Gargi Mishra

Drama Classics Inspirational

3  

Gargi Mishra

Drama Classics Inspirational

ପ୍ରତିଫଳନ

ପ୍ରତିଫଳନ

6 mins
187



             


-ଠୋ କି ପକେଇବି ଚାପୁଡ଼ାଟେ ଯେ ଏକାଥରେ ଜାଣିବୁ ମୋତେ l ତୋତେ ମୋ ରାଣ ଆଉ ଦିନେ ଏମିତି କହିଥିବୁ ଯଦି...


ବହୁତ ସ୍ନେହରେ ହିଁ ଲୋକଟିଏ ଏମିତି କହିପାରେ l 

ଆଖି ଦୁଇ ସବୁଠୁଁ ସମ୍ବେଦନଶୀଳ l ଖାସ ସେଥିପାଇଁତ ସାମାନ୍ୟ ବ୍ୟଥାରେ ସେମାନେ ଛଳ ଛଳ l 


ରାଗ ସହ ଛଳଛଳିଆ ଆଖି - ବଡ଼ମାମୁଁ ମନେ ପଡିଗଲେ l

ଠିକ ସ୍ଵରାର ବଡ଼ମାମୁଁଙ୍କ ପରି ଦିଶୁଥିବା ଗୁଲୁଗୁଲିଆ ଗାଲ ଆଉ ସ୍ନେହ ଲତପତ ମୁହଁ l ଏକ ନିଆରା ଅଭିଭାବକପଣ l ବିଶିଷ୍ଟ ପ୍ରତିଭାର ସ୍ଵାକ୍ଷର ବହନ କରୁଥିବା କର୍ମପ୍ରବୀଣ ଲୋକଟିଏ କାଳିନ୍ଦୀ ଚରଣ ମହାନ୍ତି l


ମହାନ୍ତି ବାବୁ- ତିନୋଟି ପତ୍ରିକା ଏବଂ ଦୁଇଟି ଦୈନିକ ଖବର କାଗଜର ସମ୍ପାଦକ l ବହୁ ବଡ଼ବଡ଼ କବି, ଗାଳ୍ପିକ, ସ୍ତମ୍ଭକାରଙ୍କ ସହ ଦୈନିକ ଉଠାବସା l ବହୁତ ବ୍ୟସ୍ତତା ଭିତରେ ରହନ୍ତି ବିନା କୌଣସି ଆସିଷ୍ଟାଣ୍ଟର ସାହାଯ୍ୟ ନେଇ l


ଆଜିକାଲିର ଡାଏଟିଂଗ ଯୁଗରେ ଖାଦ୍ୟକୁ ଅକୃତ୍ରିମ ଭାବେ ଭଲପାଉଥିବା ଆଉ ସ୍ତ୍ରୀଙ୍କ ହାତରନ୍ଧା ରୋଷେଇର ଏକ ନିର୍ଲଜ ବେଖାତିରପଣ ନେଇ ହାତଚାଟି ଗାରିମା ବଖାଣି ପାରୁଥିବା ବିରଳ ହୃଦୟଖୋଲା ମଣିଷଟିଏ ଏ କେ.ମହାନ୍ତି l 


ଭାଷା ଓ ସାହିତ୍ୟର ଆଦର ତାଙ୍କୁ ପୋଖତ ଲେଖକ/ ଲେଖିକାଙ୍କ

ଲେଖା ଛାପିବା ସହିତ ଫେସବୁକରେ ନୂଆ ନୂଆ ଯୁବ ପ୍ରତିଭା ମାନଙ୍କ ଲେଖାପଢିବାପାଇଁ ସମୟ କଢ଼ାଇଦିଏ l ସେଥିରୁ କିଛି ଆଗ୍ରହୀ ଗୁଣ୍ଡୁଚିମୂଷା ମାନଙ୍କ ପିଠି ଆଉଁସିଦେଇ ପ୍ରେରଣା ଦିଅନ୍ତି ସେ କେବଳ ଏକ ନିଷ୍କପଟ ଅଭିପ୍ସା ନେଇ ..


