Madhu mita

Tragedy Classics

4  

Madhu mita

Tragedy Classics

ପ୍ରତିକ୍ରିୟା

ପ୍ରତିକ୍ରିୟା

6 mins
370


କାନ୍ଦି କାନ୍ଦି ଗଡି ଯାଉଥିଲା ରେବତୀ।ତା' ଯାଗାରେ ଆଉ କିଏ ଥିଲେ ମଧ୍ୟ ସେଇ ଅବସ୍ଥା ହିଁ ହେଇଥାନ୍ତା।ଏଇ ତ କାଲି ପରି ଲାଗୁଛି ହସଖୁସିରେ ଭରି ରହିଥିଲା ତାଙ୍କ ସଂସାର।ସକାଳୁ ସକାଳୁ ଶାଶୁ ଘଣ୍ଟି ବଜେଇ ପୂଜା କରି ଅଗରବତୀ ଆଉ ଝୁଣା ବାସନାରେ ଘର ମହକେଇ ଦେଉଥିଲେ।ବଣ୍ଟି ନିଜ ଛୋଟିଆ ପାଦରେ ଘୁରି ବୁଲୁଥିଲା ଘର ସାରା।ବିକାଶ ଭଳିକିଭଳି ଜିନିଷ ଆଉ ଉପହାର ନେଇ ଆସୁଥିଲେ କାମରୁ ଆସିଲା ବେଳେ।ଆଉ ରେବତୀ ତା' ଛୋଟିଆ ସଂସାର ଭିତରେ ଟିକେ ଫାଙ୍କା ଜାଗା ଦେଖିଲେ ସେଥିରେ ଭରି ଦେଇ ଯାଉଥିଲା ନିଜ କୁଶଳୀ ସ୍ନେହ ପରଶକୁ। ଦେଖିଲା ଶୁଣିଲା ଲୋକେ କୁହାକୁହି ବି ହେଉଥିଲେ ଆଦର୍ଶ ପରିବାରଟିଏ । ଏତେ କମ୍ ବୟସରେ ବହୁତ୍ କିଛି ପାଇଯାଇଛନ୍ତି ଦୁହେଁ।ସେମାନଙ୍କ କଥା ଶୁଣି ରେବତୀ ନିଜ ଘର ମୁଖ୍ୟ ଦୁଆର ଉପରେ ଝୁଲେଇ ଦେଇଥିଲା ଲେମ୍ବୁ ଆଉ ଲଙ୍କାର ଏକ ମାଳ ହେଲେ ବନ୍ୟାଜଳ ନିଷ୍କାସନ ପାଇଁ ମହାନଦୀର ଗେଟ୍ ଖୋଲି ଦିଆଯିବା ପରେ ହଠାତ୍ ମଣିଷ ଉଚ୍ଚା ପାଣି ମାଡ଼ି ଆସିଲା ଘର ବାରଣ୍ଡାରେ ।ପାଣିର ବେଗ ଆଉ କ'ଣ କବାଟ ବାହାରେ ସୀମିତ ରୁହନ୍ତା? ସଙ୍ଗେ ସଙ୍ଗେ ଘର ଭିତରକୁ ମଧ୍ୟ ପଶି ଆସିଲା।ପାଣିର ବେଗ ରୋକିବାକୁ କେଉଁ ସେକ୍ୟୁରିଟି ଭଲା ସକ୍ଷମ ହୁଅନ୍ତା? ପାଞ୍ଚବର୍ଷ ହେବ ଗଢି ଉଠିଥିବା ନୂଆ ସୁନ୍ଦର୍ କଲୋନୀଟା ଚାହୁଁ ଚାହୁଁ ପାଣି ଘେରରେ କୁଆଡେ ହଜି ହଜି ଆସିଲା ।

