Lopamudra Parida

Action Inspirational

4.5  

Lopamudra Parida

Action Inspirational

ପହିଲି ପୁଲକ

ପହିଲି ପୁଲକ

5 mins
365



କ୍ଲାସ ସାରି ବାହାରିଆସୁଥାନ୍ତି ଦଳଦଳ ପିଲେ, ଶ୍ରେଣୀ କକ୍ଷରୁ ।

_ ଆଛ୍ଛା କହିଲ ଦେଖି ଫୁଲର ପ୍ରେମିକ କିଏ ! ଷଟପଦ ନା ସମୀର ?

ପଚାରୁଥିଏ ଇରା , ଆୟୁଷକୁ ଚାହିଁ । କଲେଜ ପାର୍କରେ ଦିଶୁଥିବା ଶେଷ ଗଛ ପଛପଟର ବୁଦାଏ ସଜେଇଫୁଲେଇ ଗଛର ଅନାମୀ ଫୁଲମାନଙ୍କୁ ଦେଖେଇ ଦୂରରୁ ରଙ୍ଗମଖା ପ୍ରଜାପତିଟିଏ ଝୁମିଗଲା ପରି ।

ସେ ଫୁଲ ତକ ତାଙ୍କ ରଙ୍ଗ ଓ ଚନ୍ଦେରୀ ଚକମକପଣରେ ଦୂରରୁ ବି ଖିଲଖିଲ ଦିଶୁଥାନ୍ତି ସୂର୍ଯ୍ୟ କିରଣର ଛୁଆଁରେ ।ଛୁଆଁରେ ବି କିମିଆ ହୁଏ ।

ଇରା ଆଖିରେ ହସୁଥାଏ ମେଘମୁକ୍ତା ଝଲସା ନୂଆ ନୂଆ ପ୍ରେମର ଦ୍ଯୁତି ଝଲସି ଝଲସି ।ସିଏ ଚାହୁଁଥାଏ କୁହନ୍ତା କି ଆୟୁଷ ଥରେ ," ତୁମେ ମୋର ଖାଲି ମୋର ହେଇପାରନ୍ତନି ଇରା ! ଏ ପୃଥିବୀରୁ ଜହ୍ନ କୁ ଥିବା ପଥରେ ମୋ ହାତ ଧରି ଚାଲନ୍ତନି ଅନନ୍ତ ପଥ ।"

ଲାଜେଇ ଜାକିହେଇଯାଏ ଇରା ନିଜ ଭାବନାର ଗଦାଗଦା କୁରେଇ ଫୁଲ ବୁଣୁବୁଣୁ ନିଜ ଭିତରେ ।କେତେଥର ଭାବିଛି ନିଜ ଆଡୁ କହିଦବ ଏଇ ପୋଷାପୁଲକଟିର ମିଠାଦରଜରେ ଆଉ ପାରୁନି ରୋକି ଦେଇ ସ୍ବପ୍ନ ମାନଙ୍କୁ ଆଖି ପଲକ ତଳକୁ ଓହ୍ଲାଇ ଆସିବାର ଜିଦ୍ କୁ । ତରଙ୍ଗାୟିତ ଗୋଲାପି ଉର୍ମି ମାନଙ୍କର ରହି ରହି ତାକୁ ପେଲିବା ଯେ ," ଯା ତୁ ଆଗେ କହିଦେଲେ ଅସୁବିଧା କଣ ଯେ ! "

କୋଉ ଆଉ ସେ ଯୁଗ ଅଛି ଯେ ଝିଅଟେ ଆଗେ ମୁହଁ ଖୋଲି କହିବନି ତା ହୃଦୟର କଥା !ତା' ହୃଦୟ କଣ ସବୁବେଳେ ଖାଲି ସହିଯିବାକୁ ଗଢା!ଉନ୍ମୁକ୍ତ କରେ ,ଡେଣା ମେଲେ ।ଯା ଉଡି ।ବାରତା ପହଞ୍ଚିବା ଡେରୀ ହେଲେ ମନପକ୍ଷୀ ବସା ବଦଳେଇ ଦେଇପାରେ ରେ ! "

