Nityananda Nandi

Classics Inspirational

4.5  

Nityananda Nandi

Classics Inspirational

ପ୍ରାପ୍ୟ

ପ୍ରାପ୍ୟ

6 mins
348



ଦିଦି ! ତମେ ଟିକିଏ ସୁବ୍ରତଙ୍କୁ ଦେଖିବ, କେବଳ ଗୋଟାଏ ରାତି ପାଇଁ। ଶୁଣିଲି, ମୋ ଝିଅର ଦେହ ଖରାପ। ମୋତେ ଯିବାକୁ ହେବ !!

ଇଚ୍ଛା ନ ଥାଇ ବି ହଁ ଭରିଲେ ସରିତା।

ହଁ ଦିଦି, କିଛି ଟାବଲେଟ ବାକି ନାହିଁ। ସବୁ ଖୁଏଇ ଦେଇଛି। ଦରକାର ହେଲେ ଥରେ ଦୁଇଥର ବାଥରୁମ ନେଇ ଯିବାକୁ ହେବ।

ଠିକ୍ ଅଛି, ତୁ ଯା.....!

ସୁବ୍ରତ ଓ ସରିତା, ସମୟର ଉପତ୍ୟକାରେ ଦୁଇଟି ମାଇଲ ଖୁଣ୍ଟ। ହଠାତ୍ ଦିନେ ଜିମ୍ ଭିତରେ ଦେଖା ହୋଇଥିଲା ଅନେକ ବର୍ଷ ଆଗରୁ। ଉଭୟେ ଉଭୟଙ୍କୁ ଖୋଜୁଥିଲେ ମନ ଅରଣ୍ୟ ଭିତରେ। ମନ କିନ୍ତୁ ପ୍ରଜାପତି ପରି ଅମାନିଆ। ବାର ବାର ଉଡ଼ିଯିବାକୁ ଚେଷ୍ଟା କରେ। ନୀଳ ପ୍ରଜାପତି ହାତରୁ ଖସି ଯାଇ ଆକାଶକୁ ଉଡିଗଲେ ଆଉ ଫେରେ ନାହିଁ । ସରିତା କିନ୍ତୁ ମନ ଭିତରେ ଆବଦ୍ଧ କରି ରଖିଲେ ସୁବ୍ରତଙ୍କୁ। ସୁବ୍ରତ ସବୁଦିନ ପାଇଁ ଛନ୍ଦି ହୋଇ ଗଲେ ସରିତାଙ୍କ ସହିତ।


ଦଶ ବର୍ଷରୁ ଅଧିକ ହେବ। ପ୍ରେମ, ବୈବାହିକ ଜୀବନ, ଓ ତା ପରେ ଭୁଲ ବୁଝାମଣା ପାଇଁ ବିଚ୍ଛେଦ ଏମିତି ଅନେକ ଘଟଣା ଘଟି ଯାଇଛି ସେମାନଙ୍କ ଭିତରେ। 

ନଦୀ ର ଦୁଇ ଧାର ସିନା କେବେ ମିଶନ୍ତିନି, ଦୁଇ ଭାଗରେ ବିଭକ୍ତ ହୋଇଥିବା ନଦୀ କିନ୍ତୁ ଆଉ ଥରେ ମିଶିବାର ସମ୍ଭାବନା କୁ ଏଡେଇ ପାରେନି। ସମ୍ଭାବନା ହିଁ ଜୀବନର ସୂକ୍ଷ୍ମତମ ସାହାରା।


ଡିଭୋର୍ସ ପାଇଁ କେହି କେବେ ଆବେଦନ କରି ନାହାନ୍ତି, ବାସ୍ ଗୋଟାଏ ଛାତ ତଳେ ରହନ୍ତି ଦୁଇ ଅଜଣା ପଥିକ ପରି। ପାନ୍ଥଶାଳା ନୁହେଁ ଯେ ଗୋଟାଏ ରାତିର ସାକ୍ଷାତ ଓ ସବୁକିଛି ଶେଷ ତା ପରେ, ସାରା ଜୀବନରେ ପ୍ରେମର ଆଉ ଆବଶ୍ୟକତା ନାହିଁ। ଦୁଇଟି ବିହଂଗର ଗପ ନୁହେଁ ଯେ ଅଚାନକ ଆଉଥରେ କେଉଁ ଗଛ ଡାଳରେ ଭେଟିଯିବେ, ଚିହ୍ନିବେନି କେହି କାହାକୁ। ତାହା ବି ନୁହେଁ। ନା ସେମାନଙ୍କ ଜୀବନରେ ସବୁ କିଛି ଶେଷ ହୋଇ ଯାଇଛି..ଯେଉଁଥି ପାଇଁ ଏମିତି ବଞ୍ଚି ରହିବା ହିଁ ଗୋଟାଏ ମାତ୍ର ବିକଳ୍ପ।


