Arabinda Rath

Drama Crime

4.5  

Arabinda Rath

Drama Crime

ଫାଳେ ଚପଲ

ଫାଳେ ଚପଲ

8 mins
281


ଖଟ ଉପରେ ସେ ଚାରିକାତ ମେଲାଇ ପଡିଛି। ଦୁଇ ଧାଡି ମଳିଛିଆ ବାହେଡା ଦାନ୍ତ ଭିତରେ ବ୍ଯବଧାନ ଖୁବ ବେଶିରେ ଦୁଇ ତିନି ଆଙ୍ଗୁଳ ଥିବ ଶେତା ପଡି ଆସୁଥିବା ଜିଭଟି ଗଭୀର ନିଦ୍ରାରେ ଶୋଇ ରହିଛି। ସେ ଜିଭ ଉପରେ ପରସ୍ତ ପରେ ପରସ୍ତ ବସି ରହିଛି ମଦ,ମାଂସ,ପାନ,ଗୁଟୁଖା ଓ ଆହୁରି କେତେ ଚିଜର ବହଳିଆ ଆସ୍ତରଣ। ପାଟିରୁ ଉକୁଟି ଆସୁଛି ମଦର ଉତ୍କଟ ଗନ୍ଧ। ମାଛି ଓ ଢଣଢଣା ମାନେ ନିଜ ନିଜର ସ୍ବାଦ ଅନୁସାରେ ମଦ ଓ ରକ୍ତ ଚାଟିବାରେ ବ୍ଯସ୍ତ। ଢିମାଢିମା ରକ୍ତିମ ଆଖି ଦୁଇଟା କଟମଟ କରି ଛାତ ଆଡକୁ ଚାହିଁ ରହିଛନ୍ତି। କିନ୍ତୁ ସେ ଆଖିରେ କଣ ଆଉ କେବେ ପଲକ ପଡିପାରିବ। କାଳିଆ ଭୁଷୁଣ୍ଡା ମୁହଁ ଟା ବଡ ବିକୃତିଆ ଦିଶୁଛି- ଠିକ୍ ଯେମିତି ହାଣ ମୁହଁକୁ ଗଲା ବେଳେ ଛେଳିର ମୁହଁ ଦିଶେ। ମୋଟା ସୁରେଇର ଫଙ୍ଗ ତଳେ ଶୋଭା ପାଉଥିବା ଟାଉଁସିଆ ବେକ ପରି ତା ବେକଟା ଦିଶୁଛି। ଦୂର ପାହାଡରେ ସାନ ସାନ ବୁଦା ଦିଶିଲା ପରି ତା ବେକରେ ବେଶ୍ କେତୋଟି ଭାତୁଡି ଲାଖି ରହିଛି। ଧଣ୍ଡସାପ ପରି ସୁନା ଚେନ୍ ଟା ବେକରୁ ଝୁଲି ଆସି ଛାତି ଉପରେ ଅଜାଡି ହୋଇ ପଡିଛି। ବର୍ଷାଦିନେ ପଥର ସନ୍ଧିରୁ ଝରି ଆସୁଥିବା ଝରଣା ପରି ତା ବେକ ଚିରି ଝରି ଆସିଛି ମୋଟା ରକ୍ତର ଧାର- - କେତେବେଳୁ ବୋହିଛି କେଜାଣି ତକିଆ ଉପରେ ତିନି ଚାରି ଇଞ୍ଚ ଆକ୍ରାନ୍ତରେ ପିମ୍ପୁଡି ମନ୍ଦା ପରି ଜମାଟ ବାନ୍ଧି ଦେଇଛି। ଶାଗୁଆନ୍ ଗଣ୍ଡି ପରି ବାହା ଯୋଡାକ ଲମ୍ବି ରହିଛି ଦେହରେ ଦୁଇ ପଟକୁ। ଦଶଟା ଆଙ୍ଗୁଠିରେ ଦଶଟା ସୁନାମୁଦି ଚକଚକ ଦିଶି ଯାଉଛି।