-"ମୋ ଭାଷା ବଞ୍ଚୁ, ମୋ ସାହିତ୍ୟ ଦୀର୍ଘାୟୁ ହେଉ, ମୋ ଜାତି ଆମରତ୍ୱ ଲଭୁ l ପିଲାମାନେ, ଆମେ ସମସ୍ତେ ମିଳି ମିଶି ଆଗେଇବା l ଶିକ୍ଷାକୁ ଶୀର୍ଷରେ ପହଞ୍ଚେଇବା" ଏଇ ମହାନ ଲକ୍ଷ୍ୟ ନେଇ ସେ ଜୀବନ ନୌକା ବାହୁଥାନ୍ତି l ଦିନେ ଏକ ଘଟଣା ତାଙ୍କ ଜୀବନରେ ନୂଆମୋଡ଼ ନିଏ l 


 'ସ୍ଵରା ବିଶ୍ୱାଳ' ବୋଲି ଗୃହିଣୀ ଜଣେ ଫେସବୁକରେ ଫ୍ରେଣ୍ଡ ରିକୁଏଷ୍ଟ ପଠାଇ ଥିବାର ଦେଖିଲେ ମହାନ୍ତିଏ l କିଏ ଏ? ଅଭିପ୍ରାୟ କଣ ଜଣେ ଏଡିଟରକୁ ଫ୍ରେଣ୍ଡ ରିକୁଏଷ୍ଟ ପଠାଇବାର ? ସମସ୍ତଙ୍କ ପରି ପତ୍ରିକାରେ ନିଜ ଲେଖା ବାହାର କରିବାକୁ ହି ହୋଇଥାଇପାରେ l 


ଟାଇମ ଲାଇନକୁ ଯାଇ ଦେଖିଲେ ମଧ୍ୟ ବୟସ୍କ ସ୍ତ୍ରୀ ଲୋକ, ସ୍ୱାମୀ ଓ ଦୁଇ କନ୍ୟା ସନ୍ତାନର ଜନନୀ l କିଛି କିଛି ଲେଖିଛି l ନିରପେକ୍ଷ ହୋଇ ପଢିଲେ l ଲେଖାଲେଖିରେ ରୁଚି ରଖୁଛି l ନିକଟ ଅତୀତରେ ପରିବାର ସହ ବିଭିନ୍ନ ଜାଗା ବୁଲାବୁଲି ମଧ୍ୟ୍ୟ କରିଛି l କହିଲେ, 


-କଣ ଲେଖା ଛପିବାକୁ ଇଛୁକ ? ଭ୍ରମଣ କାହାଣୀ କିଛି ଦେଇପାର l ଦେଖିବା l 


କିଛି କହିଲାନି...ଲାଗୁଥିଲା ଅନ୍ୟ କିଛି କାରଣ ପାଇଁ ସାଙ୍ଗ ହେବାକୁ ଇଛୁକ l 


ବହୁତ ଜାଣି କିଛି ନ କହିବାବି ଗୋଟେ ଶକ୍ତି l


ଗୁଣ ଚିହ୍ନେ ଗୁଣିଆ l ଲାଗୁଥିଲା ଝିଅଟି ଭିତରେ ଅସୀମ ସମ୍ଭାବନା ଅଛି l ହେଲେ କିଛି ହୁଏତ ତାକୁ ବାନ୍ଧି ରଖିଛି l ସାଧନାର ମଞ୍ଜି...... ବଳେ ଗଜୁରିବ...ଉଚିତ ସମୟକୁ ଅପେକ୍ଷା କଲେ l ପ୍ରକୃତି ସମୟ ମାଗେ l ନିଜ କାମରେ ନିମଗ୍ନ ରହିଲେ ମହାନ୍ତିବାବୁ ଏଥର l 

ହଠାତ ଦିନେ ଦେଖିଲେ ସ୍ଵରାର ମେସେଜ


- ସାର ନମସ୍କାର... ଆପଣତ ହଜାର ହଜାର ଲେଖା ପଢୁଛନ୍ତି, ଅଭିଜ୍ଞ ଲୋକ ....ମୋ ଲେଖାଟି ପଢି କହିବେ କେମିତି ଲାଗିଲା? 

