Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.
Best summer trip for children is with a good book! Click & use coupon code SUMM100 for Rs.100 off on StoryMirror children books.

Narayan chandra Senapati

Drama


3  

Narayan chandra Senapati

Drama


ପୁଅ ଯୋଡ଼ିଦେଲା ବାପା ମାଆଙ୍କୁ

ପୁଅ ଯୋଡ଼ିଦେଲା ବାପା ମାଆଙ୍କୁ

6 mins 349 6 mins 349


ସେଦିନ ପାହାନ୍ତା ପ୍ରହରର ଦୁଃସ୍ବପ୍ନ ସ୍ୱପ୍ନରେ ଘାଇଲା ହୋଇଗଲେ ଲୁଲୁ ବାବୁ।ଦେହରୁ ବହି ଯାଉଥିବା ଘର୍ମ ବିନ୍ଦୁ ଗୁଡାକୁ ପୋଛୁ ପୋଛୁ ଅମାନିଆ ସ୍ପନ୍ଦନଗୁଡ଼ାକ କ୍ଷୀପ୍ର ଗତିରେ ଅମୁହାଁ ହୋଇ ଛୁଟୁଥାଏ।କିଂକର୍ତ୍ତବ୍ୟ ବିମୁଢ ହୋଇ ପାଖ ଫିଲଟରରୁ ଆଣି ଆଖିବୁଜା ପିଇଗଲେ ଗ୍ଲାସ ପରେ ଗ୍ଲାସ ପାଣି।ନଥ କରି ବେଡ଼ ଉପରେ ବସି ବ୍ୟସ୍ତ ବିବ୍ରତ ହୋଇ ହଜିଗଲେ ଚିନ୍ତା ଦୁନିଆଁରେ।ସ୍ବପ୍ନଟି ଥିଲା, ପୁଅ ପାକୁନ ବିପଦରେ ପଡି ବାପା ବାପା ମୋତେ ବଞ୍ଚାଅ ମୋତେ ବଞ୍ଚାଅ ବୋଲି ଚିତ୍କାର କରି ଡାକୁଛି।କ'ଣ କରିବ,ଏକ ମାତ୍ର ଗେହ୍ଲା ପୁଅ ପାକୁନ ତ ନାହିଁ ତା ପାଖରେ।ପୁଅ ନାହିଁ,ପତ୍ନୀ ନାହିଁ,ଆତ୍ମୀୟ ସ୍ୱଜନ କେହି ନାହାଁନ୍ତି ତା ପାଖରେ।ଜୀଇଁ ଜୀଇଁ ମୃତବତ୍ ମରୀଚିକାର ନୀଳ ଆକାଶକୁ ଚାହିଁ ବର୍ଷା ବିନ୍ଦୁ ଆଶାରେ ଖୋଜୁଥାନ୍ତି ଦୁଇଟୋପା ଭରସାର ଜଳ ସେ।ଦିନ ଥିଲା ସବୁ ଥିଲା,ଆଜି ଦିନ ଅଛି,ସମସ୍ତେ ନିଜ ନିଜ ଜାଗାରେ ଅଛନ୍ତି କିନ୍ତୁ ସେ ସମ୍ପର୍କ,ଆତ୍ମୀୟତା ଭଲପାଇବା ଆନ୍ତରିକତା ଗୁଡାକ କୁଆଡେ ଅନାଥ ହୋଇ ଚାଲିଗଲେ କେଜାଣି।ସେ ଆଜି ନୀରବତାରେ ଖୋଜୁଛନ୍ତି ସେସବୁକୁ ସ୍ମୃତିର ଫୁଲ ଚାଙ୍ଗୁଡା ପରସ୍ତ ପରସ୍ତ ଖୋଲି।


