Pranati Mahapatra

Action Inspirational

4.0  

Pranati Mahapatra

Action Inspirational

ପ୍ରେମ ଆଉ କ'ଣ କି

ପ୍ରେମ ଆଉ କ'ଣ କି

4 mins
211



ସମ୍ଭାବନାର ଅସଂଖ୍ୟ ଅଳନ୍ଧୁ ଭିତରେ ଦିଗ ହରେଇ ଦିଗ ଖୋଜୁଥିବା ଅଥବା ଦିଗବାରେଣୀର ସନ୍ଧାନରେ ଅଣନିଶ୍ବାସୀ ହୋଇ ଏଣେ ତେଣେ ବୁଲୁଥିବା ଦୁଇଟି ମଧୁର ଅକ୍ଷର ପ୍ରେମ ।

  ପ୍ରେମ ଆଉ କ'ଣ କି !

ନୀଡ଼ହରା ଚଢେଇ ଅବା ଆହ୍ଲାଦୀନର କୁହକ ଦୀପ ।

  ପ୍ରେମ ଆଉ କ'ଣ କି !


ଖୋର୍ଦ୍ଧା ରେଳ ଷ୍ଟେସନରେ ହାତରେ କିଛି ଖାଦ୍ୟ ଥିବା ଟିଫିନ ବାକ୍ସ ଧରି ଠିଆ ହୋଇ ଅପେକ୍ଷା କରିଛି ବିଶ୍ବକେଶନ ସେହି ପ୍ରେମକୁ ।

ଯେଉଁ ପ୍ରେମକୁ ଅନେକ ଦିନ ତଳେ ଛାଡ଼ି ଆସିଥିଲା କଟକ ବକ୍ସିବଜାରରେ ।

ଅବଶ୍ୟ ଏଇ ଏଇ ଭେଟି ଆସିଲା ବାଣୀବିହାର ଛକରେ ଟାଉନବସ ଭିତରେ କିଛି ଅବ୍ୟକ୍ତ ପ୍ରେମକୁ, କିଛି ଅଣନିଶ୍ବାସୀ ପ୍ରେମକୁ ,କାହିଁକି ନା ଆଜି ପରା ରବିବାର  ।ଯେଉଁ ପ୍ରେମରେ ତ୍ୟାଗ ଅପେକ୍ଷା ଭୋଗ ଅଧିକ ଅଛି , ନିସ୍ବାର୍ଥପର ବାସ୍ନା ବିଲକୁଲ ନ ଥିବା ହିଂସାର ପ୍ରେମକୁ । ଆଖି ବନ୍ଦ ହୋଇ ଆସୁଥିଲା ସେସବୁ ପ୍ରେମର ରୂପରେ ବାହ୍ୟ ଚାକ୍ୟଚକ୍ୟର ଏହି ଲିଭ ଇନ ପ୍ରେମକୁ ମନ ନୀରବ ରହୁଥିବା ବେଳେ ଆତ୍ମା ଘୋର ବିରୋଧ କରିବା ସମୟରେ ମୋବାଇଲର ଲେନସ ଭିତରେ ସମସ୍ତଙ୍କ ଅଜାଣତରେ ସାଇତି ରଖିଥିଲା ବିଶ୍ବ , କିଛି ସତର୍କ ସୂଚନା ଦେବା ପାଇଁ । ହେଲେ ଏ କ'ଣ ଦେଖୁଛି ବିଶ୍ବ ! ବିଶ୍ବର ଚାରିପାଖରେ ପ୍ରେମ ସବୁ ଉପହାସ କରୁଛନ୍ତି ଖତେଇ ହୋଇ ,ଆଉ ବାରମ୍ବାର କ୍ଷତାକ୍ତ କରି ପ୍ରଶ୍ନ ପରେ ପ୍ରଶ୍ନ ପଚାରି ଚାଲିଛନ୍ତି ବିଶ୍ବକୁ ପ୍ରେମରେ ପରାସ୍ତ ନାୟକ ନା ସଫଳ ପ୍ରେମିକ ? 

ବିଶ୍ବ ଚଟାପଟ୍ ଉତ୍ତର ଦେଲା -

ପ୍ରେମ ଆଉ କ'ଣ କି ! 