ତା ପରି ଦୁର୍ଦ୍ଧଷ ଚାରି ଦଉଡିକଟା ଲୋକ ବେକରେ ହତିଆର ଚଳେଇଲା ପରି ଅଣ୍ଡିରିପୁଅ ସେ ଅଞ୍ଚଳରେ କେହି ନଥିଲେ। କିନ୍ତୁ କିଏ ଜଣେ ତ ଚଳେଇଛି- ନହେଲେ ଭଲରେ ଖାଇପିଇ ଶୋଇଥିବା ଲୋକର ମଜବୁତିଆ ଦେହଟା ପାହାନ୍ତି ପହରୁ ରକ୍ତଝୋଳିଆ ହୋଇ ପଡିଛି କାହିଁକି। କୌଣସି ଦୁର୍ବୁତ୍ତ ଏ ଜଘନ୍ଯ କାନ୍ଡ ବାଘା ମଦନିଶାରେ ଶୋଇଥିଲା ବେଳେ ହିଁ ଭିଆଇଛି। ମଦ ଥରେ ବାଘାର ତଣ୍ଟି ଓଦା କରିଦେଲେ ସେ ସବୁ କିଛି ଭୁଲିଯାଏ। ସେ ଅଚେତ ହେବା ଯାଏ ପିଇଚାଲେ। ନହେଲେ ବାଘାକୁ ଆୟତ୍ତ କରିବା କଣ ସହଜ ପାଠ ! ଗୋଟାଏ ଭୁଷିରେ ସେ ପରା କାନ୍ଥ ଫଟେଇ ଦେବା ଲୋକ। ମାଡଗୋଳ ହେଲାବେଳେ ସେ ଲୋକ ଗୁଡାକୁ ଆଳୁ ବସ୍ତା ପରି ଫୋପାଡି ପକାଏ। ମୁଥା ମାରି ସେ ବଡ ପହିଲିମାନଙ୍କୁ ବି ଧୂଳି ଚଟେଇ ଦିଏ। ଆରେ ,ତାକୁ ତୁମେ କଣ ହତିଆର ଦେଖେଇବ- - ସେ କଉ ହତିଆର ଚଲେଇ ନ ଜାଣିଛି ଭଲା ? ଚାକୁ,ଭୂଜାଲି,ଖଣ୍ଡା,ତଲଓ୍ବାର,ବର୍ଚ୍ଛା ତେଣିକି ଯେତେ ହତିଆରର ନାମ ତୁମେ ନେଇ ପାର-- ସେସବୁ ଚଳେଇବାରେ ବାଘା ପାରଙ୍ଗମ। ଗଲାସନ ଦୁର୍ଗାପୂଜା ଭସାଣିରେ ଉପରସାହି ଲୋକେ ଯେଉଁ ଗଣ୍ଡଗୋଳ କଲେ ପାଶୋରି ଗଲ ନା କଣ। ସେଇ ବାଘା ଏକୁଟିଆ ଲଢି ସମସ୍ତଙ୍କୁ ଭଗେଇ ଦେଇ ନ ଥିଲା? ତାଙ୍କରି ହତିଆର ଛଡେଇ ତାଙ୍କୁ ପରା ଘାସ କାଟିଲା ପରି କାଟି ପକେଇଥିଲା। କିହୋ ତା ସାମ୍ନାରେ କି ଗୁଣ୍ଡାଗିରି କରିବ ଯାହା ରକ୍ତରେ ଗୁଣ୍ଡାମୀ ଅଛି । ବାଘାର ବୋପା କୋଉ କମ୍ ଥିଲା କି- ନା ତା ଜେଜେବାପା ସାମ୍ନାରେ କିଏ ଛିଡା ହେବାର ସାହାସ କେବେ କରିଥିଲା। ଖାଲି ଏତିକି ଦୁର୍ଭାଗ୍ଯ ଯେ ୟାଙ୍କ ପରିବାରର ଲୋକଗୁଡା ଅଳପେଇଶା। ଜନମ ହେଲା ଦିନୁ ଯମ ଏମାନଙ୍କ ବେକରେ ଦଉଡି ବାନ୍ଧି କେବେ ଟାଣିବ ବୋଲି ଚାହିଁ ବସିଛି- - କଣ୍ଟ ନ ପୁରୁଣୁ ଘିଞ୍ଚି ନଉଛି। ଦେଖୁନ ଜେଜେବାପା,ବାପା ଯେଉଁ ବୟସରେ ଗଲେ ଇଏ ବି ସେଇ ବୟସରେ ଗଲା। କଲା କର୍ମ ସବୁ କୁଆଡେ ଯିବ- - ଯିଏ ପାପ କରିବ ଏମିତି କକରଛନିଆ ହୋଇ ମରିବ। ଗାଁଆ ଦାଣ୍ଡରେ ଚାଲିଥିଲା ଏମିତି ଘମାଘୋଟ ଆଲୋଚନା ।