ଯେତେବେଳେ କବାଟ ଭିତର ଦେଇ ଘର ଭିତରେ ପାଣି ପଶି ଆସିଲା ସେତେବେଳେ ସିଏ ଆଉ ବିକାଶ ସାଙ୍ଗ ହୋଇ ପ୍ରଥମେ ସବୁ ଛୋଟିଆ ଜିନିଷ ଖଟ ଆଉ ସୋଫା ଉପରକୁ ବୋହି ନେଲେ।ପାଣି ଦେଖି ତା' ଶାଶୁ ଭୟରେ କାନ୍ଦି ଉଠିଲେ।ତାଙ୍କୁ ସମ୍ଭାଳିବା ମୁସ୍କିଲ ହେଉଥିଲା।ତଥାପି ତାଙ୍କୁ ବୁଝେଇ ଶୁଝେଇ ବିକାଶ ଖଟ ଉପରେ ଚେୟାର ପକେଇ ବସେଇ ଦେଲେ।ବଣ୍ଟିର ପ୍ରଥମ ଜନ୍ମଦିନ ପାଇଁ ସେମାନେ ଏଇ ନୂଆ ଘର କିଣିଥିଲେ।ନୂଆ ନୂଆ କରି ପିଲାଟା ଚାଲୁଥିଲା।ସେ ଆଉ କଣ ଖଟ ଉପରେ ଗୋଟିଏ ଜାଗାରେ ବସି ରୁହନ୍ତା? ତାକୁ କାନ୍ଧରେ ବସେଇ ରେବତୀ ଆଉ ବିକାଶ ତା' ମନୋରଞ୍ଜନ କରିବାକୁ ଚେଷ୍ଟା ଚଲେଇଥିଲେ।ହେଲେ ଘରେ ଆଣ୍ଠୁ ବୁଡିଲା ପରି ପାଣିର ସୁଅ ଅନବରତ ଚାଲିଥିଲା।ତା' ଛଡା ଦୁଇଦିନ ହେଲା ଘରେ ଇଲେକ୍ର୍ତି ନଥିଲା।ମୋବାଇଲ ଚାର୍ଜ ସରିଯିବାରୁ ବନ୍ଦ୍ ହୋଇଯାଇଥିଲା।ଟିଭି ନାହିଁ କି ମ୍ୟୁଜିକ ସିଷ୍ଟମ ମଧ୍ୟ ଚାଲୁ ନଥିଲା ଆଉ।ବିକାଶଙ୍କ ଉପରେ ଶାଶୁ ଖାଲି ଚିଡ ଚିଡ଼ ହେଉଥିଲେ।ପୁତୁରା କେତେ କହିଥିଲା ଏଇ ସୁନ୍ଦରପଦାରେ ଘର ନ କିଣି ବରଂ ପୁରୀରେ ଘରଟେ ପକେଇ ଦବାକୁ।ହେଲେ ବିକାଶ ଶୁଣିଲେନି।ପୁରୀ କେବେ ଯିବା ଯେ ଘର କିଣି ପକେଇବା? ଭୁବନେଶ୍ବରରେ ରହୁଛେ ବରଂ ଗୋଟିଏ ଥ୍ରି ବି ଆର ଘର କିଣିଦେଲେ ସବୁଆଡୁ ସୁବିଧା।ସେଇଟା ବି ସତ ଲାଗୁଥିଲା।ଏଇ କଲୋନୀଟା ନୂଆ ତିଆରି ହେଉଥିଲା।ସବୁ ଦୋକାନ ବଜାର ହାତ ପାହାନ୍ତାରେ ଥିଲା ପରି ଲାଗୁଥିଲା।ଆଉ ସେତେବେଳେ ଶାଶୁ ମଧ୍ୟ ପୁତୁରାକୁ ଦେଖେଇ କହି ହେଉଥିଲେ ତାଙ୍କ ପୁଅର ବୁଦ୍ଧି ବିବେକ କଥା।ଏତେ କମ୍ ବୟସରେ ଏତେ ବଢ଼ିଆ ଖଣ୍ଡେ ଘର କରିବା କଣ ସାମାନ୍ୟ କଥା? ସେହି କଲୋନୀର ମନ୍ଦିର ଆଉ ପାର୍କ ଏତେ ଭଲ ଲାଗୁଥିଲା ଯେ ଶାଶୁ ଆଉ ଗାଆଁ ଘରକୁ ଯିବା କଥା ଥରେ ବି ଉଠେଇ ନଥିଲେ।ହେଲେ ଦୁଇଦିନ ପାଣି ଘେରରେ ରହି ସେହି ନିଷ୍ପତ୍ତିଟା ନିହାତି ଭୁଲ ଥିଲା ବୋଲି କହି ହେଉଛନ୍ତି ।