ଓଃ....ସେଦିନ ଅନେକ କାମ, ଚିଡି ଲାଗୁଥାଏ ଅଯଥା ମେସେଜ ପଢି l ତା' କଥାକୁ ଗୁରୁତ୍ତ୍ୱ ନ ଦେଇ କହିଲେ ମହାନ୍ତି ବାବୁ "ସମୟ ନାହିଁ "l


 କିଛି ଯୁକ୍ତି କଲାନି l କିଛିଦିନ ଚାଲିଗଲା l 


ଆରେ... ଝିଅଟା କାଳେ ମନଦୁଃଖ କଲାକି?? 


ଶେଷରେ ପଢିଲେ l ଘରୋଇ ହିଂସା ଏବଂ ବାଦ ବିବାଦର ଶିକାର ଏକ ଗୃହିଣୀଙ୍କ କରୁଣ କାହାଣୀ l

ଲେଖା ତଳେ ସମସ୍ତଙ୍କ ମତାମତ ଦେଖିଲେ... ଏମିତି ଲୋକକୁ ଛାଡିଦେବା ଉଚିତ l ଭୟଙ୍କର ଦଶା l ସମାଜରେ ନାରୀମାନଙ୍କ ପ୍ରତି ଏପରି ହୀନ ମାନସିକତା ରଖୁଥିବା ବ୍ୟକ୍ତିଙ୍କୁ ସୁଧୁରିବା ଉଚିତ ଇତ୍ୟାଦି ଇତ୍ୟାଦି....ଓଃହୋ!! ବିଚାରୀ ..


 ଲେଖକ ସାଧାରଣତଃ ବ୍ୟକ୍ତିଗତ ଅନୁଭୂତି ମାନଙ୍କୁ ନିଜ ଲେଖାରେ ପରିସ୍ଫୁଟିତ କରିଥାନ୍ତି l ଏହା କଣ ତାର ବ୍ୟକ୍ତିଗତ ଜୀବନ? ସତରେ ତା ଦୁର୍ଦଶା କଥା ଭାବିଲେ ଦୟା ଲାଗୁଥିଲା l

ଜାଣିପାରିଲେ ତାର ଅଭିପ୍ରାୟ l


ନିକଟତର ହେବାପାଇଁ ଚେଷ୍ଟା କଲେ l କିଛି ଲେଖା ନିଜ ପତ୍ରିକାରେ ଛାପିଲେ l ସହଜରେ ବିଶ୍ୱାସ ଜିତିଗଲେ l ଧୀରେ ଧୀରେ ପରିଚୟ ବନ୍ଧୁତାରେ ପରିବର୍ତ୍ତୀତ ହେଲା l 


ଦିନେ ଲେଖିଲେ, - ମା ' ମୁଁ ବୟସରେ ତୋଠାରୁ ଅନେକ ବଡ଼ l ମୋର ତୋ ପରି ଝିଅଟିଏ ଅଛି l ମୋତେ ଖୋଲିକି କହ l ମୁଁ କିଛି ସାହାଯ୍ୟ କରିପାରେକି? ମୋ ଅଫିସ ଆଡ୍ରେସ l 

ସ୍ଵରା ଚିହ୍ନି ସାରିଥାଏ କାଳିନ୍ଦୀ ସାରଙ୍କୁ l ଦୀର୍ଘ ଦିନ ସମ୍ପର୍କରେ ରହି ଜାଣିଲା ମଣିଷ ପରି ମଣିଷଟିଏ ଇୟେ l ଏବେ ନିଶ୍ଚିନ୍ତହୋଇ ଉଦ୍ଗାରୀ ପକାଇଲା ତା' ଭିତର କଥା ଗୋଟି ଗୋଟି କରି l

ବୟସ ଥିଲାବେଳେ ତା ସୌନ୍ଦର୍ଯ୍ୟ ପାଇଁ କୁଆଡେ ତା' ବାପାଙ୍କୁ ଜାମାତା ଖୋଜି ଯିବାକୁ ପଡ଼ିନାହିଁ l


