Siddhartha Tripathy

Romance Tragedy Inspirational

4  

Siddhartha Tripathy

Romance Tragedy Inspirational

*ଫୁଟା ଡଙ୍ଗାର କାହାଣୀ*

*ଫୁଟା ଡଙ୍ଗାର କାହାଣୀ*

5 mins
346



ଓଃ ! ଅସହ୍ୟ ଏ ଯନ୍ତ୍ରଣା ! ଫୁଟା ଡଙ୍ଗାରେ ପାଣି ପଶି ଅତନୁ ଘାଇଲା।ଆଜି ବି ଠିକ୍ ସମୟରେ ସୂର୍ଯ୍ୟୋଦୟ ହେଉଛି, ତାର କୁଡ଼େଇ ସରକାରୀ ବାସଭବନ ପାଖରେ ମୟୂର ରାବୁଚି। କୋଇଲିର କୁହୁତାନ ମନ ମୋହୁଛି। ସାମ୍ନାରେ ଥିବା ଅସନା ପାଣି, ପଙ୍କରେ ଘୁଷୁରୀ ଲୋଟୁଛି। ସବୁକିଛି ସ୍ଵାଭାବିକ ଅଛି। ହେଲେ ତା ଜୀବନତରୀ ଏମିତି ଅସ୍ବାଭାବିକ କାହିଁକି ? ଦୁଇବର୍ଷ ତଳେ ପ୍ରେମର ଡଙ୍ଗାରେ ଆହୁଲା ମାରି ଆଗକୁ ବଢୁଥିବା ଅତନୁ ନିଜ ହାତରେ ପ୍ରେମର କବର ଦେଇ ଡଙ୍ଗାରେ ଛିଦ୍ର କଲା କାହିଁକି ?


ବୁଝିପାରିଲେନାହିଁ କି ସୁଧିଜନେ !

ଶୁଣନ୍ତୁ ତାହେଲେ ;


ଅତନୁ । ରାଜ୍ୟସରକାରଙ୍କ ଅଧୀନରେ କାର୍ଯ୍ୟରତ ଉଚ୍ଚପଦସ୍ଥ ସରକାରୀ କର୍ମଚାରୀ। ସ୍ୱଳ୍ପବୟସରୁ ପାରିବାରିକ କନ୍ଦଳରୁ ସ୍ତ୍ରୀ ପରିତ୍ୟକ୍ତା। ଆଜି ବି ଠିକ୍ ଭାବରେ ଅନୁଶୀଳନ କରିପାରେ ନାହିଁ ଭୁଲ କାହାର ? ନା ତାର , ନା ତା ସ୍ତ୍ରୀର ! ନା ନା ବୋଧେ ସବୁ ଭୁଲ ସମୟର !

ଅବୁଝାମଣାର ।


କ୍ଵଚିତ କେତେକଙ୍କୁ ବାଦ୍ ଦେଲେ ସବୁ ମନୁଷ୍ୟ ସାଧାରଣ। ପ୍ରକୃତି ନିହିତ ବିପୁଳ ମାୟା ସମସ୍ତଙ୍କୁ ବାରମ୍ଵାର ପ୍ରଭାବିତ କରିପାରେ। ଦୈନନ୍ଦିନ ଜୀବନରେ ମନୁଷ୍ୟ କେତେ ଶକ୍ତି ଦ୍ଵାରା ପ୍ରଭାବିତ ହୋଇଥାଏ।ମନୁଷ୍ୟର ସ୍ଥିରବସ୍ଥା ଥାଏ କିନ୍ତୁ ତାହା ସର୍ବଦା ହଲଚଲ ହେଉଥାଏ। ବିଦ୍ୟା, ବୁଦ୍ଧି ଅଥବା ବୃତ୍ତିରେ ମନୁଷ୍ୟ ସମକକ୍ଷ ସାମ୍ନାରେ ସ୍ଵତଃସ୍ଫୁର୍ତ୍ତ ଭାବରେ ନିଜକୁ ଅଧିକ ଦକ୍ଷ ପ୍ରତିପାଦିତ କରିବାରେ ଆଗ୍ରହୀ ହୁଏ। କାର୍ଯ୍ୟସ୍ଥଳରେ ଆମେ ଯଦି କର୍ତ୍ତା ହୋଇଥାଉ ; ତେବେ ଯାବତୀୟ କର୍ମଚାରୀଙ୍କ ଅପେକ୍ଷା ନିଜକୁ ଅଧିକ ଜ୍ଞାନୀ ଓ ଗୁଣୀ ବୋଲେଇବାର ଆବେଗ ଆସିଥାଏ ଆପଣା ଛାଏଁ। ଅତନୁ ବା ବାଦ୍ ପଡ଼ନ୍ତା କିପରି ? ସେହି କ୍ରମରେ କୌଣସି ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ କୁଡେଇରୁ କଟକ ଆସିଛି ଅତନୁ। ମନରେ ଗର୍ବ, ସେ ବାଲେଶ୍ଵରର ଦକ୍ଷ ସରକାରୀ କର୍ମଚାରୀ। ତେଣୁ ତ ସେ କଟକ ଆସିଛି ସୁଦୂର କୁଡେଇରୁ ଜିଲ୍ଲାପାଳଙ୍କ ମନୋନୀତ ପ୍ରାର୍ଥୀରୂପେ।


