Nityananda Nandi

Classics Inspirational

4  

Nityananda Nandi

Classics Inspirational

ପରିଚୟ

ପରିଚୟ

6 mins
314



ଲୋକାଲ ଟ୍ରେନ ଟା ପ୍ରାୟ ସବୁଦିନ ପାଞ୍ଚ ମିନିଟ୍ ଆଗରୁ ପହଞ୍ଚେ ଆମ ଗାଁ ପି ଏଚ୍ ରେ। ଘରୁ ଟିକେ ତରବର ହେଇ ବାହାରି ଆସିଲୁ, ପାଞ୍ଚ ମିନିଟ୍ ରାସ୍ତା ପାଦରେ ଚାଲି ଆସିବାକୁ ହେବ, ପୁଣି ଚାଷ ଜମି ହିଡ ଉପର ଦେଇ। ଗାଆଁରୁ ଷ୍ଟେସନ ଯାଏ ଯାଇଥିବା କଂକ୍ରିଟ ରାସ୍ତାରେ ଚାଲି ଚାଲି ଗଲେ ଟ୍ରେନ ଫେଲ୍ ହେବାଟା ସୁନିଶ୍ଚିତ। ପନ୍ଦର ମିନିଟରୁ ଅଧିକ ଲାଗେ। ମାନସୀ ମୋ ଝିଅ, ଷ୍ଟାଫ୍ ନର୍ସ ପରୀକ୍ଷାରେ ଓଡ଼ିଶାରେ ପ୍ରଥମ ଆସିଛି। ଆଜି ସେ ଚାକିରୀରେ ଜଏନ କରିବ, ହରିଦାସପୁର୍ ଗାଆଁ ଡାକ୍ତର ଖାନାରେ। ଭାରି ଖୁସି ଆଜି ମାନସୀ।

 

ମୁଁ ବି ଖୁସି, ଅପେକ୍ଷାର ଅନ୍ତ ହେଲା। ପଢା ସାରି ଘରେ ଏମିତି ବସିଥିଲା ବୋଲି ଭଲ ପ୍ରସ୍ତାବ ମଧ୍ୟ ଆସୁ ନ ଥିଲା ମାନସୀ ପାଇଁ। ଏବେ ଧାଡିରେ ଲାଗିବେ ବର ସବୁ। ଆଜି କାଲି ଗାଆଁ ଗହଳିରେ ପୁଣି ଚାକିରିଆ ଝିଅ। ଦିଗବଳୟ ବ୍ୟାପୀ ପାହାଡ ପାଖ ଅଳସି କ୍ଷେତ ଭିତରେ ସୋରିଷ କ୍ଷେତର ସୋନ୍ଦର୍ଯ୍ୟ ନିଆରା। ଆଖି ଆକର୍ଷିତ ହେଇଯାଏ ସୋରିଷ କ୍ଷେତ ଆଡକୁ। କେତେ ନଗଣ୍ୟ ହେଇଯାଏ ଅଳସୀ ଫୁଲ। ମୋ ଝିଅର ଚାକିରୀ କଥା ଜଙ୍ଗଲ ନିଆଁ ପରି ବ୍ୟାପି ଯାଇଥାଏ ଆମ ପଂଚାୟତ ସାରା। ସମସ୍ତଙ୍କ ଦୃଷ୍ଟି ମୋ ଝିଅର ସଫଳତା ଉପରେ ।


ଷ୍ଟେସନ ଆସି ଦେଖିଲୁ ଦଶ ମିନିଟ ଲେଟରେ ଆସିବ ରେଳ ଗାଡି। ମାନସୀକୁ ବସେଇ ଦେଇ ପାନ ଖାଇବାକୁ ଗଲି। ସାଧାରଣ ଭାବେ ଦିନରେ ମୁଁ ଦୁଇଟି ପାନ ଖାଏ। ମନ ଏତେ ଖୁସି ଥିଲା ଯେ ପାଞ୍ଚଟି ପାନ ଅର୍ଡର କଲି। ଗାଡି ଆସି ଏକ ନମ୍ବର ପ୍ଲାଟଫର୍ମ ରେ ଛିଡା ହେଲା। ପାଖା ପାଖି ଦୁଇଟି ସିଟ ପାଇ ଆମେ ବସି ପଡିଲୁ।