ସୂର୍ଯ୍ଯଦେବ ଆକାଶରେ ଉପରକୁ ଉଠିବା ସହିତ କଥାଟା ଚାରିଆଡେ ପ୍ରଘଟ ହୋଇଗଲା। ବାଘା ବେକ ପାଖରୁ ପିମ୍ପୁଡି ଧାର ଲମ୍ବିଥିବା ପରି ତା ଘରକୁ ଲୋକଙ୍କ ଧାଡି ବଢି ଚାଲିଥିଲା। ସଭିଙ୍କ ମୁହଁରେ ସେଇ ଗୋଟିଏ କଥା। କେତେବଡ ଘଟଣା ଟା ଘଟିଗଲା ଭଲା। ବାଘା ଘର ପାଖ ବରଗଛରେ ସେଦିନ ଚଢେଇ ମାନେ ମନ ଖୁସିରେ କିଚିରି ମିଚିରି ଚଳାଇଥିଲେ- - ଅନ୍ଯ ଦିନ ହୋଇଥିଲେ ସେଥିରୁ କେଇ ଯୋଡା ରକ୍ତାକ୍ତ ହୋଇ ବାଘା ଘର ବାରଣ୍ଡାରେ ଲୋଟୁଥାନ୍ତେ। କେତେ ଯେ ଚଢେଇଙ୍କୁ ସେ ଗୁଳି କରି ଖସେଇ ଦେଇଛି ତାର ହିସାବ ନାହିଁ। ପିଲାଦିନରୁ ବାଟୁଳି ମାରି ସେ ଚଢେଇ ଖସାଉଥିଲା। ବୟସ ସହିତ ତାଳ ଦେଇ ବାଘାର ବଳ ଓ ସଇତାନୀ ବଢିଲା। ବାଟୁଳି ଛାଡି ସେ ନଳୀ ବନ୍ଧୁକ ଧରିଲା, ତେଣିକି ତା ହାତରେ ପିସ୍ତଲ ଶୋଭା ପାଇଲା। ହାତରେ ପିସ୍ତଲ ଧରି ସେ ଗାଁଆ ରାସ୍ତାରେ ଗଲାବେଳେ ସବୁ ଘରେ ତାଟି କବାଟ ପଡିଯାଏ। କାହାକୁ ସେ କଣ କରିବ ତାର ହିସାବ ନଥାଏ। ମାଇପି ଥିବା ଘରେ କୋଲପ ପଡିଯାଏ। କାହାକୁ କେତେବେଳେ ଉଠେଇନେବ କି ଭରସା ଅଛି?କେବେକେବେ ଛନଛନିଆ ଖାସି ନଜରରେ ପଡିଗଲେ ତା ବନ୍ଧୁକ ଗର୍ଜି ଉଠି ଧୂଆଁ ଫୁତକାର କରେ। ଖାସିର


ମାଲିକ ବିଚରା ଦୌଡି ଆସି ଦେଖେ ବାଘାର ବିଭତ୍ସ ରୂପ। ଅଗଣିତ ଗାଳି ଓ ଅଭିଶାପ ତଣ୍ଟି ପାଖରେ ଜାକି ହୋଇ ଆଖିବାଟେ ବାହାରି ପଡେ ସିନା ପାଟିରୁ ଶବ୍ଦ ସ୍ଫୁରେ ନାହିଁ। ସେସବୁ କୁ ଦୃଷ୍ଟି ନ ଦେଇ ବାଘା ଶିକାରକୁ ରାସ୍ତାରେ ଘୋଷାରି ନିଏ ଓ ରାତିରେ ମାଂସ ସହିତ ବୋତଲ ପରେ ବୋତଲ ମଦ ଉଡାଇଚାଲେ। ବାଘାର କେହି ସାଙ୍ଗ ନଥିଲେ, ଥିଲେ କେବଳ ଶତୃ ରକ୍ତପିପାସୁ ଶତୃ ।