ଉଚ୍ଚାଟ ହୁଏ ମନଅଗଣା ମହୁଲିଆ ମାଦକ ଟୁପୁସୀ କଥାଟେ କାନ ପାଖେ କହିଦେଇ ।

ଷଟପଦ ତ ମଧୁ ଚୁମିନେଇ ଫୁଲରୁ ଫୁଲ କୋଳକୁ ଉଡିପଳାଏ, ହେଲେ ସମୀର ଫୁଲକୁ ନ ଛୁଇଁବି ମହକେଇଦିଏ ସରଗଠୁ ମାଟି ସେଇ ଫୁଲ ବାସ୍ନାରେ ।ଭଲପାଇବା ତ ଏକାକାର ହେବାରେ ଥାଏ ।

ହେଲେ ଇରାକୁ ଲାଗେ ସିନେମା ଫର୍ଦ୍ଦରେ ଦେଖେଇଲା ପରି ତାର ଲଜ୍ଜାରୁଣା ଅବନତ ମୁହଁକୁ ଚିବୁକରୁ ତୋଳି ଧରନ୍ତା ଆୟୁଷ କି ! ଆଉ ସିଏ ଆଖି ଉଠେଇ ଚାହିଁ ହି ପାରନ୍ତାନି ।ତରଳି ଯାଉଥାନ୍ତା ସେଇଠି ସେମିତି ବସି ବସି ଆୟୁଷ୍ କୋଳରେ ଆଉଜେଇ ହେଇ ସାରାଟା ଆୟୁଷ , ପଦୁଟିଏ ବି ନ କହି । ସେ ଅନୁରତିର ମୂହୁର୍ତ୍ତ କେବେ ସରୁ ହି ନଥାନ୍ତା ।ବୁଝିହୁଅନ୍ତା ସବୁ ଅବ୍ଯକ୍ତ କେବଳ ନିଶ୍ବାସରେ ।ଛିନ୍ଚି ହେଉଥାନ୍ତା ବିଶ୍ବାସର ମହକ ବଖରାସାରା ।

କିନ୍ତୁ ଆୟୁଷ ଅଚାନକ ଏକଦମ ହସିଉଠେ ହୋ ହୋ କରି । କହେ ," କୋଉ ଯୁଗରେ ଅଛ ଇରା? ଫୁଲ ? ଷଟପଦ? ସମୀର? ହା ହା ।ତମେ ଯେ କଣ ସବୁ କୁହ ? ତମର ଯେ କି ପିଲାଳିଆମୀ ।ଏ ସବୁ ଉପନ୍ୟାସ ଦୁନିଆରୁ ବାହାର । ସେଇଲାଗି କହେ ଏତେ ଏ କବିତାଫବିତା ମାୟାରେ ବୁଡନି ।ବି ପ୍ରାକ୍ଟିକାଲ ।ପଢିଥିବ ତ ସେଇ ଗପ " ଡେରି ହେଇସାରିଛି " କହି ଦିନେ ଦଳି ଦେଇଦେଇଥିଲା ପାଦତଳେ ଗୋଟିଏ ନିର୍ଦୟୀ ଝିଅ ହୃଦୟର ଗୋଲାପକୁ ? ଜାଣିଛ ନା ମତେ ସେ ପୁଅଟି ହବାର ହି ନାହିଁ, ଯିଏ ଥରେ ବି ଭାବିଲାନି ଯେ ପୁରା ଧୋବଲା ଗୋଲାପ ବାଗାନରେ ଏକମାତ୍ର ଲାଲି ଗୋଲାପ ଆସିଲା କୋଉଠୁ! ଥରଟେ କେହି ସେ ନାଇଟାଙ୍ଗଲ ଆଡକୁ ଚାହିଁ କହିଲେ କଣ ," ଆହା ବିଚରା " ।ଆଉ ସେ ନିର୍ଦୟ କଣ୍ଟା! ମତେ ତ ରାଗ ଲାଗେ ତା' ଉପରେ ।ପ୍ରକୃତିର ଅଂଶ ହୋଇ ସିଏ ବି ତ ଫୁଟେଇ ଦେଇ ପାରିଲା ଚଢେଇର ଛାତି ।କଣ କହୁଥିଲା ଟି ସିଏ " ଆହୁରି ଗଭୀର, ଆହୁରି ଗଭୀର । ବାପରେ ! ନା ନା ଇରା ମୁଁ କଣ ରକ୍ତରେ ଗାଧେଇ ପାରିବି?ରକ୍ତ ରଙ୍ଗର ପ୍ରେମିକ ହୋଇପାରିବି? ତମେ ଭାବୁଛ, ଲାଗୁଛି ତୁମକୁ ?ସେ ମାୟାଭ୍ରମରେ ରୁହନି ଇରା । ଏ ପ୍ରେମ ଫ୍ରେମ ମୋ ଦେଇ ନହବ ।ମୋ ଠୁ ଏ ସବୁ ଆଶା କରିବନି ।ମୁଁ ଆସୁଛି ।ମୋର ପଙ୍କରେ ପଶିବାର ନାହିଁ କି ଗୋଡ ଧୋଇବାର ନାହିଁ ।ବାଏ ।ହାଭ୍ ଅ ନାଇସ୍ ଡେ ।"

