Nityananda Nandi

Classics Inspirational

4.7  

Nityananda Nandi

Classics Inspirational

ପ୍ରଫେସର ଦାସ୍

ପ୍ରଫେସର ଦାସ୍

6 mins
273



ଗାଆଁ ଲୋକେ ତାଙ୍କୁ ଦାସ୍ ବୋଲି ଡାକି ତାଛଲ୍ୟ କରନ୍ତି। ପ୍ରଫେସର ବୋଲି କେହି ପ୍ରାୟ ସମ୍ବୋଧନ କରନ୍ତି ନାହିଁ। ସେ କୁଆଡେ ଚରିତ୍ରହୀନ। କିଏ କେତେବେଳେ ତାଙ୍କୁ କେମିତି ଦେଖିଛି କେଜାଣି, ସେଇ ଅନୁସାରେ ତାଙ୍କ ଚରିତ୍ରର ନକ୍ସା ଆଙ୍କିଛନ୍ତି ଗାଆଁ ଲୋକମାନେ। କୁଆ ଉଡିଗଲେ ଛୁଆ ଉଡିଗଲା କହି କିଛି ଲୋକ ଅନ୍ୟ ମାନଙ୍କୁ ବୁଝେଇ ବି ଦିଅନ୍ତି, କଥାଟି ଠିକ୍ ବୋଲି। ତିନି ତୁଣ୍ଡରେ ଛେଳି କୁକୁର। ପ୍ରଫେସର ଦାସ୍ ଙ୍କ ଚରିତ୍ରକୁ ବାର ବାର ସଂହାର କରିବାକୁ ଲୋକେ କିନ୍ତୁ ପଛି ନାହାନ୍ତି। ଚରିତ୍ର ସଂହାର ଅରଣ୍ୟ ନିଆଁ ପରି। ଦେଖୁ ଦେଖୁ ସଂପୂର୍ଣ୍ଣ ଜଙ୍ଗଲଟା ଛାର ଖାର ହେଇଯାଏ। ସାଥିରେ ବନ୍ୟଜନ୍ତୁ ବି। ସତ ମିଛ ପାଦ ଚିହ୍ନର ଭିଡ ଭିତରେ ସତକୁ ଆଉ ବାରି ହୁଏନି ଜଳାପୋଡା ପାଉଁଶିଆ ଭୂଇଁ ଉପରେ...

ଶ୍ରୀ ଦାସ୍ ବି ଜଣେ ଅଦ୍ଭୁତ ବ୍ୟକ୍ତି ବିଶେଷ। ନା ପ୍ରତିରୋଧ ନା ପ୍ରତିକ୍ରିୟା। ଚେଷ୍ଟା କରିଥିଲେ ନିଜ ପକ୍ଷ ସେ ରଖି ପାରିଥାନ୍ତେ।