 ବର୍ତ୍ତମାନ ବୟସ ସହ ତାର ସୌନ୍ଦର୍ଯ୍ୟ ଢଳି ଗଲାଣି, ହେଲେ ଅଭିଜ୍ଞତା ତାକୁ ଜ୍ଞାନଦୀପ୍ତ କରି ତୋଳିଛି l ଜୀବନକୁ ବୁଝି ଲେଖନୀ ମାଧ୍ୟମରେ ଫୁଟାଇବା ପାଇଁ ଅବସର ଦେଇଛି l ତାକୁ କୌଣସି ସମ୍ପାଦକଙ୍କୁ ଲେଖା ପ୍ରକାଶନ ପାଇଁ ନିବେଦନ କରିବାକୁ ପଡିନାହିଁ l ବରଂ ସମ୍ପାଦକ ନିଜେ ତାର ଲେଖା ଦେଖି ଖୁସିହୋଇଛନ୍ତି l ଅନେକ ପ୍ରଶଂସା କରିଛନ୍ତି l ବୟସ ବେଳେ ରୂପ ଏବଂ ପରିପକ୍ୱ ଅବସ୍ଥାରେ ଧଳାକେଶ ସାଙ୍ଗେ ଜ୍ଞାନ- ଏ ଦୁଇଟି ସୁନ୍ଦର ମାନେ l


ଏ ଦୁଇଟି ପ୍ରକୃତି ଦତ୍ତ l ସେଥିପାଇଁ ସେ ଠାକୁରଙ୍କ ନିକଟରେ ଋଣୀ l

ଜାଣିଲେ ସ୍ଵରାର ଘରୋଇ ବିବାଦକୁ ନେଇ ଲେଖା ସବୁ ସତ l ତାର ଡିଭୋର୍ସ କେସ ଚାଲିଛି l ଏଥିପାଇଁ ନୁହେଁ କି ସ୍ୱାମୀ ଭଲ ପାଆନ୍ତି ନାହିଁ l କେବେ କେବେ ଅଧିକ ଭଲ ପାଇବାବି ତଣ୍ଟିମୂଳେ ରଶି ପରି ଲାଗେ l


ଭଲ ପାଇବାର ମାନେ ନୁହେଁ ଜଣଙ୍କୁ ସର୍ବଦା ଅକ୍ତିଆରରେ ରଖିବା l ଅନ୍ୟ କାହା ସହ କଥାହେବା କି ମନୁଷ୍ୟୋଚିତ ସହାନୁଭୂତିକୁ ଦେଖି ନ ପାରିବା... ପ୍ରତିବାଦ କଲେ ନା ତା ନିଜ ଘରଲୋକ ନା ଶାଶୁଘର କେହିବି ଶୁଣି ବୁଝିବାକୁ ନାରାଜ l ସେ ଆଉ କାହା ଆଗରେ ଏସବୁ ଜଣାଇପାରିବା ର ବିଶ୍ୱାସ ଆଉ ଭରସା ରଖୁନଥିଲା l ସେପଟେ ପିଲାମାନେ ନିର୍ଭରଶୀଳ ତା ଉପରେ l ବେଳେବେଳେ ନିରପେକ୍ଷ ବିଚାର ପାଇଁ ଅଜଣାଲୋକଙ୍କୁ ଅଧିକ ଭରସା କରିହୁଏ l 


କିଛିଦିନ ପୂର୍ଵର କଥା... ସେ ଏତେ ନିରାଶ ହୋଇ ସାରିଥିଲା ଯେ ଶେଷରେ ନିଜକଥା ପ୍ରକାଶକରି ଏ ସଂସାରରୁ ଚାଲିଯିବ ବୋଲି ଠିକ କରିଥିଲା l

କିନ୍ତୁ ଛୁଆଙ୍କ ନିରୀହ ମୁହଁ ତା ବାଟ ଓଗାଳିଲା l


ଏମିତି ଅନେକ ସ୍ତ୍ରୀ ଲୋକ ନୈରାଶ୍ୟର ଶିକାର l ଉଚ୍ଚଶିକ୍ଷିତ ହୋଇ କାମବାଲୀ ପରି ଗଧ ଖଟଣି ଖଟ l କଥାକଥାକେ ଗାଳି ଶୁଣ

