Sambit Srikumar

Tragedy Classics Inspirational

4.7  

Sambit Srikumar

Tragedy Classics Inspirational

ପ୍ରଦର୍ଶନ ମୂଲ୍ୟାଙ୍କନ

ପ୍ରଦର୍ଶନ ମୂଲ୍ୟାଙ୍କନ

5 mins
421


ମାର୍ଚ୍ଚ୍ ମାସର ପ୍ରଥମ ସପ୍ତାହ, ଆଉ ତିନି ସପ୍ତାହର ଅନ୍ତରରେ ଚଳିତ ଆର୍ଥିକ ବର୍ଷ ଶେଷ ହେବ। କର୍ମଚାରୀଙ୍କ ବାର୍ଷିକ ପ୍ରଦର୍ଶନ ମୂଲ୍ୟାଙ୍କନ ସକାଶେ ମାର୍ଗଦର୍ଶିକା ଜାରୀ କରିସାରିଲାଣି ମୁଖ୍ୟାଳୟର କାର୍ମିକ ତଥା ମାନବସମ୍ବଳ ବିଭାଗ। ଯଥାଶୀଘ୍ର ଅଧସ୍ତନ କର୍ମଚାରୀମାନଙ୍କ କାର୍ଯ୍ୟ ଦକ୍ଷତା ମୂଲ୍ୟାଙ୍କନ କରି ତଥ୍ଯ ପ୍ରଦାନ କରିବାକୁ ପଡ଼ିବ। କାରଣ ମଇ ମାସ ପହିଲାରେ ସମସ୍ତ କର୍ମଚାରୀଙ୍କୁ ବେତନ ବୃଦ୍ଧି ବାବଦୀୟ ପତ୍ର ହସ୍ତାନ୍ତର କରାଯିବ। ଅବଶ୍ୟ ବର୍ଦ୍ଧିତ ବେତନ ଅପ୍ରେଲ ପହିଲାରୁ ଲାଗୁ ହେବ।

ନୂଆ ନୂଆ ପ୍ରବନ୍ଧକ ପଦରେ ଏଇ ଆର୍ଥିକ ବର୍ଷର ମଧ୍ଯଭାଗରେ ଚାକିରୀରେ ଯୋଗ ଦେଇଛନ୍ତି ବାଳଗୋପାଳ ମଙ୍ଗରାଜ। ଆଦିବାସୀ ଅଧ୍ୟୁଷିତ ବଣଜଙ୍ଗଲଘେରା କୋରାପୁଟ ଜିଲ୍ଲାର ଏକ ଶିଳ୍ପାନୁଷ୍ଠାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି ଦିଲ୍ଲୀସ୍ଥିତ ମୁଖ୍ୟାଳୟ ତରଫରୁ। ଏଠି ସିଏ ହେଉଛନ୍ତି ସର୍ବେସର୍ବା, ହର୍ତା କର୍ତ୍ତା ଦୈବ ବିଧାତା! ଅବଶ୍ୟ ଶିକ୍ଷାଗତ ଯୋଗ୍ୟତା ତାଙ୍କର ଢେର୍ ଅଧିକ ପଦବୀ ତୁଳନାରେ। ଖାସ୍ କେବଳ ସେଇଥିପାଇଁ ତ ଖୁବ୍ କମ୍ ବୟସରେ ପ୍ରଥମ ଚାକିରୀରୁ ପ୍ରବନ୍ଧକ ପଦବୀରେ ଅବସ୍ଥାପିତ ହୋଇଛନ୍ତି।