ସେ ବୋଧେ ଜାଣି ନ ଥିଲେ ଯେ ତାଙ୍କ ପଛରେ ଲୋକେ ଏତେ ଗାଳି ଗୁଲଜ କରନ୍ତି ବୋଲି।


ସହର ଉପକଣ୍ଠ ରେ ବଳଭଦ୍ର ପୁର ଗାଆଁ। ପାହାଡକୁ ଯୋଡି ଯାଇଥାଏ ଗାଆଁ ଟି। ଏକ ସୁନ୍ଦର ଭିଲା ଭିତରେ ଏକା ରହନ୍ତି ପ୍ରଫେସର ଦାସ୍। ପଶ୍ଚିମାଭିମୁଖୀ ବାଲକୋନୀରେ ବସି ସୂର୍ଯ୍ୟାସ୍ତ କୁ ଅନେଇ ରହନ୍ତି ବୋଲି ଲୋକେ କହନ୍ତି। ଦିନସାରା ଘର ଭିତରେ ହିଁ ରହନ୍ତି। ଅତିକ୍ରାନ୍ତ ବୟସ। କଣ କରନ୍ତି କେଜାଣି। ନା କେହି ତାଙ୍କୁ ଡାକନ୍ତି ନା ତାଙ୍କ ଘରକୁ କେହି କେବେ ଆସିଛି। ବିବାହ ବି କରି ନାହାନ୍ତି ବୋଲି ସମସ୍ତେ କହନ୍ତି। ସେ କୁଆଡେ ସିଗାରେଟ ପିଅନ୍ତି, ଅତ୍ୟଧିକ ନିଶାଦ୍ରବ୍ୟ ସେବନ କରନ୍ତି। କିଏ କେତେବେଳେ ତାଙ୍କ ଚରିତ୍ର ବାବଦରେ କୁତ୍ସିତ ବର୍ଣ୍ଣନା କରିଥିଲା କେଜାଣି ତାଙ୍କ ଅବସର ପରେ ଜନ୍ମ ଗ୍ରହଣ କରିଥିବା ତଥା କଥିତ  ଗାଆଁର ଯୁବକମାନେ ମଧ୍ୟ ଦାସ୍ ବୋଲି ତାଙ୍କୁ ସମ୍ବୋଧନ କରନ୍ତି। ପାହାଡିଆ ଗାଁ'ର ଅସଂଖ୍ୟ ଫୁଲର ଏଇ ଭିଡ ଭିତରେ କୋଉ ଫୁଲଟି ବାସୁଛି ଜାଣିବା ଏତେ ସମ୍ଭବ ନୁହେଁ। ଖୋଜୁ ଖୋଜୁ କିଛି ଫୁଲ ପାଦ ତଳେ ଚକଟି ଯାଏ। ଆଉ କିଛି ଫୁଲ ଭିତରେ ସୁଗନ୍ଧ କୁ ଆମେ ଖୋଜି ବୁଲୁ, ଯେଉଁଠି ଦୂର ଦୂର ପର୍ଯ୍ୟନ୍ତ ସୁଗନ୍ଧର ଠିକଣା ବି ନ ଥାଏ। ଚରିତ୍ର ଫୁଲର ସୁଗନ୍ଧ ପରି। ଭିଡ ଭିତରେ ଖୋଜି ପାଇବା ଏତେ ସହଜ ନୁହେଁ। 


ସମସାମୟିକ ସେଇ ଗାଁର କିଛି ଲୋକ କହନ୍ତି ଦାସ୍ ଇଂରାଜୀ ପ୍ରଫେସର ଥିଲେ ସହର ଅପର ପାର୍ଶ୍ଵରେ ଥିବା ସରକାରୀ ଇଉ ଜି ମହାବିଦ୍ୟାଳୟରେ। ଇଂରାଜୀରେ କୁଆଡେ ଭାରି କମାଣ୍ଡ ଥିଲା ତାଙ୍କର। କ୍ଲାସ ସାରିବା ପରେ ରାସ୍ତାରେ କୋଉଠି ଅନ୍ୟ କାହା ସହିତ ଗପ ସପ ମାରିବା କେହି ଦେଖି ନାହାନ୍ତି। ସିଧା ଯାଇ ଘର ଭିତରେ ପଶି ଯାଆନ୍ତି ବୋଲି ସେ ସମୟର ଲୋକେ ଗପନ୍ତି।

ସେତେବେଳେ ସେ କୁଆଡେ ଯୁବକ ଥିଲେ। ଦିନେ ରାତି ଏଗାର ଟାରେ ତାଙ୍କ ଘରୁ ଅତି କର୍କଶ ଭାବେ ଗାଳି ଗୁଲଜ କରି ବାହାରି ଯାଉଥିଲେ ଜଣେ ମହିଳା। ଦେଖିଥିବା ଲୋକ ଜଣଙ୍କ ଗାଆଁ ସାରା କଣ କହିଥିଲା କେଜାଣି ପ୍ରଫେସର ଦାସଙ୍କ ଚରିତ୍ର ସମ୍ପୂର୍ଣ୍ଣ କ୍ଷତାକ୍ତ ହେଇଯାଇଥିଲା ସେଇ ଦିନରୁ। ଖାଲି ଅନ୍ଧାରଟା ରାତିର କାରଣ ନୁହେଁ। ମନରେ ଈର୍ଷ୍ୟା, ବିଷାଦ, ଘୃଣା ଭରିଗଲେ ଆଖି ଆଗରେ ସହରଟା ରାତି ପରି ଅନ୍ଧାରିଆ ଲାଗେ। ଚରିତ୍ର ପ୍ରମାଣ ପତ୍ର ବାଣ୍ଟିବା ଏତେ ସହଜ ନୁହେଁ..ପ୍ରଫେସର ଦାସ୍ କିନ୍ତୁ ଅଚାନକ ବିକୃତ ଅନ୍ଧାରିଆ ଚିନ୍ତାଧାରା ଯୁକ୍ତ ରାତି ଭିତରେ ହଜିଗଲେ ସବୁଦିନ ପାଇଁ।


ଅବସର ପରେ ସେ କୁଆଡେ ଚେଷ୍ଟା କରିଥିଲେ ଜଣେ କାମ ବାଲି କୁ ରଖିବେ, ଘର କାମ ପାଇଁ। କେହି ବୋଧେ ରାଜି ହେଇ ନ ଥିଲେ ଭୟରେ, ଜଣେ ଚରିତ୍ରହୀନ ଙ୍କ ଘରେ କେମିତି କାମ କରିବ !! ପନ୍ଦର ବର୍ଷ ହେବ, ଯୁବକଟିଏ କାମ କରି ଆସୁଛି ନିରନ୍ତର ଭାବରେ। ଲୋକେ ତା ସହିତ ବି ଗପିବାକୁ ଘୃଣା କରନ୍ତି, କାରଣ ସେ ଜଣେ ଚରିତ୍ରହୀନଙ୍କ ଘରେ କାମ କରୁଛି। କେହି କିଛି ପଚାରିଲେ ସେ ବି କିଛି କହିବାକୁ ପସନ୍ଦ କରେନି। ପ୍ରଫେସର ଦାସ୍ ଙ୍କ ସମାଲୋଚନା କୁ ବିରୋଧ କରିବାକୁ ସାହାସ ବି କରେନି। ଭାରି କଷ୍ଟ ହୁଏ ଗୋପାଳ କୁ। ଅସତ୍ୟ ସହର ଭିତରେ ସତ ଟା ପାଣିରେ ଚିନି ପରି। ମିଳେଇଯାଏ କ୍ଷଣକ ଭିତରେ, ଫେରି ପାଇ ହୁଏନି ସତର ସେଇ ନିଜତ୍ବକୁ। ପରିପକ୍ଵ ଗୋପାଳ ମଉନ ରହିବାକୁ ଶ୍ରେୟ ମନେ କରେ।


ସେଦିନ ସବୁଦିନଠୁ ଟିକିଏ ଅଲଗା ଥିଲା। କଳ କଳ ନାଦରେ ବହୁଥିବା ପାହାଡି ଝରଣା ବି ମଉନ ଥିଲା, କାହିଁକି କେଜାଣି। ଗାଆଁ ପାଖ ଜଙ୍ଗଲ ବି ନିସ୍ତବ୍ଧ। ଘର ପାଖ ପାହାଡ ବି ମୁହଁ ତଳକୁ କରି ବସିଛି। ଯେମିତି କି କାହାକୁ ମୁଖାଗ୍ନି ଦେଇ ଫେରିଛି ସେ ଶ୍ମଶାନରୁ।

ଗୋପାଳ ସହରକୁ ଯାଇ ଆଇସ ଚାମ୍ବର ନେଇ ଆସିଛି । ପ୍ରଫେସର ଦାସ୍ ଙ୍କ ମୃତ ଶରୀରକୁ ରଖିଛି ତା ଭିତରେ। ଘର ଆଗ ଲନ୍ ଉପରେ ରଖିଛି ସେ କାହା ପାଇଁ କେଜାଣି। ଗାଆଁରେ କେହି ଜଣେ ମରିଗଲେ ସମସ୍ତେ ଆସି ଶେଷ ଦର୍ଶନ କରନ୍ତି। ତାହା ହିଁ ତ ଭାରତୀୟ ସଂସ୍କୃତି। ଏଠି କିନ୍ତୁ ବ୍ୟତିକ୍ରମ କାହିଁକି ?

