Madhu mita

Fantasy Inspirational Thriller

4  

Madhu mita

Fantasy Inspirational Thriller

ପଡିଶା ଘର ଭାଉଜ

ପଡିଶା ଘର ଭାଉଜ

11 mins
365


କିଏ କେଜାଣି ଆସୁଛନ୍ତି ପାଖ ବଖରାକୁ ଘର ମାଲିକ ଦୁଇଦିନ ଆଗରୁ କହି ସାରିଲେଣି ଟିକେ ଦେଖି ରଖି ଚଳିବାକୁ।ଆଜିକାଲି ଘର ଭଡ଼ା ମିଳିବା ଯାହା ହେଲାଣି ନା !କେବଳ ବିକାଶର ମଉସା କହିଲେ ବୋଲି ଘର ମାଲିକ ତାକୁ ଗୋଟିଏ ବଖରା ଦେଇଛନ୍ତି ଭଡ଼ା ପାଇଁ। ନ ହେଲେ ତା ପରି ବ୍ୟାଚେଲରକୁ କିଏ ରୁମ୍ ଦିଅନ୍ତା ? ସେଥିପାଇଁ ସେ ନିଶ୍ଚିତ ଯେ ପାଖ ରୁମକୁ ନିଶ୍ଚୟ କେହି ବିବାହିତ ଦମ୍ପତି ଆସୁଥିବେ

ସାମ୍ନାସାମ୍ନି ନ ହେଲେ ମଧ୍ୟ ଗୋଟିଏ ତ୍ରିକୋଣ ରେଖାରେ ତିନୋଟି ବଖରା ଭଡ଼ା ପାଇଁ ଦେଇଛନ୍ତି ଘରମାଲିକ।ରୁମ୍ ସବୁକୁ ଲାଗି ଆଟାଚ ବାଥରୁମ ଆଉ ସମସ୍ତଙ୍କର କମନ୍ ଅଗଣା।କପଡ଼ା ଶୁଖା ପାଇଁ କମନ ସ୍ପେସ।ଆଉ ଗାଡ଼ି ରଖିବା ପାଇଁ ମଧ୍ୟ।ସେଥିପାଇଁ କାହାକୁ ଫୋର୍ ହ୍ୱିଲର ରଖିବାକୁ ଅନୁମତି ନାହିଁ।ଏସି କି ୱାସିଂ ମେସିନ ପାଇଁ ମଧ୍ୟ କଟକଣା।ଉପରେ ରୁହନ୍ତି ଘର ମାଲିକ ଆଉ ପ୍ରତି ମୁହୂର୍ତ୍ତରେ ତଳ ଭଡାଟିଆ ଉପରେ ନଜର ରଖନ୍ତି। ଗୋଟିଏ ରୁମରେ ବିକାଶ ଥାଏ।ଆଉ ତା ସାମ୍ନା ରୁମରେ ଥାଆନ୍ତି ଜଣେ ବୃଦ୍ଧ ଦମ୍ପତି।ସେମାନଙ୍କ ଛୁଆମାନେ ବିଦେଶରେ ରୁହନ୍ତି।ଆଉ ବିକାଶ ଘର ପାଖକୁ ଲାଗି ଥିବା ରୁମକୁ ସେଦିନ ନୂଆ ଭଡାଟିଆ ଆସୁଥାନ୍ତି।

ଅଫିସରୁ ଫୋନ ଆସିବା ପରେ ବିକାଶକୁ ଯିବାକୁ ପଡ଼ିଥିଲା।ଆଉ ରୁମକୁ ଫେରି ଆସିଲା ବେଳେ ରାତି ହୋଇ ଯାଇଥିଲା।ପଡୋଶୀ ଘର ଲାଇଟ୍ ଲାଗିଥିବାରୁ ସେ ଜାଣି ଯାଇଥିଲା ଯେ ନୂଆ ଭଡ଼ା ଆସି ଗଲେଣି।ସକାଳୁ ଦେଖା ହେବ ଭାବି ଶୋଇବାକୁ ଗଲା ବିକାଶ। ପାଖ ଘରୁ ମଧୁର ବାସ୍ନା ସହିତ ଚୁଡ଼ିର ରୁଂଝୁଣ ଶବ୍ଦ ବିକାଶକୁ ରାତି ସାରା ଶୁଏଇ ଦେଇ ନ ଥିଲା।ଅତଏବ ସକାଳୁ ଆଖିରେ ଆଖିଏ ନିଦ ଥାଇ ସେ ଅଗଣାକୁ ବାହାରି ଗଲା ବ୍ୟାୟାମ କରିବାକୁ।ଏହା ତାର ନିତିଦିନିଆ ଅଭ୍ୟାସ।ସକାଳୁ ସକାଳୁ ଆଶ୍ଚର୍ଯ୍ୟ ହେଲା ସେ ପଡିଶା ଘର ଭାଉଜଙ୍କୁ ଦେଖି ! ସତେ ଯେପରି ସ୍ଵର୍ଗରୁ କେଉଁ ଅପସରା ଓହ୍ଲେଇ ଆସିଛନ୍ତି। ବାଲ୍ଟିରେ କପଡ଼ା ଆଣି ସେ ଶୁଖାଉଥିଲେ ଅଗଣାରେ।ବିକାଶକୁ ଦେଖି ଅଳ୍ପ ହସିଦେଲେ।ବିକାଶ ସେଇ ମନମୋହକ ହସ ଦେଖି କିଛି ସମୟ କିଛି କହି ପାରିଲା ନାହିଁ।ତା ପରେ ନିଜ ପରିଚୟ ଦେବାକୁ ଆରମ୍ଭ କଲା ବେଳେ ପାଖ ଘରୁ ବାହାରି ଆସିଲେ ସେ ମହିଳାଙ୍କ ସ୍ବାମୀ !