ବୁଢୀମାଆ ଯେତେ ଆକଟ କଲେ ବି ବାଘା ଶୁଣେନି। ଚଢାଗଳାରେ କହେ ସେ ଏମିତି କାମ ଅଲବତ କରିବ। ଯେଉଁ ଗାଁଆଲୋକେ ତା ବାପା ଜେଜେବାପାଙ୍କୁ ମାରିଛନ୍ତି ସେମାନଙ୍କୁ ସେ କଣ ଏତେ ସହଜରେ ଛାଡିଦେଇ ପାରିବ। ସେ ପିଲାଥିଲା ବେଳେ ଗାଁଆ ଲୋକେ ତାକୁ ଯେତିକି ଟାହିଟାପରା କରି କନ୍ଦେଇଛନ୍ତି ସେ କଥା କଣ ଭୁଲିହେବ? ବାପ ମଲାପରେ ଦିନଦିନ ଧରି ସେ ଓପାସ ଶୋଇଛି ଦୁଇମୁଠା ଭାତ ଯୋଗାଡିବାକୁ ତା ମାଆ ବାରଦୁଆର ଶୁଣ୍ଢିପିଣ୍ଡା ହେଲା ବେଳକୁ ଏଇ ନିମକହାରାମ ଗାଁଆଲୋକେ ନାକରେ ଆଙ୍ଗୁଠି ଗେଞ୍ଜି ହସୁଥିଲେ । ଏବେ ହସ ଦେଖିବା କେତେ ତାକତ ଅଛି ତୁମର। ବୁଢୀମାଆକୁ ସେ ବୁଝେଇ କୁହେ ଆଲୋ ତୁ ସେସବୁ ଖେଳରେ ମୁଣ୍ଡ ପୁରାନି। ଯେତିକି ଲୁହ ତୋ ଆଖିରୁ ଝରିଛି ସେତିକି ରକ୍ତ ଝରିବା ଚାହି। ଦିହରେ ବଳଥିଲେ ଦୁନିଆ ପାଦ ତଳେ ରହିବ ନହେଲେ ଲୋକେ ମାଡି ମକଚି ଆକ୍ତାମାକ୍ତା କରିଦେବେ। ତୁ ଯେତେ କାନ୍ଦ୍, ମୁଣ୍ଡ ପିଟ୍ କି ନେହୁରା ହୁଅ କେହି ଶୁଣିବେନି ଆଡ ଆଖିରେ ଦେଖିବେନି। କିନ୍ତୁ ଯେତେବେଳେ ଖଣ୍ଡା, ତଲଓ୍ବାର,ଭୁଜାଲି କଥା କହିବେ ସବୁ ଲୋକେ କାନ ଫାଡି ଶୁଣିବାକୁ ବାଧ୍ଯ। ପାଟି ଭିତରେ ଜିଭ ପଛେ ନ ଲେଉଟୁ କିନ୍ତୁ ଯଦି ବନ୍ଧୁକର ଘୋଡା କଡ ଲେଉଟିବାକୁ ବାହାରିବ ସବୁ ଖେଳ ଖତମ୍। ତୁ ମୋ ପାଇଁ ଚିନ୍ତା ନକରି ଯେତିକି ଦିନ ବଞ୍ଚିବୁ ରାଣୀ ପରି ବଞ୍ଚି୍।