ତାଙ୍କ ପୂର୍ବ ପୁରୁଷ କୋଉଠି ରହନ୍ତି କେହି ଜାଣି ନ ଥିଲେ ବି ପ୍ରଫେସର ଦାସ୍ କିନ୍ତୁ ଅପରିଚିତ ଗୋଟାଏ ଗାଆଁକୁ ନିଜ ଗାଁ ବୋଲି ମାନି ନେଇଥିଲେ ମୃତ୍ୟୁ ପର୍ଯ୍ୟନ୍ତ। ପ୍ରତିଦାନରେ କିନ୍ତୁ ପାଇଲେ କଣ। ଯିବା ଆସିବା ରାସ୍ତାରେ ପାଚେରି ଉପରେ ମୁହଁକୁ ଉଠେଇ ମୃତ ଶରୀରକୁ ସମସ୍ତେ ଦେଖୁ ଯାଉଥାନ୍ତି ସତ, କିନ୍ତୁ ଘୃଣାରେ !! ଗୋପାଳ ଫୁଲ ଆଣି ସଜାଉ ଥାଏ ସେଇ କାଚ ବାକ୍ସ କୁ। ଆଖିରେ ଆଖିଏ ପାଣି ତା ସ୍ବପ୍ନକୁ ଧୋଇ ନେଲା। ଆଖି ଆଗରେ ପାହାଡ, ଆକାଶ, ଫୁଲ ସବୁ କିଛି ମିଛ ଲାଗୁଥାଏ ଗୋପାଳକୁ। କାଲିଠୁ ଅନ୍ଧାର ହିଁ ଅନ୍ଧାର। କିଏ ତାକୁ ସାହାରା ଦେବ କେଜାଣି !!!


ସକାଳ ହେଲା, ଅଚାନକ ଲୋକାରଣ୍ୟ। ଗାଆଁ ଲୋକେ ଆସି ଆଗ୍ରହରେ ଛିଡା ହେଲେ ପାଚେରୀ ପାଖରେ। ସାରା ଜୀବନ ଏକା ବିତେଇଥିବା ଲୋକର ଏତେ ଚିହ୍ନା ଜଣା ପୁଣି କୋଉଠୁ ଆସିଲେ। ଅବାକ୍ ସମସ୍ତେ। ଭାବ ବିହ୍ୱଳ ପରିବେଶ। ସମସ୍ତେ ନୀରବ, ନିସ୍ତବ୍ଧ। ଭିଡ ଭିତରୁ କେହି ଜଣେ ଅଭିଭାଷଣ ଦେଲେ ପ୍ରଫେସର ଦାସ୍ ଙ୍କ ଆତ୍ମାର ସଦ୍ଗତି ପାଇଁ।


ବନ୍ଧୁଗଣ !

ପ୍ରଫେସର ଦାସଙ୍କ ମୃତ୍ୟୁରେ ଆମେ ସମସ୍ତେ ମର୍ମାହତ। ଆମେ କେହି କାହାକୁ ଭଲ ଭାବେ ଚିହ୍ନି ନ ଥିଲେ ବି ପ୍ରଫେସର ଦାସ ଙ୍କ ଛାତ୍ର ହିସାବରେ ଗୋଟାଏ ଅଦ୍ଭୁତ ସମ୍ପର୍କ ଭିତରେ ଆମେ ସମସ୍ତେ ଜଡି ହେଇ ଯାଇଛୁ। ଆମେ ଆଜି ଗୋଟେ ପରିବାର। ସେ ଆମ ଅଭିଭାବକ ଥିଲେ। ସାର୍ ବୋଧେ ଗୋପାଳକୁ କହିଥିବେ ମୋ ମୃତ୍ୟୁ ପରେ ଏଇ ମାନଙ୍କୁ ଯୋଗାଯୋଗ କରିବୁ, ନିଶ୍ଚୟ ଆସି ମୋତେ କାନ୍ଧ ଦେବେ ଗାଆଁ ମଶାଣି ପର୍ଯ୍ୟନ୍ତ। କଲେଜରେ ଫିଜ୍ ଦେବାପାଇଁ ଅସମର୍ଥ ଆମ ପରି ପିଲା ମାନଙ୍କୁ ଆର୍ଥିକ ସହାୟତା ଦେଇ ଆମ ହାତ ଧରି ଆପାତତଃ ଉପର ପାହାଚ ପର୍ଯ୍ୟନ୍ତ ଉଠିବାରେ ସାହାଯ୍ୟ କରିଛନ୍ତି ଆମ ଦାସ୍ ସାର୍। 