ଯୁବ ସୁଲଭ ଚଞ୍ଚଳତା ଏବଂ ଆଧିକାରିକ ଆଧିପତ୍ୟ ହେତୁ ସେ ଅଧସ୍ତନ କର୍ମଚାରୀ କାହାରିକୁ ସଠିକ୍ ଭାବେ ସମୁଚିତ ସମ୍ମାନ ପ୍ରଦାନ କରନ୍ତି ନାହିଁ। ଏଇ ଯେମିତି କେଉଁ କର୍ମଚାରୀ "ନମସ୍କାର" ଅବା "ସୁପ୍ରଭାତ୍" କହି ଅଭିବାଦନ ଜଣାଇଲେ ପ୍ରତ୍ୟୁତ୍ତରରେ କୌଣସି ପ୍ରତିକ୍ରିୟା ପ୍ରକାଶ କରନ୍ତି ନାହିଁ ପ୍ରବନ୍ଧକ ମହାଶୟ। ବରଂ ଅଯଥାରେ ବାକବିତଣ୍ଡା କରନ୍ତି କର୍ମଚାରୀଙ୍କ ସହିତ। ଉପରିସ୍ଥ ପଦାଧିକାରୀ ବୋଲି ସମୟ ସମୟରେ ସଭିଙ୍କୁ ଚେତାଇ ଦିଅନ୍ତି।

ତାଲିବାନୀ ତଥା ସାମନ୍ତବାଦୀ ମାନସିକତା ସମ୍ପର୍ଣ୍ଣ ବାଳଗୋପାଳ ବାବୁ ନିଜ ଅଧୀନରେ କମ୍ପାନୀର ସମସ୍ତ ପ୍ରଭୂତ୍ବ ରଖି ଭିନ୍ନ ଭିନ୍ନ କର୍ମଚାରୀଙ୍କୁ ଦାୟିତ୍ବ ବଣ୍ଟନ କରି ସୁରୁଖୁରରେ କାର୍ଯ୍ୟ ସମ୍ପାଦନ କରୁଥାନ୍ତି। ସାମଗ୍ରୀ ଉତ୍ପାଦନ ଠାରୁ ଆରମ୍ଭ କରି ବିଭିନ୍ନ ସ୍ଥାନକୁ ପ୍ରେରଣ କରିବା ଯାଏଁ ସମସ୍ତ ପ୍ରକ୍ରିୟା ବେଶ୍ ଶୃଙ୍ଖଳିତ ହୋଇ ଚାଲିଥାଏ। ଯଦିଓ ଏଥି ନିମନ୍ତେ କମ୍ପାନୀର ପୁରୁଖା ଅଭିଜ୍ଞ କର୍ମଚାରୀଙ୍କ ସର୍ବାଧିକ ଅବଦାନ ରହିଛି ତଥାପି ସମସ୍ତ ସଫଳତାର ଶ୍ରେୟ ପ୍ରବନ୍ଧକଙ୍କ ମଥାରେ। କାର୍ଯ୍ୟ ଶୈଳୀରୁ କେହି ବି କହିବେ ନାହିଁ କି ମହାଶୟ ସମ୍ପୂର୍ଣ୍ଣ ଭାବେ ନବାଗତ ତଥା ଅନୁଭବ ଅଥବା ଅଭିଜ୍ଞତା ବିହୀନ ବୋଲି।


ଯାହା ଯେମିତି ତ ଅଧସ୍ତନ କର୍ମଚାରୀମାନଙ୍କୁ ନେଇ କମ୍ପାନୀର ଦୈନନ୍ଦିନ କାର୍ଯ୍ୟ ସୁଚାରୁରୂପେ ପରିଚାଳନା କରୁଛନ୍ତି ବାଳଗୋପାଳ ବାବୁ। କିନ୍ତୁ ବାର୍ଷିକ ପ୍ରଦର୍ଶନ ମୂଲ୍ୟାଙ୍କନ ତାଙ୍କ ପାଇଁ ଏକବାରକେ ନୂତନ ବିଷୟ। ପାଠପଢ଼ା ସମୟରେ ବିଭିନ୍ନ ଶିଳ୍ପାନୁଷ୍ଠାନକୁ ଶୈକ୍ଷିକ ଗସ୍ତରେ ଯାଇଛନ୍ତି କିନ୍ତୁ ଏହି ବିଷୟରେ ଅବଗତ ନୁହଁନ୍ତି ବିଶେଷ ଭାବରେ। ଯାହା ବି ହେଉ ଏଥରକ ତ କର୍ମଚାରୀଙ୍କ ପ୍ରଦର୍ଶନ ମୂଲ୍ୟାଙ୍କନ କରି ତଥ୍ୟ ପ୍ରଦାନ କରିବାକୁ ପଡ଼ିବ।