ଯୋର ଯୋର ପାଦ ପକେଇ ସେଠୁ ଚାଲିଯାଉଥିଲା ଆୟୁଷ ଉପେକ୍ଷାର ବାଲିମୁଠେ ଛାଟିଦେଇ ।

ହସୁଥିଲା ଇରା କିନ୍ତୁ ଆୟୁଷର ଯିବା ବାଟକୁ ଚାହିଁ । କାକଟସ ଫୁଲର ପ୍ରତ୍ଯୟ ଭରା ମୁରୁକୁଥିବା ହସଟିକୁ ଭାବି ନେଇ ।ସିଏ ତ ପୁଣି ମରୁଭୂମି ମଝିରେ ଏତେ କଣ୍ଟା ଭରା ଗଛରେ ହସିପାରେ ବର୍ଣ୍ଣବିଭା ତୋଳି! ଇରା ଭାବୁଥିଲା ମୀରା ଆଉ ରାଧାଙ୍କ କଥା ।ସେମାନେ କଣ ସେ ନାଇଟାଙ୍ଗଲ ପରି ପ୍ରକୃତ ପ୍ରେମର ନିଦର୍ଶନ ନୁହେଁ କି ! ତାଙ୍କ ପ୍ରେମ ସବୁର ତୁଳନା କାଇଁ ! 


କଲେଜ ସରି ସରି ଆସୁଥିଏ ।ଆଉ ମାତ୍ର ଚାରୋଟି ମାସ ।ତା ପରେ କିଏ କୁଆଡେ ।ବାଟରେ ଦେଖାହେଲେ ଚିହ୍ନି ହେବ କି ନା କିଏ କହିବ! ଇରା ଏଥର କଲେଜ ଟପର ।କ୍ଯାମ୍ପସ ସିଲେକସନରେ ବଛାହେଇସାରିଛି ସିଏ ।ଚାକିରି ଏଇ ଫାଇନାଲ ପରିକ୍ଷାଟା ସରିଗଲେ ଖାଲି ଯାଇ ଜଏନ କରିବା କଥା ।ଆୟୁଷର ବି ହେଇଯାଇଛି ଚାକିରି ।ହେଲେ ଦୁହିଁଙ୍କର ଦୁଇଟି ଅଲଗା ସହରରେ ।

ହୃଦୟରୁ ହୃଦୟର ତାର କାଳେ ଅଦୃଶ୍ୟେ ଯୋଡିହେଇଥାଏ ।ଯିଏ ଯାହାକୁ ଭାବେ, ତାର କାଳେ ଭାବିବା ଲୋକ କଥା ମନେ ପଡେ ।ଏତ ସାଧାରଣ କଥା ।ପ୍ରେମ କଥା ତ ସବୁବେଳେ ନିଆରା ।ସେଠି ତ ଚିଠି ଦିଆ ନିଆ କରେ ହୃଦୟ ଶହେ କୋଷ ଦୂରରୁ ଲିପିଅକ୍ଷର ବିନା ।ନିଶବ୍ଦରେ ।