ବାସ, ମନ ଫାଟି ଯାଇଛି। ଉଭୟେ ଉଭୟଙ୍କୁ ଦେଖନ୍ତି, କିନ୍ତୁ ପ୍ରତିକ୍ରିୟା ନାହିଁ, ସମ୍ବୋଧନ ନାହିଁ, ହସ ନାହିଁ, ପ୍ରେମ ନାହିଁ। 

ଉଦାସ ପୂର୍ଣ୍ଣ ଆକାଶ ସହିତ କଳା ବାଦଲର ତିକ୍ତତା କ୍ଷଣସ୍ଥାୟୀ। ଘୂର୍ଣି ଝଡ଼ଠୁ ଧକା ଖାଇ ବାଦଲ ଅପସରି ଯାଏ, ସୂର୍ଯ୍ୟ କିରଣରେ ଉଦ୍ଭାସିତ ହୁଏ ଆକାଶଟା। ଦୂରରୁ ଥାଇ ମେଘ ହସିଦିଏ, ସମ୍ପର୍କର ଇନ୍ଦ୍ରଧନୁଟିଏ ତିଆରି ହୁଏ ପୁଣିଥରେ, ଆକାଶରେ।


ସେମାନଙ୍କ ଭିତରେ ଠିକ୍ ସେମିତି ତିକ୍ତତା !! ମଧୁରତା ନାହିଁ ସମ୍ପର୍କରେ।


ହଠାତ ଦିନେ ଦୁର୍ଘଟଣା ଗ୍ରସ୍ତ ହୋଇ ସୁବ୍ରତ ସ୍କୁଟରରୁ ପଡିଗଲେ। ସମ୍ପୂର୍ଣ୍ଣ ଅକର୍ମଣ୍ୟ। ଡାକ୍ତର କହିଛନ୍ତି ପାଞ୍ଚ ଛ ମାସ ଲାଗିବ ଠିକ୍ ହେବାକୁ। ହସ୍ପିଟାଲ ଯାଇ ପ୍ରତିଦିନ ଦେଖି ଆସୁଥିଲେ ସୁବ୍ରତଙ୍କୁ। ତଥାପି ଶ୍ରଦ୍ଧା ନାହିଁ। ଦୟାରୁ ଦୁର୍ବଳତା, ଦୁର୍ବଳତାରୁ ପୁଣି ଥରେ ପ୍ରେମ ହେବାର ସୁଯୋଗ ସବୁ ମିଛ ଲାଗୁଥିଲା ଉଭୟଙ୍କୁ।

ସୁବ୍ରତଙ୍କୁ ହସ୍ପିଟାଲରୁ ନେଇ ଆସିଲେ ସରିତା।


ବହୁତ ଖୋଜି ଖୋଜି ରୁକ୍ମଣୀ କୁ ରଖିଛନ୍ତି ଆୟା ଭାବେ। ପାଞ୍ଚ ମାସରେ ପଚାଶ ହଜାର ନେବ ବୋଲି କଥା ଛିଣ୍ଡେଇଛି ରୁକ୍ମଣୀ।