ମୁଁ ଭାରି ଖୁସି ବୋଲି ମାନସୀ ଅନୁଭବ କରୁଥାଏ। ପଚାରିଲା ବାପା ! ଏତେ ଖୁସି କାହିଁକି ? ମୋତେ ବାହା ଦେବ ବୋଲି ଦୁଇ ବର୍ଷ ହେଲା ରାତିରେ ତୁମକୁ ନିଦ ହେଉନି। ବାହାଘର ପରେ ତୁମକୁ କଣ ମୁଁ ସାହାଯ୍ୟ କରି ପାରିବି ??? ଚାକିରୀ ପାଇଲି ସତ, କିନ୍ତୁ ପର ଘରକୁ। ଏତିକି କହି ଦୁଇ ଟୋପା ଲୁହ ଝରେଇ ଦେଲା ମାନସୀ। ମୁଁ ନିଜକୁ ନିୟନ୍ତ୍ରଣ କରି କହିଲି, ମାନସୀ ! ପଇସା କଣ ହେବ କହିଲୁ। ବର୍ଷ ସାରା ଯେତିକି ପୋଟଳ ଓ କାକୁଡି ବିକୁଛି, ସେତିକି ଆମ ପାଇଁ ଯଥେଷ୍ଟ। ଝିଅ ପାଖରୁ କେହି କଣ କିଛି ଆଶା ରଖେ। ମୁଁ ଏଇଥି ପାଇଁ ଖୁସି ଯେ କେହି ପଚାରିଲେ କହିବି, ମୋ ଝିଅ ସରକାରୀ ଡାକ୍ତର ଖାନରେ ଷ୍ଟାଫ୍ ନର୍ସ !!! କହିଲା ବେଳକୁ ମୋ ଛାତିଟା କୁଣ୍ଢେ ମୋଟା ହେଇଯିବ ନା..। ୟା ଠୁ ଅଧିକ ଆଉ କଣ ଦରକାର କହିଲୁ। ଆମ ପଂଚାୟତ ସାରା ଘୁରି ଆସିଲୁ, କେତେଜଣ ଝିଅ ସରକାରୀ ଚାକିରି କରୁଛନ୍ତି। ଚାକିରିଆ ଝିଅର ବାପ କହି ମୁଁ ମୋ ଛାତିରେ ହାତ ଥାପୁଡ଼େଇଲି। ମାନସୀ ହସି ଦେଲା । ଆକାଶରୁ ଖସି ଆସୁଥିବା ତାରାକୁ ଧରି ପାରିଲେ କେତେ ସୌଭାଗ୍ୟର କଥା। ହଳଦୀବସନ୍ତ ପକ୍ଷୀ କେତେ ବିରଳ। ବର୍ଷା ନ ଥାଇ ଇନ୍ଦ୍ରଧନୁ ଅସମ୍ଭବ ନୁହେଁ, ସବୁ ବିଧିର ବିଧାନ। ମାନସୀ ପରି ଝିଅର ବାପା ହେବା ଭଗବାନଙ୍କ ଇଚ୍ଛା ନୁହେଁ ତ ଆଉ କଣ।


ଗାଡିରେ ବସିଲେ ମାନସୀ ଶୋଇ ଯାଏ, ସତକୁ ସତ ସେ ଶୋଇ ବି ଗଲା।ତା ବୋଉ ମୋତେ ଫୋନ କଲା ବୋଧେ। ମୁଁ ପାଠ ପଢିନି ବୋଲି ଜାଣି ପାରେନି କିଏ ଫୋନ କରିଛି। ଏମିତି ଫୋନ ଉଠେଇ କଥା ହୁଏ। ସତକୁ ସତ ତା ବୋଉର ହିଁ ଫୋନ ଥିଲା। କହିଲା, ଘରଭଡା ଅଗ୍ରୀମ ନ ଦେଲେ ସେ ଲୋକ କଣ ଭଡା ଦବ। ମାନସୀ ଫୋନ କରିଥିଲା, ଡାକ୍ତର ଖାନାରେ ଷ୍ଟାଫ୍ ନର୍ସ ପାଇଁ କ୍ୱାର୍ଟର ନାହିଁ। ପାଖରେ ଗୋଟାଏ ଘର ଭଡାରେ ମିଳୁଛି। ମାସକୁ ତିନି ହଜାର ନବ ବୋଲି କହୁଛି। ତା ବ୍ୟତୀତ ମାନସୀ ହାତରେ ଦୁଇ ହଜାର ଟଙ୍କା ଅତି କମରେ ନ ଦେଲେ ସେ ମାସ ସାରା ଚଳିବ କେମିତି ??ଶରଣ, ମୁଁ ଧୀରେ କହୁଛି। ପାଖରେ ଶୋଇଛି ସେ, ଶୁଣି ନବ।