ବିରକ୍ତ ଲାଗୁଥାଏ ରେବତୀକୁ।ବାକି କଥା ଛାଡ ରୋଷେଇ କରିବାକୁ ବହୁତ୍ ଅସୁବିଧା ହେଉଥିଲା। ଟେକାଟେକି କରି ଗ୍ରୋସରି ଜିନିଷ ସେ କବୋର୍ଡ ଭିତରେ ରଖି ଦେଇଥିଲା।ହେଲେ ସବୁ ଜିନିଷ ଉପରକୁ ଟେକି ରଖିବା କଣ ସମ୍ଭବ? ତା' ଛଡ଼ା ଗ୍ୟାସ ହାଣ୍ଡି ଅଧା ଯାଏଁ ପାଣି ଭରି ରହିଛି ଆଉ ସେ ରାନ୍ଧନ୍ତା କେମିତି? ରିଲିଫ ଦେବାପାଇଁ ଲୋକେ ଆସି ରନ୍ଧା ଖାଦ୍ୟ ଦେଉଛନ୍ତି।ହେଲେ ସେଇ ଡାଲମା ଭାତ ପରି ରିଲିଫ ଖାଦ୍ୟ କ'ଣ ବଣ୍ଟି ଖାଇ ପାରିବ? ତା' ପାଇଁ ତା' ପସନ୍ଦିଆ ଖାଇବା ଟିକକ ତିଆରି କରିବା ପାଇଁ ମା' ମନ ବିକଳ ହେଉଥିଲେ ମଧ୍ୟ ଉପାୟ ନାହିଁ।ଘର ଭିତରେ ପୁରା ଦି ଦିନ ହେବ ପାଣି ସୁଅ ଲାଗି ରହିଛି।ରାତିରେ ନିଦ ହେଉ ନଥିଲା କି ଦିନରେ ଚାଲିବାକୁ ବସିବାକୁ ଇଛା ହେଉ ନଥିଲା।ଜିନିଷ ସବୁ ଆଖି ଆଗରେ ନଷ୍ଟ ହେଉ ଥିବା ଦେଖି ମନ ଖାଲି କାନ୍ଦି ଉଠୁଥିଲା।ସେଇ ସୋଫା ସେମାନେ ଏଇ ଛ ମାସ ତଳେ କିଣିଥିଲେ।ସୁନ୍ଦରିଆ କଲର ଆଉ ଡବଲ ଫୋମ ଭରି ରହିଥିଲା। ବଣ୍ଟି ଖେଳୁ ଖେଳୁ ଯଦି ତା' ଉପରେ ଠିଆ ହେଇ ଯାଉଥିଲା ତା ହେଲେ ସମସ୍ତେ ଏକାଥରକେ ଚିଲ୍ଲେଇ ଉଠୁଥିଲେ।ହେଲେ ଆଜି ବଣ୍ଟି ଚୁପ୍ ହୋଇ ଉପରେ ବସିଛି ହେଲେ ନାଳ ପାଣି ସୋଫାକୁ ନଷ୍ଟ କରି ଚାଲିଛି କିନ୍ତୁ କେହି କିଛି କରି ପାରୁ ନାହାଁନ୍ତି ।

