Satyabati Swain

Children Stories Tragedy

4  

Satyabati Swain

Children Stories Tragedy

ଫାଉଣ୍ଟେନ୍ ପେନ୍

ଫାଉଣ୍ଟେନ୍ ପେନ୍

5 mins
250



ଘରେ ଆମର ବହୁଛି ନିରବ ଝଡ।

 

ସେ ପୁଣି କେଉଁ ଅସିଆ କାଳର ମସିଆ ପେନ୍ ଟିଏ ପାଇଁ !


      ମୁଁ କେବଳ ମଝିରେ ହଇରାଣ ହେଉଛି। ଦୁଇ ଦିନ ହେଲାଣି ବାପା ମୁହଁ ଏଣିକି ତ ମାଆ ମୁହଁ ତେଣିକି। ଅମୁ ଭୟରେ ଘରୁ ବାହାରୁ ନାହିଁ। ଆମର କେଡେ ଘୋ ଘୋ ହସ ଖୁସିଆ ପରିବାର ଆଜି ସାମାନ୍ୟ ପେନ୍ ଟି ପାଇଁ ଶୁନ୍ ଶାନ, ଉଦାସ ଉଦାସ।


    ଦାଦା ,ଦାଦା ମ ତୁମେ ଟିକେ ବାପାଙ୍କୁ ବୁଝାଉନ। ଦୁଇ ଦିନ ହେଲା କାହା ସହ କଥା ବାର୍ତ୍ତା କରୁ ନାହାନ୍ତି।ଖାଲି ଗୁମ୍ ହୋଇ ଅଛନ୍ତି । ମୋତେ ଭଲ ଲାଗୁନାହିଁ। ଯେତେ ବାପାଙ୍କ ସହ ଲାଗିଲେ ବି ସେ କିଛି କହୁ ନାହାନ୍ତି। ମୁହଁଟି ତାଙ୍କର କାନ୍ଦ କାନ୍ଦ।


   ନାଇଁ ଲୋ ବୋପା ଭାଇଙ୍କୁ ପୁଣି ମୁଁ ବୁଝେଇବି ? ଭାଇଙ୍କୁ ଯଦି କେହି ବୁଝେଇ ପାରିବେ ସେ ହେଲା ଆମ ବୋଉ।ଯା ତୋ ଜେଜେମାଙ୍କୁ କହିବୁ,ସେଇ ସବୁ ଠିକ୍ କରିଦେବ।


ଛେନାଗୁଡ଼ ଦାଦା।


ପାକଲା କଦଳୀ ନମୁ।


   ଦାଦା ମୋତେ ରଗାଅନି କହୁଛି। ଏଡ଼େ ବଡ଼ ଇଞ୍ଜିନିୟର ହୋଇଛ, ବଡ଼ ବଡ଼ ଘର, ପୋଲ, ରାସ୍ତା ତିଆରି କରୁଛ ଅଥଚ ବାପାଙ୍କୁ ବୁଝେଇ ପାରିବ ନାହିଁ ! 


ସିଏ କଣ ମୋ ଭାଇ !


ଆଉ ତୁମେ ବା ଭାଇ ଡାକ !


  ସମ୍ପର୍କରେ ସେ ମୋ ଭାଇ କିନ୍ତୁ କାମରେ ସେ ମୋର ବାପା ।


   ତୁମ ଦେଇ କିଛି ହେବନି ଦାଦା । ହେଇଟି କାନ ଦେଖାଅ ।ବାପାଙ୍କୁ ଏତେ ଡର ତ ମିତ୍ରା ଦି ଙ୍କୁ ଭଲ ପାଅ ବୋଲି କେମିତି କହିବ ?


  ହେ ହେ ମୋ ମାଆ ଚୁପ୍ ଚୁପ୍ । କେହି ଜାଣିଲେ ମୋ ପିଠି ରହିବନି ଲୋ ନମୁ ।


   କାହିଁକି !ଭଲ ପାଇବା ଖରାପ କି ? ତୁମେ ଲୁଚି ଲୁଚି ମିତ୍ରା ଦି ଙ୍କୁ କାହିଁକି ଦେଖା କର ? ସାଉଁ ସାଉଁ କଥା ହୁଅ ? ଉଁ ଉଁ କୁହ କୁହ ?


