ଫୁଟେ ସିନା ଫୁଲ କଢି
ଫୁଟେ ସିନା ଫୁଲ କଢି


ପିଲାଟିଏ ବସି ବରକୋଳି ବିକୁଥିଲା ଚଟାଣ ଉପରେ ତା ପସରା ମେଲେଇ ମନ୍ଦିର ବାହାରେ ଥିବା ଉଚ୍ଚ ଚଟାଣ ଉପରେ. କେତେ ଲୋକଙ୍କ କାର, ବସ, ବାଇକ ଲାଗୁଥିଲା ମନ୍ଦିରର ଦେବୀଙ୍କ ଦର୍ଶନ ପାଇଁ.ହଳେ ବୁଢ଼ା ବୁଢ଼ୀଙ୍କ ପାଖରେ ଦୁଇବର୍ଷର ନାତିକୁ ଛାଡି ବାପା ମାଆ ଗାଡି ପାର୍କିଙ୍ଗ କରି ଶିଡ଼ି ଚଢି ମନ୍ଦିର ଉପରକୁ ଗଲାବେଳେ ପଚାରିଲେ ପୁଅକୁ ରଖିପାରିବେ ତ ମାଆ!ମାଆ ଚାହିଁଲେ ସ୍ୱାମୀଙ୍କୁ ଓ କହିଲେ ହଁ ହଁ ଆମର ତ ଆଣ୍ଠୁଗଣ୍ଠି ଧରୁଛି ଆମେ ପୁଅକୁ ରଖି ଏଇଠି ବସିଅଛୁ.ତୁମେ ଦୁହେଁ ଚଞ୍ଚଳ ଦର୍ଶନ ସାରି ଆସ.ସେମାନେ ଚାଲିଗଲା ପରେ ଟିକି ପୁଅର ଜେଜେ ଓ ଜେଜେମା ପିଲାଟିପ୍ରତି ଯତ୍ନଶୀଳ ହୋଇ ତାକୁ କୋଳକୁ ଆଣିବାକୁ ଯେତେ ଚେଷ୍ଟା କଲେ ବି ପାରୁନଥିଲେ କାରଣ ପିଲାଟି ସେଇ ବରକୋଳି ବିକୁଥିବା ଓ ପ୍ରାୟେ ମାଟ୍ରିକ ପଢ଼ୁଥିବା ଭଳି ପିଲାଟିର ପସରାକୁ ଚାହିଁଥାଏ ଏକଲୟରେ. ସେଇ ଭାଇ ପତ୍ରଠୋଲାରେ ବଢ଼େଇ ଦେଉଥାଏ ଦଶ କି କୋଡିଏ ଟଙ୍କାର ଲୁଣ ରାଗ ଓ ସାମାନ୍ୟ ମିଠାସହ ତେଲ ଜୁଆବରକୋଳି କ୍ରେତାମାନଙ୍କୁ. କ୍ରେତା ଝିଅ ବୋହୁଙ୍କ ଲମ୍ବା ହାତ ସହ କୋଲିବାଲା ଭାଇ ବିକ୍ରେତା ହାତକୁ ଚାହିଁ ଟିକିପୁଅ ବାବା ଆଖି ଫେରାଉନଥାଏ କି ଜେଜେ ଜେଜେମା ଆଡକୁ ଆସୁନଥାଏ ତ ବାଧ୍ୟ ହୋଇ ଜେଜେ ମଧ୍ୟ କୋଳି କିଣିଲେ ବାବା ପାଇଁ. ଡରି ଡରି ଭାବିଲେ ଛୁଆଟାକୁ ଥଣ୍ଡା କଫ ଛାଡ଼ୁନି କେମିତି ଦେବେ ଏ କୋଳି! ଛୁଆବାବୁ ବାବା ମଧ୍ୟ ଆସୁନଥିଲା ଜେଜେଙ୍କ ହାତରୁ କୋଳି ନେବାକୁ ବରଂ ଦେଖାଗଲା ସେଇ ବିକୁଥିବା ଭାଇଟି ଛୋଟ ଟିକିପୁଅ ବାବାକୁ ବଢ଼େଇ ଦେଉଛି କୋଳିଟିଏ ମନ ଜାଣି ଓ ବୁଝି ଓ ବାବା ଖୁସିରେ ଖାଉଛି କୋଳିଟିକୁ. କାଳେ ମଞ୍ଜି ଗିଳିଦେବ ତ କଥା ସରିଯିବ ଭାବି ଜେଜେମା ବ୍ୟସ୍ତ ହୋଇପଡ଼ିଲାବେଳକୁ ବାବା ମଞ୍ଜି ଫିଙ୍ଗୁଥିଲା ବାହାରକୁ ଆଉ ଗୋଟେ ଗୋଟେ କରି କୋଳି ବଢ଼ାଇଦେଉଥିବା ସେଇ ବରକୋଳିଵାଲା ଭାଇଠୁ ଖାଇନେଉଥିଲା ଟିକିପୁଅ ଛୁଆବାବା. ଏଇ ସମୟରେ ତା ପିତା ମାତା ପହଁଞ୍ଚି ବ୍ୟସ୍ତ ହୋଇପଡିଲେ ଯେ ବରକୋଳି ଖାଇ ଥଣ୍ଡା