ସାଧାରଣତଃ ଏହି ତଥ୍ୟ ଉପରେ କର୍ମଚାରୀଙ୍କ ଆଗାମୀ ଭବିଷ୍ୟତ ନିର୍ଭର କରିଥାଏ। ଯାହାଙ୍କର ଯେତେ ଭଲ ମୂଲ୍ୟାଙ୍କନ ହେବ ତାହାଙ୍କର ତଦନୁଯାୟୀ ବେତନ ଏବଂ ଅନ୍ୟାନ୍ୟ ଆନୁଷଙ୍ଗିକ ଭତ୍ତା ବୃଦ୍ଧି ହେବ ଆଗାମୀ ଆର୍ଥିକ ବର୍ଷରେ। କେତେକ କର୍ମଚାରୀଙ୍କୁ ମଧ୍ୟ ପଦୋନ୍ନତି ମିଳିବ। ଏହା ସେମାନଙ୍କ କମ୍ପାନୀ ପ୍ରତି ଆନୁଗତ୍ୟ ସୃଷ୍ଟି କରିବା ସହିତ ଉତ୍ସାହିତ ହୋଇ କାର୍ଯ୍ୟ ସମ୍ପାଦନ କରିବା ପାଇଁ ମନୋବଳ ବଢାଇବ। ସର୍ବୋପରି କମ୍ପାନୀର ଉତ୍ତୋରତର ଉନ୍ନତି ସାଧନ ହେବାର ମାର୍ଗ ଏଇ ମୂଲ୍ଯାଙ୍କନ।


ଗୁରୁବାର ଦିନ କର୍ମଚାରୀଙ୍କ ପ୍ରଦର୍ଶନ ମୂଲ୍ୟାଙ୍କନ ଆରମ୍ଭ କରିବେ ବୋଲି ପ୍ରବନ୍ଧକ ମହାଶୟଙ୍କ ମାନସିକ ଓ ବିଭାଗୀୟ ପ୍ରସ୍ତୁତି ଚୁଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଲା। ସମସ୍ତ ବିଭାଗକୁ ଏଥି ନିମନ୍ତେ ସୂଚିତ କରାଗଲା। କର୍ମଚାରୀ ସଭିଏଁ ପଦପଦବୀ ଓ ବିଭାଗ ନିର୍ବିଶେଷରେ ଉତ୍ସାହିତ ହୋଇଉଠିଲେ। ସଭିଏଁ ନିଜ ନିଜର ପ୍ରାକ୍ ପ୍ରସ୍ତୁତିରେ ଲାଗିପଡ଼ିଲେ କମ୍ପାନୀର ଉତ୍ପାଦନକୁ ଅଣଦେଖା ନକରି।