ସ୍ୱାମୀଙ୍କ ପାଦର ପାଣ୍ଡୋଇ ପରି ନିରବରୁହ l ଏ କଣ ଗୋଟେ ଜୀବନ? ବର୍ତ୍ତମାନ ତା' ଲେଖା ପ୍ରକାଶ ହେଲା ପରେ ସେ ଆତ୍ମହତ୍ୟାର

ଇଚ୍ଛା ପୁରା କରିବାକୁ ନିଷ୍ପତ୍ତି ନେଇଛି ବୋଲି କାଳିନ୍ଦୀ ବାବୁଙ୍କୁ କହିଲା,


- ଆପଣ ଏ ସତକୁ ଯାହା ହେଲେ ସମସ୍ତଙ୍କ ସାମ୍ନାକୁ ଆଣିବେ l ମୁଁ ପିଲାମାନଙ୍କ ପାଇଁ ଏ ନର୍କ ଯନ୍ତ୍ରଣାରୁ ତ୍ରାହି ପାଇପାରିନି l କିନ୍ତୁ ଏ ନର୍କରେ ରହିବାବି ମୋ ପକ୍ଷରେ ସମ୍ଭବପର ନୁହେଁ l ଅନେକ ଥର ସ୍ଲୀପିଂ ପିଲସ ଖାଇ ମରିବାକୁ ଚେଷ୍ଟା କରି ବିଫଳ ହୋଇଛି l ଏତେ ସହଜବିତ ନୁହେଁ ଦୁର୍ବଳ ମାନସିକ ବ୍ୟକ୍ତିପାଇଁ ମରଣ l କେହି ଅନ୍ତରରୁ ଭଲ ପାଆନ୍ତି ନାହିଁ ତାକୁ l ନା ଘରେ ତା'ଲାଗି ଜାଗା ଅଛି ନା ଏକା ଏକା ସମାଜରେ ରହି ପାରିବାର ଦୁଃସାହସ l ନିଜ ପ୍ରାପ୍ୟଠାରୁ ବହୁତ ଅଧିକ ମିଳିଗଲେ ମଧ୍ୟ ସେ ଦ୍ରବ୍ୟର ମୂଲ୍ୟ ଧୀରେ ଧୀରେ କମିବାପରି ମନେହୁଏ l ବରଂ ଅପ୍ରାପ୍ତି ତାହାକୁ ଅନ୍ୟ ଏକ ସ୍ତରକୁ ଉଠାଇବାରେ ସକ୍ଷମ ହୋଇପାରେ l ବିବାହ ପୂର୍ବରୁ ସ୍ୱାମୀଙ୍କ ତା ପ୍ରତି ଥିବା କିଛି ବ୍ୟାକୁଳତା କିଛି ପ୍ରତିଶୃତି ନିଜ ମାନ ହଜାଇ ସାରିଥାଏ l ଏସବୁ ବିନା ଜୀବନ ଖାଲି କାଗଜର ଗ୍ରନ୍ଥ ଯାହାକୁ କେହି ପଢିବାକୁ ଇଛୁକ ନୁହେଁ l 


ଯେଉଁ ଦୁର୍ଦ୍ଦଶା ତାର ହୋଇଛି,  ଆଉ କେଉଁ ଭଉଣୀ କି ସ୍ତ୍ରୀ ସହ ନ ହେଉ l ସେତିକି ତାର ଲକ୍ଷ୍ୟ l


କାଳିନ୍ଦୀ ବାବୁଙ୍କ ଛାତି ଫାଟି ଯାଉଥାଏ...ମୁହଁରୁ ସ୍ୱତଃ ଛିଟିକି ପଡିଲା ଆକଟ କରିବାର ଶବ୍ଦ କେଇଟି l ଆଖି ଜକେଇ ଯାଇଥାଏ l କ'ଣପାଇଁ ଜଣେ ଜୀବନରୁ ଏତେ ବିମୁଖ ହୋଇପାରେ ? କଣ କରାଯାଇ ପାରିବ? ଦୁଇଟି ଝିଅ ତାର l ତାଙ୍କ ଭବିଷ୍ୟତ କଣ ହେବ? ବୁଝେଇ ବୁଝେଇ ବୁଝୁ ନଥାଏ l ଶେଷରେ କହିଲେ,


"ଠୋ କି ପକେଇବି ଚାପୁଡ଼ାଟେ ଯେ ଏକାଥରେ ଜାଣିବୁ ମୋତେ l" ତୋତେ ମୋ ରାଣ ଆଉ ଦିନେ ଏମିତି କହିଥିବୁ ଯଦି...


