ରାଧୁଆ ବାଘୁଆ
ରାଧୁଆ ବାଘୁଆ
ପ୍ରାୟ ଦୁଇ ଶହ ବର୍ଷ ତଳର କଥା। ଚାରିଆଡେ ଖାଲି ଜଙ୍ଗଲ ହିଁ ଜଙ୍ଗଲ। ଏହି ଘଞ୍ଚ ଜଙ୍ଗଲ ମଧ୍ୟରେ ପଶୁ ପକ୍ଷୀମାନଙ୍କର ସଂଖ୍ୟା ଅସଂଖ୍ୟ। ସେହି ସମୟରେ ମୋ ବୋଉ ଠାରୁ ଶୁଣିଥିଲି ଏଠାରେ ହରିଣ ଠେକୁଆ କୁଟୁରା, ହାତୀ ଭଳି ଅନେକ ତୃଣଭୋଜୀ ପ୍ରାଣୀମାନେ ଆମ ଘର ପର୍ଯ୍ୟନ୍ତ ଡ଼ିଆଁ ମାରୁଥିଲେ । ଆମ ଘର ପାଖରେ ଥିବା ବାଲି କୁଦରେ ମୟୂରମାନେ ଆସି ନାଚ କରୁଥିଲେ । ଘଞ୍ଚ ଜଙ୍ଗଲ ଯୋଗୁଁ ଆମ ଗାଁ ପାଖରେ ଏକ ଝରି ନଈର ଧାର କଳ କଳ ନାଦ କରି ବହି ଯାଉଥିଲା। ତତ୍ ସହିତ ଅନତି ଦୂରରେ ତେଲି ଝରି ଓ ପ୍ରାଚୀ ଧାର ଏବେବି ଅଛି । କିନ୍ତୁ ଆମର ପରିବେଶ ବାଧା ପ୍ରାପ୍ତ ଯୋଗୁଁ ଝରି ନଈ ସହିତ ତାର ସ୍ରୋତରେ ଉତ୍ପନ୍ନ ମହିଷୀ ଗଡିଆରେ ଲୋପ ପାଇଲାଣି। ସେତେବେଳେ ଲୋକ ସଂଖ୍ୟା ବହୁତ କମ ଥିଲା । ଲୋକମାନେ ପ୍ରାୟ ଦଳବଦ୍ଧ ହୋଇ ଛୋଟ ଛୋଟ ଗାଁ କରି ରହୁଥିଲେ।
ତୃଣଭୋଜୀ ପ୍ରାଣୀ ଓ ନଦୀର ଧାର ଯୋଗୁଁ ଏଠାରେ ବୋଧେ ବାଘମାନେ ଅନେକ ସଂଖ୍ୟାରେ ଦେଖା ଦେଉଥିଲେ । ଜଙ୍ଗଲୀ ହିଂସ୍ର ଜନ୍ତୁ ଭୟରେ ସଞ୍ଜ ପ୍ରହରୁ ତାଟି କବାଟ ଦେଇ ଲୋକମାନେ ଶୋଇ ପଡୁଥିଲେ। ଅତି ଦରକାର ପଡିଲେ ନିଆଁ ହୁଳ ଧରି ଲୋକେ ଯିବା ଆସିବା କରୁଥିଲେ।ସେହି ଗ୍ରାମରେ ରାଧୁଆ ନାମକ ଲୋକଟିଏ ରହୁଥିଲା। ଦୀର୍ଘକାୟ ଚେହେରା । ଜଙ୍ଗଲର ପଶୁମାନେ ତାର ବଳ ଆଗରେ ହାର ମାନନ୍ତି। ସେ କେବେ ହେଲେ ଡରେ ନାହିଁ ନିଜ ହାତ ତିଆରି ଧନୁ ତୀର କୁରାଢ଼ୀ ଧରି ସବୁବେଳେ ଜଙ୍ଗଲରେ ନିଜ ସ୍ତ୍ରୀ ଧନେଇ ସହିତ ବୁଲୁଥାଏ । ସନ୍ଧ୍ୟା ପୂର୍ବରୁ ଘରକୁ ଫେରି ଆସେ ।