ଦିନ ସାରା ବସି ରହନ୍ତି ସୁବ୍ରତ ହୁଇଲ ଚେୟାର ଉପରେ। ରାତି ସାରା ବିଛଣାରେ ପଡି ରହନ୍ତି। ରୁକ୍ମଣୀ ଷ୍ଟୁଲ ଉପରେ ବସି ରହେ। ନିଦ ହେଲେ ଆର୍ମଚେୟାରରେ ଶୋଇ ଯାଏ। କିଛି ଫରକ ପଡ଼େନି ସରିତା ଙ୍କୁ। ପାଖ ଘରେ ଶୋଇ ଯାଆନ୍ତି। ଏକ ସୁନ୍ଦରୀ ଆୟାର ପ୍ରେମରେ ସୁବ୍ରତ ଛନ୍ଦି ହୋଇଯିବାର ଭୟ ବି ନାହିଁ ସରିତାଙ୍କୁ। ଜୀବନଟା ଶୁଷ୍କ .....ପାଖୁଡ଼ା ବିହୀନ ପ୍ରଜାପତି ପରି ବିଛଣାରେ ପଡ଼ି ଛଟ ପଟ ହେବା ଛଡ଼ା କିଛି ଉପାୟ ନ ଥିଲା ଦୁଇ ଜଣଙ୍କ ପାଇଁ।


ରାତି ଆଠଟା, ସରିତା ରୋଟି ଆଉ ଗରମ କ୍ଷୀର ଥୋଇ ଦେଇ ଆସିଲେ ସୁବ୍ରତଙ୍କ ପାଖରେ। ସୁବ୍ରତଙ୍କ ଆଖି ସହିତ ଆଖି ମିଶେଇ ପାରିଲେନି ସରିତା। ଫେରି ଆସିଲେ ନିଜ ରୁମକୁ। ଆଖି ଲାଗି ଯାଇଛି, ଶ୍ରଦ୍ଧା ବିହୀନ ଜୀବନରେ ନା କିଛି ଆକର୍ଷଣ ଥାଏ, ନା ବିକର୍ଷଣ ଥାଏ। ସମ୍ପର୍କରେ କାହାର ନଜର ଲାଗି ଯାଇଛି ଯେମିତି... ହଠାତ ନିଦ ଭାଙ୍ଗିଲା, ରାତି ଏଗାର..ଦୌଡିଗଲେ ସୁବ୍ରତଙ୍କ ପାଖକୁ। ଯା ହେଲେ ବି ରୁକ୍ମଣୀ ଦାୟିତ୍ଵ ଦେଇ ଯାଇଛି ଯେତେ ବେଳେ ତୁଲେଇବାକୁ ହିଁ ପଡ଼ିବ। 

ସୁବ୍ରତ ବିଛଣା ଉପରେ ନାହାନ୍ତି।  ସୁବ୍ରତ, ସୁବ୍ରତ !! ଖୋଜିଲେ ସୁବ୍ରତଙ୍କୁ। ବାଥରୁମ ଭିତରେ ପଡି ଯାଇଛନ୍ତି ସୁବ୍ରତ। ଏ କଣ କଲ ସୁବ୍ରତ, ମୋତେ ଡାକି ପାରି ଥାଅନ୍ତ ନା.. ଆଖି ଛଳ ଛଳ ହୋଇଗଲା। ବହୁ କଷ୍ଟରେ ଉଠେଇଲେ ସେ ସୁବ୍ରତଙ୍କୁ। ହ୍ୱିଲ ଚେୟାର ଉପରେ ବସେଇ ଦେଇ ଦେହ ଆଉଁସି ଦେଲେ କିଛି ଅଧିକ ଚୋଟ ଲାଗିନି ତ !!! 

ଅନେକ ଦିନ ପରେ ଜହ୍ନ ଆଲୁଅରେ ପୃଥିବୀ ତାର କକ୍ଷ ପଥକୁ ଆବିଷ୍କାର କରୁଥିଲା ଯେମିତି। ଅଫେରା ରାସ୍ତାରୁ ସମ୍ପର୍କ ଫେରିବାର ଆଭାସ ବର୍ଷା ରାତି ଆକାଶର ଅଚାନକ ଜହ୍ନ ପରି ନିଶବ୍ଦରେ ବାରି ହୋଇଯାଏ। ଆକାଶଟା ଫର୍ଶା ହୁଏ। ଉତ୍ସବ ମୟ ହୋଇଉଠେ ଆକାଶଟି। କାହିଁକି କେଜାଣି, ଅଚାନକ ଆନ୍ତରିକତା ବଢ଼ିଗଲା ସୁବ୍ରତଙ୍କ ପାଇଁ...