ଏବେ ଏବେ ଆୟୁଷକୁ ଲାଗୁଛି ସିଏ କିଛି ଗୋଟେ ହରେଇ ଦବାକୁ ବସିଛି ଯେମିତି ।ତାଠୁ କିଛି ଗୋଟେ ତାର ଅତି ପ୍ରିୟ ଦୂରକୁ ଖସି ଯାଉଛି ଯେମିତି ।ସିଏ ଛାଟିପିଟି ହଉଛି ମାତ୍ର କହିପାରୁନି ।ଶବ୍ଦ ପାଉନି।ବୁଝିପାରୁନି କେମିତି କଣ କେତେବେଳେ ଏ ସବୁ ହେଲା ।ଏବେ ବି କଣ ତାକୁ ପସନ୍ଦ କରେ ଇରା ।ଏବେ ବି କଣ ସିଏ ତା ପାଇଁ ଅପେକ୍ଷାରେ ଥିବ ? ସିଏ କହିବାକୁ ଚାହୁଁଥିବା କଥା ସିଏ ଇରାକୁ କହିବା ଠିକ୍ ହବ କି ନା ? ତେବେ ଇରା ତାକୁ କେବେ କହିନି ଯେ ସିଏ ତାକୁ ପସନ୍ଦ କରେ ବୋଲି ।ଯଦି ନ କରୁ ଥିବ !ଯଦି ଖାଲି ସାଙ୍ଗରେ ଗଣୁଥିବ!କିନ୍ତୁ ସିଏ ହି ତ ଆଡେଇ ଯାଇଥିଲା ଇରାକୁ ସେଦିନ ଯେବେ ସିଏ ପ୍ରଥମେ ନିଜ ଆଡୁ ପାଦ ବଢେଇଥିଲା ତା ପଟକୁ ।ଆଜି ପୁଣି କାହିଁକି ଏ ଅନୁରକ୍ତି!କାହିଁକି ସିଏ ଚାହୁଁଛି ସେଇ ରକ୍ତ ଝରା ନାଇଟାଙ୍ଗଲ ପକ୍ଷୀ ହବାକୁ? କାହିଁକି ଚାହୁଁଛି ହଉ ପଛେ ସଦ୍ଯକଣ୍ଟକ ବିନ୍ଧ ତା ଛାତିପିଣ୍ଡୁଳି.... କିନ୍ତୁ ପ୍ରେମ ଜିତୁ ।ଏତେ ସାହାସ କୋଉଠୁ ଆସୁଛି ତାର ! ପ୍ରେମ ସବୁବେଳେ ସ୍ବତଃପ୍ଲୁତ ।

କଲେଜର ଶେଷ ଦିନ ।ସ୍ଲାମ ବୁକ୍ ରେ ସମସ୍ତେ କିଛି ନା କିଛି ଲେଖି ଦିଆନିଆ କରୁଛନ୍ତି ।ଆୟୁଷ ଇରାକୁ ମନେ ମନେ ଖୋଜୁଛି ।ଦୂରରୁ ଦେଖୁଛି ଇରା ଅଭିନବ ସହ କଥା ହେଉଛି ।ହସି ହସି ।

ତାର ଛାତି ଫୋଡି ଫୋଡି ଲାଗୁଛି ।ହେଲେ କାହିଁକି ସିଏ ବୁଝି ତ ପାରୁଛି , ବାସ୍ ବାଟ ଯାହା ପାଉନି ।


ଅଭିନବ ଆଉ ଇରା ତାରିପଟକୁ ଆସୁଛନ୍ତି ।ପାଖେଇ ଆସିଲେଣି ।ସିଏ ଦୌଡି ପଳେଇବାକୁ ଚାହୁଁଛି ହେଲେ ତାର ପାଦ ଯେମିତି ସେଇଠି ଚେର ମେଲି ମାଟି ଜାବୁଡି ଧରିଲାଣି ଚପଲ ସହ ପାଦ ତଳ ମାଟିମୁଠାକୁ।

କଣ କହିବେ ସେମାନେ? କହିବେ କି ,ସେମାନେ ପରସ୍ପରକୁ ଆପଣାର ଭାବି ନେଇଛନ୍ତି ।କହିବେ କି ଆଉ କିଛି ଯାହା ତାର ହୃଦୟ ଶୁଣିବାକୁ ରାଜି ନାହିଁ।ଭୂମିକମ୍ପ ହବ କି ଛାତି ଭିତରେ ଏଇ ଆକାଶର ଛାତି ତଳେ ?

ସେମାନେ ଏବେ ତା 'ଆଗରେ ।ଦିହିଁଙ୍କ ଓଠରେ ଚକମକ ହସ ।" ଇରା ତମେ କଣ ମତେ ଫେରେଇଦବ ଖାଲି ହାତରେ ?" ପଚାରିବାକୁ ଚାହୁଁଛି ଆୟୁଷ ।ହେଲେ ଓଠ ଶୁଖି ଯାଉଛି ।ପାପୁଲି ସାରା ଝାଳ ।ଦ୍ବନ୍ଦଆଶଙ୍କା ଦ୍ବାରରେ ଜାନୁନତ ଆୟୁଷ ।