ଗୁରୁବାର ସକାଳୁ ସକାଳୁ ଆରମ୍ଭ ହେଲା ବିତ୍ତ ଏବଂ ଲେଖା ବିଭାଗର ପ୍ରଦର୍ଶନ ମୂଲ୍ୟାଙ୍କନ। ଆପଣାର ତଥ୍ୟ ସହିତ ଉପସ୍ଥିତ ଥାନ୍ତି କମ୍ପାନୀର ସବୁଠାରୁ ପୁରୁଖା ବିତ୍ତ ଅଧିକାରୀ ପ୍ରମୋଦ ପତି। ଆଉ ମାତ୍ର ଚାରି ପାଞ୍ଚ ବର୍ଷ ବାକି ଅଛି ଚାକିରୀର ଅବଧି। ସଭିଏଁ ତାଙ୍କୁ ଆକାଉଣ୍ଟାଣ୍ଟ୍ ବାବୁ ବୋଲି ଶ୍ରଦ୍ଧାରେ ଡାକିଥାନ୍ତି। କାରଣ ମାସିକ ବେତନ ସଭିଏଁ ତାଙ୍କର କର କମଳରୁ ଗ୍ରହଣ କରନ୍ତି। ସୁବିଧା ଅସୁବିଧାରେ ଧାର କରଜ ପାଇଁ ମଧ୍ଯ ପତି ବାବୁଙ୍କ ପାଖରେ ଭିଡ଼ ଜମାନ୍ତି କର୍ମଚାରୀମାନେ। ବିଡ଼ିଆ ପାନକୁ କଳରେ ଜାକି ବେଶ୍ ମଜାଳିଆ କଥା କହନ୍ତି ସିଏ। ଏଇଥିପାଇଁ ତ ସେ ସାନବଡ ସଭିଙ୍କର ପ୍ରିୟ।


ବୟୋବୃଦ୍ଧ ବ୍ଯକ୍ତି ହୋଇଥିଲେ ମଧ୍ୟ ଆକାଉଣ୍ଟାଣ୍ଟ୍ ବାବୁ ପ୍ରବନ୍ଧକ ବାଳଗୋପାଳ ବାବୁଙ୍କୁ ସମ୍ମାନ ଦୃଷ୍ଟିରୁ "ନମସ୍କାର" ଜଣାଇ ତାଙ୍କ ପାଇଁ ଉଦ୍ଦିଷ୍ଟ ଆସନ ଗ୍ରହଣ କଲେ। ସବୁଥର ଭଳି ପ୍ରବନ୍ଧକ ମହାଶୟ ପ୍ରତିକ୍ରିୟାଶୂନ୍ଯ ଅମାପ ଦର୍ପାଭିମାନରେ। ବିନା ଅନୁମତିରେ ଆକାଉଣ୍ଟାଣ୍ଟ୍ ବାବୁ ଚୌକି ଉପରେ ଉପବେଶନ କରିବା ପ୍ରବନ୍ଧକ ମହାଶୟଙ୍କର ଚକ୍ଷୁଶୀଳ ହେଲା। କ୍ରୋଧାନଳରେ ଜର୍ଜରିତ ହୋଇ ଉଠୁଥିଲା ତାଙ୍କର ଅଷ୍ଟାଙ୍ଗ ଶରୀର। ରକ୍ତ ଚାଉଳ ଚୋବାଉଥାନ୍ତି। ଅପରପକ୍ଷରେ ପ୍ରମୋଦ ବାବୁ ସ୍ଥିତପ୍ରଜ୍ଞ, ସ୍ଥିର, ଶାନ୍ତମତିରେ ବସି ରହିଥାନ୍ତି ପ୍ରବନ୍ଧକ ମହାଶୟଙ୍କର ପରବର୍ତ୍ତୀ ପଦକ୍ଷେପର ଅପେକ୍ଷାରେ।


ନିଜକୁ ସଞ୍ଜତ କରି ବାଳଗୋପାଳ ବାବୁ ଆରମ୍ଭ କଲେ, "ଆଛା ପତି ବାବୁ! ଆକାଉଣ୍ଟସ୍ ଡିପାର୍ଟମେଣ୍ଟର ଉତ୍ପାଦକତା ଓ ଉପଯୋଗୀତା କଣ? କାହିଁକି ଆପଣଙ୍କ ଦରମା ବୃଦ୍ଧି କରାଯିବ? ଗୋଟିଏ କାରଣ କୁହନ୍ତୁ।"