ଦିନକର ଘଟଣା ସେହି ସମୟରେ ରାଧୁଆର ସ୍ତ୍ରୀ ଦିନେ ରାତ୍ରରେ ପୋଖରୀପାଣି ବାହାରି ଥିଲା ସେ ଝାଡା ବସୁଥିବା ସମୟରେ କେଉଁଠି ଥିଲା କଲରା ପତରିଆ ବାଘ ତା ସ୍ତ୍ରୀକୁ ଝାମ୍ପି ନେଇଗଲା । ରାଧୁଆ ବାଘ ପଛେ ପଛେ ଧାଇଁଲା କାହିଁ କିଛି ଲାଭ ହେଲା ନାହିଁ । ପାଖ ଲୋକମାନେ ରାତି ଅଧରେ କେହି ଉଠିଲେ ନାହିଁ । ରାଧୁଆ ହିଂସ୍ର ହୋଇ ଉଠିଲା। ତାପର ଦିନ ସକାଳୁ ସେ ଗାଁ ଛାଡି ଜଙ୍ଗଳୁ ପଳାଇଲା ବାଘର ସନ୍ଧାନ ପାଇଁ। ସେ ଦିନରେ ମଞ୍ଚା ବାନ୍ଧି ଜଙ୍ଗଲରେ ରହେ ବାଘମାନଙ୍କୁ ନଜର ରଖେ ନିଜ ସ୍ତ୍ରୀ ମାରିବାର ପ୍ରତିଶୋଧ ନେବାପାଇଁ । ରାତି ହେଲେ ଜଙ୍ଗଲ ଭିତରେ ଗୁମ୍ପ୍ଫା ଭିତରେ କେଉଁଠି ରହିଯାଏ ।
ରାଧୁଆ କେତେ ହରିଣ ଶିକାର କରିଛି ତାର ହିସାବ ନାହିଁ । ତାର ଶର ବିଦ୍ଧରେ ଅନେକ ବାଘ ଶିକାର କଲେ ବି କଲର ପତେରିଆ ବାଘ ତାର ନଜରକୁ ନ ଆସିବାରୁ ମନ ଦୁଃଖରେ ଥାଏ। ସେ ବାଘ ଓ ହରିଣ ଛାଲ ପ୍ରାଚୀଧାରରେ ବସବାସ କରୁଥିବା ଅନେକ ମୁନି ଋଷିମାନଙ୍କୁ କୁଆଡେ ଦାନ କରୁଥିଲା । ପୋଥିରେ ବର୍ଣ୍ଣନା ହୋଇଛି ବାଘ ଛାଲ ଉପରେ ଧ୍ୟାନ ରତ ମୁନି ଋଷି ମାନଙ୍କୁ କୌଣସି ହିଂସ୍ର ଜୀବଜନ୍ତୁ ଆକ୍ରମଣ କରି
ପାରିବେ ନାହିଁ।
ଲୋକମାନେ ରାଧୁଆର ବାଘ ଶିକାର ଦେଖି ବାଘୁଆ ବୋଲି ଡାକିବାକୁ ଆରମ୍ଭ କରୁଥିଲେ । ସେ ନିଜ ଜୀବନକୁ ପାଣି ଛଡାଇ ବାଘମାନଙ୍କ ଭିତରେ ଘର କରି ରହୁଥିଲା । ସତେ ଯେମିତି ସବୁ ଜୀବଜନ୍ତୁ ରାଧୁଆକୁ ଡରି ଆଉ ଦେଖା ଦେଉ ନ ଥିଲେ। ନିଜ ପତ୍ନୀର ମୃତ୍ୟୁର ପ୍ରତିଶୋଧ ନେବା ପାଇଁ ରାଧୁଆର ବାଘୁଆ ରୂପ । ଯେଉଁମାନେ ଦେଖିଲେ ଆଶ୍ଚର୍ଯ୍ୟ ହେଉଥିଲେ। ସତରେ ସେ ତା ସ୍ତ୍ରୀ ଧନେଇକୁ କେତେ ଭଲ ପାଉଥିଲା । ନିଜ ଦେହରେ ଗଛ ପତ୍ର ବାନ୍ଧି ବାଘ ଶିକାର ପାଇଁ ଲୁଚି ବସୁଥିଲା ପ୍ରାଚୀ ଧାରରେ।
ଦିନେ ସଞ୍ଜବେଳେ ରାଧୁଆ ମଞ୍ଚ ଉପରେ ବସିଥାଏ ।