ଖାଦ୍ୟ ନେଇ ରିଲିଫ ବଣ୍ଟନକାରୀ ଦିନକୁ ଦି ଥର ଆସୁଛନ୍ତି।ହେଲେ ଆଉ କଣ ଅନ୍ୟ ସମୟରେ କାହାକୁ କିଛି ଖାଇବାକୁ ଇଚ୍ଛା ହେବନି ? ଶୁଖିଲା ଖାଦ୍ୟ କିଛି ବସି ଖାଉଛନ୍ତି ଯାହା।ପାଇଖାନା ଯିବା କଥା ନ କହିଲେ ଭଲ।ଏଇ ସମସ୍ୟା ଏମିତି ଆସିବ ବୋଲି କେହି କଳ୍ପନା ମଧ୍ୟ କରି ନଥିଲେ। ସରକାର ପକ୍ଷରୁ ଘୋଷଣା କରା ଯାଇଥିଲା ପ୍ରଥମେ ଚବିଶ ଗେଟ ଖୋଲାଯିବା ପରେ ଆଉ ଚାଳିଶ ଗେଟ୍ ଖୋଲାଯିବ।ପ୍ରଥମ ଥର ବେଶୀ ଅସୁବିଧା ହୋଇ ନଥିଲା।ଅଳ୍ପ ପାଣି ରାସ୍ତାରେ ଚାଲିଥିଲା।ଆଉ ଟିକେ କଲୋନୀ ବାଉଣ୍ଡରୀ ଡେଇଁ ଭିତରକୁ ଆସିଥିଲା ଗ୍ୟାରେଜ ଯାଏଁ।ହେଲେ ଦ୍ଵିତୀୟ ଥର ପାଣି ଏତେ ଜୋର୍ ଆସିଲା ଯେ ଘର ଭିତର ଦେଇ ପଶିଗଲା।ଆକଳନ ଅନୁସାରେ ଆଉ କିଛି ଘଣ୍ଟା ପରେ ପାଣି ସୁଅ କମିଯିବା ସମ୍ଭାବନା ଥିଲା।ହେଲେ ବିରାଡି କପାଳକୁ ଶିକା ଛିଡ଼ିଲା ପରି ସକାଳୁ କୁଆଡୁ କଳା ହାଣ୍ଡିଆ ମେଘ ଘୋଟିଆସି ତୁହାକୁ ତୁହା ବର୍ଷା ଆରମ୍ଭ ହୋଇଗଲା।ବାହାର ଦୁନିଆ ସହିତ ବିଚ୍ଛିନ୍ନ ହୋଇଗଲା ପରି ଲାଗୁଥିଲା।କେବଳ ମିଡ଼ିଆ ଲୋକେ ଆସି ବାହାରୁ କିଛି ଫୋଟ ଉଠେଇ ଚାଲି ଯାଇଥିଲେ।ସେମାନେ କହୁଥିଲେ ପରିସ୍ଥିତି ଆହୁରି ଖରାପ ହେଉଛି।ଲଗାଣ ବର୍ଷା ଯୋଗୁଁ ପାଣି ଖଲାସ ହେବା ବଦଳରେ ଆସ୍ତେ ଆସ୍ତେ ବଢୁଛି।ଖଟ ଉପରେ ବସି ବସି ବିକାଶ ବଣ୍ଟିକୁ ଦୁନିଆ ସାରାର ଗପ ଶୁଣେଇ ସାରିଲେଣି।ଗୋଟିଏ ଜାଗାରେ କେତେ ସମସ୍ତେ ବସି ଖାଲି ଗୋଳିପାଣି ଦେଖିବେ ? ଘରର ଛୋଟ ଜିନିଷ ପତ୍ର ସବୁ ଆର ଖଟ ଉପରେ ରଖି ଦେଇଛନ୍ତି ।

