Madhu Mita

Romance Classics Fantasy

3.4  

Madhu Mita

Romance Classics Fantasy

ପଲକ୍

ପଲକ୍

24 mins
234


ଭାରି ଦୂର୍ବଳିଆ ଲାଗୁଥିଲା।ଉଠିବାକୁ ଇଚ୍ଛା ହେଉ ନଥିଲା।ତଥାପି ଆସ୍ତେ ଆସ୍ତେ ଆଖି ଖୋଲି ଦେଖିବାକୁ ଚେଷ୍ଟା କଲା ବେଳକୁ କାହାରି ସ୍ପଷ୍ଟ ଅଥଚ ଅନୁରୋଧ ଭରା ସ୍ୱରଟିଏ ଶୁଭିଲା…


"ଜମାରୁ ଉଠିବୁନି ପରୀ।ରହ ମୁଁ ଆସୁଛି…"


ଆଉ ଆଖିର ପଲକ ପକେଇବା ଭିତରେ ବଳିଷ୍ଠ ବାହୁ ଦୁଇଟି ଆସି ମୋତେ ଯତ୍ନରେ ତୋଳିଧରି ବସେଇ ଦେଲେ। କଳା ମଚମଚ ସୁଢ଼ୋଳ ଚେହେରା।କୁଞ୍ଚୁକୁଞ୍ଚିଆ ଚୁଟି ଆଉ ଆଖି ଭିତରେ ହଜେଇ ଦେଲା ପରି ନିଡର ଆତ୍ମବିଶ୍ବାସ ଭରା ଚାହାଣୀ।ମୋତେ ବସେଇ ଦେଲା ପରେ ପାଖ ମାଟିହାଣ୍ଡି ଭିତରୁ ମାଟି ଗ୍ଲାସରେ ଥଣ୍ଡା ପାଣି ଆଣି ସେ ବଢେଇ ଦେଲା।ମୋ ପାଟି ଶୁଖି ଆସୁଥିଲା। ଢ଼କଢକ କରି ପିଇଗଲି।ସେ ଯୁବକ ପାଟିକରି ଡାକିଲା…


"ବୁଇଦାଦୀ…ଏ ମାଆ…ପରୀକି ହୋସ୍ ଆସିଗଲା ଗୋଆ ଦେଖିବୁ।"


ତାଙ୍କ ଡାକ ଶୁଣି ଜଣେ ବୃଦ୍ଧା ଘର ପଛ ପାଖରୁ ଦୌଡ଼ି ଆସିଲେ।


"ଇ ମା…ମୋର୍ ପରୀକୁ ହୋସ ଆସିଗଲା ଗୋ ପହାଡ଼ା ମା'…କୋଟି କୋଟି ନମନ୍।କୋଟି କୋଟି ନମନ୍…"


କହିଲେ ଆଉ ତା' ପରେ ସେଇ ବୃଦ୍ଧା ଆଉ ସେ ଯୁବକ କାହା ଉଦ୍ଦେଶ୍ୟରେ ହାତ ଯୋଡ଼ି ପ୍ରଣାମ କଲେ।ବୋଧେ ସେମାନେ ମୋର ହୋସ ଆସିବା ପାଇଁ ଅପେକ୍ଷା କରିଥିଲେ !ତା ମାନେ ମୁଁ ବେହୋସ୍ ଥିଲେ ?


ମୁଁ…ମୁଁ କିଏ…?


ପ୍ରଶ୍ନଟି ନିଜକୁ ନିଜେ ପଚାରିବା ସମୟରେ ସେହି ବୃଦ୍ଧା ବି ସେଇ କଥା ହିଁ ପଚାରିଲେ…


"ପରୀ ଗୋ…ତୁ କିଏ ମା? କୁଠୁ ଆସିଚୁ ଧନ?"


"ମୁଁ…ମୁଁ କିଏ…କେଉଁଠୁ ଆସିଛି ମନେ ପଡୁନି କିଛି କେମିତି…?"ଅସ୍ପଷ୍ଟ ଭାବରେ ଆଶ୍ଚର୍ଯ୍ୟ ହୋଇ କହିଲି।


ମୋ କଥା ଶୁଣିଲେ କି ନ ଶୁଣିଲେ କେଜାଣି…ସେହି ଯୁବକ ଜଣକ କହି ଉଠିଲା…


"ବୁଇଦାଦୀ…କଣ ଯେ ତୁ କହୁଚୁ? ଇୟେ ପରୀ ଗୋ।ଆଉ ପରୀ ଆସମାନରୁ ଆସିଥାଏ ଜାଣିଚୁ ନା? ତାର୍ ଆଉ କିଛି ଘର୍ ପରିବାର କୁଆଡୁ ଆସିବ ଗୋ?"


ତା' କଥା ଶୁଣି ବୃଦ୍ଧା ମୁଣ୍ଡ ହଲେଇଲେ ଆଉ ଖୁସି ହୋଇ "ହଁ ଗୋ…ତୁ ଠିକ୍ କହିଲୁ…ମୁଁ କା' ବାୟା ପରି ପଚାରିଲି…ପହଡ଼ା ମା' ଦେଇଚି ପରୀକୁ।ତା' କୋଳରୁ ମୋ କୋଳକୁ…ନମନ୍ ମା…"କହି ପୁଣି ହାତ ଯୋଡିଲେ ଆଉ ଘର ବାହାରକୁ କିଛି କାମରେ ବାହାରି ଗଲେ।


ମାଟି କାନ୍ଥ ସବୁ ମସୃଣ ହୋଇ ଲିପା ଯାଇଥିଲା।ଗୋବରରେ ବୋଧେ କି କଣ !କି ନାଲିମାଟି ଶୁଖିଯାଇ କଳା ପଡିଯାଇଥିଲା କେଜାଣି।କିନ୍ତୁ ଭାରି ସୁନ୍ଦର୍ ଦେଖା ଯାଉଥିଲା।ମୁଁ ଶୋଇଥିବା ଦଉଡ଼ିଆ ଖଟ ଆଉ ତା' ଉପରର ଅଳ୍ପ ଗଦି ସହିତ ତୁଳା ତକିଆ ଆଉ ଚାଦର ସବୁ ବହୁତ୍ ଆପଣାର ଲାଗୁଥିଲା।ହେଲେ ଆଗରୁ କେବେ ସେସବୁ ଦେଖିଛି ସେକଥା ମନ ପଡିଲାନି।ଯୁବକ ଜଣକ ଗୋଟିଏ ମାଟି ପାତ୍ରରେ କିଛି ବହଳିଆ ପାନୀୟ ନେଇ ଆସିଲା ଆଉ କହିଲା,


"ନେ ଗୋ ପରୀ…ପି ଦେ ଝଟପଟ୍…"


ମୁଁ ଆସ୍ତେ ହାତ ଉଠେଇ ସେଇ ପାତ୍ରର ପାନୀୟ ପିଇବାକୁ ଆରମ୍ଭ କଲି।ସ୍ୱାଦିଷ୍ଟ ଥିଲା ତାହା।ହେଲେ ସେଇଟା କଣ କିଛି ଜାଣି ପାରୁ ନଥିଲି।ଏତିକି ବେଳେ ଜଣେ ଯୁବତୀ ସେଇ କୁଡିଆ ଭିତରକୁ ପଶି ଆସିଲା। କଳା ମଚମଚ ଦେହ ତାଙ୍କର ମଧ୍ୟ ଥିଲା…ଠିକ୍ ସେହି ଯୁବକ ପରି।ମୋ ପାଖକୁ ଲାଗି ଆସି ମୋ ମଥା ଉପରେ ହାତ ଦେଲା ଆଉ କହିଲା…"ବୁଖାର ନାଇ ଆଉ…ଡର ନାଇ…"


ଯୁବକ ଜଣକ ମଧ୍ୟ ଅଳ୍ପ ହସି ମୁଣ୍ଡ ହଲେଇଲା ପରେ କହିଲା…"ତୁ ଟିକେ ବସି ଥା ପରୀ ପାଖେ।ମୁଁ ହଲ୍ କରି ଆସିବି…"ଯୁବତୀ ହଁ କହିଲା ଆଉ ଯୁବକଜଣକ କାନ୍ଧ ଉପରେ ଲଙ୍ଗଳ ଧରି ବାହାରିଗଲା।


ମୁଁ ସତରେ କିଛି ବୁଝି ପାରୁ ନଥିଲି।ସେ ସ୍ଥାନରେ ବହୁତ୍ ଥଣ୍ଡା ଲାଗୁଥିଲା। ଚାଦରକୁ ଆଉ ଟିକେ ଜାବୋଡ଼ି ଧରି ପଚାରିଲି…"ମୋତେ କିଛି ମନେ ପଡୁନି !ତମେ କିଏ? ଏଇ ଯୁବକ କିଏ ?ମୁଁ କିଏ …??କଣ ହେଇଛି ମୋର ? ତମେ ଜାଣିଛ ?"


ମୋ କଥା ଶୁଣି ଅଳ୍ପ ହସି ଯୁବତୀ ଜଣକ କହିଲା,"ନାଇ ଗୋ।ତୁ କିଏ କୁଠୁ ଆସିଚୁ କିଏ ଜାଣିନୁ।ହେଲେ ଗୁଟିଏ ଦିନ୍ ସକାଳୁ ମହୁଆର ଘର୍ ଭିତରେ ତୁ ଦିଶିଲୁ। ବୁଇଦାଦୀ କହିଲା ତୁ ପରୀ। ଆସମାନରୁ ଆସିଚୁ। ପହଡା ମା' ଦେଇଚି ତୋତେ।ଆଉ ଦୁଇମାସ ହେଲା ପରେ ଆଜି ତୁ ଆଖି ଖୋଲିଚୁ।"


"ତା' ମାନେ ଏଇ ଯୁବକଙ୍କ ନାମ ମହୁଆ !ଆଉ ବୁଇଦାଦୀ କଣ ତାଙ୍କ ମା'? ଆଛା ତମେ କିଏ ?" ପୁଣି ପଚାରିଲି।


"ବୁଇଦାଦୀ ଆମ୍ ସଭିଙ୍କ ମା ପରିକା ଗୋ।ମୁଇ କଜରୀ।ମହୁଆ ଘର୍ ପଡ଼ିଶାରେ ରହୁଚି। ମୋର୍ ଭାଇ ଧନିଆ ଆଉ ମହୁଆ ସାଥୀ । ହଲ୍ କରନ୍ତି।ଫସଲ ଉଗାନ୍ତି। ତୁ କଣ ସତରେ ଆସମାନ୍ ରୁ ଆସିଚୁ ପରୀ?"


କଣ ଉତ୍ତର ଦିଅନ୍ତି ମୁଁ ? ଯାହା ଶୁଣୁଛି ସେତିକି ହିଁ ତ ଜାଣୁଛି। ଅଧିକ କିଛି ମନେ ପଡୁନି।ଅଗତ୍ୟା ମୁଣ୍ଡ ହଲେଇ ମନା କଲି।ଆଉ ଆହୁରି ଆହୁରି ପଚାରି ବୁଝି ଜାଣିବାକୁ ପାଇଲି ଯେ ପ୍ରାୟ ଦୁଇମାସ ତଳେ ଦିନେ ନଦୀ ଭିତରେ ବୁଡ ପକେଇ ଉଠିଲା ବେଳକୁ ମହୁଆ ମୋତେ ପାଇ ନିଜ କୁଡିଆ ଭିତରକୁ ଆଣି ଦେଇଥିଲା।ସେହି ଅଞ୍ଚଳର ସମସ୍ତଙ୍କର ପ୍ରିୟ ବୁଇଦାଦୀ ମୋତେ ପରୀ ସମ୍ବୋଧନ କରି କହିଥିଲେ ଯେ ମୁଁ କୁଆଡେ ଆକାଶରେ ବିହାର କରୁକରୁ ଆସି ଏଇ ଜାଗାରେ ପହଞ୍ଚି ଯାଇଛି।ସେମାନେ ଏତେଦିନ ଧରି ମୋ ହୋସ ଆସିବା ପାଇଁ ଅପେକ୍ଷା କରି ରହିଥିଲେ।ମହୁଆ ଦିନରାତି ମୋର ସେବା କରୁଥିଲା। କେବଳ ମୋ କପଡ଼ା ବଦଳେଇବାକୁ ଵୁଇଦାଦୀଙ୍କୁ ନହେଲେ ଧନିଆ ଭାଇର ସ୍ତ୍ରୀ ମିରାଲିକୁ ଡାକୁଥିଲା।ମହୁଆ ବିଷୟରେ ସବୁକିଛି ଜାଣିବାକୁ ଇଚ୍ଛା ଥିଲା ।ହେଲେ ଵୁଇଦାଦୀ ଆସିଯିବାରୁ କଜରୀ ପଳେଇ ଥିଲା। ବୁଇ ଦାଦୀ ମୋତେ ଗରମ ପାଣିରେ ପୋଛି ପକେଇ ମୋ ଲୁଗା ବଦଳେଇବାକୁ ସାହାଯ୍ୟ କଲେ।ବହୁତ୍ ଭଲ ଲାଗୁଥିଲା ମୋତେ।ତା' ପରେ ମୋତେ ଖରା ଆଡ଼କୁ ମୁହଁ କରି ବସେଇ ମୋ ଚୁଟି କୁଣ୍ଡେଇବା ଆରମ୍ଭ କଲେ।ହଠାତ୍ ପଚାରିଦେଲି…


"ବୁଇଦାଦୀ…!ମୁଁ ପାଣି ଭିତରେ ମହୁଆକୁ ମିଳିଥିଲି ବୋଲି କଜରୀ କହିଲେ।ଆଉ ତମେ ତ କହୁଥିଲ ଯେ ଆଜି ମୋତେ ହୋସ ଆସିଲା।ତା ହେଲେ କ'ଣ ସତରେ ଦୁଇମାସ ହେଲା ମୁଁ ଏମିତି ହଲଚଲ ନ ହୋଇ ଖଟ ଉପରେ ପଡ଼ି ରହିଛି??"


ମୋ ମଥା ଉପରେ ଚୁମା ଦେଇ ବୁଇଦାଦୀ କହିଲେ,


"ତୁ ପାଣିର୍ ଭିତରେ ପଡ଼ି ଯାଇଥିଲୁ ଗୋ। ତୋର୍ ମୁଣ୍ଡରେ ଆଘାତ୍ ଲାଗିଥିଲା।ଫୁଲି ଯାଇଥିଲା ତୋର୍ କପାଲ।ମହୁଆ ତୋତେ ପାଇଲା ବେଳକୁ ତୋର ଲୁଗାପଟା ବି ଚିରି ହେଇ ଯାଇଥିଲା। ମହୁଆ ଗୋଟେ ଗାମୁଛା ଘୋଡେ଼ଇ ତୋତେ ଧରି ଆଣିଥିଲା ଗୋ।ଦୁଇମାସ ହେଲା ପହାଡା ମାଆଙ୍କୁ କେତେ ଡାକିଚୁ ଆମେ।ଆଉ ଆଜି ତୋର ହୋସ୍ ଆସିଲା।ହେଲେ ମା…ତୁ କାହାକୁ ମନେ ପକେଇ ପାରୁନୁ ଜି ଗୋ."


