Nityananda Nandi

Abstract Others

4  

Nityananda Nandi

Abstract Others

ପୁଣି ଆଉଥରେ...

ପୁଣି ଆଉଥରେ...

5 mins
385



ନା, ତୁମେ ଏମିତି ଆସନି ଭିତରକୁ। ମୁଁ ତୁମକୁ ଘର ଭିତରକୁ ପାଛୋଟି ନେବି। ତମେ ଏଇଠି ଛିଡା ହେଇଥାଅ ! 


ବିଜୟ ବାବୁ ଥାଳିଟିଏ ଥୋଇ ଦେଲେ ଦ୍ଵାର ମୁହଁରେ। ନା ଘରେ ଅଗରବତୀ ଅଛି ନା ହଳଦୀ, ଅରୁଆ ଚାଉଳ। ଥାଳି ଉପରେ ପାଦ ରଖି ଘରକୁ ପଶିଲେ ଶୁଭ ହୁଏ ବୋଲି ସାମାଜିକ ଚଳଚ୍ଚିତ୍ର ଓ ଟିଭି ସିରିଏଲ୍ ରେ ଦେଖିଛନ୍ତି ବିଜୟ ବାବୁ।

ନିରଜା ପାଦ ରଖିଲେ ଥାଳି ଉପରେ। ଏରୁଣ୍ଡି ଡେଇଁ ଭିତରକୁ ପଶିଲେ, ଯେମିତି ନୂଆ ବୋହୂଟିଏ.. ବେଙ୍ଗ ବେଙ୍ଗୁଲି ର ଅଚାନକ ମିଳନ, ଆମ୍ବ ତୋଟାରୁ ଆରମ୍ଭ ହୋଇ ସହର ଆର ପାଖ ବାଉଁଶ ବୁଦା ପର୍ଯ୍ୟନ୍ତ ଇନ୍ଦ୍ରଧନୁର ତ୍ୱରଣ ଭିତରେ ମହକୁଥାଏ ଘାସ ଫୁଲର ସୁଗନ୍ଧ ସବୁ। 


ଘର ରାଜ ପ୍ରସାଦ ପରି ଦେଖା ଯାଉଥିଲେ ବି ବେଶ୍ ପୁରୁଣା। ନିରୋଳା କୋଠରୀ । ନିସଂଗତାର ଅଦ୍ଭୁତ ମହକ ଘର ଭିତରେ। ପ୍ରଚଣ୍ଡ ଶୂନ୍ୟତା ଭିତରେ ବି ଦୁଇଟି ମଣିଷର ପ୍ରଖର ନିଃଶ୍ୱାସ, ପ୍ରସ୍ୱାସ ବାରି ହେଉଥିଲା, କାହିଁକି କେଜାଣି। 


ନିରଜା ପଣସଠି ରେ ପଦାର୍ପଣ କରିଛନ୍ତି ଏଇ ଏପ୍ରିଲ ମାସରେ। ବିଜୟ ବାବୁ କୁଆଡେ ଦୁଇ ମାସ ବଡ ନିରଜାଙ୍କ ଠୁ।

ବିଜୟ ବାବୁ ଓଡିଶା ଛାଡି ଉଦୟପୁରରେ ସେଟେଲ ହେବା ଏବଂ ପ୍ରାୟ ଚାଳିଶ ବର୍ଷ ପରେ ଉଦୟପୁର ବୁଲି ଆସିଥିବା ନିରଜା ଙ୍କ ସହ ଅଚାନକ ଭେଟ ହେବା ଏକ ଦୁର୍ଲଭ ସଂଯୋଗ ନୁହେଁ ତ ଆଉ କଣ !! ସତରଞ୍ଜ ପଟା ଉପରେ ଅଲଗା ହେଇଯାଇଥିବା ରାଜା ରାଣୀ ରକ୍ତାକ୍ତ ରଣ ଭୂଇଁର କେଉଁ ଏକ ଅପରିଚିତ ଇଲାକାରେ ପୁଣି ଥରେ ପାଖକୁ ଆସିବା ଏକ ବିରଳ ଘଟଣା। ଜିତିବା ଏତେ ସହଜ ନ ହେଲେ ବି ଜୀବନର ଯୁଦ୍ଧ ଆଉ କିଛି ଦିନ ଲମ୍ବିଯିବା ସ୍ଵାଭାବିକ।