ବୋଧହୁଏ ଏ ହିଁ ପ୍ରେମ

ସେହି ପ୍ରେମକୁ ନିଜ ଭିତରେ ବୋହି ବୋହି ବୋଧହୁଏ ଜୀଅନ୍ତା ଶବଟିଏ କି ବିଶ୍ବକେଶନ ବଳିଆର ସିଂ ମହାପାତ୍ର !

ପ୍ରେମର ହିସାବ ନୁହେଁ ପ୍ରେମର କ୍ଷଣଭଙ୍ଗୁର ରାସ୍ତାକୁ ତନ୍ନତନ୍ନ କରି ଦେଖୁଛି ବିଶ୍ବ ।

ରଙ୍ଗୀନ ଫଗୁଣ ଭିତରେ ପ୍ରେମ ଆଜି ଆକ୍ତାମାକ୍ତା ।

କେତେବେଳେ ଶକୁନିର ପଶାପାଲି ଭିତରେ ତ କେତେବେଳେ ଛଳନାର ଦ୍ବନ୍ଦଜାଲ ଭିତରେ ପ୍ରେମ ପୁଣି ପଣବନ୍ଦୀ ।


କାହିଁ ସେଦିନ ତ ପ୍ରେମ କେବଳ ସ୍ନେହ ଶ୍ରଦ୍ଧା ଓ ଭଲପାଇବାର ସାତ ସମୁଦ୍ର ଭିତରେ ବୁଢୀ ଅସୁରୁଣୀର ସୁନା ଫରୁଆରେ ସାଇତା ହୋଇ ସୁରକ୍ଷିତ ଥିଲା ,ନା ଥିଲା ଦେହ ଭୋଗର ଲାଳସା ନା ଥିଲା ନିର୍ଲଜ ପଣର ବେପରୁଆ ଭଙ୍ଗୀ । ସେଥିପାଇଁ ବୋଧହୁଏ ତାଜମହଲ ଭିତରେ ସୁରକ୍ଷିତ ଥିଲା ପ୍ରେମ । ପ୍ରେମ ହସୁଥିଲା ଆତ୍ମବିଭୋର ହୋଇ କେଦାରଗୌରୀ ଙ୍କ ଭିତରେ ଆଉ ଶକୁନ୍ତଳାଙ୍କ ଓଠରେ । ପରାସ୍ତ ହୋଇ ନ ଥିଲା ପ୍ରେମ । ଏବେବି ସେହି ପ୍ରେମ ସୁରକ୍ଷିତ ମୋ ହୃଦୟ ମନ୍ଦିରରେ । ସନ୍ତକ ବି ସାଇତା ବିଜ୍ଞାନ ଏମ ବି ଡି ରେ ।

ଆଜି ଚିକମିକ ଆଲୁଅରେ ,ରଙ୍ଗୀନ ସୁରାରେ ଅଲାଜୁକ,ଅନାବୃତ ଶରୀର ମାନଙ୍କ ପାଖରେ ନିରସ୍ତ୍ର ସୈନିକ ଏହି ପ୍ରେମ । ମତୁଆଲା ସମସ୍ତେ ସତ ପ୍ରେମ କିନ୍ତୁ ଗୁମୁରି ଗୁମୁରି କାନ୍ଦୁଛି । ପ୍ରେମା ପଣିଆ ଫିକା ଦିଶୁଛି।

    ଉତ୍କଳ ଏକ୍ସପ୍ରେସ ଟ୍ରେନର ହର୍ଣ୍ଣରେ ପ୍ରକୃତିସ୍ଥ ବିଶ୍ବ , ବି ୧୩ ରୁ ଓହ୍ଲାଇଲା ଇପ୍ସିତ ପ୍ରେମର ଅପୂର୍ବ ନାରୀ ପ୍ରତିମୂର୍ତ୍ତି ଲିଜା । ଓଠରେ ପଚିଶ ବର୍ଷ ତଳର ସେହି ଆତ୍ମୀୟତା ହସ ସହ । କେବଳ କରମର୍ଦ୍ଦନରେ କରେଣ୍ଟ ଲାଗିଲା ଭଳି ଦୁହେଁ ଦୁଇ ସେକେଣ୍ଡ ଭାବନା ରାଜ୍ୟରେ ବୁଡିଗଲେ ।  

ଧୀର ସ୍ୱରରେ କଥା କହିଲା ଲିଜା - କେମିତି ଅଛ ବିଶ୍ବ ? 

