Exclusive FREE session on RIG VEDA for you, Register now!
Exclusive FREE session on RIG VEDA for you, Register now!

Lopamudra Parida

Drama Action Inspirational


4.5  

Lopamudra Parida

Drama Action Inspirational


ପୁନର୍ଜନ୍ମ

ପୁନର୍ଜନ୍ମ

8 mins 238 8 mins 238


ସମୟର ସିନା ଚକ ,ପକ୍ଷ ସବୁ ଅଛି କିନ୍ତୁ ତାରି ଛାଇରୁ ବି ଫେରିପାରେ ଅତୀତ କେତେ ରୂପ ନେଇ ।ମନ ସିନା ଅଜଣା କାରଣେ ପାଶୋରିପାରେ ସବୁ ,ହେଲେ ଆତ୍ମା? ସିଏ କି ଭୁଲେ ?ଯେତେଥର ପାଉ ପୁନର୍ଜନ୍ମ ।


ପୁନର୍ଜନ୍ମ କଣ ଖାଲି ଦେହ ଛାଡି ଦେହ ଧରିଲେ ହୁଏ କି ? ନା ।ହୋଇପାରେ ଏଇ ଜନ୍ମେ ଅନେକ ପ୍ରକାରେ ।ପ୍ରତିଟି ଗତି ,ପ୍ରତିଟି ପରିବର୍ତ୍ତନ, ପ୍ରତିଟି ସୁଯୋଗ ସବୁ ତ ଥରେ ଥରେ ମିଳିଥିବା ନୂଆ ଜନ୍ମ ର ଆଶିଷ ହି ।


ବୋଧେ ସେଦିନର ହଇଚଇ ପାଣି ଫୋଟକା ପରି ପାଣି ଫଟେଇ ଦେଇଥିବ ସାହିଯାତର ହଟଚମଟ । କାଳେ ମୋ ବାପା ତାଙ୍କ ଚାଷ, ବିଲ, ସଉକ, ବୋଉ ସମସ୍ତଙ୍କୁ ପଛରେ ପକେଇ ମୁଣିରେ ମୋ ଫଟୋଟିଏ ଧରି ଗାଁ ଗାଁ ସହର ସହର ଗଳି ଗଳି ଫେରିବାଲା ସାଜିଥିବେ।କାଳିଆଠି ଭରସା ରଖି ପାଦତଳ ଚମ ଶୁଖିଯାଇଥିବ, ଫାଟି ରକତ ବହି ମାଟି ଲାଲି ଦିଶିଥିବ ।


ବିଶ୍ବାସେ ତ ହରି ମିଳିଯାନ୍ତି, ମୁଁ ବା କି ଚିଜ !


ମୁଁ ସିନା କେଉଁ ଜନ୍ମ ପାଉଣା ବାକିଆ ସାରିବାକୁ କେଉଁ ଅଜଣା ଦଉଡିରେ ଭିଡି ହେଇ ଆସିଥିଲି ଏଠିକି , ହେଲେ ସିଏ ? ସିଏ ଖୋଜି ଖୋଜି ବିଶ୍ବାସ କୁ ମୁଠେଇ ଆସି ପହଞ୍ଚିଗଲେ ଠିକ୍ ସେଇଠି ଯୋଉଠି ଦିନେ ମୁଁ ଅଚେତା ଥିଲି ।ସେଇ ମାଟି, ସେଇ ବୃଷଭ ର ଦୁଆରେ ।ସେଇ କୂଅ ମୂଳେ ।


ଭଲପାଇବା, ସ୍ନେହ, ଶ୍ରଦ୍ଧା କୁଆଡେ ମିଳାଏନି, କୋଳି ଖାଇ ମଞ୍ଜି ପୋତେ ।ଚେର ମେଲାଏ ।ଛାଇ ଦିଏ ।


ଏତେ ବର୍ଷ ପରେ ପୁଣି ଗାଁ ରେ କିଏ ଅଜଣା ମଣିଷ ଟିଏ ବେହୋସିଆ କଂକାଳ ପରି ପଡିଛି ବୋଲି ଧାଡି ଲମ୍ବିଲା ।ସେଇ କୂଅର ଶୀତଳତା ତାଙ୍କ ଆଖିକୁ ବି ଚେତା ଫେରେଇଲା ।ସାଷ୍ଟାମ ହେଲା ଉତ୍ତାରେ ସେ ସଳଖି ବସିବାକୁ ଚେଷ୍ଟା କରି ଆଉଜି ପଡୁଥିଲେ ବାରବାର ମନ୍ଦିର କାନ୍ଥକୁ ।ପାରୁ ଉଠିଯାଇଥିଲା ଚମରୁ, ଖାଲି ଛାଞ୍ଚଟେ ଡେରିଥିଲା ଯେମିତି ଥକିହାରି ,ଶେଷ ଆଶାକୁ ଜାବୁଡି ।ହଜାରେ ଆଖି ତାଙ୍କୁ ପଶ୍ନ ସହ ଘେରିଥିଲେ, ତାଙ୍କ ଆଖି ହଳକ ଲୁହରେ ପେଜୁଆ ଦିଶୁଥିଲେ ।ଶ୍ବାସ ପେଲୁଥିଲା ଭିତରୁ ବାହାରିଯିବାକୁ ।


