ପ୍ରେମର ପରିଭାଷା
ପ୍ରେମର ପରିଭାଷା
ବାହାଘରର ଗୋଳମାଳ ଭିତରେ ଏକୁଟିଆ ବସି ପ୍ଲାନ୍ କରୁଥିଲା ।ସତରେ କ'ଣ ଅମରେଶ ବାଜି ଜିତି ଯିବ ! ନା , ତାହା ସେ କରି ବାକୁ ଦେବନି।
ତାକୁ ଘେରି ବସିଥିବା ସାଙ୍ଗ ସାଥି ମାନଙ୍କୁ କିଛି ସମୟ ପାଇଁ ତାକୁ ଏକାକିନୀ ଛାଡି ଦେବାକୁ ସେ ଅନୁରୋଧ କରିଥିଲା ।
ଦୁଇଟି ଯାକ ଘଟଣା ଥିଲା କାକତାଳିକ ।ଗୋଟାଏ ପଟେ ତା' ଫୋନ୍ ରିଂ ହେଉଥିଲା, ଅନ୍ୟ ପଟେ , ବରାନୁଗମନ ର ସୂଚନା ଦେଉଥିଲା ସମ୍ମିଳିତ ସଙ୍ଗୀତ ; ଅନତିଦୂରରେ । ସେ ଛଟ୍ ପଟ୍ ହେଉଥିଲା ମଝିରେ ଥାଇ ।ଫୋନ୍ ଧରିଲେ ଅମରେଶ ତାକୁ ଚିଗୁଲେଇ କହିବ,"ଏଇ ପହଞ୍ଚି ଗଲି । ରେଡିତ?" ଏନି ଡାଉଟ୍ ?"
ଯାହାର ଉତ୍ତର ତା' ପାଖରେ ମହଜୁଦ ନାହିଁ ।
ମାଆ, ଭଉଣୀ, ସାଣ୍ଟ ସାଥି ମାନଙ୍କର ପଦଧ୍ୱନି
ସେ ଶୁଣି ପାରୁଛି । ପଳେଇ ଯିବାର ସବୁ ରାସ୍ତା ବନ୍ଦ । ବାହାବେଦୀକୁ ଯିବା ପୂର୍ବରୁ ତାକୁ କିଛି କରିବାକୁ ପଡ଼ିବ। କ'ଣ କରିବ ସେ!
କ୍ଷଣକରେ ଆଲୋକିତ ହୋଇଗଲା ମୁହଁ । ପିଲାଦିନ ସ୍କୁଲ ନ ଯିବାପାଇଁ ମନ ନ ହେଲେ ସେ କାଖରେ ପିଆଜ ଯାକି , ଦେହ ଗରମ ହୋଇଗଲେ ଜର ଆସିବାର ବାହାନା କରି କନ୍ଥା ଘୋଡେ଼ଇ ହୋଇ ଶୋଇ ପଡୁଥିଲା । ଏବେ ସେଇୟା କଲା । ଚଟାପଟ୍ ପିଆଜ ଖଣ୍ଡେ ଆଣି କାଖରେ ଯାକି ,କମ୍ବଳ ଟିଏ ଘୋଡି ଶୋଇ ପଡ଼ିଲା । ସମସ୍ତେ ପହଞ୍ଚି ଯାଇ ଦେଖିଲେ ସରୀନା କମ୍ବଳ ଘୋଡେ଼ଇ ହୋଇ ଶୋଇଛି ।
" ୟାର କ'ଣ ହେଲା ବୋଲି ଚିତ୍କାର କଲେ ! ଆରେ ୟା ଦେହରେ ତ ତାତି ଭର୍ତ୍ତି ! "
ବାରମ୍ବାର ଫୋନ୍ ଟା ରିଙ୍ଗ୍ ହେଉଛି । ବଡ଼ ଭଉଣୀ ଟେରିନା ଫୋନ୍ ଟା ଉଠେଇ ପଚାରିଲା," କିଏ ତୁମେ? ଯିଏ ବି ହୋଇଯାଅ, ତା ଦେହ ବହୁତ ଖରାପ , ତାକୁ ଭୀଷଣ ଜର, ପରେ କଥା ହେବ ।"