"ନାଇ ଦାଦୀ…କିଛି ମନେ ପଡୁନି !"ମୁଣ୍ଡ ହଲେଇ କହିଲି।


"ଚିନ୍ତା କରନା ଗୋ।ତୁ ମୋର ପରୀ।ଆଉ କିଛି ମନେ ପକାନା। ମୋର୍ ପାଖେ ରହିବୁ ହେଲା?"କହି ସେ କୁଡିଆ ବାହାରକୁ ବାହାରିଲେ।


ମୁଁ ବି ତାଙ୍କୁ ଅନୁରୋଧ କରି ବାହାରକୁ ବାହାରିଲି।ଆଖି ଖୋଲିଲା ପରେ କେବଳ ମାଟି କାନ୍ଥ ଆଉ ଦଉଡ଼ିଆ ଖଟ,ମାଟି ପାତ୍ର,ମସିଣା,ଚାଦର,ତକିଆ ଏସବୁ ଦେଖିଥିଲି।ହେଲେ ସୂର୍ଯ୍ୟ କିରଣ ପ୍ରଥମ କରି ମୋ ଦେହକୁ ଛୁଇଁଲା ପରେ ଏକ ଅପୂର୍ବ ଶିହରଣ ଖେଳିଗଲା ଦେହସାରା।ଚାରିଆଡ଼େ ଆଖି ବୁଲେଇ ଆଣିଲି। କୋଡ଼ିଏଟି ଘର ଏକାପରି।ଗୋଲ ଆକାରରେ ସଜେଇ ହୋଇ ତିଆରି ହୋଇଛି।ସତେ ଯେପରି କିଏ ଜଣେ ଗୋଟିଏ ଛାଞ୍ଚ ନେଇ ଘରସବୁ ତିଆରି କରିଛି।ସୁନ୍ଦର୍ ପରିବେଶ।ସଫା ସୁତୁରା ଅଞ୍ଚଳ।ସବୁ ଘରର ଲୋକେ କର୍ମଠ।ମୁଁ ଘର ବାହାରକୁ ଆସିବା ପରେ କେତେଜଣ ଅତି ଆଗ୍ରହରେ ଆସି ମୋତେ ଦେଖିଲେ ଆଉ ସେଇ ଏକା କଥା…"ପରୀକୁ ହୋସ ଆସିଲା" ଆଉ "ପହାଡ଼ା ମା'କୁ ନମନ୍" ଶୁଣିବାକୁ ମିଳିଲା ଅନେକ ଥର।ଗୋଟିଏ କଥା ମୋତେ ଚକିତ କରି ପକାଉଥିଲା।ସେହି ସବୁ ପୁରୁଷ ଆଉ ମହିଳାଙ୍କର ରଙ୍ଗ ମହୁଆ ପରି ଚକମକ କଳା।ଆଉ ସମସ୍ତଙ୍କ ମୁହଁରେ ଅଦ୍ଭୁତ ପ୍ରଶାନ୍ତିର ହସ ମୋତେ ମନ ଭିତରୁ ଖୁସି କରି ଦେଉଥିଲା।ଦଲକାଏ ଶୀତୁଆ ପବନ ଆସି ମୋତେ ଥରାଇ ଦେଲା ବେଳକୁ କୁଆଡୁ ଝଡ ବେଗରେ ମହୁଆ ଆସି ଖଣ୍ଡିଏ କମ୍ବଳ ମୋ ଦେହ ଉପରେ ଘୋଡେ଼ଇ ଦେଲା।


"ତୁ ଘର ବାହାରକୁ ଆସିଚୁ ପରୀ ?" ଅଭିମାନ ଆଉ ତାଗିଦ୍ ମିଶା ସ୍ୱରରେ ମହୁଆ ପଚାରିଲା।


"ହଁ…ଭଲ ଲାଗୁଛି ବାହାରେ…"ମୁଁ ଉତ୍ତର ଦେଲି।


"ଭଲ ଲାଗୁଛି ଯଦି ଗୋଟେ କାମ୍ କର୍।ଏଇ ପଥର ଉପରେ ବସ୍ ଆଉ ଖରାକୁ ପିଠି କରି ବସିବୁ…"କହି ଗଛ ଡାଳରୁ ଗୋଟିଏ ଫଳ ତୋଳି ଆଣି ମୋ ହାତକୁ ବଢ଼େଇ ଦେଲା। ମହୁଆକୁ ପଚାରିଲି ତା ହଳ ଆଉ ଫସଲ କଥା।ସେ କହିଲା ଯେ ସେମାନେ ପୋଡୁଚାଷ କରି କିଛି ଫସଲ କରନ୍ତି ଯାହା ସେମାନଙ୍କ କୁଡିଆ ପାଖାପାଖି ହୋଇଥାଏ।ବେଶୀ ଦୂର ଯାଏଁ ସେମାନେ ଯାଆନ୍ତିନି।ସେମାନଙ୍କ ଆଖି ଏଇ କୁଡିଆଗୁଡ଼ିକ ପାଖରେ ହିଁ ରହିଥାଏ।ଯେତିକି ଆବଶ୍ୟକ ସେତିକି ଫସଲ ସେମାନେ ଅମଳ କରନ୍ତି।ମୋଟ ଉପରେ କହିବାକୁ ଗଲେ ଅଳ୍ପେ ସନ୍ତୋଷ ରହୁଥିବା ଶାନ୍ତିପ୍ରିୟ ସେହି ଲୋକମାନେ ସବୁବେଳେ ଖୁସି ଆଉ ସନୋଷର୍ ସହିତ ଚଳୁଥିଲେ।କାହିଁକି କେଜାଣି ସେହି ଲୋକମାନେ ମୋତେ ବହୁତ୍ ଆପଣାର ଲାଗୁଥିଲେ।ତା' ସହିତ ଆଶ୍ଚର୍ୟ୍ଯ ମଧ୍ୟ ହେଉଥିଲି ମୋତେ ଅତୀତ କଥା କିଛି କେମିତି ମନେ ପଡୁନି…?ଏମାନଙ୍କ ଦେହ ରଙ୍ଗ ଆଉ ମୋ ରଙ୍ଗ ସମ୍ପୂର୍ଣ୍ଣ ଭିନ୍ନ।ମୁଁ କେଉଁଠୁ ଆସିଛି…କେମିତି ଆସିଛି କାହିଁକି ମନେ ପଡୁ ନଥିଲା କେଜାଣି !


ଭାରି ଅସହଜ ଲାଗୁଥିଲା। କଥାସବୁ ତ ବୁଝି ହେଉଛି।ସମସ୍ତଙ୍କ ପରି ମୋତେ ମଧ୍ୟ ଭୋକ,ଶୋଷ,ନିଦ ସବୁ ହେଉଛି ହେଲେ ଅତୀତ କଥା କାହିଁକି ମନେ ପଡୁନି ?ଉତ୍ତର କାହା ପାଖରେ ଅଛି ?କିଏ କହିବ ମୋତେ ମୁଁ କିଏ ?


ଦ୍ୱିପହର ଖରା ଟିକେ ଝାଉଁଳି ଆସିଥିଲା।ଚାରିଆଡ଼େ ପାହାଡ଼,ଗଛ ଘେରା ହୋଇଥିବା ସେହି କୋଡ଼ିଏଟି କୁଡିଆ ଗାଁର ଦିନଟା ମଧ୍ୟ ଧିରେ ଧିରେ ଆଣ୍ଠେଇ ପଡୁଥିଲା।ସେହି ଛୋଟିଆ ଗାଁର ନାଁ ବିଶ୍ଘେରା ଥିଲା। ବୁଇଦାଦୀ କହୁଥିଲେ ସେଇ ଗାଆଁରେ କେବଳ କୋଡ଼ିଏଟି ଘର ହିଁ ରହି ପାରୁଥିଲା।ତା' ଠୁଁ ଅଧିକ ହେଲେ ପହାଡ଼ା ମା' ସେଇ ଅଧିକା ଘରର ଲୋକଙ୍କୁ ସ୍ବପ୍ନ ଦେଇ ଅନ୍ୟ ଘରେ ରହିଯିବା ପାଇଁ ଆଦେଶ ଦେଉଥିଲେ।ତେଣୁ ବିବାହ ପରେ ମଧ୍ୟ ଗୋଟିଏ ଘରେ ସମସ୍ତେ ରହୁଥିଲେ।କେବଳ ବଖରା ଅଧିକ କରୁଥିଲେ।ହେଲେ ବିଶ୍ଘେରା ଗାଆଁରେ କୋଡ଼ିଏଟି ଘର ହିଁ ରହୁଥିଲା। ବୁଇଦାଦୀ ପ୍ରାୟ ଅଶୀ କି ଅଧିକ ବୟସର ହେବେ ବୋଧେ।ସେ କୁହନ୍ତି ସେ ଏଇ ଗାଁକୁ ଆସିବା ବେଳେ ହିଁ କୋଡ଼ିଏଟି ଘର ହୋଇ ଯାଇଥିଲା।ତାଙ୍କର ଠିକ୍ ମନେ ନାହିଁ ସେ କେବେ ଆସିଥିଲେ।ଆଖି ଖୋଲିଲା ପରଠୁ ସେ ଦେଖୁଛନ୍ତି ଏଇ ଗାଆଁ, ପହାଡ଼ା ମା' ଆଉ ପାଖରେ ଥିବା ଝିନୁଆ ନଦୀ ଯେଉଁଠି ମୁଁ ମିଳିଥିଲି !ମୋ ମନରେ ବହୁତ୍ ଇଛା ହେଲା ନଦୀ ପାଖକୁ ଯାଇ ଦେଖି ଆସିବାକୁ ହେଲେ ଦାଦୀ ମନା କଲେ।ସନ୍ଧ୍ୟା ଆସିବା ସହିତ ଅନ୍ଧାର ଚାଲିଆସେ ସେଇ ଜାଗାକୁ।ଆଉ ସେତିକିବେଳେ ମୋତେ ଅଜଣା ବାଟକୁ ଯିବାପାଇଁ ସେ କେମିତି ଅନୁମତି ଦେଇ ଥାଆନ୍ତେ? ସତରେ ମା' ମନ କେବେ ଥକିଯାଏନି।ଅଜଣା ଅଶୁଣା ହେଉ କି ଅପରିଚିତ କେହି…ମା' ମନ ତା'ର ଭଲ ଚାହିଁବ ହିଁ ଚାହିଁବ।ଆଉ ଦାଦୀ ତ ମୋତେ ନିଜ ଝିଅ ମାନୁଥିଲେ।ଏତିକି ତ ଅବଶ୍ୟମ୍ଭାବୀ ଥିଲା।ମୁଁ କିଏ କଣ ମନେ ନ ପଡ଼ିଲେ ମଧ୍ୟ ମୋତେ ଲାଗୁଥିଲା ମୁଁ ଯେମିତି ଏଇ କଳା ମଚମଚ ଦେହ ବର୍ଣ୍ଣର ଲୋକଙ୍କ ଭିତରୁ ହିଁ ଜଣେ ଯିଏ କିଛି ସମୟ ହେବ ସେମାନଙକଠାରୁ ବୋଧେ ଦୂରେଇ ଯାଇଥିଲି।ସମୟର ସ୍ରୋତରେ ଭାସି ପୁଣି ଫେରି ଆସିଛି !


ସନ୍ଧ୍ୟା ହେବା ମାତ୍ରେ ସେହି ଗାଆଁ ଲୋକମାନେ ଏକାଠି ହୋଇ ଚଉରା ମୂଳକୁ ଆସିଲେ।ସେଇଠି ସମସ୍ତେ ପହାଡା ମା'ଙ୍କ ଭଜନ ଗାଇଲେ ଆଉ ଦୀପଜାଳି ମୁଣ୍ଡିଆ ମାରିଲେ।ଦିନବେଳା ଆଣ୍ଠୁ ଲୁଚି ନଥିବା କପଡ଼ା ପିନ୍ଧିଥିବା ଲୋକେ ଚମଡା ତିଆରି ଘୋଡ଼ଣି ଘୋଡେ଼ଇ ହୋଇ ବହୁତ୍ ସୁନ୍ଦର୍ ଦେଖା ଯାଉଥିଲେ। ପାଦରେ ସମସ୍ତେ ପରଲଗା ଜୋତା ପିନ୍ଧି ମନମୁଗ୍ଧକର ଲାଗୁଥିଲେ।ତା' ପରେ ଆରମ୍ଭ ହେଲା ତାଳ ନାଚ। ଝିନୂଆ ନଦୀର କୁଳୁକୁଳୁ ସ୍ୱର ସହିତ ବିଶ୍ହେରା ଗାଆଁ ଲୋକଙ୍କର ମୃଦଙ୍ଗ ତାଳ ସହିତ ଘୁଙ୍ଗୁର ପାଦର ନାଚ ମୋତେ ଟାଣିନେଲା ସେମାନଙ୍କ ଭିତରକୁ।ଆଗରୁ ଅନେକ ଥର ଏମିତି ତାଳ ପକେଇ ନାଚିଲା ପରି ମୁଁ ଯେତେବେଳେ ନାଚି ଚାଲିଲି ସେତେବେଳେ ସଭିଙ୍କ ଆଖି ମୋ ଉପରେ ଲାଖି ଯାଇଥିଲା।ଅନେକ ସମୟ ନାଚିବା ପରେ ସମସ୍ତେ ଥକି ଯାଇଥିଲେ ହେଲେ ମୁଁ ଆଉ ମହୁଆ ସେମିତି ନାଚି ଚାଲିଥିଲୁ !ସତେ ଯେମିତି ଆମର ନାଚ ଆଜି ବନ୍ଦ୍ ହେବନି ! ହଠାତ୍ ମୋ ପାଦର ଘୁଙ୍ଗୁର ଛିଣ୍ଡିଗଲା।ନାଚରେ ବିଭୋର ହୋଇ ନିଜକୁ ଭୁଲି ଯାଇଥିବା ଅବସ୍ଥାରୁ ସମ୍ବିତ ପାଇଲି ଯେତେବେଳେ ପଡ଼ି ଯାଉଯାଉ ମହୂଆର ବାହୁରେ ଆଉଜି ହୋଇ ରହି ଯାଇଥିଲି !