  ସେପଟେ ପାକୁନଟା ଜ୍ବରରେ କମ୍ପି ଚିତ୍କାର କରୁଛି।ପାଟିରୁ ଖାଲି ଶୁଭୁଛି ବାପା ବାପା।ଏସବୁ ଶୁଣି ଓ ପାକୁନ୍ ର ଜ୍ଵରର କମ୍ପନ ଧ୍ଵନି ଶୁଣି ଆଖିରୁ ଧାର ଧାର ଲୁହ ବୋହିଯାଉଥାଏ ମାଆ ମିତାର।ପୁରାତନ ଦିନ ଗୁଡିକର ସ୍ମୃତିକୁ ସ୍ମରଣ କରି ଅନ୍ତରରେ କୋହର ଜୁଆରକୁ ସାମ୍ନା କରୁଥାଏ ସେ।ଆଜି ଯଦି ତା ବାପା ପାଖରେ ଥାନ୍ତେ ସେ କଣ ସକାଳକୁ ଅପେକ୍ଷା କରିଥାନ୍ତା?ବାସ୍ତବରେ ପାକୁନଟା ଥିଲା ତା ବାପା ମାନେ ଲୁଲୁ ବାବୁଙ୍କର ଜୀବନ।ପୁଅପାଇଁ ନିଆଁକୁ ଡେଇଁବାକୁ ବି ସେ ପଛାଉ ନ ଥିଲେ।ପୁଅର ହିତ ପାଇଁ ନିଜର ସବୁକିଛିକୁ ଜଳାଞ୍ଜଳି ଦେବାକୁ ସେ ପଛାଉ ନ ଥିଲେ।ପୁଅ କେମିତି ଆଭିଜାତ୍ୟର ଉଦ୍ୟାନରେ ନାଚି ବୁଲୁ ସେଥିପାଇଁ ସରାଗରେ ଆଣିଥିଲେ କାର୍ ଟେ।ବଜାର,ଡାକ୍ତରଖାନା,ପାର୍କ,ହୋଟେଲ,ମାମୁଁଘର ଯେଉଠିକି ଯିବାପାଇଁ ହେଲେ ବାପ ପୁଅ ଦୁହେଁ ରାଜା ରାଜା ଛୁଆ ପରି ଯାଉଥିଲେ ସେହି ଚାରିଚକିଆ ସରାଗର ଯାନଟିରେ।ପଛ କଥାକୁ ମନେ ପକାଇ ଦୀର୍ଘଶ୍ଵାସଟାଏ ପକାଇଲେ ସେ। ଅନୁତପ୍ତର ସେ ମନଟାରେ ଅତୀତର ସେ ଜିଦ୍ ବି ନ ଥିଲା ଜଟିଳତା ବି ନ ଥିଲା। ପ୍ରଜ୍ଵଳିତ ଅଗ୍ନିରେ ପାଣି ପଡିଲା ପରି ସବୁ ରାଗ ଅଭିମାନ ଗୁଡାକ ଧୀରେ ଧୀରେ ମିଳେଇ ଯାଉଥାଏ।


 କଥାରେ ଅଛି ଆତ୍ମା ପରା ଆତ୍ମାକୁ ଟାଣେ।ବାପ ପୁଅର ଏ ନିବିଡ଼ତାର ତରଙ୍ଗ ପରସ୍ପରକୁ ଆକର୍ଷିତ ନ କରି କରିଥାନ୍ତା ବା କିପରି?


  ଲୁଲୁବାବୁଙ୍କର ନିଦ୍ରା ଉଭେଇଗଲା।ସେ ବିଛଣାରେ ବସି ଭାବନାର ମାପକ ଯନ୍ତ୍ରରେ ମାପି ତୁଳନା କରୁଥିଲେ ବିଗତ ଓ ଆଜିକା ଦିନକୁ।ତାଙ୍କ ସେଦିନର ସ୍ୱପ୍ନର ମହଲ ଆଉ ଆଜିର ପରିତ୍ୟକ୍ତ ରାଜବାଟୀ । କ୍ଷଣିକ କ୍ରୋଧ ଓ ଜିଦ୍ ପାଇଁ କେମିତି ଭାଙ୍ଗିଗଲା ତାଙ୍କ ହାତତିଆରି ଦେଉଳଟା।ଅତୀତର ଘଟଣା ସବୁକୁ ମନେ ପକାଇ କୋହକୁ ଚାପି ରଖିବାକୁ ପ୍ରୟାସ କରୁଥାନ୍ତି ସେ।ହଠାତ୍ ତାର୍ଜାରୁ ଖସିପିଡ଼ିଲା ତାଙ୍କ ବାହା ମୁକୁଟଟି।ତାକୁ ସଯତ୍ନେ ଉଠାଇ ପୋଛି ରଖୁ ରଖୁ ହଜିଗଲେ ସେ ଭାବନା ରାଇଜରେ।

    