   ମିତ୍ରା ମିତ୍ରା କାହିଁକି ହେଉଛୁ କହିଲୁ ? ବୋଉ ପାଖକୁ ଯା ଯେ ସେ ତା ପୁଅକୁ ବୁଝେଇ ଶୁଝେଇ କହିଲେ ଶୁଣିବ।


   ଜେଜେମା ବାପାଙ୍କୁ ଟିକେ ବୁଝା। କଣ ଏମିତିକା ପୁଅଟିଏ କରିଛୁ ? କାହା ଉପରେ ରାଗିଲେ ଝଡ଼ ପୂର୍ବ ଆକାଶ ପରି ହୋଇ ଯାଉଛନ୍ତି । ସେ କଣ ପିଲା ଦିନୁ ଏମିତି ? ଜେଜେମା ଲୋ କହିବୁ ଗଲୁ ବାପା ଏମିତି ଚୁପଚାପ ରହିଲେ ଆମକୁ ଭଲ ଲାଗୁ ନାହିଁ।


    ତୁମ ତାର ସେମିତି କଣ କରିଥିବ ନା। ମିଛୁଟାରେ ସେ କଣ ଚୁପ୍ ହୋଇଛି। କିଛି ଗୋଟେ ବାଧିଛି ତାକୁ। କଣ କରିଛ କହିଲ ?


     ତୁ ଏଇ ଘରେ ଅଛୁ ଟି ? ଜାଣି ପାରୁ ନାହୁଁ କେମିତି କଣ ଗୋଟେ ଘଟିଛି ବୋଲି ?


    ମୋତେ କିଛି ଭଲ ଦିଶୁନାହିଁ କି ଶୁଭୁ ନାହିଁ। ତୁ ମୋ ପାଖରେ ବଡ଼ ପାଟିରେ କହିଲାରୁ ସିନା ଶୁଣି ପାରୁଛି। ତୋ ଜେଜେ ଭାରି ଚଲାଖ।ଚାଲୁ ଚାଲୁ ଟଳି ପଡି ସୁଖ ମରଣ ମଲା। ମୋତେ ଛାଡ଼ି ଯାଇଛି ମାଟି ବୁଦା ହୋଇ ଗୋଟିଏ ଜାଗାରେ ବସିବାକୁ।

 

ହେଇଟି ଜେଜେମା ତୋତେ କେତେଥର କହିଛି କାନ୍ଦିବୁ ନାହିଁ କି ମସଁ ଦୁଃଖ କରିବୁ ନାହିଁ। ମୁଁ ଯାଉଛି ଯା ଆଉ କିଛି କହିବି ନାହିଁ।

    

    ହେଇ ଦେଖେ ଆଉ କାନ୍ଦିବି ନାହିଁ। କହ କଣ କରିଛ ମୋ ବୁଲୁର ? 

    

  କିଛି ନାହିଁ ଲୋ ଜେଜେମା ପୁରୁଣା ପେନ୍ ଟିଏ ଜାଣି ପାଉଛୁଟି ସୁନା ପରି ଦିଶୁଥିବା ବାପାଙ୍କ କଲମତା ଅମୁ ମୋଡି ଭାଙ୍ଗି ଦେଇଛି।


   କଣ କହିଲୁ ଭାଙ୍ଗି ଦେଇଛି ! ସେଇଟା ଖାଲି କଲମ ନ ଥିଲା ଲୋ ନମୁ କହି ଜେଜେମା ଆଖିରୁ ଠୋପା ଠୋପା ସମୁଦ୍ର ଗଳି ପଡ଼ିଲା।


    ଏ ମାଆ ପୁଅଙ୍କ ହାବଭାବ ଦେଖି ମୋତେ ସତରେ ଡର ଲାଗିଲା। କଲମଟି କଲମ ନ ହୋଇ ଆଉ କଣ ହୋଇପାରେ ! ଫାଇଭ୍ ଷ୍ଟାଣ୍ଡାର୍ଡ଼ ମୁଣ୍ଡରେ ମୋର ଆଉ କିଛି ଢୁକିଲା ନାହିଁ।


   ହେଇ ଅନା ବାପା ଅଫିସରୁ ଆସିଲେ ତୁ ଟିକେ ବୁଝା ସୁଝା କରି ଆମ ପୂର୍ବ ବାପା କରିଦେବୁ କହିଲାରୁ ତୁ ସମସ୍ୟା ସମାଧାନ କରିବୁ କଣ ଓଲଟି ପୁଣି କାନ୍ଦିଲୁଣି?


