Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra
Participate in the 3rd Season of STORYMIRROR SCHOOLS WRITING COMPETITION - the BIGGEST Writing Competition in India for School Students & Teachers and win a 2N/3D holiday trip from Club Mahindra

Gangadhar Nanda

Children Stories Inspirational Children


4  

Gangadhar Nanda

Children Stories Inspirational Children


ପ୍ରତିଭାଶାଳୀ ମର୍କଟ

ପ୍ରତିଭାଶାଳୀ ମର୍କଟ

4 mins 136 4 mins 136


         ଅନେକଦିନ ତଳେ ଗୋଟିଏ ରାଜ୍ୟରେ ଜଣେ ଧନୀ ସାଧବ ବାସ କରୁଥିଲେ । ତାଙ୍କର ବହୁତ ଧନସମ୍ପତ୍ତି ସହ ଅନେକ ଗୁଡିଏ ବୋଇତ ଥିଲା । ସାଧବ ବର୍ଷକୁ ଥରେ ନିଜ ବୋଇତଗୁଡିକୁ ସାଙ୍ଗରେ ନେଇ ଦରିଆପାରି ମୂଲକକୁ ବଣିଜ କରିବାଲାଗି ଯାଇଥା'ନ୍ତି । ସେବର୍ଷ ମଧ୍ୟ ବଣିଜକୁ ଯିବା ଲାଗି ସାଧବ ସଜବାଜ ହେଉଥିଲେ ।

        ସାଧବଙ୍କର ସୁଦୃଶ୍ୟ ଅଟ୍ଟାଳିକାକୁ ଲାଗି ଗୋଟିଏ ଛୋଟିଆ କୁଡିଆ ଘରେ ରହୁଥାଏ ଜଣେ ବିଧବା ବୁଢୀ । ବୁଢୀର ଗୋପାଳ ନାମକ ଗୋଟିଏ ପୁଅ ବ୍ୟତୀତ ସଂସାରରେ ଆଉ କେହି ନଥାନ୍ତି । ପିଲାଦିନୁ ବାପକୁ ହରାଇଥିବାରୁ ଗୋପାଳ ବେଶ୍ ଗେଲବସରରେ ବଢ଼ିଥାଏ । ବୁଢୀ କେବେ ବି କୌଣସି କାମ କରିବାଲାଗି ପୁଅକୁ କହେନି । ଅତଏବ ଯୁବାବସ୍ଥା ପ୍ରାପ୍ତ ହେଲେ ମଧ୍ୟ ଗୋପାଳ କୌଣସି କାମ ଦାମ ନ କରି ନିପଟ ଅଳସୁଆ ଭାବରେ ଜୀବନ ଯାପନ କରୁଥିଲା । ନିକଟରେ ଥିବା ସାଧବଙ୍କ ଘରେ ବିଭିନ୍ନ ପାଇଟି କରି ବୁଢୀ ଘର ଚଳାଉଥାଏ । ଦିନକୁ ଦିନ ବୟସ ବଢୁଥିବାରୁ ବୁଢୀର ଗୋପାଳ ପାଇଁ ଚିନ୍ତା ବଢୁଥିଲା ।

' ଗୋପାଳ କେଉଁଠି କିଛି କାମଧନ୍ଦା କରି ଦି' ପଇସା ରୋଜଗାର କଲେ ମୋ ଦୁଃଖ ଯା'ନ୍ତା । ନିଜେ ମଧ୍ୟ ବାହାସାହା ହୋଇ ସୁଖରେ ସଂସାର କରି ରହନ୍ତା ।' ବୁଢୀ ସର୍ବଦା ଏଇ କଥା ଦୁଇପଦ ଭାବୁଥାଏ ।

         ଏହି ସମୟରେ ସାଧବଙ୍କର ବିଦେଶ ବାହାରିବା ଖବରଟି ଶୁଣି ବୁଢୀ ଯାଇ ସାଧବଙ୍କୁ ଦେଖା କରି ନିଜ ଦୁଃଖ ଶୁଣାଇଲା । 