- ଏଇ,ଯେମିତି ସେଦିନ ଥିଲି । ହସି ହସି କହିଲା ବିଶ୍ବ । ମାନେ ତାଜା ଆଉ ଜୀଅନ୍ତା ପ୍ରେମିକ ।

- ଦେହ ଭଲ ଅଛି ତ, ବହୁତ ଝଡି ଯାଇଛ , ଖିଆପିଆ ଠିକ ରହୁନାହିଁ କି ?

ନା' ଅଫିସରେ କାମ ଅଧିକ ?

- ଆରେ ବାବା ଏତେ ଗୁଡାଏ ଏକାଥରକେ ! ପ୍ରତିଦିନ ପରା 

ତିନି ଚାରି ଥର ସେହି ଗୋଟିଏ ପ୍ରଶ୍ନ ତୁମର, ଆଉ ସବୁ ଠିକ ବୋଲି ଉତ୍ତର ମୋର । ଆଉ ପୁଣି କ'ଣ ଯେ ? ଛାଡ଼ ...

- ଏଇ ନିଅ ତୁମ ବରାଦର ଷ୍ଟିମ ମିଠା, ଆଳୁକସା, ପୁରୀ ଆଉ ଦହିବରା । ଯାହା ଯାହା ତୁମେ ଭଲ ପାଅ ।

 - ତୁମର କଣ ମନେ ଅଛି, ମୁଁ କଣ ଭଲପାଏ ।


- ମୁଁ ଗୋଟିଏ କଥା ପଚାରିବି ମୋତେ କହିବ ଲିଜା! 

କୁହ, ଲିଜାର ସଂକ୍ଷିପ୍ତ ଆଉ ଧୀର ଉତ୍ତର ।

ପ୍ରେମ ଆଉ କ'ଣ କି ?

 - ସମୟ ତ ଅଟକି ଯାଇ ନାହିଁ ଆମ ପାଖରେ, ତଥାପି କିଛି ସମୟ ବସି କଥା ହେବା କି , ଟ୍ରେନ ଭିତରେ ? ପଚିଶ ବର୍ଷ ପୂର୍ବରୁ ଯେମିତି ପାଖାପାଖି ବସୁଥିଲେ ,ତୁମ ପିଣ୍ଢାରେ ! ହସି ହସି ବିତେଇ ଦେଇଥିଲେ ଅନେକ ବର୍ଷ ,ଅନେକ କଳ୍ପ ଯେପରି । 

- କିଛି ସମୟ ବିତେଇ ଦିଅନ୍ତେ ଆଉ ତା ଭିତରେ ଫେରି ଯାଆନ୍ତେ ସତର ଅଠର ବର୍ଷ ବୟସକୁ । ଏହି କଥା ତ ,ଠିକ ଅଛି ଚାଲ ।

ଟ୍ରେନର କୋଳାହଳ ପରିବେଶ ମଧ୍ୟରେ ଅବୋଧ ଶିଶୁ ପରି ଅନେକ ପୁରୁଣା ପୃଷ୍ଠାର ମିଠା ମିଠା ଗୋଲାପି ଶବ୍ଦ ସବୁ ପଢୁଥିଲେ ମେଟ୍ରିକ ପରୀକ୍ଷାର୍ଥୀ ପରି । ତା ଭିତରେ କେତେ ଜଣ ସାଙ୍ଗ ଅବେଳରେ ଚାଲିଯିବା ଘଟଣାରେ ମନକଷ୍ଟ କରୁଥିଲେ ତ ସାଙ୍ଗ ପିଲାଙ୍କ ଟାହିଟାପରା କଥା କଥା ହୋଇ ମଜା ନେଉଥିଲେ ।