"ବିକାଶ ତୁ ?" କହି ଆଲିଙ୍ଗନ କଲେ ସେ।ବିକାଶ ମଧ୍ୟ ଯାବୋଡ଼ି ଧରିଲା "ସୁମିତ !ତୁ ଏଇଠି ?"ଦୁହେଁ ପିଲା ଦିନରୁ ସାଙ୍ଗ ଥିଲେ।କଲେଜ୍ ପଢିଲା ବେଳେ ସୁମିତ ନିଜ ରିସର୍ଚ୍ଚ କାମରେ ଲାବୋରେଟରୀରେ ବହୁତ୍ ସମୟ ବିତେଇବାକୁ ଲାଗିଲା।ଆଉ ବିକାଶ ମିଡ଼ିଆ ଲାଇନରେ ବ୍ୟସ୍ତ ରହିଲା।ସମୟକ୍ରମେ ଦୁହେଁ ବିଗତ କିଛି ବର୍ଷ ହେବ ଦେଖା ସାକ୍ଷାତ ହେବା ଦୂରର କଥା ପରସ୍ପର ସହ କିଛି ଯୋଗାଯୋଗ ମଧ୍ୟ କରି ପାରି ନ ଥିଲେ। ହେଲେ ଏମିତି ହଠାତ୍ ଦେଖା ହେବେ ବୋଲି ସେମାନେ ଭାବି ନ ଥିଲେ।ସାଙ୍ଗ ସହିତ ମିଳନ ପରେ ପାଖରେ ଠିଆ ହୋଇଥିବା ଭାଉଜ ଆଡେ ଦେଖି ବିକାଶ କହିଲା ଭାଉଜଙ୍କ ସହ ପରିଚୟ କରେଇବୁନି ?"

"ହଁ ଇୟେ ଉର୍ମି"ସୁମିତ କହିଲା ଆଉ ଘର ଭିତରକୁ ଚାଲି ଗଲା।ବିକାଶ ଦୁଇ ହାତ ଯୋଡ଼ି ଭାଉଜଙ୍କୁ ନମସ୍କାର କଲା।ଭାଉଜ ମଧ୍ୟ ହସି କହିଲେ.."ପରେ କଥା ହେବା।ପଡିଶାରେ ତ ଅଛେ !"ଆଉ ସେ ମଧ୍ୟ ବିକାଶକୁ ଅଗଣାରେ ଛାଡି ରୁମକୁ ଚାଲିଗଲେ। ବିକାଶର ମନ କାହିଁକି କେଜାଣି ଆଜିକାଲି ବେଶୀ ଘରକୁ ଆସିବାକୁ ହେଉଥିଲା !ଆଉ ଘରକୁ ଆସୁ ଆସୁ ଅଗଣା ଦେଇ ଭାଉଜ ଘର ଆଡେ ଆଖି ଚାଲି ଯାଉଥିବା ସେ ନିଜେ ଜାଣି ପାରୁ ନ ଥିଲା।ଭାଉଜ ଅନ୍ୟ ନାରୀ ମାନଙ୍କ ଠାରୁ ଅଲଗା ନିଶ୍ଚୟ ଥିଲେ।କେତେବେଳେ ତାଙ୍କ ମୁହଁରେ କ୍ଲାନ୍ତିର ଛାପ ନ ଥାଏ।ଦିନସାରା ଗୋଟିଏ ଚଳନ୍ତି ମେସିନ ପରି ଏପଟ ସେପଟ ହୁଅନ୍ତି।ବହୁତ୍ କାମ କରନ୍ତି।ଏମିତିରେ ଘର କାମ ପାଇଁ ମେସିନ ବ୍ୟବହାର ମନା।ତେଣୁ ଭାଉଜ ସବୁବେଳେ ଚଳଚଞ୍ଚଳ।ତାଙ୍କ ଘର କେମିତି କେଜାଣି ଖାଲି ଚିକ ଚିକ୍ ଦେଖାଯାଏ।ଘର ମାଲିକ ମଧ୍ୟ ବହୁତ୍ ଖୁସି ହୁଅନ୍ତି ଭାଉଜ ଉପରେ।କିଏ ବା ଖୁସି ହେବନି ? ସୁନ୍ଦରତା ଆଉ ଗୁଣ କିଛି କଣ ଅଭାବ ଅଛି ତାଙ୍କ ପାଖରେ ? ଆଉ କଥା ଓଃ ସତେ ଯେମିତି ମହୁ ଝରେ।କେଜାଣି ଭାଉଜ ଯଦି କେବେ ଗୀତ ଗାଇବେ ହେଲେ ଇଣ୍ଡଷ୍ଟ୍ରିରେ ଆଉ କିଏ ସିଙ୍ଗର ବୋଧେ ରହିବେନି ! ଭାଉଜଙ୍କ ବିଷୟରେ ପ୍ରତ୍ୟହ ନୂଆ ନୂଆ ତଥ୍ୟ ପାଉଥିଲା ବିକାଶ।ଯେମିତି ସେଦିନ ପାଣି ବନ୍ଦ୍ ହୋଇ ଯାଇଥିଲା ଆଉ ଭାଉଜ ପାଖ ବୋରୱେଲ ରୁ କେବଳ ତାଙ୍କ ଘର ପାଇଁ ନୁହେଁ ବରଂ ଘର ମାଲିକ,ବୁଢ଼ା ମଉସା ମାଉସୀ ସମସ୍ତଙ୍କ ପାଇଁ ପାଖାପାଖି କୋଡ଼ିଏ ବାଲ୍ଟି ପାଣି ବୋହି ଆଣି ସାରି ମଧ୍ୟ ପ୍ରସନ୍ନ ଦିଶୁଥିଲେ।ଆଉ ବିକାଶ କେବଳ ତା ନିଜ ଆବଶ୍ୟକତା ପାଇଁ ମାତ୍ର ଦୁଇ ବାଲ୍ଟି ପାଣି ଆଣି ହାଲିଆ ହୋଇଯାଇଥିଲା।ମନେ ମନେ ଈର୍ଷା ଆସୁଥିଲା ସୁମିତ ପ୍ରତି।କେଡେ ଉଚ୍ଚା କପାଳୀ ସତେ !ଏମିତି ଜୀବନ ସଙ୍ଗିନୀ ପାଇଲେ ଜୀବନ କେତେ ଆନନ୍ଦମୟ ହୋଇଯାଏ ସତରେ ?