କମ୍ବଳ ଭିତରେ ଥାଇ ସରୀନା ହସି ହସି ଭାବୁଥିଲା; ଏଥର କାହାର ଜିତାପଟ। ଆଜି କାର ପରିସ୍ଥିତି ଟାଳି ଦେଲା; ପଛକୁ କ'ଣ କରିବ , ଭାବିବ ।
ଚାରିଆଡ଼େ ଚହଳ ପଡ଼ିଗଲା କନିଆଁ ଅସୁସ୍ଥ , ବେଦୀକୁ ଆସିପାରିବନି ! ଏତେ ବୃହତ ଆକାରରେ, ଆଡ଼ମ୍ବରରେ ,ବର୍ଣ୍ଣାଳୀ ଆଲୋକମାଳା, ବର୍ଣ୍ଣାଢ଼୍ୟ ସମାରୋହ ଚାହୁଁ ଚାହୁଁ ଧୁମ୍ରାଭ ହୋଇ ଗଲା ।
ଏଣେ ପଣ୍ଡିତ କହୁଛନ୍ତି," ଶୁଭ ସମୟ ଗଡ଼ି ଯାଉଛି କନିଆଁକୁ
ଶୀଘ୍ର ଵେଦୀକୁ ଆଣ ।"
ଦୁଇ କର୍ତ୍ତା ଙ୍କ ମଧ୍ୟରେ ବାକ୍ ଯୁଦ୍ଧ ଲାଗି ରହିଚି ।ଆରୋପ ଦୋଷାରୋପ କରି ଚାଲିଛନ୍ତି ।
ବହୁଲୋକ ରେ ଯେପରି ମୂଷା ମରେନି, ବିଭିନ୍ନ ଲୋକଙ୍କର ମତମତାନ୍ତର ଭିତରେ ସମୟ ଗଡ଼ି ଯାଉ ଥିଲା । ସମସ୍ତେ ଯେପରିକି ଚାହୁଁଥିଲେ ବେଦୀ କନିଆଁ ପାଖକୁ ଆସୁ । ବେଦୀ ଆସି ନ ଥିଲେ ବି , ବର ଆସିଥିଲା । ମୁକୁଟ ଖୋଲି ଦେଇ, ଖିଲିକାତି ନଡ଼ିଆ ଫୋପାଡି, ଧାଇଁ ଆସିଥିଲା ସରୀନା ପାଖକୁ ।
" ଆରେ ବର ଆସିଲାରେ, ବାଟ ଛାଡ଼!!! ଟୁପୁରୁ ଟାପର ହେଉଥିଲେ ," ଇଏ କୋଉ ଯୁଗର କଥା ; ବର କନିଆଁ କୁ ବିନା ବାହାଘରରେ ନେଇ ଯିବ!"
ସରୀନାର ମନେ ପଡି ଯାଉଥିଲା ଘଟିଯାଇଥିବା ସେ ଦିନ ମାନଙ୍କର କଥା କଲେଜରୁ ଫେରିବା ବାଟରେ ତାକୁ ଚାଲି ଚାଲି ଆସୁଥିବାର ଦେଖି, ଗାଡିରୁ ଓହ୍ଲେଇ ତାକୁ ଅଟକେଇ କହିଲା, " ମୁଁ ତୋ ପରି ସୁନ୍ଦରୀ ର ସନ୍ଧାନରେ ଥିଲି । ଚାଲି ଚାଲି ଯାଉଛୁ କୁଆଡେ ? ଓଃ , ପ୍ରକୃତରେ ଭାରତରେ ଏତେ ଖରା ! ମୁଁ ଏ. ସି.କାର୍ ରୁ ତଳକୁ ଆସି ନଥିଲେ ,ଜାଣି ପାରି ନ ଥାନ୍ତି । ଗାଡ଼ିରେ ବସ , ତୋ ଗନ୍ତବ୍ୟ ସ୍ଥଳରେ ପହଞ୍ଚେଇ ଦେବି । ବାଇ ଦ ଓୟେ, ତୋ ଘର କୋଉଠି, ବସ୍ତିରେ , ଗାଁ ରେ ନା ମହଲାରେ ?"