ଯୁବକ ଅବସ୍ଥାରେ ବାପା ମାଆଙ୍କୁ ହରେଇବା ଓ ଠିକ୍ ପରେ ପରେ ତାଙ୍କ ଜୀବନରେ ଅଚାନକ ପଶି ଆସି ପ୍ରତାରଣା କରି ବର୍ଷା ମାମ୍ ଙ୍କ ବିଦାୟ ତାଙ୍କୁ ଅସହାୟ କରିଦେଲା। ସମୟ ସମୟରେ ଆମେ ତାଙ୍କୁ ଭେଟିବାକୁ ଆସୁ। ସେ ଭାରି ଖୁସି ହୁଅନ୍ତି। ଠିକ୍ ଅବସର ପରେ ମୁଁ ତାଙ୍କୁ ଥରେ ଭେଟିଥିଲି। ତାଙ୍କର ଭାରି ଇଛା ଥିଲା ଗାଆଁ ଲୋକଙ୍କ ସାଥିରେ ମିଳା ମିଶା କରିବେ। କ୍ଷୋଭ ପ୍ରକାଶ କରି କିନ୍ତୁ କହୁଥିଲେ, ମୁଁ କୁଆଡେ ଜଣେ ଚରିତ୍ରହୀନ ମଣିଷ। ଗାଆଁରେ କେହି ମୋତେ ଭଲ ପାଆନ୍ତି ନାହିଁ।


ବନ୍ଧୁଗଣ ! ସେ ହୀରାମୁଣ୍ଢା ପରି ପବିତ୍ର। ପ୍ରତିଦିନ କଲେଜରେ ବୁଲି ବୁଲି ସମସ୍ତଙ୍କ ଟିଫିନ୍ ବାକ୍ସକୁ ଅନୁଧ୍ୟାନ କରୁଥିଲେ ସେ। ଟିଫିନ୍ ବାକ୍ସ ଭିତରେ ଲୁଚି ରହିଥିବା ଗରିବୀ କୁ ଆବିଷ୍କାର କରିବା ଏତେ ସହଜ ନ ଥିଲା ତାଙ୍କ ପାଇଁ। ସେ କିନ୍ତୁ ରୋଟି ପିଆଜ ଆଉ ରୋଟି ପନିର ଭିତରେ ପାର୍ଥକ୍ୟ ବାରି ପାରୁଥିଲେ ବୋଧେ। ଏମିତି ପ୍ରତିଦିନ ବୁଲି ବୁଲି ଅତି ଦରିଦ୍ର ଶିକ୍ଷାର୍ଥୀ ମାନଙ୍କୁ ଚୟନ କରୁଥିଲେ ଆମ ଦାସ୍ ସାର୍। କଲେଜ ଫିଜ ପାଖରୁ ଆରମ୍ଭ କରି ମାଗଣାରେ ପଢେଇବା ପର୍ଯ୍ୟନ୍ତ ସମସ୍ତ ଦାୟିତ୍ବ ବହନ କରୁ ଥିଲେ ସେ। ମୁଁ ଭାରି ଗରିବ ଥିଲି। ଦିନେ ବୁଲୁ ବୁଲୁ ପଚାରିଲେ ତମ ଟିଫିନ୍ ବାକ୍ସ ?? ସେଦିନ ଆମ ଘରେ କିଛି ନ ଥିଲା। ତାଙ୍କ ପ୍ରଶ୍ନ ଶୁଣି ମୁଁ କାନ୍ଦି ପକେଇଲି। ମୋତେ ପାଞ୍ଚ ଟଙ୍କା ଦେଇ କହିଲେ, ଯା ପାଖ ହୋଟେଲରୁ ଖାଇ ଆସିବୁ। ତା ପରଠୁ ମୋର ସମସ୍ତ ପଢ଼ା ଖର୍ଚ୍ଚ ସେ ବହନ କରିଥିଲେ। ଖାଲି ମୋ ପାଇଁ ନୁହେଁ, ଆମେ ସମସ୍ତେ ଯେଉଁ ମାନେ ଏଠି ଉପସ୍ଥିତ ଅଛନ୍ତି ସମସ୍ତଙ୍କୁ ସେ ସାହାଯ୍ୟ କରିଛନ୍ତି ପଢା ପଢ଼ିରେ। ଆମେ ସବୁ ଆଜି ଯିଏ ଯେଉଁଠି ଅଛୁ, କେବଳ ତାଙ୍କରି ପାଇଁ। 

