Bibhu Samanta

Romance

2.5  

Bibhu Samanta

Romance

ପୁନଶ୍ଚ ଶ୍ରୀରାଧା

ପୁନଶ୍ଚ ଶ୍ରୀରାଧା

8 mins
445


।୧।

କେଉଁ ଏକ ସଞ୍ଜରେ ପାର୍କରେ ବୁଲୁଥିଲେ ସେମାନେ ଚୁପଚାପ । ଅଫିସ ସରିବା ପରେ । ନୀରବତା ଭାଙ୍ଗି ଜୟନ୍ତ କହିଲା, "କଣ ହେଇଛି ତମର ? ଚିନ୍ତିତ ଥିଲା ପରି ଲାଗୁଛ । କିଛି ଅସୁବିଧା ଯଦି ଘରକୁ ପଳେଇବା । ମୁଁ ଜାଣେ ତମେ ମୋ କଥା ରଖି ଆସିଛ ମୋ ସାଙ୍ଗେ । କିଛି କଥା ନାହିଁ । ଆମେ ପୁଣି କେବେ ଆସିଯିବା । " ମୁଣ୍ଡ ନୁଆଇଁ ପାର୍କ ରାସ୍ତାର ପଥର ଗଣୁଥିବା ଅନୁ କହିଲା, "ନାଇଁ କିଛି ନାହିଁ , ଏମିତି ଟିକେ ଥକ୍କା ଲାଗୁଛି । ମୁଁ ଠିକ ଅଛି । ସେମାନେ ଚାଲି ଚାଲି ପାର୍କ ଶେଷ ମୁଣ୍ଡରେ ଥିବା କଫି ହାଉସରେ ବସିଲେ । ଦି କପ କଫି ବରାଦ କଲା ଜୟନ୍ତ । କଫି ଆସିଗଲା, ଜୟନ୍ତ କହିଲା, "ନିଅ ଅନୁ କଫି ପି ଦିଅ । ତମକୁ ଫ୍ରେସ ଲାଗିବ । " ଅନୁ କଫିରେ ଚିନି ଗୋଳାଉଥିଲା, ଆଉ ଜୟନ୍ତ ତାକୁ ଦେଖୁଥିଲା । ସତରେ ଅଫିସରୁ ଫେରିଲା ବେଳେ ଅନୁ ଥକି ଯାଇଥାଏ । ଜୟନ୍ତ କହିଲା, "କଣ କିଛି ଠିକ କଲ?"

ଅନୁ ଚୁପ ରହି ବାହାରକୁ ଦେଖୁଥାଏ ।  

"ତମକୁ କଣ କେହି ପସନ୍ଦ ଆସୁ ନାହାନ୍ତି? କେତେ ଦିନ ଆଉ ଏମିତି ନିଜକୁ କଷ୍ଟ ଦେଉଥିବ?" 

ଅନୁ ତଥାପି ନୀରବ ।  


କେବେ ତ ମୁଁହ ଖୋଲି କୁହ," ତମର ପସନ୍ଦ ନାପସନ୍ଦ , ଆମେ ଏତେ ଦିନ ସାଙ୍ଗରେ ଅଛେ, ଏକ ଜାଗାରେ କାମ କରୁଛେ । ମୁଁ ମୋ ଜୀବନର ସବୁ ପୃଷ୍ଠା ତମ ଆଗେ ଖୋଲି ଦେଇଛି । ଆଉ ତମେ ଏବେ ବି ପର ଭାବୁଛ! "