କୌଣସି ଏକ ପରିସ୍ଥିତିରେ ବାଦାମବାଡ଼ିରେ ଦେଖାହେଲା ସୁନ୍ଦରୀଯୁବତୀ ଅନନ୍ୟା । ଅନନ୍ୟା କୌଣସି ଏକ ମଫସଲ ଗାଆଁ କନାଗୁଡ଼ି ଯିବାପାଇଁ ବସକୁ ଅପେକ୍ଷା କରିଥିଲା। ସଂଧ୍ୟା ଆସନ୍ନପ୍ରାୟ , ଏପଟେ ବସ୍ ନାହିଁ। ଏମିତି ଏକ ମୁହୂର୍ତ୍ତରେ ଅନନ୍ୟା ଓ ଅତନୁର ସାକ୍ଷାତ। ସରକାରୀଗାଡିରେ ଅତନୁ ଛାଡିଦେଲା ଅନନ୍ୟାକୁ । ଦୁଇ ଘଣ୍ଟାର ଯାତ୍ରାରେ ଅତନୁ ମାପି ସାରିଥିଲା ଅନନ୍ୟାକୁ , କିନ୍ତୁ ଚିନ୍ତାର ବିଷୟ ଥିଲା ଅନନ୍ୟା ନିର୍ବିକାର।


ଅତନୁ ମନରେ ପ୍ରେମର ବୀଜବପନ ହୋଇସାରିଥିଲା କିନ୍ତୁ ଅନଭିଜ୍ଞ ଯୁବତୀ ଅନନ୍ୟା ଏସବୁଠାରୁ ବହୁତ ଦୂରରେ ଥିଲା। ଝିଅଟିର ପରିବାର ଥିଲା ତା ପ୍ରେମର କେନ୍ଦ୍ର। ତା ପରିବାର ଓ ପାଠ୍ୟ ପୁସ୍ତକ ତା ଦୁନିଆଁ।


ଧିରେ ଧିରେ ଫୋନରେ ବାର୍ତ୍ତାଳାପ ବଢ଼ିଲା। ସଂସ୍କରୀ ଝିଅଟିକୁ ଅତନୁ କହୁଥିଲା ମୁଁ ତମକୁ ପ୍ରେମ କରୁଛି।

କିଛି ନବୁଝି ଅନନ୍ୟା ଆପତ୍ତି ନକରି କହୁଥିଲା ମୋ ପରିବାର ମୋ ପାଇଁ ସବୁକିଛି । ଅତନୁ କହୁଥିଲା,

' ନିବିଡତାର ଚୁମ୍ବନରେ,

ତମ ଅଲିଭା ଦହନରେ

ବସା ବାନ୍ଧି ରଇଚି ପ୍ରତିକ୍ଷଣ

ତମ ଅପେକ୍ଷାରେ ........'


କିଛି ନବୁଝି ହଁ କହି ଚୁପ୍ ହେଇ ଯାଉଥିଲା ଅନନ୍ୟା। କ୍ରମେ ଆକାଶରେ ଚାନ୍ଦର ଆବିର୍ଭାବ ହେଲା ପରି ଅନନ୍ୟା ମନରେ ପ୍ରେମ ଜାଗ୍ରତ ହେଲା। ପ୍ରେମସ୍ନାତ ହେଉଥିଲା ମାଟି ଓ ଆକାଶ।


ଧିରେ ଧିରେ ପ୍ରେମର ଫଲଗୁ ବୋହିବାର ଲାଗିଲା ଅନନ୍ୟା ଶରୀରରେ। ଦୁହିଁଙ୍କ ବାରମ୍ଵାର ସାକ୍ଷାତ ବି ହେଲା। ଦୁନିଆର ସର୍ବଶ୍ରେଷ୍ଠ ବ୍ୟକ୍ତିତ୍ଵ ମନୁଥିଲା ଅନନ୍ୟା ଅତନୁକୁ ।