: ସେକଥା ମୁଁ କେମିତି କହି ପାରିବି? ମୁଁ ତ ଗୋଟିଏ ଛୋଟମୋଟିଆ ତଳିଆ କର୍ମଚାରୀ। ମୋର ଶିକ୍ଷା ଦୀକ୍ଷା, ଅଭିଜ୍ଞତା ବହୁତ କମ୍। ଆପଣଙ୍କ ପ୍ରଶ୍ନର ସଠିକ୍ ଉତ୍ତର ତ ଆମ କମ୍ପାନୀର ପରିଚାଳନା ମଣ୍ଡଳୀରେ ଥିବା ନିର୍ଦ୍ଦେଶକମାନେ ହିଁ ଦେଇପାରିବେ। କାହିଁକି ଏଇ ଡିପାର୍ଟମେଣ୍ଟ ରଖିଛନ୍ତି ସେମାନେ ହିଁ କହିପାରିବେ।


: ଯେଉଁ ବିଭାଗରେ କାମ କରୁଛନ୍ତି ସେହି ସମ୍ପର୍କିତ ଗୋଟିଏ ସାଧାରଣ ପ୍ରଶ୍ନର ଉତ୍ତର ନାହିଁ ଆପଣଙ୍କ ପାଖରେ। ଆପଣ ଏହି କାମ ପାଇଁ ଯୋଗ୍ୟ ତ?


: ଆଜ୍ଞା! ମୁଁ, ମୋ କାମ କରିବାକୁ ଯୋଗ୍ୟ କି ନାହିଁ ତାହା ମୋର ତିନି ଦଶନ୍ଧିରୁ ଊର୍ଦ୍ଧ୍ବ ସମୟର କାମ ହିଁ କହିବ। ଆପଣ ପୁରୁଣା ଫାଇଲ ଘାଣ୍ଟି ପାରନ୍ତି...


: ଓଃ! ବଢିଆ... ନିଜ କାମର ଠିକଣା ନାହିଁ। ମୁଁ କଣ କରିବି ମୋତେ ଜ୍ଞାନ ବଣ୍ଟା ହେଉଛି। ଏବେ କ୍ଯାସ୍ ବାଲାନ୍ସ ଯାଞ୍ଚ କଲେ ଦେଣନେଣର ହିସାବ ମିଶିବ କି ନାହିଁ ବାବୁଙ୍କୁ ଜଣା ନାହିଁ। କହିଲେ କଣ ନା ଫାଇଲ୍ ଘାଣ୍ଟନ୍ତୁ। ଆଛା... ମୋ ଜାଣିବାରେ ବାବୁଙ୍କର ଏବର୍ଷ ପୁଣି "ପ୍ରମୋଶନ ଡ୍ଯୁ..." କିନ୍ତୁ ଉପସ୍ଥିତ ଅଧିକାରୀଙ୍କୁ କେମିତି ବ୍ୟବହାର ପ୍ରଦର୍ଶନ କରାଯାଏ ଜଣାନାହିଁ।


: ସରି ଆଜ୍ଞା! ଭାବପ୍ରବଣତାର ବଶୀଭୂତ ହୋଇ କିଛି ଭୁଲଭଟକା କହି ଦେଇଥିବାରୁ ଦୁଃଖିତ। ଆପଣଙ୍କୁ ତ ସବୁ କଥା ମାଲୁମ୍, ଆପଣ ଦେଖିବେ ଆମ ଆପ୍ରେଜାଲ୍। ମୁଁ ଆସୁଛି।


: ଶୁଣନ୍ତୁ... ଶୁଣନ୍ତୁ... ପ୍ରମୋଦ ବାବୁ! ଏମିତି କେମିତି ବିନା ପ୍ରଶ୍ନୋତ୍ତରୀ କାର୍ଯ୍ୟକ୍ରମରେ ସବୁ ହୋଇଯିବ?