କରତାଳିରେ ସେ ଅଞ୍ଚଳ କମ୍ପି ଉଠିଲା। ବୁଇଦାଦୀ ଦୌଡ଼ି ଆସି ମୋତେ ଗେଲ କରିଦେଲେ ଆଉ ମୋ ମଥାରୁ ବୋହି ଆସୁଥିବା ଧାରେ ସ୍ୱେଦ ଧାର ନିଜ ପିନ୍ଧା କାନିରେ ପୋଛି ଦେଇଥିଲେ।ମୁଁ ଏତେ ନାଚିବି ବୋଲି କେହି ଭାବି ନଥିଲେ।ହେଲେ ମୁଁ ଜଣେ ପୋଖତ ନୃତ୍ୟାଙ୍ଗନା ପରି ନାଚିଥିବା ଦେଖି ସମସ୍ତେ ଖୁସ ହୋଇ ଯାଇଥିଲେ।ରାତିରେ ପୁରୁଣା ବରଗଛ ମୂଳରେ ବଡ ହାଣ୍ଡି ବସେଇ ସୁସ୍ୱାଦୁ ଖାଦ୍ୟ ପ୍ରସ୍ତୁତ କରାଗଲା। ଦାଦୀ ସମସ୍ତଙ୍କୁ କହିଲେ ଆଜିର ଏଇ ଦାୱତ୍ କୁଆଡେ ମୋର ହୋସ୍ ଆସିବା ଖୁସିରେ ଦିଆ ହେଉଛି ! ମୋତେ ବହୁତ୍ ଖୁସି ଲାଗିଲା।ମୋତେ ବରଗଛ ମୂଳରେ ବସେଇ କଜରୀ,ଦାଦୀ ଆଉ ଅନ୍ୟ ସ୍ତ୍ରୀଲୋକମାନେ ମୋ ମଥାରେ ପହାଡ଼ା ମାଆଙ୍କର ଚନ୍ଦନ ଲଗେଇଲେ ଆଉ ମହୁଆ ହାତରେ କ୍ଷୀରି ପାତ୍ର ଧରି ମୋତେ ଖୁଏଇ ଦେଲା।ସ୍ନେହରେ ଭରା ସେଇ ରାତିରେ ଔଜଲ୍ୟ ପାଇଁ ଆକାଶରେ ଆହୁରି ଅଧିକ ସଂଖ୍ୟକ ତାରକା ଆସି ଏକାଠି ହୋଇଯାଇଥିଲେ ବୋଧେ।ଆଉ ନିଜେ ଚନ୍ଦ୍ରମା ଟିକେ ତଳକୁ ଖସିଆସି ବିଶ୍ହେରା ଗାଁର ଅନ୍ଧାରକୁ ଦୂରେଇ ଦେଉଥିଲେ।ଝରି ପଡ଼ିବାକୁ ଫୁଟିଥିବା ମଧୂମାଳତୀ ସହିତ ବଣୁଆ ଫୁଲର ବାସ୍ନା ମନକୁ ଦୋହଲାଇ ଦେଉଥିଲା।ଶୀତୁଆ ପବନକୁ ଧୂନି ନିଆଁ ହରେଇ ଚାଲିଥିଲା।ରାତି ଛୁଇଁ ଯିବାପରେ ସମସ୍ତେ ଆପଣା ଆପଣା କୁଡିଆ ଭିତରକୁ ଚାଲି ଯାଇଥିଲୁ।ମୋ ସହିତ ଥିଲେ ବୁଇଦାଦୀ ଆଉ ମହୁଆ।ମହୁଆ ଦାଦୀଙ୍କୁ ନିଜ ମା' ଠାରୁ ଅଧିକ ସ୍ନେହ ଆଉ ସମ୍ମାନ ଦେଉଥିଲା। ବିଶ୍ହେରା ଗାଆଁରେ ଦାଦୀ ସବୁଠୁ ପୁରୁଣା ମଣିଷ ଥିଲେ।ଦେବୀଙ୍କ ପରି ତାଙ୍କ କଥା ସମସ୍ତେ ଶୁଣୁଥିଲେ ଆଉ ମାନୁଥିଲେ ମଧ୍ୟ। ଦାଦୀ କାଳେ ସିଧା ପହାଡ଼ା ମା' ସହିତ କଥା ହେଇ ପାରୁଥିଲେ।ଗାଁର ସମସ୍ତେ ଏଇ ବିଶ୍ଵାସ କରୁଥିଲେ।ମୋତେ ବି ଲାଗୁଥିଲା ଦାଦୀଙ୍କ ପାଖରେ ଅନେକ ଚମତ୍କାରୀ ଗୁଣ ଥିଲା।


କୁଡିଆ ଭିତରେ ଦଉଡି଼ଆ ଖଟ ଉପରେ ମୋତେ ଶୋଇବାକୁ କହି ଦାଦୀ ଆଉ ମହୁଆ ତଳେ ହେଂସ ପାରି ଶୋଇଲା ବେଳେ ମୁଁ ମନା କଲି ହେଲେ ଦାଦୀଙ୍କ ତାଗିଦ୍ ଆଗରେ ମୋ ଆଗ୍ରହ ଅଗ୍ରାହ୍ୟ ହେଇଗଲା।ଆଉ ସୁନାପିଲା ପରି ଖଟରେ ଘୋଡେ଼ଇ ହୋଇ ଶୋଇ ପଡ଼ିଲି।


ବିଶ୍ଵାସ ହେଉ ନଥାଏ ଯେ ଦୀର୍ଘ ଦୁଇମାସ ପରେ ଆଜି ସକାଳୁ ହିଁ ମୋର ଚେତା ଫେରିଛି ବୋଲି।ମୋତେ ଲାଗୁଥାଏ ସତେ ଯେମିତି ମୁଁ କେବେ କିଛି ଭୁଲି ନଥିଲି।ଏଇ ଗାଆଁ,ଏହାର ଶାନ୍ତ ପରିବେଶ ସବୁ ମୋ ନିଃଶ୍ୱାସ ଭିତରେ ସାଇତା ହୋଇ ମୋର ଏକାନ୍ତ ଆପଣାର ଲାଗୁଥିଲେ।ଏଣୁ ପୁରୁଣା ସ୍ମୃତି କିଛି ଆଉ ବାକି ନାହିଁ ବୋଲି ମନେ ହେବା ଫଳରେ ଆଉ କିଛି ମନେ ପକେଇବାକୁ ଇଚ୍ଛା ବି ହେଲାନି।ଆଖି ବନ୍ଦ କରି ଶୋଇବା ପରି ଛଳନା କରି ଦେଖୁଥିଲି ମୁଁ ବୁଇଦାଦୀଙ୍କୁ !


ଅଦ୍ଭୁତ ସ୍ନେହୀ ମଣିଷଟିଏ।ମହୁଆକୁ ପାଇ ସେ ନିଜର ବାତ୍ସଲ୍ୟ ସମ୍ପୂର୍ଣ୍ଣ କରିଥିଲେ ସେ। ଦିନେ ପହାଡ଼ା ମା' ପାଖରେ ଲମ୍ବ ହୋଇ ମୁଣ୍ଡିଆ ମାରୁଥିବା ବେଳେ ଗୋଟିଏ ଛୋଟ ପିଲା କାନ୍ଦୁଥିବାର ଶୁଣିଲେ ଆଉ ଯାଇ ଦେଖିଲା ବେଳକୁ ମହୁମାଛି ମାନେ ଛୋଟ ପିଲାଟିକୁ ଘେରି ରହିଥିବା ଦେଖିଲେ।ଆଶ୍ଚର୍ଯ୍ୟର କଥା ମହୁମାଛିମାନେ ତାକୁ କ୍ଷତି ପହଞ୍ଚାଇବା ଜାଗାରେ ତା'ର ରକ୍ଷା ହିଁ କରୁଥିଲେ। ବୁଇଦାଦୀ ପିଲାଟିକୁ କୋଳେଇ ନେବା ମାତ୍ରେ ସେମାନେ କୁଆଡେ ଉଭେଇ ଗଲେ। ଦାଦୀ ଏଇ ଚମତ୍କାର ଦେଖିଲା ପରେ ପିଲାଟିକୁ ମହୁଆ ନାଁ ଦେଇ ନିଜ ପଣତ ଘୋଡେ଼ଇ ନେଇ ଆସିଥିଲେ। ବୁଇଦାଦୀଙ୍କ ପରିବାର କହିଲେ କେବଳ ଏଇ ମହୁଆ ।


ବିଶ୍ହେରା ଗାଁର ଲୋକମାନେ ମଧ୍ୟ ମହୁଆ ଉପରେ ବହୁତ୍ ବିଶ୍ଵାସ ରଖୁଥିଲେ।ମହୁଆ ଦେଖିବାକୁ ଯେମିତି ସୁନ୍ଦର୍ ହୃଷ୍ଟପୃଷ୍ଟ ଥିଲା ତାର ଗୁଣ ମଧ୍ୟ ସେମିତି ଥିଲା।ସମସ୍ତଙ୍କୁ ସାହାଯ୍ୟ କରିବ।ଯିଏ ଯେତେବେଳେ ଡାକିଲେ ' ଓ ' କରିବ।ମହୁଆ ସତରେ କୌଣସି ଦୈବୀ ବରଦାନ ହିଁ ବୋଧେ ଥିଲା।ଏମିତି ଭାବି ଭାବି ମୁଁ ଚାହୁଁଥିବା ବେଳେ ହଠାତ୍ ମହୁଆ ଉଠିଗଲା ଆଉ ପଚାରିଦେଲା…"କନ୍ ହେଲା ପରୀ? ନିଦ୍ ଆସୁନି କି ଗୋ? ପାଣି ଆଣି ଦେବି କି ତୋର୍ ପାଇଁ?"


ତା' କଥା ଶୁଣି ମୋର ମଧ୍ୟ ଇଚ୍ଛା ହେଲା ଟିକେ ଦୁଷ୍ଟ ହେବାକୁ…କେଜାଣି କାହିଁକି…?ମହୁଆ ହାତର କାକରିଆ ପାଣି ବହୁତ୍ ମିଠା ଲାଗିଲା।ବୋଧେ ପାଟି ଶୁଖି ଯାଇଥିଲା ସେଇଥି ପାଇଁ…!ପାଣି ପିଇଲା ପରେ ମହୁଆ ମୋତେ ଘୋଡେ଼ଇ ହୋଇ ଶୋଇବାକୁ କହିଲା ହେଲେ ମୋତେ ନିଦ ଆସୁନି ବୋଲି କହିଲି।କାଳେ ବୁଇଦାଦୀ ଉଠିଯିବେ ବୋଲି ଭାବି ସେ ମୋତେ ଆସ୍ତେ ଉଠି ଆସିବାକୁ କହିଲା।ମୁଁ ସେଇ କମ୍ବଳ ଘୋଡେ଼ଇ ହୋଇ ତା' ସହିତ କୁଡିଆ ବାହାରକୁ ଆସିଲି।ବାହାରେ ଭୀଷଣ ଶୀତ ହେଉଥିଲା।ମହୁଆ ମୋତେ ଘର ପାଖରେ ଥିବା ଗୋଟିଏ ପଥର ଖୋଲ ଭିତରକୁ ନେଲା।ପଥର ଖୋଲଟି ବହୁତ୍ ସୁନ୍ଦର୍ ଦେଖା ଯାଉଥିଲା।ମହୁଆ ଦୁଇଟି ପଥର ଘଷି ନିଆଁ ଲଗେଇ କିଛି ଶୁଖିଲା ଘାସ ଆଉ କାଠ ଫାଳିଆ ଜଳେଇ ଦେଇଥିଲା।ତା' ପାଖରେ ବସିବାକୁ କହିଲା। ଶୀତ କୁଆଡେ ଉଭେଇ ଗଲା ସତରେ।ମହୁଆ ସହିତ ମୁଁ ଗପିବାକୁ ଆରମ୍ଭ କଲି।ସେ ଶୋଇବାକୁ ଯିବାକୁ ମନା କଲା।ମୋତେ ଏକୁଟିଆ ଛାଡି ସେ କୁଆଡେ ଯିବନି କହିଲା।ରାତିରେ ନିଦ କାହିଁକି ଖରାପ କରିବ କହିବାରୁ ସେ କାନ ମୋଡ଼ି ଦୁଇଥର ଗାଲକୁ ପିଟିଲା ଆଉ କହିଲା…


"ଇସ୍ ପରୀ…ନିଦ୍ ଖରାପ୍ ହବ ତୋର ଲାଗି କହୁଚୁ? ତୁ ପରା ପରୀ।ଆଉ ତୋର ପାଇଁ ଗୋଟିଏ ରାତି କାହିଁକି ହର୍ ରାତି ନିଦ୍ ନହେଲେ ଖାଲି ଖୁସି ଲାଗିବ ଗୋ…!"


ମହୁଆ କଥା ଶୁଣି ମନେ ମନେ ଖୁସି ଲାଗିଲା।ତା' ହଳ କଥା, ବିଶ୍ହେରା ଗାଆଁ କଥା ,ଏଇ ଶୀତରାତି କଥା,ସେଇ ଜହ୍ନ କଥା,ତାରା କଥା ଆହୁରି କେତେ କଣ କଥା ହେଉ ହେଉ କେତେବେଳେ ଆଖି ପଡ଼ି ଯାଇଥିଲା ଜାଣି ପାରିଲିନି। ନିଦ ଭାଙ୍ଗିଲା ବେଳକୁ ମୋ ଦେହ ଉପରେ ଯତ୍ନରେ କମ୍ବଳ ଘୋଡେ଼ଇ ହୋଇଥିଲା ଆଉ ମୁଣ୍ଡ ତଳେ କଅଁଳ ଘାସର ତକିଆ ରଖା ଯାଇଥିଲା।ଆଉ ବୁଝିବାରେ ବାକି ନଥିଲା…ଏସବୁ ମହୁଆ ହିଁ କରିଛି।ହେଲେ ମୋତେ ଶୁଏଇ ଦେଇ ସେ କୁଆଡେ ଗଲା…?


ଆଖି ମଳି ମଳି ଖୋଲରୁ ବାହାରକୁ ଆସିଲା ବେଳେ ବୁଇଦାଦୀ ବାହାରେ ଖରାରେ ବସିଥିଲେ ଆଉ କିଛି ପକ୍ଷୀଙ୍କୁ ଦାନା ଦେଉଥିଲେ।ରଙ୍ଗ ବେରଙ୍ଗ ପକ୍ଷୀମାନଙ୍କୁ ଦେଖି ମୁଁ ଛୋଟ ପିଲାଟେ ପରି ଡେଇଁ ଉଠିଲି। ଆଶ୍ଚର୍ଯ୍ୟ…ମୋତେ ଏତେ ପାଖରୁ ଡେଇଁବା ଦେଖି ମଧ୍ୟ ସେମାନେ ଉଡ଼ିଲେନି ବରଂ ଗୋଟିଏ ଛୋଟ ନାଲି ଆଉ ହଳଦିଆ ମିଶା ଚଢ଼େଇ ଆସି ମୋ କାନ୍ଧ ଉପରେ ବସିଗଲା।ଖୁସିରେ ମୁଁ ହସି ଦେବାରୁ ମୋ ଗାଲରେ ଭଉଁରୀଟିଏ ଖେଳିଯିବା ଦେଖି ଦାଦୀ ବସିବା ଜାଗାରୁ ଉଠି ପଡିଲେ ଆଉ ନିଜ ଆଖିରୁ କଜଳ ଆଣି ମୋ ଚିବୁକ ଉପରେ ଲଗେଇ ଦେଇ କହିଲେ…"ମୋର୍ ପରୀ କେତେ ସୁନ୍ଦର ଗୋ ପହାଡ଼ା ମା'…କାହାର ନଜର ନ ଲାଗୁ…!!"