ବିଜୟ ବାବୁ ଚା ବନେଇ ଆଣିଲେ ନିରଜା ଙ୍କ ପାଇଁ। ଦୁହେଁ ମିଶି ଚା ପିଇଲେ। 


ମୁଁ ବାହା ହେଲି ନାହିଁ ଏଇଥି ପାଇଁ ଯେ ଗୋଟାଏ ପ୍ରକାର ଅପପ୍ରଚାର ହେଲା, ମୋର ନିର୍ବନ୍ଧ ସରିଥିଲା ତମ ସହିତ। ବାହାଘର ଭାଙ୍ଗି ଯିବାଟା କୁଆଡେ ଅଶୁଭ। ମୁଁ ଭାବିଲି ଚାକିରିକୁ ସାଙ୍ଗ କରି ଜୀବନକୁ ବିତେଇଦେବି। ବାପା ବୋଉ ଯେତେ ବୁଝେଇଲେ ବି ମନ ବୁଝିଲାନି। ମୋଟ ଉପରେ କହିବାକୁ ଗଲେ ମୁଁ ତୁମକୁ ଏତେ ଭଲ ପାଇ ବସିଥିଲି ଯେ ଆଉ କାହା ସହ ମନ ଯୋଡିବା ସମ୍ଭବ ହେଲା ନାହିଁ। ଫୁଲବାଣୀରୁ ଅବସର ଗ୍ରହଣ କରି ବାଲିଗୁଡ଼ାର ଏକ ନିର୍ଜନ ପାହାଡ ପାଖେ ଏକ ନିଛାଟିଆ ଘରେ ମୁଁ ଏକା ଏକା ସଢୁଛି। ଦୁଇ ତିନି ଜଣ ବାଲ୍ୟ ବନ୍ଧୁଙ୍କ ସହ ରାଜସ୍ଥାନ ବୁଲି ଆସିଛି। ମୁଁ ତମ ପାଖରେ ଅଟକି ଗଲି। ପୂର୍ବ କାର୍ଯ୍ୟ ସୂଚୀ ଅନୁଯାୟୀ ସେମାନେ ମାଉଣ୍ଟ ଆବୁ ବାହାରିଗଲେ।

ଟିକିଏ ଭାବପ୍ରବଣ ହେଇ ପଡିଲେ ନିରଜା।

ବିଜୟ ବାବୁ ନିରଜାଙ୍କୁ ସାହାରା ଦେଲେ ତାଙ୍କୁ ହାତକୁ ଧରି ନେଇ।

ତମେ ତ ପୁଅ ପିଲା। ତମେ କାହିଁକି ବାହା ହେଲ ନାହିଁ। 


ହଁ, ମୋର ମନେ ଅଛି ଫୋନ କରି ଯେଉଁ କାରଣ ମୁଁ ତୁମକୁ କହିଥିଲି ତାହା ଠିକ୍ ନ ଥିଲା। ଗାଆଁ ଜ୍ୟୋତିଷ ଉଭୟଙ୍କ ଜାତକ ଦେଖି ମୋ ବାପାଙ୍କୁ କହିଲେ ଏଇ ଝିଅର ବୈଧବ୍ୟ ଯୋଗ ରହିଛି। ମୋ ରାଶି କୁଆଡେ ପ୍ରଖର ଥିଲା, ଯିଏ ବାହା ହେଲେ ବି ବିଧବା ହେବ !! ମୋ ବୋଉ କାଖରୁ ଗରା ଖସି ପଡିଲା। ମୁଁ ଏ ସବୁ ବିଶ୍ୱାସ କରେନି। କାହାକୁ କିଛି ନ କହି ତମକୁ ବାହା ହେଇଯିବା ପାଇଁ ସ୍ଥିର କଲି। 


ଦିନେ ବାପାଙ୍କୁ ବିକଳ ହୋଇ କାନ୍ଦୁ ଥିବାର ଦେଖିଲି। "ମୋ ପୁଅର ମୃତ୍ୟୁ ମୁଁ ଦେଖି ପାରିବି ନାହିଁ। ତାକୁ କୁହ ସେ କେବେ ବାହା ନ ହେଉ। ମୁଁ କିନ୍ତୁ ତାକୁ ଜୀବନ୍ତ ଦେଖିବାକୁ ଚାହେଁ ଆପାତତଃ ମୁଁ ବଞ୍ଚିଥିବା ପର୍ଯ୍ୟନ୍ତ"। 