ସାମ୍ନାରେ ଇରା । ତା ଆଖିରେ ଆଖି ରଖି କହୁଛି, " ଆୟୁଷ! ଇଏ ମୋର ବନ୍ଧୁ ଅଭିନବ । ଭାଇ ପରି । ତମେ ଚିହ୍ନିଥିବ ବୋଧେ ।ଆମରି କଲେଜ ପିଲା ହି ।ଡିପାର୍ଟମେଣ୍ଟ ଖାଲି ଅଲଗା ।ତାଙ୍କର ମଧ୍ୟ ତମ ସହ ସେଇ ସମାନ କମ୍ପାନୀରେ ହେଇଛି ।ସିଏ ମତେ କଥା ଦେଇଛନ୍ତି ତମ ସହ ସିଏ ଛାଇ ପରି ରହିବେ ।ଭାଇ ପରି ସାଙ୍ଗ।ପାଖେ ପାଖେ ଥିବେ ମତେ ତମକୁ ହସ୍ତାନ୍ତର ନ କଲା ଯାଏ ।ଅକ୍ଷତ । "।ଆଉ ଆସ୍ତେ କି କହିଲା " ମୁଁ ଅପେକ୍ଷା କରିଥିବି ପର୍ବତ କନ୍ଯା ଅପର୍ଣ୍ଣାଙ୍କ ପରି ।"

ଅଭିନବ ହସୁଥାନ୍ତି କୃଷ୍ଣ ହସ । ଆୟୁଷ ର ହାର୍ଟ ବିଟ୍ ମିସ୍ କରି ଯାଉଥାଏ । ସିଏ ଶୂନ୍ୟ ଅନୁଭବକୁ ସାଉଁଟୁଥାଏ ।

ଇରା , ଆୟୁଷ ଓ ଅଭିନବଠୁ ବିଦାୟ ନେଇ ଗେଟ୍ ପଟକୁ ଯାଉଥାଏ । ଆୟୁଷ ସ୍ତବ୍ଧ ହେଇ ଠିଆ ହେଇଥାଏ ଆଉ ତା ଆଖିରେ ଇରାର ଚଲାପଥଠୁ ଘୁଞୁନଥାଏ ।ତା ଫୋନରେ ଚୁଂ କରି କାହା ମ୍ଯାସେଜଟିଏ ଆସେ ।ସିଏ ଖୋଲିଦେଖେ ଇରା ଲେଖିଛି, " ଏମିତି ଆଁ କରି ମତେ ଚାହିଁଥିବ ନା କଣ ଯେ ? କଣ ଭାବିବେ ଅଭିନବ ! ମତେ ଲାଜ ଲାଗିବନି ନା କଣ । ଯାଅ ଏଇଠୁ । ଟେକ କେୟାର ।"

ଅଭିନବ ଆୟୁଷର ହାତ ଧରେ ଆଉ କହେ ," ତୁ ଭାରି ଲକିଟେ ରେ ।ମୋର ତ ଭାଇ, ରାକ୍ଷୀ ବନ୍ଧା ଯୋଗ ଅଛି ବୁଝିଲୁ ।କଲେଜର ସବୁଠୁ ଭଲ ଝିଅଟି ତୋ'ଠି ପଟିଗଲା ।ସିଏ ପୁଣି ଆପେ ଆପେ ।କଣ କଲୁ କିରେ ବିଜେତା ! କମାଲ ହମ୍ । "

ଥଟ୍ଟା ସବୁ ମିଠା ଲାଗୁଥାଏ କାନକୁ ।

ଆୟୁଷର ମନେପଡୁଥାଏ କୋଉ ଗୋଟେ ସିନେମାରେ ଥରେ କିଏ କହୁଥିଲା ପରା , " ଯାହା ତୁମେ ହୃଦୟରୁ ଚାହଁ ,କାଳେ ସଂପୂର୍ଣ୍ଣ ପ୍ରକୃତି ତୁମ ସହ ତାର ମିଳନ ପାଇଁ ଯତ୍ନଶୀଳ ହୋଇଉଠେ ।ଠିକ୍ ଗୋଟେ ଫଳପ୍ରସୂ ପବିତ୍ର ପ୍ରାର୍ଥନା ପରି ।"

ପତ୍ର ମାନେ ଝୁମି ଉଠୁଥାନ୍ତି ଆୟୁଷ ଚାରିପଟରେ ।ପୁଲକଟେ ଗୁଡେଇହେଇଯାଉଥାଏ ତା' ଶିରଶିରରେ ନିଜଠାରୁ ନିଜକୁ ଚୋରେଇ ନେଇ ଭାବନାର ଅନ୍ତରିକ୍ଷରେ ।



Rate this content
Log in

Similar oriya story from Action