ପ୍ରାପକ : ଠିକଣା ନ ଥିବା ଚିଠିର
ପ୍ରାପକ : ଠିକଣା ନ ଥିବା ଚିଠିର
ନିଜ ପାଇଁ ବଞ୍ଚିବି । ନିଜ ପାଇଁ ସଞ୍ଚିବି । ସବୁକୁ ଜାବୁଡି ଧରିବି । ଅୟସ ଆରାମ କରିବି । ମରିବି ତ ଦିନେ ମରିବି । ସବୁବେଳେ ଏଇ ସବୁ କଥାକୁ ମନରେ ଜୋରକରି ଧରିଥାନ୍ତି ମାୟାଧର । ଗୋଟିଏ ଛୋଟିଆ ଦସ୍ତଖତ ପାଇଁ ବି ତାଙ୍କୁ କେବେ ଏକ ଲକ୍ଷରୁ କମ୍ ମିଳେନାହିଁ । ସବୁବେଳେ ତାଙ୍କର ପାଲିଙ୍କି ଉପରେ ପାଟଛତା । ନିଜର ଚିନ୍ତା, ଆଦର୍ଶ ଓ ମୂଲ୍ୟବୋଧକୁ ନେଇ ସେ ବଞ୍ଚନ୍ତି ।
ଦିନେ ଏକ ଆନନ୍ଦର ମୁହୂର୍ତ୍ତରେ ଥାଆନ୍ତି ସେ । ନିଜର ଆୟ,ସୁଖ ଓ ସୌଭାଗ୍ୟକୁ ମନେ ପକାଉଥାନ୍ତି । ଏତିକିବେଳେ ଡାକବାଲା ଆସି ପହଞ୍ଚିଲା ।
- ଚିଠି - - - ଚିଠି । ଡାକବାଲାର ପାଟି ଶୁଭିଲା ।
ମୋବାଇଲ ଯୁଗରେ ଚିଠି କୋଉଠୁ ଆସିଲା ! ଏମିତି ଭାବି ସେ ଡାକବାଲା ପାଖରେ ପହଞ୍ଚିଲେ । ଡାକବାଲା ଖଣ୍ଡେ ମୁଦଦିଆ ଲଫାପା ତାଙ୍କ ହାତକୁ ବଢ଼ାଇଦେଲା । ତା ଉପରେ ନଜର ପକାଇ ଦେଇ ସେ ଆଶ୍ଚର୍ଯ୍ୟ ହୋଇଗଲେ । ତାହା ଥିଲା ଏକ ଠିକଣା ନ ଥିବା ଚିଠି ।
ତେଣୁ କହିଲେ - ଏଥିରେ ଠିକଣା ଲେଖାନାହିଁ । ମୋତେ ଦେଉଛ?
- ସାର୍, ଚିଠିଟି ଆଜି ପହଞ୍ଚିଛି । ପ୍ରଥମେ ଆପଣଙ୍କ ପାଖରେ ପହଞ୍ଚିଲି । ତେଣୁ ଆପଣଙ୍କୁ ଦେଇଦେଲି । କିଛି ଭୁଲ୍ ନାହିଁ, ସାର୍ । ଦେଖୁନାହାନ୍ତି ସେଥିରେ ଡାକ ଟିକଟ୍ ଲାଗିଛି । ମୋହର ମଧ୍ୟ ବାଜିଛି । ଡାକବାଲା କହିଲା ।
- ହେଲେ ମୁଁ କାହିଁକି ଏହାର ପ୍ରାପକ ହେବି ? ମାୟାଧର ପ୍ରଶ୍ନ କଲେ । ଅଳ୍ପ ବିରକ୍ତ ଭାବ ତାଙ୍କ ମନରେ ଆସିଗଲାଣି ସେତେବେଳକୁ ।
ଡାକବାଲା କହିଲା - ସାର୍, ଗୋଟିଏ କଥା ମୋ ମୁଣ୍ଡକୁ ଆସୁଛି । ଯିଏ ମରିଯାଏ ତାର ନାଁ,ଠିକଣା ଲୁଚିଯାଏ । ଆପଣଙ୍କ ଘରେ - -?
- ହଁ,ତାହା ଠିକ୍ । ମୋ ବାପା କେବେଠୁ ଗଲେଣି । ହେଲେ ଏଇଟା ଯେ ତାଙ୍କର ହୋଇଥିବ,ସେମିତି କିଛି ମାନେ ନାହିଁ । ଏହା ତ ସବୁ ଘରର କଥା । ମାୟାଧର କହିଲେ ।
- ସାର୍, ଛାଡନ୍ତୁ ସେକଥା । କଣ ସେ ଚିଠିରେ ଲେଖାଅଛି ଟିକେ ଖୋଲି ଦେଖିବେକି ? ଡାକବାଲା ହସିହସି କହିଲା ।
ମାୟାଧର ଉତ୍ସାହିତ ହେଲେ । ଚିଠି ଖୋଲିଲେ । ଲେଖାଥିଲା - ମୁଁ ତୁମ ପୂର୍ବଜ କେହିଜଣେ । ଅନ୍ୟ ପାଇଁ ବଞ୍ଚି କିଛି ଟିକିଏ ପୁଣ୍ୟ କରିଥିଲି କି କଣ ଆଜି ବି ତୁମ ମନ ଆଉ ହୃଦୟରେ ରହିଛି । ଅନ୍ୟର ମନ ଆଉ ହୃଦୟରେ ରହିପାରିଲେ ଜନ୍ମ ସାର୍ଥକ ହୁଏ ।
ସ୍ତବ୍ଧ ହୋଇଗଲେ ମାୟାଧର । ବଞ୍ଚିବାର ଗୋଟେ ନୂଆ ବାଟ ତାଙ୍କୁ ମିଳି ଯାଇଥିଲା ଯେମିତି । ସେ ସଙ୍ଗେସଙ୍ଗେ ଡାକବାଲାକୁ କହିଲେ - ଠିକଣା ଲେଖା ନ ଥିଲେ କଣ ହେଲା,ଚିଠିଟି ଠିକ୍ ଜାଗାରେ ପହଞ୍ଚିଛି । ମୁଁ ହିଁ ତାର ପ୍ରକୃତ ପ୍ରାପକ । ଧନ୍ୟବାଦ ।
- ତେବେ ମୁଁ ଆସୁଛି, ସାର୍ । ନମସ୍କାର । କହିଲା ଡାକବାଲା । ମେଞ୍ଚାଏ ଆଶ୍ଚର୍ଯ୍ୟକୁ ସାଙ୍ଗରେ ଧରି ଫେରିଗଲା ।