ଟିକେ ହସିଦେଇ କଡ଼କୁ ଚାହିଁଲା ବେଳକୁ ମୋତେ ଅପଲକ ନୟନରେ ଚାହିଁଥିବା ମହୁଆର ଆଖି ମୋ ଆଖିରେ ମିଶିଯିବାରୁ ସେ ବ୍ୟସ୍ତ ହୋଇ ଅନ୍ୟଆଡେ ଆଖି ବୁଲେଇ ଦେଇଥିଲା।


ସକାଳୁଆ ଖରା ସହିତ ଦିନଟା ଆରମ୍ଭ ହୋଇଯାଇଥିଲା ଆଉ ମୁଁ ଦେଖି ପାରୁଥିଲି ସେହି ନିୟମ ପରି ଦିନଚର୍ଯ୍ୟାକୁ…!ସମସ୍ତେ ବ୍ୟସ୍ତ କିନ୍ତୁ ଅତି ସୁରୁଖୁରୁରେ ନିଜ କାମ କରୁଥାନ୍ତି।କେହି ବିବ୍ରତ ନୁହନ୍ତି।କିଛି ଖାଦ୍ୟ ପ୍ରସ୍ତୁତ କରିବାକୁ ଦାଦୀ ଘର ପଛଆଡେ ଗଲାବେଳେ ମୁଁ ବି ତାଙ୍କ ସହିତ ଚାଲି ଯାଇଥିଲି।ସେ ଖୁସି ହେଲେ ମୁଁ ତାଙ୍କୁ ସାହାଯ୍ୟ କରିବା କଥା କହିବାରୁ।ଆମେ ସାଙ୍ଗ ହୋଇ ସକାଳୁଆ ଖାଦ୍ୟ ତିଆରି କରି ଗ୍ରାମବାସୀଙ୍କୁ ଦେଲୁ ।ସମସ୍ତେ ଖାଇ ବହୁତ୍ ଖୁସି ହେଲେ।ଆଉ ମୁଁ ଖାଇବା ପରେ ବୁଇଦାଦୀଙ୍କୁ କହିଲି ଟିକେ ଝିନୁଆ ନଦୀ ଦେଖିବାକୁ ଯିବା ପାଇଁ।ଏବେ ଆଉ ସେ ମନା କଲେନି।ମହୂଆକୁ ଡାକି କହିଲେ ସେ ଯେମିତି ମୋତେ ନେଇ ଚାରିଆଡ଼େ ବୁଲେଇ ଆଣିଦେଉ।ମୋ ଚୁଟି କୁଣ୍ଡେଇ ଦେଇ ସଜେଇ ଦେଲେ ବୁଇଦାଦୀ। ଫୁଲପକା ସୂତା ଶାଢ଼ୀକୁ ସୁନ୍ଦର୍ କରି ମୋ ଦେହ ଚାରିଆଡ଼େ ଗୁଡେ଼ଇ ତା କାନିକୁ ନେଇ ମୋ ବକ୍ଷଦେଶରେ ବାନ୍ଧିଦେଲେ।ଏମିତି ଶାଢ଼ୀ ସେଇ ଗାଆଁରେ ସମସ୍ତେ ପିନ୍ଧୁଥିଲେ।ତା ପରେ କଉଡ଼ି ଆଉ ମାଳିର କିଛି ଗହଣା ଆଣି ବେକ,ଅଣ୍ଟା,ହାତରେ ପିନ୍ଧେଇ ଦେଇ ପାଉଁଜିଟିଏ ଆଣି ପାଦରେ ବାନ୍ଧିଦେଲେ।ବଣୁଆ ଫୁଲର ଗଜରା ଖୋସାରେ ପିନ୍ଧେଇ ଦେଇ ମୋ ମଥାରେ ଚୁମାଟିଏ ଦେଇ କହିଲେ…"ଯା ଏବେ…"


ମହୁଆ ରାସ୍ତା ଚାଲିଲା ବେଳେ ମୋ ଦେଖା ଅଦେଖା ଦୃଷ୍ଟି ଚୋରେଇ ମୋତେ ଟିକେ ଟିକେ କଣେଇ ଦେଖି ଦେଉଥିଲା।ମୁଁ ଜାଣୁଥିଲି।ହେଲେ କେଜାଣି ବାରଣ କରିବା ଦୂରର କଥା ତାକୁ ଏ ବିଷୟରେ କିଛି ବି କହି ନଥିଲି।ମହୁଆ ମୋତେ ଦେଖେଇ ଦେଉଥିଲା ବିଶ୍ହେରା ଗାଁକୁ ଯାଇଥିବା ମାଟି ମସୃଣ ରାସ୍ତା,ଝଙ୍କାଳିଆ ଫଳନ୍ତି ଗଛ,ହରରଙ୍ଗୀ ପକ୍ଷୀ ଆଉ ଛୋଟମୋଟ ଅନେକ ପାହାଡ଼…ଯାହା ସେହି ଗାଁକୁ ଘେରି ରହିଥିଲେ।ହାତରେ ଧରିଥିବା ବାଡି ଖଣ୍ଡିଏ ଧରି ସେ ଗଛ ଡ଼ାଳ ସବୁ ଆଉ ରାସ୍ତାରେ ପଡ଼ିଥିବା ଛୋଟ ଗୋଡ଼ି ପଥର ସବୁ ଆଡେ଼ଇ ଦେଉଥିଲା ଆଉ ମୁଁ ନିର୍ଭୟରେ ଆଗେଇ ଚାଲିଥିଲି। ସୁଲୁସୁଲୁଆ ଶୀତୁଆ ପବନ ସାଙ୍ଗକୁ ଗଛ ଛାଇ ଭିତର ଦେଇ ଆସୁଥିବା ଟାଣ ଖରା ମନକୁ ଖୁସି କରି ଦେଉଥିଲା।


ହଠାତ୍ ମୋ ମନ କେମିତି ଏକ ଅଜଣା ପୁଲକରେ ଭରିଗଲା।ପାଣିର କୁଳୁକୁଳୁ ଶବ୍ଦ ମୋ ଅନ୍ତର୍ମନକୁ ଛୁଇଁ ହୃଦୟକୁ ସ୍ପର୍ଶ କରି ଦେଉଥିଲା।ସାମ୍ନାରେ ଥିଲା ଝିନୂଆ ନଦୀ ! ପାହାଡ ମଝିରେ ନିଜର ଏକ ସ୍ବତନ୍ତ୍ର ପରିଚୟ ନେଇ ସେ ଆଗେଇ ଚାଲିଥିଲା ତା'ର ସ୍ଵ ନିର୍ଦ୍ଧାରିତ ଗତିପଥରେ।ପବନ ତାକୁ ହଲେଇ ଦେଲେ ସେ ଟିକେ ନାଚି ଯାଉଥିଲା।ସୂର୍ଯ୍ୟ ଟିକେ ଛୁଇଁଦେଲେ ସେ ଟିକେ ତରଳି ଯାଉଥିଲା ଆଉ ନିଜ ସୁନେଲି ଆସ୍ତରଣ ଭିତରର ସୁନୀଳ ଶୀତଳ ଜଳ ବୁହେଇ ଚାଲିଥିଲା ଅବିରାମ ଗତିରେ ! ମହୁଆ ପାଟି କରୁଥିଲା ବୋଧେ "ବେଶୀ ପାଖକୁ ଯା ନା ଗୋ…ଗୋଡ୍ ଖସ୍ ଯିବ…!


ମୋତେ କିଛି ଶୁଭୁ ନଥିଲା।କେଉଁ ଏକ ଆଦିମ ଆକର୍ଷଣ ମୋତେ ଟାଣି ନେଉଥିଲା ଝିନୁଆ ନଦୀ ପାଖକୁ ! ଇଚ୍ଛା ହେଉଥିଲା ଡେଇଁ ପଡି ପହଁରି ଚାଲି ଯାଆନ୍ତି କି…ଏ କୁଳରୁ ସେ କୁଳ !


ହାତ ବଢ଼େଇ ପାଣି ଛୁଇଁ ଦେବା କ୍ଷଣି ମୋର ଦେହରେ ଯେମିତି ନିଆଁ ଲାଗି ଯାଇଥିଲା !ଆଃ…କି ଶାନ୍ତି…!ପ୍ରଥମେ ହାତ ପାପୁଲି ବୁଡ଼େଇ ତା ପରେ କହୁଣି ଯାଏଁ ବୁଡ଼େଇ ଆଉ ଟିକେ ଆଗକୁ ବଢିବା ବେଳେ ମହୁଆ ଝଡ ବେଗରେ ଆସି ମୋତେ ଏକ ରକମ୍ ଉଠେଇ ଧରି କୁଳ ଉପରେ ଠିଆ କରେଇ ଦେଲା।ମୁଁ ପାଗଳୀ ହୋଇ ଯାଇଛି କି ବୋଲି ପଚାରିଲା।ସତରେ ମୁଁ କିଛି କହି ପାରିଲିନାହିଁ ମୁଁ କାହିଁକି ଆଉ କେମିତି ପାଗଳୀ ପରି ହୋଇ ଯାଇଥିଲି ନଦୀକୁ ଦେଖି ! ବୋଧେ ଏଇ ନଦୀରେ ଭାସି ଆସିଥିଲି ବୋଲି ଏତେ ଆପଣାର ଲାଗୁଛି ଏଇ ନଦୀ! ଏଇ ପାଣି…!!


ନଦୀକୂଳରେ ଥିବା ଏକ ପଥରକୁ ଆଉଜି ବସିଲି ଢେର ସମୟ ଯାଏଁ।ସେତିକି ଭିତରେ ମହୁଆ ସହିତ ଆହୁରି ଅନେକ ବିଷୟ କଥା ହେଲି।ମଝିରେ ମଝିରେ ସେ ଯାଇ କିଛି ଫଳ ନେଇ ଆସୁଥିଲା।ସନ୍ଧ୍ୟା ଆସିବା ଆଗରୁ ଫେରିଯିବାକୁ କହିଲା।ମନ ମୋର ମାନୁ ନଥାଏ।ସେଇ ନଦୀ ପାଖରେ ରହିବାକୁ ଇଚ୍ଛା ହେଉଥାଏ।ହେଲେ ଶୀତ ଲାଗି ଆସୁଥିଲା।ତେଣୁ ଫେରି ଆସିବାକୁ ହେଲା।ମହୁଆ ମୋ ମନକଥା ବୁଝିପାରି କହିଲା ପରଦିନ ସେ ପୁଣି ମୋତେ ନଦୀ ପାଖକୁ ଆଣିବ।ତା' କଥା ଶୁଣିଲା ପରେ ବହୁତ୍ ଖୁସିରେ ଗାଁକୁ ଫେରି ଆସିଲି।


ରାତିରେ ପଥର ଖୋଲରେ ଶୋଇବାକୁ ଇଚ୍ଛା କରିବାରୁ ମହୁଆ ଆଉ ଧନିଆ ସାଙ୍ଗ ହୋଇ ସେ ଭିତରେ ହେଂସ ପାରି ଦେଇ ଶେଯ କରିଦେଲେ।ରାତିରେ ବହୁତ୍ ସୁନ୍ଦର୍ ନିଦ ହେଲା।ଆଉ ପରଦିନ ସକାଳୁ ସେଇ ଏକା ଇଚ୍ଛା…ଝିନୁଆ ନଦୀ ପାଖକୁ ଯିବାକୁ।ନଦୀ ଆଡ଼କୁ ଯିବା ସମୟରେ ରାସ୍ତା ଆଉ ଅଜଣା ଲାଗୁ ନଥିଲା।ପାଖରେ ମହୁଆ ବି ଥିଲା।ସେଇ ପାହାଡିଆ ଗାଆଁର ଶୀତ ସହିତ ମୋ ଶରୀର ଅଭ୍ୟସ୍ତ ହୋଇ ଆସିଥିଲା।ତେଣୁ ବୁଲିବାରେ କିଛି ଅସୁବିଧା ହେଲାନି।ସନ୍ଧ୍ୟାରେ ଗାଆଁରେ ପହଞ୍ଚି ବୁଇଦାଦୀଙ୍କୁ ରୋଷେଇ କରିବାରେ ସାହାଯ୍ୟ କଲାବେଳେ ମୋତେ ଜମାରୁ ଲାଗିଲାନି ଯେ ମୁଁ ଏଇ କଳା ମଚମଚ ମଣିଷମାନଙ୍କଠାରୁ କିଛି ଅଲଗା ବୋଲି। ବରଂ ସେମାନେ ଯେମିତି କାମ କରିକରି ଗୀତ ଗୁଣୁ ଗୁଣାନ୍ତି…ଠିକ୍ ସେମିତି ମୁଁ ବି କରୁଥିଲି।ସେମାନଙ୍କ ଭିତରେ ଆଉ ମୋ ଭିତରେ ଏବେ କେବଳ ପାର୍ଥକ୍ୟ ଥିଲା ଦେହ ରଙ୍ଗର ଆଉ କିଛି କଥା କହିବା ଶୈଳୀର।


ବୁଇଦାଦୀ ସେଦିନ ସନ୍ଧ୍ୟାରେ ବରଗଛ ମୂଳରେ ସମସ୍ତଙ୍କୁ ଡାକିଲେ ଆଉ ସୂଚନା ଦେଲେ ଯେ ଆସନ୍ତା କାଲି ଗାଆଁରେ ଚୁନିଆ ପର୍ବ ହେବ ।ଆଉ ଏଇ ପର୍ବ ମୋ ପାଇଁ ହେବ।ସମସ୍ତେ ଖୁସିରେ ତାଳି ମାରିଲେ।ମୁଁ ବୁଝି ପାରିଲିନି।ଭାବିଲି ବୋଧେ ସେଦିନ ପରି କିଛି ନାଚଗୀତ ହେବ…!!ପରେ ମୋତେ କଜରୀ ବୁଝେଇ ଦେଲା ଯେ ଏଇ ପର୍ବ ଯାହା ପାଇଁ ହେଇଥାଏ ସେଇ ଝିଅ କନିଆ ବେଶ ହୋଇ ବରଗଛ ଚାନ୍ଦିନୀ ଉପରେ ବସେ ଆଉ ତାକୁ ଜୀବନ ସାଥୀ କରିବାକୁ ଚାହୁଁଥିବା ପୁରୁଷମାନେ ନାଚ ମାଧ୍ୟମରେ ନିଜ କଥା କୁହନ୍ତି।ଝିଅର ଆପତ୍ତି ନଥିଲେ ତା ପରଦିନ ସେଇ ପୁଅ ଗାଁର ଅନ୍ୟ ଲୋକଙ୍କ ସହିତ ପହାଡ଼ା ମା' ପାଖକୁ ଯାଇ ତାଙ୍କ ପାଦତଳେ ଫୁଲ ଥୋଇ ସିନ୍ଦୂର ମାଗେ।ଯାହାର ମନ ଠିକ୍ ଥାଏ ଆଉ ପ୍ରେମ ସତ୍ ହେଇଥାଏ ମା' ତାର ଫୁଲରେ ସିନ୍ଦୂର ପକେଇ ଦିଅନ୍ତି।ସେଇ ସିନ୍ଦୂର ଭରି ସେ ପୁଅ ସେହି ଝିଅକୁ ତା ବୋହୁ କରିନିଏ।ଯାହାକୁ ସିନ୍ଦୂର ମିଳେନି ସେ ଆଉ ସେ ବିଷୟ ଭାବେନି।ଝିଅର ଯଦି ଇଚ୍ଛା ନଥାଏ ହେଲେ ସେ ପହାଡ଼ା ମା' ପାଖକୁ ଯାଇ ତାକୁ କହି ଦେଇଥାଏ ସିନ୍ଦୁର ନ ଦେବାକୁ…!!