ଅନୁ ସଧିରେ ଉତ୍ତର ଦେଲା, " ହଁ ଆମେ ଏତେ ଦିନ ହେଲା ସାଙ୍ଗ ହୋଇ ଅଛେ, ତଥାପି ତମ ମନରେ ଏତେ ସଂଶୟ,ଏତେ ଦ୍ଵିଧା କଣ ପାଇଁ? ସବୁ କଥା ଖୋଲି କହିବାକୁ ପଡେନା । କିଛି କଥା ବୁଝି ହେଇଯାଏ । ତମେ କଣ ବୁଝନି, ଅଫିସ କାମ ସାରି ଏତେ ଥକି ଯାଏ ମୁଁ, ତଥାପି ତୁମକୁ କେବେ ମନା କରି ପାରେନି । କାହିଁକି?? ଏତେ କଥା କହୁଛ କେବେ ନିଜ ଆଡୁ ପ୍ରସ୍ତାବ ଦେଇଛ? ହଁ, ମୁଁ ତମକୁ ପର ଭାବୁଛି । ଏତିକି କହି ଉଠିପଡ଼ିଲା ଚେୟାରରୁ । ଆଉ ଥମଥମ ହେଇ ଚାଲିଗଲା ବାହାରକୁ ।  କିଛି ଝିଅ ବିଶ୍ୱାସ କରନ୍ତି, ପ୍ରେମ ଅନୁଭବ କରି ହୁଏ, କହିବାକୁ ହୁଏନି,ଗୋଟେ ନିରବ ପ୍ରତିଶୃତି ଯାହା ଆତ୍ମରୁ ପାଳନ କରାଯାଏ । ବିଚରା ଜୟନ୍ତ ହସିବ କି କାନ୍ଦିବ ଜାଣିପାରିଲାନି । ଉଠି ପଡି ଅନୁ ଅନୁ ଡାକି ତା ପଛେ ପଛେ ବାହାରକୁ ଚାଲିଗଲା ।


।୨।

ପୁରା କଲେଜ ଦୁଲୁକୁଛି , ନିର୍ବାଚନ ପାଇଁ । ଅନେକ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । କାହାକୁ ଶାସକ ଦଳର ସମର୍ଥନ । କାହାକୁ ବିରୋଧୀ ଦଳର । ସମସ୍ତେ ଆଶାୟୀ । ଏମିତିରେ ବାଧ୍ୟ ବାଧକତାରେ ନାଁ ଦାଖଲ କରିଛି ଶ୍ରଦ୍ଧା । ଦେଖିବାକୁ ଠିକ ଶରତ ସକାଳର ସଜ ଫୁଟା କଇଁ ଫୁଲ ପରି । ସମସ୍ତଙ୍କ ସୁଖ ଦୁଃଖରେ ଠିଆ ହୁଏ । ସେ ବିଶ୍ୱାସ କରେ ପ୍ରେମ ଆଉ ବିନମ୍ରତାରେ ସବୁ ହୃଦୟକୁ ଜିତି ହୁଏ ।  ସେ ଗରିବ ପିଲାର ପରୀକ୍ଷା ଫୀ ହେଉ କି ରାସ୍ତା ସଫା କାମ ହେଉ । ସବୁଥିରେ ସେ ଆଗୁଆ, ତା କଥାରେ ଆପେ ଆପେ କାମ କରିଦିଅନ୍ତି ସବୁ । କେଇ ପଦ ମିଠା କଥା, ମାର୍ଜିତ ବ୍ୟବହାର ଆଉ ସ୍ନେହରେ ବାନ୍ଧି ରଖିଛି ସମସ୍ତଙ୍କୁ । ତା ବିନମ୍ର ସ୍ଵଭାଵ ପାଇଁ ଶିକ୍ଷକ ମହଲରେ ଖୁବ ପରିଚିତ ।

ତଥାପି ଏଥର କୁଆଡେ ଜୋରଦାର ହେବ ମୁକାବିଲା । ଆଜି "ହ୍ଵାଇ ଆଇ ଷ୍ଟାଣ୍ଡ ଫର " ମିଟିଙ୍ଗ । ସବୁ ପ୍ରାର୍ଥୀ ନିଜ ନିଜ ଭାଷଣ ସାରିଲେଣି । ଶେଷର ଗଲା ଶ୍ରଦ୍ଧା । ମଞ୍ଚରେ ତା ନାଁ ଘୋଷଣା ହେଲା । ଧଳା ଚୁଡ଼ିଦାର ସାଙ୍ଗକୁ, ହାତରେ ମୟୁର ଚନ୍ଦ୍ରିକା ଥିବା ଡାଏରି ଟେ ଧରି । ନା ଘୋଷଣା ହେବା ଠୁ ମଞ୍ଚରେ ଚଢିବା ଯାଏ, ତାଳିର ବର୍ଷା । ତାଳିରେ ପ୍ରକମ୍ପିତ ହେଲା ପୁରା କଲେଜ କ୍ୟାମ୍ପସ । ଏତେ ଜୋରେ ସେ ତାଳି ଯେ ତାକୁ କିଛି ପଡ଼ିଲାନି । ସେ ଖାଲି ହାତ ଯୋଡି ମଞ୍ଚରେ ଠିଆ ହୋଇ ହସୁଥିଲା, ଆଉ ତା ହସରୁ ଝରି ପଡୁଥିଲା ବିନ୍ଦୁ ବିନ୍ଦୁ କୃତଜ୍ଞତା ଓ ଅନୁରୁକ୍ତି ।