ଓଃ ଭାଉଜଙ୍କ ପ୍ରତ୍ୟେକ କଥା ସତରେ ଭାରି ନିଆରା।କେତୋଟି କଥା ବିକାଶର ଯୁବ ସୁଲଭ ମନରେ ଘର କରି ରହି ଯାଇଥିଲା ବେଳେ ଆଉ କେତୋଟି କଥା ତାକୁ ଦୋହଲାଇ ଦିଏ !ଏଇ ଯେମିତି ଯେମିତି କି ଦିନେ ହଠାତ୍ ଭାଉଜଙ୍କ ପାଖ ଦେଇ ଚାଲିଯିବା ବେଳେ ତାଙ୍କ ହାତରେ ବିକାଶର ହାତ ବାଜିଗଲା।ଓଃ ସତେ ଯେମିତି ବରଫ ଏତେ ଥଣ୍ଡା କେମିତି ହୋଇପାରେ କାହା ଦେହ ! ଆଶ୍ଚର୍ଯ୍ୟ ହେଲା ତଥାପି ଏଇ କଥାକୁ ଏତେ ଗୁରୁତ୍ଵ ଦେଇ ନ ଥିଲା ବିକାଶ କିନ୍ତୁ ସୁନ୍ଦରୀ କର୍ମଠ ଭାଉଜଙ୍କ କିଛି ଫୋଟ କେଜାଣି କେମିତି ଅଲକ୍ଷ୍ୟରେ ସେ ତୋଳି ନେଇ ଯାଇଥିଲା ନିଜ ମୋବାଇଲରେ।ଅବଶ୍ୟ ଏହାକୁ ବୟସର ଦୋଷ ବୋଲି ଧରି ନିଆଯାଇପାରିବ।ଆଉ ବଖରାରେ ବସି ସେଦିନ ରାତିରେ କାହିଁକି କେଜାଣି ସେଇ ଫୋଟ ଦେଖିବାକୁ ମୋବାଇଲ ଖୋଲିଲା। ଆଶ୍ଚର୍ଯ୍ୟ !ଭାଉଜଙ୍କ ଫଟୋ କାହିଁ ! ଆଖ ପାଖର ସବୁ ଦୃଶ୍ୟ ତ ଅଛି ଏପରିକି ସୁମିତ ମଧ୍ୟ କିଛି ଫୋଟରେ ଠିକ୍ ଦେଖା ଯାଉଛି କିନ୍ତୁ କେବଳ ଭାଉଜ ହିଁ କେଉଁ ଫୋଟରେ ନାହାନ୍ତି ? ଏଇଟା କେମିତି ସମ୍ଭବ ?ବିକାଶ ନିଜେ ଜଣେ ମିଡ଼ିଆ ୱର୍କର।ଆଉ ତା କ୍ୟାମେରା ଯାହା କେହି ଦେଖି ନ ପାରିବା ବିଷୟ ମଧ୍ୟ କ୍ୟାପଚୁର କରି ଦିଏ ଆଜି ଭାଉଜଙ୍କ ଫୋଟ କେମିତି ଠିକରେ ଉଠେଇ ପାରିନି ? ନା ନା କେଉଁଠି କିଛି ନିଶ୍ଚୟ ଗଡବଡ ହେଇଛି। ରାତି ସାରା ଶୋଇ ପାରିଲାନି ବିକାଶ।ସକାଳୁ କେମିତି ଭାଉଜ ବାହାରକୁ ଆସିବେ ଆଉ ସେ ତାଙ୍କ ଫୋଟ ଉଠେଇବ ସେଇ ଚିନ୍ତାରେ ଥାଇ ରାତି ସାରା ପଲକ ପକେଇ ପାରିଲାନି ସେ।ସକାଳୁ ଅଗଣା ପାଖକୁ ଆସି ସୁମିତ ଘର ଆଡେ କେହି ନ ଜାଣିଲା ପରି ଫୋକସ୍ କରି ରଖିଲା ମୋବାଇଲ କ୍ୟାମେରା।ଆଉ ସୁବିଧା ପାଇବା ସଙ୍ଗେ ସଙ୍ଗେ କେଇ ଫୋଟ ଉଠେଇ ନେଲା ପଡିଶାଘର ଭାଉଜଙ୍କର ! ରୁମକୁ ଆସି ମୋବାଇଲ ଦେଖି ତା ଦେହରୁ ଝାଳ ବାହାରିଗଲା।ସବୁ ଦୃଶ୍ୟ ତ ସ୍ପଷ୍ଟ ଥିଲା।କେବଳ ଫୋଟ ମାନଙ୍କରେ ଭାଉଜ ହିଁ ନ ଥିଲେ।ମୁଣ୍ଡ ଗୋଳମାଳ ହୋଇ ଯାଇଥିଲା ତାର।କଣ କରିବ ! ଏ କଥାର ରହସ୍ୟ କେମିତି ଜାଣିବ ?କଣ ହୋଇପାରେ ଏହାର କାରଣ ? ଭାବି ଚିନ୍ତି ନିଷ୍ପତ୍ତି ନେଲା ଯାହା ହେଲେ ହେଉ ଏଇ ବିଷୟ ସେ ସୁମିତକୁ ପଚାରି ଦେବ।ଆଉ ସମୟ ସୁବିଧା ଦେଖି ସେଦିନ ସଂଧ୍ୟାରେ ସୁମିତକୁ ସମୁଦ୍ର କୂଳକୁ ସୂମିତକୁ ଡାକିଲା ଆଉ ମନର ସବୁ କଥା ଏକ ନିଃଶ୍ୱାସରେ କହିଦେଲା।