କଫ ବଢ଼ିଯିବ. ଜେଜେ ଓ ଜେଜେମାଆ ମଧ୍ୟ ସନ୍ତର୍ପଣରେ କିଛି କହିପାରୁନଥାନ୍ତି. କିନ୍ତୁ କୋଳିଵାଲା ପୁଅଠାରୁ ବେଶ କିଛି କୋଳି କିଣି ନେଇ ତା ଋଣ ପରିଶୋଧ କରିଦେଇଛନ୍ତି ବୋଲି ଭାବୁଥିବା ବାପା ମାଆ ଦେଖିଥିଲେ ଫେରିଆସିବା ପର୍ଯ୍ୟନ୍ତ ବାବା ଟା ଟା କରୁଥାଏ ସେଇ ଭାଇକୁ ଆଉ କାରରେ ବସିବା ପରେ ବି ମୁହଁ ଲୁଚିବା ଯାଏଁ ଝରକା ଦେଇ ଖନେଇ ଖନେଇ କହୁଥାଏ ଭା.. ଇ.କଫ କାଶ ପରିବର୍ତ୍ତେ ସେଦିନ ଖୁବ ସତେଜ ଥିଲା ବାବା.
ଆଜି ମଧ୍ୟ ଏତେ ବର୍ଷ ପରେ ଠିକ ସେଇ ଜାଗାରେ ବାବା ତା ଟିକିପୁଅକୁ ବାପା ମାଆଙ୍କ ହେପାଜତରେ ରଖି ଖୋଜୁଥିଲା ସେଇ ବରକୋଳିଵାଲା ଭାଇକୁ ଓ ତାର ଠିକଣା ନପାଇ ଖାଉଥିଲେ ପରିବାର ସେମିତି ଏକ ବାଳକ ଠାରୁ ମସଲା କାକୁଡି ଓ ଗପୁଥିଲେ ପିଲା ଦିନର ସେଇ କଥାଟି. କାକୁଡି ବିକାଳି ପୁଅଟି ଶୁଣୁଥିଲା ସେଇ ସ୍ପର୍ଶକାତର କଥାଟି ଆଉ ଏତେଦିନ ପରେ ମଧ୍ୟ ସେଇ ଦିନର କଥା
ଆପଣଙ୍କର ମନେ ଅଛି ଆଜ୍ଞା କହି ଆଶ୍ଚର୍ଯ୍ୟ ପ୍ରକଟ କଲାବେଳେ ବାବା କହୁଥିଲା ମଣିଷ ଯେତେ ବୟସ୍କ ହେଲେ ମଧ୍ୟ ତା ଭିତରେ ଶିଶୁ ଦିନର କିଛି ଘଟଣା ଓ ଚରିତ୍ର ମନେଥାଏ ଯେମିତି ଜେଜେ, ଜେଜେମା ଓ ସେଇ କୋଳିବିକୁଥିବା ଭାଇଙ୍କ କଥା ମୋର ମନେଅଛି . ସେଇଥିପାଇଁ ତ ଶ୍ରୀ ଶ୍ରୀ ସତ୍ୟସାଇ ମଧ୍ୟ ଶିଶୁମାନଙ୍କ ପାଖରେ କିଛି ସମୟ ବିତାଇ ନିଜ ଭିତରେ ଥିବା ଶିଶୁତ୍ବକୁ ଉପଲବ୍ଧି କରନ୍ତି. ଜବାହରଲାଲ ନେହେରୁ ମଧ୍ୟ ଶିଶୁମାନଙ୍କୁ ଖୁବ ଭଲପାଉଥିଲେ. ଶିଶୁମନଟିଏ ସବୁବେଳେ ସମସ୍ତଙ୍କ ବୟସର ପରିପକ୍ଵତା ଭିତରେ ମଧ୍ୟ ରହିଥାଏ ନିଜ ନିଜ ଭିତରେ. ସେଇଥିପାଇଁ ଶିକ୍ଷକ ହୋଇ ଶିଶୁମାନଙ୍କ ମନ କିଣି ତାଙ୍କୁ ପାଠ ପଢେଇବା ଭଳି କର୍ମ ମିଳିଥିବାରୁ ନିଜକୁ ଭାଗ୍ୟବାନ ମନେକରିବା ସହ ଭୁଲିନଥିବା ସେଇ ବରକୋଳି ଭାଇଙ୍କୁ ଟିକେ ଦେଖିବାକୁ ଖୁବ ଇଛା ହୁଏ ବୋଲି ଥରକୁ ଥର ଆସେ ମୁଁ ହରଚଣ୍ଡୀ ପୀଠକୁ କାଳେ ମୋ ଶିଶୁତ୍ୱର ସଉଦାକୁ ଫେରିପାଇ ଶୁଝିପାରିବି କିଛି ମାତ୍ରାରେ ସେଇ ଅଶୁଝା ଋଣକୁ!ଠିକଣା କିନ୍ତୁ ପାଉନି ନା ତାଙ୍କ ଖବର ଦେଇପାରୁଥିବା କେହି ଚିହ୍ନା ଜଣା ମଧ୍ୟ ମିଳୁନାହାଁନ୍ତି.