।୩।

ଏତେ କଲ କଲିଣି ତାକୁ, ଶୁଣା ଯାଉନି ନା କଣ । ବିରକ୍ତିରେ ସିଢି ଘର କାନ୍ଥକୁ ଗୋଇଠାଟେ ମାରିଲା ସରୋଜ । କଣ କରୁଛି କେଜାଣି, କହିଥିଲା ଛାତକୁ ଆସିବ ବୋଲି ୧୧ଟା ରେ ଆସିକି ସାଢ଼େ ବାର ଟା ବାଜିଲାଣି, ତାର ଦେଖା ନାହିଁ । ଆଉ ଏଇ ଯୋଉ ଖରା, ଦେହ କଣ ହେଇ ଯାଉଛି । ପାଞ୍ଚ ମିନିଟ ହେବା ବି କଷ୍ଟ । ଆଜି ଆସୁ ସିପ୍ରା ତାକୁ ଭଲକି ଦି ପଦ ଶୁଣେଇ ଦେବ । କେଜାଣି କେତେ ଦିନ ଏମିତି ଲୁଚିଲୁଚି ଦେଖା କରିବାକୁ ହେବ । ଚାକିରୀ ଖଣ୍ଡେ ନ ମିଳିବାକୁ, ଏପଟେ ଦୁନିଆର ଆକଟ । କେତେ କଷ୍ଟରେ ସେ ଆସିଛି, ସେ ହିଁ ଜାଣେ । ବୋଉକୁ କହିଛି, ମିଶ୍ର ମାଉସୀଙ୍କ ଅଣ୍ଟିନା ବୁଲି ଯାଇଛି ବୋଲି । ଆଣ୍ଟିନା କଣ ଦେଢ଼ ଘଣ୍ଟା ହେଲା ସଜାଡୁଛି ସେ । ପ୍ରେମ କଲେ ଏମିତି କେତେ ମିଛ କହିବାକୁ ପଡେ । ଦୁନିଆ ନଜରରୁ ନିଜ ପ୍ରେମକୁ ବଞ୍ଚେଇବାକୁ । କାନ୍ଥକୁ ଆଉଜି ସିଗାରେଟଟେ ଲଗେଇଲା ସେ । ନିଜ ପ୍ରେମ ଉପରେ ବେଳେବେଳେ ସନ୍ଦେହ କରେ ସେ ।

ଆସିଲା ସିପ୍ରା, ସମୟ ଦେଖିଲା ସରୋଜ, ଗୋଟେ ଦଶ । ଆଖି ତାର କାନ୍ଦ କାନ୍ଦ ।  ବିଚାରି ଯେବେ ଠୁ ଭଲପାଇଛି ଖାଲି କାନ୍ଦୁଛି । କେବେ ବାପା ଭାଇଙ୍କ ଗାଳି, କେବେ ସରୋଜର ଅଭିମାନ । ଅନେକ ବାହାନା କରି ବହାରିବାକୁ ହୁଏ ତାକୁ । ସରୋଜକୁ ଏତେ କଥା ସେ ଜଣାଏନି । ସାବତମା ତାକୁ ଗୋଡେ ଗୋଡେ ଜଗିଛି । ବାପା କହୁଛନ୍ତି ଏଇ ମଗୁସୁର କୁ ବାହା କରେଇ ଦେବେ । ସେ ଏ ଯାଏ କିଛି କହିନି ଘରେ, କେମିତି ବା କହିବ । ସରୋଜ ଯେ ବେକାର! ସରୋଜ କହିବାକୁ ଚାହୁଁଥିଲା ଅନେକ କିଛି, ହେଲେ ତା ନିରୀହ ଆଖି ଦି ଟା ପାଖେ ଏମିତି ଅଟକି ଗଲା । ତା ଢଳଢଳ ଆଖି ପାଖେ ସବୁ ରାଗ ଅଭିମାନ ବାଷ୍ପ ହୋଇ ଉଡ଼ିଗଲା । ତା ହାତରେ ହାତ ଛନ୍ଦି ଟାଣି ନେଲା, ସିଢି ଘର ପଛକୁ । ଆଖିରୁ ଲୁହ ପୋଛି ଗାଲ ରେ ଅଙ୍କିଦେଲା ଚୁମା ଟିଏ । ଆଖି ବନ୍ଦ ହେଇଗଲା ସିପ୍ରାର । ଏତିକି ବେଳେ ମା ତାର ଚିତ୍କାର କଲା, ଆଲୋ ପୋଡାମୁହିଁ କୁଆଡେ ଗଲୁ? ମଲୁଣି ନା ବଞ୍ଚିଛୁ? ଚମକି ପଡିଲା ସେ, ଧାଇଁଗଲା ସେ ଟକମକ ତତଲା ଛାତରେ । ସରୋଜ ଦେଖିଲା ସେ ଖାଲି ପାଦରେ ଆସିଥିଲା ଏଇ ଉଦୁଉଦିଆ ଖରା ବେଳଟାରେ, କେବଳ ତା ପାଇଁ ।