   ସେଦିନ ଥିଲା ତାଙ୍କ ଜୀବନର ଏକ ଶ୍ରେଷ୍ଠ ଦିନ।ଗ୍ରୀଷ୍ମ ଋତୁର ସନ୍ଧ୍ୟାରେ ସେ ଯାଇଥିଲେ ବର ସାଜି କେତେ ବାଣର ଜକମକ୍ ଆଲୁଅରେ ଓ ବାଜାର ତାଳେ ତାଳେ।ଲାଗୁଥିଲା ସେ ଯେମିତି ସମ୍ରାଟ।ବୈଦିକ ରୀତିର ସଜ ଛୁଆଁରେ ସରିଯାଇଥିଲା ଜୀବନର ଶ୍ରେଷ୍ଠ ବିଚାରବନ୍ତ ମୁହୂର୍ର୍ଟ।ଉତ୍ଫୁଲ୍ଲିତ ଭାବେ ଆସିଥିଲେ ସ୍ବଗୃହକୁ ସାଥିରେ ହାତ ଧରି ସହଧର୍ମିଣୀ ମିତାକୁ।ଖୁସି ବାସିରେ ଘର କମ୍ପୁଥିଲା ଆନନ୍ଦର କମ୍ପନରେ।ଦୁଃଖ ଯନ୍ତ୍ରଣା ଗୁଡିକ ସତେ ଯେମିତି ନିର୍ବାସନ ଦଣ୍ଡ ପାଇ ଅଜ୍ଞାତ ବାସରେ ବୁଲୁଥିଲେ।ଦୁହେଁ ଥିଲେ ଶିକ୍ଷା ବିଭାଗର କର୍ମଚାରୀ।ପରସ୍ପର ବୁଝାମଣାର ଶିକ୍ଷାର ସୌଧ ଗଢିବାକୁ ଦୁର୍ବାର ପ୍ରଚେଷ୍ଟା।ହେଲେ ସବୁ ଭଲକୁ କଣ ସମାଜ ସହିପାରେ?ଜଟିଳତାରେ ଭରପୁର ମାନବ କ'ଣ କାହାର ସରଲତାର ହସକୁ ସହ୍ୟ କରି ପାରେ? କେଉଁଠି ଥିଲେ କେଜାଣି ହିଂସୁକ ସ୍ୱଭାବର ବ୍ୟକ୍ତି ଏ ଶକ୍ତିଶାଳୀ ବନ୍ଧନରେ ବନ୍ଧା ହୃଦୟ ଦୁଇଟିର ସୁଖ ଶିରୀରେ ଫାଟ ସୃଷ୍ଟି କରିବାକୁ ଚାହିଁଲେ।ସେ ଥିଲେ ବଦ ରାଗୀ,କ୍ଷଣ କୋପୀ।ଟିକିଏ ଟିକିଏ କଥାରେ ଦୁର୍ବାଶା ପରି ଜଳି ଜଳି ନିଜକୁ ଜାଲିଦେଉଥିଲେ।କିନ୍ତୁ ପରବର୍ତ୍ତୀ ସମୟରେ ନିଜ କ୍ରୋଧ ପାଇଁ ସେ ଅନୁତାପ କରିବାକୁ ପଛାଉ ନ ଥିଲେ।ତାହା ହିଁ ପ୍ରକୃତ ସାଂସାରିକ ଜୀବନ ଯେଉଁଠି ରାଗ,ରୋଷ, ମାନ ଅଭିମାନ ଭରପୁର ହୋଇ ଥାଏ।ତିକ୍ତତା ନ ଥିଲେ ମାଧୁର୍ଯ୍ୟ ଆସିବ ବା କେଉଁଠୁ?ଟିକିଏ ଟିକିଏ କଥାରେ ମିତା ବି ଚିଡ ଛିଡା ହେଲା।ଯୁକ୍ତିତର୍କ ବି କରୁଥିଲା ଯାହାକି ତାର ମୌଳିକ ସ୍ଵଭାଵ ନ ଥିଲା।