ବୁଢୀମାଆ ଚାହିଁ ରହିଥାଏ ବାଘା ମୁହଁକୁ। ତା ସ୍ବର ଟିକେ ନରମି ଆସିଲେ ଛେପ ଢୋକି କୁହେ ତୋ କଥା ଠିକ୍ ରେ ପୁଅ। କିନ୍ତୁ ମୋ କୋଳରେ କଣ କେବେ ନାତି ନାତୁଣୀ ଖେଳିବେନି? ଜୀବ ଥିଲା ବେଳେ ମୁଁ କେବେ ବୋହୂ ହାତରନ୍ଧା ଖାଇ ପାରିବିନି। ବାଘା ଯଦି ସେତେବେଳକୁ ଶୋଇ ପଡିଥିବ ତେବେ ଭାଗ୍ଯ ଭଲ ବୋଲି ଜାଣ। ନହେଲେ ସେ ଦୁମଦୁମ ହୋଇ ଘର ବାହାରକୁ ଚାଲିଯିବ ଓ ଫେରିବ ସାଙ୍ଗରେ ଜଣେ ନାଚବାଲୀକୁ ଧରି। ମାଆକୁ ଦେଖେଇ କହିବ ଏ ବୁଢୀ ଦେଖିଲୁ, ଏ ମାଇକିନିଆକୁ ବୋହୂ କରିବୁ? ତୁ ଯାହା କହିବୁ ସବୁ କରିବ। ଧନ୍ଦା କରି ପଇସା ବି ରୋଜଗାର କରିବ। ବୁଢୀ କିଛି ନ କହି ସୁଁ ସୁଁ କାନ୍ଦିବା ଆରମ୍ଭ କରିଦିଏ। ବାଘା ନାଚବାଲୀକୁ ଧରି ଘରେ ପଶିଯାଏ ଓ ବୁଢୀ ମୁହଁରେ ଧଡ୍ କରି କବାଟ ବନ୍ଦ କରିଦିଏ। ସାରାରାତି ଖୋଲା ଆକାଶ ତଳେ ବସି ଗୁମୁରି ଗୁମୁରି ବୁଢୀ କାନ୍ଦୁଥାଏ । ଘର ଭିତରୁ ଭାସି ଆସୁଥିଏ ବାଘା ଓ ନାଚବାଲୀର ବେଜାଏ ଅଶ୍ଳୀଳ ହରକତ ଓ ଗୋଟିକ ପରେ ଗୋଟିଏ ମଦ ବୋତଲ ଗଡିବାର ଶବ୍ଦ। କେତେଦିନ ବା ବୁଢୀ ଏମିତି ବଜାତିଆ କାମ ସହନ୍ତା। ଦିନେ ବାଘା ମୁହଁରେ ଶୁଣେଇଦେଲା ଯେ ସେ ଆଉ ବରଦାସ୍ତ କରିପାରିବନି। ଗୋଟେ ଛାତ ତଳେ ରହିଲେ ବି ସେ ଅଲଗା ରହିବ, ଅଲଗା ଖାଇବ। ପଛେ ଭିକ ମାଗି ପେଟ ପୋଷିବ କିନ୍ତୁ ପାପ ଟଙ୍କା ତୁଣ୍ଡକୁ ନବନି। ତେଣିକି ଯାହା କପାଳରେ ଲେଖାଥିବ ହବ। ଏମିତି କୁଳାଙ୍ଗାର ପୁଅ ତାର ଲୋଡା ନାହିଁ। ସେଦିନ ପ୍ରଥମଥର ବାଘା ବୁଢୀ ଉପରକୁ ହାତ ଉଞ୍ଚେଇଲା ମାରିବାକୁ। ରାଗରେ କି ମଦ ନିଶାରେ ଜଣା ନାହିଁ। କିନ୍ତୁ ବୁଢୀ ଭୟରେ ଅଚେତ ହୋଇ ପଡିଗଲା। ଚେତା ଆସିଲା ବେଳକୁ ମୁଣ୍ଡ ଫାଟି ରକ୍ତ ବୋହି ଚାଲିଛି। କୁଳାଙ୍ଗାର ପୁଅଟାକୁ ବୁଢୀମାଆର ରକତ ବି ଦିଶିଲାନି। ମୁହଁ ଆଡେଇ ଚାଲିଗଲା! ଛାତି ବାଡେଇ ବୁଢୀ ବାହୁନି କାନ୍ଦିଲା ବାଘାକୁ କେତେ ଯେ ସମ୍ପିଲା ତାର ହିସାବ ନାହିଁ। ଗଜା ଭେଣ୍ଡିଆ ପୁଅକୁ ମାଆ କଣ କେବେ ଅଭିଶାପ ଦେଇପାରେ? କିନ୍ତୁ ବୁଢୀ ସେଦିନ ଦେଇ ଚାଲିଥିଲା- - ଭୟଙ୍କର ଅଭିଶାପ। ବାଘା ହାତରେ ମଦ ବୋତଲ ଧରି ପୈଶାଚିକ ହସରେ ଜାଗାଟାକୁ କମ୍ପାଇ ଦେଉଥିଲା। ବୁଢୀକୁ ଛିଗୁଲାଇ କହିଲା ତୋ ମୁହଁ କୁ ଲାଜ ନାହିଁ ଯାହା ମୋତେ ଏତେ କଥା ଶୁଣଉଛୁ। ଜମିଦାର ସାଙ୍ଗରେ କି ଲୀଳା ଚଳେଇଥିଲୁ ମୁଁ କଣ ଜାଣିନି?