ଚା' ଟିକେ ପିଇବାକୁ ଇଚ୍ଛା କଲେ ବିକାଶ।ଆଉ ବଣ୍ଟି ମଧ୍ୟ ମ୍ୟାଗି ଖାଇବାକୁ ଇଚ୍ଛା କଲା।ରେବତୀ ଆସି ଭାରି କଷ୍ଟରେ ଗ୍ୟାସ ଲଗେଇ ଚା' ବସେଇଲା ଆଉ ମ୍ୟାଗି ତିଆରି କଲା।ପାଖରେ କ୍ୟାଣ୍ଡେଲ ଲଗେଇ ରୋଷେଇ କରୁଥିଲା ରେବତୀ।ବର୍ଷା ସହିତ ପବନ ଆସି ଲିଭେଇ ଦେଲା ସେହି ଆଲୁଅକୁ।ତଥାପି କଷ୍ଟରେ ସେତିକି ନେଇ ଆସିଲା ସେ ଖଟ ପାଖକୁ।ପେପର ଥାଳିରେ ମିଳୁଥିବା ଖାଇ ସେମାନେ ପକେଇ ଦେଉଥିଲେ।ହେଲେ ରୋଷେଇ ହେଇଥିବା ଦୁଇଟା ବାସନ ତ ଧୋଇବାକୁ ହେବ ?ଆଣ୍ଠୁଏ ପାଣିରେ ଠିଆ ହୋଇ ବାସନ ଧୋଇଲା ରେବତୀ।ଅସନା ପାଣିରେ ଗୋଡ଼ ସବୁ କୁଣ୍ଡେଇ ହେଉଥାଏ।ହେଲେ କଣ କରିବ? ଲାଇନ୍ ନଥିବାରୁ ଆହୁରି ଅସୁବିଧା ହେଉଥିଲା।ଦି ଦିନ ହେଲା ପିନ୍ଧା ଲୁଗା ବଦଳି ହୋଇନି। ଆଲମିରା ଖୋଲିଲେ କାଳେ ପାଣି ପଶିଯିବ ହେଲେ ଏବେ ମଧ୍ୟ ସେ ଭିତରେ ପାଣି ପଶି ନଥିବ ସେକଥା କିଏ କହି ପାରିବ ବିକଳ ଲାଗୁଥିଲା।ଲକ୍ଷ ଲକ୍ଷ ଟଙ୍କା ଦେଇ ମଣିଷ ଘର ତିଆରି କରିଲା ପରେ ହେଲେ ଏମିତି ଅସୁବିଧା ହେବ ବୋଲି କିଏ କାହିଁକି ଅନୁମାନ କରନ୍ତା ଭଲା? ଆପାର୍ଟମେଣ୍ଟ ଅପେକ୍ଷା ଏମିତି କଲୋନୀରେ ସିମ୍ପ୍ଲେକ୍ସ ଭଲ ବୋଲି ସମସ୍ତେ ଭାବନ୍ତି।ତା ଛଡା ଭୁବନେଶ୍ଵର ପରି ରାଜଧାନୀରେ ଭିତରେ ଏମିତି ଅବସ୍ଥା ଯଦି ହୁଏ ତେବେ କିଏ ଆଉ କଣ କରି ପାରିବ..?? ଘରେ ଶୁଖିଲା ଲୁଗା ଯାହା ଥିଲା ସେଥିରୁ ଲିଛି ଗୋଟିଏ ଟେବଲ ଉପରେ ଥିଲା। ସେଥିରୁ ଗୋଟିଏ ଆଣି ଗୋଡ଼ ପୋଛି ରେବତୀ ଦେଖିଲା ବେଳକୁ ନାଲି ନାଲି ଫୋଟକା ପରି ହୋଇ ଯାଇଥିଲା।ବୋଧେ ନାଳ ପାଣି ଯୋଗୁଁ କିଛି ଆଲାର୍ଜି ହୋଇ ଯାଇଥିଲା। ଆଣ୍ଟିସେପ୍ଟିକ କ୍ରିମ ଲଗେଇ ସେ ପାଦ ଦୁଇଟାକୁ ଷ୍ଟୁଲ ଉପରେ ରଖିଲା ।ବିକାଶ ଏତେ ଅସହାୟ କେବେ ହୋଇ ନଥିଲେ।ଏମିତିକା ଦିନ ଦେଖିବେ ବୋଲି ଭାବି ନଥିଲେ।କାହା ସହିତ ଯୋଗାଯୋଗ ହେଉ ନଥିଲା।ବାହାରେ ବର୍ଷା ହେଲେ ମଧ୍ୟ ଭିତରେ ଗୁଳୁଗୁଳି ଲାଗୁଥିଲା।ଏମିତି ଘର ଭିତରେ ପାଣି ଜମିଗଲା ଯେ ପାଣି ଛାଡ଼ିଲା ପରେ ଘରର କେତେ କ୍ଷତି ହୋଇଥିବ ସେକଥା ଭାବି ତାଙ୍କ ମୁଣ୍ଡ ଖରାପ ହୋଇ ଯାଉଥିଲା। ଏତିକିବେଳେ ଶାଶୁ କହିଲେ ଗୋଟିଏ ଜାଗାରେ ବସି ବସି ତାଙ୍କ ଗୋଡ଼ ଲାଗି ଯାଉଛି।ସେ ଟିକେ ତଳେ ଚାଲିବେ।ପାଣିରେ ଗୋଡ଼ ଖସି ଯିବାର ଭୟ ଥିଲା।ବିକାଶ ବଣ୍ଟିକୁ ଶୁଆଉଥିଲେ।ରେବତୀ ଶାଶୁଙ୍କ ହାତ ଧରି ଘର ଭିତରେ ଟିକେ ଚଲେଇଲା।ହଠାତ୍ ସେ ପାଟି କରି ଉଠିଲେ ତାଙ୍କ ଗୋଡ଼କୁ କିଛି ଗୋଟେ କାମୁଡି ଦେଇଥିଲା। ଛାଟି ଦେଲାରୁ ବିଷାକ୍ତ ସାପଟେ ଦୂରକୁ ଛିଟକି ପଡ଼ିଲା।ରେବତୀ ଶାଶୁଙ୍କ ହାତ ଧରି ଆଣି ଖଟରେ ବସେଇଲା।ବିକାଶ ଦୌଡ଼ି ଯାଇ ଗୋଟିଏ ଟୱାଲ ଆଣି ଭିଡ଼ିଦେଲେ ତାଙ୍କ ଆଣ୍ଠୁ ପାଖକୁ ଆଉ ସହାୟତା ପାଇଁ କବାଟ ଖୋଲି ବାହାରକୁ ଗଲେ। ବଣ୍ଟି ଖାଇଦେଇ ଶୋଇଥିଲା।ଶାଶୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଆଉ କିଛି ସମୟ ପରେ ଚେତାଶୂନ୍ୟ ହୋଇଗଲେ ।

