ପେଚା ବି ଗୋଟେ ପକ୍ଷୀ
ପେଚା ବି ଗୋଟେ ପକ୍ଷୀ


ଶରୀର ଥିଲେ ରୋଗ ନିଶ୍ଚୟ ରହିଛି. ରୋଗ ହେଲେ ହସ୍ପିଟାଲ ନଯାଇ ବାଟ ନାହିଁ ତ ଡାକ୍ତର ବୋଉକୁ ପରୀକ୍ଷା ନିରୀକ୍ଷା କରି ଯାହା ଦେଖିଲେ କହିଲେ ଜଗି ରଖି ଚଳନ୍ତୁ କାରଣ ରୋଗ ଗୁଡି଼କର ନିଦାନ କହିବାକୁ ଯାଇ ଡାକ୍ତର ଘୋର ଅସୁବିଧାର ସମ୍ମୁଖୀନ ହେଲେ କହିଲେ ଦେହରେ ଏତେ ସାରା ବିପରୀତ ଧର୍ମୀ ରୋଗର ନିଦାନ କହିବା ଅସମ୍ଭବ. ଏଣେ ଡାଇବେଟିସ ତେଣେ ଆମେନିଆଁ. ଏଣେ କୋଲେଷ୍ଟ୍ରାଲ ତେଣେ ୟୁରିକ ଏସିଡ ବଢିଛି. ତେଣେ ଭିଟାମିନ ଡି କମିଛି ତ ଖରାରେ ଠିଆ ହେଲେ ମୁଣ୍ଡବିନ୍ଧା. ଏତେ ସବୁ କଂଟ୍ରାଡିକ୍ଟ ରୋଗ. ଦେଖିଚାହିଁ ଚଳନ୍ତୁ ଓ ଖାଦ୍ୟ ପାନୀୟ ଠିକ ରଖନ୍ତୁ ଶୁଣି ବୋଉ ଚାଲିଆସିଲା ଗାଁକୁ. ପୁଅ ଯେତେ ବାଧ୍ୟ କଲେ ମଧ୍ୟ ତାର ଏକାଯିଦ ଗାଁର ପୈତୃକ ଘର ତାର ସ୍ୱର୍ଗ. ବୋଉ ମଧ୍ୟ ଏତେ ରୋଗ ଭିତରେ ଚଳ ଚଞ୍ଚଳ ରହି ଠିକଠାକ ଥିଲା.
ଗାଁରେ ଏବେ ଏବେ ଗୋଟେ ନିର୍ଦ୍ଦିଷ୍ଟ ସମୟରେ ମାନେ ରାତ୍ରୀର ପ୍ରଥମ ପ୍ରହରରେ ପେଚା ବୋବାଉ ଥିବାର ବୋଉ ଶୁଣିବାକୁ ପାଇଲା. ଅଖଣ୍ଡଦୀପ କିନ୍ତୁ ଜଳୁଥିଲା. ପୁଅ ବୋହୁ ନାତିକୁ ନେଇ ପୂର୍ବ ପଶ୍ଚିମ ଉତ୍ତର ଦକ୍ଷିଣ ଭାରତ ବୁଲିଵାକୁ ଯାଉଥିଲେ ତ ବୋଉ ଅଖଣ୍ଡ ଦୀପ ଜାଳି ଜାଳି ତାଙ୍କ ଯାତ୍ରାର ଶୁଭ ମନାସୁଥିଲା. ସେମିତି ଝିଅ ଜୋଇଁ ନାତୁଣୀକୁ ନେଇ ଝିଅର ଶାଶୁ ଶଶୁରଙ୍କ ସହ ଚାରିଧାମ ଯାଉଥିଲେ ତ ବୋଉର ଦୀପ ଜଳା ସାଙ୍ଗକୁ ଜଣାଣ ଭଜନର ମାତ୍ରା ବଢ଼ି ବଢ଼ି ଚାଲିଥିଲା. ରାତିରେ ପେଚା ବୋବାଳିରେ ନିଦ ଯେମିତି ହେଲେ ଭାଙ୍ଗି ଯାଉଥିଲା ବୋଉର ତ ଠିକ ସେତିକିବେଳେ ଶିଆଳିଆପତନୀ ଠାକୁର ଘରେ ପଶି ଭୋଗ କିସମିସ ଖାଉଥିଲା ତ ବାପା କହୁଥିଲେ ପ୍ଲସ ଓ ମାଇନସ ଉଭୟ ମିଶି ଜିରୋ. ମାନେ, ବୋଉପଚାରୁଥିଲା ତ ବାପା କହୁଥିଲେ ସେଇ କଂଟ୍ରାଡିକ୍ଟ. ପେଚା ବୋବେଇବା ତାର ଧର୍ମ. ସେ ରାତିର ରାଜା