ବାଘ ପାଖରେ ବଉଳା ଗାଈର ସର୍ତ୍ତ ପରି କିଛି କଥା କାଳ୍ପନିକ ଲାଗିଲେ ବି ଭାରି ଭୟ ଲାଗେ ମନେ ପଡିଲେ କଥା ସବୁ। ସ୍ନେହ କାଙ୍ଗାଳ ଜଣେ ବାପାଙ୍କ ବିଳାପ ପାଇଁ ମହାଭାରତ ପରି ଯୁଦ୍ଧ ଘଟିଯାଏ। ମୁଁ ମୋ ବାପାଙ୍କ ସ୍ନେହ ବୋଳା ସର୍ତ୍ତ ପାଖରେ ହାରିଗଲି।


ମୁଁ ତମକୁ କହିଲି ବାହାଘର ହେବନି। ତମେ ଏତେ ସ୍ଵାଭିମାନୀ ଥିଲ ଯେ "କିନ୍ତୁ କାହିଁକି" ଥରୁଟିଏ ପଚାରିଲ ନାହିଁ । ଲାଗିଲା ଯେମିତି ପାହାଡ ଶୀର୍ଷ ରୁ ଅଚାନକ ତମ ହାତ ଛାଡ଼ିଦେଲି, ତମେ ଭାରସାମ୍ୟ ହରେଇ ଦେଲ। ତା ପରେ ସବୁ ଶେଷ। ତମକୁ ମୁଁ ହରେଇଦେଲି ସବୁଦିନ ପାଇଁ।


ଦୁଇ ଟୋପା ଲୁହ ବହି ଆସିଲା ନିରଜାଙ୍କ ଆଖିରୁ। ବିଜୟ ବାବୁ ତାଙ୍କ ଗାଲ ଉପରେ ହାତ ବୁଲେଇ ଆଣିଲେ। ନିରଜା ହସି ଦେଲେ।


ଜୀବନର ପ୍ରାୟ ସବୁ କଥା ଗପି ସାରିଲେଣି ସେମାନେ। ରାତି ଦଶ। ଘର ଭିତରେ ଅଳ୍ପ ଆଲୁଅ ସଙ୍ଗେ ତାଙ୍କ ସମୟର କିଛି ପୁରୁଣା ଗୀତର କକଟେଲ। ହେମଲତାଙ୍କ ଗୀତ ..ତୁ ଇସ ତରହ.... ଇଏ ଆସ୍ମାନ, ଇଏ ବାଦଲ, ଇଏ ରାତ୍ କେ ଏ ହାୱା... ଦୁଇଟି ଆର୍ମ୍ ଚେୟାର ଉପରେ ବସି ଉଭୟେ ଉଭୟଙ୍କୁ ଦେଖୁଥା ନ୍ତି ଏକ ଲୟରେ। କେତେବେଳେ କେଜାଣି ସେଇ ଚେୟାର ଉପରେ ଶୋଇ ଯାଇଛନ୍ତି ସେମାନେ।

ସକାଳ ହେଲା। ନିରଜା ଚିଠିଟିଏ ଛାଡି ଦେଇ ଯାଇଛନ୍ତି ଚେୟାର ଉପରେ।


ବିଜୟ ! 