: ଆଉ କଣ ବାକି ଅଛି ଯେ? ଆପଣଙ୍କର ଯାହା ଇଛା ତାହା କରନ୍ତୁ।


: ମାନେ ?


: ମାନେ ଟା ଆଉ କଣ ଯେ? ଆପଣ କରି କରି ଆଉ କଣ କରିବେ? ଏଇ ଆପ୍ରେଜାଲ୍ ରେଟିଂ କମ୍ କରିବେ ତ... ନା ଆଉ ଅଧିକ କଣଟା କରିବେ? ହଉ ହେଲା... ଆପଣ ଅଶି କିମ୍ବା ନବେ ପ୍ରତିଶତ ହାରରେ ବୋନସ୍ ପାଇଲେ, ଆମେ ତ ସର୍ବନିମ୍ନ ପଚାଶ ପ୍ରତିଶତ ପାଇବୁ। ଏଥିରୁ ତ ଆପଣ ଆମ କାହାରିକୁ ବଞ୍ଚିତ କରିପାରିବେ ନାହିଁ। ଆଉ ରହିଲା ଆପଣଙ୍କ ବୋନସ୍ ଆଉ ଆମ ବୋନସ୍ ଭିତରର ଫରକ କଥା। ଆମେ ଯେତେ ପାଇଲେ ବି ସର୍ବାଧିକ କୋଡ଼ିଏ ପ୍ରତିଶତ ଇନକମ୍ ଟ୍ଯାକ୍ସ ଦେବୁ। ମାତ୍ର ଆପଣ ଦେବେ ତିରିଶି ପ୍ରତିଶତ ପୁଣି ସରଚାର୍ଜ୍ ଅଲଗା ଅଛି। ଅବଶ୍ୟ ଆପଣଙ୍କ ମୋଟା ଅଙ୍କର ବୋନସ୍ ଟା ଆମର ବର୍ଷସାରାର ଦରମା ଓ ବୋନସ୍ ଠାରୁ ଢେର୍ ଗୁଣେ ଅଧିକ। ଆମକୁ ନ୍ଯୁନ କରି ଆପଣ ଯେତେ କମେଇବେ ନ୍ଯାଚୁରାଲ୍ ଜଷ୍ଟିସ୍ ହେବ ଏମିତି ଆପଣଙ୍କ ସାଥିରେ। ସେତିକି ବେଳେ ମନେପଡିବ ଏଇ ବୁଢା ଆକାଉଣ୍ଟାଣ୍ଟ୍ ପ୍ରମୋଦ ପତି। ସେବେ ଜାଣିବେ ଆକାଉଣ୍ଟସ୍ ଡିପାର୍ଟମେଣ୍ଟର ଉତ୍ପାଦକତା ଓ ଉପଯୋଗୀତା କଣ? ଶେଷକଥା ହେଲା, ଆପଣ ଏଯେଉଁ ଏତେ ଗର୍ବ କରୁଛନ୍ତି ଅହଙ୍କାର ପ୍ରଦର୍ଶନ କରୁଛନ୍ତି ପଦପଦବୀ, ପ୍ରଭୂତ୍ବ ଆଉ ଯୌବନକୁ ନେଇ। ଏସବୁର କିଛି ମୂଲ୍ଯ ନାହିଁ। ସବୁକିଛି ବୃଥା ନିରର୍ଥକ। କାଳ ଆସିଲେ କିଛି ବି କାମରେ ଲାଗିବ ନାହିଁ। ଆଲୋକଜାଣ୍ଡର ସାରା ପୃଥିବୀକୁ ଜିତିଥିଲା। ଯୁବାବସ୍ଥାରେ ମୃତ୍ୟୁ ହେଲା ବେଳକୁ କୌଣସି ବୈଦ୍ୟ ବଞ୍ଚାଇ ପାରିଲେ ନାହିଁ। ଜିତିଥିବା ହୀରା ନୀଳା ମୋତି ମାଣିକ କିଛି ବି କାମରେ ଆସିଲା ନାହିଁ। ଅନ୍ତେଷ୍ଟି ପାଇଁ ଅନ୍ତିମ ଯାତ୍ରାରେ ଗଲାବେଳେ କିଛି ବି ନେଇକି ଗଲା ନାହିଁ। ଛ' ଫୁଟର ଜାଗା ହିଁ ଯଥେଷ୍ଟ ମଣିଷ ପାଇଁ। କଣ ପାଇଁ ଆପଣଙ୍କର ଏତେ ଅହମିକା, ଅହଙ୍କାର? ଦୁନିଆ ଦାଣ୍ଡରେ କୁମ୍ଭୀର ଲଢ଼େଇ ଚାଲିଛି। କିଏ ଜାଣେ କାହାର କେତେ ବେଳେ ବେଳ ପୁରିଯିବ...! ଆପଣ ଆମ ପରି ଏଇ କମ୍ପାନୀର ଏକ ମାମୁଲି କର୍ମଚାରୀ ମାତ୍ର। କମ୍ପାନୀର ମାଲିକ ନୁହଁନ୍ତି। ଆପଣ ଆମମାନଙ୍କୁ ଯେମିତି ସମ୍ମାନ ଦେବେ ଠିକ୍ ସେମିତି ସମ୍ମାନ ପାଇବେ ଆମ ଠାରୁ। ଗଣତାନ୍ତ୍ରିକ ରାଷ୍ଟ୍ର ଇଏ। ଆମେ ଆମ ଇଛାର ମାଲିକ। ଆମେ ଏଠି କାମ କରୁଛୁ ବୋଲି ଭାବନ୍ତୁ ନାହିଁ ଯେ ବେଠି ଖଟୁଛୁ...