ପ୍ରେମ ପିୟୁଷ ନା ବିଷ। ପ୍ରେମ ସଂସାରୀ ନାରୀର ତୁଳସୀ ଚଉରା ନା ବାରାଙ୍ଗନାର ଘରର ମାଟି।ପ୍ରେମ ଲକ୍ଷ୍ମୀ ରୂପି ମ୍ରୁଣ୍ମୟୀ ପ୍ରତିମା ନା ଲକ୍ଷ୍ମୀ ଙ୍କର ଆବିର୍ଭାବ। ପ୍ରେମ ଶାଶ୍ୱତ ସୁନ୍ଦର ଅଜର ଅମର ନା ଛଳନା,ପ୍ରତାରଣା, ଶାରିରୀକ ମିଳନ ର ଏକ କଳଙ୍କିତ ଅଧ୍ୟାୟ ?

ଏହିଯୁଗରେ ଲୁଗା ବଦଳିଲା ପରି ପ୍ରେମିକ/ ପ୍ରେମିକା ବଦଳନ୍ତି। 

ଅନନ୍ୟା କହି ଉଠେ , ହେ ପ୍ରେମିକପ୍ରବର ! ମୁଁ ଯୁବତୀ ଓ ତୁମେ ଅର୍ଦ୍ଧବୟସ୍କ। ତଥାପି ତମ ପ୍ରେମର ତୀର ମୋ ଶରୀରରେ ବିଦ୍ଧ। ତେଣୁ ଆଉ ଏହି ଜନ୍ମରେ ସେସବୁ ବଦଳିବାର ପ୍ରଶ୍ନ ନାହିଁ।


ଅତନୁ କହିଲେ, ଜାଣିଛ ଅନନ୍ୟା !

ଆମ ସମୟରେ ପାର୍କର ଘାସଗାଲିଚାରେ କବି ତାର କଳ୍ପନାର କାନଭାସରେ କବିତା/ଗଳ୍ପ ରଚନା କରୁଥିଲେ। ଆଜିକାଲି ସେଇଠି ଶାରିରୀକ ମିଳନ। କିନ୍ତୁ ଆମେ କେବେ ବି ସେମିତି କରିବାକୁ ଉଦ୍ୟତ ହେବାନାହିଁ।


ସେଦିନ ......

କୌଣସି ଏକ ଦୁର୍ବଳ ମୁହୂର୍ତ୍ତରେ ମିଳନ ହେଲା ଅନନ୍ୟା ଓ ଅତନୁର ତାହା ବି ଅତନୁର ସରକାରୀ ବାସଭବନରେ। ଅନ୍ତରଙ୍ଗ ମୁହୂର୍ତ୍ତରେ ଅନନ୍ୟା ପଚାରି ବସିଲା , ଅତନୁ ! ତମେ ପରା କହୁଥିଲ ଆମେ କେବଳ ଅନାସକ୍ତ, କାମରହିତ ପ୍ରେମ କରିବା। କିନ୍ତୁ ଏଇ ଦେଖ ଆମ ମିଳନ ହେବାକୁ ଯାଉଛି। ଏହା ପ୍ରତିପାଦିତ କରୁଛି କାମ ବିନା ପ୍ରେମ ଅଧୁରା। ପ୍ରକୃତିସ୍ଥ ହୋଇ ଅନନ୍ୟା ଉପରୁ ଉଠିଗଲା ଅତନୁ। 


ଅନନ୍ୟା କାମଜ୍ୱାଳାରେ ଜର୍ଜରିତ ହୋଇ ଅତନୁକୁ ଟାଣି ଧରୁଥିଲା। କିନ୍ତୁ ମନା କରୁଥିଲା ଅତନୁ। ବୁଝେଇ ଦେଲା ଅନନ୍ୟାକୁ । ଅନନ୍ୟା କହୁଥିଲା, ଜାଣିଛ ଅତନୁ ! ତମ ସ୍ଥାନରେ ଆଉ କୌଣସି ଯୁବକ ହୋଇଥିଲେ, ନିଶ୍ଚୟ କାମବାସନା ଚରିତାର୍ଥ କରିଥାଆନ୍ତା। ସେଇଥିପାଇଁ ତମ ସ୍ଥାନ ସ୍ଵତନ୍ତ୍ର।


ସମୟ ଅତିବାହିତ ହେଉଥିଲା ଓ ପ୍ରେମ କାୟା ବିସ୍ତାର କରୁଥିଲା।

ଜିନ୍ତୁ .....