   ନମୁ ଲୋ ପେନ୍ ଟି ମୋ ପୁଅ ପାଇଁ ମହଣେ ଖୁସି ଓ ଅମୂଲ୍ୟ ସମ୍ପତ୍ତି ଥିଲା। ସେଥିରେ ସେ ତା ବାପାଙ୍କୁ ଅନୁଭବ କରୁଥିଲା । ଏତେ ବଡ଼ କ୍ଷତି ତାର କରି କହୁଛ କିଛି ନାହିଁ। ଆହା ମୋ ବୁଲୁ ବହୁତ କଷ୍ଟରେ ଥିବ ଏବେ।


କଣ କହୁଛୁ ଜେଜେମା ?


ତୁ କି ତୋ ଭାଇ ଯେଉଁ ହେଲାଗେହ୍ଲାରେ ବଢୁଛ ,ଏଡ଼େ କୋଠା ଘରେ ରାହୁଛ, ଫର୍ମାଇସ କରୁ କରୁ ସବୁ ଆସି ତୁମ ପାଖେ ହାଜର ହୋଇ ଯାଉଛି ସେମିତି ଜୀବନ ବୁଲୁ ଜିଲୁକୁ ଆମେ ଦେଇ ପାରିନୁ।ଚାଷବନ୍ଦୀ ଘରକୁ ମୋର ତିନି ଦିଅର ଓ ତିନି ନଣନ୍ଦ। ତୋ ଜେଜେ ସାତ ଜଣ ପିଲାଙ୍କ ମଧ୍ୟରେ ବଡ଼। ମୋ ଶାଶୁ ରୋଗିଣା ଆଣ୍ଠୁ ଗଣ୍ଠି ବାତ। କିଛି କାମ ଧନ୍ଦା କରି ପାରିଲେ ନାହିଁ ବୋଲି ତେଇଶି ବର୍ଷରେ ତୋ ଜେଜେଙ୍କୁ ବାହା କରି ଦିଆଗଲା। ବାହାଘର ବର୍ଷକ ପରେ ତୋ ବାପା ବୁଲୁ ଜନ୍ମ ନେଲା। ଆଉ ଆମର ପିଲା ପିଲି ହେଲେ ନାହିଁ। ବୁଲୁକୁ ବାର ବର୍ଷ ହେଲା ବେଳକୁ ତୋ ଦାଦା ଜୁଲୁର ଜନ୍ମ । ଜମି ବାଡିରୁ ତୋ ଜେଜେ ଯେତିକି କମାନ୍ତି ତାହା ଏତେଟା ପେଟକୁ ନିଅଣ୍ଟ। ଅବଶ୍ୟ ଶଶୁର ତୋ ଜେଜେ ସହ ଭାଇ ପରି ପଟେ ହୋଇ କାମ କରୁଥିଲେ। ବହୁ କଷ୍ଟରେ  ପରିବାରଟି କିନ୍ତୁ ଚଳେ । ସେଥିରେ ଅନ୍ୟ ଛଅ ଭାଇ ଭଉଣୀଙ୍କ ପଢା ଖର୍ଚ୍ଚ ସହ ବୁଲୁର ଖର୍ଚ୍ଚ ବି ଯୋଡି ହୋଇଗଲା। 