' ଆଜ୍ଞା ! ପୁଅଟି ମୋର ଅଳସୁଆ ହୋଇ ବୁଲୁଛି । ଆପଣ ଯଦି ଚାହାଁନ୍ତେ , ତା ପାଇଁ କିଛି ବ୍ୟବସ୍ଥା କରିପାରନ୍ତେ ।' 

ସାଧବ ମୃଦୁ ହସି କହିଲେ , ' ଠିକଅଛି । ତାକୁ ମୋ ସାଙ୍ଗରେ ପଠାଅ । ମୋ ସାଙ୍ଗରେ ଯାଇ ବେପାର ବଣିଜ ଶିଖୁ । ତାପରେ ଦେଖିବା ।

       ଅତଏବ ଗୋପାଳ ବଣିଜ ଶିଖିବା ଉଦ୍ଦେଶ୍ୟରେ ବିଦେଶ ବାହାରିଲା । 

' ଜୀବନ ସାରା ପରିଶ୍ରମ କରି ଏତକ ରଖିଛି ; ନେଇଥା' , କାମରେ ଆସିବ ।' ଗୋପାଳ ଯିବା ପୂର୍ବରୁ ବୁଢୀ ତା' ହାତରେ ପାଞ୍ଚଗୋଟି ରୌପ୍ୟମୁଦ୍ରା ଧରାଇ ଦେଇ କହିଲା । ଗୋପାଳ ସେତକ ଧରି ବୋଇତରେ ବସିଲା । କିଛି ଦିନ ପରେ ବିଭିନ୍ନ ସ୍ଥାନରେ ବେପାର ବଣିଜ ସାରି ଶେଷକୁ ସାଧବ ଘରକୁ ଫେରିବା ପାଇଁ ପ୍ରସ୍ତୁତ ହେଲେ । ଇତି ମଧ୍ୟରେ ଗୋପାଳ କଥା ସାଧବ ପାଶୋରି ଦେଇଥା'ନ୍ତି । ହଠାତ୍ ଗୋପାଳ କଥା ମନେ ପଡିଯିବାରୁ ତାକୁ ଜଣେ ଅନୁଚର ଦ୍ଵାରା ଡକାଇ ପଠାଇଲେ ।

'ଆରେ ଗୋପାଳ ! ଏବେ ଆମେ ଏ ସ୍ଥାନ ଛାଡି ଘରକୁ ଫେରିବା । ଗତ ଛ'ମାସ ଧରି ତୁ ମୋ ସାଥିରେ ବୁଲୁଛୁ । ବେପାର ବଣିଜ କିଛି ଶିଖିଲୁ ନା ନାହିଁ ?' 

'ନାଇଁ ଆଜ୍ଞା ଶିଖିଲି ଆଉ କ'ଣ ! ଗୋପାଳ ମୁଣ୍ଡ କୁଣ୍ଡାଇବା ଅବସରରେ ସାଧବଙ୍କ ପ୍ରଶ୍ନର ଉତ୍ତର ଦେଲା । ' ଘରୁ ପାଞ୍ଚଟି ରୌପ୍ୟ ମୁଦ୍ରା ଆଣିଥିଲି । ସେଥିରେ ଏଠାରୁ କିଛି କିଣିନେଇ ଆମ ଅଞ୍ଚଳରେ ବିକିବା ପାଇଁ ଚିନ୍ତା କରୁଛି ।'

'ଚିନ୍ତା କରୁଛୁ ? ଜଲ୍‌ଦି ଯାଇ କିଛି କିଣି ପକା । ଆଉ ସମୟ ନାହିଁ ।' ସାଧବ ନିଜ ହସ ରୋକି କହିଲେ । 