ଦୁହିଁଙ୍କ ଆଲୋଚନାର ବିଷୟ ଥିଲା, ଜୀବନସାରା କେମିତି ଗୋଟିଏ ନୀଡ଼ରେ ବନ୍ଧା ହୋଇ ରହିବେ ?

ରାସ୍ତା ପଚାରୁଥିଲା ଅନଭିଜ୍ଞ ଅନନ୍ୟା।


କିଛି ଭାବିପାରୁନଥିଲା ଅତନୁ। ଏହି ପ୍ରେମର ଭବିଷ୍ୟତକୁ ନେଇ। ଅନନ୍ୟା ପରି ଝିଅକୁ ସେ ଦେବୀ ମଣି ତା ମନ ମନ୍ଦିରରେ ସ୍ଥାନ ଦେଇ ସାରିଥିଲା। ଆଉ ଅନନ୍ୟା ବି କହୁଥିଲା, ଅତନୁ ! ଏହି ଜନ୍ମରେ ତମ ସ୍ଥାନ କେହି ନେଇପାରିବେ ନାହିଁ।


ଅତନୁ ପ୍ରତ୍ୟହ ଭାବୁଥିଲା , ସଂସ୍କାରୀ ଝିଅଟି ବାପାମାଆଙ୍କୁ ଦେବତା ମାନେ ଓ ତାକୁ ବି। ସେ ସିନା ଅନଭିଜ୍ଞ କିନ୍ତୁ କେଉଁ ରକ୍ଷଣଶିଳ ପରିବାରର ବାପାମାଆ ଚାହିଁବେ, ଚବିଶ ବର୍ଷର ଝିଅକୁ ଛୟାଳିଶ ବର୍ଷର ପୁଅ ହେଉ ପଛେ କେତେବଡ ପଦାଧିକାରୀ।


ପ୍ରେମରପକ୍ଷୀ ଦୁଇଟି ସ୍ୱପ୍ନର ଡଙ୍ଗାରେ ବିହରଣ କରୁଥିଲେ। କିନ୍ତୁ ଚିନ୍ତିତ ଥିଲେ ଅତନୁ। ଏତେବଡ଼ ଗୁରୁଦାୟିତ୍ଵ। କୋମଳମତି ସଂସ୍କାରୀ ଝିଅଟିର କୋମଳ ହୃଦୟ ସହ ଖେଳିବା ବି ଅପରାଧ। କ'ଣ କରାଯିବ ? ଅନନ୍ୟା ବିନା ନିଜକୁ ଚିନ୍ତା କରିପାରୁନଥିଲେ ଅତନୁ।


ପ୍ରେମ ! କେତେବେଳେ, କେଉଁଠି, କିପରି ହୋଇଯାଏ କହିବା ମୁସ୍କିଲ। କିନ୍ତୁ ତା ପର ପରିସ୍ଥିତି ! ତାପର ପରିଣତି ! ବହୁତ୍ କ୍ଷେତ୍ରରେ ଅସଫଳ।


ତାହେଲେ .....

ହଠାତ ଦିନେ , ଭଗ୍ନ ହୃଦୟରେ ଅନନ୍ୟା କହିଲା, ଜାଣିଛ ଅତନୁ ! ଆଜି ପାପାଙ୍କୁ କହିଲି ଜଣେ ବିଶିଷ୍ଟ ବ୍ୟକ୍ତିତ୍ୱ ଏଇ ପାଖରେ ଅଛନ୍ତି, ସେ ଆମ ଘରକୁ ଆସିବାକୁ ଚାହୁଁଛନ୍ତି, ଅନୁମତି ଦିଅନ୍ତୁ । ଆବେଗ ଓ ଉତ୍କଣ୍ଠାର ସହ ଅତନୁ ପଚାରିଲେ, ପାପା କ'ଣ କହିଲେ ?