ସେ ତା' ବାଆଁ ହାତକୁ ଧରି ପକେଇଲା । ଡାହାଣ ହାତ ଖାଲି ଥିଲା। ତାପରେ, ପଟାସ୍ ପଟାସ୍ ପଟାସ୍ ର ଶବ୍ଦ।
ସେ ଗାଲ ଦୁଇଟା ଆଉଁସି ବା ବେଳେ କହୁଥିଲା," ଏମିତି ଝିଅ କ୍ଵଚିତ ମିଳନ୍ତି ।"
" ହେଲାନା ଆଉ ? ଓହୋ ଠିକଣା ପଚାରୁ ଥିଲେ ପରା । ନରଣ ପୁର ଗାଁରେ ଘର । ମୁଁ ସରୀନା ପଟ୍ଟନାୟକ। ସେଭ୍ କରିନିଅ; କାଳେ ଭୁଲିଯିବ ।"
"ଏଇ ଶୁଣ୍ । ମୁଁ ନୂଆ ଖେଳାଳି ନୁହେଁ। ଏମିତି କେତେ ଝିଅଙ୍କୁ ଫସେଇଚି । ସେମାନେ ସାଥେ ସାଥ ମଙ୍ଗି ଯାଆନ୍ତି ; ମୋ ଷ୍ଟେଟସ୍ ଦେଖି । ଇଉ.ଏସ.ରେ ତ ଉପରେ ପଡନ୍ତି । ତୁ କିନ୍ତୁ ମୋର ଭାରି ପସନ୍ଦ। ତୋତେ ବାହା ହେବି _ ଆଉ କାହାକୁ ନୁହେଁ । ଦେଖାହେବ। ଆସୁଛି।"
ପଛରେ ଆସୁଥିବା ସଙ୍ଗୀ ମାନେ ତାକୁ ଘେରି ଯାଇ ପଚାରିଲେ ,"ସେଇ ଟୋକାଟା କିଏ _ଫରେନ୍ କାର୍ ଟାରେ ଗଲା?"
"ହଁ, ସେ ଫରେନ୍ ବାଲା ହେଇଥିବ ।"
"ତୁ ତାକୁ ମାରିଲୁ? ବହୁତ ଖତରନାକ୍ ହୋଇ ଥିବ ।ତତେ ହଇରାଣ କରିବ।"
" ମୁଁ ବି କମ୍ ନୁହେଁ। ଜଷ୍ଟ୍ୱ୍ ୱଏଟ୍ ଆଣ୍ଡ ୱାଚ୍।"
ଅମରେଶ ର ଦିଲ୍ ଭିତରେ ପଶି ଯାଇ ଥିଲା ଝିଅଟା । ଇତିହାସ ରେ ପଢିଥିବା, ଅଠର ଶହ ସତାବନ ର ଝାନ୍ସି କି ରାଣୀ ପରି ସାହସିନୀ । ଏମିତି ଝିଅ ତ ଇଉ .ଏସ୍ ରେ ଦରକାର । ଏଥର ତା' ବାହାଘର ପାଇଁ ଝିଅ ଦେଖିବା ପାଇଁ ଆସିଥିବା ଅମରେଶ , ପ୍ରଥମ ଦେଖାରେ କ'ଣ ତା' ନାଁ, ହଁ ,ସରୀନା ଏକାଥରେ ସିଲେକ୍ଟେଡ୍ ।ଯେତିକି ଠିକଣା ଦେଇଚି , ଠିକ୍ ଅଛି, ଆଉ ସେ ସଂଗ୍ରହ କରିନେବା। ସରୀନା ଭାଗ୍ୟ ବହୁତ ଭଲ, ତା ପରି ଜଣେ ଟପ୍ କ୍ଲାସ୍ ବିଜନେସ୍ ମେନ୍ ସ୍ବାମୀ , ପାଇବ ।