ଅଳ୍ପ ହସିଲା ସୁମିତ।ଆଉ କହିଲା."ମଣିଷ ହେଲେ ସିନା ଫୋଟରେ ଦେଖା ଯାଇଥାନ୍ତା !" ଚମକି ପଡିଲା ବିକାଶ !ସେ କିଛି ପଚାରିବା ଆଗରୁ ସୁମିତ କହିଲା" ତୁ ଯାହାକୁ ଦେଖୁଛୁ ସେ ମଣିଷ ନୁହେଁ ସାଙ୍ଗ।ସେ ଜଣେ ଏଲିଆନ" ହସିଲା ବିକାଶ "ଥଟ୍ଟା କରୁଛୁ ସୁମିତ " "ନା ବିକାଶ ଦୀର୍ଘ ନିଃଶ୍ୱାସ ନେଇ କହିଲା ସୁମିତ ତୋର ନିଶ୍ଚୟ ମନେ ଥିବ ପଢା ସରିଲା ପରେ ମୁଁ ମହାକାଶ ସମ୍ବଧୀୟ ରିସର୍ଚ୍ଚ କାମରେ ତୁମ ସମସ୍ତଙ୍କଠାରୁ ଦୂରେଇ ଗଲି।ପ୍ରକୃତରେ ମୁଁ ପୃଥିବୀ ଛଡା ଅନ୍ୟ କେଉଁ ଗ୍ରହ ଉପଗ୍ରହରେ ଜୀବନ ସନ୍ଧାନ ହେଇ ପାରୁଛି କି ନାହିଁ ସେକଥା ଉପରେ କାମ କରୁଥିଲି।ଆଉ ସେଇ ଅନୁସନ୍ଧାନ କରୁ କରୁ ମୁଁ ଏପରି ଏକ ଗ୍ରହର ସନ୍ଧାନ ପାଇଲି ଯେଉଁଠି ପୃଥିବୀର ଫ୍ରିକ୍ୟୁଏନ୍ସି ମ୍ୟାଚ୍ କଲା।ସେମାନଙ୍କ ସହିତ ମୁଁ ବୈଦ୍ୟୁତିକ ତରଙ୍ଗ ମାଧ୍ୟମରେ ଯୋଗାଯୋଗ କଲି।ଆଉ ତିନି ବର୍ଷ ତଳେ ଦିନେ ଗୋଟିଏ ସ୍ପେସସିପ ଆସି ସମୁଦ୍ର କୁଳରୁ ମୋତେ ତାଙ୍କ ଗ୍ରହକୁ ନେଇ ଯାଇଥିଲା।" ବିକାଶର ମନେ ପଡ଼ିଲା ପ୍ରାୟ ତିନି ବର୍ଷ ତଳେ ସମୁଦ୍ର କୂଳରେ ସ୍ପେସସିପ ଆସି ରହିବା ପରି ଏକ ବିରାଟ ଗର୍ତ୍ତ ଦେଖି ମିଡ଼ିଆ ସକ୍ରିୟ ହୋଇ ଯାଇଥିଲା।କିନ୍ତ୍ କିଛି ନିଷ୍କର୍ଷ ବାହାରି ନ ଥିଲା।ସୁମିତର କଥା ଉପରେ ସଂଶୟର କାରଣ ନ ଥିଲା।ତେଣୁ ଅତ୍ୟନ୍ତ ଆଗ୍ରହ ସହକାରେ ତା ପର ବିଷୟ ପଚାରିଲା ବିକାଶ। ସୁମିତ ନିଜକୁ ବାଲିରେ ଶୁଏଇ ଦେଇ ଶୂନ୍ୟକୁ ଚାହିଁ କହିଲା"ସ୍ପେସସିପରେ ମୁଁ ଯାଇ ପହଁଚିଲି ରେପ୍ଲିକା ଗ୍ରହରେ।ସେହି ଗ୍ରହ ଆମ ପୃଥିବୀର ଏକ ରେପ୍ଳିକା ବା ପ୍ରତିଛବି ପରି ହୋଇଥିଲା।ସେଇଠି ରହୁଥିବା ସବୁ ଏଲିଅନ ମଧ୍ୟ ଏଠିକାର ମନୁଷ୍ୟମାନଂକ ସହ ସାମଞ୍ଜସ୍ୟ କିଛି ଥିଲା।କିନ୍ତୁ ସେମାନେ ସମ୍ପୂର୍ଣ୍ଣ ଅବୟବ ପାଇ ନ ଥିଲେ।ଶରୀର କିଛି ମାତ୍ରାରେ ଆମ ପରି ଥିଲା।କେବଳ ଛାତି ପର୍ଯ୍ୟନ୍ତ।ବାକି ଅଂଶ ଅଳ୍ପ ଅଳ୍ପ ମଣିଷ ପରି ଦିଶୁଥିଲା। ଅତି ବେଶୀରେ ସେଠି ଦଶଜଣ ଏଲିଆନ ଥିଲେ।ମୋତେ ଦେଖି ସେମାନେ ମୋ ସହ ଅତି ସୌହାର୍ଦ୍ଦ୍ୟପୂର୍ଣ୍ଣ ବ୍ୟବହାର କଲେ।ସେମାନଙ୍କର ଗୋଟିଏ ଆଶା ଥିଲା ସମ୍ପୂର୍ଣ ମନୁଷ୍ୟ ଅବୟବ ପାଇ ମଣିଷମାନଙ୍କ ପରି ମଣିଷଙ୍କ ସହ ବସବାସ କରିବା।ଆଉ ଏଇଥିପାଇଁ ସୁମିତକୁ ଚୁପ୍ ହେବାର ଦେଖି ବିକାଶ ପ୍ରଶ୍ନ କଲା "କହ ସାଙ୍ଗ !ଏଥିପାଇଁ କଣ ?" "ବିକାଶ !ମଣିଷ ହେବାପାଇଁ ସେମାନେ ନିର୍ଦ୍ଦିଷ୍ଟ ବ୍ୟବଧାନରେ ଜଣେ ଜଣେ ମଣିଷକୁ ନେଇ ତାର ସମ୍ପୂର୍ଣ୍ଣ ରକ୍ତ ଶୋଷି ନିଅନ୍ତି ଆଉ ସେହି ରକ୍ତ ନିଜ ଦେହରେ ପ୍ରବେଶ କରାଇ ମଣିଷ ଶରୀର ପାଇବାକୁ ଚେଷ୍ଟା କରନ୍ତି। ଦଶ ଜଣ ଏଲିଆନ ଦଶ ମଣିଷଙ୍କ ଜୀବନ ଏମିତି ପ୍ରତି ଘଣ୍ଟାରେ ନିଅନ୍ତି।ସେମାନେ ଭାରି ଶାନ୍ତିପ୍ରିୟ।କିନ୍ତୁ ଏହା ଛଡା ଅନ୍ୟ ଉପାୟ ସେମାନେ କିଛି ଜାଣି ନ ଥିଲେ।ଆଉ ସେମାନଙ୍କ ସବୁଠୁ ବଡ ସମସ୍ୟା ଥିଲା ସେମାନଙ୍କ ବନ୍ଦ୍ ହୃଦଯନ୍ତ୍ର।ସେମାନେ ଶରୀର ସିନା ପାଇଯିବେ ହେଲେ ହୃଦସ୍ପନ୍ଦନ କିପରି ପାଇବେ ଜାଣି ପାରୁ ନ ଥିଲେ। ଏସବୁ ଶୁଣି ସେମାନଙ୍କ ଲବୋରେଟରି ଯାଇ ସେମାନଙ୍କ ଶରୀର ତତ୍ତ୍ଵ ଉପରେ କିଛି ଗବେଷଣା କଲି ଆଉ ଜାଣି ପାରିଲି ଯଦି ସେମାନଙ୍କ ମନରେ ଇମୋସନ ବା ସମ୍ବେଦନଶୀଳ ଗୁଣକୁ ଯଦି ଭର୍ତ୍ତି କରି ଦିଆଯାଇପାରେ ତେବେ ନିଶ୍ଚିତ ରୂପେ ସେମାନେ ସମ୍ପୂର୍ଣ୍ଣ ମନୁଷ୍ୟ ପରି ହୋଇପାରିବେ।ସେମାନଙ୍କ ବନ୍ଦ୍ ପଡ଼ିଥିବା ହୃଦୟ ସ୍ପନ୍ଦନ କରିବା ଆରମ୍ଭ କରିବା।ଆଉ ସେତେବେଳେ ପୃଥିବୀ ଆଉ ରେପ୍ଲିକା ଗ୍ରହ ଦୁଇଟି ଯାକରେ ସମସ୍ତେ ଆରାମରେ ବସବାସ କରି ପାରିବେ।"ଏକ ନିଃଶ୍ୱାସରେ ଏତିକି କହିଗଲା ସୁମିତ ! "ଆରେ କହ ତା ପରେ କଣ ହେଲା ? ଆଉ ଊର୍ମି ଭାଉଜ !ସେ କିଏ କେମିତି ତୋ ପାଖକୁ ଆସିଲେ ?"ବିକାଶ ବ୍ୟସ୍ତ ହୋଇ ପଚାରି ଚାଲିଲା।

