ପଞ୍ଚ ତତ୍ତ୍ୱ (5T)
ପଞ୍ଚ ତତ୍ତ୍ୱ (5T)
ମଣିଷ ଶରୀର ଯେମିତି ପଞ୍ଚ ଭୂତରେ ଗଢା,ସେମିତି ମଣିଷର ପ୍ରତିଟି କାର୍ଯ୍ୟର ସରଳ ସମାଧାନ ପାଞ୍ଚଟି ତତ୍ତ୍ୱ ଉପରେ ପର୍ଯ୍ୟବେଷିତ ବୋଲି ନିଜ ପ୍ରବଚନରେ ବାବା ପଞ୍ଚେଶ୍ୱର ନିଜ ଶିଷ୍ୟମାନଙ୍କୁ ଅନେକ ଥର ଉପଦେଶ ଦେଇଛନ୍ତି । ପଞ୍ଚବଟୀରୁ ପାଞ୍ଚଟି ବର୍ଷ ନିର୍ଘାତ ତପସ୍ୟା କରି ପଞ୍ଚ ତତ୍ତ୍ୱର ଅଧିକାରୀ ହୋଇ ଏବେ ଏବେ ସହରଠାରୁ ଅନତି ଦୂରରେ ଥିବା ଏକ ପରିତ୍ୟକ୍ତ ଜାଗାରେ ସଦୃଶ୍ୟ ଆଶ୍ରମଟିଏ ଗଢିଛନ୍ତି ବାବା ପଞ୍ଚେଶ୍ୱର । ବାବା ନିଜର ପ୍ରଚଣ୍ଡ ତପଶକ୍ତି ବଳରେ ଯେକୌଣସି ସମସ୍ୟାକୁ ଅଚିରେ ସମାଧାନ କରିଦିଅନ୍ତି ବୋଲି ତାଙ୍କର ପ୍ରିୟ ଶିଷ୍ୟମାନେ ସହରରେ ପ୍ରଚାର କରୁଛନ୍ତି । କ୍ରମେ ବାବାଙ୍କ ମହିମା ଚାରିଆଡେ ବ୍ୟାପ୍ତ ହେବାରୁ ତାଙ୍କର ଅନ୍ଧ ଭକ୍ତଙ୍କ ସଂଖ୍ୟା ଚକ୍ରବୃଦ୍ଧି ହାରରେ ବଢୁଥାନ୍ତି । ଏକଦା ନିଜ ଜୀବନରେ ସଫଳତାର ସ୍ୱାଦ ପାଇବାରୁ ବଞ୍ଚିତ ଉଚ୍ଚାଭିଳାଷୀ ଶିକ୍ଷିତ ଯୁବକଟିଏ ଆସି ବାବାଙ୍କ ଶରଣାପନ୍ନ ହେଲା । ବାବା ତାଙ୍କୁ ଅଭୟ ଦେଇ ଆସିବାର କାରଣ ପୁଚ୍ଛା କରନ୍ତେ, ଯୁବକ ଦୁଇ ହସ୍ତ ଯୋଡି ବାବାଙ୍କୁ ଜୀବନରେ ସଫଳତା ହାସଲ କରିବାର ଉପାୟ ପଚାରିଲା । ବାବା ପଞ୍ଚେଶ୍ୱର କିଛି ସମୟ ଆଖି ବନ୍ଦ କରି କଣ ସବୁ ଚିନ୍ତା କରି କହିଲେ- "ବତ୍ସ! ତୁମେ ଜୀବନରେ ଅବଶ୍ୟ ସଫଳତା ହାସଲ କରି ପାରିବ,ଯଦି ଆମ୍ଭେ ଉପଦେଶ ଦେଉଥିବା ପାଞ୍ଚଟି ତତ୍ତ୍ୱକୁ ତୁମେ ଜୀବନରେ ପ୍ରୟୋଗ କରିପାରିବ ।"
-ପାରିବି ବାବା,ମୁଁ ଜୀବନ ଦେଇ ଆପଣଙ୍କ ଉପଦେଶକୁ ଅକ୍ଷରେ ଅକ୍ଷରେ ପାଳନ କରିବି ।
- ତେବେ ଶୁଣ, ମୋର ପ୍ରଥମ ତତ୍ତ୍ୱ ହେଲା-ତର୍ଜମା କର । ଅର୍ଥାତ୍ ପ୍ରତ୍ୟେକ କାର୍ଯ୍ୟ କରିବା ପୂର୍ବରୁ ଗଭୀର ଭାବରେ ତର୍ଜମା କର । ଦ୍ୱିତୀୟ ତତ୍ତ୍ୱଟି ହେଲା-ତୁରନ୍ତ କାର୍ଯ୍ୟ ସମ୍ପାଦନା କର ।
ତୃତୀୟ ତତ୍ତ୍ୱଟି ହେଲା-ତୀକ୍ଷ୍ଣ ବୁଦ୍ଧି ପ୍ରୟୋଗ କର । ଚତୁର୍ଥ ତତ୍ତ୍ୱଟି ହେଲା-ତୃତୀୟ ନେତ୍ରର ବ୍ୟବହାର କର ଅର୍ଥାତ କାର୍ଯ୍ୟଟି କରିବା ବେଳେ ଆଗୁଆ ଯୋଜନା ପ୍ରସ୍ତୁତ କର । ପଞ୍ଚମ ତତ୍ତ୍ୱଟି ହେଲା-ତୈଳ ମର୍ଦ୍ଦନ କର ଅର୍ଥାତ ଯଦି ଉପରୋକ୍