- ଲିଜା ମୋର ଉଚ୍ଚ ରକ୍ତଚାପ ସହ ମଧୁମେହ ରୋଗ ,ନା' ମୁଁ ପୁରୀ କି ମିଠା କିଛି ଖାଇବିନି । ତୁମେ ଖାଅ ,କହି ଷ୍ଟିମ ଖୋଲି ଲିଜାକୁ ଖୋଇଦେବା ସମୟରେ ଲିଜାର ଶୂନ୍ୟ ମଥା ଆଉ କଙ୍କଣ ନ ଥିବା ହାତ ଦେଖି ଭୋ ଭୋ ହୋଇ କାନ୍ଦି ଉଠିଲା ବିଶ୍ବ । ସାମାନ୍ୟ କଥା, ଜାତି, ଧନ ସମ୍ପତ୍ତିର ଅହଙ୍କାର ଭିତରେ କୁହୁଳି କୁହୁଳି ପୋଡା ଅଙ୍ଗାର ଦୁଇଟି ନିଷ୍ପାପ ହୃଦୟ । ବାପା ମାଆ, ସମାଜର ନିଷ୍ପତ୍ତିରେ ହଁ କରି ଶୂନ୍ୟ ହୋଇ ଯାଇଛନ୍ତି ଦୁଇଟି ମନ । ହଜେଇ ନ ଥିଲେ ବି ଗୋଟେଇ ପାରୁ ନାହାଁନ୍ତି ଅବିସ୍ମରଣୀୟ ମୂହୁର୍ତ୍ତ । ଦୀର୍ଘଶ୍ବାସ ନେଇ ଆଉ ଥରେ ବିବାହ କରିବା ପାଇଁ ପ୍ରସ୍ତାବ ବି ଦେଲା ବିଶ୍ବ ।

ପ୍ରେମିକାର ଏ ଅବସ୍ଥାକୁ ନିଜେ ନିଜ ଆଖିରେ ଦେଖି ସ୍ଥାଣୁ ପାଲଟି ଯାଇଥିଲା । 

ଜୀବନକୁ ବୁଝିବା ଆଗରୁ ,ପ୍ରେମକୁ ଅନୁଭବ କରିବା ଆଗରୁ ଝଡ଼ତୋଫାଠରେ ସବୁ କିଛି ନିଶ୍ଚିହ୍ନ ହୋଇ ଯାଇଥିଲା ସୁନ୍ଦରୀ ରାଣୀ ଲିଜା ପାଇଁ ।

ତୁମେ କହିବ ଯଦି ଆମ ଅଫିସରେ ମୋର ଜଣେ  

ଷ୍ଟାଫ୍ ଅଛି ସୂର୍ଯ୍ୟକାନ୍ତ ,ମୁଁ ତା' ସହିତ କଥା ହୋଇ ବିବାହ ସ୍ଥିର କରି ଦିଅନ୍ତି । 

- ଆଜି ପର୍ଯ୍ୟନ୍ତ ତୁମେ ତ ଏକା ଏକା ଅଛ । ଆଦୌ ବିବାହ ନ କରି , ଆଉ କେତେଟା ଦିନ ମୁଁ କଣ ରହି ପାରିବିନି ଯେ ,ମୋତେ ବିବାହ କରିବା ପାଇଁ କହୁଛ । ଦାମ୍ପତ୍ୟ ସୁଖ ମୋ ଭାଗ୍ୟରେ ଲେଖା ନାହିଁ ବିଶ୍ବ , ପ୍ରଥମେ ତୁମେ ,ତା ପରେ ରାଜ୍ । କିଛି ଦିନର ଅତିଥି ସମସ୍ତେ । କାହିଁକି ଆଉ ସୁଖ ଖୋଜିବି । 

ବାକି ଜୀବନ ପୂର୍ବ ସ୍ମୃତି ନେଇ ବଞ୍ଚି ଯିବି ।

ତୁମେ ତ ମୋର ପ୍ରଥମ ପ୍ରେମ , ବନ୍ଧୁ ହୋଇ ଉଭୟେ ବିତେଇ ଦେବା ବାକି ଜୀବନ , ଅବଶ୍ୟ ତୁମେ ସାତଶହ କିଲୋମିଟର ଦୂରରେ ରହୁଛ ,ହେଲେ ପ୍ରତିକ୍ଷଣ ତ ପାଖେ ପାଖେ ଆମେ ।


ଶରୀର ସିନା ଏତେ ଦୂରରେ, ମନ ପରା ଛନ୍ଦାଛନ୍ଦି ହୋଇ ରହିଛି ଆମର ସବୁବେଳେ ।

ଲୋକ ଲଜ୍ଜାକୁ ଡ଼ରି ତୁମେ କେବେବି ମୋ ପାଖକୁ ଆସୁନ । ତଥାପି ମୁଁ ବେଶ୍ ଖୁସିରେ ଅଛି।

ଜୀବନ ଆଉ ଯନ୍ତ୍ରଣାର ମଝିରେ ତ ପ୍ରେମ ।

ପ୍ରେମ ଆଉ କ'ଣ କି !



Rate this content
Log in

Similar oriya story from Action