ବେଳେବେଳେ କୌଣସି ପ୍ରସଙ୍ଗ ଉପରେ ନମନୀୟ ନ ହୋଇ ଜଟିଳ ହୋଇ ଜିଦ୍ ଧରୁଥିଲା।ତୃତୀୟ ବ୍ୟକ୍ତିମାନଙ୍କର ଏଥିରେ ହସ୍ତକ୍ଷେପ ବୋଲି ସେ ବା ଜାଣିଥାନ୍ତା କିପରି?ବେଳେବେଳେ କଳିଗୋଳ ଏତେ ବଢିଗଲା ଯେ ସେ ବିବ୍ରତ ହୋଇ ମିତାକୁ ଅନିଚ୍ଛାକୃତ ମାନସିକ ଓ ଶାରୀରିଜ ଯନ୍ତ୍ରଣା ଦେବାକୁ ପଛାଇ ନ ଥିଲା।ମିତା ବି ଆଉ ଏସବୁ ସହ୍ୟ କଲା ନାହିଁ।ଚାଲିଲା ବଡ ବାଦ ବିବାଦ।ୟା ଭିତରେ ପାକୁନ ଜନ୍ମ ନେଇସାରିଥାଏ।ଦୁହେଁ ଛୁଆର ମୁହଁକୁ ଚାହିଁ ମନୋମାଳିନ୍ୟକୁ ବି ଭୁଲିଗଲେ।ଝରିଲା ସରଗ ସୁଷମା।ଅମୃତର ପ୍ରେମମୟ ଧାରାରେ ଦୌଡ଼ିଲା ଆନନ୍ଦର ତରଣୀ।ଏକ ମନ ଏକ ପ୍ରାଣ କରି ପ୍ରତିଜ୍ଞା ବଦ୍ଧ ହେଲେ ସେମାନେ ଗଢିବେ ପାକୁନକୁ ଅନନ୍ୟ ଓ ଅତୁଲ୍ୟ କରି।ହେଲେ ତାର ବିଭିନ୍ନ କାର୍ଯ୍ୟର ସମୃକ୍ତି ଓ ତଦନୁସାରେ ସାମାନ୍ୟ ବିଶୃଙ୍ଖଳା ରେ ମିତା ହେଉଥିଲା ମର୍ମାହତା।ମଣିଷ ଯେତେ ପଙ୍କିଳ ପୋଖରୀ ଭିତରକୁ ପଶିବ ଗୋଡ଼ରେ ସେତେ ନିଶ୍ଚୟ କାଦୁଅ ସ୍ପର୍ଶ କରିବ। ପୁନଶ୍ଚ ତାଙ୍କର କ୍ରୋଧ,ମିତାର ପ୍ରତିକ୍ରିୟା ଓ ବାହ୍ୟ କୁଟୀଳ ବ୍ୟକ୍ତିଙ୍କ କୁଟିଳତା ପୂର୍ଣ୍ଣ ଚକ୍ରାନ୍ତର ଶିକାରରେ ସ୍ୱର୍ଣ୍ଣ ସ୍ୱର୍ଗପୁରୀଟା ନଷ୍ଟ ହେବାର ଭାବି ସୂଚନା ପାଇଲା।ଉଭୟଙ୍କ ଜିଦ୍, ନିଜ କଥା ଉପରେ ଦୃଢ଼ତା ଜାହିର କରିବାରୁ ସବୁଦିନ ପାଇଁ ସମ୍ପର୍କ ଛିନ୍ନ ହୋଇଗଲା ମାନ୍ୟବର କୋର୍ଟରେ।


  ଜିଦ୍ ଓ ଅବୁଝାମଣାରେ ସିନା ଚ୍ଛିନ୍ନ ହୋଇଗଲା ପ୍ରେମରେ ବନ୍ଧାଥିବା ସମ୍ପର୍କର ସୁତାଖିଆଟା, ହେଲେ ପ୍ରତି ମୁହୂର୍ତ୍ତରେ ସ୍ମୃତି ଗୁଡାକ ପାଖରେ ବସି ଧକେଇ ହୋଇ କାନ୍ଦୁଥିଲେ ଆଖିରୁ ଧାର ଧାର ଲୁହ ଗଡେଇ।ସେ ସେଦିନ ଏକୁଟିଆ ବିଛଣାରେ ମୁହଁ ପୋତି ବହୁତ କାନ୍ଦିଥିଲା।ହେଲେ ପୁଅଟା ରହିଗଲା ତା ମାଆ ପାଖରେ।ସତେ ଯେମିତି ତା ପ୍ରାଣଟା ତା ଶରୀରରୁ ଚାଲିଗଲା।ହେଲେ ସେ କ'ଣ ସମ୍ଭାଳି ହେବ? ମଝିରେ ମଝିରେ ସୁଯୋଗ ଦେଖି ଯାଏ ତାକୁ ଦେଖିବାକୁ।ପୁଅଟା ଜିଦ୍ କଲେ ମାଆ କଣ ସମ୍ଭାଳି ପାରିବ? ଆସି ଦିନେ ଦୁଇଦିନ ରହି ପୁଣି ଚାଲିଯାଏ।

