ପ୍ରବଚନ
ପ୍ରବଚନ


ସାଧୁଙ୍କ ପ୍ରବଚନ ଶୁଣିବା ପାଇଁ ଜଣେ କାଲା ଲୋକ ପ୍ରତିଦିନ ଆସୁଥିଲେ । ଏବଂ ମଞ୍ଚର ଆଗଧାଡ଼ିରେ ବସୁଥିଲେ । କିନ୍ତୁ ସେ ସାଧୁଙ୍କର ଗୋଟିଏ ଶବ୍ଦ ବି ଶୁଣି ପାରୁ ନ ଥିଲେ । ଜଣେ ଲୋକ ଆସି ସାଧୁଙ୍କୁ କହିଲା - ଆଗରେ ଆପଣଙ୍କ ପ୍ରବଚନ ଶୁଣି ହସୁଥିବା ଲୋକଟି ବଧିର । ମୁଖ୍ୟତଃ ଦୁଇଥର ହସନ୍ତି ବଧିର ମାନେ - ୧. ସମସ୍ତେ ହସିବା ଦେଖି ହସି ପକାନ୍ତି । ୨. କଥାଟି ସମ୍ପୂର୍ଣ୍ଣ ବୁଝିବା ପରେ ପୁଣି ଥରେ ହସନ୍ତି । ସାଧୁ ଜଣକ ସେ ଲୋକର କଥାକୁ ବିଶ୍ବାସ କଲେ ନାହିଁ । କହିଲେ, ସେ ପ୍ରବଚନ ଆରମ୍ଭ ହେବାର ବହୁ ପୂର୍ବରୁ ଆସନ୍ତି । ନଚେତ୍ ଠିକ୍ ସମୟରେ ଆସି ପହଞ୍ଚିଯାଆନ୍ତି । ଏପରି ମଧ୍ୟ କେବେ ନୁହେଁ ସେ ଅଧାରୁ ନ ଉଠି ଚାଲି ଯାଆନ୍ତି । ସେ ଘଣ୍ଟା ଘଣ୍ଟା ଧରି ଧୈର୍ଯ୍ୟର ସହିତ ବସି ପ୍ରବଚନ ଶୁଣନ୍ତି । ସାଧୁ ଜଣକ ସେ ବଧିର ଲୋକ ପାଖକୁ ଗଲେ । ପଚାରିଲେ - ଆପଣଙ୍କୁ ଆଜିର ବିଷୟ ବସ୍ତୁଟି କେମିତି ଲାଗିଲା । ତାକୁ କିଛି ଶୁଣା ଯାଉ ନ ଥିବାରୁ, ସେ ବଲ ବଲ ହୋଇ ଚାହିଁ ରହିଲେ । ସାଧୁ ଯେତେ ବଡ ପଚାରିଲେ ମଧ୍ୟ ସେ କିଛି ହେଲେ ଉତ୍ତର ଦେଲେ ନାହିଁ । ସାଧୁ ଏଥର ବୁଝିଗଲେ - ସେ ନିଶ୍ଚିତ କାଲା । ଅନ୍ୟ ଜଣକୁ ଆଦଶ ଦେଲେ - କାଗଜ କଲମଟିଏ ଆଣିବା ପାଇଁ । ଲିଖିତ ଭାବେ ପଚାରିଲେ - ତୁମକୁ ତ କିଛି ଶୁଭୁ ନାହିଁ, ପ୍ରବଚନକୁ ଆସିବାର ମୂଲ୍ୟ କ'ଣ ? ସେ ଲୋକ ଜଣକ ଉତ୍ତର ଦେଲେ - ମୋ କାନ ସମ୍ପୂର୍ଣ୍ଣ ନଷ୍ଟ ହୋଇଯାଇଛି । ମୁଁ ଗୋଟିଏ ଶବ୍ଦ ବି ଶୁଣିପାରୁ ନାହିଁ । କିନ୍ତୁ ମୁଁ ବୁଝିପାରୁଛି ଯେ, ଯାହାକୁ ଈଶ୍ୱର ପ୍ରାପ୍ତି ହୁଏ ସେହି ମହାପୁରୁଷମାନେ ପ୍ରବଚନ ଦିଅନ୍ତି । ସେଥିରେ ସେ ପ୍ରଥମେ ଭଗବାନଙ୍କୁ ଭକ୍ତି ରସରେ ବୁଡେଇ ଦିଅନ୍ତି । ସଂସାରିକ ମନୁଷ୍ଯ ଯେତେବେଳେ କଥା କୁହେ ତା'ର ସ୍ୱର ମନ ଓ ବୁଦ୍ଧିକୁ ସ୍ପର୍ଶ କରି ଆସିଥାଏ । କିନ୍ତୁ ବ୍ରହ୍ମଜ୍ଞାନୀ ସାଧୁସନ୍ଥ ଯେତେବେଳେ କଥା କୁହନ୍ତି ତାଙ୍କର ସ୍ୱର ଆତ୍ମାକୁ ସ୍ପର୍ଶ କରି ଆସିଥାଏ । ମୁଁ ଆପଣଙ୍କର ଅମୃତବାଣୀ ଶୁଣି ପାରୁନାହିଁ ସତ , କିନ୍ତୁ ଯେତେବେଳେ ଆପଣ ପ୍ରବଚନ ଦିଅନ୍ତି ତାହା ତରଙ୍ଗାୟିତ ହୋଇ ମୋ ଶରୀରକୁ ସ୍ପର୍ଶ କରେ । ମୁଁ ଅନୁଭବ କରେ ମୋର ପ୍ରତ୍ୟେକ ଲୋମ କୂପ ପବିତ୍ର ହେବାକୁ ଯାଉଛି । ଦ୍ବିତୀୟ କଥାଟି ହେଲା , ଆପଣଙ୍କର ଅମୃତବାଣୀ ଶୁଣିବାକୁ ଆସୁଥିବା ପୁଣ୍ୟାତ୍ମା ଲୋକମାନଙ୍କ ମଧ୍ୟରେ ମୋତେ ବସିବାର ସୌଭାଗ୍ୟ ପ୍ରାପ୍ତ ହେଲା । ସାଧୁ ଦେଖିଲେ - ଏଇତ ଜଣେ ଉଚ୍ଚ ସମ୍ପନ୍ନ ବ୍ୟକ୍ତିତ୍ବ । ସାଧୁ ପଚାରିଲେ - ମୁଁ ଜାଣିବାକୁ ଚାହୁଁଛି ? ତୁମକୁ ଶୁଭୁ ନାହିଁ କିନ୍ତୁ ତୁମେ ପ୍ରତିଦିନ ଠିକ୍ ସମୟରେ ପ୍ରବଚନରେ ପହଞ୍ଚି ସାମ୍ନାରେ ବସ ? ତାହା କାହିଁକି ? ସେ କହିଲେ, "ମୁଁ ପରିବାରରେ ବଡ଼ ଏବଂ ସବୁଠାରୁ ବୟସ୍କ । ଛୋଟମାନେ ମୋର କଥାକୁ କାମକୁ ଅନୁକରଣ କରିଥାନ୍ତି । ମୁଁ ଯେତେବେଳେ ପ୍ରବଚନକୁ ଆସିବା ଆରମ୍ଭ କଲି, ମୋ ବଡ଼ ପୁଅ ମଧ୍ୟ ଏଠାକୁ ଆସିଲା । ଯେତେବେଳେ ସେ ଆସିଲା ତାକୁ ଭଲ ଲାଗିଲା । ସେ ତାର ପତ୍ନୀକୁ ସଙ୍ଗରେ ନେଇ ଆସିଲା । ତାର ପତ୍ନୀ ଆସିବାରୁ, ପିଲାମାନଙ୍କୁ ସଙ୍ଗରେ ନେଇ ଆସିଲା ପତ୍ନୀ । ଏବେ ପ୍ରବଚନ ଶୁଣିବା ପାଇଁ ଆମର ପୁରା ପରିବାର । ପ୍ରବଚନରୁ ମିଳିଲା ଆମ ପରିବାରକୁ ସମ୍ପୂର୍ଣ୍ଣ ସଂସ୍କାର । ସାଧୁ ଜଣକ ଏହି କଥା ଶୁଣି ବହୁତ ଖୁସି ହେଲେ । ସେ ହୃଦୟର ସହିତ ଅନୁଭବ କଲେ, ଆଜି ମୋର ପ୍ରବଚନ ବାସ୍ତବିକ୍ ସଫଳ ହୋଇଛି ।