ବିକାଶ ଏଣ୍ଡିଆରଏଫ ସୈନ୍ୟଙ୍କ ସହାୟତାରେ ତାଙ୍କୁ ଡାକ୍ତରଖାନା ପଠେଇଲେ।ଆମ୍ବୁଲାନ୍ସ ସହିତ ସେ ନଯାଇ ରେବତୀ ଆଉ ବଣ୍ଟିକୁ ନେବା ପାଇଁ ଘରକୁ ଫେରି ଆସିଲା ବେଳେ ହଠାତ୍ ତାଙ୍କ ଗୋଡ଼ଟା ଖସିଗଲା।ତାଙ୍କୁ ସମସ୍ତେ ଧରିବାକୁ ଚେଷ୍ଟା କଲା ସମୟରେ ପାଣି ସୁଅ ଏତେ ଜୋର୍ ଧରିଲା ଆଉ ସେ ଟିକେ କଡ଼କୁ ଖସିଗଲେ।ତା' ପରେ ଆଖି ଆଗରୁ ଉଭେଇ ଗଲେ। ଏଣ୍ଡିଆରଏଫ୍ ସୈନ୍ୟ ଆଉ ଓଡରାଫ୍ ଟିମ୍ ଖୋଜି ଚାଲିଲେ।ବୋଧେ ସେଇ କଡ଼ରେ ଥିବା ଏକ ଖୋଲା ମ୍ୟାନହୋଲ ଭିତରକୁ ସେ ଖସି ପଡ଼ିଥିଲେ।ପାଣି ଏତେ ମାତ୍ରାରେ ଭରିଥିଲା ଯେ କିଛି ବି ଜଣା ଗଲାନି।ଦି ପହରରୁ ସନ୍ଧ୍ୟା ହୋଇ ଯାଇଥିଲା।ବର୍ଷା ଆହୁରି ଜୋର୍ ହେଉଥିଲା।ହେଲେ ବିକାଶ ମିକୁ ନଥିଲେ।ଖବର ଆସିଲା ଶାଶୁଙ୍କୁ ଆଇସିୟୁରେ ଭର୍ତ୍ତି କରା ଯାଇଛି।ସର୍ପ ଦଂଶନ ସହିତ ତାଙ୍କୁ ମାଇଲ୍ଡ ହାର୍ଟ ଆଟାକ ହୋଇଥିଲା ।