ହଁ, ଆଉ ଗୋଟେ କଥା, ଗାଆଁ ଯୁବକଙ୍କ ପାଇଁ ଉତ୍ସର୍ଗ କରି ଯାଇଛନ୍ତି ସେ ତାଙ୍କ ଘରଟିକୁ। ନାଁ ରଖିଛନ୍ତି ବିବେକାନନ୍ଦ ଲାଇବ୍ରେରୀ। ତଳେ ଥିବା ୱାଚମେନ୍ କୋଠରୀକୁ ସେ ଉଇଲ କରି ଦେଇ ଯାଇଛନ୍ତି ସେ ଗୋପାଳ ନାଆଁ ରେ। ସେ ହିଁ ଲାଇବ୍ରେରୀ ର ରକ୍ଷଣାବେକ୍ଷଣ କରିବ। 

ବନ୍ଧୁଗଣ ! ଆଜି ଏଇ ଶୋକାକୁଳ ମୁହୂର୍ତ୍ତରେ ଗୋଟାଏ ଶପଥ ନେବା ଆମେ ଆମ ଜୀବନରେ ଅତି କମରେ ଗୋଟାଏ ଗରିବ ଛାତ୍ରକୁ ପାରୁ ପର୍ଯ୍ୟନ୍ତ ସାହାଯ୍ୟ କରିବା। ପ୍ରଫେସର ଦାସ୍ ଯେତେବେଳେ ଆମ ସମସ୍ତଙ୍କ ଦାୟିତ୍ଵ ନେଇ ପାରିଲେ ଆମେ କାହିଁକି ଜଣଙ୍କର ଦାୟିତ୍ଵ ନେଇ ପାରିବାନି ???? ତେବେ ଯାଇ ବାସ୍ତବରେ ତାଙ୍କ ଆତ୍ମାର ସଦ୍ଗତି ହେବ। କରତାଳିରେ ଭରିଗଲା ପରିବେଶଟି।