ପାଞ୍ଚ ହଜାର ଶହେ ପଚାଶ ଆଣିଛି। ତିନି ହଜାର ଅଗ୍ରୀମ ବାବଦରେ। ଦୁଇ ହଜାର ମାନିର ହାତଖର୍ଚ୍ଚ ପାଇଁ। ପାଞ୍ଚ ହଜାର ତା ବେଗ ଭିତରେ ମୁଁ ରଖି ଦେଇଛି। ଆମ ଦୁଇ ଜଣଙ୍କ ଟିକେଟ ଖର୍ଚ୍ଚ ଓ ଟୁକ୍ ଟାକ ଖାଇବା ଖର୍ଚ୍ଚ ଭାବି ନିଅ ପଚାଶ ସାଠିଏ ଟଙ୍କା ଲାଗିବ, ତା ପରେ ଟିକେଟ ପାଇଁ ତିରିଶ ଟଙ୍କା ରହୁଛି। ମୁଁ ଘର ପହଞ୍ଚି ଯିବି। କାଲି କୁଇଣ୍ଟାଲେ ଭେଣ୍ଡି ବିକ୍ରି ହେବ। ଏତେ ଚିନ୍ତା କାହିଁକି।


ଉଡନ୍ତା ସ୍ବପ୍ନ ପରି ମନଟା ମୋର ବିଚରଣ କରୁଥିଲା ମୋ ଜୀବନ ଇତିହାସର ପ୍ରଥମ କିଛି ପୃଷ୍ଠା ଭିତରେ। ଏଇ ମାନସୀ ପାଇଁ କୋର୍ଟ କଚେରୀ, ଏମିତି କେତେ କଥା ଘଟି ଯାଇଛି ମୋ ଜୀବନରେ। ଆମ ବ୍ଲକ ହସ୍ପିଟାଲ ରେ କେତେ ବଡ ଭ୍ରଷ୍ଟାଚାର ସଂଗଠିତ ହେଇଥିଲା, ମନେ ପଡିଲେ ଆଜି ବି ଲୋମ ଟାଙ୍କୁରି ଉଠେ। ପ୍ରଥମେ ପୁଅ ହେଇଛି ବୋଲି ମୋତେ ଖବର ଦେଲେ, ଯିବାବେଳକୁ ଝିଅ। ଆଜି ବି ସେଇ ଷ୍ଟାଫ୍ ନର୍ସ କହେ, ତମର ପୁଅ ହେଇଥିଲା। କିନ୍ତୁ କଣ ହେଲା ମୁଁ ବୁଝି ପାରିଲି ନାହିଁ। କୋର୍ଟ କଚେରୀ କଲି, ଭାବିଲି ଛ ମାସ ଭିତରେ ଶୁଣାଣି ହେବ। ପ୍ରଥମେ ପ୍ରଥମେ ଦଶ ବାର ଥର ମୁଁ କୋର୍ଟ ଯାଇଛି। ତା ପରେ ଦଶ ବର୍ଷ କିଛି ଖବର ନ ଥିଲା। ଗତ ବର୍ଷ ନୋଟିସ ଆସିଲା କୋର୍ଟରୁ, କୋଡିଏ ତାରିଖରେ ଶେଷ ଶୁଣାଣି, ମୋତେ ଯିବାକୁ ହେବ। ଭାରି ଖୁସି ହେଇ ଯାଇଥିଲି ସେଦିନ। ମୋ ପୁଅକୁ ମୁଁ ନିଶ୍ଚୟ ଫେରି ପାଇବି। ରାତିରେ ତା ବୋଉ ପାଖରୁ ଉଠି ଆସି ମୋ ପାଖରେ ମାନସୀ କେତେବେଳେ ଶୋଇ ଯାଇଛି ମୁଁ ଜାଣି ପାରିନି। କୋଡିଏ ବର୍ଷର ମାନସୀ, ଗୋଟାଏ ମୁହୂର୍ତ୍ତ ମୋତେ ଛାଡ଼ି ରହି ପାରେନି। ତା ମୁହଁ କୁ ଅନେଇ ପଡି ରହିଲି ବିଛଣାରେ। ସ୍ନେହର ଡୋରି କେତେ ମୋଟା। କୋର୍ଟ ଯିବାକୁ ଇଚ୍ଛା ହେଲା ନାହିଁ। ଓକିଲ ପାଖରୁ ଖବର ପାଇଲି, ମୁଁ କେସ ହାରି ଯାଇଛି। ଜୀବନରେ ପ୍ରଥମ ଥର ହାରିବା ପରେ ବି କାହିଁକି କେଜାଣି ମୁଁ ଖୁସିଥିଲି। ହାରି କି ଜିତିଲା ପରି ଅନୁଭବ କଲେ ସମସ୍ତେ ବାଜିଗର କହନ୍ତି। 