ସୁବ୍ରତଙ୍କୁ ରୋଟି ଓ କ୍ଷୀର ଖୁଇଦେଲେ ସରିତା। ବିଛଣା ଉପରେ ବସେଇ ଦେଲେ ସୁବ୍ରତଙ୍କୁ। 

ବେଡ ରେଷ୍ଟ ଉପରକୁ ଆଉଜି ଶୋଇ ଯାଅ ସୁବ୍ରତ ! 

ସୁବ୍ରତଙ୍କ ମଥା ଆଉଁସି ଦେଲେ ସରିତା।

ସୁବ୍ରତ ଶୋଇଗଲେ ନିର୍ବୋଧ ଶିଶୁଟିଏ ପରି।

ସରିତା ବସି ରହିଲେ ଆର୍ମ ଚେୟାର ଉପରେ।

× × × × × ×


ଥାକରେ କାହାର ଏ ଚିଠି ? ରୁକ୍ମଣୀର !!!

କଣ ଲେଖିଛି ରୁକ୍ମଣୀ ? ସରିତା ଖୋଲିଲେ ଚିଠି ଟିକୁ


ଦିଦି !

ଦୁଇଟି ଅଦ୍ଭୁତ ସମ୍ପର୍କ ଆବିଷ୍କାର କାଲି ଏଇ ଦଶ ଦିନ ଭିତରେ ! ତୁମେ ଆଉ ସୁବ୍ରତ । ଗୋଟାଏ ଛାତ ତଳେ ଦୁଇଟି ଭିନ୍ନ ସାମ୍ରାଜ୍ୟ। ଇଗୋ ର ସଂଘର୍ଷ, ରକ୍ତପାତ ନାହିଁ, ଶୀତଳ ଯୁଦ୍ଧ।


ଗୋଟାଏ କଥା କହିବି ଦିଦି ! ତମେ ଯେତିକି ଭଲ , ସୁବ୍ରତ ବି ଠିକ୍ ସେତିକି। ବିରହ ଯନ୍ତ୍ରଣା ଦୁଇ ଜଣଙ୍କୁ କ୍ଷତ ବିକ୍ଷତ କରି ଚାଲିଛି ନିରନ୍ତର ଭାବରେ। ପ୍ରତିଦିନ ରାତି ଅଧିକ ହେଲେ ଝର୍କା ଦେଇ ତମକୁ ଦେଖେ, ତମେ ବସି କାନ୍ଦୁଥାଅ। 

ଫେରି ଆସି ପଚାରେ ସୁବ୍ରତଙ୍କୁ, ଏତେ ବଡ ଚାକିରୀ କରିଛ, ଗାଡ଼ି, ଘୋଡ଼ା, ଘର ସବୁ କିଛି ତମ ପାଖରେ। ଠିକ୍ ହୋଇଯିବା ପରେ ସରିତା ଙ୍କୁ ଛାଡି ଦିଅ। ଆଉ କାହାକୁ ବାହା ହୋଇଯାଅ, ଏତେ କଷ୍ଟ ପାଉଛ କାହିଁକି ?

ସୁବ୍ରତ କଣ କହିଲେ ଜାଣିଛ !! 

ପୃଥିବୀ ସକାଳରୁ ସଂଜ ଯାଏ କେତେ ସଂଘର୍ଷ କରେ କହିଲ ଆକାଶ ସାଥିରେ। ଝଡ, ବର୍ଷା , ତୁଷାରପାତର ଯନ୍ତ୍ରଣା। ଇଚ୍ଛା ତ ହୁଏ ପୃଥିବୀକୁ, ଆଉଥରେ ଫେରିବନି ବୋଲି । ରାତି ବିତିଯାଏ। କାଲି ପୁଣି ଥରେ ନୂତନ ସୂର୍ଯ୍ୟୋଦୟ ସାଥିରେ ଆସି ପହଂଚି ଯାଏ ପୃଥିବୀଟା। କାହିଁକି ଜାଣିଛ ! ଆକାଶକୁ ସେ ପ୍ରେମ କରେ, ଆଶାତୀତ ପ୍ରେମ। ସବୁ ଭୁଲିଯାଇ ଆଉ ଥରେ ଫେରିଆସେ ନୂତନ ଆଶା ନେଇ। ଆଶା ହିଁ ତ ଜୀବନ। ମୁଁ ବି ତ ସେମିତି ସଂଘର୍ଷ କରୁଛି ପୃଥିବୀ ପରି। ନିଶ୍ଚୟ ଫେରିବି ମୁଁ ସରିତା ଙ୍କ ପାଖକୁ। ସୁତରାଂ ମୁଁ ଆଉ ବାହା ହେବିନି, ରୁକ୍ମଣୀ।