ସମୁଦ୍ର କୂଳରେ ବିକ୍ରି ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପଣ୍ଯଦ୍ରବ୍ଯ ଭିତରୁ ଗୋପାଳ କିନ୍ତୁ କିଛି କିଣିପାରିଲା ନାହିଁ । ତା ପାଖରେ ଥିବା ଧନ ତୁଳନାରେ ସେଠାକାର ସମସ୍ତ ଦ୍ରବ୍ୟର ଦର ଢେର ଉଚ୍ଚା ଥିଲା । ନିରାଶ ହୋଇ ଫେରିବାକୁ ଉଦ୍ୟତ ହେଲା ବେଳକୁ ହଠାତ ତା ଦୃଷ୍ଟି ଅଦୂରରେ ଖେଳ ଦେଖାଉଥିବା ଏକ ମାଙ୍କଡନଚାଳୀ ଉପରେ ନିବଦ୍ଧ ହେଲା । ମାଙ୍କଡନଚାଳୀ ପାଖରେ ସମୁଦାୟ ଦୁଇଟି ମାଙ୍କଡ ମଧ୍ୟରୁ ଗୋଟିଏ ମାଙ୍କଡ ବିଭିନ୍ନ ଖେଳ କସରତ ଦେଖାଉଥାଏ । କିନ୍ତୁ ଅନ୍ୟଟି ସମୁଦ୍ର ଭିତରକୁ ଚାହିଁ ଚୁପ ଚାପ ବସିରହିଥାଏ । 

'ହଇହୋ ବାବୁ ! ଏ ମାଙ୍କଡଟି କାହିଁକି ଚୁପଚାପ ବସିଛି ?' କୌତୁହଳୀ ହୋଇ ଗୋପାଳ ପଚାରିଲା । 

'ସେ ମାଙ୍କଡଟିର ମାଲିକ ମରି ଯାଇଥିବାରୁ ତା ମାଲିକାଣୀ ଠାରୁୁ ମୁଁ ତାକୁ ପାଞ୍ଚଟି ରୂପା ଟଙ୍କା ଦେଇ କିଣି ଆଣିଲି । କିନ୍ତୁ ସେତକ ପାଣିରେ ପଡିଲା ଜାଣ । ସବୁବେଳେ ସମୁଦ୍ର ଭିତରକୁ ଚାହିଁ ଚୁପ ହୋଇ ବସୁଛି । ମୋ ଭାଗ୍ୟ ଖରାପ ।' ମାଙ୍କଡନଚାଳୀଟି ଉତ୍ତର ଦେଲା ।

'ମୁଁ ଏହାକୁ କିଣିବା ପାଇଁ ଚାହୁଁଛି ।' ଗୋପାଳ ପ୍ରସ୍ତାବ ଦେଲା ।

'ତୁମେ ଏହାକୁ କିଣି ନେଇପାର । ମୋର ମୂଳ ଦାମ ପାଇଲେ ମୁଁ ଖୁସିରେ ଦେଇଦେବି ।' ଅତଏବ କାରବାର ହୋଇଗଲା ।

       ଗୋପାଳ ମାଙ୍କଡଟିକୁ ଧରି ଖୁସି ମନରେ ବୋଇତକୁ ଫେରିଲା । ଗୋପାଳର ଏମନ୍ତ ବୋକାମୀ ଦେଖି ସାଧବଙ୍କ ସମେତ ସମସ୍ତ କର୍ମଚାରୀଗଣ ଅଟ୍ଟହାସ୍ୟ କଲେ । 'ବୁଢୀର ଧନ ପାଣିରେ ପଡ଼ିଲା' । ସମସ୍ତେ ନିଜ ନିଜ ଭିତରେ କୁହା କୁହି ହେଲେ । ନଙ୍ଗର ଟେକା ହେବା ପରେ ବୋଇତ ଚାଲିଲା । ସମୁଦ୍ର ଭିତରେ କିଛି ବାଟ ଯିବା ପରେ ହଠାତ ଗୋଟିଏ ସ୍ଥାନରେ ମାଙ୍କଡଟି ପାଣିକୁ ଡେଇଁ ପଡିଲା । ସମୁଦ୍ର ମଧ୍ଯରେ ମାଙ୍କଡଟି କୁଆଡେ ଯାଇ ପାରିବନାହିଁ ଭାବି ଗୋପାଳ ତାକୁ ବାନ୍ଧି ନଥିଲା । ସମସ୍ତେ ହାଏ ହାଏ କଲେ ।' ବୁଢୀର କଷ୍ଟ ଉପାର୍ଜିତ ଧନ ଏମିତି ପାଣିରେ ଗଲା !' ସମସ୍ତେ ନିଜ ନିଜ ଭିତରେ ଏଇ କଥା କଥାବାର୍ତ୍ତା ହେଉଥିବା ବେଳେ ଘଟିଲା ଏକ ଆଶ୍ଚର୍ଯ୍ୟଜନକ ଘଟଣା । ମାଙ୍କଡଟି ନିଜ ଦୁଇ ହାତରେ ଦୁଇଟି ଶାମୁକା ଧରି ବୋଇତ ଉପରକୁ ଉଠିଆସିଲା । ପରେ ପରେ ଶାମୁକା ଦୁଇଟିକୁ ବୋଇତ ଉପରେ ଥୋଇ ଦେଇ ପୁଣି ସମୁଦ୍ରକୁ ଡେଇଁ ପଡିଲା । ବାରମ୍ବାର ଏହା ଘଟିଚାଲିଲା ।