ସୁମିତ କହିଲା "ଅବୟବ ପୁରା ପାଇଲା ପରେ ନିଜ ହୃଦୟକୁ କାର୍ଯ୍ୟକ୍ଷମ କରାଇବା ପାଇଁ ସେମାନେ ମୋ ଉପରେ ଚାପ ପକାଇଲେ।କାରଣ ମୁଁ ସେମାନଙ୍କୁ ଏପରି ମଣିଷ ରକ୍ତ ନେଇ ମଣିଶତ୍ତ୍ଵ ପାଇବା ପ୍ରକ୍ରିୟା ବନ୍ଦ କରିବାକୁ କହିଲି।ମୁଁ ରାଜି ହୋଇଗଲି।ଭାବିଲି ଜଣେ ଏଲିଆନକୁ ମୋ ସାଙ୍ଗରେ ନେଇ ଆସିଯିବି ଆଉ ତା ଭିତରେ ଇମୋସନ ଭରିବାକୁ ଚେଷ୍ଟା କରିବି।ଏଥିପାଇଁ ଭାବିଲି ଜଣେ ନାରୀ ଶରୀର ଧାରୀ ଏଲିଆନ ହେଲେ ସୁବିଧା ହେବ।ନାରୀ ମାନେ ସାଧାରଣ ଜଲଦି ଇମୋଶନାଲ ହୋଇଯାଆନ୍ତି।ତେଣୁ ସେମାନଙ୍କ ମଧ୍ୟରୁ ଜଣଙ୍କୁ ବାଛିଲି ଯେ ଅଧା ନାରୀ ପରି ଦିଶୁଥିଲା।ତାକୁ ପୂର୍ଣ୍ଣ ନାରୀ ଶରୀର ଦେବାକୁ ସେମାନେ ଆଖି ପିଛୁଳାକେ ଶହେ ଜଣ ମନୁଷ୍ୟଙ୍କ ଶରୀର ପୃଥିବୀରୁ ଟାଣି ଆଣି କ୍ଷଣିକ ଭିତରେ ସେମାନଙ୍କ ରକ୍ତ ଶୋଷି ସେହି ନାରୀ ଭିତରେ ଭର୍ତ୍ତି କରିଦେଲେ।ଆଉ ସେହି ନାରୀ ଜଣେ ସାଧାରଣ ସ୍ତ୍ରୀ ଲୋକ ପରି ହୋଇଗଲା। ଆଶ୍ଚର୍ଯ୍ୟ ହେଲି ମୁଁ।ନାରୀ ଜଣକ ମୋ ପାଖକୁ ଆସି ମୋ ହାତ ଧରିଦେଲେ ଆଉ ମୋ ଭାଷା ,ବ୍ୟବହାର ସବୁ ଆରାମରେ ଶିଖିଗଲେ।ସେହି ଏଲିଅନ୍ ମାନେ ମୋତେ ଦୁଇ ଘଂଟା ସମୟ ଦେଲେ।ଦୁଇ ଘଂଟା ଭିତରେ ନାରୀ ଏଲିଆନ ଭିତରେ ମାନବୀୟ ଗୁଣ ସଂଚାର ହୋଇ ସେ ଜୀବନ୍ତ ନ ହେଲେ ସେମାନେ ଅନ୍ୟ ଉପାୟ ଖୋଜିବା ପାଇଁ ଧମକ ଦେଲେ।ମୋ ପାଖରେ ଆଉ କିଛି ବାଟ ରହିଲାନି।ଆଖି ଆଗରେ ଶହେ ଜଣ ଜୀବନ୍ତ ମନୁଷ୍ୟଙ୍କ ରକ୍ତ ଶୋଷି ହୋଇଯାଇଥିବା ପରେ ନାରୀ ଶରୀର ପୂର୍ଣ୍ଣ ହେବା ଦେଖିଛି।ଆଉ ସେହି ଶରୀର ସେ ବିନା ହୃଦଯନ୍ତ୍ରରେ ଅକ୍ଷୁର୍ଣ୍ଣ ରଖିବାକୁ କିଛି ସମୟ ଅନ୍ତରାଳରେ ଦଶ ଜଣ ମନୁଷ୍ୟଙ୍କ ତାଜା ରକ୍ତ ଆବଶ୍ୟକ କରନ୍ତି।କଣ ବା ଆଉ କରନ୍ତି ? ମାନିଗଲି ସେହି ନାରୀଙ୍କୁ ସାଙ୍ଗରେ ଆଣି ସମ୍ବେଦନଶୀଳ କରେଇବି ବୋଲି।

ସମୁଦ୍ର ତରଙ୍ଗ ଭିତର ଦେଇ ସେ ମୋ ହାତ ଧରି ମୋତେ ଉଡେଇ ଆଣିଲେ ପୃଥିବୀକୁ।ଆଉ ତାଙ୍କ ନାଁ ମୁଁ ଦେଲି ଉର୍ମି "

ଉର୍ମି ବହୁତ୍ ଶକ୍ତିଶାଳୀ।ସବୁ କିଛି କରି ପାରନ୍ତି।ପଲକ ଝପକେଇଲା ଭିତରେ ସବୁ କରିଯିବେ।ନିଜର ସମ୍ପୂର୍ଣ୍ଣ ଭଲ ପାଇବା ଦେଇ ମଧ୍ୟ ମୁଁ ତାଙ୍କ ଭିତରେ ଇମୋସନ୍ କାହିଁକି କେଜାଣି ଭରି ପାରୁନି।ତାଙ୍କ ହୃଦୟ ସ୍ପନ୍ଦନ ହେଉନି ବିକାଶ !"