 

 ସମୟର ଅବିରାମ ଗତିରେ ମାଜି ହୋଇ କିଛି କ୍ରୋଧ କିଛି ମାନ ଅଭିମାନ ଚାଲିଗଲେଣି ସେମହଲକୁ।ଦୁହେଁ ଦୁହିଙ୍କର ବିବେକ ଯନ୍ତ୍ରରେ କଳି ସାରିଲେଣି ପରସ୍ପରର ଜିଦ୍ ଖୋର ନୀତି ଓ ତଦନୁଯାୟୀ ଉପୁଜିଥିବା ଅସୁବିଧା।ସମାଜର ଝରକଲମରେ ହିସାବ କଲେଣି କେତେ ଲାଭ ଆଉ କେତେ କ୍ଷତି ସେ ଅର୍ଜନ କରିଛନ୍ତି ।


 ଏସବୁ ଭାବୁ ଭାବୁ ନିଜକୁ ସମ୍ଭାଳି ପାରିଲେ ନାହିଁ ସେ।ହଠାତ୍ ପୋଷାକ ପିନ୍ଧି ପାକୁନ ପାଇଁ ଶ୍ରଦ୍ଧାରେ କିଣା କାର ଟିକୁ ଡ୍ରାଇଭିଂ କରି ବିଜୁଳି ଗତିରେ ଛୁଟି ଆସିଲେ ।କିନ୍ତୁ ସେ କେମିତି ସେ ଜାଗାକୁ ଯିବେ,ପୂର୍ବରୁ ଅନ୍ୟ ମାଧ୍ୟମରେ ସିନା ଛୁଆଟାକୁ ଆଣିଛନ୍ତି।ଯିଏ ଯାହା ଭାବୁ ତାଙ୍କୁ ପାକୁନ ପାଇଁ ସବୁ ମାନ ଅପମାନ ସହିବାକୁ ପଡିବ।


 ସେପଟେ ମିତା ମନେ ମନେ ଚାହୁଁଥାଏ ତା (ପାକୁନ ର)ବାପା କେମିତି ଆସନ୍ତେ କି?ନିମିଷକେ ପହଞ୍ଚି ଗଲେ ଗନ୍ତବ୍ୟ ସ୍ଥଳରେ।କାରର ଚିହ୍ନା ହର୍ଣ୍ଣ ଶୁଣି ମିତା ଓ ତାଙ୍କ ଘରଲୋକ ଦୌଡ଼ି ଆସିଲେ ତାଙ୍କ ପାଖକୁ।କେହି କାହାକୁ କିଛି କହିବା ପୂର୍ବରୁ ପାକୁନ କୁ ଆଣି ଗାଡ଼ିରେ ବସାଇଦେଲେ।ନରମ ଗଳାରୁ ତାଙ୍କ କାନରେ ବାଜୁଥିଲା ଖଇଫୁଟିଲା ପରି ଜ୍ୱର,ଟିକେ ବି କମୁନାହିଁ।ଆଉ ଶୁଭୁଥିଲା ଉନ୍ତ୍ରଣା ଭରା ବାପା ବାପା ଶବ୍ଦ।ପୁଅକୁ କୁଣ୍ଢେଇ ପକାଇଲେ ସେ ଆଖିରୁ ବହି ଯାଉଥାଏ ଦଗ୍ଧର ଅଶ୍ରୁ।ତୁ ଚିନ୍ତା କରନା ପାକୁନ... ତୋ ବାପା ପରା ଆସିଗଲେଣି ?ମିତାର ନିରୀହ ଓ ଆବେଗ ଭରା ମୁହଁରେ ଲୋତକଭରା ଆଖିକୁ ସେ ଥରେ ଚାହିଁଛନ୍ତି।ହଠାତ୍ ଗାଡ଼ି ବୁଲେଇ ଚାଲିଲେ ଡାକ୍ତରଖାନା।ମେଡ଼ିସିନ ଧରି ଘରକୁ ଫେରି ତାର ସବୁ ଯତ୍ନ ନେଲେ।ଫୋନ୍ ଲଗାଇ ମାଆ ସହ କଥା ହେବାପାଇଁ କହିବାକୁ ଆଦୌ ଭୁଲି ନ ଥିଲେ।ଫୋନ୍ କଲ ପାଇ ମିତା ଉତ୍ଫୁଲ୍ଲିତ ହେଉଥାଏ।ଯାହେଉ ଏତେ ଦିନ ପରେ ସମ୍ମୁଖରେ ନ ହେଲେ ମୋବାଇଲରେ ତ କିଛି କଥା ହୋଇପାରିବ।କିନ୍ତୁ ସେ ସ୍ବପ୍ନ ସାକାର ହୋଇ ନ ଥିଲା,ଶୁଣିଲା ମାଆ, ବ୍ୟସ୍ତ ହେବୁନି, ମୋ ଦେହ ଖୁବ୍ ଶୀଘ୍ର ଭଲ ହୋଇଯିବ..।ବାପା ମୋ ପାଖରେ ଅଛନ୍ତି ନା? ତୁ କାନ୍ଦିବୁ ନାହିଁ।