   ତିନି ଦିଅର ଓ ନଣନ୍ଦଙ୍କ ଯେନ ତେନ ପ୍ରକାରେ ବହୁ କଷ୍ଟରେ ମେଟ୍ରିକ ଯାଏ ନେଲୁ।ତୋ ଜେଜେ ଦିନ ରାତି ଗଧଙ୍କ ପରି ଖଟେ ତା ଭାଇ ଭଉଣୀଙ୍କୁ ଭଲ ଖାଇବା ପିନ୍ଧିବା ଦେବ ବୋଲି। କିନ୍ତୁ ସେମାନେ ଭାରି କୃତଘ୍ନ ହେଲେ।ମୁଣ୍ତକୁ ହାତ ପାଇ ଯିବାରୁ କିଏ କୁଆଡେ ରୋଜଗାର କରି ସଂସାର ବସେଇ ସୁଖରେ ରହିଲେ।ଜମି କିଛି ବିକି ନଣନ୍ଦଙ୍କୁ ଭଲ ଘର ଦେଖି ବାହା କରିଦେଲୁ। ତୋ ଜେଜେ ପିଲା ଦିନୁ ଖଟି ଖଟି ବୟସ ପଣ ରଦି ହୋଇଗଲା।


     ଦିନକର କଥା। ବୁଲୁ ପଞ୍ଚମରେ ପଢୁଥାଏ। ତା ସାଙ୍ଗରେ ପଢ଼ୁଥିବା ରାଜର ବାପା ରାଜା ପାଇଁ ଗୋଟିଏ ସୁନ୍ଦର ଝର କଲମଟିଏ ଆଣିଥାନ୍ତି। ଭୁବନେଶ୍ବରରେ ତା ବାପା ଚାକିରୀ କରନ୍ତି ।ସୁନା ରଙ୍ଗ ପରି କଲମଟି ଦେଖିବାକୁ ।ତା ପେଟ ଭିତରେ ଡ୍ରଫର ପରି ଗୋଟେ ଥାଏ। ସେଇଟିକୁ ଚିପି କଲମ ମୁହଁ ଦୁଆତରେ ଭରିଲେ କାଳି ଉଠି ଆସେ। ସେଥିରେ ଲେଖିଲେ ଗୋଲ ଗୋଲ ସୁନ୍ଦର ଅକ୍ଷର ଦିଶେ। ଦିନେ ବୁଲୁ ରାଜାଠାରୁ ସେ କଲମ ଟି ଆଣି ଖାତା ଉପରେ ଖୁସି ହୋଇ ବୁଲୁ ଲେଖି ଦେଲା ବୋଲି ରାଜା ଗୁଡାଏ ମାରିଲା ତ ମାରିଲା ପୁଣି ହେଡ଼ ସାରଙ୍କ ଆଗରେ ଅଭଯୋଗ କଲା ମୋ ଦାମିକା କଲମ ଦେଖି ବୁଲୁ କଲମ ଚୋରି କରି ନେଉଥିଲା । ହେଡ଼ ସାର୍ ତୋ ଜେଜେଙ୍କୁ ଡାକି ଏ କଥା ଜଣାଇଁଲେ।


  କଲମ ଚୋରି ପୁଣି ବୁଲୁ ! ଏ କଥା ତୋ ଜେଜେ ବିଶ୍ବାସ କଲେ ନାହିଁ।ଝଗଡା କଲେ ହେଡ୍ ସାରଙ୍କ ସହ।ମୋ ପୁଅ ଏମିତି କେବେ କରି ନ ଥିବ। ବୁଲୁକୁ ଡାକି ପଚରା ଗଲା। ବୁଲୁ କହିଲା, ଚୋରି ନୁହେଁ ସାର୍ ତାଠାରୁ କଲମ କେମିତି ଚାଲୁଛି କହି ଆଣିଥିଲି। ଚୋରି କରି ନାହିଁ ସାର୍। ତା ପାଖରେ ବସୁଥିବା ବିନୟକୁ ପଚାରନ୍ତୁ।ରାଜା ମୋତେ ଗଣିତ ଦେଖା କହୁଥିଲା। ମୁଁ କହିଲି ତୁ ବୁଝିକି କର। ସାର୍ ତାକୁ ଗଣିତ କରି ଆଣି ନାହିଁ ବୋଲି ମାରିଲେ। ସେଇ ରାଗରେ ସେ ମୋତେ ଚୋର କହିଲା।କହିଲା କି ମୋତେ ଗଣିତ ଦେଖେଇଥିଲେ ମୁଁ ଆଜି ପାହାର ଖାଇ ନ ଥାଆନ୍ତି। ଦେଖ୍ ତୋ ଅବସ୍ଥା କଣ କରୁଛି। ନିଜେ କଲମଟି ଦେଇ ମୋତେ ଚୋର କହୁଛି ସାର୍।