ସତରଞ୍ଜ ଖେଳଟା ଠିକ୍ ସେମିତି। ଅପର ପକ୍ଷର ରାଜା ରାଣୀଙ୍କୁ କ୍ଷତାକ୍ତ କରି ହାରି ଗଲେ ଖୁବ୍ ଜିତିଲା ପରି ଲାଗେ...


ମାନସୀ କୁ ଥଇଥାନ କରି ଷ୍ଟେସନ କୁ ବାହାରିଲା ବେଳକୁ ମାନସୀ କହିଲା ବାପା ! ଏଇ ଦୋକାନକୁ ଆସ।ଦୁଇ ପାକେଟ ଡାଇବେଟିସ ବିସ୍କିଟ ରଖ, ରାସ୍ତାରେ ଖାଇବ। ଦୁଇ ପାକେଟ ବଟର ମିଲକ୍ ରଖ ତମ ବେଗ ଭିତରେ। ମଝିରେ ମଝିରେ ପିଇବ। ମିନେରାଲ ୱାଟର ବଟଲ ଦେଉଛି। ତମ କୁ ଭାରି ଶୋଷ ହୁଏ ମୁଁ ଜାଣିଛି। ପାଣି ପିଇବ। ଏଠୁ ସେଠୁ ପାଣି ପିଇବ ନାହିଁ। ପାଞ୍ଚୋଟି ଅଳ୍ପ ଜରଦା ପାନ ରଖ, ମଝିରେ ମଝିରେ ଚୋବେଇବ। 

ଝିଅ କହିଲା, ଏବେ ଯାଅ, ଟ୍ରେନ ଟାଇମ୍ ହେଇ ଗଲାଣି। ତିନି ଘଣ୍ଟା ଲାଗିବ, ଡାକ୍ତର ଖାନା ଫୋନରୁ ମୁଁ ସଂଜରେ କଥା ହେବି।


ଘରେ ପହଞ୍ଚୁ ପହଞ୍ଚୁ ଦେଖିଲି ମାନସୀ ର ବୋଉ ଫୋନ ରେ କଥା ହେଉଛି କାହା ସହିତ।

ତାକୁ କମ୍ ଶୁଣା ଯାଏ ବୋଲି ସ୍ପିକର୍ ଅନ୍ କରି କଥା ହୁଏ। ସେ ପଟରୁ ମାନସୀ ବୋଧେ..

ଛିଡା ହୋଇ ଶୁଣିଲି ମାନସୀ କଣ କହୁଛି !!

ବୋଉ ! ଦେଖ୍, ବାବା କେମିତି ମୋବାଇଲଟା ବି ମୋ ପାଇଁ ଛାଡି ଦେଇ ଯାଇଛନ୍ତି କହି କାନ୍ଦି ପକେଇଲା। କିଛି ସମ୍ପର୍କ ବୋଧେ ଏମିତି, ସବୁ ଦେଇ ସାରି ବି ମନ ବୁଝେନା। କହିଲୁ ବୋଉ, ଏତେ ବଡ ସାଗରଟା, କେତେ ଭଲ ପାଏ ତା ବେଳା ଭୂଇଁକୁ। ସବୁ କିଛି ଆଣି ଥୋଇ ଦିଏ ତା ଉପରେ, ଠିକ୍ ବାପା ବୋଉଙ୍କ ପରି।