କାହାରିକୁ ତାଙ୍କର ନିଘା ନଥିଲା, ଏକାମୁହାଁ ହେଇ ସେ ପାଦ ଦିଟିକୁ ଏକ ରକମ ଟାଣି ଘୋଷାରି ହାମୁଡି ପଡିଲେ ।ଛଳଛଳେଇ କହିଲେ, 


_ ଆଉ କେତେ ପରିକ୍ଷା ନବୁରେ? ଆଉ କେତେ? ଏବେ ତ ଫେରେଇ ଦେ ମୋ କୁଳମଣି କୁ? ମୋ ସୁନନ୍ଦ କୁ ଲେଉଟି ପାଇବି ବୋଲି ଯୋଉ ଭରସା ତୋଠି ଯୋଡିଛି ସେତକ ଭାଙ୍ଗେନା ରେ ।ନହେଲେ କିଏ କାଇଁ ତତେ ଦିଅଁ କହିବ? ହାରିଗୁହାରି ବାଢିବ କହିଲୁ?ବାପ ହେଇଛୁ ପରା ଜଗତର, ଏ ବାପଟାର ଲୁହ ତତେ ବାଧୁନି?


ଉପସ୍ଥିତ ଜନତା ଭାବାବେଗରେ ବତୁରି ବୋହି ଯାଉଥିଲେ ।ମତେ କୋହ ଉଠେଇ ଆସୁଥିଲା ।ସମସ୍ତେ ଆହା ଆହା କହୁଥିଲେ ।ମୁଁ ପାଖକୁ ଯାଇ କାନ୍ଧ ଧରି ତୋଳି ଆଣିଲି ତାଙ୍କୁ ।ଘେନିଗଲି ମୋର ଏବେକାର ଘରକୁ ।ମୋ ଛୁଆଁ ବେଳଠୁ ସେ ମୋ ମୁହଁ କୁ ଅପଲକେ ଚାହିଁ ଥାନ୍ତି ।କେମିତି ବା ଭୁଲନ୍ତେ ସେଇ ଛାଞ୍ଚ କୁ ଯାହାକୁ ଅସ୍ଥି ମଜ୍ଜା ତାଙ୍କରି ଗଢିଛି ।


ସନ୍ତାନ ର କେତେ ଶକ୍ତି ଯେ ସେ ପାରିବ କୋମଳ ମମତାକୁ ବାରି ? ତଥାପି ରକ୍ତ ର ଆକର୍ଷଣ ତ । ଅଭୁଲା ସେ ସିହିରଣ ।


ଖାଦ୍ଯ ବ୍ଯବସ୍ଥା ପରେ ମୋ ଏବେର ବାପା ପଚାରିଲେ,


_ କିଏସେ ଆପଣ ?କୋଉଠୁ କେମିତି ଏଠି ଏ ଅବସ୍ଥା ରେ ?ଦେଖିଲେ ତ ଲାଗୁଛି ପୁରୀପଟ ଲୋକ ।କୋଉଆଡେ ଘର ?


ସେ କିନ୍ତୁ ଅପଲକେ ଚାହିଁଥାନ୍ତି ମତେ ।ପଚାରିଲେ, " ଏ ବାବୁ ଜଣଙ୍କ କିଏ ଆଜ୍ଞା ଆପଣଙ୍କର ?"

_ ଇଏ ମୋର ପୁଅ ବାସୁ ।

_ ବାସୁ ?

_ ହଁ ବାସୁ ? କିନ୍ତୁ .....ଆପଣ ?