"ତୁ କହିଲୁ ତୋ ପାଖରେ କେବଳ ଦୁଇ ଘଂଟା ସମୟ ଥିଲା।କିଛି ନ ହେଲେ ମଧ୍ୟ ମୁଁ କିଛି ମାସ ହେବ ତୁମମାନଙ୍କୁ ଏଇଠି ରହିବା ଦେଖି ସାରିଲିଣି। କହ ଏଇଟା କେମିତି ହେଉଛି ?" ସଂଶୟ କରି ପଚାରିଲା ବିକାଶ। "ସେମାନଙ୍କ ଘଂଟାଏ ଆମର ଗୋଟିଏ ବର୍ଷ ସହିତ ସମାନ ବିକାଶ।ଦେଢ଼ ବର୍ଷ ହେଇଗଲାଣି ଉର୍ମି ସହ ସଂସାର କରି।ସେ ନାରୀ ପରି ।ହେଲେ ନାରୀ ନୁହଁ।ତଥାପି ମୁଁ ଜଣେ ପୁରୁଷର ଉଷ୍ମତା ଦେଇ ତାଙ୍କ ହୃଦୟକୁ ଜୀବନ୍ତ କରିବାକୁ ଚେଷ୍ଟା କରୁଛି।ହେଲେ ! କେହି କାଳେ ଜାଣିଯିବେ ତେଣୁ ଏଇ ଛୋଟିଆ ଘରେ ଆସି ରହୁଛି।କଣ କରିବି ଭାବି ପାରୁନି।ଆଉ ଛ ମାସ ଭିତରେ ଉର୍ମିଙ୍କ ହୃଦୟ କାର୍ଯ୍ୟକ୍ଷମ ନ ହେଲେ ଯେ ପୃଥିବୀ କେତେ ବଡ ବିପଦର ସାମ୍ନା କରିପାରେ କେଜାଣି ?ଆହୁରି ମଧ୍ୟ ନିଜ ଶରୀର ଅକ୍ଷୁର୍ଣ୍ଣ ରଖିବାକୁ ପ୍ରତି ମାସରେ ଥରେ ଊର୍ମିକୁ ଦଶ ଜଣ ଜଣ ଜୀବନ୍ତ ବ୍ୟକ୍ତିଙ୍କ ରକ୍ତ ଶୋଷିବାକୁ ହେଉଛି।ଏସବୁ ନରସଂହାର ବୋଝ ଉଠେଇ ମୁଁ ଥକି ଗଲିଣି।ହେଲେ ଏମିତି ଚୁପ୍ ବି ରହିବି କେମିତି ତୁ କହ ସାଙ୍ଗ !' ବିକଳ ହୋଇ ପଚାରିଲା ସୁମିତ !

"ଆଛା ଆମେ ଆଉ କାହା ସାହାଯ୍ୟ ନେବା କି ?" ବିକାଶ ପଚାରିଲା।" ନା ନା"ବ୍ୟସ୍ତ ହୋଇ ସୁମିତ କହିଲା"ତୁ ଅଚାନକ ପଚାରିଦେଲୁ ଆଉ ତୁ ମୋର ଏତେ ପୁରୁଣା ବିଶ୍ଵସ୍ତ ସାଙ୍ଗ ବୋଲି କହିଦେଲି କିନ୍ତୁ ଏକଥା ପ୍ରଘଟ ହୋଇଗଲା ପରେ ସେହି ଏଲିଆନ ମାନେ ଯଦି ରାଗିଯିବେ ତା ହେଲେ ପୃଥିବୀକୁ ଧ୍ଵଂସ ବି କରି ପାରିବେ। ମୁଁ ଶାନ୍ତି ଶୃଙ୍ଖଳା ସହିତ ସବୁ ସମାଧାନ ଚାହୁଁଛି।କେବଳ ସମ୍ବେଦନା ଟିକେ ଭରି ଦେଲେ ସେମାନଙ୍କ କାମ ଖତମ୍।ଏତିକି କେମିତି ହେବ ସେହି ଉପାୟ କିଛି ଭାବ।" କଥା କହୁକହୁ ଚନ୍ଦ୍ର ଆଡେ ଚାହିଁ ହଠାତ୍ ଚମକି ଉଠିଲା ସୁମିତ ! "ଆରେ ଆଜି ପୂର୍ଣ୍ଣମୀ !"କହି ଦୌଡି ଯାଉ ଯାଉ କହିଗଲା ସୁମିତ"ତୁ ଚାଲି ଯା ବିକାଶ ମୁଁ ଉର୍ମିକୁ ନେଇ ଆସିବା ସମୟ ହୋଇଗଲା !ଆଜି ସେ ଦଶ ମଣିଷଙ୍କ ରକ୍ତ ଶୋଷିବ।ଏଇଠି କାରଣ ଏଇଠି କେହି ଆସନ୍ତିନି।ପୂର୍ଣ୍ଣମୀରେ ଏଇ ବେଳାଭୂମିରେ ଭୀଷଣ ଜୁଆର ଉଠେ ଆଠଟା ପରେ ଖାଲି।ଆମେ ଆସିବା ଆଗରୁ ତୁ ଏଇଠୁ ଜଲଦି ଚାଲି ଯା !"

ବିକାଶ ସେମିତି ସେଇଠି ଠିଆ ହେଲା କିଛି ସମୟ !ସେ ମଧ୍ୟ ଜାଣେ ଏହି ବେଳାଭୂମିରେ ପୂର୍ଣ୍ଣମୀ ରାତିରେ ସନ୍ଧ୍ୟା ଆଠଟା ପରେ କେହି ରହନ୍ତିନି।ସୂମିତର କୌଣସି କଥାରେ ସନ୍ଦେହ ନ ଥିଲା।ତଥାପି କଣ ପ୍ରକୃତରେ ପଡିଶା ଘର ଭାଉଜ ଜଣେ ଏଲିଆନ ?ଆଉ ସେ ରକ୍ତ ଶୋଷି ମଣିଷ ରୂପ ପାଆନ୍ତି ?

