂର ହୋଇଯିବ ନା l କେତେ ଶୀଘ୍ର ବଡ଼ ହୋଇଗଲା ଆମ ଛୁଆ l ବିଶ୍ୱାସ ହେଉନାହିଁ କହି ପୁଣି କାନ୍ଦିଲେ ଅଙ୍କନ l ହଁ ଝିଅର ବୋଧେ ବାପା ହିଁ ସବୁଠାରୁ ବଡ଼ ସାଙ୍ଗ l ଅଙ୍କନଙ୍କ ର ମନ ଭୁଲାଇବା ପାଇଁ କହିଲି ସବୁ ଝିଅ ବଡ଼ ହୁଅନ୍ତି ବାହା ହୁଅନ୍ତି l ଆମ ଝିଅ କଣ ଅଲଗା କି ? ଭଗବାନ ଝିଅକୁ ସୁଖ ଶାନ୍ତି ଦିଅନ୍ତୁ ଖାଲି ଏତିକି କାମନା l ଆଉ କିଛି ନାହିଁ l ହେଲେ ବି ଅଙ୍କନଙ୍କର କାନ୍ଦ ଥମିବାର ନାଁ ନେଉ ନଥିଲା l ଝିଅର ଶାଢୀଟି ହାତରେ ଧରି ସେମିତି ବସିଥାନ୍ତି l ସେଇଟି ଦେଖି ହଠାତ କେତେବର୍ଷ ପଛକୁ ଫେରି ଯାଉଥିଲି ମୁଁ l କିଛି ସମୟ ରହି ପ୍ରଶ୍ନ କଲି l

ଆଚ୍ଛା ଗୋଟେ କଥା କୁହ ତ ଆଜି ସିନା ଆମ ଝିଅ ଚାଲି ଯିବ ବୋଲି ତୁମେ ମର୍ମାହତ ହେଲେ ଆମ ବାହାଘର ଦିନ ତୁମେ ମୋ ଶାଢ଼ୀ ଗହଣା ପିନ୍ଧି କଣ କରୁଥିଲ ଶୁଣେ ? ମୋ ଛାଇ ନିଦ ଭାଙ୍ଗିଲା ପରେ ମୁଁ ସବୁ ଦେଖିଛି l ଏତେଦିନ ଯାଏ ପଚାରିବି ପଚାରିବି ହୋଇ ପଚାରି ପାରିନାହିଁ l 

ତୁମେ ନ ପଚାରିଥିଲେ ବୋଧେ ଭଲ ହୋଇଥାନ୍ତା l

ମାନେ?

ମାନେ ଅନିକେତ ତୁମର ଏକ୍ସ ବୟ ଫ୍ରେଣ୍ଡ ତୁମ ବିଷୟରେ ଅନେକ କଥା କହି ଆମ ବାହାଘର ଭାଙ୍ଗିବା ପାଇଁ ଚେଷ୍ଟା କରି

ଥିଲା l

ହଁ ତା ବିଷୟରେ ତ ମୁଁ ତୁମକୁ ପ୍ରଥମରୁ କହି ସାରିଛି l ସେ ହିଁ ମୋତେ ଛାଡି ଚାଲି ଯାଇଥିଲା l

କିନ୍ତୁ ସେ ଏତେ ପ୍ରତିଶୋଧ ପରାୟଣ ବୋଲି ତ କହି

ନଥିଲ ? ତୁମେ ବି କେମିତି ଜାଣି ପାରିଲ ନାହିଁ ତାକୁ ? ସେ ତୁମ ବିଷୟରେ ଯାହା ସବୁ କହିଥିଲା ଆମ ବାହାଘର ଭାଙ୍ଗି ଯିବାଟା ଆଦୌ ଅସମ୍ଭବ ନଥିଲା l ମୁଁ ବହୁତ ଅନୁସନ୍ଧାନ କଲା ପରେ ସବୁ କିଛି ମିଛ ବୋଲି ଜାଣି ପାରିଥିଲି l ତୁମର ତା ସହିତ କେବଳ ବନ୍ଧୁତା ଥିଲା ଓ ବେଶୀ ହେଲେ ତୁମେ ତାକୁ ବିବାହ କରିଥାନ୍ତ l