ଜନମକଲା ପୁଅ ମୁହଁରୁ ଏମିତି କଥା ଶୁଣିବା ପରେ ବୁଢୀ ପାଟିରେ ଜାବ ପଡି ଯାଇଥିଲା। ସେଦିନ ପରଠାରୁ ସେ ବାଘାର ମୁହଁ ଚାହୁଁ ନ ଥିଲା କି କଥାବାର୍ତ୍ତା କରୁ ନଥିଲା।

କଣ ମାଉସୀ କହ କିଏ ମାରିଲା ବାଘାକୁ। ନାକତଳେ ସଂବାଳୁଆ ପରି ମୋଟା କଳା ନିଶରେ ହାତ ସାଉଁଳାଇ ପଚାରିଲା ଦାରୋଗା।

ବୁଢୀର ପାଉଁଶିଆ ଆଖି ଯୋଡିକ ଛଳଛଳ ହୋଇ ଉଠିଲା। ଚିବୁକ ଦେଇବୋହି ଆସିଲା ଦୁଇଧାର ତତଲା ଲୁଣିଆ ପାଣି।ବେକର ଧାରରେ ଥିବା ଶିରା ଗୁଡିକ ଫୁଲିଯାଇ ଧକଧକ କରିବାରେ ଲାଗିଲେ। ମନ ଭିତରେ କୋହ ଉଠୁଥିଲା କି କଣ କହିବା କଷ୍ଟ ; କିନ୍ତୁ ଥରଥର କଣ୍ଠରେ କହିଲା- - କିଏ ଆଉ ମାରିବ। ତା କର୍ମ ତାକୁ ମାରିଦେଲା।

ଦାରୋଗା ଟିପା ଖାତାରେ କଣ ଲେଖିବ ବୋଲି ବାହାରୁଥିଲା,କିନ୍ତୁ ପେନ୍ କୁ ଖାତା ଉପରେ ଠପଠପ ବାଡେଇ ପୁଣି ପଚାରିଲା କାଲି ରାତିରେ ତୁ କେଉଁଠି ଶୋଇଥିଲୁ। ଭେଣ୍ଡା ପୁଅର ତଣ୍ଟି କିଏ କାଟିଦେଲା ଜାଣି ପାରିଲୁନି କେମିତି ?