ତ ତତ୍ତ୍ୱଗୁଡିକ ଅସଫଳ ହେଉଛି ତେବେ ଲାଞ୍ଚ ଦେଇ ଅବା ଅନ୍ୟ କୌଣସି ଅସମ୍ବିଧାନିକ ଉପାୟରେ କାର୍ଯ୍ୟ ହାସଲ କର । ବାବାଙ୍କର ପଞ୍ଚ ତତ୍ତ୍ୱ ଶୁଣି ଯୁବକ ଜଣକ ଅତି ଉତ୍ସାହିତ ହୋଇ କହିଉଠିଲା- ଆପଣଙ୍କ ପଞ୍ଚ ତତ୍ତ୍ୱ ବା 5T ଉପଦେଶକୁ ମୁଁ ନିଶ୍ଚୟ ପ୍ରୟୋଗ କରିବି ବାବା ।"
ଏଗାରଟି ପ୍ରେମରେ ଅସଫଳ ହୋଇଥିବା ଆଉ ଜଣେ ରସିକନାଗର ଯୁବକ ପ୍ରେମରେ ସଫଳତା ହାସଲ ପାଇଁ ବାବାଙ୍କୁ ଗୁହାରୀ କଲା । ବାବା ପଞ୍ଚେଶ୍ୱର ମଧ୍ୟ ରସିକ ଚୂଡାମଣି ସେହି ଉଦଭ୍ରାନ୍ତ ଯୁବକକୁ ପଞ୍ଚତତ୍ତ୍ୱର ମହାର୍ଘ ଉପଦେଶ ପ୍ରଦାନ କଲେ । ବାବା ଯୁବକକୁ କହିଲେ- "ମୋର ପ୍ରଥମ ତତ୍ତ୍ୱ ହେଲା- ତୃଣମୂଳ ସ୍ତରରୁ ଉଦ୍ୟମ କରିବା ଆବଶ୍ୟକ ମାନେ ଯାହାକୁ ପ୍ରେମ କରିବ,ପ୍ରଥମେ ତାଙ୍କ ବିଷୟରେ ଟିକିନିକି ଖବର ସଂଗ୍ରହ କରିବ । ଦ୍ୱିତୀୟ ତତ୍ତ୍ୱଟି ହେଲା-ତରଳ ହୃଦୟଟିଏ ଥିବା ଆବଶ୍ୟକ ମାନେ ପ୍ରେମ ପରି ଏକ ସମ୍ବେଦନଶୀଳ ବିଷୟକୁ ଅନୁଭବ କରିବାକୁ ଏକ ସରଳ,ନିଷ୍କପଟ ହୃଦୟ ଥିବା ଏକାନ୍ତ ଆବଶ୍ୟକ । ତୃତୀୟ ତତ୍ତ୍ୱଟି ହେଲା-ତୁରନ୍ତ କାର୍ଯ୍ୟ କର ଅର୍ଥାତ୍ ଚିଠି ହେଉ ଅବା ଫୋନ ହେଉ,ନିଜର ମନ କଥା ଖୋଲି କରି କହିଦିଅ । ଚତୁର୍ଥ ତତ୍ତ୍ୱଟି ହେଲା- ତ୍ୱରାନ୍ୱିତ ପ୍ରତିକ୍ରିୟା ମାନେ ପ୍ରେମିକାଟି ଯଦି ତୁମ ପ୍ରେମରେ ସବୁଜ ସଙ୍କେତ ଦିଏ,ତେବେ ତୁରନ୍ତ ତାର ପିତା,ମାତା କିମ୍ବା ପରିବାରବର୍ଗଙ୍କ ସହ ଏ ବିଷୟରେ ଆଲୋଚନା କରି ବିବାହ କରିବା ପାଇଁ ପ୍ରସ୍ତାବ ଦିଅ ଯାହାକି ତୁମ ପ୍ରେମ ସଫଳତା ହାସଲ ପାଇଁ ଏହା ଏକ ମାଇଲଖୁଣ୍ଟ ସ୍ତାବତ୍ୟ ହୋଇପାରେ । ମୋର ପଞ୍ଚମ ତଥା ଅନ୍ତିମ ତତ୍ତ୍ୱଟି ହେଲା- ତତକ୍ଷଣାତ୍ ପଳାୟନ ଅର୍ଥାତ ଉପରୋକ୍ତ ସମସ୍ତ କଥା ଅସଫଳ ହେଲେ ଯଦି ତୁମ ଜୀବନ ପ୍ରତି କିଛି ବିପଦ ଥିବାର ସୂଚନା ମିଳେ ତେବେ ନିଜର ପିତୃପ୍ରଦତ୍ତ ପ୍ରାଣଟିର ରକ୍ଷା ପାଇଁ ତୁରନ୍ତ ସ୍ଥାନ ପଳାୟନ କରିବା ହେଉଛି ବୁଦ୍ଧିମାନର କାର୍ଯ୍ୟ । ଉପରୋକ୍ତ ପାଞ୍ଚଟି ତତ୍ତ୍ୱର ସଫଳ ପ୍ରୟୋଗ ମୁଁ ମୋ ଜୀବନରେ କରିଥିବାରୁ ଅଦ୍ୟବଧି ତୁମ ସମ୍ମୁଖରେ ପଞ୍ଚ ତତ୍ତ୍ୱ ଉପସ୍ଥାପନ କରୁଛି..........।"