ଆମେ କଥା ହେଉଥିବା ବେଳେ ଆମ ପାଖକୁ ଆସି ବୁଇଦାଦୀ କହିଲେ,"କଜରୀ ଗୋ…ତୋର୍ ଭାଇର୍ ଚୁନିଆ ଏଇ ବରଷ ହେଇଥିଲା। ନିୟମ ପାଇଁ ଆର୍ ବରଷ ତୋର ଚୂନିଆ ବି କରିଦେବା !ଏଇ ବରଷ ଆଉ ହେଇ ପାରିବନି ତୋର୍…!!"


ତାଙ୍କ କଥା ଶୁଣି କଜରୀ ହସି ହସି ସେଇଠୁ ଚାଲିଗଲା।ସେ ଗଲାପରେ ଦାଦୀ ମୋତେ କହିଲେ ଯେ ଚୁନିଆ ପର୍ବ ରାତିରେ ସରିଲା ପରେ ସକାଳୁ ଆଗ ମୁଁ ଯିବି ମା'ଙ୍କ ପାଖକୁ ଆଉ ତା' ପରେ ମୋ ପାଇଁ ସିନ୍ଦୂର ମାଗିବାକୁ ଭାବି ବର୍ ଯିବ।


ଅଦ୍ଭୁତ ଆଉ ଆଶ୍ଚର୍ୟ୍ଯ ଲାଗୁଥିଲା ଏଇସବୁ ବିଶ୍ଵାସ…. ଚଳଣୀ…ହେଲେ ସବୁକିଛି ନିଜର ନିଜର ଲାଗୁଥିଲା।ସେଦିନ ଆଉ ପଥର ଖୋଲରେ ନ ଶୋଇ କୁଡ଼ିଆରେ ଶୋଇଲି।ରାତିରେ ମିଛିନିଛିକା ଶୋଇବା ଅଭିନୟ କରି ଲୁଚେଇ ଲୁଚେଇ ମହୁଆକୁ ଦେଖି ଭାବୁଥିଲି ଆଜି ସନ୍ଧ୍ୟାରେ କଣ ମହୁଆ ମୋ ପାଇଁ ସିନ୍ଦୂର ମାଗିବାକୁ ସମସ୍ତଙ୍କ ଆଗରେ ଜଣେଇବ ?କଣ ମହୁଆ ମୋତେ ଭାଲ ପାଏ ?ତା' ଠୁଁ ବଡ ପ୍ରଶ୍ନ…କଣ ମୁଁ ମହୁଆକୁ ଭଲ ପାଉଛି ?


ସକାଳୁ ବାହାରି ଆମେ ପହାଡ଼ା ମାଆଙ୍କର ଦର୍ଶନ କରିବାକୁ ବାହାରିଲୁ।ମନରେ ଅନେକ ପ୍ରଶ୍ନ ଥାଏ।କିଏ ଏଇ ପହାଡ଼ା ମା'? ବିଶ୍ହେରା ଗାଁର ଲୋକେ ଏତେ ବିଶ୍ଵାସ କରୁଛନ୍ତି ଯେ ନିଜ ଜୀବନର ସବୁ ନିଷ୍ପତ୍ତି ମାଆଙ୍କର ନିର୍ଦ୍ଦେଶ ଅନୁସାରେ ନେଇ ପାରୁଛନ୍ତି ?


ମା'ଙ୍କ କୃପାରୁ ଏଇ ଗାଁର ସବୁକିଛି ହେଉଛି।ପାହାଡ ଚଢ଼ି ଚଢ଼ି ଯେତେ ଉପରକୁ ଯାଉଥାଏ ମୋର ମନ ସେତେ ଉଦବିଗ୍ନ ହେଇ ଯାଉଥାଏ।ଛାତିର ସ୍ପନ୍ଦନ ବଢିବା ସହିତ ନିଃଶ୍ୱାସ ମଧ୍ୟ ତୀବ୍ର ହେଉଥାଏ।ପାହାଡ ସବୁ ଦୂରରୁ ଦେଖିଲେ ଯେତେ ଭଲ ଲାଗେ ପାଖକୁ ଗଲେ ସେତିକି ଅଦ୍ଭୁତ ଦେଖା ଯାଉଥାଏ। ଶିଉଳୀ ସହିତ କଣ୍ଟାବୁଦା ସବୁ ପାଦ ବାନ୍ଧି ପକାଉଥାଏ।ତଥାପି ନିଜକୁ ମୁକ୍ତ କରି ଆଗକୁ ବଢ଼ିବାକୁ ପଡୁଥାଏ। ଝିନୁଆ ନଦୀ ପଛରେ ପଡ଼ି ଯାଇଥାଏ। ଝିନୁଆର ନାଚ ଆଉ ସ୍ୱର ସବୁ ପଛରେ ରହି ଯାଇଥିଲା।ଆମେ ଉପରକୁ ଧିରେ ଧିରେ ଉଠି ଆସୁଥିଲି।ଛୋଟ ଛୋଟ ପୋକଯୋକ ମଧ୍ୟ ବୁଲୁଥିଲେ ଅମାନିଆ ହୋଇ।ସେକଥା ଆଗରୁ ଅନୁମାନ କରି ବୁଇଦାଦୀ ମୋତେ ଆଣ୍ଠୁ ପର୍ଯ୍ୟନ୍ତ ଲମ୍ବା ଜୋତା ପିନ୍ଧେଇ ଦେଇଥିଲେ ଆଉ କହିଥିଲେ ଯଦି ଏମିତି ଜୋତା ପିନ୍ଧିବିନି ତା ହେଲେ ମୋର ତୁଳା ଭଳିଆ ପାଦ ଖଣ୍ଡିଆ ହୋଇ ଯାଇପାରେ।ସତରେ ସେ ସବୁ ଜାଣନ୍ତି।ତାଙ୍କୁ ଦେଖି ମୋର ବି ଇଚ୍ଛା ହେଲା ଥରେ ମନେ ପଡ଼ନ୍ତା କି…ମୋ ପରିବାରରେ କିଏ ସବୁ ଥିଲେ ଆଉ କେଉଁଠି ! କିନ୍ତୁ ଉପାୟ କିଛି ନଥିଲା।କିଛି ବି ମନେ ପକେଇ ପାରୁ ନଥିଲି।ଅନେକ ଭାବନା ମୁଣ୍ଡକୁ ସନ୍ତୁଳା କରି ପକାଇଥିବା ସମୟରେ ସାମ୍ନାରେ ଦେଖିଲି ଏକ ବିରାଟ ପଥର…ତା' ଉପରେ ଛଣର ଛାତ ପରି ଛତ୍ର। ଛତ୍ର ଉପରେ ବାନା ଉଡୁଥିଲା ଆଉ ପଥର ସାମ୍ନାରେ ଏକ ବିରାଟ ମାଟିଦୀପ ଜଳୁଥିଲା।ବର୍ଷା,ପବନ କିଛି ତାକୁ ଲିଭେଇ ପାରୁ ନଥିଲେ।କାରଣ ସେଇଟା ଥିଲା ପହାଡା ମାଆଙ୍କର ପ୍ରଦୀପ ବିଶ୍ଵାସର ଅନ୍ୟନାମ।ଆଉ ଆଖି ଆଗରେ ଥିଲେ ପହାଡ଼ା ମା' !ଯାହାଙ୍କୁ ଦେଖିବା ପାଇଁ ମୁଁ ଏତେ ଇଛୁକ ଥିଲି ଆଉ ବ୍ୟଗ୍ର ଥିଲି।ଯାହା ବିଷୟରେ ଏତେ ଶୁଣିଛି ଯେ ମୋ ମନ ଆପେ ଆପେ ତାଙ୍କ ଚରଣ କମଳରେ ଝୁଙ୍କି ପଡ଼ିଲା !ମହୁଆ କିଛି କହିବା ଆଗରୁ ମୁଁ ଲମ୍ବ ହୋଇ ପଡ଼ି ଯାଇଥିଲି ମାଆଙ୍କର ଆସ୍ଥାନ ସମ୍ମୁଖରେ !


ମହୁଆ ଆଶ୍ଚର୍ଯ୍ୟ ହେଲା …ମୁଁ କେମିତି ସେମାନଙ୍କ ଜୁହାର୍ ତରୀକା ଶିଖିଲି ବୋଲି।ମୁଁ ବି ତାକୁ ଟିକେ ଚିଡ଼େଇ କହିଲି ମୁଁ ତୁମ ମାନଙ୍କଠାରୁ ଭିନ୍ନ କି ?ସତରେ ମୁଁ ନିଜକୁ ବିଶ୍ହେରା ଗାଁର ଜଣେ ବୋଲି ହିଁ ଭାବୁଥିଲି।ବୋଧେ ଦୂରକୁ ଟିକେ ଚାଲି ଯାଇଥିଲି ! ପହାଡ଼ା ମାଆଙ୍କ ବିଗ୍ରହ ଦେଖି ଦେଖି ମୁଁ ଆତ୍ମବିଭୋର ହୋଇ ଯାଇଥିଲି।କେତେ ସମୟ ଗଲାପରେ ମହୁଆ କହିଲା,


"ଚାଲ୍ ପରୀ…ଏଥର ଗାଁକୁ ବାହାର୍। ଡେର୍ ହେଲାଣି ଗୋ…'


ମୁଁ ମୁଣ୍ଡ ହଲେଇ ତା' ସହିତ ଗାଁକୁ ବାହାରିଲି।ଚଢିବା ବେଳେ ମୋ ଗୋଡ଼ ଖସି ଯାଉଥିଲା !ମହୁଆ ତାର ବଳିଷ୍ଠ ବାହୁରେ ମୋତେ ଭିଡ଼ି ଧରି ଦେବାରୁ ଅଳ୍ପକେ ବଂଚି ଯାଇଥିଲି।ତା' ଦେହର ସେଇ ମହୁମୟ ବାସ୍ନା ମୋ ଅଙ୍ଗ ପ୍ରତ୍ୟଙ୍ଗକୁ ଭେଦ କରି ହୃଦୟ ଭିତରେ ଘର କରି ଦେଇଥିଲା।ମନେ ମନେ ତା'ର ହୋଇଯିବାକୁ ଇଛାଟିଏ ଉଙ୍କି ମାରିଲା।ଓହ୍ଲାଇଲା ବେଳେ ସେ ନିଜେ ତା' ହାତ ବଢ଼େଇ ଦେଲା ମୋ ଉଦ୍ଦେଶ୍ୟରେ। ମହୁଆର ହାତ ଧରି ଗାଆଁକୁ ଆସିଲି।


ସନ୍ଧ୍ୟା ହେବାମାତ୍ରେ ପୁଣି ନାଚ ଗୀତର ଭବ୍ୟ ଆସର ଆୟୋଜନ କରାଗଲା।ଶୀତୁଆ ସଞ୍ଜ ହାର ମାନୁଥିଲା ଗାଁର ଆତ୍ମ ବିଶ୍ଵାସ ଆଗରେ। ପହାଡା ମା'ଙ୍କ ଉଦ୍ଦେଶ୍ୟରେ ଜ୍ୟୋତି ପ୍ରଜ୍ବଳିତ କଲେ ବୁଇଦାଦୀ।ଆଉ ମୋତେ ଚାନ୍ଦନୀ ଉପରେ ବସେଇ ଚୁନିଆ ପର୍ବ ଆରମ୍ଭ ହେଲା।ମହୁଆ ସହିତ ଆଉଜଣେ ଯୁବକ ମଧ୍ୟ ଚୁନିଆ ନାଚ ନାଚୁଥିଲେ। କଜରୀ ଚିହ୍ନେଇ ଦେଲା ସେ ଯୁବକ ହେଉଛି ବିଛୁଆ।ସେ ମଧ୍ୟ ମୋତେ ଭଲ ପାଇ ବସିଥିଲା।ନାଚ ସମାପ୍ତ ହେବା ପରେ ଦୁଇଜଣ ଦୁଇଟି ଫୁଲମାଳ ଧରି ମୋ ଆଗରେ ଆଣ୍ଠେଇ ବସିଲେ।ମୋତେ ପଚରା ଗଲା ମୁଁ ପ୍ରଥମ ସୁଯୋଗ କାହାକୁ ଦେବି ବୋଲି।ମନ ପ୍ରାଣ ଯା' ପାଖରେ ରହି ଯାଇଥିଲା…ସେଇ ମହୁଆ ନାଁ ପାଟିରୁ ବାହାରିଗଲା।ସମସ୍ତେ ଖୁସିରେ ତାଳି ମାରିଲେ ହେଲେ କଜରୀ ନିଜ ଲୁଗାରେ ଆଖି ପୋଛୁଥିଲା।ମୁଁ ଠିକ୍ ଜାଣି ପାରୁଥିଲି ସେ ମଧ୍ୟ ମହୁଆକୁ ଭଲ ପାଉଥିଲା।ଲୋକେ ଖାଇବା ପାଇଁ ଚାଲିଯିବା ପରେ ମୁଁ ତାକୁ ପାଖକୁ ଡାକି ପଚାରିଲି …ମହୁଆ ବିଷୟରେ…!! କଣ ବା ମୋତେ ସିଏ କୁହନ୍ତା ଆଉ…!!??କହିଲା…"ଭାଗ୍ୟରେ ଥିଲେ ହବ ଗୋ ପରୀ। ପହାଡା ମା' ଚାହିଁଲେ ମୋର୍ ପାଇଁ ସିନ୍ଦୂର୍ ଦବ ମହୁଆକୁ। ନ ହେଲେ ତୋର୍ ପାଇଁ…!!"


ତେବେ ବର୍ତ୍ତମାନ ମୋ ଭାଗ୍ୟ ସେଇ ପହାଡ଼ା ମା' ହାତରେ ହିଁ ଅଛି।ଭାଗ୍ୟକୁ ଆଉ ଟିକେ ପରଖିବାକୁ ଇଚ୍ଛା ହେଲା।ଭାବିଲି ଵିଛୁଆ ଗଲେ ମଧ୍ୟ ସିନ୍ଦୁର ଆସିବନି ତ ?ସମସ୍ତଙ୍କୁ କହିଲି ପ୍ରଥମେ ବିଛୁଆକୁ ସୁଯୋଗ ଦିଆଯାଉ।ଆଉ କୁଡ଼ିଆକୁ ଗଲା ପରେ ମହୁଆକୁ ପଚାରିଲି ସେ ମୋ ନିଷ୍ପତ୍ତି ପାଇଁ ଖରାପ ଭାବିଲା କି ?ଅଳ୍ପ ହସି ମହୁଆ କହିଲା,


'ତୁ ମୋର ଭାଗ୍ୟରେ ଅଛୁ ଗୋ ପରୀ।ନହେଲେ ମୋର ହାତରେ ଝିନୁଆ ଦିଅନ୍ତାନି ତୋତେ ଚିନ୍ତା କର ଟିକେ। ବିଛୁଆକୁ ମା' ସିନ୍ଦୂର୍ ଦବନି !ତୁ ଦେଖିବୁ…!"