_ କିନ୍ତୁ ମୁଁ ତ ୟା ନାଁ ସୁନନ୍ଦ ଦେଇଥିଲି ।ରାମନବମୀ ବାସୀ ୟାର ଜନ୍ମ ।

ଦିହିଁଙ୍କ " କିନ୍ତୁ " ଟେ ଭିତରେ କେତେ ଫରକ ଥିଲା ।


_ ଆଜି ବି ତ ରାମନବମୀ ପର ଦଶମୀ,ସେଇଦିନ ତ ମିଳିଥିଲା ।କି ସଂଯୋଗ ! ଠାକୁରେ ଅଛନ୍ତି ।ସତରେ ଅଛନ୍ତି ।ହେଲା କେବେ କାହା କୋଳ ଶୂନ୍ୟ କରି ଆଉ କାହା ଥାଳ ପୁରାନ୍ତି ପୁଣି କେବେ ଫେରେଇ ନିଅନ୍ତି ଅଚାନକେ ।ତାଙ୍କ ମାୟା ତାଙ୍କୁ ଆଗୋଚର ବନ୍ଧୁ, ସିଏ ଜାଣନ୍ତି ।ସେ ପାଉ ଆଜି ପୁଣି ପୁନର୍ଜନ୍ମ ।ଫେରୁ ତା' ଦେବକୀ କୋଳକୁ ବ୍ରଜଦାଣ୍ଡ ଶୂନ୍ୟ କରି ।" ଅସ୍ପଷ୍ଟ ଉକ୍ତିରେ କହିଲେ ଏବେର ବାପା ।


ସମସ୍ତେ ନିରୁତ୍ତର ଥିଲେ ଓ ଆଶ୍ଚର୍ଯ୍ୟ ମଧ୍ୟ ।ସବୁଠୁ ବେଶୀ ଚକିତ ଥିଲି ମୁଁ ।ସୁନନ୍ଦ, ସେ ପୁଣି କିଏ ? ମତେ ଚାହିଁ ଏମିତି କହିବାର ଅର୍ଥ ବୁଝିପାରୁନଥିଲି ଏ ଜାବତ୍ ।


ମୋର ଏବେକାର ବାପା ଗମ୍ଭୀର ଦିଶିଲେ ।ମୁହଁ ର ମାଂସପେଶୀ କଠିନ ଓ ରକ୍ତାଭ ଦିଶିଲା ।ସେ ହଠାତ ଉଠିଚାଲି ଗଲେ ଭିତର ଘରକୁ ।କିଛି ଖଡ୍ ଖାଡ୍ ଶବ୍ଦ ଆସୁଥାଏ ଭିତରୁ ,କିଛି ପୁରୁଣା ଟ୍ରଙ୍କ ଖୋଲିଲା ଓ ଖୋଜିଲା ପରି ଶବ୍ଦ ।ବାହାରେ ସମସ୍ତେ ମୂର୍ତ୍ତିବତ୍ତ ।


ହାତରେ ଧରି ଫେରିଲେ କାଗଜର ଖୋଳଟିଏ ।ଗୁପ୍ତଧନ ପରି ଲୁଚେଇଥିଲେ ।ଆଜି ଯାଏ ମୁଁ ବି ତାର ଟେର୍ ପାଇନଥିଲି ।

ତାଙ୍କ ପାଖକୁ ନଇଁ ପଡି ଦେଖେଇଲେ ......କିଛି ସେଇ ଖୋଳରୁ କାଢି, ଯେମିତି ନିଜ କୋଳରୁ କାଢି ଦେଲା ପରି ଚେହେରା ପ୍ରତୀୟମାନ ହୋଇଥାଏ ।


_ ଦେଖିଲେ ? ୟାକୁ ଚିହ୍ନନ୍ତି ? ଏଇ କି ? ଯାହାକୁ ଖୋଜି ..

.

.


ହାତକୁ ସେ କାଗଜ ଖଣ୍ଡିକ ଯାଉ ଯାଉ ସେ ଫିଟିପଡିଲେ ସଦ୍ଯ ଛିଣ୍ଡି ପଡିଥିବା ଢିଲା ଗଣ୍ଠିଦିଆ ଫୁଲଗଜରା ମାଳଟି ପରି ଲୁହ ,କୋହ ଆଉ ଉକୁଟି ଉଠୁଥିବା ପ୍ରଶାନ୍ତି ସବୁକୁ କଢି କରି ।ବିଖରି ବିଖରି ଖେଳେଇଗଲେ ଯେମିତି ।ଧରି ପକେଇଲେ ଦିହେଁ ଦିହିଁଙ୍କ ହାତମୁଠାକୁ ଜଡେଇ ।କାନ୍ଦୁଥିଲେ ଚାରିଆଖି ମିଶି ।ଜଣଙ୍କ ଆଖିରେ ପ୍ରାପ୍ତି ଆଉ ଆର ଜଣଙ୍କ ଆଖିରେ ..... କହିନହେବା ପରି ବ୍ଯଥା ।


ମତେ ପୁଣି ଅଚେତ ହବା ପରି ଲାଗୁଥିଲା ।ଭଉଁରୀ ଚକ୍ରିରେ ଚେକା କାଟି କାଟି କଚାଡି ହୋଇପଡୁଥିଲି ଯେମିତି ।ମନେ ପଡୁଥିଲା ଅନେକ କିଛି ଝାପ୍ସା .