ଥର ଥର କଣ୍ଠରେ ଅନନ୍ୟା କହିଲା, ପାପା କହିଲେ, ସେମାନେ ବଡଲୋକ, ତାଛଡ଼ା ସମାସ୍କନ୍ଦ ଲୋକଙ୍କ ସହ ସମ୍ପର୍କ ରଖାଯାଏ। ତୁ ଏସବୁ ଛାଡି ପଢ଼ାରେ ଧ୍ୟାନ ଦେ।

ବୁଝେଇବାର ଭାଷା ନଥିଲା ଅତନୁର। ସାନ୍ତ୍ଵନା ଦେଲେ ଅନନ୍ୟାକୁ।


ଚିନ୍ତାରେ ବୁଡ଼ି ରହିଲେ ଅତନୁ।

ପ୍ରେମର ତଣ୍ଟି ଚିପି, ନିଜେ ଚଢ଼ିଥିବା ଡଙ୍ଗାରେ ଛିଦ୍ର କରି ଡୁବେଇ ଦେବା ବ୍ୟତିରେକ ଅନ୍ୟ ରାସ୍ତା ନଥିଲା। ସାତବଚନ ଦେଇ ବେଦିରେ ହାତ ଧରିଥିବା ସ୍ତ୍ରୀକୁ ପ୍ରେମର ଡଙ୍ଗାରେ ବାନ୍ଧି ରଖି ପାରିନଥିବା ଅସଫଳ ମଣିଷର ବୋଧେ ପ୍ରେମ କରିବାର ଅଧିକାର ନଥାଏ।


ଅନନ୍ୟା ସାମ୍ନାରେ ନିଜ ଚରିତ୍ର ସଂହାରର ଉଦାହରଣ ଉପସ୍ଥାପନା କଲେ ଅତନୁ। ରୁକ୍ଷ ବ୍ୟବହାର ବି କଲେ।ସଫଳ ବି ହେଲେ। ଧିରେ ଧିରେ ଘୃଣା କରିବାକୁ ଲାଗିଲା ଅନନ୍ୟା। ବ୍ୟତିବ୍ୟସ୍ତ ହେବା ସହ ଭାଙ୍ଗି ପଡ଼ିଲା ଅନନ୍ୟା। ଛାତିରେ ପଥର ରଖି ବାରମ୍ଵାର ନିଜ ଚରିତ୍ର ସଂହାରର ପ୍ରମାଣ ଦେଲେ ଅତନୁ। ସତ ମଣିନେଲା ଶରଳ ଝିଅଟି।


ଦୁରେଇଗଲା ଅନନ୍ୟା। କିଛିବର୍ଷ ପରେ ହୁଏତ ଅନନ୍ୟା ଭୁଲିଯିବା ସହ ସଂସାର କରିନେବ। ହେଲେ ସଂସାରଛଡ଼ା ଅତନୁ ? ତାର ଭବିଷ୍ୟତ ? 

ଅନନ୍ୟାର ଘୃଣାର ବିଷଜ୍ୱାଳାରେ ନିଜ କାନ ମୁଣ୍ଡକୁ ଆଉଁସୁଛି ଅତନୁ। ଅନୁଭବ କରୁଛି ତାର ପ୍ରେମର ଡଙ୍ଗା କ୍ରମଶଃ ଫୁଟି ଯାଉଛି। ଠିକ୍ ଅଛି। ତେବେ ଅପେକ୍ଷା କରାଯାଉ। ଦେଖାଯିବ/ ଉପକ୍ରମଣିକା ଖୋଜାଯିବ। ଅନନ୍ୟାର କ୍ରୋଧ ଶାନ୍ତି ପାଇଁ ହଡବଡେଇବ ନାହିଁ। ଚୁନା ଭାବନା ସବୁକୁ ସୂତାରେ ଗୁନ୍ଥିବ ଓ ଫୁସୁରୁ ଟୁପୁରୁ ହେବ। ଲୁହ ଗଡିବ ତହିଁରେ ଏବଂ ଅନ୍ତରାତ୍ମା ଜୁଡୁବୁଡୁ ହେବ।


କିନ୍ତୁ ବିପର୍ଯ୍ୟୟର ଶେଷ ସୀମାରେ ଡଙ୍ଗାରେ ଛିଦ୍ର କରି ନିଜ ଡଙ୍ଗାକୁ ଡୁବେଇ ଫୁଟା ଡଙ୍ଗାର କାହାଣୀ ଲେଖୁଥିଲେ ଅତନୁ।

ସରକାରୀ ବାସଭବନର କୋଠରୀରେ ଏକାକୀ ଅତନୁର ଶ୍ୱାସ ପ୍ରଖର ହେଇଥିଲା, ବେଡସିଟରେ ହାତ ମୁଠା। ଶକ୍ତ ହେଇଥିଲା, ବୋଧେ ଫୁଟା ଡଙ୍ଗାର କାହାଣୀ ସମାପ୍ତ ହୋଇସାରିଥିଲା ।

ଅତନୁ ଟା ।


Rate this content
Log in

Similar oriya story from Romance