ସେହି କଲରା ପତରିଆ ବାଘଟା ପ୍ରାଚୀଧାରରୁ ପାଣି ପିଇବାକୁ ଆସିଥାଏ। ଏହା ଦେଖି ରାଧୁଆ ସଜାଗ ହୋଇଗଲା କେମିତି ତାକୁ ମାରିବ। ଧନୁରେ ତୀର ସଂଯୋଗ କରି ବାଘର କାନ ମୁଣ୍ଡକୁ ଲକ୍ଷ୍ୟ କରି ଶରଟିଏ ମାରିଲା । ଚାହୁଁ ଚାହୁଁ ବାଘଟି ଟଳି ପଡିଲା । ସହସା ମଞ୍ଚ ଉପରୁ ଓହ୍ଲାଇ ବାଘର ମୁଣ୍ଡକୁ ଗଣ୍ଡିରୁ ହାଣି ଅଲଗା କରିଦେଲା। ଜଙ୍ଗଲ ମଧ୍ୟରେ ପାଗଳ ପରି ନୃତ୍ୟ କରି ଚାଲିଲା । ତାପରେ ବାଘର ଶରୀରକୁ କାନ୍ଧରେ ପକାଇ ଆଉ ଏକ ହାତରେ ବାଘ ମୁଣ୍ଡକୁ ଧରି ନିଜ ଗାଁ ଆଡକୁ ଅଗ୍ରସର ହେଲା । ତାପରେ ଗାଁ ଲୋକେ ରାଧୁଆର ରୂପ ଦେଖି କାବା । ସମସ୍ତଙ୍କ ଆଗରେ ବାଘର ପେଟକୁ ଚିରି ପକାଇଲା ଓ ପାଗଳ ପରି ନାଚିବାକୁ ଆରମ୍ଭ କଲା । ମୋ ଧନେଇକୁ ଖାଇଥିଲୁ ଏବେ ତାର ପ୍ରତିଶୋଧ ନେଲି । ବାଘର ମୁଣ୍ଡକୁ ନିଜ ମୁଣ୍ଡ ଉପରେ ରଖି ଗାଁ ଏ ମୁଣ୍ଡରୁ ସେ ମୁଣ୍ଡ ପର୍ଯ୍ୟନ୍ତ ନାଚି ନାଚି ଧାଇଁବାକୁ ଲାଗିଲା । ସମସ୍ତେ କହିଲେ ରାଧୁଆ ବାଘୁଆ ହୋଇଗଲା । ସତରେ ନିଜ ସ୍ତ୍ରୀ ଧନେଇ ପାଇଁ ରାଧୁଆ ପାଗଳ ହୋଇଗଲା ।
ଆଜି ଜଙ୍ଗଲ ନାହିଁ ସେ ପଶୁପକ୍ଷୀ ବି ନାହାଁନ୍ତି । ପୁରା ଟାଙ୍ଗର ଭୂଇଁ । ବାଲିକୁଦରୁ ବାଲି ସରିଯାଇଛି । ସେ ବାଲି ଶୁଆ ନାହାଁନ୍ତି କି ବିଲୁଆ କୋକି ଶିଆଳି ବି ନାହାଁନ୍ତି। ଆମ ପରିବେଶ ଆମ ପୂର୍ବ ପୁରୁଷଙ୍କ ହାତରେ ହଜି ଯାଇଛି ।ରାଧୁଆର ନାଁ ହଜିଯାଇ ବାଘୁଆ ହୋଇଛି । ଏ କଥା କେତେ ଜଣ ଜାଣିଛନ୍ତି ଜଣା ନାହିଁ ।
ସେତେବେଳେ ଗାଁ ମୁଖିଆ ଓ ପରିବେଶକୁ ଦେଖି ଲୋକମାନେ ରହୁଥିବା ଜଗାକୁ ନାମ କରଣ କରୁଥିଲେ। ଆମ ଗାଁ ବଣୁଆ କଣ୍ଟା ଗଛ ଲତାରେ ପରିପୂର୍ଣ୍ଣ ଥିଲା ସେଥିପାଇଁ ଏହାର ନାମ କଣ୍ଟାପଡା। ଆମର ହେତୁ ହେଲା ବେଳକୁ ବେତ, ଖଜୁରୀ, ଗୋଖରା, ଧଳାଙ୍ଗ ପରି କଣ୍ଟା ଲତାରେ ଆମ ଅଞ୍ଚଳ ପ୍ରାୟ ପରିପୂର୍ଣ୍ଣ। ଲୋକମାନେ ସେହି ସମୟରେ ପତ୍ର କାଠି କୁଟା ଏକାଠି କରିବା ପାଇଁ କଣ୍ଟା ଝାଡୁର ବ୍ୟବହାର କରୁଥିଲେ। ଆଜି ବାଘ ପରିପୂର୍ଣ୍ଣ ଅଞ୍ଚଳ ଆଜି ଲୋକାରଣ୍ୟ । ସେହି ସ୍ଥାନଟିରେ ରାଧୁଆର କାର୍ଯ୍ୟ କଳାପ ଯୋଗୁଁ ବାଘୁଆ ନାମରେ ନାମିତ ହୋଇଛି ଏହା ନିଃସନ୍ଦେହ।