ସେଦିନ

ରାତି ତିନି ଘଡି ।


ହାତରେ ମଲ୍ଲୀ କଢ ଗୁଡେଇ ବେକରେ ଦି' ସୋରା ମଲ୍ଲୀ ମାଳ ଲମ୍ବେଇ ଲମ୍ବ ଲମ୍ବ ପାହୁଣ୍ଡ ବଢେଇ ଚାଲିଥାଉ ଆମେ ତିନିହେଁ ।ଜୁଆନ ପିଲା । ବୟସ ସିନା ଏଇ ପନ୍ଦର ଛୁଇଁଲା, ଚେହେରା କିନ୍ତୁ ଛାଣ୍ଟ। ବାଘକୁ ଭୟ ନା ଫାଗକୁ ।ଛାଇକୁ ଛ'ନାତ ମାରି ନବଖଣ୍ଡ କରିଦେବାର ଭୁଜବଳ ଯାହାକୁଯେତେ ।ତାଦେହେରେ ପୁଣି ନେଳିପାଣିର ବଳ ମିଶା ।ବିଜୁ, ଶମ୍ଭୁ ଆଉ ମୁଁ "ସୁନନ୍ଦ" ।ବିଜୁ ଆରମ୍ଭ କଲା ଟେଳେ ଟଳମଳରେ ..... ।


ଆମର ଇଆଡେ ରାତିଆ ସବୁ ପହର ପହର କି ଦିଅଁ, ଦେବତା,ଗୋସାଣୀ, ଦେବୀ,ଚାମୁଣ୍ଡା, ସବୁ ଶ୍ରୀମନ୍ଦିର କୁ ବିଜେ କରନ୍ତି ଉତ୍ତର କବାଟ ଜଳାକଣା ଦେଇ ।ରାତିରେ ସେ କବାଟ ଠି ଯୋଡାକ ହାତୀବି କାଳେ ଜୀବନ୍ତ ହେଇ ଶୁଣ୍ଢ ଟେକନ୍ତି ।ବିଭିଷଣ ଶୁଦ୍ଧା ଲଙ୍କାପ୍ରଦେଶରୁ ଆସନ୍ତି ଟି ।କଣ ଭାବିଛ କି ? ଆଉ ଏମାନେ ସମସ୍ତେ ଆମ ସାହି ମାନଙ୍କରେ ଥିବା ବିରାଟ ବିରାଟ ବାମ୍ଫିକୂଅ କି ମେଲା ପୋଖରୀ ସବୁରେ ହାତ ପାଦ ପଖାଳି ଆସନ୍ତି ।ତମେ ଯଦି ମୁହାଁ ପଡିଲ ତ ଭେଟଣା ହେବା ସାର ।କେତେ ଲୋକ ଦେଖିଛନ୍ତି, କେତେ ପୁଣି ଭେଟିଛନ୍ତି ।ଏଡେ ବଡ ଲହଲହ ଜିଭ ଆଉ ତେଜରୁ କିଏ ବଞ୍ଚିଲାଣି ଆଗେ? ହେଲେ ଯାହାର ଭାଗ୍ୟ ତେଜେ ସିଏ ମୁକୁଳିବ ଜାଣି ।


ଗପୁଗପୁ ରାସ୍ତା କଟିଯିଏ ।ପଥଶ୍ରମ ବାଧେନି ।ଆଜି ଆମେ ଆମ ଗାଁ ଫୁଳତୋଟାଠିକି ଚାଲିକିରି ଯିବୁ ବୋଲି ଥୟ ହେଇଥାଏ ।ପୁରୀରେ ଆର ଦି' ସଙ୍ଗାତଙ୍କ ଘର ।ମେଳାମଉଛ୍ଛବ, ଯାନିଯାତରା କି ପୁଆଣିବାହା ରେ ଆମେ ତିନିହେଁ ଏକାଠି ।ଯୋଡିଯାଉଁଳି ଆମ ତିନିଟିକିଆ ହଳକୁ ଲୋକେ ଇର୍ଷା କରନ୍ତି ଆଉ ହଅ ଅଅ "ଖିଆଖଟିପାଟି , ପାଳକ ପଡିଛି, ଆର ଜନମୁ ଘଣି " ଆଦି ଥଟ୍ଟା ରେ ପୋତିପକାନ୍ତି ।ହେଲେ ଆମଠି ଭରସା ।ମଉଜିଆ ସିନା, ପୁରିଆ ପରା ।ଦିଲ୍ଦାର ।ଖୋଲା ମନ ,ଖୋଲା ହାତ ।ତମର ଦରକାର ବେଳେ ପୁରା ଅନେଷ୍ଟଲି ଆମେ ତମର ।


ମରିଗଲେ ପାଣି ପତର ପାଇବୁ, ମଉଜ ପାଇବୁ କାହିଁ ? 


