ପିତୃ ଦେବତା ଅର୍ଯ୍ୟମା
ପିତୃ ଦେବତା ଅର୍ଯ୍ୟମା
ଆମ ହିନ୍ଦୁ ବିଶ୍ଵାସରେ ଭାଦ୍ରବ ପୁର୍ଣିମା ଠାରୁ ଆଶ୍ୱିନ ଅମାବାସ୍ୟା ଏକ ପକ୍ଷକୁ ପିତୃପକ୍ଷ ବୋଲି ମାନ୍ୟ କରାଯାଏ l ଏହି ସମୟରେ ଶୁଦ୍ଧପୂତ ଭାବେ ପିତୃ ଗଣଙ୍କ ଉଦ୍ଧେଶ୍ୟରେ ତର୍ପଣ, ଶ୍ରାଦ୍ଧ, ପିଣ୍ଡଦାନ ପ୍ରଭୃତି କର୍ମମାନ କରାଯାଇ ଥାଏ l ବିଶ୍ୱାସ ରହିଛି ଏହାଦ୍ବାରା ପିତୃ ପୁରୁଷଙ୍କ ଆଶୀର୍ବାଦ ପ୍ରାପ୍ତି ହୋଇ ମଣିଷ ଜୀବନ ସୁଖମୟ ହୋଇଥାଏ l ଏଣୁ କଥା ରହିଛି, ପିତା ମାତା ସୁକୃତରୁ ପୁତ୍ର ହୁଏ ସୁଖୀ l
ପିତୃପକ୍ଷର ପିତୃ ପୂଜନ ଅବସରରେ ସାଧାରଣତଃ ମାତୃକୁଳର ତିନି ପିଢ଼ି, ପିତୃ କୁଳର ତିନି ପିଢ଼ିଙ୍କ ଉଦ୍ଦେଶ୍ୟରେ ଶ୍ରାଦ୍ଧ ତର୍ପଣାଦି କରା ଯାଏ ଓ ତାହା ସହ ପିତୃ ଗଣଙ୍କ ଦେବତା ଅର୍ଯ୍ୟମା ଦେବତାଙ୍କୁ ପୁଜନ କରା ଯାଇଥାଏ l ଭଗବାନ୍ ଶ୍ରୀମଦ୍ଭଗବତ ଗୀତା ବିଭୂତି ଯୋଗରେ ଅର୍ଜୁନଙ୍କୁ କହିଛନ୍ତି:-
ପିତୄଣାମର୍ଯ୍ୟମା ଚାସ୍ମି
ଯମଃ ସଂଯମତାମହମ୍ l
ଅର୍ଥାତ୍, "ଅର୍ଯ୍ୟମା ମୁହିଁ ପିତୃ ଖ୍ୟାତ l ପିତର ପିତୃ ଲୋକେ ଗତ ll ନ୍ୟାୟ ଦଣ୍ଡୀଙ୍କ ମଧ୍ୟେ ଜାଣ l ଯମ ମୁଁ ଧରମ ରାଜନ "l
ହିନ୍ଦୁ ଧର୍ମରେ ଅର୍ଯ୍ୟମା ଦେବଙ୍କର ବହୁ ବିଶେଷତା ରହିଛି l ଅର୍ଯ୍ୟମା ଦେବ ୠଷି କଶ୍ୟପ ଓ ଅଦିତିଙ୍କ ଦ୍ଵାଦଶ ପୁତ୍ରଙ୍କ ମଧ୍ୟରୁ ଜଣେ l ଆକାଶରେ ଆକାଶ ଗଙ୍ଗା ବା ଛାୟାପଥ ତାଙ୍କରି ପଥକୁ ସୂଚାଇ ଥାଏ l ପ୍ରାତଃ ଓ ରାତ୍ର ଚକ୍ରରେ ଅର୍ଯ୍ୟମାଦେବଙ୍କ ଅଧିକାର ରହିଛି ବୋଲି ବିଶ୍ୱାସ କରାଯାଏ l ଅର୍ଯ୍ୟମା ଦେବ ଚନ୍ଦ୍ର ମଣ୍ଡଳରେ ସ୍ଥିତ ପିତୃ ଲୋକର ଅଧିପତି l ଶାସ୍ତ୍ରରେ ଅର୍ଯ୍ୟମା ଦେବଙ୍କ ବହୁ ବର୍ଣ୍ଣନା ମିଳି ଥାଏ l ଶ୍ରାଦ୍ଧ କର୍ମରେ ଅର୍ଯ୍ୟମାଙ୍କ ବନ୍ଦନା କରାଯାଇ ମନ୍ତ୍ର ଉଚ୍ଚାରଣ କରାଯାଇ ଥାଏ :-
" ଓଁ ଅର୍ଯ୍ୟମା ନ ତୃପ୍ତ୍ୟାମିଦଂ ତିଲୋଦକଂ ତସ୍ମୈ ସ୍ଵଧା ନମଃ l"