ମୁଁ ବି ଡରିଗଲି ଠିକ୍ ତମ ବାପାଙ୍କ ପରି। 

ମୁଁ ମଧ୍ୟ ତୁମ ମୃତ୍ୟୁ ଚାହେଁନି। ମୁଁ ଆଦୌ ବ୍ୟସ୍ତ ନୁହେଁ ମୋ ବୈଧବ୍ୟ ପାଇଁ। ମାତ୍ର ତୁମେ ବଞ୍ଚି ରୁହ, ତାହା ହିଁ ମୋର ଏକାନ୍ତ କାମନା। ତମେ ଶୋଇଗଲା ପରେ ତମ ଘର ବୁଲି ବୁଲି ଦେଖିଲି। ଏକ ରାଜ ପ୍ରାସାଦ। ତମ ପିଲାଦିନର କ୍ଳାନ୍ତ ଶ୍ରାନ୍ତ କଣ୍ଢେଇ ସବୁ ଚିତ୍ ହୋଇ ସୋଇଥାନ୍ତି କପବୋର୍ଡ ଭିତରେ। ହିନ୍ଦୁସ୍ଥାନ ଜିଙ୍କ ଉଦୟପୁର, ସି ଜି ଏମ୍ ବିଜୟ ଦାସ, ସାର୍ଟିଫିକେଟ ଦେଖିଲି ଲିଭିଂ ରୁମ କାନ୍ଥରେ ଝୁଲୁଛି। ଫଟୋ ଭିତରୁ ତମ ବାପାଙ୍କୁ ମୁଁ ଦେଖିଲି, କେତେ ଖୁସିଥିଲେ ସେ ତମକୁ ଜୀବିତ ଦେଖି। ସ୍ନେହ ମମତାର ଏତେ ବଡ ଉପନ୍ୟାସଟିଏ ସେ ଲେଖିଛନ୍ତି ତମ ପାଇଁ। ପିଲାଦିନରୁ ସାଇତା ସେଇ କଣ୍ଢେଇ ଠୁ ଆରମ୍ଭ କରି ଅବସର ପରେ କାନ୍ଥରେ ଝୁଲୁଥିବା ପ୍ରମାଣ ପତ୍ର ଭିତରେ ଘଟିଥିବା ସବୁ ରୋମାଞ୍ଚକ ଘଟଣା ସବୁ ତମ ଡାଇରୀରେ ଲେଖା ହେଇଛି। ବସି ସବୁ ପଢିଲି ମୁଁ ଏକାନ୍ତରେ। ନିର୍ଜନ ରାତିରେ ଅଚାନକ ଏକ ପ୍ରେମ କାହାଣୀକୁ ଆବିଷ୍କାର କାଲି ଗୋଟାଏ ଫଟୋ ଫ୍ରେମ୍ ଭିତରେ, ମୋ କାନ୍ଧରେ ହାତ ଦେଇ ତୁମେ ଛିଡା ହେଇଛ। ଆମ ଦୁହିଁଙ୍କ ଯୁବାବସ୍ଥାର ଫଟୋ। ସବୁ ଭୁଲି ଯାଇଛି, ଆମ ନିର୍ବନ୍ଧର ଫଟୋ ବୋଧେ। କେତେ ବଡ ଶୂନ୍ୟସ୍ଥାନ ସେଦିନ ଆଉ ଆଜି ଭିତରେ। ବିଲୁପ୍ତ ପାଦ ଚିହ୍ନ ଓ ସ୍ମୃତି ର ଆତ୍ମହତ୍ୟା ପରେ ଅଚାନକ ମିଳନ, ବହୁ ଉପେକ୍ଷିତ ମନା ଯାଇ ନ ଥିବା ଫୁଲଶଯ୍ୟା ରାତିକୁ ମନେ ପକେଇ ଦେଲା। ପରିଣତ ବୟସ ରେ ସେମିତି କିଛି ମୁହୂର୍ତ୍ତ ସବୁ ଆଜି କାଳ୍ପନିକ ଗପ ପରି ଲାଗେ।


ଏଇଟା ମୋ ଫୋନ ନମ୍ବର, ସମୟ ସମୟରେ କଥା ହେବା। ଵାୟ


ବିଜୟ ବିବ୍ରତ ହୋଇ ଉଠିଲେ, ଫୋନ ଲଗେଇଲେ ନିରଜା ଙ୍କୁ


ନିରଜା !

ଫୋନ ରଖି ଦେବନି ପ୍ଲିଜ୍। ବିରହ କେତେ କଷ୍ଟ ଦାୟକ ଜାଣିଛ। ଏତେ ଦିନ ପରେ ତମକୁ ପାଇ ପୁଣି ଥରେ ହରେଇ ବାକୁ ଚାହୁଁନି ନିରଜା। ସମସ୍ତେ କହନ୍ତି ହସ ଖୁସି ନେଇ ସକାଳଟିଏ ଆସେ ସବୁଦିନ। କେତେଥର ବିନା ହସରେ ସକାଳ ଯାଇ ସଂଜ ହେଇଯାଏ ମୁଁ ଜାଣି ପାରେନି। ପରିଣତ ବୟସ ମନଗଢା ଗୋଟାଏ ସଂଜ୍ଞା। ମନ କିନ୍ତୁ କେବେ ବୁଢା ହୁଏନି ନିରଜା।