ରାମନବମୀ ବେଳେ ବାସନ୍ତୀ ଦୁର୍ଗା ପୂଜା ସମୟକୁ ପୁରୀର କୁଣ୍ଢେଇବେଣ୍ଟ ସାହି,ହରଚଣ୍ଡୀସାହି,ବାଲିସାହି, ଗୌଡବାଡସାହି ଆଉ ଏମିତି ଏମିତି ସାତ ସାହି ମାନଙ୍କରୁ ସବୁ ଦୁର୍ଗାମେଢ, ନାଗା, ଈଶ୍ବର ପାର୍ବତୀ, ରାମ,ଲକ୍ଷଣ, ଜାନକୀ, ବଗବଗୁଲୀ, ରାବଣ, କୁମ୍ଭକର୍ଣ୍ଣ ସଜ ଭେଶ ବେଶ୍ ଜମାଣିଆ ।ଢାନ୍ଡଲାକ ଢାନ୍ଡଲାକ ଢୋଲ ଶବ୍ଦ ରେ ଠାଣୀ ସହ ପାଦ ଆପେ ଉଠେ ।ଛାତ ଛାତ ଦାଣ୍ଡ ଦାଣ୍ଡ ରେ ଲୋକ ଜମିଥାନ୍ତି ।ଚମକି ପଡିବ ଆଗେ ପାଣିକଲିଜା ଲୋକ ରାବଣର ବହଳେ କଳା ଦଉଡିଆ ନିଶ ଆଉ ଗୁରୁଗର୍ଜନ ବାଣୀରେ ତମ ପଟକୁ ଝୁଙ୍କିମାଡି ଆସିବା ଭଙ୍ଗୀରେ ..... ହାଲ୍ହା କରି କହୁଥିବ, 


ଭାଇରେ କୁମ୍ଭକର୍ଣ୍ଣ 

ପୁତ୍ରରେ ମେଘନାଦ 

ହା ' ବତ୍ସ, ହା' ବତ୍ସ ।।


ବିରାଟହାତ ପାପୁଲିରେ ପିଟୁଥିବ ଛାତି ,ଭାଙ୍ଗିଦେଇଥିବେ ବୋଲି ଲବଣପିତୁଳୀ ସମ କୋମଳ ରଘୁବୀର ତାର ଦର୍ପଧାରୀ ବିରାଟଦୃଶ୍ଯମାନ ଅହଂ କୁ ।କମ୍ପୁଥିବ ଦାଣ୍ଡ ।କାଳିଆ ଦାଣ୍ଡ ସବୁବେଳେ ପରିପୂର୍ଣ୍ଣ , ଶ୍ରୀ ସମ୍ପନ୍ନ ।


ରାମଙ୍କୁ ଯଦି ଆମେ ସାଧାରଣ ରାଜପୁତ୍ର ଟିଏ ଭାବେ ଦେଖିବା, ତେବେ ଶ୍ରୀରାମଚନ୍ଦ୍ର ଭଗବାନ ହେବା ପାଇଁ ସେ କେତେ କେତେ ତ୍ଯାଗ, ତପସ୍ୟା, କଷ୍ଟ, ମର୍ଯ୍ଯାଦା, ନିଜ ଛାତିରେ ପଥର ରଖି ନ ସହିଲେ ଆହାଃ ! ସେ ସବୁ କଣ ତାଙ୍କର ଗୋଟିଏ ଗୋଟିଏ ପୁନର୍ଜନ୍ମ ନୁହେଁ କି !ଭାବୁଥିଲି ମୁଁ ।


" କାଳିଆ ପାନଖିଆ, ପୁରିଆ ରସିକିଆ ।ଜାଣିଲୁ।

ବାପା ଆମର ହବିଷ କରନ୍ତି କାଷ୍ଠା, ମେଢ ବାନ୍ଧି ନାଗା ନାଚନ୍ତି ହିଞ୍ଜଳଜେଗା ତରଫରୁ ।ସେଇ ଲାଗି ଆମର ବି ଏଠି ଆରବା ଜୋର୍ । କହୁଥିଲା ଶମ୍ଭୁ ।