ଦିଦି ! ମୋର ବିଶ୍ବାସ ତମ ଜୀବନରେ ବି ଦ୍ଵିତୀୟ ପୁରୁଷ ନାହାନ୍ତି ବୋଲି। ତମ ଶାରୀରିକ ଭାଷାକୁ ମୁଁ ବୁଝିପାରେ ଦିଦି। ତମେ ବହୁତ କଷ୍ଟ ପାଉଛ। ଭାବିଲି, ଗୋଟାଏ ରାତି ଯଦି ସୁବ୍ରତଙ୍କ କଥା ବୁଝିବ, ସବୁ ଠିକ୍ ହୋଇଯିବ ତମ ଦୁହିଙ୍କ ଭିତରେ। ଦିଦି ! ସଳିତା ଜଳି ଜଳି ଆଲୁଅ ଦିଏ ନା, ତମେ ଦୁହେଁ ଅନେକ ଜଳିଲଣି, ଏବେ ମିଠା ମିଠା ସମ୍ପର୍କର ଆଲୁଅ ହିଁ ଜଳିବ। 

ଝିଅର ଦେହ ଭଲ ନାହିଁ ବୋଲି ମୁଁ ଜାଣି ଶୁଣି ମିଛ କହିଥିଲି। କ୍ଷମା କରିବ।


ହଁ, ମୁଁ ଆଉ ଆସିବିନି କାଲି ଠୁ। ଦଶଦିନ ର ପଇସା ତ ! ମୁଁ ନେବିନି ଦିଦି, ମୁଁ ଚାହେଁ ଗୋଟାଏ ପୁନର୍ମିଳନ, ତା ଠାରୁ ବଡ଼ ପ୍ରାପ୍ୟ ମୋ ପାଇଁ ଆଉ କଣ ହୋଇପାରେ ଦିଦି। ଦଶ ଦିନର ଦରମା ଆଉ କେତେ, ବାସ୍ ତିନି ହଜାର !!! ତିନି ହଜାର ଟଙ୍କା ବିନିମୟରେ ଆକାଶ ଭରା ଖୁସି ପାଇଲି ବୋଲି ଭାବିବି, ତମ ଦୁଇ ଜଣ ଙ୍କୁ ମୁଁ ସାଥିରେ ଦେଖିବାକୁ ଚାହେଁ ! ଜୀବନ ମାନେ ହିଁ ପ୍ରେମ, ପ୍ରେମ ହିଁ ଜୀବନ। ନିରବତା ଘୁଣ ପୋକ ପରି ସମ୍ପର୍କ କୁ ଖାଇଯାଏ, ମୋ କଥା ମାନିବ ଦିଦି, ତମକୁ ମୋ ରାଣ। 

କାଲିଠୁ ଆସିବିନି ଦିଦି... ପ୍ଲିଜ୍, ଆଉ କୋଉଠି କାମ ଖୋଜି ନେବି, ମୋ ପାଇଁ ଜମାରୁ ବ୍ୟସ୍ତ ହେବନି.....


ଅନ୍ଧକାରମୟ ଶୂନ୍ୟ ଆକାଶରେ କିଛି ଗୋଟାଏ ଖୋଜୁଥିଲେ ସରିତା । କିଛି ଗୋଟାଏ ଗୁପ୍ତଧନ ଲୁଚି ରହିଥିଲା ଯେମିତି ରୁକ୍ମଣୀ ର ଏଇ ଚିଠି ଭିତରେ। ସରିତାଙ୍କ ଆଖିରୁ ଦୁଇ ଧାର ହୋଇ ଲୁହ ବୋହି ଆସିଲା। ଖୋଜୁଥିବା କିଛି ଗୋଟାଏ, ହାତ ପାଆନ୍ତାରେ ଅଛି ବୋଲି ପ୍ରଥମ ଥର ପାଇଁ ଅନୁଭବ କଲେ ସରିତା। ଭାବନା ରାଇଜରେ ବୁଡି ଗଲେ ସେ କିଛି ମୁହୂର୍ତ୍ତ ପାଇଁ।