। ୪ ।

ସେଦିନ ଶ୍ରୀମତୀ କହିଲେ ,"ଶୁଣୁଛ, ଆଜି ଅଫିସରୁ ଜଲଦି ଆସିବ । ଆମେ ଯିବା ଅମୃତମୟୀଙ୍କ ଆଶ୍ରମ । ମୁଁ ଶୁଣିଛି ସେ କୁଆଡେ, ଖୁବ ସୁନ୍ଦର ପ୍ରବଚନ ଦିଅନ୍ତି । ତାଙ୍କ କଥା କୁଆଡେ ହୃଦୟକୁ ଛୁଇଁ ଯାଏ । ଆମ ପଡିଶା ଘର ଲିଲି ଅପା କହୁଥିଲେ । " "ମୁଁ କହିଲି ତମେ ସେଠିକି ଯାଇ କଣ କରିବ? ତମ ପ୍ରବଚନ କୋଉ କମ କି! ସିଧା ହୃଦୟରେ ଗଳି , ଦି ଖଣ୍ଡ କରି ଚିରି ଦିଏ । " ଶ୍ରୀମତୀ, ଆଖି ଦେଖେଇ କହିଲେ, "ଯେତିକି କହିଲି ସେତିକି କର, ନହେଲେ ଆଜି ରାତିର ଖାଇବା ବନ୍ଦ । ଆଉ ସକାଳୁ ଚାକରାଣୀ ଆସିବନି, ବାସନ ମାଜିବ । " ମୁଁ ନିରୁପାୟ । ରାଜି ହେଲି । ସୁଖୀ ଜୀବନର ସ୍ୱପ୍ନ ଦେଖି କେଜାଣି କୋଉ ଅଶୁଭ ମୁହୂର୍ତ୍ତରେ ଏମିତି ଲୋକର ହାତ ଧରିଲି ଯେ, ଜୀବନଟା ଦୁର୍ବିସହ ହେଇ ଗଲାଣି । ଅଫିସରୁ ଆସି ଟିକେ ବିଶ୍ରାମ ନେବି କଣ , ୟାଙ୍କୁ ନେଇ ଯିବି ଆଶ୍ରମ ।