ଏମିତି ଅନୁଭୂତି ସବୁକୁ ଗପୁ ବାଣ୍ଟୁ ପାଖଉଥିଲା ଚନ୍ଦନପୁରୁ ।ରଘୁରାଜପୁରୁ ଗାଁ ଠଉ ଆଉ ଟିକେ ସେଣିକି ଆମ ଗାଁ ।ମନେପଡୁଥିଲା ବୋଉ ।କାଲି ଘରୁ ବାହାରିବା ବେଳେ ଚିଠାଟେ ଗୁଞିଥିଲା ଖଦି ପକେଟରେ ।ଆଲୁରି ଖୋସଣିକୁ ତାର ଫିଟେଇ ଗଣ୍ଠି କରୁ କରୁ କହୁଥିଲା, " ସକାଳୁ ସହଳ ଫେରିବୁ ସୁନ ।କାଆଲି ତୋର ଷଠିପୂଜା ଦିନ ।ତିଥି ନକ୍ଷତ୍ର ବାର " ।


ତମେ ମନେ ରଖିଥ କି ନ ରଖିଥ ବୋଉ ସରଗ ରେ ଥିଲେ ବି ମନେ ରଖିଥିବ ।ଦୂବଚାଉଳ ଗୋଟେଇଥିବ ।ମେଥିଘଷାରେ ଖଣ୍ଡ ହଳଦୀ ବାଟିଥିବ ।କଉଡି, ସାଲୁକନା ଯୋଗାଡିଥିବ ।କିଛି ନହେଲେ ବିରିଅରୁଆ ମୁଠେ ବତୁରେଇ ଶିଳେରେ ଚିକିଣେଇକି ବାଟି କଦଳୀ ପତରରେ ସାତ ଚକୁଳି ଚଉଦ ଚେଁ ଗୁଡନଡିଆ ପୁର ଦେଇ ବାଢିଥିବ ।ବୋଉ ପରା ,ଜନମ କଲା କଷ୍ଟ କି ପାଶୋରିବ? କଷ୍ଟ ରୁ ପାର ପାଇଥିବା ଦିନଟିକୁ ପାଳୁଥିବ ଆୟୁଷ ମାଗି ଷଠିଠୁ ଜବରଦସ୍ତ ମୋରି ପାଇଁ ଖାସ୍ ।ବୋଉ ଗୋଟେ ଅଲଗା ଗ୍ରହର ଜୀବ ।ଯୋଉଠି ସଂସାର ଖାଲି ନିଜ କଥା ଭାବେ ସେଇ ସଂସାର ରେ ଥାଇକି ବି ସିଏ ଖାଲି ତୁମ କଥା ଭାବେ ।


ଆଉ ପଡିଥାଏ ପ୍ରଥମ ବର୍ଷ କଲେଜର ପରିଚୟ ପତ୍ର ଟି ।କଲେଜର କାଗଜଟି ଭାରି ଉପକାରୀ ।ବସ,ଟ୍ରେନ୍, ଥାନା,ଇସ୍କୁଲୁ ସବୁଠି କାମ ଦିଏ ।ସେଥିରେ ଲାଗିଥାଏ ମୋର କଅଁଳିଆ ଛେଳି ପରି କଳାଧଳା ଧୋବଧଉଳିଆ ସାଟ ପିନ୍ଧା ଗଜୁରିଆ ଅଳପ ଚାଇନି ନିଶ ଥିବା ଫଟୋଟେ ।