0, 0, 0);">ଅର୍ଥାତ୍ ପିତୃଶ୍ରେଷ୍ଠ ଶ୍ରୀଅର୍ଯ୍ୟମା ଦେବଙ୍କ ତୃପ୍ତ୍ୟାର୍ଥେ ମୁଁ ଏହି ତିଲୋଦକ ଅର୍ପଣ କରୁଛି l
ଅର୍ଯ୍ୟମା ଦେବଙ୍କୁ ପ୍ରାର୍ଥନା କରି ବୃହଦ ଆରଣ୍ୟକ ଉପନିଷଦରେ ମନ୍ତ୍ର ରହିଛି
ଓଁ ଅସତୋ ମା ସଦ୍ଗମୟ l
ତମସୋ ମା ଜ୍ୟୋତିର୍ଗମୟ l
ମୃତ୍ୟୋର୍ମା ଅମୃତଂ ଗମୟ l
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ll
ଅର୍ଥାତ୍, ହେ ପରମପିତା, ଏହି ଅସତ୍ୟ ସଂସାରରୁ ମୋତେ ନିତ୍ୟ ପଥର ଯାତ୍ରୀ କରାଅ l ଅଜ୍ଞାନ ଅନ୍ଧକାରରୁ ମୋତେ ଜ୍ଞାନ ରୂପକ, ଆଲୋକର ପଥ ଦେଖାଅ l ଏହି ମର ସଂସାର ପଥରୁ ମୋତେ ଅମୃତର ମାର୍ଗ ଦେଖାଅ l
ଶାସ୍ତ୍ର ଅନୁସାରେ ପନ୍ଦର ଦିନ ଯାଏ ମୃତ୍ୟୁ ଲୋକରୁ ଯମଦେବତା ସମସ୍ତ ମୃତ ପିତୃ ଲୋକଙ୍କୁ ମୁକ୍ତ କରି ଦିଅନ୍ତି ଓ ସେହି ମୁକ୍ତ ପିତୃପୁରୁଷ ମାନେ ପୃଥିବୀକୁ ନିଜ ପରିଜନଙ୍କ ଶ୍ରାଦ୍ଧ ଗ୍ରହଣ ପାଇଁ ଆସି ଯାଆନ୍ତି l ସେମାନେ ଶ୍ରାଦ୍ଧ ଗ୍ରହଣକରି ପରିଜନ ବର୍ଗଙ୍କୁ ଆଶୀର୍ବାଦ ପ୍ରଦାନ ପୂର୍ବକ ଗୋଟିଏ ପକ୍ଷ ଅନ୍ତେ ପୁଣି ସ୍ଵସ୍ଥାନକୁ ଫେରି ଯାଆନ୍ତି l ଏଣୁ ଏହି ପକ୍ଷଟି ଅତ୍ୟନ୍ତ ପୁଣ୍ୟଦାୟୀ ଓ ପିତୃ ପୂଜନର ପ୍ରକୃଷ୍ଠ ସମୟ l
ଅର୍ଯ୍ୟମା ପ୍ରକୃତରେ ସୂର୍ଯ୍ୟଙ୍କ ଅନ୍ୟ ନାମ l ଦ୍ଵାଦଶ ଆଦିତ୍ୟଙ୍କ ଭିତରେ ଅର୍ଯ୍ୟମା ଦେବଙ୍କ ନାମ ରହିଛି l ସୂର୍ଯ୍ୟଙ୍କ ସୃଷ୍ଟି ପରେ ପ୍ରଜାପତି ତାଙ୍କୁ ବାର ମାସର ପାଳନକର୍ତ୍ତା ଭାବେ ବାର ଭାଗରେ ବିଭକ୍ତ କଲେ l ତହିଁରୁ ବୈଶାଖ ମାସର ଅଧିପତି ବା ପାଳନ କର୍ତ୍ତା ହେଲେ ଅର୍ଯ୍ୟମା l ଏହି ଦ୍ବାଦଶ ଆଦିତ୍ୟଙ୍କ ନାମମାନେ ଯଥାକ୍ରମେ ହେଲେ ଧାତା, ଅର୍ଯ୍ୟମା, ମିତ୍ର, ବରୁଣ, ଇନ୍ଦ୍ର, ବିବସ୍ୱାନ,ତ୍ୱଷ୍ଟ୍ୱା,ବିଷ୍ଣୁ,ଅଂଶୁମାନ, ଭଗ, ପୁଷ ଓ ପର୍ଜ୍ୟନ l
!!! ଓଁ ପିତର ଦେବାୟେ ନମଃ !!