ଏମିତି କିଛି ସନ୍ଦେହ ମିଶା ପ୍ରଶ୍ନର ଉତ୍ତର ପାଇବା ପାଇଁ କୁଆଡେ ନ ଯାଇ ଲୁଚି ରହିଲା ବିକାଶ ଗୋଟିଏ ବଡ ପଥର ପଛରେ ? ଅସମ୍ଭବ ଘୃଣା ଆଉ ଆତଙ୍କରେ ଥରି ଉଠୁଥିଲା ବିକାଶ ପଡିଶା ଘର ଭାଉଜ ଆଖି ଆଗରେ କ୍ଷୀପ୍ର ଗତିରେ ଜଣ ଜଣ କରି ଦଶ ଜଣ ମଣିଷଙ୍କ ରକ୍ତ ଶୋଷି ନେଇ ସେମାନଙ୍କ କଙ୍କାଳକୁ ଫିଙ୍ଗି ଦେଇଥିଲେ ସମୁଦ୍ର ଭିତରକୁ। ଦଶ ଜଣ ଲୋକଙ୍କୁ ସେ ଧରି ଆସିଥିଲେ ଏକୁଟିଆ।ସମସ୍ତେ ନିସ୍ତେଜ୍ ଥିଲେ।ବୋଧେ ଚେତା ହରେଇଥିଲେ।ଭାଉଜ ଏ ପ୍ରକାର ଏକ ଅପରିକଳ୍ପିତ କାମ କରି ସାରିବା ପରେ ଶାନ୍ତ ହୋଇ ଆସ୍ତେ ଚାଲି ଯାଉଥିଲେ ବସା ଆଡ଼କୁ ! ବେଳାଭୂମିରେ ଶୁଭୁଥିଲା କେବଳ ତାଙ୍କ ପାୟଲର ଝୁମଝୁମ ଶବ୍ଦ ଆଉ ସୁମିତର ନୀରବ ବିକଳ କ୍ରନ୍ଦନ ! ଘରକୁ ଯିବା ପାଇଁ ପାଦ ଉଠୁ ନ ଥିଲା ବିକାଶର। ମନେ ମନେ ଭାବୁଥିଲା ଏସବୁ ସ୍ବପ୍ନ ହେଇଥାନ୍ତା କି ? ପରଦିନ ସକାଳୁ ଭାଉଜ ସେମିତି ନିତ୍ୟ କର୍ମ କରି ଚାଲିଥିଲେ।ବିକାଶକୁ ଦେଖି ହସି ଦେଇଥିଲେ ମଧ୍ୟ।ସୁମିତ ସାଧାରଣ ଭାବରେ ଲାପଟପ୍ ଧରି କିଛି ରିସର୍ଚ୍ଚ ଚଲେଇଥିଲା।ଆଉ ବିକାଶ କେବଳ ଭାବି ଚାଲିଥିଲା ଏ ସମସ୍ୟାର ସମାଧାନ ! କଥା କେବଳ ସୁମିତର କିମ୍ବା ଭାଉଜଙ୍କର ନ ଥିଲା।ଏଥର କଥା ସମଗ୍ର ମାନବ ସମାଜର ଆଉ ପୃଥିବୀର ଥିଲା।ବିକାଶ ନିଜ କାମରେ ଜମାରୁ ମନ ଲଗେଇ ପାରିଲାନି।ଦିନରାତି ଭାବି ଚାଲିଲା ଆଉ ଦିନେ

"ସୁମିତ ତୁ ଭାଉଜଙ୍କୁ ନେଇ ଟିକେ ଘର ପାଖ ନର୍ସିଂ ହୋମକୁ ଆସ।ଜଲଦି !"ଫୋନରେ କହି ଲାଇନ୍ କାଟିଦେଲା ବିକାଶ !

ବୋଧେ କାହାରି କିଛି ଅସୁବିଧା ହୋଇଛି ସଙ୍ଗେ ସଙ୍ଗେ ସୁମିତ ଊର୍ମିକୁ ନେଇ ପାଖ ନର୍ସିଂ ହୋମରେ ପହଁଚିଗଲା। ଗେଟ୍ ପାଖରେ ବିକାଶ ସେମାନଙ୍କୁ ପଛ କରି ଠିଆ ହୋଇଥିଲା।ସେମାନେ ପହଞ୍ଚିବା ମାତ୍ରେ ବିକାଶ ବୁଲିପଡ଼ି ଗୋଟିଏ ସଦ୍ୟଜାତ ଶିଶୁକୁ ଉର୍ମି ହାତରେ ହଠାତ୍ ଧରେଇ ଦେଲା

କେହି କିଛି ବୁଝିବା ଆଗରୁ ଉର୍ମି ଧରି ଦେଖୁଥିଲେ ନିଷ୍ପାପ ଶିଶୁଟିକୁ !ନିଜ ଦୁଇ ହାତ ମୁଠା କରି ରଖିଥିବା ନିରୀହ ଛୁଆଟି ଆଖି ବନ୍ଦ କରି ଶୋଇଥାଏ।ଆଉ ଶୋଇବା ଅବସ୍ଥାରେ ହିଁ ତା ଓଠ କୋଣରେ ସୂକ୍ଷ୍ମ ହସଟିଏ ଫୁଟି ଉଠିଲା ଅଚାନକ !ଅଲକ୍ଷ୍ୟରେ ଉର୍ମି ମୁହଁରେ ହସ ଫୁଟି ଉଠିଲା ! ଛୁଆଟି ହାଇ ମାରିଲା ଆଉ ଅଜାଣତରେ ତାଙ୍କ ଆଙ୍ଗୁଠି ଧୀରେ ସ୍ପର୍ଶ କଲା ଶିଶୁର ଲାଲ କୋମଳ ଛୋଟ ଛୋଟ ଆଙ୍ଗୁଠିକୁ କେଉଁଠୁ କେଜାଣି ଧଡ୍ ଧଡ ଶବ୍ଦ ଶୁଭିଲା ହଠାତ୍ ଯେମିତି କିଛି ବନ୍ଦ୍ ହୋଇଯାଇଥିବା ପଦାର୍ଥ ଚଳକ୍ଷମ ହେବାକୁ ଆରମ୍ଭ ହେଇ ଯାଇଥିଲା ସମ୍ବିତ ପାଇଲା ପରି ସୁମିତ କହିଲା ବିକାଶ ଉର୍ମି ଇଜ୍ ଗେଟିଂ ହର୍ ହାର୍ଟ ବିଟସ୍..ଛୁଆଟିକୁ ନେଇଯାଆ କ୍ୱିକ