ଅଭିମାନରେ ଜଳିପୋଡି ପାଉଁଶ ହୋଇ ସାରିଥିଲା ବୁଢୀ। ତୀକ୍ଷ୍ଣ ସ୍ବରରେ କହିଲା ଯେତେବେଳେ ଅନ୍ତଫାଡି ଜନମ କରିଥିବା ପୁଅ ମାଆକୁ ଦୋଚାରୁଣୀ କହିପାରିଲା, ମାଆ ପୁ୍ଅର ସମ୍ପର୍କ ରହିଲା କେଉଁଠି। ସେ ତା ବଖରା ରେ ଶୋଇଥିଲା, ମୁଁ ଶୋଇଥିଲି ମୋ ବଖରା ରେ। କଣ ହେଲା ଜାଣିନି କି ଜାଣିବାକୁ ଇଚ୍ଛା ନାହିଁ। ମଳିଛିଆ ଶାଢୀ କାନିରେ ଆଖି ପୋଛି ବୁଢୀ ସେ ଯାଗାରୁ ଚାଲିଯିବାକୁ ବାହାରିଲା। କିନ୍ତୁ ଦାରୋଗାର ନାଲି ଆଖି ଦେଖି ଦୁଇ ଆଣ୍ଠୁ ମଝିରେ ମୁଣ୍ଡ ଜାକି ଜୁଳୁଜୁଳୁ ଚାହିଁ ବସି ରହିଲା। ଦାରୋଗା ସାଙ୍ଗରେ ଆସିଥିବା ପୁଲିସି ମାନେ ଘରଟାକୁ ତନ୍ନତନ୍ନ କରି ଖୋଜି ପକେଇଲେ। ପ୍ରମାଣ ଭାବରେ ଖଟ ସନ୍ଧିରେ ଲୁଚିଥିବା ଅସନା କଟକଟ ହୋଇଥିବା ଫାଳେ ଚପଲ ଜଣେ ବୁଢା ହାବିଲଦାରକୁ ମିଳିଲା। ତା ଛଡା ସୁତାଖିଏ ବି ମିଳିଲାନି। କାନ୍ଧରେ ରୁଲ୍ ବାଡି ବୁଲେଇ ଦାରୋଗା ଜଣ ଜଣ କରି ଗାଁଆ ଲୋକଙ୍କୁ ନାହିଁ ନଥିବା ପ୍ରଶ୍ନ ପଚାରି ଚାଲିଲା। ସଭିଙ୍କ ମୁହଁରେ ସେଇ ଗୋଟିଏ କଥା। ବାଘାଟା କେଉଁ ସୁଧାର ମଣିଷ ଥିଲା ଯେ ତା ବିଷୟରେ କିଏ ଖବର ରଖିବ। ମଣିଷ ଦେହରେ ସେ ଗୋଟେ ଜାନୁଆର ଥିଲା। ତା ଘର ଆଗଦେଇ ଯଦି କିଏ ଚାଲି ଯାଉଥିଲା ତାକୁ ସେ ଝିଙ୍ଗାସି ପକାଉଥିଲା। ଗାଁଆର ଝିଅବୋହୂଙ୍କ ଇଜ୍ଜତ ତା ପାଇଁ ମାଟି ହାଣ୍ଡି ସମାନ ଥିଲା। ସବୁରାତିରେ କାହା ନା କାହା ଘରୁ ବୁକୁଫଟା କାନ୍ଦଣା ଭାସି ଆସୁଥିଲା ଓ ସେଥିପାଇଁ ଦାୟି ଥିଲା ବାଘା। ସେ ମଲାନି ଯେ ଗାଁଆଟା ତ୍ରାହି ପାଇଗଲା। ତା ଶତୃ ମାନଙ୍କ କଥା ନ କହିବା ଭଲ। ଏମିତି କେହି ନ ଥିଲେ ଯାହା ସହ ବାଘା ପରସ୍ତେ ଗଣ୍ଡଗୋଳ ନ କରିଛି। ଦୁନିଆଁ ଯାକର ଫନ୍ଦିଫିକର ଓ ଗୁଣ୍ଡାମୀରେ ସେ ଉସ୍ତାଦ୍ ଥିଲା। ଏପରି ଅବସ୍ଥାରେ ତା ହତ୍ଯାକାରୀକୁ ଖୋଜିବା ସମୁଦ୍ର ବାଲିରେ ହଜି ଯାଇଥିବା ମୋତି ଖୋଜିବା ସହ ସମାନ। ଦାରୋଗା ଜାଣି ସାରିଥିଲା କୌଣସି ପ୍ରମାଣ ମିଳିବା କଷ୍ଟ। ତେଣେ ବୁଢା ହାବିଲଦାର ସେ ଅପରଛନିଆ ଚପଲ ଫାଳକ ନେଇ ଘର ପଛ କୂଅରେ ଫିଙ୍ଗିଦେଲା। କାରଣ ତାହା ହିଁ ଥିଲା ଏକ ମାତ୍ର ପ୍ରମାଣ। ତା ଆଖି ସାମ୍ନାରେ ନାଚି ଯାଉଥିଲା ତା କଲେଜ ପଢା ଝିଅର ବିକଳ କାନ୍ଦଣା। ସେହି ଅଶୁଭ ରାତିରେ ବଜାରରୁ ଫେରିଲା ବେଳେ ବିଚାରି ବାଘା ବାହୁଡରେ ପଡିଯାଇଥିଲା। ତା ପିନ୍ଧା ବସନ ସହିତ ଚିରି ଯାଇଥିଲା ମାନ,ଇଜ୍ଜତ ସବୁକିଛି। କୌଣସି ମତେ କଥାଟା ଲୁଚାଇ ରଖି ଝିଅକୁ ତରତରରେ ବାହା କରିଦେଲା ବୁଢା ହାବିଲଦାର। ଏବେ ନାତିକୁ କୋଳରେ ଧରି ଗେଲ କଲାବେଳେ ସମସ୍ତଙ୍କ ଅଜାଣତରେ ବୁଢା ନାତି ଭିତରେ ଖୋଜି ଚାଲିଥାଏ ବାଘାକୁ।