ସେଇ ରାତିରେ ସବୁ ଗ୍ରାମବାସୀ ପହାଡ଼ା ମା' ପାଖକୁ ଯାଇ ଅଧିଆ ପଡ଼ିଲେ।ଘରେ କେବଳ ମୁଁ ଆଉ କଜରୀ ଥିଲୁ।ବହୁତ୍ ଗପ କଲୁ।ମୋର ହୋସ ଆସିବାର ଛ' ଦିନ ଭିତରେ କଜରୀ ମୋର ବହୁତ୍ ଭଲ ବନ୍ଧୁ ହୋଇ ଯାଇଥିଲା।ଆମେ ନିଷ୍ପତ୍ତି ନେଇଥିଲୁ ଯାହା ସହିତ ଆମର ବିବାହ ହେଉ ନା କାହିଁକି ଆମେ ଏମିତି ବନ୍ଧୁ ହୋଇ ସାରାଟା ଜୀବନ ରହିବୁ।


ସକାଳୁ ମନ ଦୁଃଖରେ ଫେରି ଆସୁଥିଲା ବିଛୁଆ। ପହାଡା ମା' ତା' ଫୁଲରେ ସିନ୍ଦୂର ଦେଇ ନଥିଲେ।ଆଉ ବହୁତ୍ ଖୁସି ଥିଲି ମୁଁ…ବୋଧେ ମହୁଆ ମୋ ମନକଥା ଜାଣି ନେଇଥିଲା !ମୋ ପାଖଦେଇ ଯିବା ଆସିବା ସମୟରେ ଅଳ୍ପ ହସି ଦେଉଥିଲା।ଦିନବେଳା ମୁଁ ବୁଇଦାଦୀ ସହିତ ସାଙ୍ଗ ହୋଇ ରୋଷେଇ କଲି।ମୋତେ ଏଥର ସେଇ ପଥର ଚୁଲା, ପଥୁରୀ ବାସନ, କାଠ ଖଡ଼ିକା ସବୁ ସହିତ ପଥୁରିଆ କୋଇଲା ଆଉ କାଠରେ ରୋଷେଇ କରିବା ଆସି ଯାଇଥିଲା।ମହୁଆ ମଧ୍ୟ ମୋ ହାତ ତିଆରି ଖାଦ୍ୟ ବହୁତ୍ ପସନ୍ଦ କରୁଥିଲା। ବିଶ୍ହେରା ଗାଆଁରେ ସମସ୍ତଙ୍କ ପାଇଁ ଗୋଟିଏ ଚୁଲାରେ ରୋଷେଇ କରାଯାଏ।ସବୁ ମହିଳା ଲାଗି ପଡୁଥିଲେ ଏଇ କାମରେ।ଆଉ ମୁଁ ମଧ୍ୟ !


ସନ୍ଧ୍ୟା ବଢି ରାତି ଆସିବା ସହିତ ଛାତି ଜୋରରେ ଉଠୁଥାଏ ପଡୁଥାଏ।ହାତଯୋଡି ମୁଁ ମଧ୍ୟ ଅଲକ୍ଷ୍ୟରେ ସିନ୍ଦୁର ଦେବାକୁ ମା' ପାଖରେ ମିନତି କରୁଥିଲି।ଗାଁର ସମସ୍ତେ ପୁଣି ଯାଇଥିଲେ ରାତିରେ ପହାଡ଼ା ମା' ପାଖରେ ଅଧିଆ ପଡ଼ିବା ପାଇଁ। ରହିଯାଇଥିଲୁ କେବଳ କଜରୀ ଆଉ ମୁଁ !


ଆମେ ଶୋଇଥିବା ବେଳେ ହଠାତ୍ ଦରଜାରେ ଆଘାତ ହେଲା।ଏତେ ରାତିରେ କିଏ ବା ହେଇପାରେ ? ମନ ଭିତରେ କେମିତି ଏକ ଛନକା ପଶିଗଲା।ଅହେତୁକ ଭୟ ମାଡ଼ି ବସିଲା।ମୁଁ ଉଠି କବାଟ ଖୋଲିବାକୁ ଯିବା ବେଳେ କଜରୀ ମୋତେ ଅଟକାଇ ନିଜେ ଗଲା ଆଉ କବାଟ ଖୋଲି ଆଶ୍ଚର୍ୟ୍ଯ ହୋଇ କହିଲା…"ବିଛୁଆ…ତୁ…?ଅଧିଆ ପଡ଼ିବାକୁ ଯାଇନୁ କି…?"


ବିଛୁଆ ହସି ହସି କହିଲା…"ନା ଗୋ ମହୁଆ ସିନ୍ଦୁର୍ ପାଇବ ବୋଲି ମୁଁ ଫେର୍ ଅଧିଆ ପଡ଼ିବି ?"


କଜରୀ…"ହଁ…କାହିଁକି ନାଇ? ତୁ କଣ ବିଶ୍ହେରା ଗାଁର ଲୋକ୍ ନାଇ?'


ବିଛୁଆ…"ଗାଆଁର ଲୋକ୍…ହେଲେ ମୁଁ ବି ଚୁନିଆ ପର୍ବରେ ନାଚିଥିଲି ନା ?"


କଜରୀ…"ସେଉଠୁ କନ୍ ହେଲା? ପହାଡ଼ା ମା' ତୋତେ ସିନ୍ଦୁର୍ ଦେଇନି !"


ବିଛୁଆ…"ନ ଦଉ…ରକତ୍ ଭରା ତ ଅଛି ନା ?"


ଚମକି ପଡ଼ିଲା କଜରୀ !


"ରକତ୍ ଭରିବୁ ତୁ ?" ଛାତିରେ ହାତ ଦେଇ ଦି' ପାଦ ପଛକୁ ଘୁଞ୍ଚିଗଲା।


ମୁଁ କଜରୀକୁ ଧରିଦେଇ ପଚାରିଲି ଏସବୁର ମାନେ କଣ? ସିଏ କହିଲା ଯେ ଯଦି ପହାଡ଼ା ମା' କାହା ଫୁଲରେ ସିନ୍ଦୂର ଦିଏନି ତାହେଲେ ସେଇ ପୁଅ ସେହି ଝିଅକୁ ବାହା ହେଇ ପାରେନି ଯାହା ପାଇଁ ସେ ଚୁନିଆ ପର୍ବରେ ନାଚିଥାଏ।ହେଲେ ଯଦି ଜଣେ ମାଆର ଆଶୀର୍ବାଦ ବିନା ବିବାହ କରିବାକୁ ଚାହେଁ ତେବେ ସେ ନିଜ ରକ୍ତରେ ଗୋଟିଏ ଝିଅର ମାଙ୍ଗ ଭରି ତାକୁ ନିଜ ବୋହୁ କରି ଦେଇପାରେ।ତା' କଥା ଶୁଣି ମୁଁ ବହୁତ ଡରି ଯାଇଥିଲି।ତା' ମାନେ ବିଛୁଆ ମୋ ମଥାରେ ତା' ରକ୍ତ ଭରି ମୋତେ ନିଜର କରିବାକୁ ଚେଷ୍ଟା କରୁଛି ?


ବିଛୁଆ ଖଳନାୟକ ପରି ହସି ହସି ମୋ ଆଡ଼କୁ ଆଗେଇ ଆସୁଥିଲା।ମୁଁ ନିଜକୁ କଜରୀ ପଛରେ ଲୁଚେଇ ରଖିଥିଲି। କଜରୀ ପଚାରିଲା…"ତୁ ବିଛୁଆକୁ ମରଦ୍ ମାନି ପାରିବୁ ନା ପରୀ ? ନାଇ ତ କହ…ଦୁନିଆର କିଏ ବି ତୋର୍ ଇଚ୍ଛା ଏଡେଇକି ତୋତେ ନିଜର୍ କରି ପାରିବନି !"


ତା' କଥା ଶୁଣି ମୋତେ ବଳ ଆସିଲା।ଆଉ ମୁଁ ସିଧା ମନା କରିଦେଲି ବିଛୁଆର ବୋହୁ ହେବାକୁ।ମୁଁ ଯେ ମହୁଆକୁ ମନ ଦେଇ ସାରିଥିଲି ! କଜରୀ ଏହା ଜାଣିବା ପରେ ଟିକେ ହସିଦେଇ ଲୁହ ପୋଛିଲା ଆଉ ତାଗିଦ୍ କଲା ବିଛୁଆକୁ…ସେ ଯେମିତି ଆଗକୁ ବଢ଼ିବନି !


ହେଲେ ବିଛୁଆ ମୁଣ୍ଡରେ ସୈତାନ୍ ପଶିଥିଲା ବୋଧେ।ସେ ସନ୍ଦେହ କରୁଥିଲା ଯେ ମହୁଆ ସିନ୍ଦୂର୍ ନେଇ ଆସିଯିବ ବୋଲି !ତେଣୁ ସମସ୍ତଙ୍କ ଅନୁପସ୍ଥିତିର ଫାଇଦା ଉଠେଇ ସେ ମୋତେ ନିଜର କରିବାକୁ ଏମିତି ଯୋଜନା କରିଥିଲା ଯେତେବେଳେ ସେ କଣ ଆଉ ପଛକୁ ହଟନ୍ତା ?ଗୋଟିଏ ହାତରେ ଛୁରୀ ଧରି ସେ ଆମ ଆଡ଼କୁ ମାଡି ଆସୁଥିଲା।


କଜରୀ ନିଜର ସବୁ ଶକ୍ତି ଲଗେଇ ତାକୁ ପଛକୁ ଠେଲିଦେଲା। କୌଣସି ଝିଅର ଇଚ୍ଛା ବିରୁଦ୍ଧରେ ତାକୁ ନିଜର କରିବା ଅପରାଧ ବୋଲି ବୁଝେଇଲା।ଗାଆଁରେ ଏମିତି କିଏ କେବେ କରିନି କହି ଅନେକ ସାକ୍ଷ୍ୟ ପ୍ରମାଣ ଦେଲା। ପହାଡ଼ା ମା',ବୁଇଦାଦୀ ଆଉ ମହୁଆକୁ ଡରିବାକୁ କହିଲା।ମହୁଆ ଏକଥା ଜାଣିଲେ ତାକୁ ଦୁଇଫାଳ କରି ଚିରି ପକେଇବ କହିଲା।ହେଲେ ବିଛୁଆ କିଛି ଶୁଣିଲାନି।ସେ ମୋତେ ଛୁଇଁବା ଆଗରୁ କଜରୀ ତା' ହାତ ଧରି ତାକୁ ଅଟକେଇବାକୁ ଚେଷ୍ଟା କରି ମୋତେ ଚାଲିଯିବାକୁ କହିଲା !


"ତୁ ପାହାଡ୍ ଉପର୍ ଯାଏଁ ପଳା ଗୋ ପରୀ। ସେଠି ମହୁଆ ହିଁ ତୋତେ ବଞ୍ଚାଇବ।ମୁଁ ଥାଉ ଥାଉ ବିଛୁଆକୁ ଅନ୍ୟାୟ କରିବାକୁ ଦେବିନି ଗୋ…ତୁ ଯା…ଯାଃ…!" କହି ମୋତେ ଧକ୍କା ମାରି କୁଡିଆ ବାହାରକୁ ପଠେଇ ଦେଲା ଆଉ ପାଖରେ ପଡ଼ିଥିବା ପଥର ଟିଏ ବିଛୁଆ ମୁଣ୍ଡ ଉପରକୁ ଚ୍ଛାଟିଦେଲା। ବିଛୁଆ ମୁଣ୍ଡରୁ ରକ୍ତ ବାହାରୁଥିଲା।ସେ ଯନ୍ତ୍ରଣାରେ ଚିତ୍କାର କଲା।ମୁଁ ଏମିତି ଏକ ଅସ୍ବଭାବିକ ପରିସ୍ଥିତିରୁ ବଞ୍ଚିବାକୁ ଆଉ କଜରୀକୁ ବଞ୍ଚାଇବାକୁ ଦୌଡିଲି !


ଶୀତ ରାତି। ଅଧାରାତି ହେଇଥିବ ବୋଧେ କି କଣ? ଭୀଷଣ ଶୀତ ହେଉଥାଏ।ବ୍ୟସ୍ତରେ ମୁଁ କିଛି ଘୋଡେ଼ଇ ହୋଇ ନଥିଲି।ଜୀବନ ମରଣ ସମସ୍ୟା ବେଳେ ଖରା,ବର୍ଷା ଶୀତକୁ ଭଲା କିଏ ପଚାରେ ?ଖୋଲା ପାଦରେ ମୁଁ ଦୌଡୁଥିଲି।ଥରେ ମାତ୍ର ଯାଇଛି ପହାଡ଼ା ମାଆଙ୍କ ଦର୍ଶନ ପାଇଁ।ହେଲେ ଆଜି ରାସ୍ତା ସତେ ଯେମିତି କହୁଥିଲା ମୁଁ ବହୁବାର ଆସିଛି ତା' ଉପର ଦେଇ !ଗୋଡ଼ି,ପଥର,କଣ୍ଟା ଆଜି ସବୁକିଛି ମୋ ଗତି ଆଗରେ ହାର ମାନି ଆସୁଥିଲେ।କିଛି ଜଣା ପଡୁ ନଥିଲା ମୋତେ !ମଝିରେ ମଝିରେ ଖାଲି ପାଟିରୁ ଆପଣାଛାଏଁ ବାହାରି ଆସୁଥିଲା ଗୋଟିଏ ଶବ୍ଦ…"ମହୁଆ…!!"ଆଉ ମହୁଆର ସ୍ପର୍ଶ,ତା' ଦେହର ବାସ୍ନା ମୋତେ ଆଗକୁ ବଢେଇ ନେଉଥାଏ !