ଆମେରିକା ରେ ରହୁଥିବା ତା' ବାପା ମାଆଙ୍କୁ ମେସଜ୍ କରି ସବୁ ଜଣେଇ ଦେଇ ସେ ଗୋଟେ , ସୁନ୍ଦରୀ , ଶିକ୍ଷିତା, ମାର୍ଜିତ ଏବଂ ସାହସିନୀ ମାତ୍ର ଗାଉଁଲି ଝିଅଟିଏକୁ ତା ' ପାଇଁ ସିଲେକ୍ଟ କରି ଦେଇଛି _ ସେମାନେ ଆସିବେ , ଦେଖିବେ ଆଉ ବାହାଘର କରିଦେବେ, ଯେତେ ଶୀଘ୍ର ଆସିବେ ଭଲ ।
ଗାଁ ଲୋକେ କହୁଥିଲେ , ସେମାନେ କଳା ରଙ୍ଗର କାର୍ ଟିଏ , ମ୍ୟାନ୍ ରୋଡ଼ ର ତାଙ୍କ ଗାଁ ଆଡ଼େ ଆସିଥିବା ମୁରୁମ ରାସ୍ତାରେ ଚକ୍କର କାଟୁଥିଲା। ଗାଡିରୁ ଉଲ୍ଲେଇ ଦୋକାନୀ ମାନଙ୍କୁ କ'ଣ ପଚାରି, ଲେଖି ନେଉଥିଲା।
ସରୀନାର ସାଙ୍ଗ ସାଥି ମାନେ ତାକୁ ଏ ଖବର ଦେଇ ଥଟ୍ଟା କରୁଥିଲେ," ସେ ଫରେନ୍ ଟୋକାଟା ତ ପିଛା ଛାଡିବନି_ ଦେଖିବୁ, ଦିନେ ତତେ ସେ ବାହା ହେବ ।"
ଖୁସିରେ ଦୁଲକି ଉଠୁଥିଲା ଛାତିଟା ।ସତରେ ତାକୁ ମାରି ସେ ଭୁଲ କରି ନାହିଁ ତ ! କିନ୍ତୁ ଏତେ ସହଜ ରେ ସେ ହାର ମାନିବନି । ତାକୁ,ତା' ଆଙ୍ଗୁଠି ଅଗରେ ନଚେଇବ ।
ଅମରେଶ କଥା ମାନି ତା' ବାପା ମାଆ ଭାରତ ଆସିଲେ। ଝିଅ ଦେଖା, ମୁଦି ପିନ୍ଧା,ପଣ୍ଡିତ ଡାକି, ବିବାହ ଦିନ ବି ସ୍ଥିର ହୋଇଗଲା । ଏ ସବୁ ସରୀନା କୁ ଫିଲ୍ମ ଦେଖିବା ପରି ଲାଗୁଥିଲା।
ଫୋନ୍ ରିଙ୍ଗ୍ ହେବାରୁ ରିସିଭ୍ କରି "ହାଲୋ" କହିଲା ସେ।
ଅପର ପକ୍ଷରୁ ଅମରେଶ ହସି ହସି କହୁଥିଲା, କ'ଣ ମାଡାମ୍ ଯାହା କହୁ ଥିଲି କରି ଦେଖେଇ ଦେଲିନା? ଏବେ ଆଉ ଆମ ଘରକୁ ଆସିବାକୁ କେତେଟା ଦିନ ରହିଲା କାନ୍ଥରେ ଗାର ଟାଣି ଗଣି ରଖିଥାଅ ।"
"ଏତେ ଖୁସି ହୋଇ ଯାଅନି । ବାହାଘର ଦିନ ଯାଏ ଅପେକ୍ଷା କର ।"ଫୋନ୍ କାଟିଦେଲା ସରୀନା ।
ବର ଫେରି ଗଲା । ଖିଆପିଆ ସାରି , ବରଯାତ୍ରୀ ଓ ଗାଁ ଲୋକ ଫେରି ଗଲା ପରେ ଅମରେଶକୁ ଫୋନ୍ କରି କହିଲା ସରୀନା ଏଇ ମଫସଲି ଝିଅଟା କେତେ ଚାଲାକ ଦେଖ ।"