 ମିତାର ଆଖିରୁ ଆନନ୍ଦାଶ୍ରୁ ବହିଯାଉଥାଏ।ଲୁଗା କାନିରେ ପୋଛି ନିଜକୁ ଆଶ୍ୱସ୍ତି ଦେଉଥାନ୍ତି ବାରମ୍ବାର।ସେଦିନ ରାତିରେ ପାକୁନଟା ତାଙ୍କୁ ପଚାରିଲା,ବାପା ତୁମେ କାହିଁକି ମାଆ କୁ ଆଣୁନାହଁ?ମୋ ମାଆ କଣ ଏତେ ଖରାପ?ସେ କହିଲା,କିଏ କହିଲା ତୋ ମାଆ ଖରାପ,ସେ ତ ବହୁତ ଭଲ।ତେବେ ତୁମେ ତାଙ୍କୁ କାହିଁକି ଆଣୁନା ଯେ?ତାକୁ ସେ ବୁଝାଇ ଶୁଝାଇ ଶୁଆଇ ଦେଲେ।ତା ପରଦିନ ନେଇ ଛାଡି ଆସିଲେ ମିତା ପାଖରେ।


 ସେଦିନ ରାତିରେ ପାକୁନ ମାଆ କୁ ପଚାରିଲା,ମାଆ ମୋ ବାପା ପାଖରେ କାହିଁକି ରହୁନା?ମୋ ବାପା କ'ଣ ଏତେ ଖରାପ?ପୁଅର ପାଟିରୁ କଥା ଛଡେଇ ନେଇ ମିତା କହିଲା,କିଏ କହିଲା ତୋ ବାପା ଖରାପ ?ସେ ତ ତୋତେ ବହୁତ ଭଲ ପାଆନ୍ତି।ପାକୁନ କହିଲା ଜାଣିଛୁ ମାଆ, ବାପା କହୁଥିଲେ ତୁ ବହୁତ ଭଲ।ମିତାର ଉତ୍ସୁକ ମନଟା ଆନନ୍ଦରେ ପୁରି ଉଠୁଥାଏ।