ଦୌଡୁଥିଲି ମୁଁ…!!ସେଦିନ ଗୋଟିଏ କଥା ବୁଝି ସାରିଥିଲି।ମଣିଷ ଯେତେବେଳେ ବଞ୍ଚିବା ପାଇଁ ସଂଗ୍ରାମ କରେ ସେତେବେଳେ ଅନ୍ଧାର ଭିତରେ ବି ରାସ୍ତାଟିଏ ଠିକ୍ ଦେଖା ଯାଇଥାଏ।ମୋତେ ମଧ୍ୟ ସେହି ଶୀତୁଆ ଅନ୍ଧାର ରାତିରେ ସବୁକିଛି ସ୍ପଷ୍ଟ ଦେଖା ଯାଉଥିଲା।


କିଛି ରାସ୍ତା ଆଗେଇବା ପରେ ସେଇ ଆପଣାର ଶବ୍ଦଟା ପାଖେଇ ଆସିଲା। ଝିନୁଆ ନଦୀର କୁଳୁକୁଳୁ ଶବ୍ଦ।ଯାହା ମୋତେ ଏତେ ଆକୃଷ୍ଟ କରୁଥିଲା ସେଇ ଶବ୍ଦ।ମନେ ମନେ ତାକୁ କହିଲି…"ଯାଉଛି ଝିନୁଆ !ମହୁଆ ପାଖକୁ।ମୋ ରାସ୍ତା ଯେମିତି କେହି ରୋକି ନ ପାରୁ ଦେଖିବୁ ଲୋ…!!"କେଜାଣି କାହିଁକି ଲାଗୁଥିଲା ଝିନୁଆକୁ ମୁଁ ଆଉ ଦେଖି ପାରିବିନି।କିନ୍ତୁ ମୁଁ ଯେ ଯାଉଥିଲି ମହୁଆ ନିକଟକୁ।ତାକୁ ନିଜର କରି ଏଇ ବିଶ୍ହେରା ଗାଆଁରେ ସବୁଦିନ ପାଇଁ ରହି ଯିବାକୁ !ହେଲେ ଏମିତି କାହିଁକି ଲାଗୁଥିଲା ?


ଝିନୁଆ ପାର ହୋଇ ଚଢ଼ୁଥିଲି ମୁଁ ସେଇ ପାହାଡ଼ ଉପରକୁ…ଯେଉଁଠି ପହାଡ଼ା ମା' ରୁହନ୍ତି।ନିଜର ସବୁ ଶକ୍ତି ଲଗେଇ ଚଢ଼ୁଥିଲି। କଜରୀ ଠିକ୍ ଥିବ ତ ? ବିଛୁଆ ତା'ର କିଛି କ୍ଷତି କରି ନଥିବ ତ…?ନା ନା…କଜରୀର କିଛି ହେବନି। ବିଛୁଆ ତ ଗାଆଁ ପିଲା। ସେ କଣ ଗାଁର ଆଉ ଜଣଙ୍କର କ୍ଷତି କରି ପାରିବ ନା କଣ? ବୁଇଦାଦୀ ତାକୁ ନିଶ୍ଚୟ ବୁଝେଇ ଦେବେ।ସେତିକି ବେଳେ ମନେ ମନେ ନିଷ୍ପତ୍ତି ନେଇଗଲି ମୁଁ।ଯଦି ମହୁଆକୁ ସିନ୍ଦୁର ମିଳି ନଥିବ ତେବେ ରକତ୍ ଭରି ଦେବାକୁ କହିବି ମୋ ମଥାରେ !ଆଉ ତା' ପରେ ଗାଁକୁ ଆସି ସବୁ ସଜାଡି ନେବୁ ଆମେ।ହଁ…ନିଶ୍ଚୟ ସବୁ ଠିକ୍ ହେଇଯିବ !


ପାହାଡ଼ ଉପରକୁ ଚଢ଼ିଲା ବେଳକୁ ଭୋର ହୋଇ ଆସିଥିଲା।ସୂର୍ଯ୍ୟ ମଧ୍ୟ ମୋ ସହିତ ଝିନୁଆ ଉପର ଦେଇ ପାହାଡ ଉପରକୁ ଚଢି ଆସୁଥିଲେ।ଦେଖିଲି…ସେପଟୁ ମହୁଆ, ବୁଇଦାଦୀ ଆଉ ଗାଁର ସମସ୍ତେ ଖୁସିରେ ଆସୁଥିଲେ !ମହୁଆ ହାତରେ ଥିଲା ଫୁଲର ସେଇ ହାର ଯାହା ଧରି ସେ ଚୁନିଆ ପର୍ବରେ ନାଚିଥିଲା।ଫୁଲରେ ସିନ୍ଦୂର ଲାଗିଥିଲା।ମୁଁ ଏତେ ଖୁସି ହୋଇଗଲି…ତାହା କେବେ କହି ପାରିବିନି !


ରାତିସାରା ଥଣ୍ଡା ଶୀତରେ ଏତେ ବାଟ ଦୌଡ଼ି ପାହାଡ ଚଢ଼ି ଆସିଥିବାରୁ ମୋ ଦେହ ଥରୁଥିଲା।ଠିଆ ହେଇ ପାରୁ ନଥିଲି ମୁଁ ! ବଢ଼େଇ ମହୁଆକୁ ଥରେ ଡାକିଲା ବେଳେ ଦେଖିଲି ସେ ମୋ ଆଡ଼କୁ ବ୍ୟସ୍ତ ହୋଇ ଦୌଡ଼ି ଆସୁଛି…!!ହେଲେ ତା' ପରେ ମୋ ଆଖି ଅନ୍ଧାର ହୋଇଗଲା ଆଉ ବୋଧେ ମୁଁ …ଖସି ପଡ଼ିଲି !


ଆଖି ଖୋଲିଲା ବେଳକୁ ମିହୁଲ୍ ମୋତେ ଦୁଇବାହୁରେ ଜାବୋଡ଼ି ଧରିଥିଲେ…"ଥ୍ୟାଙ୍କ ଗଡ…ତୁମର ସେନ୍ସ ଆସିଯାଇଛି ପଲକ୍…" କହି ମୋ ମଥାରେ ଚୁମା ଦେଲେ ସେ।


ଡକ୍ଟର ଆସି ମୋର ଚେକ୍ ଅପ୍ କଲେ ଆଉ କହିଲେ ଏଇଟା ସତରେ ଗୋଟିଏ ବଡ ମିରାକଲ।ନହେଲେ ପାଖାପାଖି ଅଢେଇ ମାସ ପରେ ଏମିତି ହଠାତ୍ ପୁଣି ସେଇ ଜାଗାରୁ ଅକ୍ଷତ ଅବସ୍ଥାରେ କେହି ମିଳିଯିବା ହୁଏତ ଆଦୌ ସମ୍ଭଵ ନୁହେଁ।ଏଇଟା କେବଳ ମୋ ସ୍ବାମୀ ମିହୁଲଙ୍କ ଭଲ ପାଇବାର କମାଲ୍।


ଡାକ୍ତର ଯିବା ପରେ ମିହୁଲ୍ ମୋତେ ଉଠେଇ ବସେଇଲେ ଆଉ କହିଲେ…"ଏଇ…ଏମିତି କୁଆଡେ ଚାଲି ଯାଇଥିଲ କୁହ ତ…!!"


ମୁଁ ମନେ ପକାଇବାକୁ ଚେଷ୍ଟା କଲି।


ମିହୁଲ ଆଉ ମୁଁ ପର୍ଫେକ୍ଟ କପଲ୍ ଥିଲୁ।ପରସ୍ପରର ଇଚ୍ଛାକୁ ସମ୍ମାନ ଦେବା ଭଲରୂପେ ଜାଣିଥିଲୁ।ହଂସମାନଙ୍କ ଯୋଡ଼ି ପରି ଏକାଠି ହୋଇ ବୁଲୁଥିଲୁ ଆମେ। ମିହୁଲ ଜଣେ ପାଇଲଟ ହୋଇଥିବା ବେଳେ ମୁଁ ଥିଲି ଜଣେ ସ୍କୁବା ଡ଼ାଇଭର।ପାଣି ଥିଲା ମୋ ଜୀବନ।ସମୁଦ୍ରରେ ପହଁରି ପହଁରି ତା ତଳେ ଥିବା ଅମୁଲ୍ୟ ବସ୍ତୁ ସବୁ ସାଉଁଟି ଆଣିବାକୁ ମୁଁ ବହୁତ୍ ପସନ୍ଦ କରେ। ମିହୁଲ ଯେତେବେଳେ ଡ୍ୟୁଟିରେ ଚାଲି ଯାଉଥିଲେ ମୁଁ ମୋର ସ୍କୁବା ଡାଇଭିଂ କରିବାକୁ ଚାଲିଯାଏ।ସେ ଫେରି ଆସିବା ବେଳେ ମୁଁ ବି ଫେରିଆସେ। ମିହୁଲ ମୋତେ ଦେଶ ବିଦେଶ ବୁଲେଇବାକୁ ଭଲ ପାଆନ୍ତି।ସବୁବେଳେ କିଛି ନା କିଛି ସର୍ପ୍ରାଇଯ ଗିଫ୍ଟ ଆଣିବାକୁ ଚାହାନ୍ତି।ସେଥର ମଧ୍ୟ ସେ ନେଇ ଆସିଥିଲେ ଏକ ଗିଫ୍ଟ।ଗୋଟିଏ ଆନ୍ତର୍ଜାତିକ ସ୍କୁବା ଡାଇଭିଂ ଇଭେଣ୍ଟର ଟିକେଟ।ତାଙ୍କୁ ଆର୍ଜେଣ୍ଟିନା ଯିବାକୁ ଥିଲା ଫ୍ଲାଇଟ ନେଇ।ସେ ଚାହୁଁଥିଲେ ସେ ଆସିବା ଭିତରେ ମୁଁ ମଧ୍ୟ ମୋର ଏଇ ଇଭେଣ୍ଟ ସାରି ଫେରି ଆସେ।ତା ହେଲେ ତା ପରେ ଆମେ ସାଙ୍ଗ ହୋଇ ପ୍ୟାରିସ ଯାଇଥାନ୍ତୁ।ଅଗ୍ରୀମ ଟିକେଟ ମଧ୍ୟ ସେ କରେଇ ଦେଇଥିଲେ। ମିହୁଲ ଯିବାପରେ ମୁଁ ଯାଇଥିଲି ସି ବିଚ୍ କୁ। ସେଠି ଆମେମାନେ କଷ୍ଟ୍ୟୁମ୍ ପିନ୍ଧି ଅକ୍ସିଜେନ ସିଲିଣ୍ଡର ଧରି ସମୁଦ୍ର ଭିତରକୁ ଲମ୍ଫ ଦେଇଥିଲୁ…!!


ଆଉ ତା' ପରେ…!ତା' ପରେ ମହୁଆ…!! ବୁଇଦାଦୀ…!! କଜରୀ…!! ବିଶ୍ହେରା ଗାଁ…!! ପହାଡ଼ା ମା'…!! ଝିନୁଆ ନଦୀ…!! ବିଛୁଆ!!


ଏସବୁ ତେବେ କଣ ସ୍ମୃତି…?ନା ସତ୍ୟ…?ମହୁଆ କହୁଥିଲା ମୁଁ ଦୁଇମାସ ତଳେ ତାକୁ ମିଳିଥିଲି ଆଉ ବେହୋସ୍ ଥିଲି।ତେବେ କଣ ମୁଁ ସମୁଦ୍ର ଭିତରୁ ଯାଇ ଝିନୁଆ ନଦୀରେ ପହଞ୍ଚି ଯାଇଥିଲି? ସ୍କୁବା ଡାଇଭର ହୋଇ ଥିବାରୁ ମୋତେ ଝିନୁଆ ଏତେ ଭଲ ଲାଗୁଥିଲା…?ମୁଁ ତ ପାହାଡ ଉପରକୁ ଯାଇଥିଲି ତେବେ ପୁଣି ଏଇ ସମୁଦ୍ର ଭିତରୁ କେମିତି ମିଳିଲି ଯେଉଁଠି ହଜି ଯାଇଥିଲି…?


କିଛି ଭାବି ହେଉ ନଥାଏ…! ବିଶ୍ହେରା ଗାଆଁରେ ମୋର ତ କିଛି ମନେ ପଡୁ ନଥିଲା ମିହୁଲଙ୍କ ବିଷୟ…!ତେବେ କଣ ମୁଁ ମୋର ସ୍ମୃତି ହରେଇ ବସିଥିଲି…?କେଜାଣି କଣ ହେଉଛି ମୋ ସହିତ…!ଯାହା ସବୁ ମନେ ପଡ଼ୁଥିଲା ସେସବୁକୁ ଯୋଡ଼ି ଏହି ନିଷ୍କର୍ଷରେ ପହଞ୍ଚିଲି ଯେ ମୁଁ ବୋଧେ ସମୁଦ୍ର ଭିତରେ କିଛି ଆଘାତ ପାଇ ଝିନୁଆ କୋଳକୁ ଚାଲି ଯାଇଥିଲି ଆଉ ସେଦିନ ସେହି ପାହାଡ ଉପରୁ ଖସି ଝିନୁଆ ଦେଇ ପୁଣି ସମୁଦ୍ର ଗର୍ଭକୁ ଆସି ଯାଇଛି…! ହେଲେ ଏ ଭିତରେ ଏତିକି ଫରକ୍ ଅଛି ଯେ ସେଦିନ ମୋତେ ପଛକଥା କିଛି ମନେ ନଥିଲା କିନ୍ତୁ ଆଜି ସବୁକିଛି ସ୍ପଷ୍ଟ ମନେଅଛି…!


କିନ୍ତୁ ଏସବୁ କଥା ମିହୁଲଙ୍କୁ କେମିତି କହିଥାନ୍ତି ?ମହୁଆ ପ୍ରତି ମୋର ଯେଉଁ ଦୁର୍ବଳତା ରହିଥିଲା ତାହା ଜାଣିଲେ ସେ…!!ନା ନା…ବରଂ ମୁଁ ନିଜେ କିଛି କରିବି।ମୋତେ ହିଁ କିଛି କରିବାକୁ ପଡ଼ିବ…!!


ମନେ ମନେ ନିଜକୁ ପ୍ରସ୍ତୁତ କଲି।ମୋ ସ୍ବାସ୍ଥ୍ୟ ଅବସ୍ଥା ଦିନକୁ ଦିନ ଭଲ ହୋଇ ଆସୁଥିଲା ଆଉ ମୁଁ ଘରକୁ ଫେରି ଆସିଲି।ଡିସେମ୍ବର ମାସ ସରି ଆସୁଥାଏ।ପ୍ରବଳ ଥଣ୍ଡା ହେଉଥାଏ ଏବର୍ଷ।ଆଉ ମୋତେ ଲାଗୁଥିଲା ଏଇ ଶୀତରେ ମହୁଆ କେଉଁଠି ହୁଏତ ତା' ପରୀକୁ ଖୋଜି ଚାଲିଥିବ ପାଗଳଙ୍କ ପରି…!!ପାହାଡ,ଜଙ୍ଗଲ,ନଦୀ ଚାରିଆଡ଼େ ବିକଳ ହୋଇ ଖୋଜୁଥିବ…!!ବିଚାରୀ ବୁଇଦାଦୀ ନିଜ ବାର୍ଦ୍ଧକ୍ୟ ସହିତ ସଂଘର୍ଷ କରି ମୋର ସନ୍ଧାନ ପାଇବାକୁ ବ୍ୟାକୁଳ ହେଉଥିବେ…!!କେଜାଣି ସେହି କାଳରାତିରେ କଜରୀର କଣ ହେଇଥିବ…?? ବିଛୁଆ ଆଉ କିଛି ନୂଆ କାଣ୍ଡ ଘଟେଇ ନଥିବ ତ…??ଯଦି କୌଣସି ପ୍ରକାରେ ମୁଁ ମୋର ଖବର ସେମାନଙ୍କ ପାଖରେ ପହଞ୍ଚେଇ ପାରନ୍ତି ତାହେଲେ ହୁଏତ ସବୁ ଠିକ୍ ହେଇ ଯାଆନ୍ତା…!!ମୁଁ ବିବାହିତା ବୋଲି ଜାଣିବା ପରେ ମହୂଆକୁ ବୁଝେଇ ହୁଅନ୍ତା ଯେ ସେ କଜରୀକୁ ବାହା ହେଇ ନିଜର କରୁ…!!କେତେ ନିଷ୍ପାପ ଜୀବନ ବଂଚି ଯାଆନ୍ତେ ସତରେ…!!