ସ୍ଵରାକୁ ଏମିତି ଆକଟ ପ୍ରକୃତରେ ଖୁବ ଭଲ ଲାଗିଥିଲା l ତା'ହାତକୁ ଭିଡି ଭିଡି ନେଇ ଗୋଟେ ବେଞ୍ଚରେ ବସାଇଲେ l କହିଲେ,


-ତୁ କଣ ଭାବୁଛୁ ସମସ୍ତେ ଖୁସିରେ ଅଛନ୍ତି ? ହାତ ଗୋଡ଼ କଟି ଯାଇଛି, ଅସାଧ୍ୟ ବ୍ୟାଧିର ଶିକାର ହୋଇଛୁ ନା ରାସ୍ତାରେ ଭିକ ମାଗିବାର ଦୁର୍ଦ୍ଦଶା ଆସି ଯାଇଛି ତୋର? ଆମେ ଦୁଃଖରେ ରହିବା କି ସୁଖରେ ସେଇଟା ଆମ ଚିନ୍ତାଧାରା ଉପରେ ନିର୍ଭର କରେ...


ଆଜିକାଲି ଯୁଗରେ ବଞ୍ଚିରହିବା କେତେ ସଂଘର୍ଷପୂର୍ଣ୍ଣ? ଯଦି ଟିକେ କଣ କଥା କହିବା ଫଳରେ ମନ ଭିତର ଗରମ ହାୱାର ନିଷ୍କାସନ ହୋଇ ପାରୁଛି ତେବେ ତାକୁ ସାହାଯ୍ୟ କର l ସେ ହୁଏତ ତୋତେ ଝୁରୁଥିବ l ତୁ ଲେଖାରେ ମଜ୍ଜି ତାକୁ ଭୁଲି ଯାଉଥିବୁ l ଯୁଟୋପିଆରେ ରହିବା ଭଲ ନୁହେଁ l ବାସ୍ତବ ଜୀବନର ଅସୁନ୍ଦରତାକୁ ସାମ୍ନାକର l ତା'ଭିତରେ ହିଁ ସୁନ୍ଦରତା ପାଇଯିବୁ l ଭଲ ପାଏ ଯଦି ବୁଝିବ l ତା' ସାଙ୍ଗ ହୁଅ ତାକୁ ବୁଝୁ l ସେ କଣ ଚାହେଁ? ଜୀବନରୁ କଣ ପାଇଁ ଏତେ କ୍ଷୁବ୍ଦ?


ତୁ ମୋତେ ତୋ ବଡ଼ମାମୁଁଙ୍କ ପରି ଭାବୁ... ଆଜିଠୁ ତୁ ମୋ ଭାଣିଜୀ l ଯେବେ ଇଚ୍ଛା ମୋ ଘରକୁ ଆ.. ମୋ ପରିବାରର ତୁ ଏକ ସଦସ୍ୟା l

ମୋ ସ୍ତ୍ରୀ ବହୁତ ସ୍ନେହୀ l ସେ ବି ଖୁସି ହେବେ ତୋତେ ପାଖରେ ପାଇ l


ବୁଡି ଯାଉଥିବା ଲୋକକୁ ଆଶ୍ୱାସନାର ଶବ୍ଦକିଛି ଦରକାର l ମନୋବଳ ଟିକେ ଦରକାର ଆଉ କିଛିନୁହେଁ l ସ୍ଵରା ଆଶ୍ୱାସନା ପାଇ ଲୁହ ପୋଛିଲା l 