ହଁ..... ଆମେ ଆମ ଛକଠି ହେଇଥାଉ ।ତଥାପି ଅନ୍ଧାର ଥାଏ ।ଗୋଟା ଗୋଟା ଦୋକାନ ସଟର ଟେକୁଥାନ୍ତି ,ଦାଣ୍ଡ ପଖାଳୁଥାନ୍ତି ।କାଁ ଭାଁ ଚାରିଚକିଆ ଟେ ସାଏଁ କି ଗଡି ଯାଉଥାଏ ।ବାଟରେ ରତ୍ନଚିରା ର ପ୍ରଶସ୍ତ ବାଲୁକା ଛାତି ।ହାତ ଅଙ୍କା କଳାଧଳା ସ୍କେଚ ପରି ରେଳଧାରଣା ଆଉ ତାର ପୋଲ ।କୁଆଁ ତାରା ଖସୁଥାଏ ।ଝପସା ଅନ୍ଧାର ଫିଟୁଥାଏ ।ଆମେ ତିନିହେଁ ନଈ ପେଟକୁ ଚାହିଁ ଥାଉ ।ଅଧାଜହ୍ନ ତଥାପି ମୁହଁ ଦେଖୁଥାଏ କାଚପରି ପାଣି ଆଇନାରେ ।ବିଜୁ ଆଉ ଶମ୍ଭୁ ଏ ଦୃଶ୍ୟରାଜିର ସୁନ୍ଦରତା ଭୋଗି ବିଭୋର ହେଉଥିବା ବେଳେ କେମିତି କେଜାଣି ମୁଁ ଭାରି ଅନ୍ଯମନସ୍କତାରେ ଛନ୍ଦି ହେଇପଡିଥାଏ ।ଯେମିତି ମତେ କୋଉଠି କିଏ ହାତଠାରି ଡାକୁଛି ।ଇଶାରା କରୁଛି ।କିଏ ପଠେଇଲା ପରି ପୋଲ ଉପରେ ରେଳଟିଏ ଆସି ଠିଆ ହେଲା ।କେଉଁ ରେଳ, ଯିବ କେଉଠିକି କିଛି ଭାବିବା ଆଗରୁ ମୋ ପାଦ ଡବାରେ ଚଢି ସାରିଥିଲେ ଆଉ ଚକ ଗଡି ସାରିଥିଲା ।ମତେ ଆକର୍ଷିତ କରୁଥିଲା କେଉଁ ଅଜଣା ଦୁର୍ବାର ଦଉଡି ନିଜେ ବି ବୁଝିପାରୁନଥାଏ ।ଶୂନ୍ୟ ଶୂନ୍ୟ ରେ ସବୁ ଭାସି ବୁଲିଲା ପରି ହଜିସାରିଥାଏ" ସୁନନ୍ଦ " ଆଜି ଠୁ ।ହୋଇପାରେ ମୋ ଦୁଇ ବନ୍ଧୁ ମତେ ପାଗଳା ପରି ଖୋଜିଥାଇ ପାରନ୍ତି ।ଆମ ଘରଠି ଖବର କରିଥାଇପାରନ୍ତି ।ନଈ କଡକଡ ସବୁ ଡିହ ବନ୍ଧ ବଣ ,ନଈ ପେଟ ତଳ ଫେଣ ଯାଏଁ ସବୁ ଅଣ୍ଡାଳିଲା ପରେ ବି ମୁଁ କି ମୋ ଚିହ୍ନ ଟେ ମିଳିନଥିବା ଦେଖି ମୋ ଘର ଯାକ ଲୋକେ ମୁଣ୍ଡ ପିଟୁଥାଇପାରନ୍ତି ।ଅବା ମୋ ବୋଉ .... ଷଠିକୁ ମୋ ଆୟୁଷ କୁ ତା' ବଳକା ଆୟୁଷରେ ମିଶେଇ ଦଶଗୁଣା ଦବାକୁ ଅଡି ବସିଥାଇପାରେ ସେଇ ପଥରମୁଣ୍ଡିଠି ।ହୋଇପାରେ ତା' ଆଖି ର ଲୁହ କଳାଧାର ହେଇ ତା' ଗାଲରେ ଶୁଖୁଥାଇପାରେ ।ନିର୍ଜଳା ପେଟକୁ ତାର ଦିନା ନଯାଇପାରେ ।ବହୁତ କିଛି ହୋଇପାରେ ।କିନ୍ତୁ ମତେ ଏ ସବୁରୁ କିଛି ଫରକ ପଡୁନଥିଲା ।ମୋ ଚକ ଗଡିସାରିଥିଲା ଗୋଟେ ଦିଗରେ ଯାହା ଅଜଣା ଥିଲେ ବି ଅଚିହ୍ନା ତ ନଥିବ ।ନହେଲେ ଟାଣନ୍ତା କାହିଁକି?


କାହିଁକି ଚଢିଲି,କଣ ପାଇଁ? କିଛି ଜାଣିନି ।ନିଦ ଘାରିଗଲା।ଅପୂର୍ବ ଶାନ୍ତି ଲାଗୁଥାଏ ।ବନ୍ଧନ ମୁକ୍ତ ।କିନ୍ତୁ ରହି ରହି ଚିଣ୍ କରି କଣ ଗୋଟେ ଦରଜ ଲେଉଟୁଥାଏ ବି ମଝିରେ ମଝିରେ ।କିଛି ସମୟ ଉତ୍ତରେ ସବୁ ପାଶୋରିଗଲି ।