କାକୁଡି ପ୍ରାୟେ ସରିଆସିଥାଏ ଅର୍ଥାତ ବିକ୍ରି ହୋଇସାରିଥାଏ ତ ବାଳକଟି କହିଥିଲା ଆସନ୍ତୁ ତେବେ ମୋ ବାପାଙ୍କ ପାଖକୁ. ସେ ପିଲାଦିନେ ଏଇ ମାଆ ହରଚଣ୍ଡୀ ପୀଠରେ ବାରକୋଳି ବିକି ମଣିଷ ହେବା ସହ ଆମକୁ ମଣିଷ କରିବାକୁ ଯାଇ ଅହରହ ସଂଗ୍ରାମ ଚଳାଇ ଥକି ପଡିଛନ୍ତି. ମୁଁ ମାଟ୍ରିକ ପାଶ କରିବା ପରେ ଉଚ୍ଚ ଶିକ୍ଷାରୁ ବଞ୍ଚିତ ହୋଇ ଏଠି କାକୁଡି ବିକିବାକୁ ବାଧ୍ୟ ବାବୁ କାରଣ ମୋ ପିତା ମାତା ରୁଗ୍ଣ ଓ ଋଣରେ ପୀଡିତ.ସେ ହୁଏତ କହିପାରିବେ କିଛି ସ୍ମୃତିରୁ ଖିଏ.ପିଲାଟି ସହ ଯାଇ ତା ବାପା ମାଆଙ୍କୁ ଭେଟି ସବୁକଥା କହିଥିଲେ ସେଦିନର କୁନି ବାଳକ ବାବା ଆଜିର ଅଦ୍ୱେତ ମହାନ୍ତି ସାର. ତାଙ୍କ କଥା ଶୁଣି ଉଠିବସିଲେ ଗୋବିନ୍ଦ କହିଲେ କି ସ୍ବର୍ଗୀୟ ସମ୍ପର୍କ ସତରେ. ଏ ମନ ଖୋଜୁଥାଏ ଯାହା କାଳେ ପ୍ରାପତ ହୁଏ ତାହା କଥାଟି ଏକଦମ ସତ୍ୟ ବାବୁ. ମୁଁ ହିଁ ସେଇ କୋଳିବାଲା ଯିଏ ଏଯାଏଁ ଭାବେ ସେଦିନର ସେଇ ଟିକି ପୁଅଟି କେଡେ ବଡ଼ ହେବଣି,ତାକୁ ଟିକେ ଦେଖନ୍ତି!ଅଦ୍ୱେତର ଚେଷ୍ଟାରେ ଗୋବିନ୍ଦ ଓ ତା ସ୍ତ୍ରୀ ଏବେ ରୋଗମୁକ୍ତ ଓ କାକୁଡି ବିକିବା ଛାଡି ପୁଅ ହରିହର ଏବେ ଉଚ୍ଚ ଶିକ୍ଷା ପାଇ ସହରରେ ରହୁଥିଲା ବେଳେ ଗୋବିନ୍ଦ କହନ୍ତି କରିଥିବା ଭଲ କାମସବୁ ଭିତରୁ ଶିଶୁଙ୍କୁ ଭଲ ପାଇବାର ଫଳ ସୁଧ ମୂଳ ସହ ଅସୁଲ ହେବା କଥା କିଏ ମୋ ଛଡା ପରତେ ଯିବ!ହରିହର କହୁଥିଲା ସମସ୍ତେ ବିଶ୍ୱାସ କରିବେ ବାପା କାରଣ ଶିଶୁ ହିଁ ଭଗବାନଙ୍କ ସ୍ୱରୂପ. ତା ଛଡା ବୟସ ଯେତେ ବଢିଲେବି ତା ଭିତରେ ଥିବା ଶିଶୁଟି ଖୋଜୁଥାଏ ସେଇ ଶିଶୁତ୍ୱକୁ. ହସୁଥିଲେ ଯେତିକି ଅଦ୍ୱେତ ଓ ତା ବାପା ମାଆ କାନ୍ଦୁଥିଲେ ସେତିକି କାରଣ ଏ ସବୁ କଥାକୁ ଅଦ୍ୱେତକୁ ସବୁବେଳେ କହି ଆସୁଥିବା ସେହି ପିତା ମାତାଙ୍କୁ ମନେପକାଇ ଯିଏ ଆଜି ପିତୃପୁରୁଷ ରୂପେ ଗଣା ।