ଅନିକେତ ଶେଷ ରେ ଏମିତି ବାହାରିବ ବୋଲି ମୁଁ ଜାଣି

 ନଥିଲି l

ଅନୁସନ୍ଧାନ କରି ସବୁ ମିଥ୍ୟା ବୋଲି ଜାଣି ସାରିବା ପରେ ତୁମ ଭଳି ସରଳ ବିଶ୍ୱାସୀ ଝିଅଟିକୁ ଦେଖି ମୋର ପ୍ରେମ ଅନେକ ମାତ୍ରା ରେ ବଢ଼ି ଯାଇଥିଲା l ଏଭଳି ଝିଅକୁ ସେ କିଭଳି ଛାଡି ଚାଲିଗଲା ବୋଲି ଭାବୁଥିଲି l ତା ଛଡା ତୁମେ ରିସେପସନରେ ଏତେ ସୁନ୍ଦର ଦିଶୁଥିଲ ଯେ ମୁଁ ଭାବିଲି ଅନୁସନ୍ଧାନ ପରେ ସବୁ ସତ୍ୟ ବୋଲି ଜଣା ପଡ଼ିଥିଲେ ବି ତୁମକୁ ଛାଡି ପାରି ନଥାନ୍ତି l ତେଣୁ ତୁମ ସୌନ୍ଦର୍ଯ୍ୟର ରହସ୍ୟ କୁ ମୁଁ ନିରୀକ୍ଷଣ କରୁଥିଲି l ଶାଢ଼ୀ ଅଳଙ୍କାର ଲାଗି ତୁମେ ସୁନ୍ଦର ଦିଶୁଥିଲ ନା ତୁମ ସ୍ପର୍ଶ ପାଇ ସେମାନେ ଭାଗ୍ୟବାନ ମନେ ହେଉଥିଲେ l

ହେଲେ କି ସିଦ୍ଧାନ୍ତ ରେ ଆପଣ ଉପନୀତ ହେଲେ ମହାଶୟ ?

ଯେ ପର୍ଯ୍ୟନ୍ତ ତୁମେ ସହଜ ଅନୁଭବ ନ କରିଛ ସେ ପର୍ଯ୍ୟନ୍ତ ମୋର ତୁମ ଉପରେ କୌଣସି ଅଧିକାର ନଥିଲା ସତ ହେଲେ ସେ ପର୍ଯ୍ୟନ୍ତ ତୁମେ ବ୍ୟବହାର କରୁଥିବା ଜିନିଷ କୁ ମୁଁ ଛୁଇଁଲେ ତ ଦୋଷ ନଥିଲା ନା l ତୁମ ଶାଢ଼ୀ ଓ ଗହଣା ପ୍ରତି କେମିତି ଗୋଟେ ଅହେତୁକ ପ୍ରେମ ଆସି ଯାଇଥିଲା ମୋର l ସେ ସବୁ ଛୁଇଁଲେ ତୁମକୁ ଛୁଇଁଲା ପରି ଲାଗୁଥିଲା l ଭାବୁଛି ମୁଁ ଯଦି ମଣିଷ ନହୋଇ ଶାଢ଼ୀ କିମ୍ବା ଚୁଡ଼ି ହୋଇଥାନ୍ତି ତେବେ ସବୁଦିନ ପାଇଁ ତୁମ ସହିତ ଜଡେଇ ହୋଇ ରହିଥାନ୍ତି ? ଏମିତି ଦୂର ଦୂର ମାର ମାର ତ କରି ନଥାନ୍ତ ତୁମେ ? ଏଥର ହସି ପକାଇଥିଲେ

ଅଙ୍କନ l ମୋର ମନ ଆକାଶରେ ଥିବା ସନ୍ଦେହ ର କଳା ବାଦଲଟି ଧୀରେ ଧୀରେ ଅପସରି ଯାଇ ଇନ୍ଦ୍ରଧନୁର ସାତୋଟି ରଙ୍ଗ ରଙ୍ଗାୟିତ ହେଉଥିଲା l


Rate this content
Log in

Similar oriya story from Romance