ମୁଁ ଶୋଇଥିଲା ବେଳେ ସବୁ କଥା ମୁଁ ଶୁଣିଛି । ତାଙ୍କ ପାଖରେ ପାନ ପାଇଁ ବି ପଇସା ନ ଥିଲା, ଖାଇବା ତ ଦୂର ର କଥା। ତାଙ୍କ ହାତ ଧରି ଚାଲିବା ଶିଖିବାଠୁ ଆରମ୍ଭ କରି ଆଜି ଚାକିରୀର ପ୍ରଥମ ଦିନ ଓ ଗୋଟେ ଚାକିରିଆ ଝିଅର ବାପା ବୋଲି ଅନେକଙ୍କୁ ପରିଚୟ ଦେବା ଭିତରେ କେତେ ମାଇଲ ଖୁଣ୍ଟ ମୁଁ ଅତିକ୍ରମ କରିଛି, ମୁଁ ନିଜେ ବି ଜାଣିନି। ସାରା ଜୀବନ ପୋଟଳ ଓ ଭେଣ୍ଡି ବିକ୍ରି କରି ମୋ ପାଇଁ ସବୁ କରି ସାରିବା ପରେ ମୋ ବାପା ସବୁବେଳେ ଶୂନ୍ୟହସ୍ତ। କାଲି ଭେଣ୍ଡି ବିକ୍ରି ହେବ କହି ଅଭାବର ଅନେକ ମୁହୂର୍ତ୍ତକୁ ଟାଳି ଦେବାର ଅଭିନୟ ଭିତରେ ସମୃଦ୍ଧ ପରିପକ୍ଵତାର ପରିଚୟ ଦିଅନ୍ତି ମୋ ବାପା। ବାପାଙ୍କୁ କହିବୁ, ମୋ ବାହାଘର ଆଉ ବର୍ଷେ ଅଟକାଇ ଦେବାକୁ। ମୋ ପାଇଁ ତାଙ୍କ ଭେଣ୍ଡି, ପୋଟଳ ବଗିଚାରେ ପ୍ରତିଟି ମାଂସ ପେଶି କୁ ମାଟି ସହିତ ମିଶାଇ ଦେଇଛନ୍ତି ସେ। ବିନା ମାଂସପେଶିରେ ଏବେ ବି ତାଙ୍କ ହାଡ କଥା କୁହେ। ତୁମ ଦୁହିଁଙ୍କ ପାଇଁ କିଛି କରିବାକୁ ସୁଯୋଗ ଦେ ବୋଉ। ବୋଉ ! ଆଉ ଗୋଟେ କଥା ପଚାରିବି ପଚାରିବି ବୋଲି କେବେ ପଚାରି ପାରେନି। ସାଙ୍ଗ ମାନଙ୍କ ପାଖରୁ ଶୁଣି ଥିଲି ବାପା କଣ ଗୋଟାଏ କେସ୍ ରେ ହାରି ଯାଇଛନ୍ତି।

ହୁଁ, ପାଗଳି... ଜମି ବାଡି କଥା ତୁ ବୁଝି ପାରିବୁ ନାହିଁ।ଫୋନ କଟିଗଲା ବୋଧେ.

ପଛକୁ ଅନେଇ ସୁରଭି ମୋତେ ଦେଖିଲା ବେଳକୁ ମୋ ଆଖିରୁ ବି ଦୁଇ ଟୋପା ଲୁହ ବହି ଆସିଲା !!!

ନିଜକୁ ନିୟନ୍ତ୍ରଣ କରି ମାନସୀ କିଣି ଦେଇଥିବା ସବୁ ଜିନିଷକୁ ମୁଁ ଢାଳି ଦେଲି ସୁରଭିଙ୍କ ଆଗରେ। ବିସ୍କୁଟ, ବଟର ମିଲକ, ମିନେରାଲ ୱାଟର। କହିଲି, ମାନସୀ କିଣି ଦେଇଛି। ଆମ କଥା ସେ କେମିତି ଶୁଣିଲା କେଜାଣି । ମୋ ହାତରେ କିଛି ପଇସା ନାହିଁ ବୋଲି ବୋଧେ ଏଇ ସବୁ କିଣି ଦେଇଛି ମାନସୀ..ଆସ ସୁରଭି, ବାହାରେ ଖଟିଆରେ ବସି ଦୁହେଁ ମିଶି ଖାଇବା। ହଁ, କୋର୍ଟ କଚେରୀ କଥା ତାକୁ କେବେ ବି କହିବ ନାହିଁ !!! ସୁରଭିର ହସ ଭିତରେ ବିରାଟକାୟ ଏକ ଅସହାୟତାକୁ ଦେଖୁ ଦେଖୁ ମୁଁ ବି ହସିଦେଲି, ମହାଆନନ୍ଦରେ, କାହିଁକି କେଜାଣି ବୋଧେ ନିଜ ରକ୍ତ ସମ୍ପର୍କ ଠୁ ବଳି ଆଉ କେହି ଜଣେ ଅତି ନିଜର ହେଇ ଯାଇଛି ଆମ ଜୀବନରେ ପରିଚୟ ନ ଥାଇ କି ବି ଅତି ପରିଚିତ ସେ ।



Rate this content
Log in

Similar oriya story from Classics