ପକ୍ଷୀ. ରାତିରେ ଦେଖିପାରେ ବୋଲି ଶୀକାର କରେ, ଶୃଙ୍ଗାର କରେ. ଏଥିରେ ଶୁଭ ଅଶୁଭ ଗୋଟେ କଣ!ବୋଉର ଯୁକ୍ତି ବୋହୁ ହୋଇ ଆସିବା ପରଠୁ ଗାଁରେ ଏତେବର୍ଷ ରହିଲିଣି କେଵେ ଏମିତି ପେଚା ବୋବେଇଵା ଶବ୍ଦ ମତେ ଶୁଭିନଥିଲା ତ ସେଇଥିପାଇଁ ଆଶଙ୍କା ବଢିବା କଥା . ବାପା କହନ୍ତି ହଉ ତୁମରି କଥା ଯଦି ଅଶୁଭ ତେବେ ଶିଆଳିଆପତନୀ ଠାକୁର ଘରେ ପଶି ଭୋଗ ଖାଇବା ନିଶ୍ଚୟ ଶୁଭ. ବୋଉର ହଁ ଉତ୍ତର ଶୁଣି ବାପା ହସି ହସି ପ୍ଲସ ମାଇନସ କ୍ୟାନ୍ସଲ କହୁଥିଲା ବେଳେ ବୋଉ କହୁଥାଏ ଜୀଵନଟା ମୋର ସେଇ କଂଟ୍ରାଡିକ୍ଟ ହୋଇ ଚାଲିବ ଦେଖୁଛି . ବାପା କହୁଥାନ୍ତି ତେବେ କଣ କରିବା? ପୁଅ ପାଖକୁ ଦିଲ୍ଲୀ ଵା ଝିଅ ପାଖକୁ କୋରାପୁଟ ଚାଲିଯିବା ବ୍ୟସ୍ତ ହୁଅନି, ରାତି ହେଲାଣି ଶୋଇପଡ.
ସକାଳୁ ବୋଉ କହୁଥିଲା ରୋଷେଇ ଘରେ କିଛି ଗୋଟେ ମରିଛି, ଜଣାପଡୁନି କୋଉଠି କଣ କିପରି . ଗନ୍ଧରେ କିନ୍ତୁ ରହି ହେଉନି. ମୂଷା ମରିଥିବ କହି ବାପା ଏଣେ ତେଣେ ଯିବେ ହେଲେ ବୋଉତ ରୋଷେଇ କରିବ ନା. ଏ ବିପରୀତଧର୍ମୀ ଜୀବନରେ ମୂଷା...ପେଚା, ସାପ...ନେଉଳ ତାଙ୍କୁ ଛାଡୁନାହାଁନ୍ତି ଗାଁ ଘରେ .ଗନ୍ଧର ପ୍ରକୋପ ବଢୁଛି ତ ନିଶୁଣି ପକେଇ ଦେଖିଲା ବେଳକୁ ଶିଆଳିଆପତନୀ ମାରିପଡିଛି. ଟିକେଟ କରିବି ଦିଲ୍ଲୀ ଯିବା ନା କୋରାପୁଟ ଯିବା ପଚାରୁଥିଲେ ବାପା ତ ବୋଉ କହୁଥିଲା କାହିଁ ଆଉ ପେଚା ବୋବାଳି ଶୁଣୁନି ତ. ବାପା ହସି ହସି ପୁଣି କହୁଥିଲେ ପ୍ଲସ ମାଇନସ ହୋଇ କ୍ୟାନ୍ସଲ ତେବେ!. ବୋଉ କହୁଥିଲା ପେଚା ପକ୍ଷୀଟାଏ ଯେତେବେଳେ ବୋବାଳି କରିବା ତାର ଧର୍ମ. ଆଉ ଶିଆଳିଆପତନୀ ଆଜିଯାଏଁ ଭୋଗ ଖାଉଥିଲା ଏବେ ମରିଗଲା ଏସବୁ? ପଚାରୁଥିଲେ ବାପା ତ ବୋଉ କହୁଥିଲା ହଁ ମ ସେଇ ଡାକ୍ତର କହୁନଥିଲେ ଆମର ଗାଁ ଘର, ବିଚାର, ରୋଗ ଋଣ ସବୁ କଂଟ୍ରାଡିକ୍ଟ. ବାପା ବୋଉକୁ ଚାହିଁଥିଲେ ଜଳଜଳ କେବଳ।