ବିକାଶ ଛୁଆଟିକୁ ନେଇ ଯାଇଥିଲା। ଉର୍ମି ସାଧାରଣ ମହିଳା ପରି ଢଳି ପଡ଼ିଲେ ସୁମିତର ବାହୁରେ !ପାଖ ଲୋକେ ଚାହିଁବାରୁ ସୁମିତ କହିଲେ.."ବି ପି ଲୋ ହୋଇଯାଇଥିବ !"ଆଉ ଊର୍ମିକୁ ନେଇ ଘରକୁ ଫେରି ଆସିଲା କିଛି ସମୟ ମଧ୍ୟରେ ବିକାଶ ମଧ୍ୟ ଫେରି ଆସିଲା।ପଡିଶା ଘରକୁ ଯାଇ ଦେଖିଲା ବେଳେ ଭାଉଜ ଶୋଇଥିଲେ ଖଟରେ।ପାଖରେ ସୁମିତ ବସି ତାଙ୍କ ହାତକୁ ମୁଠେଇ କରିଥିଲା ! "ସୁମିତ !କଣ ହେଲା ଭାଉଜଙ୍କର ?"ବିକାଶ ପଚାରିଲା ବେଳେ ସୁମିତ ଉଠିଆସି ତାକୁ କୁଣ୍ଢେଇ ଧରିଲା ଆଉ କହିଲା"କେମିତି ସାଙ୍ଗ ? କେମିତି ତୁ ଜାଣି ପାରିଲୁ ଏଇ ଉପାୟରେ ମୋ ଉର୍ମି ଇମୋସନ ଟଚ୍ ପାଇ ପାରିବେ ?" ବିକାଶ ହସି ହସି କହିଲା"ଆରେ !ଲେଡିଜ୍ ମାନଂକ ହୃଦୟ ମମତାରେ ଭରା।ତୋ ପୁରୁଷ ସୁଲଭ ଭଲ ପାଇବା ଅପେକ୍ଷା ଜଣେ ନାରୀ ହୃଦୟ ବାତ୍ସଲ୍ୟ ମମତାର ସ୍ପର୍ଶରେ ଜୀବନ୍ତ ହୋଇପାରେ ବୋଲି ମୋର ଷ୍ଟ୍ରଙ୍ଗ ଇଣ୍ଟୁଇସନ୍ ହେଲା।ଆଉ ସେଇଟା ମଧ୍ୟ ସେତେବେଳେ ମୁଁ ଭାବିଲି ଯେତେବେଳେ ମୋ କଲିଗର ନିଉବର୍ନ ବେବିକୁ ହାତରେ ଧରିଲି।ଆଉ ସଙ୍ଗେ ସଙ୍ଗେ ତୋତେ ଫୋନ କରି ଡାକିଲି

"ଆରେ ସତ କଥା ତ"କହିଲା ସୁମିତ ଏଲିଆନ୍ ହେଲେ କଣ ହେବ ? ଉର୍ମୀ ଜଣେ ନାରୀ ଶରୀର ଧାରଣ କରିଛନ୍ତି।ଆଉ ନାରୀର ମାତୃ ହୃଦୟ ଶିଶୁ ଦ୍ଵାରା ହିଁ ସ୍ପନ୍ଦିତ ହୁଏ। ଏଣୁ ଏମିତି ହେଲା। ଜାଣିଛୁ ଉର୍ମିଙ୍କ ଦେହର ଟେମ୍ପେରେଚର୍ ମଧ୍ୟ ବଢ଼ିଛି।ଆଉ ହାର୍ଟବିଟ ନର୍ମାଲ ଅଛି। ରେପ୍ଳିକା ଗ୍ରହରୁ ମେସେଜ ଆସିଛି।ଧନ୍ୟବାଦ୍ ଦେଇଛନ୍ତି ସେମାନେ।ତାଙ୍କ ଗ୍ରହ ତରଫରୁ ଯାହା ସାହାଯ୍ୟ ଆବଶ୍ୟକ କରିବେ କହିଛନ୍ତି।ଆଉ ଅନୁରୋଧ କରିଛନ୍ତି ପୁରୁଷ ଶରୀର ଥିବା ଏଲିଆନ ମାନଂକ ମନୁଷତ୍ତ୍ଵ ପ୍ରାପ୍ତି ପାଇଁ ଉପାୟ କହିବାକୁ ସୁମିତ କଥା ଶୁଣି ମୁଣ୍ଡ ହଲେଇ ନିଜ ବସାକୁ ଫେରି ଚାଲି ଯାଉ ଯାଉ ବିକାଶ ତା ଅଲକ୍ଷ୍ୟରେ ଶୋଇ ରହିଥିବା ପଡିଶା ଘର ଭାଉଜଙ୍କର ଫୋଟଟିଏ ଉଠେଇ ନେଇଥିଲା ସେଦିନ ରାତିରେ ଚନ୍ଦ୍ର ଆଲୋକରେ ଶୀତଳ ପବନରେ ମଧ୍ୟ କାହାକୁ କିନ୍ତୁ ନିଦ ଲାଗୁ ନ ଥାଏ ଆଖି ଖୋଲିବା ପରେ ଉର୍ମି ନିଜ ଭିତରେ ବହୁତ୍ କିଛି ଅଲଗା ଅନୁଭବ କରୁଥିଲେ ଆଉ ନିଜ ଦୁଇ ବାହୁରେ ନିଜକୁ ଏକ ରକମ୍ ଜାବୋଡ଼ି ଧରି ମନେ ପକାଉଥିଲେ ସେ ନବଜାତ ଶିଶୁର ସ୍ପର୍ଶକୁ "ଏହି ସ୍ପର୍ଶ ପ୍ରତି ମୁହୂର୍ତ୍ତରେ କରି ହୁଅନ୍ତା କି"କହୁଥିଲା ତାଙ୍କ ମନ ସୁମିତ ଶୂନ୍ୟକୁ ଚାହିଁ ଭାବୁଥିଲା କଣ ଉପାୟ ଅଛି ପୁରୁଷ ହୃଦୟରେ ସ୍ପନ୍ଦନ ଭରିବା ପାଇଁ ?"ଯଦ୍ୱାରା ସେ ରେପ୍ଲିକା ଗ୍ରହବାସୀଙ୍କ ସାହାଯ୍ୟ କରି ପୃଥିବୀ ପାଇଁ ଏକ ନୂତନ ଦିଗନ୍ତର ରାସ୍ତା ଖୋଲି ପାରିବ ଆଉ ବିକାଶ

ନିଜ ଖଟ ଉପରେ ଆଉଜି ବସି ମୋବାଇଲରେ ଶୋଇ ରହିଥିବା ପଡିଶା ଘର ଭାଉଜଙ୍କ ଫୋଟଟିକୁ ଦେଖି ଭାବୁଥିଲା "ଭାଉଜଙ୍କ ଶରୀରର ଉଷ୍ମତାକୁ ଟିକେ ଛୁଇଁ ହୋଇ ଦେଖି ହୁଅନ୍ତା କି ?"

ସବୁ କାହାଣୀ ସମାପ୍ତ ହୁଏ କି.



Rate this content
Log in

Similar oriya story from Fantasy