 ଦିନେ ପାକୁନ ଏକ ଉପାୟ ଚିନ୍ତା କଲା।ବାପା ପାଖକୁ ମାଆ ନାମରେ ମେସେଜ ପଠାଇ ଏକ ନିର୍ଦ୍ଧିଷ୍ଟ ଦିନରେ ପାଖ ମନ୍ଦିରକୁ ଆସିବା ପାଇଁ ସୂଚନା ଦେଲା।ସେଦିନ ସାବିତ୍ରୀ ଅମାବାସ୍ୟା।ମନ୍ଦିରକୁ ଯାଇଥାନ୍ତି ମାଆ ପୁଅ।ଏପଟେ ସେ ମିତାର ଡ଼କରାରେ ମନ୍ଦିର ଯିବାପାଇଁ ପ୍ରସ୍ତୁତ ହୋଇ ସାବିତ୍ରୀ ଅମାବାସ୍ୟାର ସମସ୍ତ ଜିନିଷ ଧରି ପହଁଚିଲେ ଶିବ ମନ୍ଦିରରେ।ହଠାତ୍ ମିତା ତାଙ୍କୁ ଦେଖି ଅବାକ୍।ପାକୁନ ବାପା ବାପା କହି ଦୌଡ଼ି କୁଣ୍ଢେଇ ପକାଇଲା କେତେ ଖୁସିରେ।ଆଉ ହାତକୁ ଧରି ଟାଣି ଟାଣି ନେଇ ଗଲା ମାଆ ପାଖକୁ।ଦୁହେଁ କିଏ କେମିତି କଥାବାର୍ତ୍ତା ଆରମ୍ଭ କରିବେ ବୁଝି ହେଉ ନଥାଏ।ନୀରବତା ଉପହାସ କରି ମୁକ ବୋଲି ତାଛଲ୍ୟ କରୁଥାଏ ଦୁହିଁଙ୍କୁ।ପାକୁନ କହୁଥାଏ ଆଜି କି ଦିନ କି?ଆଜି କ'ଣ ଏଭଳି ଲୋକେ ପୂଜା କରୁଛନ୍ତି?ଦୁହେଁ ଏକ ସଙ୍ଗରେ ଉତ୍ତର ଦେଲେ ଆଜି ପରା ସାବିତ୍ରୀ ବ୍ରତ।ଜିଦ୍ ଧରିବାରୁ ଉଭୟେ ଏ ଦିବସର ତାତ୍ପର୍ଯ୍ୟ ବୁଝାଇଦେଲେ।ତତ୍ପରେ ଦୁହିଁଙ୍କୁ ନେଇ ପୂଜା ପାଠ ବି ସାରିଦେଲା।ମନ୍ଦିରର ଗୋଟିଏ ପାର୍ଶ୍ଵ କୁ ଯାଇ ମିତା ଯେତେବେଳେ ଜୁହାର ହେବାକୁ ଉଦ୍ୟତ ସେ ତାକୁ ଉଠେଇ ଶ୍ରଦ୍ଧା ଆଲିଙ୍ଗନ କରିଥିଲେ।ଦୁହିଙ୍କ ଆଖିରୁ ଝରି ପଡିଥିଲା ଆନନ୍ଦର ଅଶ୍ରୁ।ମିତାର ଦରଦୀ କଣ୍ଠରୁ କୋହଭରା କଥା ପଦଟିଏ ହୃଦୟର ତନ୍ତ୍ରୀକୁ ଥରାଇ ଦେଉଥାଏ।


"ତୁମେ ମୋତେ ହାତରେ ମାରି ପାରିଲ...?"


 ସେ ନିଜକୁ ଶତ ଧିକ୍କାର କରି ମନ୍ଦିର ପ୍ରସ୍ତର ଉପରେ ସେହି ହାତକୁ ବାଡେଇ କଷ୍ଟ ଦେବାଜୁ ଲାଗିଲେ।କାନ୍ଦି କାନ୍ଦି ମିତା କହିଲେ ମୋ ରାଣ ପ୍ଲିଜ... ଆଉ କଷ୍ଟ ଦିଅ ନାହିଁ ସେ ହାତକୁ।ମୋତେ ବହୁତ କଷ୍ଟ ହେଉଛି।ବାପା ମାଆ ଙ୍କୁ କୁଣ୍ଢେଇ ପାକୁନ ଟା କଳିପାରିଥିଲା ତା ପିତାମାତା କେତେ ଭଲ ଆଉ କେତେ ମହାନ।ଦୁହିଁଙ୍କ ହାତକୁ ହାତ ମିଶାଇ ମଝିରେ ଛିଡା ହୋଇ ପାକୁନ ମୁରୁକି ମୁରୁକି ହସୁଥିଲା।ସେ ପବିତ୍ର ପୀଠ ଆଉ ପୀଠର ମହାନ ଦେବତା ଯେମିତି ଆଶୀର୍ବାଦ ଦେଇ କହୁଥିଲେ, ବାଃ...ବାସ୍ତବରେ ପୁଅ ଯୋଡ଼ିଦେଲା ବାପା ମାଆ ଙ୍କୁ।



Rate this content
Log in

More oriya story from Narayan chandra Senapati

Similar oriya story from Drama