: କଣ ଆପଣ, ମୋତେ ଧମକାଉଛନ୍ତି?


: ଧମକାଇବାକୁ ମୁଁ କିଏ ଆଜ୍ଞା? ସରଳ ଭାଷାରେ ବୁଝଉଥିଲି ଯାହା... କର୍ପୋରେଟ୍ ସଂସ୍ଥା। କାଲିକୁ ଶ୍ରମିକ ଆନ୍ଦୋଳନ ହୋଇ ଉତ୍ପାଦନ ବନ୍ଦ ରହିଲେ ଆପଣଙ୍କ ପଦ ରହିବ ତ? ଆମେ ତ ଏଠିକାର ସ୍ଥାନୀୟ ଅଧିବାସୀ।

: ହଉ ମୁଁ ବି ଦେଖେ କଣ ଆପଣ କରିବେ ଆଉ ଆପଣଙ୍କ ଶ୍ରମିକ ସଂଘ...

ପ୍ରଦର୍ଶନ ମୂଲ୍ୟାଙ୍କନ ପ୍ରକ୍ରିୟା ଜାରି ରହିଥିବା ବେଳେ ଅଚାନକ ପ୍ରବନ୍ଧକ ବାଳଗୋପାଳ ବାବୁଙ୍କୁ ମୁଖ୍ୟାଳୟରୁ ଡାକରା ଆସିଲା ତୁରନ୍ତ ହାଜିର୍ ହେବାକୁ। ବିଶୃଙ୍ଖଳିତ ଆଚରଣ ନିମନ୍ତେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ସ୍ବରୂପ ତାଙ୍କୁ ମୁଖ୍ୟାଳୟକୁ ବଦଳି କରାଯାଇଥିଲା। ମୁଖ୍ୟାଳୟରେ ଦନ୍ତ ବିହୀନ ବ୍ଯାଘ୍ର ପରି ଆପଣାର କାର୍ଯ୍ୟ ନିର୍ବାହ କରୁଥିଲେ ପ୍ରବଳପ୍ରତାପୀ ପ୍ରବନ୍ଧକ।



Rate this content
Log in

Similar oriya story from Tragedy