ରକ୍ତ ସମ୍ପର୍କ କିଛି ନୁହେଁ ଜୀବନରେ, ଏକ ନିଶବ୍ଦ ଆବଶ୍ୟକତା ଭିତରେ ଯିଏ ଆଙ୍ଗୁଳି ଧରି କିଛି ରାସ୍ତା ଆଗେଇ ନେଇଯାଏ, ସେଇ ତ ପ୍ରକୃତ ବନ୍ଧୁ। ଯେମିତି ରୁକ୍ମଣୀ, ଅନ୍ୟ କାହାର ଦୁଃଖ ସହି ପାରେନି, ଯେମିତି ସୁବ୍ରତ ଅଚାନକ ଦିନେ ମୋତେ ଆବିଷ୍କାର କରିଥିଲେ ମୋର ଦୁର୍ଦ୍ଦିନରେ। ଜୀବନର ଗୋଟାଏ ତ୍ରିଛକ ରେ ରାସ୍ତା ଖୋଜୁ ଖୋଜୁ ମୋ ଆଙ୍ଗୁଳି ଧରି ରାସ୍ତା ପାର କରେଇଥିଲେ ସୁବ୍ରତ। ତା ନ ହେଲେ ଅଡ଼ୁଆ ସୂତାରେ ଛନ୍ଦି ହୋଇ ଫୁଟ ପାଥ୍ ଗହଳି ଭିତରେ ହଜି ଯାଇଥାଆନ୍ତି ମୁଁ ସବୁଦିନ ପାଇଁ। ମୁଁ ଖୋଜୁଥାନ୍ତି... ମୋ ଠିକଣା, ଅନ୍ୟ କେଉଁ ଅଦ୍ଭୁତ ରାଇଜରେ। କଣ କହି ଧନ୍ୟବାଦ୍ ଦେବୀ ରୁକ୍ମଣୀକୁ ମୁଁ ବୁଝି ପାରୁନି। ଗୋଟାଏ ଅପରିଚିତ ସମ୍ପର୍କର ଉଦ୍ଧାର ପାଇଁ ନିଜ ଚାକିରୀ କୁ ଜଳାଞ୍ଜଳି ଦେବାର ସତ୍ସାହସ .. ବାଃ, ତାକୁ ଫୋନ କରି କହିବି, ଆ ରୁକ୍ମଣୀ ତୁ ଯାହା ଚାହୁଁ ଥିଲୁ ତାହା ହିଁ ହୋଇଛି। ଖାଲି ପାଞ୍ଚ ଛ ମାସ ନୁହେଁ, ସାରା ଜୀବନ ଆମ ଘରେ ହିଁ ରହିବୁ, ସାନ ଭଉଣୀ ପରି। ତୋତେ କୁଆଡେ ବି କାମ ଖୋଜିବାକୁ ହେବନି...।

ରଜନୀଗନ୍ଧାର ମହ ମହ ବାସ୍ନା ଝର୍କା ଦେଇ ଭିତରକୁ ପଶି ଆସି ଘର ଭିତରେ ଘୁରି ବୁଲୁଛନ୍ତି ଅନାୟତରେ। ବାସର ରାତିଠୁ କମ ନୁହେଁ ପରିବେଶଟା। କକ୍ଷଚ୍ୟୁତ ଗ୍ରହମାନେ ଫେରି ଆସିଛନ୍ତି ନିଜ କକ୍ଷକୁ। ସରିତା, ସୁବ୍ରତ ଙ୍କୁ ଧରି ଶୋଇଛନ୍ତି ନିଘୋଡ଼ ନିଦରେ, ସମ୍ପର୍କ ବି ଏମିତି, ବାଦ ବିବାଦ ପରେ ହିଁ ....ମିଠା ଲାଗେ।  ରୁକ୍ମଣୀ ବି ତା ପ୍ରାପ୍ୟ ପାଇଗଲା ..।



Rate this content
Log in

Similar oriya story from Classics