  

ମୁଁ କହୁ ନାହିଁ ଯେ ଜ୍ୟୋତିଷ ଶାସ୍ତ୍ର ଭୁଲ ବୋଲି। ଆମ ବାପା ବୋଉଙ୍କ ସମୟର କଥା। ଆମ ଘରେ ଘଡି ନ ଥିଲା। ଆମ ଜନ୍ମର ସଠିକ୍ ସମୟ କିଏ ଜାଣିଛି ! ଜନ୍ମ ସମୟ ସଠିକ୍ ନ ଥିଲେ ମିଶାଣ ଫେଡାଣ ପରେ ଭାଗ୍ୟ ର ନକ୍ସା ବି ଆନୁମାନିକ ହୁଏ। ଏଇ ସବୁ ବୁଝିଲା ବେଳକୁ ତମେ ମୋ ଠୁ ବହୁତ୍ ଦୂରେଇ ଯାଇଥିଲ ନିରଜା। ସମୟ ବି ନାରାଜ ହୋଇ ବିଦା ହେଇ ସାରିଥିଲା ଆମ ଜୀବନରୁ। ଅନ୍ୟ ପକ୍ଷରେ ବାପାଙ୍କ ଭାବପ୍ରବଣତା ସାଥିରେ ଖେଳିବା ମଧ୍ୟ ଏତେ ସହଜ ନ ଥିଲା। 

ତମେ ଫେରି ଆସ ନିରଜା । 

ଯଦି ବି ମୁଁ ମରିଯାଏ, ତମ କୋଳ ଉପରେ ମଥା ରଖି ମରିବାର ସୌଭାଗ୍ୟ ଅର୍ଜନ କରିବି। ଏମିତି ବି ଆଜି ପର୍ଯ୍ୟନ୍ତ ତମେ ଏକା ଥିଲ, ଏକା ହିଁ ରହିବ। ବେଶି କିଛି ଫରକ ପଡିବ ନାହିଁ। ଯଦି ସାଙ୍ଗ ହେଇ ଆଉ ପାଞ୍ଚ ଦଶ ବର୍ଷ ଆମେ ସାଥୀ ହେଇ ବଞ୍ଚିବା ବହୁତ ଫରକ୍ ପଡିବ । ଉଭୟେ ଉଭୟଙ୍କ ହାତ ଧରି ଚାଲିବାର ସମୟ ଆସିଛି ନା... 

ପ୍ଲିଜ୍ ଆସ ନିରଜା। ତମ ବାଲିଗୁଡ଼ା ଘାଟି ପାଖ ଘରେ ଚାବି ପଡି ଥାଉ। ମଝିରେ ମଝିରେ ସାଙ୍ଗ ହୋଇ ଦୁହେଁ ବୁଲିବାକୁ ଯିବା। ପାହାଡ ଘେରା ଦୁଇଟି ସହର ଭିତରେ ପୁଣି ଆଉ ଥରେ ସମ୍ପର୍କ ଯୋଡି ହେଇଯାଉ। 


ହଉ, ଠିକ୍ ଅଛି, ମୁଁ ଆସିବି। ନିରଜା କହିଲେ


ଇଣ୍ଡକ୍ସନ୍ ଚୁଲାରେ ଚା ଉତରି ଯାଇ ତଳକୁ ବୋହି ଆସିଲାଣି। ପୋଡି ଯାଇଥିବା ଚାହାର ମହ ମହ ବାସ୍ନା। ଆଜି ଆଉ ଚା ପି ବାକୁ ଇଛା ନାହିଁ, ବାହାରେ ଯାଇ ବସିଛନ୍ତି ବିଜୟ ବାବୁ କେତେ ବେଳେ ଘର ଆଗରେ ଟେକ୍ସି ଲାଗିବ। ନିରଜା, ତାଙ୍କ ନୂଆ ବୋହୂ ଓଲ୍ହେଇବେ ସେଇ ଗାଡି ଭିତରୁ, ତାଙ୍କୁ ପାଛୋଟି ଆଣିବେ ସେ...ll


Rate this content
Log in

Similar oriya story from Abstract