    ରାଗରର ସେ ସ୍କୁଲରୁ ସେଇ ଦିନ ସାର୍ଟିଫିକେଟ ଆଣି ଅନ୍ୟ ସ୍କୁଲରେ ବୁଲୁ ନାଁ ଲେଖେଇଲେ ତୋ ଜେଜେ। ରାଜା ଲେଖୁଥିବା କଲମଟିଏ ଜନ୍ମ ଦିନ ଉପହାର ଭାବେ ବୁଲୁକୁ ଦେବାକୁ ତୋ ଜେଜେଙ୍କର ଭାରି ଇଚ୍ଛା।କିନ୍ତୁ ରାଜା ବାପାଙ୍କଠାରୁ ବୁଝିଲେ କି ସେ କଲମଟି ଦାମ ଶହେ ପଚାଶ ଟଙ୍କା।ଯାହା ଆମ ଘରର ମାସକ ତେଲଲୁଣ ଖର୍ଚ୍ଚ। ଦୁଇଟି ଜନ୍ମ ଦିନ ଯାଇଥିଲେ ମଧ୍ୟ ତୋ ଜେଜେ ବୁଲୁକୁ ସେମିତି କଲମଟିଏ ଦେଇ ପାରି ନଥିଲେ। 


   ବୁଲୁର ସପ୍ତମ ବର୍ଷ।ସେ ବର୍ଷ ବନ୍ୟା ଆସି ନଈ ବନ୍ଧ ଭାଙ୍ଗି ଯାଇଥିଲା। ଲୋକେ ବନ୍ଧରେ କାମ କରି ମୂଲ ଆଣୁଥିଲେ । ତୋ ଜେଜେ ଜୀବନରେ ପର ଘରେ କେବେ ମଜୁରିଆ ହିସାବରେ କାମ କରି ନଥିଲେ। ସେ ବର୍ଷ କିନ୍ତୁ ନଈ ବନ୍ଧ ମରାମତି କାମ କରିବାକୁ ଦୁଇ ଦିନ ମଜୁରିଆ ପଥର ଉଠା କାମ କରିବାକୁ ଯାଇଥିଲେ । ଦୁଇ ଦିନ ମଜୁରୀ ନେଇ ପାଖ ସହରକୁ ଯାଇ ରାଜାଠାରୁ ଆହୁରି ଦାମିକା ଆହୁରି ସୁନ୍ଦର ସେଇ ଏକା ରଙ୍ଗର କଲମଟିଏ ଆଣି ଜନ୍ମ ଦିନ ଉପହାର ଦେଇ କହିଥିଲେ, ଏ କଲମରେ ଯେଉଁ ପରୀକ୍ଷାରେ ଲେଖିବୁ ଭଲ ହିଁ ହେବ। ସାଇତି ରଖିବୁ ଏଇଟିକୁ। ମୁଁ ଯେତେବେଳେ ନ ଥିବି ସେତେବେଳେ ଏ କଲମ ତୋତେ ମୋ କଥା ମନେ ପକାଇ ଦେଉଥିବ।


   ଓ ଗଡ୍ ବାପା ସେଇଥିପାଇଁ ପେନ୍ ଟି ସବୁବେଳେ ଛାତି ପକେଟରେ ମାରନ୍ତି ! ଯୁଆଡେ ଗଲେ କଲମଟି ମୁଣ୍ଡରେ ମାରନ୍ତି ! 


    ମୁଁ ସତରେ କେତେ ବୋକା।ସାମାନ୍ୟ ପେନ୍ ଟିଏ ଭାବୁଥିଲି ! 



Rate this content
Log in