ନିଜ ଚିହ୍ନା ଜଣା ଜଣେ ମାନସିକ ରୋଗ ବିଶେଷଜ୍ଞଙ୍କୁ ନେଇ ସ୍ଵରାର ଠିକ ଟ୍ରିଟମେଣ୍ଟ କରିବା ପରେ ସ୍ଵରା ଅନୁଭବ କଲା ନିଜ ଭିତରେ ଏକ ନୂତନ ଆଲୋକର ସ୍ଫୁରଣ l ଆଲୋକର ବିଶେଷତ୍ୱ ପ୍ରତିଫଳିତ ହେବା l

ଖୁସି ରହିଲା l ତାକୁ ଖୁସି ଦେଖି ତା' ସ୍ୱାମୀବି ନିଜେ ଖୁସିରେ ରହିଲେ l


ଘର ପୁନର୍ବାର ଜୀବନ୍ତ ଦିଶିଲା l ଡ଼ିଭୋର୍ସକେସ ବି ତାର ତା ଜାଗାରେ କେତେବେଳେ ବନ୍ଦ ହୋଇଗଲା ଜଣା ପଡିଲାନି l ନିଜ ଜ୍ଞାନ ଓ ଅନୁଭୂତିକୁ ସମ୍ବଳ କରି ଲେଖା ଲେଖିରେ ମଜ୍ଜି ରହିଲା ସ୍ଵରା l ଦେଖିଲା ପରିବାର ବାହାରେ ପରିବାରଟିଏ l ସେମାନେ ଯେମିତି ତାକୁ ବର୍ଷ ବର୍ଷରୁ ଚିହ୍ନିଛନ୍ତି l ତା ସୁଖ ଦୁଃଖରେ ପାଦ ସହ ପାଦ ମିଳାଇ ଚାଲୁଛନ୍ତି l ଏଡିଟର ମହାନ୍ତି ତାକୁ କେବଳ ନୂଆ ଜୀବନ ନୁହେଁ ତା ସାଙ୍ଗକୁ ଜୀବନର ଲକ୍ଷ୍ୟଟିଏ ମଧ୍ୟ ଦେଇଦେଲେ l 


ଦିନେ ସ୍ଵରାକୁ ତା ଜନ୍ମଦିନରେ ମ୍ୟାଗାଜିନଟିଏ ଧରେଇ ଦେଲେ ମହାନ୍ତି ବାବୁ l ସେଥିରେ କେଉଁଠୁଁ ତା ପରିପୂର୍ଣ୍ଣ ପରିବାରର ଫୋଟୋଟିଏ ପାଇ ଛାପିଥାନ୍ତି l ଏହାକୁ ଦେଖି ଖୁସିର ସୀମା ରହିଲାନି ସ୍ଵରାର l ନେଇ ଦେଖାଇଲା ଘରଲୋକଙ୍କୁ l


ସ୍ୱମୀ କହୁଥାନ୍ତି, ମହାନ୍ତି ବାବୁଙ୍କୁ ଆଉ କାହା ପରିବାର ମିଳିଲାନି ଶେଷରେ ଆମ ପରିବାରକୁ ସମାଜ ଆଖିରେ ଏକ ସୁଖୀ ଦାମ୍ପତ୍ୟର ଉଦାହରଣ କରି ଦେଖାଇଲେ ?

ଦୁଇଜଣ ହସି ହସି ଲୋଟ ପୋଟ ହେଇଥାନ୍ତି ଆଉ ପିଲାମାନେ କିଛି ନ ବୁଝି ବାପା ମା ' ଙ୍କ ହସ ଦେଖି ଆଉ ନିଜ ଫୋଟୋ ମ୍ୟାଗାଜିନରେ ବାହାରିବାର ଦେଖି ହସୁଥାନ୍ତି l ଏଡିଟର ମହାନ୍ତିଙ୍କ ପରି ଅନ୍ୟର ଜୀବନକୁ ନୂଆ ଲକ୍ଷ୍ୟ ଦେଇ ସାର୍ଥକ କରିବାର ଚିନ୍ତା ଏବେ ପ୍ରତିଫଳିତ ହେଉଥାଏ ସ୍ଵରା ଭିତରେ l


Rate this content
Log in

Similar oriya story from Drama