କାନ୍ଧରେ ପ୍ରଫେସର ଦାସ୍ ଙ୍କ ମୃତ ଶରୀର କୁ ନେଇ ତାଙ୍କର ପ୍ରତି କୋଠରୀ ଭିତରକୁ ପଶିଲେ ସେମାନେ। ପଛେ ପଛେ ଗାଆଁ ଲୋକ ବି ପଶିଗଲେ ଭିତରକୁ ଆଗ୍ରହର ସହିତ ଜାଣିବା ପାଇଁ କି ଘର ଭିତରେ କଣ ଅଛି । ଏତେ ବଡ ଘର ଭିତରେ ଖାଲି ବହି ହିଁ ବହି। ବିବେକାନନ୍ଦଙ୍କ ଠୁ ଆରମ୍ଭ କରି ଆଇନଷ୍ଟାଇନ, ସୁବାସ ବୋଷ, ମହାତ୍ମାଗାନ୍ଧୀ, ପ୍ରେମଚାନ୍ଦ, ରାମକୃଷ୍ଣ ପରମହଂସ ପର୍ଯ୍ୟନ୍ତ ସମସ୍ତଙ୍କ ଜୀବନ କଥା। ବଡ ରୁମ ଭିତରେ ଗୋଟାଏ କାନ୍ଥରେ ବର୍ଷାଙ୍କ ୱାଲ୍ ପେଣ୍ଟିଂ। ଲେଖା ଅଛି ଆଇ ମିସ୍ ଇଉ ବର୍ଷା। କିଚେନ୍ ରୁମ ଭିତରେ ଗୋଟେ ପ୍ରେସର କୁକର, ଗୋଟାଏ କଢ଼ା, ଗୋଟାଏ ପ୍ଲେଟ, ଦୁଇଟି କଟୋରା ବାସ୍। ଆଉ ଗୋଟେ କୋଠରୀ ଭିତରେ ଦୁଇଟି ପ୍ୟାଣ୍ଟ, ଦୁଇଟି ସାର୍ଟ ଓ ଗୋଟାଏ ବ୍ଲେଜର। ଲାଗୁଥିଲା ଯେମିତି ଅନେକ ଦିନରୁ ପିନ୍ଧା ହେଇନି। ଠାକୁର ଘରେ ଗୋଟେ ଫୋଟୋ ରହିଛି। ବୋଧେ ତାଙ୍କ ବାପା ବୋଉ ଙ୍କ .. କାହିଁ ସିଗାରେଟ ପାକେଟ, ନିଶା ଦ୍ରବ୍ୟର ନାଁ ଗନ୍ଧ ତ ନ ଥିଲା।

ସରଳତାର ବହୁତ ବଡ ଜାହାଜରେ ପାଣି ପଶି ପାରେନି ଏତେ ସହଜରେ। ପ୍ରଚଣ୍ଡ ସାମୁଦ୍ରିକ ଝଡ ପରେ ବି ମୁଣ୍ଡ ଟେକି ଭାସେ ଅକ୍ଷତ ଜାହାଜଟି। ପ୍ରଫେସର ଦାସ୍ ଙ୍କ ଶାନ୍ତ ସରଳ ସ୍ଵଭାବ ର ବାସ୍ନାରେ ମହକୁ ଥିଲା ତାଙ୍କ ଘରଟି, ତାଙ୍କ ମୃତ୍ୟୁ ପରେ ବି।  

ରାମ୍ ନାମ୍ ସତ୍ୟ ହେ... 

ଛାତ୍ର ମାନେ ଚାଲିଥାନ୍ତି ମଶାଣି ଆଡକୁ। ଲାଗୁଥିଲା ଯେମିତି ଯାହାର କେହି ନାହାନ୍ତି, ସମସ୍ତେ ହିଁ ତାଙ୍କର। ପ୍ରଫେସର ଦାସ୍ ଙ୍କ ମୃତ ଶରୀର ପଛରେ ଲୋକାରଣ୍ୟ। ଛୋଟ ଛୋଟ ଛୁଆଙ୍କ ଠୁ ଆରମ୍ଭ କରି ଗାଆଁ ରେ ପ୍ରତିଟି ଯୁବକ, ଯୁବତୀ ଏବଂ ବୁଢ଼ା ବୁଢୀ ଚାଲି ଥାଆନ୍ତି ତାଙ୍କ ପଛେ ପଛେ। ସମସ୍ତଙ୍କ ଆଖିରୁ ଲୁହର ବିସ୍ଫୋରଣ ଆହୁରି ଭାବବିହ୍ୱଳ କରୁଥିଲା ଶୋକାକୁଳ ପରିବେଶ କୁ।

ଆପାତତଃ, ମୃତ୍ୟୁ ପରେ ମଣିଷକୁ ସମସ୍ତେ ଚିହ୍ନି ପାରନ୍ତି, ସତ ପରି ଲାଗୁଥିଲା କଥାଟି। ସମସ୍ତେ ଏକ ସ୍ଵରରେ ଉଚ୍ଚାରଣ କରି ଚାଲିଥିଲେ ଆଗକୁ... ରାମ୍ ନାମ୍ ସତ୍ୟ ହେ ।



Rate this content
Log in

Similar oriya story from Classics