ବଣ୍ଟି ସେତେବେଳକୁ କେଜାଣି କାହିଁକି ରାହା ଧରି କାନ୍ଦୁଥାଏ।ତାକୁ ଛାତିରେ ଧରି ବୁଝେଇ ଚାଲିଥିଲା ରେବତୀ।ତା ଆଖିରୁ ଲୁହଧାର ଛୁଟି ଚାଲିଥାଏ।ବିକାଶ କୁଆଡେ ଚାଲିଗଲେ…??ଭାବିଲେ ମୁଣ୍ଡ ବୁଲେଇ ଦେଉଥାଏ।ବଣ୍ଟି କାନ୍ଦି କାନ୍ଦି ପାଟି ଶୁଖି ଯିବାରୁ ରେବତୀ ତା ପାଇଁ ପାଣି ଆଣିବାକୁ ଗଲା।ଅନ୍ୟମନସ୍କ ହୋଇ ତାକୁ ଖଟରେ ବସେଇ ପାଣିନେଇ ଆସିବା ଭିତରେ ବଣ୍ଟି ତଳକୁ ଓହ୍ଲେଇ ଆସିବା ଚେଷ୍ଟା କରି ପାଣି ଭିତରେ ପଡ଼ି ଯାଇଥିଲା ।ରେବତୀ ଦୌଡ଼ି ଆସି ତାକୁ କାଖେଇ ନେଲା ଭିତରେ ମଧ୍ୟ୍ୟ ସେ କିଛି ଦୂଷିତ ପାଣି ପିଇ ଦେଇଥିଲା।ଘଂଟାଏ ଭିତରେ ତା ଦେହରେ ନାଲି ନାଲି ହୋଇ ଫଳି ଫୁଲିଗଲା। ଭୀଷଣ କଷ୍ଟ ପାଇଲା ଛୁଆଟି ଆଉ ତା ସହିତ ତାକୁ ଜ୍ଵର ମଧ୍ୟ ଆସିଲା।ସୈନ୍ୟ ସାହାଯ୍ୟରେ ସେ ତାକୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରେଇଲା ଆଉ ନିଜେ ବାହାରେ ଜଗି ବସିଲା । ଘରଟା ସେମିତି ଖୋଲା ମେଲା ହୋଇ ପାଣି ଘେରରେ ଅଲୋଡା ହୋଇ ପଛରେ ରହି ଯାଇଥିଲା ।

ବହୁତ୍ ଚେଷ୍ଟା କରି ମଧ୍ୟ ଶାଶୁଙ୍କ ଜୀବନ ବଞ୍ଚେଇ ରଖି ପାରିଲେନି ଡାକ୍ତର।ଅନେକ ଖୋଜାଖୋଜି କରିବା ପରେ ମଧ୍ୟ ବିକାଶଙ୍କ ଖବର କେହି ପାଇ ପାରିଲେନି।ଆଉ ବଣ୍ଟି !ଦୂଷିତ ପାଣି ତା ଫୁସଫୁସ ଭିତରେ ଜମାଟ ବାନ୍ଧି ଯିବାରୁ ଶ୍ୱାସରୁଦ୍ଧ ହୋଇ ସେ ମଧ୍ୟ ଅକାଳରେ ଆଖି ବୁଜିଦେଲା ।

ହସପିଟାଲ ବାରଣ୍ଡାରେ କାନ୍ଦି କାନ୍ଦି ଗଡି ଯାଉଥିଲା ରେବତୀ !

କିଛି ରିପୋର୍ଟର ବନ୍ୟାର କ୍ଷୟକ୍ଷତି ସମାଚାର ସଂଗ୍ରହ କରିବାକୁ ଆସି ତା ପାଖରେ ପହଞ୍ଚି ଯାଇଥିଲେ।ଜଣେ ରିପୋର୍ଟର ସ୍ଵାଭାବିକ ଢଙ୍ଗରେ ପଚାରିଦେଲେ"ବନ୍ୟା ଯୋଗୁଁ ହୋଇଥିବା କ୍ଷତି ପାଇଁ ଆପଣଙ୍କ ପ୍ରତିକ୍ରିୟା କ'ଣ ?"

ଶୂନ୍ୟ ଲୁହଭର୍ତ୍ତି ଆଖିରେ ରେବତୀ ମୁଣ୍ଡ ଟେକି ଟିକେ ଉପରକୁ ଚାହିଁଲା ଆଉ ହଠାତ୍ ନିଜ ମୁଣ୍ଡ ହସପିଟାଲ ବାରଣ୍ଡାରେ ଜୋରରେ ପିଟିଦେଲା ! ଚଟାଣ ସାରା ତା' ପ୍ରତିକ୍ରିୟାର ରକ୍ତଛିଟାରେ ସ୍ତବ୍ଧ ବିବର୍ଣ୍ଣ ହୋଇ ଯାଇଥିଲା ।



Rate this content
Log in

Similar oriya story from Tragedy