ଆଖି ଫିଟିଲାରୁ ଦେଖିଲି ଛୋଟିଆ ଷ୍ଟେସନଟିଏ ।ଝାଡ, ବୁଦା ଘେରା ।ବଖୁରାଏ ଘର, ସିମେଣ୍ଟ ବେଞ୍ଚ ଟେ , ନଳକୂଅରୁ ଗୋଟିଏ ..... ସରିଲା ।ଆଉ ଦୂର ଦୂର ଯାଏ ଝାପ୍ସା ।ନିଦ ଛାଡିନଥାଏ ।ଓଲ୍ହେଇଗଲି ।ବେଞ୍ଚର ଧାରକୁ ଧରି ହାମୁଡି ପଡିଲି ।ମୁଣ୍ଡ ଝାଙ୍କିଦେଲା ।ସେତିକି ମନେ ଅଛି ।ତା' ପରେ କଣ ହେଲା ବୁଝାପଡିନି ।କେତେ ସମୟ ବିତିଛି କିଏ ଜାଣେ?କେତେ ଦଶନ୍ଧି କି କେତେ ପ୍ରହର?


କାହାର ସବୁ ପାଟିରେ ଆଖି ଖୋଲିଲି ।ଜାଲୁଜାଲୁଆ ମୁହଁ ରୁ ମେଞ୍ଚେ ଚାରିକଡେ ଘେରିଥିଲେ ।


_ କିଏ ତମେ ବାପା? କୋଉଠି ଘର? କା' ଘରୁକୁ ଯିବ ନା କଣ ? ହେ ନାକଠି ହାତ ମାରି ଦେଖରେ ଚାଲୁଛି ଟି ପବନ? ହ ହ ଆଖି ଖୋଲିଲାଣି ପରା ।ଦିଅ ଧର ,ମହାଦେବଙ୍କ ବେଢାଠିକି ନେଇଚାଲ ।


ସବୁ ଶୁଣୁଥିଲି ।ଉତ୍ତର ସ୍ପରୁନଥିଲା ।ହାନ୍ଦୋଳାରେ ବୁହା ହେଇ ଗଲାପରି ଭାସି ଝୁଲି ଗଲି ।


_ ଦେ ରେ କୂଅରୁ ମୁନ୍ଦା ଶୀତଳ ଜଳ ଆଣି ଛାଟ ।ଦେଖିବା କଣ କହୁଛି ? 


ପାଣିର ଶୀତଳ ସ୍ପର୍ଶ ଅମୃତ ସମ ବୋଧ ହେଲା ।କେବେ କେବେ ଏମିତି ଚେତା ଯୁକ୍ତ ଅଚେତ ପଣ ଟି ଦୁର୍ବୋଧ୍ଯ ହେଲେ ବି ଆବୋରି ବସେ କି କଣ ! 


ସେ ଯା' ହେଉ ।ମୁଁ ଧିରେ ଧିରେ ସେଠିକା ବାସିନ୍ଦା ହେଇଗଲି ।ନୂଆ ନାଆଁ ଟିଏରେ ପରିଚିତ ହେଲି " ବାସୁ " ,ବାସୁଆ ବଳଦ କୃପା ରୁ ।ଗାଁର ସରଳତମ ସାଧୁସମ ମୁରବୀଙ୍କ ପୁଅ ପାଲଟିଲି ।ଏ ଭିତରେ କେତେ ବର୍ଷ ବିତି ଯାଇଛି ଗଣିନି ।କାହାକୁ ମନ ଖୋଜିନି ।ଆରେଇନେଇଛି ନିର୍ଲିପ୍ତ ଭାବରେ ନୂଆ ସବୁକିଛିକୁ ।ଏ ଗାଁ ମୋର ଆପଣାର ,ଅତି ଆପଣାର ପାଲଟିଛି ।ଏଠି ବି ମୁଁ ସମସ୍ତଙ୍କର ଲୋଡା ପଡେ ସବୁ କଥାକୁ ।ମୋ ବିନା ଅଚଳ ଜାଣି ।ସବୁବେଳେ ଖାଲି ବାସୁ ,ବାସୁ ସମସ୍ତେ ।


ବୋଉ ର ପାଟି ଶୁଭୁଥିଲା, 


_ ଏ ସୁନ ଦିନ ଦି'ଘଡି ହେଲାଣି ।କେତେ ଶୋଇବୁ କିରେ? ଆଜି ବା ତୋ ଜନ୍ମ ଦିନ ।ଉଠୁ ସହଳ ଗାଧେଇ ଆ,ପିଢା ଟେ ପକେଇ ଚଉରାଠି ବସ ।ଦିଟା ଦୂବଚାଉଳ ବନ୍ଦେଇ ଦିଏ ।ତା'ପରକୁ ତା'ପର ମୋର କଣ କାମ କମ କିରେ? ଉଠିଲୁ ଚଞ୍ଚଳ ।


ମୁଁ କଡ ଲେଉଟଉ ଥିଲି ।



Rate this content
Log in

More oriya story from Lopamudra Parida

Similar oriya story from Drama