ହଁ…ଏଇଟା ହିଁ ଠିକ୍ ହେବ।ମୋତେ ସେମାନଙ୍କୁ ଖୋଜି ମୋ ଖବର ଦେବାକୁ ହେବ।ନହେଲେ ଏତେଟା ଜୀବନ ଆଶା ନିରାଶା ଆଉ ଆଶଙ୍କା ଭିତରେ ମରିବା ଯାଏଁ ଦୋହଲୁଥିବେ…!!


ଆଖିକୁ ଲୁହ ଆସିଗଲା।ମନକୁ ଦୃଢ଼ କରି ଲାପଟପ ଉଠେଇ ସର୍ଚ୍ଚ କରିବା ଆରମ୍ଭ କଲି।ପ୍ରାୟ ଚାରିଘଂଟା ଖୋଜିବା ପରେ କାନ୍ଦି ଉଠିଲି…!!


ଝିନୁଆ ନଦୀ କେଉଁଠି ନଥିଲା…!! ଓଡ଼ିଶା,ଭାରତ କଣ ସାରା ପୃଥିବୀର ମାନଚିତ୍ରକୁ ତନ୍ନ ତନ୍ନ କରି ଖୋଜି ଖୋଜି ଜମାରୁ ପାଇଲିନି।ଭାରି ଅସହାୟ ଲାଗୁଥିଲା।ଏତେ ମଡର୍ଣ୍ଣ ଟେକ୍ନୋଲୋଜି ଗୋଟିଏ ନଦୀର ଟେର ପାଉ ନଥିଲେ…!!?? ଝିନୁଆ ନଦୀ ଛଡା ଆଉ କିଛି ଲ୍ୟାଣ୍ଡମାର୍କ ବି ନଥିଲା ବିଶ୍ହେରା ଗାଁର।ସେଇ ନାମରେ କୌଣସି ଗାଆଁ ନଥିଲା ପୃଥିବୀରେ…!! ପହାଡା ମା' ପରି ପାହାଡ ଉପରେ କୌଣସି ମନ୍ଦିର ନଥିଲା କେଉଁଆଡେ…!!ତେବେ କୁଆଡେ ଗଲେ ସେ କଳା ମଚମଚ କୋଡ଼ିଏଟି ଘର କରି ଏକାଠି ରହୁଥିବା ଲୋକମାନେ…!!??କୁଆଡେ ହଜିଗଲେ…??ପ୍ରାୟ ପ୍ରତ୍ୟେକ ଦିନ ଗୁଗଲ ସର୍ଚ୍ଚ କରି କରି ଧର୍ଯ୍ୟହରା ହୋଇ ଯାଉଥିଲି।କୁଆଡେ ଗଲେ ସେ ଆପଣାର ମଣିଷମାନେ ସତରେ…!!ପାଉନି ତ କେଉଁଠି…!!


ମିହୁଲଙ୍କ ପ୍ରେମ ମୋତେ ପୁଣି ଫେରେଇ ଆଣିଥିଲା ଆଜିର ଦୁନିଆକୁ।ସେ ମୋତେ ଆଉ ଏକାକୀ ଛାଡ଼ିବେନି ବୋଲି ନିଷ୍ପତ୍ତି ନେଇ ସାରିଥିଲେ। ଫ୍ଲାଇଟ୍ ରେ ମଧ୍ୟ ସାଙ୍ଗରେ ନେବେ ବୋଲି ଶପଥ କରିଥିଲେ।ତାଙ୍କ ସ୍ନେହ ପ୍ରେମ ମୋତେ ଏକଥା ଭାବିବାକୁ ବାଧ୍ୟ କରିଥିଲା ଯେ ବୋଧେ ସେଇ ସାତଦିନର ଯେଉଁ ସ୍ମୃତି ମୋ ମନ ଭିତରେ ରହି ଯାଇଛି ତାହା ମୋର ସ୍ବପ୍ନ ଥିଲା।କାରଣ ବାସ୍ତବ ହୋଇଥିଲେ ମୁଁ ନିଶ୍ଚୟ ତାକୁ ଖୋଜି ପାଆନ୍ତି। ମିହୁଲ କହିବା ମୁତାବକ ମୁଁ ସମୁଦ୍ରରେ ହଜି ପୁଣି ସମୁଦ୍ରରେ ମିଳିଛି…ତା' ମାନେ ଏତିକି ଦିନ ବୋଧେ ମୋର ଚେତନା ନଥିଲା।ହେଲେ ମୁଁ କେମିତି ଏତେଦିନ ବଂଚି ରହିଥିଲି ତାହା ଏକ ପ୍ରହେଳିକା ହିଁ ଥିଲା।ମୁଁ ନିଜକୁ ବୁଝେଇ ସାରିଥିଲି…ସେ ସବୁକଥା କେବଳ ମୋ ମନର ଭ୍ରମ ହିଁ ଥିଲା।


ଏମିତି ଭାବିବା ପରେ ମୋତେ ଆଉ ଅପରାଧବୋଧ ହେଲାନି। କାରଣ ଏସବୁ ସତ ହେଇଥିଲେ ମୋର କର୍ତ୍ତବ୍ୟ ଥାଆନ୍ତା ଅନେକ କିଛି।ହୁଏତ ସେତେବେଳେ ମୋ ସ୍ବାମୀଙ୍କ ସହାୟତା ଲୋଡ଼ି ମୁଁ ସବୁକଥା ସାମ୍ନାକୁ ଆଣି ଥାଆନ୍ତି।ନିରୀହ ଲୋକମାନଙ୍କୁ ସତ ସହିତ ବଞ୍ଚାଇବାକୁ ଚେଷ୍ଟା କରିଥାନ୍ତି।ହେଲେ ସତଟା ତ ମୋ ଆଖି ଆଗରେ ଥିଲା।ସେଇ ସାତଦିନ ଭିତରର ସବୁକଥା ମନେ ପକେଇ ଯେତେ ସର୍ଚ୍ଚ କଲେ ମଧ୍ୟ ରିଜଲ୍ଟ ଶୁନ ଆସୁଥିଲା।ଅତଏବ ଏଥର ସେସବୁ ମନରୁ ପୋଛି ପକେଇ ଆଗକୁ ବଢ଼ିବାକୁ ମନ ଦୃଢ କଲି।ସ୍ବପ୍ନ କଣ କେବେ ସତ୍ୟ ହୁଏ…??ତେବେ ମୁଁ ସ୍ବପ୍ନ ପଛରେ କାହିଁକି ଗୋଡେଇବି…!!??


ଆମେ ପ୍ୟାରିସ ବୁଲିବାକୁ ଗଲୁ ।ବହୁତ୍ ମଜା କଲୁ।ଘରକୁ ଫେରି ଆସିବା ପରେ ଆମେ ଚିନ୍ତାକଲୁ ଏଥର ଆମ ପରିବାର ମଧ୍ୟ ଆଗକୁ ବଢେଇବା ସମୟ ଆସି ଯାଇଛି।ତେଣୁ ପ୍ରଥମେ ଏକ ବଙ୍ଗଳା ତିଆରି କରିବାକୁ ନିଷ୍ପତ୍ତି ନେଲୁ।


ଗୋଟିଏ ବଡ ପ୍ଲଟ କିଣି ନିଜ ସ୍ୱପ୍ନର ଘର ତିଆରି କରିବାକୁ ଆର୍କିଟେକ୍ଟ ସହିତ ପରାମର୍ଶ କଲୁ। ମିହୁଲ ଚାହୁଁଥିଲେ ତାଙ୍କର ଏକ ଜିମ୍ ସେ ଘର ଭିତରେ ରଖେଇବେ।ଆଉ ମୁଁ ଏକ ଫୁଲ ବଗିଚା ଘର ଚାରିଆଡ଼େ ଚାହୁଁଥିଲି।ସୁନ୍ଦର୍ ଗୋଟିଏ ପୁଜାଘର,ଲାଇବ୍ରେରୀ ଆଉ ଯାହା ଯାହା ଆମେ ଚାହୁଁଥିଲୁ ସେସବୁ ତିଆରି କଲୁ।ପ୍ରାୟ ବର୍ଷେ ହୋଇ ଆସିଲାଣି।ଉତ୍କୃଷ୍ଟ ମାନର ମ୍ୟାଟେରିଆଲ ଲଗେଇ କୁଶଳ କାରିଗରଙ୍କ ଦ୍ୱାରା ଆମେ ଆମ ଘରକୁ ସଜେଇ ଚାଲିଲୁ। ଘରର ଇଣ୍ଟେରିଅର୍ ଡେକୋରେଶନ୍ କାମ ମୋ ଉପରେ ଥିଲା।ସବୁ ତିଆରି କରେଇ ସାରି ମୁଁ ଠାକୁରଘର କଲାବେଳେ କେଜାଣି କେମିତି ପହାଡା ମାଆଙ୍କ ବାନା ଆଉ ଛତ୍ର ଆକୃତିର ପିଣ୍ଡି ତିଆରି କରେଇଲି…!! ମିହୁଲ ଆଶ୍ଚର୍ୟ୍ଯ ହେଲେ ଏ ସୁନ୍ଦର୍ କାରିଗରୀ ଦେଖି।ମୋତେ ପଚାରିବାରୁ ମୁଁ କହିଲି "ଏମିତି… ଗୋଟେ ଖୟାଲରେ ବନେଇ ଦେଲି…!!"


ସ୍ବପ୍ନ ଥିଲା ବୋଲି ଜାଣି ସାରିଲା ପରେ ମଧ୍ୟ ଜୀବନ୍ତ ଲାଗୁଥାଏ ସେସବୁ କଥା।ମନ ଭିତରୁ ଯାଉ ନଥାଏ।ଅବଶ୍ୟ ଏମିତି କେତେଟା ସ୍ବପ୍ନ ସତଠାରୁ ବି ବେଶୀ ସତ୍ୟ ମନେ ହେଇଥାଏ।ଛାଡ…!!


ଘର ପ୍ରତିଷ୍ଠା କାମଟା ଭଲ ଦିନ ଦେଖି ସାରିଦେଲୁ। ମିହୁଲ ଚାହୁଁଥିଲେ ଏବର୍ଷର ନୂଆବର୍ଷ ଆମେ ଆମ ନୁଆଘରେ ପାଳନ କରିବୁ ବୋଲି।ତେଣୁ ସିଫ୍ଟିଂ କାମଟା ଜୋରରେ ଚାଲିଥାଏ।ସବୁ ଜିନିଷ ମୁଭର୍ସ ଆଣ୍ଡ ପ୍ୟାକର୍ସ ଅତି ସୁନ୍ଦର୍ ଭାବରେ ପ୍ୟାକିଂ କରି ନେଇ ଯାଉଥାନ୍ତି।ଦ୍ୱିପହର ଖାଇବା ପାଇଁ କାମ ଟିକେ ବନ୍ଦ୍ ଥାଏ।ଆମେ ଖାଇ ସାରିବା ପରେ ଟିକେ ବୁଲି ଦେଖୁଥିଲୁ ଆଉ କିଛି ଜିନିଷ ବାକି ରହିଗଲାକି…!!??


ଗୋଟିଏ କପବୋର୍ଡ ଉପରେ ଏକ ଛୋଟିଆ ବ୍ୟାଗ୍ ମୋତେ ଦେଖାଗଲା।ଏଇ ବ୍ୟାଗ୍ ଫେରେ କାହାର…??ବୋଧେ ମିହୁଲ କେବେ ଫ୍ଲାଇଟ୍ ଜର୍ଣି ପାଇଁ କିଣି ଭୁଲି ଯାଇଛନ୍ତି।ହେଇଥିବ ଗୋଟିଏ କି ଦିଖଣ୍ଡ ପିନ୍ଧାଲୁଗା।ହେଲେ ଖାଲିଟାରେ ଏମିତି କାହିଁକି ପଡ଼ି ରହିବ ଯେ…??ବ୍ୟବହାର ନହେଲେ ବରଂ କେଉଁ ଚାକରବାକରଙ୍କୁ ଦେଇଦେବି।ଏକଥା ଭାବି ବ୍ୟାଗ୍ ବାହାର କରି ଖୋଲି ଦେଖେ ତ…


ସେଥିରେ ଥିଲା…ସେଇ ସୂତା ଲୁଗା,ସେଇ କଉଡ଼ି ମାଳ,ମାଳି ଚୁଡ଼ି,,ଅଣ୍ଟା ସୂତା,ପାଉଁଜି ଆଉ ଯାବତୀୟ ସରଞ୍ଜାମ ଯାହା ମୁଁ ସେହି ରାତିରେ ପିନ୍ଧିଥିଲି ଯେତେବେଳେ ମହୁଆ ପହାଡ଼ା ମା'ଙ୍କ ସିନ୍ଦୂର୍ ମାଗିବାକୁ ପାହାଡ ଉପରକୁ ଯାଇଥିଲା…!!


ମୋତେ ବ୍ୟାଗ୍ ଖୋଲି ଜିନିଷ ସବୁ ଦେଖିବା ଦେଖି ମିହୁଲ କହୁଥିଲେ…"ପଲକ୍…ଏସବୁ ଜିନିଷ ତମ ଦେହରେ ଥିଲା।ଯେତେବେଳେ ତମେ ଆମକୁ ସମୁଦ୍ର କୂଳରେ ମିଳିଥିଲ।ଡାକ୍ତର ତମ ଉପରେ ଷ୍ଟ୍ରେସ ପକେଇବାକୁ ମନା କରିଥିଲେ ବୋଲି କହି ନଥିଲି ତମକୁ।ତମେ ମୋତେ ମିଳି ଯାଇଥିଲ ସେତିକି ଯଥେଷ୍ଟ ଥିଲା ମୋ ପାଇଁ। ହେଲେ ଗୋଟିଏ କଥା ମୁଁ ବୁଝି ପାରୁନି ପଲକ୍…ସ୍କୁବା ଡ଼ାଇଭର ପୋଷାକରେ ତମେ ହଜି ଯାଇଥିବା ବେଳେ ଏଇସବୁ ପୋଷାକରେ କେମିତି ମିଳିଲ…ପଲକ୍…ପଲକ୍…?"


(ସବୁ କାହାଣୀରେ ପୂର୍ଣ୍ଣଛେଦ ସମ୍ଭବ ହୋଇପାରେ ନାହିଁ...)


Rate this content
Log in

Similar oriya story from Romance