      ଇତିମଧ୍ୟରେ ମାଙ୍କଡଟିର ଏତାଦୃଶ ଆଚ଼ରଣର ଖବର କେହିଜଣେ ସାଧବଙ୍କୁ ଦେଇସାରିଥାଏ । ସାଧବ ଆଶ୍ଚର୍ଯ୍ୟ ହୋଇ ନିକଟକୁ ଆସି ଏ ସମସ୍ତ କାର୍ଯ୍ୟ ଦେଖିଲେ । କହିବା ବାହୁଲ୍ୟ , ସମସ୍ତ ଶାମୁକା ଗର୍ଭରୁ ବାହାରିଲା ମୋତି । ସମସ୍ତେ ଗୋପାଳର ଭାଗ୍ୟକୁ ପ୍ରଶଂସା କଲେ । 

       ଘଟଣାଟିର ରହସ୍ୟ ଥିଲା ଏହିପରି ; ସମୁଦ୍ର ଗର୍ଭରୁ ମୋତିଥିବା ଶାମୁକା ଗୁଡିକୁ ଉପରକୁ ଆଣିବାର କୌଶଳ , ମାଙ୍କଡଟି ତା' ପୁରୁଣା ମାଲିକ ଠାରୁ ଶିକ୍ଷା କରିଥିଲା । ସମୁଦ୍ରର କିଛି ନିର୍ଦ୍ଦିଷ୍ଟ ସ୍ଥାନରେ ଏଭଳି ଶାମୁକା ମିଳନ୍ତି । ଏ ସଂପର୍କରେ ମାଙ୍କଡଟି ସଂପୂର୍ଣ୍ଣ ଅବଗତ ଥିଲା । ଜୀବନରେ ସେ ସେତିକି ମାତ୍ର ଶିକ୍ଷା କରିଥିଲା । ସୁଯୋଗ ମିଳିବା ମାତ୍ରେ ସେ ନିଜ ପ୍ରତିଭାର ପୂର୍ଣ୍ଣ ଉପଯୋଗ କଲା ।

      ଏହାପରେ ଉକ୍ତ ମୋତିଗୁଡିକ ପାଇ ଗୋପାଳ ବହୁତ ଧନୀ ହୋଇଗଲା । ଘର ସଂସାର କରି ମା ବୁଢୀ ସହିତ ଖୁସିରେ ରହିଲା ।ଏବେ ସାଧବଙ୍କର ବୋଇତ ସଂଖ୍ୟା ଅପେକ୍ଷା ଗୋପାଳର ଅଧିକ ବୋଇତ । ମଝିରେ ମଝିରେ ଗୋପାଳ ନିଜ ମାଙ୍କଡକୁ ସାଙ୍ଗରେ ନେଇ ଶାମୁକା ଖୋଜିବାକୁ ଯାଏ । ମାଙ୍କଡର ମୃତ୍ୟୁ ବେଳକୁ ଗୋପାଳ ରାଜାଙ୍କର ମୂଖ୍ୟ ଅମାତ୍ୟ ହୋଇସାରିଥାଏ ।।


Rate this content
Log in