ଅଫିସରୁ ଫେରି ନେଇ ଗଲି ଆଶ୍ରମକୁ । ସହର ଶେଷରେ ଥିବା ଗୋଟେ ଗ୍ରାମ୍ୟ ଅଞ୍ଚଳକୁ । ଖୁବ ଶାନ୍ତ ସେ ପରିବେଶ । ସବୁ କିଛି ମୁକ୍ତ ଏଠି । ଗଛଲତା, ପଶୁପକ୍ଷୀ । ମୁକ୍ତ ଆକାଶ, ମୁକ୍ତ ପବନ । ମୁକ୍ତିର ରାସ୍ତା ଦେଖାଉଥିବା ତପସ୍ୱିନୀ ଟିଏ । ଆମେ ଗଲା ବେଳକୁ ପ୍ରବଚନ ଆରମ୍ଭ ହୋଇ ସାରିଥାଏ । ଶ୍ରୀମତୀ ଚପଲ ଖୋଲି ଭିତରକୁ ଗଲେ । ମୋତେ ଯିବାକୁ ଜମା ଇଛା ନଥିଲା । ସେ ହାତ ଧରି ଟାଣିନେଲେ । ନିହାତି ସାଧାରଣ ଭାବେ ଚକା ପକେଇ ବସି ଥାନ୍ତି ଦେବୀ । ପ୍ରଣାମ କଲୁ ଆମେ ଦି ଜଣ । ମୁଁ ମୁଣ୍ଡ ଉଠେଇ ଦେଖି ଚମକି ପଡିଲି । ଆରେ, ଇଏ ତ ଜାଇ । ମୋ ଜାଇ । ଯାହାକୁ ଦିନେ ମୁଁ ଜୀବନ ଠୁ ବି ଅଧିକା ଭଲ ପାଉଥିଲି । ତା ଆଖିରେ ମୋ ଆଖି ମିଶିଲା । ଚିହ୍ନି ପାରିଲା ମୋତେ । ମୋତେ ଖୁବ ଅସ୍ବସ୍ତି ଲାଗୁଥିଲା, ମୁଁ ଯାଇ ପଛ ଧାଡିରେ ବସିଲି । ଶ୍ରୀମତୀ ଆଗରେ । ଖୋଲିଗଲା ଅତୀତର ନିବୁଜ କୋଠରୀ । ଯାହାର ଚାବି ମୁଁ ନିଜେ ହଜେଇ ସାରିଛି । ଆମ ଗାଁର ଝିଅ ଜାଇ, ଖୁବ ଭଲ ପାଏ ମୋତେ । ଖୁବ ଅଲିଅଳି ରେ ବଢିଛି । ଆମ ଘରେ ସମସ୍ତେ ରାଜି ଥିଲେ । ମୁଁ ବି । ସହରକୁ ଆସି ମୁଁ ପ୍ରିୟଙ୍କାଙ୍କୁ ପାଇଗଲି । ଗାଁର ସେଇ ଗାଉଁଲି ଜାଇ କଥା , କେମିତି କେଜାଣି ଭୁଲି ଗଲି, ଏଇ ସହରୀ ଜୀବନ ମାୟାରେ । ତାପରେ ଆଉ ପଛକୁ ଦେଖିନି । ସୁଖର ସଉଦା କରୁ କରୁ ସମୟ ପାଇନି ଆଉ ତା କଥା ଭାବିବାକୁ । ପ୍ରବଚନ ଭିତରେ ଅନେକ ଥର ମତେ ଦେଖିଛି ସେ । କେମିତି ଗୋଟେ ଅପରାଧ ବୋଧ ହେଉଥିଲା ମନ ଭିତରଟା । ଜାଇ ତେବେ ବାହା ହେଲାନି, ମୋ ପାଇଁ ।  ସବୁ ଛାଡି ଯୋଗୀ ଟିଏ ହୋଇଗଲା । କଥା ଶେଷରେ ଜାଇ କହିଲା, ରାଧାମାଧବଙ୍କ ପ୍ରସାଦ ପାଇ ଯିବେ । ପୁଣି ଚମକି ପଡିଲି ମୁଁ ଆରେ ମୋ ନାଁ ତ ସେୟା । ରାଧାମାଧବ ଦାସ । ପ୍ରସାଦ ପାଇଲି, ଖୁବ ନିଜର ନିଜର ବାସୁଥିଲା ତାଙ୍କ ଘର ପୁନେଇଁ କ୍ଷୀରି ପରି । ଆଉ ଦେଖୁଥିଲି ଦୀପ ଟିଏ ଦିକଦିକ ହେଇ ଜଳୁଥିଲା ରାଧାମୋହନ ଙ୍କ ଆଗରେ, ଖୁବ ଉଜ୍ଜ୍ୱଳ ଦିଶୁଥିଲା ତାର ମୁହଁ ତ୍ୟାଗରେ ,ସମର୍ପଣରେ ।