ଲାସ୍ ଗାଡିରେ ଲଦା ସରିଥିଲା। ପୋଷ୍ଟମର୍ଟମ ପରେ କିଏ ଶବ ସତ୍କାର କରିବ ସେ ବିଷୟରେ ଘମାଘୋଟ ଆଲୋଚନା ଚାଲିଥିଲା। ବୁଢୀକୁ ପଚାରିବାରୁ ସେ କିଛି ନକହି ଛେଳି ଚରେଇବାକୁ ଚାଲିଗଲା। ଗାଁଆ ଲୋକଙ୍କ ଏକା ଜିଦ୍ ଯେ ଗାଁଆ ମଶାଣି ରେ ଏ ନିଉଛୁଣିଆ ମଣିଷ ପାଇଁ ଜାଗା ନାହିଁ। ସରକାର ଯୁଆଡେ ଚାହିଁବ ତା ଶବ ସିଆଡେ ଯିବ। ତେଣିକି ନାଳ ରେ ଫିଙ୍ଗ କି ଶାଗୁଣାକୁ ଦିଅ ଆମର କିଛି ପରବାୟ ନାହିଁ। ଦାରୋଗା ଟିପାଖାତାରେ କଣ ସବୁ ଲେଖି ଚାଲିଲା ଓ ଲାସ୍ ପାଖକୁ ଗଲା। ବାଘା ଦେହରେ ଥିବା କ୍ଷତ ଚିହ୍ନ ସବୁକୁ ଆଉଥରେ ତନଖି କରି ଟିପା ଖାତାରେ ଗାରେଇବା ଅବସରରେ ମୋଟା ସୁନା ଚେନ୍ ଓ ଦଶଟା ସୁନା ମୁଦି ଲାସ୍ ଦେହରୁ ତା ପକେଟକୁ ଆସି ସାରିଥିଲା। ଗାଁଆଲୋକେ ସବୁ ଦେଖୁଥିଲେ, କିନ୍ତୁ ତାଙ୍କୁ କିଛି ଦିଶୁ ନଥଲା। ସେସବୁ ଜିନିଷ ନିଆଁ ଗିଳି ଥାଆନ୍ତା ; ଆଉ ଜଣେ ଗିଳିଦେଲା ସେଥିରେ ଭାବିବାର କଣ ଅଛି।

ଲୋକଙ୍କ ଭିଡ ଭିତରେ ଦଶବାର ବର୍ଷର ନହନହକା ପିଲାଟେ ଭାରି ଚଙ୍ଗଚଙ୍ଗ ହେଉଥିଲା। ଦିହସାରା ହୋଇଥିବା ଆଞ୍ଚୁଡା ଦାଗକୁ ଚିରା ଶାଢୀରେ ଲୁଚାଇବାକୁ ଚେଷ୍ଟାକରୁଥିବା ବିଧବା ମାଇପିଟେ ତାକୁ ଆକଟ କରିବାରେ ଲାଗିଥିଲା। ସମସ୍ତଙ୍କ ଆଖି ସ୍ଥିର ଥିଲା ଧଳା ଚାଦର ତଳେ ଚାରିକାତ ମେଲାଇ ପଡିଥିବା ବାଘା ଉପରେ ତେଣୁ ମାଆପୁଅଙ୍କ ଆଡକୁ କାହାର ନଜର ନଥିଲା। ସେତିକିବେଳେ ପିଲାଟା ତା ମାଆ କାନରେ


ଫିସଫିସ କରି କହିଲା ମାଆ ଲୋ, ମୋର ଫାଳେ ଚପଲ କଣ ହେବ ? ମୋ ପାଇଁ ହଳେ ନୂଆ ଚପଲ କିଣିଦେବୁ ତ? ବାଘାର ଶବ ଗାଡିରେ ବୁହା ହୋଇ ଯିବା ସହିତ ଅନେକ କଳଙ୍କିତ ଅଧ୍ଯାୟ ଉପରେ ଯବନୀକା ପଡି ସାରିଥିଲା। ଘର ପାଖରେ ଥିବା ବରଗଛରେ ନୀଡ ବାନ୍ଧି ଅଣ୍ଡା ଉଷୁମାଉଥିବା ଚଢେଇଟି ଏକ ଲୟରେ ଚାହିଁ ରହିଥିଲା ମାଆ ପୁଅଙ୍କୁ। ସେପଟେ ଘର ପଛପଟେ କୂଅ ଭିତରେ ଚପଲ ଫାଳକ ନିଶ୍ଚିନ୍ତ ହୋଇ ଭାସୁଥିଲା। ବୋଧହୁଏ ସେ ସବୁ ଜାଣି ଅଜଣା ହେବାର ନିଖୁଣ ଅଭିନୟ କରୁଥିଲା ।



Rate this content
Log in

Similar oriya story from Drama