। ୫ ।

ଏଥର ଖରସ୍ରୋତା ଉପରେ ମୁଣ୍ଡରେ ଭଲ ବର୍ଷା ହୋଇଛି । ପ୍ରୀତିପୁର ଘାଟ ପାଖେ, ନଦୀ ଦୁଇ କୁଳ ଖାଉଛି । ତିନି ଦିନ ହେଲା ମେଘ ଛାଡ଼ୁନି । ଲୋକେ ହନ୍ତସନ୍ତ । ଏତିକି ବେଳେ ବୋଉକୁ ଛେଳି ପାଇଁ ଡାଳ ଆଣିବାକୁ କହି ଜଙ୍ଗଲ ଆଡେ ଚାଲିଲା ମାନି । ସେମିତି ଝଡି ମେଘରେ । ମଇନା ପିଣ୍ଡା ଉପରେ ମୁଣ୍ଡ କୁଣ୍ଡଉଥିଲା । ମାନି କି ଦେଖି ପଚାରିଲା," କି ଲୋ! ଏତେ ମେଘରେ କୁଆଡେ ଯାଉଛୁ ତୁ?" " ମରିବାକୁ , ଯିବୁ? ଆସେ । " ମୁହଁ ଛିଞ୍ଚାଡି ଉତ୍ତର ଦେଲା ମାନି । ମଇନା ତା ପଛେ ପଛେ ଚାଲିଲା । ଜଙ୍ଗଲ ଡେଇଁ ସେମାନେ ନଦୀ ପାଖେ ପହଞ୍ଚିଲେ । ଗୋଟେ ବଡ଼ ପଥରକୁ ଆଉଜି ବସି ପଡ଼ିଲା ମାନି । ତା ପାଖେ ମଇନା । ମଇନା ପଚାରିଲା, 

- ଏବେ କହ, କାହିଁକି ମୁହଁଟା ଏମିତି ଧାନଉଁଶା ହାଣ୍ଡି ପରିକା କରିଛୁ । "

- "ତୁ କଣ କିଛି ଜାଣିନୁ?" 

- "ଆଲୋ କହିଲେ ସିନା ଜାଣିବି ।  

ମାନି କହିଲା, "ସେ କହିଥିଲା କାଲି ଆସିବ ବୋଲି, ଏଯାଏ ଆସିଲାନି ।  

-" କିଏ ମଦନା ଭାଇ? 

- ହଁ ସେଇ ତୋ ମଦନା ଭାଇ । କଥାରେ ଗୋଟେ ଠିକ ନାହିଁ । ମିଳି ଯାଇଥିବ ଗୋଟେ ନାଗରୀ ତାକୁ । ସେଇୟାକୁ ଧରି କହ୍ନେଇ ସାଜିଥିବ ।

- ଆଲୋ , ନା ମେଘ ଏତେ ଜୋରରେ, ବସ ଚାଲୁନି । କେମିତି ଆସିବ କହୁନୁ । ନହେଲେ ସେ କଣ ତୋତେ ଛାଡ଼ି ଦଣ୍ଡେ ରହିପାରେ ।

- ଆହା ଲୋ! ସରାଗ ବୋହି ପଡୁଛି ତା ପାଇଁ ନୁହେଁ । ସତ କହ, ତୁ ଆଖି ପକେଇନୁ ତା ଉପରେ? 

- ଆରେ ନାଇଁ, ତା ପ୍ରେମ ମୋ ଭାଗ୍ୟରେ କାହିଁ । ସେ ତ ଖାଲି ମାନି ମାନି ହେଉ ଥାଏ ।  

- ହଁ, ତୁ ଆଉ କହନା, ଆସିବାର ଥିଲେ ସେ ଯେମିତି ହେଲେ ଆସି ସରନ୍ତାଣି ।

- କିଛି କାମ ରହି ଯାଇଥିବ ବୋଧେ । ତୁ ଚାଲ, ମେଘ ଜୋରେ ହେଲାଣି ଘରକୁ ଯିବା ।  ଆରିସା ପିଠା ଆଉ ଆଚାର ରଖିଛି ତୋ ପାଇଁ । ବୋଉ ବି ତେଣେ ଖୋଜୁଥିବ ।

- ନାଇଁ , ମୁଁ ଯିବିନି । ଏଇଠି ବସିଥିବି । ଦେଖିବି କେମିତି ସେ ଆସିବନି ।

- ଅଜବ ଜିଦ ତୋର । ଘରେ ରହି ଅପେକ୍ଷା କଲେ ହେବନି । ଏଇଠି କଲେ ହେବ ।  

- ମୁଁ ତ କହିଲି ମୁଁ ଯିବିନି । ତୋତେ କଣ ଶୁଭୁନି । ମେଘ ହଉ, ବନ୍ୟା ହେଉ ମୁଁ ଏଇଠି ବସିଥିବି ସେ ଆସିଲା ଯାଏ । ତୁ ଯା ପଳା ଏଠୁ । " ଚିଡି ଯାଇ ଉତ୍ତର ଦେଲେ ମାନି ।

ପୂରାପୂରି ଓଦା ହେଇ ସାରିଥିଲେ ଦୁହେଁ । ମଇନା କହିଲା, "ଚାଲ ଆମ ଘରେ ଥିବୁ, ମଦନା ଭାଇ ଅସିଲେ ମୁଁ ଡାକି ଆଣିବି ତୋ ପାଖକୁ, ଏଠି ଏମିତି ଭିଜିଲେ ଜର ହେବ । ଜରରେ ପଡିଲେ ମଦନା ଭାଇକୁ କେମିତି ଦେଖିବୁ ଯେ?"

- ନାଇଁ ମୋର କିଛି ହେବନି । ମୋ ମନ କହୁଛି ସେ ଆସୁଛି, ତା ମାନି କୁ ଖୋଜି ଖୋଜି । ତା ବିନା ଗୋଟେ ମୁହୂର୍ତ୍ତ ମୋ ପାଇଁ ଗୋଟେ ବର୍ଷ ପରି ଲାଗେ । କେଜାଣି କେମିତି ଦିଶୁଥିବ ସେ । ଗଲା ବେଳେ ଦେହ ଭଲ ନଥିଲା । ଥଣ୍ଡାରେ କାଶ ହେଉଥିଲା ତାର । ସହରରୁ ଔଷଧ ଖାଇଲା କି ନାଇଁ ? ଗଲା ବେଳେ ମୋ ଗୋଡ଼ରୁ ପଟେ ପାଉଁଜି ନେଇ ଯାଇଛି । ମୋ କଥା ମନେ ପଡିଲେ ତା ସାଙ୍ଗେ କଥା ହେବ ବୋଲି ।  ଆଜି ଆସିବ ସେ ଯେମିତି ହେଲେ ବି ।

ପଛପଟୁ କାହା ଥଣ୍ଡା ହାତ ପାପୁଲି ଟେ ଆସି ଆଖି ବନ୍ଦ କରିଦେଲା ତାର । ହାତ କୁ ଛୁଇଁ ସେ ବୁଝିଗଲା ଏ ତା ମଦନା ଭାଇର ହାତ । ବୁଲି ପଡି ଖୁସିରେ ନାଚି ଉଠିଲା ସେ । ଜୋରେ କହିଲା, ଦେଖିଲୁ ମଇନା କଣ କହିଥିଲି ସେ ଆସିବ । ଆସିଲା ନା ନାଇଁ । ?? ଖୁସିରେ କୁଣ୍ଢେଇ ପକେଇଲା ତାକୁ ।  

ମଦନା ଦେଖୁଥିଲା ତା ଖୁସି । ଲୁହ ସବୁ ବୋଲ ମାନିବା ସ୍ଥିତିରେ ନଥିଲେ । ସଂଜ୍ଞା ଥିଲା ଭିନ୍ନ, କାହା ଆଖିରେ ମିଲନର, କାହା ଆଖିରେ ଅଭିମାନର । ଆଉ କାହା ଆଖିରେ ଖୁସିର । ମଇନା ବିଦାୟ ନେଲା ସେ ଜାଗାରୁ । ମେଘ ଛାଡି ଯାଇଥିଲା ।  ଅଭିମାନିନୀ ରାଧିକାଙ୍କ ମାନଭଞ୍ଜନ କୃଷ୍ଣ ଯେ ଆସି ଯାଇଥିଲେ । ଦୂରରୁ ଶୁଭୁଥିଲା , ଯା.. ମୁଁ ତୋ ସାଙ୍ଗେ ଜମା କଥା ହେବିନି । ମୁଁ କିଏ ତୋର ଯେ?



Rate this content
Log in

Similar oriya story from Romance